Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆସନ୍ତା କାଲି ଓଡିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜେ.ପି.ନଡ୍ଡା, ଜାଣନ୍ତୁ କାରଣ

ଭୁବନେଶ୍ୱର: ଆସନ୍ତା କାଲି ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜଗତ୍ ପ୍ରକାଶ ନଡ୍ଡା । ୨୬ତାରିଖ ସକାଳ ୧୦.୩୦ରେ ଶ୍ରୀ ନଡ୍ଡା ଭୁବନେଶ୍ୱର ପହଂଚିବେ । ପାର୍ଟୀ ତରଫରୁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ଅପରାହ୍ନରେ ଶ୍ରୀ ନଡ୍ଡା ପ୍ରତ୍ୟାବର୍ତନ କରିବେ ବୋଲି ରାଜ୍ୟ ସାଧାରଣ ସଂପାଦକ ଡ.ଯତୀନ ମହାନ୍ତି ସୂଚନା ଦେଇଛନ୍ତି ।

ସଦସ୍ୟତା ହେଉଛି କାର୍ଯ୍ୟକର୍ତା ଚୟନର ମୂଳ ଆଧାର । ସଙ୍ଗଠନର ମୂଳ ଆଧାର ହେଉଛନ୍ତି କାର୍ଯ୍ୟକର୍ତା ଏବଂ ବିଜେପିର ମୂଳ ଆଧାର ହେଉଛି ସଙ୍ଗଠନ । ସଙ୍ଗଠନର ଶକ୍ତି ସହିତ ଆମର ବୈଚାରିକ ସ୍ପଷ୍ଟତା ଓ ଗରୀବ କଲ୍ୟାଣର ମନ୍ତ୍ର ଆମକୁ ଦେଶ ଓ ରାଜ୍ୟରେ ଲୋକଙ୍କର ବିଶ୍ୱାସଭାଜନ କରିଛି । ପାର୍ଟୀର ସାଂଗଠନିକ ମହାପର୍ବ “ସଦସ୍ୟତା ଅଭିଯାନ – ୨୦୨୪” ଚଳିତ ମାସ ୨ ତାରିଖରୁ ଦେଶବ୍ୟାପୀ ଏବଂ ୩ ତାରିଖରୁ ରାଜ୍ୟରେ ଆରମ୍ଭ ହୋଇଛି ।

ଆମ ସଦସ୍ୟତା ଅଭିଯାନକୁ ସର୍ବବ୍ୟାପୀ, ସର୍ବସ୍ପର୍ଶୀ ଓ ଗତିଶୀଳ କରିବା ପାଇଁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ନଡ୍ଡା ଓଡିଶା ଗସ୍ତରେ ଆସୁଛନ୍ତି ବୋଲି ଡ.ମହାନ୍ତି ସୂଚନା ଦେଇଛନ୍ତି ।
ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ନଡ୍ଡା ଏଜି ଛକସ୍ଥିତ ବାବାସାହେବ ଡ.ଭୀମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବେ । ଏହା ପରେ ବୁଦ୍ଧିଜୀବି ସମ୍ମିଳନୀରେ ଯୋଗ ଦେଇ ପାର୍ଟୀର ସଦସ୍ୟତା ଅଭିଯାନ ସଂପର୍କରେ ଆଲୋଚନା କରିବେ।

ଏହି ଅବସରରେ ରାଜ୍ୟର ବିଭିନ୍ନ ଗୋଷ୍ଠୀ, ଅନୁଷ୍ଠାନ ଓ ସଂଗଠନକୁ ପ୍ରତିନିଧିତ୍ୱ କରୁଥିବା ବିଶିଷ୍ଟ ବ୍ୟକ୍ତିବିଶେଷ ଯୋଗ ଦେବେ । ମଧ୍ୟାହ୍ନରେ ଶ୍ରୀ ନଡ୍ଡା ରାଜ୍ୟ କାର୍ଯ୍ୟାଳୟଠାରେ ମନ୍ତ୍ରୀ, ସାଂସଦ, ବିଧାୟକ ଏବଂ ରାଜ୍ୟ ପଦାଧିକାରୀଙ୍କ ସହ ସଦସ୍ୟତା ଅଭିଯାନ ସଂପର୍କରେ ଆଲୋଚନା କରିବେ ବୋଲି ଡ.ମହାନ୍ତି ସୂଚନା ଦେଇଛନ୍ତି ।

Categories
ବିଶେଷ ଖବର ରାଜ୍ୟ ଖବର

ଚିଲିକା ବିଧାୟକଙ୍କୁ ଟାର୍ଗେଟ କରିବାରେ ବିଜେପି ନେତାଙ୍କ ପାଟି ଚୁପ ହେଲା କାହିଁକି ?

ଭୁବନେଶ୍ବର: ଚିଲିକା ନିର୍ବାଚନ ମଣ୍ଡଳୀର ବାଣପୁର ପଲଟନ ପଡିଆରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଏକ ସମାବେଶ କରି ଫେରିଯାଇଛନ୍ତି। ଏହି ସମାବେଶରେ ନଡ୍ଡାଙ୍କ ସହିତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ସମ୍ବିତ ପାତ୍ର ଏବଂ ପୃଥୀରାଜ ହରିଚନ୍ଦନ ପ୍ରମୁଖ ଭାଷଣ ଦେଇଥିଲେ। ସମସ୍ତେ ସେମାନଙ୍କର ଭାଷଣରେ କେବଳ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ।

ହେଲେ ଆଶ୍ଚର୍ଯ୍ୟର କଥା ଏହି ସଭା ଯେଉଁ ନିର୍ବାଚନ ମଣ୍ଡଳୀରେ ହୋଇଥିଲା ତାହାର ବିଧାୟକ ବାହୁବଳି ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ କେହି ପାଟି ଖୋଲିଲେ ନାହିଁ। ଗତ ପଞ୍ଚାୟତ ନିର୍ବାଚନରେ ପ୍ରଶାନ୍ତଙ୍କୁ ବିଜେପି କର୍ମିମାନେ ପିଟିପିଟି ଲହୁଲୁହାଣ କଲେ। ଗାଡି ମଡାଇବା ଅଭିଯୋଗରେ ସେ ଜେଲ ଗଲେ। ବିଜେଡିରୁ ବହିସ୍କୃତ ହେଲେ। ବିଧାୟକଙ୍କ ଏପରି ଆଚରଣକୁ ନେଇ ବିଜେପି ରାଜ୍ୟ ସ୍ତରରେ ତୁମ୍ବିତୋଫାନ ମଧ୍ୟ କରିଥିଲା।

ସେହି ବିଧାୟକଙ୍କ ନିର୍ବାଚନ ମଣ୍ଡଳୀ ସଭାରେ କୌଣସି ବିଜେପି ନେତା ତାଙ୍କର ଏପରି ଆଚରଣକୁ ଟାର୍ଗେଟ କଲେ ନାହିଁ। ସେହି ମଞ୍ଚରେ ମମିତା ମେହେର, ଦୁର୍ନିତି ଗସ୍ତ ବିଧାୟକ, ମନ୍ତ୍ରୀ, ଅଫିସରଙ୍କ ବିରୋଧରେ ସମସ୍ତେ କହିଲେ। ହେଲେ କେହି ପ୍ରଶାନ୍ତଙ୍କ ଆଚରଣକୁ ନେଇ ପ୍ରଶ୍ନଟିଏ ମଧ୍ୟ କଲେ ନାହିଁ। ଏପରିକି ଖୋଦ ସେହି ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ପୃଥୀରାଜ ହରିଚନ୍ଦନ ମଧ୍ୟ ଚୁପ ହୋଇଗଲେ।

ହଠାତ ବିଜେପି କାହିକି ଏପରି ଚୁପ ରହିଲା ତାହାକୁ ନେଇ ସାଧାରଣରେ ପ୍ରଶ୍ନ ସୃଷ୍ଟି ହୋଇଛି। ସନ୍ଦେହ ପ୍ରକାଶ ପାଇଛି ଯେ, ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ କୁଆଡେ ବିଜେପି ୨୦୨୪ ନିର୍ବାଚନ ପାଇଁ ଟାର୍ଗେଟରେ ରଖିଛି। ସେଥିପାଇଁ ବାଣପୁର ସଭାରେ କେହି ପ୍ରଶାନ୍ତ ଜଗଦ୍ଦେବ ବିରୋଧରେ ନ କହିବା ପାଇଁ ତାଗିଦ କରାଯାଇଥିଲା। ତାଙ୍କୁ ଆଉ ଅସନ୍ତୁଷ୍ଠ ନ କରିବା ପାଇଁ ବିଜେପି ଉଚ୍ଚ ନେତୃମଣ୍ଡଳୀ ଇଚ୍ଛା ପ୍ରକାଶ କରିଛନ୍ତି।

ଏ କଥା କେତେ ଦୂର ସତ ବା ମିଛ ତାହା ଭିନ୍ନ କଥା ହେଲେ ପ୍ରଶାନ୍ତ ଜଗଦ୍ଦେବଙ୍କ ପରି ଜଣେ ନେତାଙ୍କର ସଂଗଠନ ଗଢିବାରେ ବେଶ ଭଲ ଦକ୍ଷତା ରହିଛି। ଏହିପରି ଜଣେ ନେତାଙ୍କୁ ନିଜ ଦଳକୁ ଆଣି ବିଜେପି ଏକ ଭିନ୍ନ ସମୀକରଣ ସୃଷ୍ଟି କରିବା ଲକ୍ଷ୍ୟରେ ରହିଛି। ସେଥିପାଇଁ କେବଳ ଏହି ସଭାରେ ନୁହେଁ ଭବିଷ୍ୟତରେ ମଧ୍ୟ ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ ବିଜେପି ଆଉ ମୁହଁ ଖୋଲିବ ନାହିଁ ବୋଲି ମଧ୍ୟ ଜଣାପଡିଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବିଜେପି ରାଷ୍ଟ୍ରୀୟ ସଭାପତି ନଡ୍ଡାଙ୍କ ଦିନିକିଆ ଓଡିଶା ଗସ୍ତ, ରାଜ୍ୟ ସରକାରଙ୍କୁ ମାରିଲେ ତୀର

ଭୁବନେଶ୍ୱର : ବିଜେପି ରାଷ୍ଟ୍ରୀୟ ସଭାପତି ଶ୍ରୀ ଜଗତ୍ ପ୍ରକାଶ ନଡ୍ଡା ଆଜି ଦିନିକିଆ ଓଡିଶା ଗସ୍ତରେ ଆସି ପାର୍ଟୀର ଲୋକସଭା ପ୍ରବାସ କାର୍ଯ୍ୟକ୍ରମ ଅନ୍ତର୍ଗତ କନ୍ଧମାଳ ଲୋକସଭାର ତୁମୁଡିବନ୍ଧ ଓ ପୁରୀ ଲୋକସଭାର ବାଣପୁରଠାରେ ଅନୁଷ୍ଠିତ ବିଶାଳ ଜନସଭାକୁ ସମ୍ବୋଧନ କରିଛନ୍ତି ।

ଜୟ ଜଗନ୍ନାଥ, ଜୟ ମାଁ ଭଗବତୀ, ଜୟ ମାଁ କାଳୀ ବୋଲି କହି ଜନସଭାକୁ ଶ୍ରୀ ନଡ୍ଡା ସମ୍ବୋଧନ କରିଥିଲେ । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରତ୍ନଭଣ୍ଡାରକୁ ବିଜେଡି ସରକାର କାହିଁକି ସୁରକ୍ଷିତ ରଖୁନାହାନ୍ତି ? ରତ୍ନଭଣ୍ଡାରର ଅସଲି ଚାବି କେଉଁଠି ଓ କେମିତି ହଜିଲା ? ଅନ୍ୟ ପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନକଲି ଚାବି ଧରି ବୁଲୁଛନ୍ତି । ନିଜେ ରାଜ୍ୟ ସରକାର ଅସଲି କି ନକଲି ଜଣା ପଡୁନାହିଁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଜବାବ୍ ରଖିବା ଉଚିତ୍ ବୋଲି ଶ୍ରୀ ନଡ୍ଡା କହିଛନ୍ତି ।

ଓଡିଶାରେ ଏକ ନୂତନ ଓଡିଆ ବିଶ୍ୱବିଦ୍ୟାଳୟ ଖୋଲିବାର ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ମହୋଦୟ । ଘୋଷଣାକୁ ୪ ବର୍ଷ ପୁରଣ ହୋଇ ୫ ବର୍ଷ ଅତିକ୍ରମ କରିଥିଲେ ସୁଦ୍ଧା ଏହା ସମ୍ଭବ ହୋଇପାରିଲା ନାହିଁ । ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶୃତି କୁଆଡେ ଗଲା ? ଗୋଟିଏ ପଟେ ନବୀନ ପଟ୍ଟନାୟକ ନିଜ ପ୍ରତିଶୃତିକୁ ପୂରଣ କରିବାରେ ବିଫଳ ହୋଇଥିବାବେଳେ ଅନ୍ୟ ପଟେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଓଡିଶାରେ ଆଇଆଇଏମ, ଆଇଜର ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କ ଶାସନ କାଳରେ ଏମ୍ସ ମେଡିକାଲ ପ୍ରତିଷ୍ଠା କରାଇଛନ୍ତି ।

ନୟାଗଡସ୍ଥିତ ଚିନିକଳକୁ ପୁନଃ କାର୍ଯ୍ୟକ୍ରମ କରିବାର ଘୋଷଣା କରିଥିଲେ ସୁଦ୍ଧା ବର୍ତମାନ ମଧ୍ୟ ଏହା ସମ୍ଭବ ହୋଇପାରିଲା ନାହିଁ । ଏପରିକି ସେଠାକାର କର୍ମଚାରୀମାନଙ୍କୁ ଦରମା ଦିଆଗଲା ନାହିଁ କି ଆଖୁ ଚାଷୀଙ୍କୁ ତାଙ୍କ ବକେୟା ଟଙ୍କା ଦିଆଗଲା ନାହିଁ । ଓଡିଶା ସରକାରଙ୍କୁ କିଏ ପରିଚାଳିତ କରୁଛି, ତାହା ଜଣା ପଡୁନାହିଁ । ଏହା କିପରି ସରକାର ବୋଲି ଶ୍ରୀ ନଡ୍ଡା ପ୍ରଶ୍ନ କରିଛନ୍ତି ।

ରାଜ୍ୟରେ ସୃଷ୍ଟି ହୋଇଥିବା ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପ୍ରସଙ୍ଗରେ ମତ ରଖି ଶ୍ରୀ ନଡ୍ଡା କହିଛନ୍ତି ଯେ, ଓଡିଶାରେ ରାଜନୀତିରେ ଅପରାଧୀକରଣ ଚରମ ସୀମାରେ ପହଂଚିଛି । ଓଡିଶାରେ ଆଜି ମହିଳା ଉତ୍ପୀଡନ ସମସ୍ତ ସୀମା ଅତିକ୍ରମ କରିଛି । ମହିଳା ବିରୋଧୀ ହିଂସା ଦ୍ୱିଗୁଣିତ ହୋଇଛି । ମହିଳା ଓ ଶିଶୁ ଅପହରଣ ଏବଂ ଚାଲାଣରେ ଓଡିଶା ଆଜି ସର୍ବାଗ୍ରେ ରହିଛି । ଦଳିତ ଓ ଆଦିବାସୀଙ୍କ ଉପରେ ଅତ୍ୟାଚାର ବୃଦ୍ଧି ପାଇଚାଲିଛି ।

ଓଡିଶା ପୋଲିସ ଉପରେ ଅପରାଧୀମାନଙ୍କ ପ୍ରଭାବ ଓ ଆକ୍ରମଣ ବୃଦ୍ଧି ପାଉଛି । ଓଡିଶା ପୋଲିସ ନିଜକୁ ସୁରକ୍ଷିତ ରଖିବାରେ ଅସମର୍ଥ ଥିବାବେଳେ ରାଜ୍ୟବାସୀ କେମିତି ସୁରକ୍ଷିତ ରହିବେ ? ଏମିତି ଅପାରଗ ରାଜ୍ୟ ସରକାରଙ୍କ ଶାସନ କ୍ଷମତାରେ ରହିବାର କୈାଣସି ଅଧିକାର ନାହିଁ । ରାଜ୍ୟର ସଠିକ୍ ବିକାଶ ପାଇଁ ଓଡିଶାରେ ମଧ୍ୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧିନ ବିଜେପି ସରକାରକୁ ଲୋକସଭାଠାରୁ ଆରମ୍ଭ କରି ବିଧାନସଭାରେ ପଦ୍ମ ଫୁଲରେ ଚିହ୍ନରେ ମୋହର ମାରୀ ବିଜେପିକୁ ଶାସନ କ୍ଷମତା ପ୍ରଦାନ କରିବାକୁ ଶ୍ରୀ ନଡ୍ଡା ଆହ୍ୱାନ କରିଛନ୍ତି ।

ବିଜେଡି ସରକାରକୁ ଘେରିବାକୁ ଯାଇ ଶ୍ରୀ ନଡ୍ଡା କହିଛନ୍ତି ଯେ, ମୋଦି ସରକାର ଆୟୁଷ୍ମାନ ଭାରତ ଯୋଜନାରେ ୫୫ କୋଟି ଦେଶବାସୀଙ୍କୁ ମାଗଣା ସ୍ୱସ୍ଥ୍ୟ ସେବା ଯୋଗାଇ ଦେଉଥିବାବେଳେ, ଓଡିଶାବାସୀଙ୍କ ପାଇଁ ବାଧକ ସାଜିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିରେ ଓଡିଶାର ଗରୀବ ଜନସାଧାରଣଙ୍କ କଣ ଦୋଷ ରହିଯାଇଛି ବୋଲି ଶ୍ରୀ ନଡ୍ଡା ପ୍ରଶ୍ନ କରିଛନ୍ତି ।

ଓଡିଶାର ସାମଗ୍ରିକ ବିକାଶ ପାଇଁ ମୋଦି ସରକାର ପ୍ରତିଶୃତିବଦ୍ଧ ଏବଂ ଏଥି ପାଇଁ ନିରନ୍ତର କାର୍ଯ୍ୟ କରୁଛନ୍ତି । ବିକାଶକୁ ପ୍ରତ୍ୟେକ ଘରେ ଘରେ ପହଂଚାଇବାର କାର୍ଯ୍ୟ କରୁଛନ୍ତି ମୋଦି ସରକାର । ପକ୍କା ଘର, ଶୈାଚାଳୟ, ପାଇପ ଯୋଗେ ପାନୀୟ ଜଳ, ମାଗଣା ରୋଷେଇ ଗ୍ୟାସ ସଂଯୋଗୀକରଣ, କୃଷକଙ୍କୁ ବାର୍ଷିକ ୬ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ, ସଏଲ ହେଲ୍‌ଥ କାର୍ଡ, ପିଏମ ଫସଲ ବୀମା ଯୋଜନା, ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ୮୭ଟି ଏକଲବ୍ୟ ବିଦ୍ୟାଳୟର ସ୍ଥାପନା ଭଳି ଅନେକ କଲ୍ୟାଣକାରୀ ଯୋଜନାର କାର୍ଯ୍ୟକାରୀ କରାଇଛନ୍ତି । ରାଷ୍ଟ୍ରୀୟ ରାଜପଥ ଓ ରେଳପଥର ବିକାଶ ତ୍ୱରାନ୍ୱିତ ହୋଇଛି ।

ପୁରୀ, ଭୁବନେଶ୍ୱର ସମେତ ରାଜ୍ୟର ଅନେକ ରେଳ ଷ୍ଟେସନର ଉନ୍ନତିକରଣ ହୋଇଛି । ପୁରୀଠାରେ ନୂତନ ଜଗନ୍ନାଥ ଷ୍ଟାଡିୟମ ଏବଂ ଜଗନ୍ନାଥ ମେଡିକାଲ କଲେଜର ନିର୍ମାଣ କରାଯାଉଛି । ରାଷ୍ଟ୍ରୀୟ ଆଦର୍ଶ ବେଦ ବିଦ୍ୟାଳୟର ସ୍ଥାପନା କରାଯାଉଛି । ପ୍ରାୟ ୮୦୦୦ କୋଟି ବ୍ୟୟରେ କୋଷ୍ଟାଲ ରାଜପଥ ନିର୍ମାଣ ହେଉଛି । ଅନ୍ୟ ପଟେ ରାଜ୍ୟରେ ବିଜେଡି ସରକାର ଚଂଚକତା କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ବିଜୁ ପକ୍କା ଘରର ଆଖ୍ୟା ଦେଇଛନ୍ତି । ଏହା କେଉଁ ଭଳି ରାଜନୀତି ବୋଲି ଶ୍ରୀ ନଡ୍ଡା ପ୍ରଶ୍ନ କରିଛନ୍ତି ।

ରୋଜଗାର ମେଳ ଜରିଆରେ ପ୍ରଧାନମନ୍ତ୍ରୀ ପ୍ରାୟ ୧୦ ଲକ୍ଷ ଯୁବକ ଯୁବତୀଙ୍କୁ ନିଯୁକ୍ତି ପ୍ରଦାନ କରୁଛନ୍ତି । ନୂତନ ଶିକ୍ଷା ନୀତି ଜରିଆରେ ଗରୀବ ଛାତ୍ରଛାତ୍ରୀମାନେ ନିଜ ନିଜ ମାତୃଭାଷାରେ ମେଡିକାଲ ଓ ଇଂଜିନିୟରିଂ ଶିକ୍ଷା ଲାଭ କରିପାରିବେ । ଦେଶରେ ପ୍ରାୟ ୭୦୦୦୦ ନୂତନ ଷ୍ଟାର୍ଟ ଅଫ୍ ଆରମ୍ଭ ହୋଇଥିବାବେଳେ ଏଥି ମଧ୍ୟରୁ ୧୦୦ରୁ ଉର୍ଦ୍ଧ୍ୱ କେବଳ ୟୁନିକର୍ଣ୍ଣ ରହିଛି । କେମିକାଲ ରପ୍ତାନୀରେ ସମଗ୍ର ବିଶ୍ୱରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବାବେଳେ ଷ୍ଟିଲ ଉତ୍ପାଦନ ଏବଂ ମୋବାଇଲ ନିର୍ମାଣରେ ମଧ୍ୟ ଦ୍ୱିତୀୟ ସ୍ଥାନ ହାସଲ କରିବାରେ ସଫଳ ହୋଇଛି । ଅଟୋମୋବାଇଲ ଶିଳ୍ପ କ୍ଷେତ୍ରରେ ୪ର୍ଥ ଏବଂ ଫାର୍ମାସିଉଟିକାଲ୍ସ କ୍ଷେତ୍ରରେ ଉତ୍କୃଷ୍ଟ ସ୍ଥାନ ହାସଲ କରିଛି ବୋଲି ଶ୍ରୀ ନଡ୍ଡା କହିଛନ୍ତି ।

ରାଷ୍ଟ୍ରୀୟ ସଭାପତି ଶ୍ରୀ ନଡ୍ଡା ଆଜି ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବା ପରେ ରାଜ୍ୟ ସଭାପତି ସମୀର ମହାନ୍ତି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଠ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ରାଜ୍ୟ ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ, ରାଷ୍ଟ୍ରୀୟ ମୁଖପାତ୍ର ଡ.ସମ୍ବିତ ପାତ୍ର, ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ, ବରିଷ୍ଠ ନେତା ମନମୋହନ ସାମଲ, ରାଜ୍ୟ ଉପସଭାନେତ୍ରୀ ପ୍ରଭାତୀ ପରିଡା, ସୁକେଶୀ ଓରାମ, ଅନୀତା ଶୁଭଦର୍ଶିନୀ, ରାଜ୍ୟ ମୁଖପାତ୍ର ଠାକୁର ରଣଜିତ୍ ଦାସ, ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂ ପ୍ରମୁଖ ସ୍ୱାଗତ ଜଣାଇଥିଲେ ।

ଶ୍ରୀ ନଡ୍ଡା ସିଧା କନ୍ଧମାଳର ତୁମୁଡିବନ୍ଧ ଅଭିମୁଖେ ଗସ୍ତ କରି ସାଧାରଣ ସଭାରେ ଯୋଗ ଦେବା ସହିତ ଜଳେଶପଟ୍ଟା ଆଶ୍ରମରେ ନବନିର୍ମିତ କନ୍ୟାଶ୍ରମର ଉଦ୍‌ଘାଟନ କରିଥିଲେ । ଏହା ପରେ ପୁରୀ ଲୋକସଭାର ବାଣପୁରଠାରେ ଅନୁଷ୍ଠିତ ସାଧାରଣ ସଭାରେ ଯୋଗ ଦେବା ସହିତ ମାଁ ଭଗବତୀଙ୍କୁ ଦର୍ଶନ କରିଥିଲେ । ଚିଲିକା ବିଧାନସଭା ନିର୍ବାଚନମଣ୍ଡଳୀର ନାଚୁଣୀଠାରେ ଅନୁଷ୍ଠିତ କାର୍ଯ୍ୟକର୍ତା ବୈଠକରେ ଶ୍ରୀ ନଡ୍ଡା ଯୋଗ ଦେଇଛନ୍ତି ।