Categories
ଆଜିର ଖବର

କେରଳର ତିନି ସ୍ଥାନରେ ଏନ୍‌ଆଇଏର ଚଢାଉ

ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) କେରଳର କାସରଗୋଡ଼ ଓ ପାଲାକ୍କଡରେ ତିନି ସନ୍ଦିଗ୍ଧ ଆତଙ୍କୀକୁ ଜେରା କରୁଛି। ଏହି ତିନି ଜଣ ଆଇଏସ୍‌ଆଇଏସ୍‌ ସହ ସଂଶ୍ଳିଷ୍ଟ ଥିବା ଆଶଙ୍କାରେ ଚଢାଉ କରିଛି। ଏଜେନ୍ସିର ସନ୍ଦେହ ଯେ ଏହି ତିନି ଜଣ ଦୁର୍ଦ୍ଦାନ୍ତ ଆତଙ୍କୀ ସଂଗଠନ ଇସଲାମିକ ଷ୍ଟେଟରେ ସାମିଲ ହେବା ପାଇଁ ଦେଶ ଛାଡିବାକୁ ଥିବା ଲୋକଙ୍କ ସଂପର୍କରେ ଥିଲେ। ଏହା ବ୍ୟତୀତ ଏନଆଇଏ କାସରଗୋଡରେ ରହୁଥିବା ଅବୁ ବକର ଓ ଅହମ୍ମଦକୁ ସୋମବାର ସୁଦ୍ଧା କୋଚି ସ୍ଥିତ ସ୍ଥାନୀୟ ଏନଆଇଏ ଅଫିସରେ ହାଜର ହେବାକୁ କହିଛନ୍ତି। ସନ୍ଦିଗ୍ଧଙ୍କ ଘରେ ଚଢାଉ ସମୟରେ ଧାର୍ମିକ ଉପଦେଶ ସହ ଜଡିତ ଡିଭିଡି ଏବଂ ସିଡି କ୍ୟାସେଟ୍ ବ୍ୟତୀତ ଇସଲାମିକ ପ୍ରଚାରକ ଜାକିର ନାଇକର ଭାଷଣର କ୍ୟାସେଟ୍ ମିଳିଛି। ଏଥି ସହିତ ଜାକିର ନାଇକ ଏବଂ ସୈୟଦ କୁଠେବଙ୍କ ପୁସ୍ତକ ମଧ୍ୟ ଜବତ କରାଯାଇଛି। ଚଢାଉ ବେଳେ ଏନଆଇଏକୁ ମୋବାଇଲ ଫୋନ, ସିମକାର୍ଡ, ମେମୋରୀ କାର୍ଡ୍ସ, ପେନ ଡ୍ରାଇଭ, ଅରବୀ ଓ ମଲୟାଲି ଭାଷାରେ ଲେଖାହୋଇଥିବା ହାତଲେଖା ଚିଠି ମିଳିଛି। ୨୦୧୬ରେ ଗିରଫ ହୋଇଥିବା ଯୁବକ ହବିବ ରହମାନଙ୍କ ସୂଚନା ଅନୁଯାୟୀ କେରଳରୁ ୧୪ ଜଣ ଯୁବକ ଆଇଏସ୍‌ରେ ଯୋଗ ଦେବାର ଯୋଜନା କରୁଛନ୍ତି।

Categories
ଆଜିର ଖବର

ଜୟଲଳିତାଙ୍କ ମୃତ୍ୟୁର ତଦନ୍ତ ଉପରେ ସୁପ୍ରିମକୋର୍ଟଙ୍କ ରହିତାଦେଶ

ତାମିଲନାଡୁ ମୁଖ୍ୟମନ୍ତ୍ରୀ ଜେ. ଜୟଲଳିତାଙ୍କ ମୃତ୍ୟୁକୁ ନେଇ ଆପୋଲୋ ହସ୍ପିଟାଲର ବିପକ୍ଷରେ ଚାଲିଥିବା ତଦନ୍ତ ଉପରେ ସୁପ୍ରିମ୍‌ କୋର୍ଟ ରହିତାଦେଶ ଲଗାଇଛନ୍ତି। ୨୦୧୬ ରେ ଚେନ୍ନାଇର ଆପୋଲୋ ହସ୍ପିଟାଲରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଦେହାନ୍ତ ପରେ ମୁଖ୍ୟମନ୍ତ୍ରୀ ପଲାନିସ୍ବାମୀ ମୃତ୍ୟୁର ତଦନ୍ତ ପାଇଁ ଏକ ତଦନ୍ତ କମିଟି ଗଠନ କରିଥିଲେ। ପୂର୍ବରୁ ଆପୋଲୋ ହସ୍ପିଟାଲ ଏନେଇ ମାଡ୍ରାସ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିବା ବେଳେ ଏପ୍ରିଲ୍‌ ୪ ତାରିଖରେ ତଦନ୍ତର ବନ୍ଦ ଆବେଦନକୁ ହାଇକୋର୍ଟ ଖାରଜ କରି ଦେଇଥିଲେ। ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ବରେ ଖଣ୍ଡପୀଠ ଏହି ଆଦେଶ ଶୁଣାଇଛନ୍ତି। ଗୋଗୋଇଙ୍କ ବ୍ୟତୀତ ଜଷ୍ଟିସ୍‌ ଦୀପକ ଗୁପ୍ତା ଏବଂ ସଞ୍ଜୀବ ଖନ୍ନା ଏହି ଖଣ୍ଡପୀଠର ସଦସ୍ୟ ରହିଛନ୍ତି।

Categories
ଆଜିର ଖବର

ଆଇଏସ୍‌ ଲିଙ୍କ ଥିବା ୧୪୦ ଜଣଙ୍କ ସନ୍ଧାନ କରୁଛି ପୋଲିସ୍‌ : ସିରିସେନା

ନିକଟରେ ରବିବାର ହୋଇଥିବା ଭୟଙ୍କର ବିସ୍ଫୋରଣରେ ୨୫୩ ପ୍ରାଣହାନି ଘଟିଥିବା ବେଳେ ୫୦୦ରୁ ଅଧିକ ଆହତ ହୋଇଥିଲେ। ଏହି ଘଟଣାରେ ପୋଲିସ୍‌ ଅନ୍ୟୁନ ୫୮ ଜଣଙ୍କୁ ଗିରଫ କରି ସାରିଛି। ଶୁକ୍ରବାର ଶ୍ରୀଲଙ୍କା ରାଷ୍ଟ୍ରପତି ମୈତ୍ରିପାଲା ସିରିସେନା କହିଛନ୍ତି ଏହି ଆକ୍ରମଣଳରେ ଆଇଏସ୍‌ ଲିଙ୍କ ରହିଥିବାର ସୂଚନା ମିଳିଥିବା ବେଳେ ଆଇଏସ୍‌ ଲିଙ୍କ ଥିବା ୧୪୦ ଜଣ ଅପରାଧୀଙ୍କ ସନ୍ଧାନରେ ରହିଛି ଶ୍ରୀଲଙ୍କା ପୋଲିସ୍‌। ସିରିସେନାଙ୍କ ସୂଚନା ଅନୁଯାୟୀ ୨୦୧୩ରୁ ଶ୍ରୀଲଙ୍କାର ଯୁବଗୋଷ୍ଠୀ ଆଇଏସ୍‌ ଆତଙ୍କୀଙ୍କ ସହିତ ସମ୍ପର୍କ ରଖିଛନ୍ତି। ଏନେଇ ଏବଂ ରବିବାର ସଙ୍ଗଠିତ ହୋଇଥିବା ଆକ୍ରମଣ ନେଇ ପୋଲିସ ଏବଂ ପ୍ରତିରକ୍ଷା ସଚିବଙ୍କ ନିକଟରେ ଗୁଇନ୍ଦା ତଥ୍ୟ ରହିଥିବା ବେଳେ ଉଭୟ ଏହାକୁ ଲୁଚାଇ ଥିବାରୁ ଉଭୟଙ୍କୁ ବହିଷ୍କାର କରାଯାଇଛି। ପୂର୍ବରୁ ଏହି ଆକ୍ରମଣରେ ୩୫୯ ପ୍ରାଣହାନିର ସୂଚନା ଦିଆଯାଇଥିବା ବେଳେ ଆଜି ପୁନର୍ବାର ଗଣନା ପରେ ଏହି ସଂଖ୍ୟା ୨୫୩ ବୋଲି କୁହାଯାଇଛି।