Categories
ଆଜିର ଖବର ଜାତୀୟ ଖବର

ଗ୍ୟାଙ୍ଗଷ୍ଟାର କରିମ୍‌ ଲାଲାଙ୍କୁ ଭେଟୁଥିଲେ ଇନ୍ଦିରା ଗାନ୍ଧୀ : ସଞ୍ଜୟ ରାଉତ

ପୁନେ : ଶିବସେନାର ବରିଷ୍ଠ ନେତା ସଞ୍ଜୟ ରାଉତ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ଦେଇଛନ୍ତି । ବୁଧବାର ଏକ ସାକ୍ଷାତକାର ଅବସରରେ ରାଉତ କହିଛନ୍ତି ଇନ୍ଦିରା ଗାନ୍ଧୀ ଗ୍ୟାଙ୍ଗଷ୍ଟର କରିମ୍‌ ଲାଲାଙ୍କୁ ଭେଟୁଥିଲେ । ମୁମ୍ବାଇର ମଦ ମାଫିଆ ତଥା ଗ୍ୟାଙ୍ଗଷ୍ଟର କରିମ୍‌ ଲାଲାଙ୍କୁ ଭୂତପୂର୍ବ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଏକାଧିକ ଥର ଭେଟିଛନ୍ତି । ଦକ୍ଷିଣ ମୁମ୍ବାଇର ପ୍ୟୋଧିନୀରେ ଲାଲାଙ୍କୁ ଇନ୍ଦିରା ଭେଟୁଥିଲେ । ଲାଲା 1960ରୁ 1980 ପର୍ଯ୍ୟନ୍ତ ବେଆଇନ ମଦ କାରବାରରେ ସମ୍ପୃକ୍ତ ରହିଥିବା ବେଳେ 2002ରେ ତାର ଦେହାନ୍ତ ହୋଇଥିଲା । ଏହା ସହିତ ମୁମ୍ବାଇରେ ଗ୍ୟାଙ୍ଗଷ୍ଟାରଙ୍କ ପ୍ରାଦୁର୍ଭାବ ସମ୍ପର୍କରେ ବର୍ଣ୍ଣନା କରିଥିଲେ ରାଉତ । ପୂର୍ବରୁ ସାମ୍ବାଦିକ ରହିଥିବା ରାଉତ ଦାଉଦ୍‌ ଇବ୍ରାହିମ୍‌, ଛୋଟା ସକିଲ୍‌, ଶରଦ ସେଟ୍ଟୀ ଏବଂ ହାଜି ମସ୍ତାନ ସମ୍ପର୍କରେ କହିଥିଲେ । ହାଜି ମସ୍ତାନ ମହାରାଷ୍ଟ୍ର ସଚିବାଳୟକୁ ଆସୁଥିବା ସମୟରେ ସମ୍ପୂର୍ଣ୍ଣ ମନ୍ତ୍ରାଳୟ ତଳକୁ ଆସି ଦେଖୁଥିବା ସମ୍ପର୍କରେ ରାଉତ ମତ ଦେଇଥିଲେ । (ଏଜେନ୍ସୀ)

Categories
ଆଜିର ଖବର

ଦିଲ୍ଲୀ ବିମାନବନ୍ଦରରେ ଅଗ୍ନିକାଣ୍ଡ ଗୁଜବ

ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ବିମାନ ବନ୍ଦରରେ ଅଗ୍ନିକାଣ୍ଡର ଗୁଜବ ସୃଷ୍ଟି ହୋଇଥିଲା। ଏକ ବିମାନରୁ କଳା ଧୂଆଁ ବାହାରୁଥିବାର ଦେଖି ଅଗ୍ନିକାଣ୍ଡର ଭ୍ରମ ସୃଷ୍ଟି ହୋଇଥିଲା। ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ବିମାନବନ୍ଦରରେ ଏକ ବୋଇଙ୍ଗ ୭୭୭ ବିମାନରେ ନିଆଁ ଲାଗିଥିବାର ଦେଖାଯାଇଥିଲା। ଏହା ଦିଲ୍ଳୀ ବିମାନବନ୍ଦରରେ ଭୟର ପରିବେଶ ସୃଷ୍ଟି କରିଥିଲା। ବୁଧବାର ରାତ୍ରରେ ବିମାନବନ୍ଦରର ଅତିରିକ୍ତ ବିଦ୍ୟୁତ୍‌ ୟୁନିଟ୍‌ (ଏପିୟୁ) ପକ୍ଷରୁ ଏହି ନିଆଁକୁ ପ୍ରଥମେ ଦେଖା ଯାଇଥିଲା। ଏକ ଏସିର ମରାମତି ସମୟରେ ଏହା ଲକ୍ଷ୍ୟ କରିଥିଲେ ଏପିୟୁର ଜନୈକ ଇଞ୍ଜିନିୟର। ଦିଲ୍ଳୀରୁ ସାନ୍‌ଫ୍ରାନ୍‌ସିସ୍‌କୋ ଯିବାକୁ ଥିବା ଏୟାର ଇଣ୍ଡିଆର ଏକ ବିମାନରେ ଏହି ତ୍ରୁଟି ଦେଖା ଦେଇଥିଲା। ପରେ ଏୟାର ଇଣ୍ଡିଆ ପକ୍ଷରୁ ଏହି ଘଟଣା ସମ୍ପର୍କରେ ସ୍ପଷ୍ଟୀକରଣ ଦିଆଯିବା ସହିତ ଏକ ଭିଡିଓ ଜାରି କରାଯାଇଥିଲା କି ଏହା ବାସ୍ତବରେ ଅଗ୍ନିକାଣ୍ଡ ନଥିଲା। ତେଲ ଟାଙ୍କିରୁ ବିମାନ ଇନ୍ଧନ ଲିକ୍‌ ହେଉଥିଲା ଏବଂ କଳା ଧୂଆଁ ଅଗ୍ନିକାଣ୍ଡର ଭ୍ରାନ୍ତ ଧାରଣା ସୃଷ୍ଟି କରିଥିଲା। ପରବର୍ତ୍ତୀ ସମୟରେ ଏପିୟୁ ପକ୍ଷରୁ ବିମାନଟିର ପରୀକ୍ଷଣ କରାଯାଇ ଅଗ୍ନିକାଣ୍ଡର କୌଣସି ସୂଚନା ନଥିବା ସ୍ପଷ୍ଟ କରିଥିଲେ।

Categories
ଆଜିର ଖବର

ଇନ୍ଦିରାଙ୍କ ଆତ୍ମଜୀବନୀ ପାଇଁ ଜୟଲଳିତା ପ୍ରୋଜେକ୍ଟ ଛାଡିଲେ ବିଦ୍ୟା

ଜାତୀୟ ପୁରସ୍କାର ବିଜୟିନୀ ବଲିଉଡ୍‌ ଅଭିନେତ୍ରୀ ବିଦ୍ୟା ବାଲାନ୍‌ଙ୍କୁ ପ୍ରଥମେ ଜୟଲଳିତାଙ୍କ ଆତ୍ମଜୀବନୀ ଅଫର କରାଯାଇଥିଲା। ମାତ୍ର ଇନ୍ଦିରା ଗାନ୍ଧୀଙ୍କ ଉପରେ ଏକ ଓ୍ବେବ୍‌ ସିରିଜ୍‌ ନିମନ୍ତେ ଅନୁବନ୍ଧିତ ହୋଇସାରିଥିବାରୁ ପ୍ରକଳ୍ପ ହାତଛଡା କରିଥିଲେ ବିଦ୍ୟା। ବିଦ୍ୟା ତାମିଲନାଡୁର ଅଟନ୍ତି ତେଣୁ ଆମ୍ମାଙ୍କ ଚରିତ୍ର ପାଇଁ ବିଦ୍ୟା ପ୍ରଥମ ଚଏସ୍‌ ରହିଥିଲେ। ମାତ୍ର ନିଜ ସ୍ବାମୀ ତଥା ୟୁଟିଭି ସିଇଓ ସିଦ୍ଧାର୍ଥ ରାୟ କପୁର ଇନ୍ଦିରା ଗାନ୍ଧୀଙ୍କ ଜୀବନି ଉପରେ ଏକ ଓ୍ବେବ୍‌ ସିରିଜ୍‌ ନିର୍ମାଣ କରୁଥିବାରୁ ବିଦ୍ୟା ଇନ୍ଦିରାଙ୍କ ଚରିତ୍ରକୁ ପ୍ରାଧାନ୍ୟ ଦେଇଥିଲେ। ଏହାପରେ ଜୟଲଳିତାଙ୍କ ଚଳଚିତ୍ରଟି କଙ୍ଗନାଙ୍କ ହାତକୁ ଯାଇଥିଲା ବୋଲି ଚଳଚିତ୍ରର ନିର୍ଦ୍ଦେଶକ ଏ ଏଲ୍‌ ବିଜୟ ପ୍ରକାଶ କରିଛନ୍ତି। ଏହି ଓ୍ବେବ୍‌ ସିରିଜ୍‌ର କାମ ନସରିବା ପର୍ଯ୍ୟନ୍ତ ବିଦ୍ୟା ଅନ୍ୟ କୌଣସି ପ୍ରକଳ୍ପକୁ ସମ୍ମତି ପ୍ରଦାନ କରିବାକୁ ଚାହୁଁ ନାହାନ୍ତି, ଏବଂ ଇନ୍ଦିରାଙ୍କ ଚାଲିଚଳଣି, କଥାବାର୍ତ୍ତା ଭାଷଣ ଦେବାର ଶୈଳୀକୁ ଶିଖୁଛନ୍ତି। ସୂଚନାଯୋଗ୍ୟ ଯେ, କିଛି ବର୍ଷ ପୂର୍ବରୁ ଏନ୍‌ ଚନ୍ଦ୍ରା ମନୀଷା କୋଇରାଲାଙ୍କୁ ନେଇ ଇନ୍ଦିରାଙ୍କ ଉପରେ ଚଳଚିତ୍ର ନିର୍ମାଣ କରିବାକୁ ଚାହୁଁଥିଲେ ଯାହାକି ସମ୍ଭବ ହୋଇ ପାରିନଥିଲା।

( ମୋବାଇଲରେ ଫଟାଫଟ  ଖବର ଜାଣିବା  ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta, ଏହାପରେ ମୋବାଇଲ ସ୍କ୍ରିନର ତଳୁ ଉପରକୁ ଆଙ୍ଗୁଠିରେ ଘଷି  ଖବର ପରେ ଖବର ପଢି ଚାଲନ୍ତୁ। )