Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

WCL 2024: ଫାଇନାଲରେ ପାକିସ୍ତାନକୁ ଧୂଳି ଚଟାଇଲା ଭାରତ, ୫ ୱିକେଟରେ ଜିତିଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ: ୱାର୍ଲ୍ଡ ଚାମ୍ପିୟାନସ ଅଫ ଲିଜେଣ୍ଡ୍ସ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଫାଇନାଲରେ ଆଜି ଭାରତ ସହ ପାକିସ୍ଥାନର ଲଢେଇ ହୋଇଛି। ଏଥିରେ ଯୁବରାଜ ସିଂହଙ୍କ ନେତୃତ୍ଵାଧୀନ ଭାରତୀୟ ଦଳ ଚମ୍ପିୟାନ ହୋଇଛି। ପାକିସ୍ଥାନ ଦଳକୁ ଯୁବରାଜ ବାହିନୀ ୫ ୱିକେଟରେ ପରାସ୍ତ କରି ଟାଇଟଲ ବିଜେତା ହୋଇଛି।

ପାକିସ୍ତାନ ଲିଜେଣ୍ଡ୍ସ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୫୬ ରନ ସଂଗ୍ରହ କରିଥିଲା। ପାକିସ୍ତାନ ପକ୍ଷରୁ ସୋଏବ ମଲ୍ଲିକ ସର୍ବାଧିକ ୪୧ ରନ କରିଥିବା ବେଳେ କାମ୍ରନ ଆକମଲ ୨୪ ରନ କରିଥିଲେ। ତେବେ ଭାରତୀୟ ଦଳ ପକ୍ଷରୁ ଅନୁରୀତ ସିଂହ ସର୍ବାଧିକ ୩ ଟି ୱିକେଟ ଅକ୍ତିଆର କରିଥିବା ବେଳେ ବିନୟ କୁମାର, ପବନ ନେଗୀ ଏବଂ ଇର୍ଫାନ ପଠାନ ୧ ଟି ଲେଖାଏଁ ୱିକେଟ ନେଇଥିଲେ।

୧୫୭ ରନ ଟାର୍ଗେଟକୁ ପିଛା କରି ଭାରତୀୟ ଦଳ ଆକ୍ରମଣାତ୍ମକ ବ୍ୟାଟିଂ ଆରମ୍ଭ କରିଥିଲା। ଅମ୍ବାତି ରାୟୁଡୁ ୩୦ ଟି ବଲରେ ୫୦ ରନର ଏକ ଧୂଆଁଧାର ପାଳି ଖେଳିଥିବା ବେଳେ ଗୁରକିରତ ସିଂହ ମାନ ୩୪ ରନ କରିଥିଲେ। କିନ୍ତୁ ୟୁସୁଫ ପଠାନ (୧୬ ବଲରେ ୩୦ ରନ) ଙ୍କ ପାଳି ଟାଇଟଲ ଜିତିବାରେ ସହାୟକ ହୋଇଥିଲା। ଶେଷ ୧୦ ବଲରେ ୭ ରନ ଥିବା ବେଳେ ଭାଇ ୟୁସୁଫଙ୍କ ସ୍ଥାନ ପୂରଣ କରିବା ପାଇଁ ଇର୍ଫାନ ପଠନ ଆସିଥିଲେ। ଶେଷ ଓଭରରେ ଇର୍ଫାନ ଚୌକା ମାରି ଦଳକୁ ଚମ୍ପିୟାନ କରିଥିଲେ। ଅଧିନାୟକ ଯୁବରାଜ ସିଂ ଶେଷ ପର୍ଯ୍ୟନ୍ତ ୧୫ ରନ କରି ଅପରାଜିତ ରହିଥିଲେ।