Categories
ଆଜିର ଖବର ଖେଳ ରାଜ୍ୟ ଖବର

ଅବସର ଘେଷଣା କଲେ ଓଡ଼ିଆ କ୍ରିକେଟର ପ୍ରଜ୍ଞାନ ଓଝା

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର: ଅବସର ଘୋଷଣା କରିଛନ୍ତି ଓଡ଼ିଆ କ୍ରିକେଟର ପ୍ରଜ୍ଞାନ ଓଝା। ସମସ୍ତ ପ୍ରକାର ଫର୍ମାଟ୍‌ରୁ ଅବସର ଘୋଷଣା କଲେ ପ୍ରଜ୍ଞାନ। ହାଇଦ୍ରାବାଦ କ୍ରିକେଟ୍‌ ଆସୋସିଏସନ୍‌ ପାଇଁ 14 ବର୍ଷ ଖେଳିଥିଲେ। 2009 ମସିହାରେ ଶ୍ରୀଲଙ୍କା ବିପକ୍ଷରେ ପ୍ରଥମ ଟେଷ୍ଟ୍‌ ମ୍ୟାଚ୍‌ ଖେଳିଥିଲେ ପ୍ରଜ୍ଞାନ।  ପ୍ରଜ୍ଞାନ ମୋଟ 24ଟି ଟେଷ୍ଟରେ 113ଟି ଓ୍ବିକେଟ୍‌ ନେଇଥିବାବେଳେ 2008 ମସିହାରେ ବାଂଲାଦେଶ ବିପକ୍ଷରେ ପ୍ରଥମ ଦିନିକିଆରେ ଖେଳିଥିଲେ ପ୍ରଜ୍ଞାନ। 18ଟି ଦିନିକିଆରେ ମୋଟ 21ଟି ଓ୍ବିକେଟ୍‌ ନେଇଛନ୍ତି ପ୍ରଜ୍ଞାନ ଓଝା। ସେହିପରି 92ଟି ଆଇପିଏଲ୍‌ ଖେଳି 89ଟି ଓ୍ବିକେଟ୍‌ ହାସଲ କରିଥିଲେ ପ୍ରଜ୍ଞାନ। ଏହି ଅବସରରେ ଭିଏସଏସ୍‌ ଲକ୍ଷ୍ମଣ, ଭେଙ୍କଟପତି ରାଜୁ, ମହେନ୍ଦ୍ର ସିଂ ଧୋନି ପ୍ରମୁଖଙ୍କୁ କୃତଜ୍ଞତା ଜଣାଇଛନ୍ତି।

Categories
ଖେଳ ବିଶେଷ ଖବର

କ୍ରିକେଟରେ ଏକ ଯୁଗର ଅନ୍ତ : ସଂକ୍ଷେପରେ ଲଢୁଆ ମହାନାୟକ ଯୁବରାଜଙ୍କ କ୍ୟାରିୟର

ସରୋଜ ଜେନା

ଭାରତୀୟ କ୍ରିକେଟର ଯୁବରାଜ ସିଂ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଗ୍ରହଣ କରିଛନ୍ତି। ଭାରତର ଦୁଇ ବିଶ୍ବକପ୍‌ ବିଜୟର ବିନ୍ଧାଣୀ ନିଜ ୧୭ ବର୍ଷର ଅନ୍ତର୍ଜାତୀୟ କ୍ୟାରିୟରକୁ ବିଦାୟ ଜଣାଇଛନ୍ତି। ଜଣେ ଷ୍ଟାଇଲିସ୍‌ ବାମହାତୀ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍‌ ଭାବରେ କ୍ରିକେଟ ଆରମ୍ଭ କରିଥିବା ଯୁବରାଜ ଜଣେ ଉପଯୋଗୀ ପାର୍ଟଟାଇମ୍‌ ବୋଲର ଏବଂ ଚମତ୍କାର ଫିଲ୍ଡର ଭାବରେ ଖ୍ୟାତି ହାସଲ କରିଛନ୍ତି। ଯୁବରାଜଙ୍କୁ ଭାରତୀୟ କ୍ରିକେଟର ସୀମିତ ଓଭର ଖେଳର ଚାମ୍ପିୟନ୍‌ କହିଲେ ମଧ୍ୟ କିଛି ଅତ୍ୟୁକ୍ତି ହେବ ନାହିଁ। ଶ୍ରେଷ୍ଠ ଫର୍ମରେ ଥିବା ସମୟରେ ଯୁବରାଜ କେବଳ ଭାରତର ନୁହନ୍ତି ବରଂ ବିଶ୍ବର ସବୁଠାରୁ ବିଧ୍ବଂସକ ଏବଂ ଭରସାଯୋଗ୍ୟ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ଅଟନ୍ତି।

ଭାରତର ସପ୍ତମ ସର୍ବାଧିକ ରନ୍‌ ହାସଲକାରୀ ଭାବରେ ଅବସର ଗ୍ରହଣ କରିଥିବା ଯୁବରାଜ ୩୬.୪୭ର ହାରାହାରି ସହିତ ୮୬୦୯ ରନ୍‌ ସଂଗ୍ରହ କରିଛନ୍ତି। ୨୦୦୦ ମସିହାରେ ନିଜର ପ୍ରଥମ ମ୍ୟାଚ୍‌ରେ ନାଇରୋବିରେ ଅଷ୍ଟ୍ରେଲିଆ ବିପକ୍ଷରେ ୮୦ ବଲ୍‌ରୁ ୮୪ ରନ୍‌ ସଂଗ୍ରହ କରିଥିବା ବେଳେ କ୍ୟାରିୟରର ଶ୍ରେଷ୍ଠ ସ୍କୋର ୧୫୦ କଟକରେ ୨୦୧୭ ମସିହାରେ ହାସଲ କରିଥିଲେ। ମଧ୍ୟକ୍ରମରେ ଯୁବରାଜ ୮୧୯୩ ରନ୍‌ ସଂଗ୍ରହ କରିଥିବା ବେଳେ କେବଳ ମହେନ୍ଦ୍ର ସିଂ ଧୋନୀ ୯୨୪୫ ସହ ଆଗରେ ରହିଛନ୍ତି। ଦିନିକିଆରେ ଯୁବରାଜ ସମୁଦାୟ ୨୭ଟି ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌ ପୁରସ୍କାର ହାସଲ କରିଥିବା ବେଳେ ତନ୍ମଧ୍ୟରୁ ୪ଟି ୨୦୧୧ ବିଶ୍ବକପ୍‌ରେ ହାସଲ କରିଥିଲେ। ଏହା ସହିତ ୨୦୧୧ ବିଶ୍ବକପ୍‌ର ପ୍ଲେୟାର ଅଫ୍‌ ଦ ଟୁର୍ଣ୍ଣାମେଣ୍ଟ ମଧ୍ୟ ଘୋଷିତ ହୋଇଥିଲେ ଯୁବି।

ଜଣେ ସାମୟିକ ବୋଲର ହୋଇଥିଲେ ମଧ୍ୟ ଯୁବରାଜ ଦିନିକିଆରେ ୧୧୧ଟି ଓ୍ବିକେଟ୍‌ ଅକ୍ତିଆର କରିଛନ୍ତି। ଯୁବରାଜ ବିଶ୍ବକପ୍‌ରେ ଗୋଟିଏ ଥର ପାଞ୍ଚ ଓ୍ବିକେଟ୍‌ (୫/୩୧ବନାମ ଆାୟାର୍ଲ୍ୟାଣ୍ଡ) ହାସଲ କରିଥିବା ବେଳେ ଅନେକ ଖେଳାଳିଙ୍କୁ ଏକାଧିକ ଥର ଆଉଟ କରିବାରେ ସକ୍ଷମ ହୋଇଛନ୍ତି। କେଭିନ୍‌ ପିଟରସନ୍‌ଙ୍କୁ ସର୍ବାଧିକ ୪ ଥର ଆଉଟ କରିଥିବା ବେଳେ ସାଙ୍ଗାକାରା, ଫ୍ଲିଣ୍ଟଫ୍‌ ଏବଂ ମୁସଫିକର ରହିମ୍‌ଙ୍କୁ ୩ ଥର ଲେଖାଏଁ ଆଉଟ୍‌ କରିଛନ୍ତି।

ଯୁବରାଜଙ୍କ କ୍ୟାରିୟରର କିଛି ସ୍ମରଣୀୟ ମୂହୂର୍ତ୍ତ :
୬୯ ବନାମ ଇଂଲଣ୍ଡ, ୨୦୦୨, ଲର୍ଡସ୍
ନାଟଓ୍ବେଷ୍ଟ ଟ୍ରଫିର ଫାଇନାଲ୍‌ରେ ଭାରତ ୩୨୬ ରନ୍‌ର ପିଛା କରୁଥିବା ବେଳେ ଭାରତ ୧୪୬ ରନ୍‌ରେ ୫ ଓ୍ବିକେଟ୍‌ ହରାଇ ସଙ୍କଟରେ ପଡିଥିଲା। ଏହି ସମୟରେ ଯୁବରାଜ(୬୯) ଅନ୍ୟତମ ଯୁବ ଖେଳାଳି ମହମ୍ମଦ କୈଫ୍‌ଙ୍କ ସହ ୧୨୧ ରନ୍‌ର ଭାଗିଦାରୀ କରି ଭାରତକୁ ସଙ୍କଟରୁ ବାହାର କରିବା ସହ ବିଜୟୀ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।
୨ ରନ୍‌ ଆଉଟ୍‌, ବନାମ ଦକ୍ଷିଣ ଆଫ୍ରିକା, ଚାମ୍ପିୟନ୍ସ ଟ୍ରଫି, ୨୦୦୨, କଲମ୍ବୋ
୨୦୦୨ ଚାମ୍ପିୟନ୍ସ ଟ୍ରଫିରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ଏକ ଅସମ୍ଭବ ବିଜୟ ହାସଲ କରିଥିଲା। ମ୍ୟାଚ୍‌ର ଅନ୍ତିମ ଭାଗରେ ଯୁବରାଜ ଗ୍ରେମ୍‌ ସ୍ମିଥ୍‌ ଏବଂ ଜଣ୍ଟି ରୋଡ୍ସଙ୍କୁ ରନ୍‌ ଆଉଟ କରିଥିଲେ। ପେଙ୍ଗୁଇନ୍‌ ପରି ଡେଇଁ ପଏଣ୍ଟରେ ସ୍ମିଥ୍‌ଙ୍କ କ୍ୟାଚ୍‌ ଧରିବା ସହିତ ଜଣ୍ଟି ରୋଡ୍ସ ଏବଂ ଆଲାନ୍‌ ଡୋନାଲ୍ଡଙ୍କୁ ରନ୍‌ଆଉଟ୍‌ କରି ଦଳକୁ ବିଜୟୀ କରାଇଥିଲେ।
୬ ଛକ୍କା, ବନାମ ଇଂଲଣ୍ଡ, ଟି ୨୦ ବିଶ୍ବକପ୍‌ ୨୦୦୭, ଡର୍ବାନ
କ୍ରିକେଟ୍ ଇତିହାସରେ ମାତ୍ର  ୬ଜଣ ଖେଳାଳି ଗୋଟିଏ ଓଭରରେ ୬ ଛକା ମାରିଛନ୍ତି। ସେମାନଙ୍କ ମଧ୍ୟରୁ ଯୁବରାଜ ସିଂହ ଅନ୍ୟତମ। ଯୁବରାଜ ସିଂହ ୨୦୦୭ ଟି୨୦ ବିଶ୍ବକପ୍‌ରେ ଇଂଲଣ୍ଡ ବୋଲର ଷ୍ଟୁଆର୍ଟ ବ୍ରଡଙ୍କୁ  ୬ଛକା ମାରିଥିଲେ।
୨ ଓ୍ବିକେଟ ଏବଂ ଅର୍ଦ୍ଧଶତକ, ବନାମ ଅଷ୍ଟ୍ରେଲିଆ,  ୨୦୧୧ବିଶ୍ବକପ୍‌, ଅହମଦାବାଦ
୨୦୧୧ କ୍ରିକେଟ୍‌ ବିଶ୍ବକପ୍‌ରେ ସମୁଦାୟ ୩୬୨ ରନ୍‌ ଏବଂ ୧୫ଟି ଓ୍ବିକେଟ୍‌ ଅକ୍ତିଆର କରିଥିବା ବେଳେ ଅଷ୍ଟ୍ରେଲିଆ ବିପକ୍ଷ କ୍ବାର୍ଟର ଫାଇନାଲ୍‌ରେ ୨ ଓ୍ବିକେଟ୍‌ ସହିତ  ୫୨ରନ୍‌ ସଂଗ୍ରହ କରି ଦଳକୁ ସେମି ଫାଇନାଲ୍‌ରେ ପହଞ୍ଚାଇବା ସହିତ ଦଳକୁ ଚାମ୍ପିୟନ୍‌ କରାଇଥିଲେ।
ଯଦିଓ ଦିନିକିଆରେ ଯୁବରାଜ ଜଣେ ଶ୍ରେଷ୍ଠ ଖେଳାଳି ହୋଇଥିବା ବେଳେ ଟେଷ୍ଟ ଫର୍ମାଟରେ ଯୁବରାଜଙ୍କ ପ୍ରଦର୍ଶନ ସେତେ ଭଲ ରହିନାହିଁ। ୪୦ଟି ଟେଷ୍ଟରୁ ମାତ୍ର ୧୯୦୦ ରନ୍‌ କରିଥିବା ବେଳେ ତାମଧ୍ୟରେ ମାତ୍ର ତିନୋଟି ଶତକ ରହିଛି। ଟେଷ୍ଟରେ ଯୁବିଙ୍କ ସମସ୍ତ ଶତକ ପାକସ୍ତାନ ବିପକ୍ଷରେ ହିଁ ଆସିଛି।

ବରିଷ୍ଠ ଖେଳାଳିଙ୍କୁ ବିସିସିଆଇର ଅଣଦେଖା :
ବିଗତ ପାଞ୍ଚ ବର୍ଷ ମଧ୍ୟରେ ଅନେକ ବରିଷ୍ଠ ଖେଳାଳି ଅବସର ଗ୍ରହଣ କରିଥିଲେ ମଧ୍ୟ ଜଣଙ୍କୁ ବିସିସିଆଇ ପକ୍ଷରୁ ବିଦାୟକାଳୀନ ସମ୍ବର୍ଦ୍ଧନା ମିଳିନାହିଁ। କେବଳ ସଚିନ୍‌ ତେନ୍ଦୁଲକର, ସୌରଭ ଗାଙ୍ଗୁଲି ଏବଂ ଆଶିଷ ନେହେରାଙ୍କୁ ବିଦାୟ କାଳୀନ ମ୍ୟାଚ୍‌ ଖେଳିବାକୁ ମିଳିଥିବା ବେଳେ ଅନ୍ୟ କାହାକୁ ଏହି ସୌଭାଗ୍ୟ ମିଳିନାହିଁ। ବର୍ତ୍ତମାନ ଭାରତର ସର୍ବକାଳୀନ ଶ୍ରେଷ୍ଠ ମଧ୍ୟକ୍ରମ ବ୍ୟଟ୍ସମ୍ୟାନ୍‌ ତଥା ଭାରତକୁ ଦୁଇ ବିଶ୍ବକପ୍‌ ବିଜୟୀ କରାଇଥିବା ଯୁବରାଜ ସିଂ କ୍ରିକେଟ ପଡିଆ ବାହାରେ ଅବସର ନେବା ପରେ ଏହି ଚର୍ଚ୍ଚା ଜୋର ଧରିଛି। ପୂର୍ବରୁ ଭିଭିଏସ୍‌ ଲକ୍ଷ୍ମଣ, ରାହୁଲ ଦ୍ରାବିଡ, ଗୌତମ ଗମ୍ଭୀର ଏବଂ ବୀରେନ୍ଦ୍ର ସେହ୍ବାଗଙ୍କ ପରି ଖେଳାଳି ମଧ୍ୟ ସମାନ ଭାବରେ କ୍ରିକେଟ ପଡିଆ ବାହାରେ ଅବସର ଗ୍ରହଣ କରିଛନ୍ତି।