Categories
ଆଜିର ଖବର

ନେପାଳ ଗସ୍ତ ପାଇଁ ମୋଦିଙ୍କୁ ନେପାଳ ପ୍ରଧାନମନ୍ତ୍ରୀଙ୍କ ଆମନ୍ତ୍ରଣ

ନେପାଳର ପ୍ରଧାନମନ୍ତ୍ରୀ କେ.ପି. ଓଲି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେପାଳ ଗସ୍ତ କରିବାକୁ ଆମନ୍ତ୍ରଣ କରିଛନ୍ତି। କ୍ରମାଗତ ଗସ୍ତ ଦ୍ବାରା ଦ୍ବିପାକ୍ଷିକ ସମ୍ବନ୍ଧ ଅଧିକ ମଜଭୁତ ହେବ ବୋଲି ଆଶା ରଖିଛନ୍ତି ଓଲି। ଗୁରୁବାର ମୋଦିଙ୍କ ଦ୍ବିତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବା ପାଇଁ ଦୁଇଦିନିଆ ନୂଆଦିଲ୍ଲୀ ଗସ୍ତରେ ଆସିଥିଲେ। ସୂଚନାଯୋଗ୍ୟ ଯେ ଏହି ଭବ୍ୟ ସମାରୋହକୁ ବିମ୍‌ଷ୍ଟେକ୍ ରାଷ୍ଟ୍ରସମୂହର ନେତୃବୃନ୍ଦଙ୍କୁ ନିମନ୍ତ୍ରଣ କରାଯାଇଥିଲା। ବିମ୍‌ଷ୍ଟେକ୍‌ରେ ଭାରତ ବ୍ୟତୀତ ବାଂଲାଦେଶ, ମ୍ୟାଁମାର୍‌, ଶ୍ରୀଲଙ୍କା, ଥାଇଲାଣ୍ଡ, ନେପାଳ ଓ ଭୁଟାନ ସଦସ୍ୟ ଅଛନ୍ତି। ନେପାଳ ବୈଦେଶିକ ମନ୍ତ୍ରଣାଳୟର ଏକ ବିବୃତି ଅନୁଯାୟୀ ମୋଦି ନେପାଳର ନିମନ୍ତ୍ରଣକୁ ଗ୍ରହଣ କରିଛନ୍ତି। ଶୁକ୍ରବାର ନିଜ ଦେଶକୁ ଫେରିଯାଇଥିବା ଓଲି ତାଙ୍କର ନୂଆଦିଲ୍ଲୀ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ମଧ୍ୟ ସାକ୍ଷାତ କରିଥିଲେ। ଉଭୟ ଦେଶ ମଧ୍ୟରେ କିଭଳି ସମ୍ପର୍କ ସୁଦୃଢ଼ ହେବ, ସେ ସମ୍ପର୍କରେ ଦୁହେଁ ଆଲୋଚନା କରିଥିଲେ। ଦୁଇ ଦେଶର ଲାଭ ହେବାଭଳି ସହଯୋଗକୁ ବୃଦ୍ଧି କରିବାପାଇଁ ମଧ୍ୟ ଏହି ବୈଠକରେ ଚର୍ଚ୍ଚା ହୋଇଥିଲା।

Categories
ଆଜିର ଖବର

ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ସାମିଲ୍‌ ହେବେ ଭିମଷ୍ଟେକ୍‌ର ପ୍ରମୁଖ

ଲୋକସଭା ନିର୍ବାଚନରେ ଐତିହାସିକ ବିଜୟ ପରେ ଏବେ ନରେନ୍ଦ୍ର ମୋଦୀଙ୍କ ଶପଥ ସମାରୋହ ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି। ଏଥରର ଶପଥ ସମାରୋହ ପୂର୍ବାପେକ୍ଷା ଅଧିକ ଭବ୍ୟ ହେବ ବୋଲି ଜଣାପଡିଛି। ଏବେ ଏହି ଶପଥ ଗ୍ରହଣ ସମାରୋହରେ କେଉଁ କେଉଁ ଅତିଥି ଯୋଗ ଦେବେ ତାର ନାମ ମଧ୍ୟ ସାମ୍ନାକୁ ଆସିଗଲାଣି। Bimstec (ଭିମ୍‌ଷ୍ଟେକ୍‌)ର ପ୍ରମୁଖମାନଙ୍କୁ ଏହି ଶପଥ ଗ୍ରହଣ ଉତ୍ସବରେ ଯୋଗଦେବା ପାଇଁ ନିମନ୍ତ୍ରଣ ରହିଛି। ଭୂଟାନ, ନେପାଳ, ମିଆଁମାର, ବାଂଲାଦେଶ, ଶ୍ରୀଲଙ୍କା, ଥାଇଲାଣ୍ଡକୁ ଏହି ଶପଥ ଗ୍ରହଣ ଉତ୍ସବରେ ଯୋଗଦେବା ପାଇଁ ନିମନ୍ତ୍ରଣ ଦିଆଯାଇଛି। ନରେନ୍ଦ୍ର ମୋଦୀ ମଇ ୩୦ ସନ୍ଧ୍ୟା ୭ଟାରେ ରାଷ୍ଟ୍ରପତି ଭବନରେ ପ୍ରଧାନମନ୍ତ୍ରୀ ପଦର ଶପଥ ନେବେ। ତାଙ୍କ ସହିତ ଅନେକ କ୍ୟାବିନେଟ୍  ମନ୍ତ୍ରୀ ମଧ୍ୟ ଶପଥ ନେବେ। ମାତ୍ର ମନ୍ତ୍ରିମଣ୍ଡଳରେ କିଏ ସାମିଲ ହେବ, ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ। ଗତ ଥର ନରେନ୍ଦ୍ର ମୋଦୀ ୨୦୧୪ ମେ ୨୬ରେ ପ୍ରଧାନମନ୍ତ୍ରୀ ପଦର ଶପଥ ନେଇଥିଲେ ଏବଂ ଏଥିରେ ଅନେକ ଅତିଥିଙ୍କୁ ନିମନ୍ତ୍ରଣ କରିଥିଲେ। ଏହି ସମାରୋହରେ ସାର୍କ ଦେଶର ପ୍ରମୁଖ ମଧ୍ୟ ସାମିଲ ଥିଲେ। ଏହା ସହିତ ପାକିସ୍ତାନର ତତ୍କାଳୀନ ପ୍ରଧାନମନ୍ତ୍ରୀ ନଓ୍ଵାଜ ସରିଫ ମଧ୍ୟ ଉପସ୍ଥିତ ଥିଲେ।