Categories
ବିଶେଷ ଖବର ରାଜ୍ୟ ଖବର

ପାରାଦୀପରେ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କଲେ ୬୫ ହଜାର କୋଟି ଟଙ୍କାର ବୃହତ ଇସ୍ପାତ କାରଖାନା

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଜଗତସିଂହପୁର ଜିଲ୍ଲା ଗସ୍ତରେ ଯାଇ ପାରାଦୀପର ଢିଙ୍କିଆଠାରେ ବିଶ୍ୱର ଅନ୍ୟତମ ବୃହତ ଷ୍ଟିଲ କାରଖାନାର ଭିତ୍ତିପ୍ରସ୍ତର ଦେଇଛନ୍ତି। ଏହି ପ୍ରକଳ୍ପ ହେଉଛି ଜେଏସଡବ୍ଲୁ ଉତ୍କଳ ଷ୍ଟିଲ ଲିମିଟେଡ ର ୬୫ ହଜାର କୋଟି ଟଙ୍କା ପୁଞ୍ଜି ନିବେଶରେ ବାର୍ଷିକ ୧୩.୨ ମେଟ୍ରିକ ଟନ ଇଣ୍ଟିଗ୍ରେଟେଡ ଷ୍ଟିଲ କାରଖାନା। ଏହା ମାଧ୍ୟମରେ ପ୍ରାୟ ୩୦,୦୦୦ ଯୁବ ବର୍ଗଙ୍କୁ କର୍ମନିଯୁକ୍ତି ମିଳିବ।

ଏଥି ସହିତ ରି ନ୍ୟୁ ଇ-ଫୁଏଲସ ପ୍ରାଇଭେଟ ଲିମିଟେଡର ୨୨ ହଜାର କୋଟି ଟଙ୍କା ପୁଞ୍ଜି ନିବେଶରେ ବାର୍ଷିକ ୧.୨୦ ମେଟ୍ରିକ ଟନ ଗ୍ରୀନ ଆମୋନିଆ କାରଖାନା,ସିଲୋକ୍ସ ଇଣ୍ଡିଆ ପ୍ରାଇଭେଟ ଲିମିଟେଡର ୫୦୦ କୋଟି ଟଙ୍କା ପୁଞ୍ଜି ନିବେଶରେ ବାର୍ଷିକ ୨୫ ହଜାର ମେଟ୍ରିକ ଟନ ଅତ୍ୟାଧୁନିକ ରସାୟନିକ କାରଖାନା ପାଇଁ ମଧ୍ୟ ଭିତ୍ତି ଦିଆଗଲା। ଏହି ପ୍ରକଳ୍ପ ମାଧ୍ୟମରେ ପ୍ରାୟ ୫ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

ଭିତ୍ତି ପ୍ରସ୍ତର କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପାରାଦୀପ ଆସିଲେ ମୋର ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ସ୍ମୃତି ମନକୁ ଆସେ । ୬୦ ମସିହାର ପ୍ରାରମ୍ଭରେ ବିଜୁ ବାବୁ ଏକ ଯୁଗାନ୍ତକାରୀ ନିଷ୍ପତ୍ତି ନେଇ ପାରାଦୀପ ବନ୍ଦର ସ୍ଥାପନ କରିଥିଲେ। ଓଡିଶା ବିକାଶରେ ଏହା ମାଇଲଷ୍ଟୋନ ଥିଲା। ଆଜି ପାରାଦୀପ ସାରା ପୂର୍ବ ଭାରତରେ ଏକ ପ୍ରମୁଖ ପୁଞ୍ଜି ନିବେଶ ସ୍ଥଳୀ ହୋଇ ପାରିଛି।

ଏକ ବନ୍ଦର ନଗରୀ ଭାବେ ପାରାଦୀପର ସୁନାମ ମଧ୍ୟ ବୃଦ୍ଧି ପାଇଛି। ଖୁସିର କଥା ଆଜି ଏଠାରେ ଜେଏସଡବ୍ଲୁର  ମେଗା ଇସ୍ପାତ କାରଖାନା ପାଇଁ ଭିତ୍ତି ଦିଆଗଲା। ଏଥି ସହିତ ଗ୍ରୀନ ଆମୋନିଆ କାରଖାନା ଓ ଅତ୍ୟାଧୁନିକ ରସାୟନିକ କାରଖାନା ପାଇଁ ମଧ୍ୟ ଭିତ୍ତି ଦିଆଗଲା।

ଏ ସବୁ ଶିଳ୍ପାନୁଷ୍ଠାନ ଓଡିଶା ପାଇଁ ପ୍ରାୟ ୯୦ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ଆଣିଛି। ତା ସହିତ ଏ ସବୁ ପ୍ରକଳ୍ପ ମାଧ୍ୟମରେ ୩୫ ହଜାର ନିଯୁକ୍ତି ସୃଷ୍ଟି ହେବ। ମୁଖ୍ୟମନ୍ତ୍ରୀ ଏ ସବୁ ପୁଞ୍ଜି ନିବେଶ କରୁଥିବା ଶିଳ୍ପପତିମାନଙ୍କୁ ଏଥି ପାଇଁ ଧନ୍ୟବାଦ ଦେଇଥିଲେ।

ଓଡିଶାରେ ଶିଳ୍ପ ଅଭିବୃଦ୍ଧି ପାଇଁ ଜିନ୍ଦଲ ଗ୍ରୁପର ସହଯୋଗ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ଧନ୍ୟବାଦ ଦେଇ କହିଥିଲେ ଯେ ଓଡିଶାକୁ ଦେଶର ଏକ ପ୍ରମୁଖ ଶିଳ୍ପାଞ୍ଚଳରେ ପରିଣତ କରିବା ପାଇଁ ଆମର ଯାତ୍ରାରେ ଜିନ୍ଦଲ ଗ୍ରୁପର ମହତ୍ୱପୂର୍ଣ୍ଣ ସହଭାଗିତା ରହିଛି।

ଏଥି ସହିତ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିକାଶ ଆଜି ଓଡିଶାର ପରିଚୟ ହୋଇଛି। ଶିଳ୍ପ, ଭିତ୍ତିଭୂମି, ଶିକ୍ଷା, ସ୍ୱାସ୍ଥ୍ୟ ସବୁ କ୍ଷେତ୍ରରେ ଏକ ନୂଆ ଯୁଗ ଆରମ୍ଭ ହୋଇଛି। 5T ଉପକ୍ରମରେ ଓଡିଶାର ବିକାଶ ଧାରା ଆହୁରି ଉଜ୍ଜ୍ୱଳ ହୋଇଛି। ସାଧାରଣ ଲୋକ, ଚାଷୀ, ମା’ମାନେ, ଯୁବକ ମାନେ ଆମ ବିକାଶର ପାର୍ଟନର ହୋଇଛନ୍ତି। ନୂଆ ଓଡିଶା ଗଠନ ପାଇଁ ଆମ କାର୍ଯ୍ୟକ୍ରମକୁ ଆଗକୁ ନେଉଛନ୍ତି।

ପାରାଦୀପର ଶିଳ୍ପ ବିକାଶ ପାଇଁ ପାରାଦୀପ ଓ ଜଗତସିଂହପୁର ଜିଲ୍ଲାର ଲୋକମାନଙ୍କ ସହଯୋଗ ପାଇଁ ସେମାନଙ୍କୁ ଧନ୍ୟବାଦ ଦେଇ ଏହି ଶିଳ୍ପାନୁଷ୍ଠାନ ଦ୍ୱାରା ଅଞ୍ଚଳର ସବୁ ପରିବାର ଉପକାର ପାଇବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

କାର୍ଯ୍ୟକ୍ରମରେ ବାଲିକୁଦା-ଏରସମା ବିଧାୟକ ଶ୍ରୀ ରଘୁନନ୍ଦନ ଦାସ, ପାରାଦୀପ ବିଧାୟକ ଶ୍ରୀ ସମ୍ବିତ ରାଉତରାୟ, ଜଗତସିଂହପୁର ବିଧାୟକ ଶ୍ରୀ ପ୍ରଶାନ୍ତ କୁମାର ମୁଦୁଲି ଏବଂ ସାଂସଦ ଡ. ରାଜଶ୍ରୀ ମଲ୍ଲିକ ଯୋଗ ଦେଇ ଏହି ସବୁ ପ୍ରକଳ୍ପ ସମଗ୍ର ଜଗତସିଂହପୁର ଜିଲ୍ଲାର ଅର୍ଥନୈତିକ ଅଭିବୃଦ୍ଧିରେ ସହାୟକ ହୋଇ ଜିଲ୍ଲାକୁ ସମୃଦ୍ଧ କରିବ ଏବଂ ରାଜ୍ୟ ଯୁବଗୋଷ୍ଠୀ ପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ଆଣିବ ବୋଲି କହିବା ସହିତ ପାରାଦୀପ ତଥା ସମଗ୍ର ଓଡିଶାର ରୂପାନ୍ତର ପାଇଁ ସାରା ଭାରତ ବର୍ଷର ବିକାଶ ପୁରୁଷ ଭାବେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ସବୁଦିନ ମନେ ରଖିବ ସମଗ୍ର ଦେଶ ବୋଲି ସେମାନେ କହିଥିଲେ।

ଅନ୍ୟତମ ଅତିଥି ଭାବେ JSW ର ମୁଖ୍ୟ ଶ୍ରୀ ସଜ୍ଜନ ଜିନ୍ଦଲ ତାଙ୍କ ଉଦ୍‌ବୋଧନରେ କହିଥିଲେ ଯେ ବହୁ ବର୍ଷ ପୂର୍ବେ ରାଷ୍ଟ୍ର ନାୟକ ବିଜୁ ପଟ୍ଟନାୟକ ଏହି ପ୍ରକଳ୍ପ ପାଇଁ ଯୋଜନା କରିଥିଲେ। ପ୍ରକୃତରେ ଏହା ଥିଲା ବିଜୁବାବୁଙ୍କ ସ୍ୱପ୍ନ। ଆଜି ତାଙ୍କ ସୁପୁତ୍ରଙ୍କ ଦ୍ୱାରା ଏହି ସ୍ୱପ୍ନ ସାକାର ହୋଇଥିବା ଦେଖି ସେ ଖୁସି ଅନୁଭବ କରୁଥିବେ।

ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡିଶାରେ ଆଜି ପ୍ରକୃତ ବିକାଶ ଘଟିଛି ଏବଂ ଓଡିଶାରେ ଶିଳ୍ପାୟନ ପ୍ରକ୍ରିୟା ଦ୍ରୁତ ହୋଇଛି ବୋଲି କହି JSW ପାଇଁ ଓଡିଶା ହେଉଛି ପ୍ରମୁଖ ନିବେଶ ସ୍ଥଳୀ। ଓଡିଶାର ଅର୍ଥନୈତିକ ଅଭିବୃଦ୍ଧିରେ ଆମେ ସବୁଦିନ ସହଯୋଗ କରିବୁ ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀଙ୍କୁ ଏହି ଅବସରରେ ଜିନ୍ଦଲ ପରିବାର ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମରେ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି. କାର୍ତ୍ତିକ ପାଣ୍ଡିଆନ ଉପସ୍ଥିତ ଥିଲେ।ସୂଚନାଯୋଗ୍ୟ ଯେ 5T ଓ ନବୀନ ଓଡିଶା ର ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନ୍ ଏହି ଆଇକନିକ ପ୍ରକଳ୍ପ ର ତ୍ଵରିତ କାର୍ଯ୍ୟକାରିତା ପାଇଁ ପ୍ରତି ପନ୍ଦର ଦିନରେ ଥରେ ସମୀକ୍ଷା କରୁଥିଲେ। ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ଆଞ୍ଚଳିକ

ଜଗତସିଂହପୁର ଜିଲ୍ଲାରୁ ଆଜି ପୁଣି ୮୩ ପଜିଟିଭ୍ ଚିହ୍ନଟ: ସୁସ୍ଥ ହେଲେ ୨୩୩ କରୋନା ଆକ୍ରାନ୍ତ

ରମେଶ ମହାନ୍ତି

ଜଗତସିଂହପୁର: ଆଜି ପୁଣି ଜଗତସିଂହପୁର ଜିଲ୍ଲାରୁ ୮୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।ସେମାନଙ୍କ ମଧ୍ୟରୁ ଜଗତସିଂହପୁର ବ୍ଲକରୁ ସର୍ବାଧିକ ୧୫ ଜଣ ଚିହ୍ନଟ ହୋଇଥିବା ବେଳେ କୁଜଙ୍ଗ ବ୍ଲକରୁ ୧୪ଜଣ, ବାଲିକୁଦା ବ୍ଲକରୁ ୧୩ଜଣ, ପାରାଦ୍ୱୀପରୁ ୧୩ଜଣ,ଜଗତସିଂହପୁର ମ୍ୟୁନିସିପାଲିଟିରୁ ୯ଜଣ, ରଘୁନାଥପୁର ବ୍ଲକରୁ ଜଣେ, ବିରିଡ଼ି ବ୍ଲକ ଓ ନାଉଗାଁ ବ୍ଲକରୁ ୫ଜଣ ଲେଖାଏଁ ଏବଂ ତିର୍ତ୍ତୋଲ ବ୍ଲକ୍ ଓ ଏରସମା ବ୍ଲକରୁ ୪ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ତେବେ ଆଜି ଜିଲ୍ଲାରୁ ୨୩୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏଥିସହିତ ଜଗତସିଂହପୁର ଜିଲ୍ଲାରୁ ଚିହ୍ନଟ ହୋଇଥିବା ମୋଟ୍ ୫୩୮୪ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୪୩୮୯ ସୁସ୍ଥ ହୋଇଥିବା ବେଳେ ୯ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ବର୍ତ୍ତମାନ ଜିଲ୍ଲାରେ ୯୮୬ ଜଣ ଆକ୍ରାନ୍ତ ସକ୍ରିୟ ରହିଛନ୍ତି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

Categories
ଆଜିର ଖବର ଆଞ୍ଚଳିକ

ଜଗତସିଂହପୁର ଜିଲ୍ଲା କରୋନା ଅପଡେଟ: ଆଜି ଚିହ୍ନଟ ହେଲେ ୮୪ ଜଣ ଏବଂ ସୁସ୍ଥ ହେଲେ ୧୭୧

ରମେଶ ମହାନ୍ତି

ଜଗତସିଂହପୁର: ଆଜି ଜଗତସିଂହପୁର ଜିଲ୍ଲାରେ ୮୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୭୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ଜିଲ୍ଲା ପ୍ରଶାସନ ସୂଚନା ଦେଇଛି।

ଜଗତସିଂହପୁର ବ୍ଲକରୁ ସର୍ବାଧିକ ୨୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜଗତସିଂହପୁର ମହାନଗରରୁ ୨୩ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ନାଉଗାଁରୁ ୧୧ ଜଣ, ବାଲିକୁଦା ଏବଂ ପାରାଦୀପରୁ ୫ ଜଣ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ ଏରସମା, କୁଜଙ୍ଗ, ରଘୁନାଥପୁର ବ୍ଲକରୁ ୩ ଜଣ ଲେଖାଏଁ, ତିର୍ତ୍ତୋଲରୁ ୨ ଏବଂ ଅନ୍ୟ ଜିଲ୍ଲାର ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାର ୨୨୩ ରହିଥିବା ବେଳେ ୩ ହଜାର ୯୯୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଜିଲ୍ଲାରେ ୧ ହଜାର ୨୨୨ ଜଣ ଚିକିତ୍ସିତ ହେଉଥିବା ବେଳେ ୦୮ ଜଣ ଆକ୍ରାନ୍ତ କରୋନାରେ ମୃତ୍ୟୁବରଣ କରିଛନ୍ତି।

Categories
ଆଜିର ଖବର ଆଞ୍ଚଳିକ

ତିର୍ତ୍ତୋଲ ଥାନାରେ ପହଞ୍ଚିଲା କରୋନା: ଆଜି ଜିଲ୍ଲାରୁ ଚିହ୍ନଟ ହେଲେ ୭୯ ସୁସ୍ଥ ହେଲେ ୭୭ ଆକ୍ରାନ୍ତ

ରମେଶ ମହାନ୍ତି

ଜଗତସିଂହପୁର: ତିର୍ତ୍ତୋଲ ବ୍ଲକରୁ ଆଜି ଚିହ୍ନଟ ହୋଇଥିବା ୧୦ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ତିର୍ତ୍ତୋଲ ଥାନାର ଦୁଇଜଣ ପୋଲିସ୍ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।ତିର୍ତ୍ତୋଲ ଥାନା ପରିସରରେ ଥାନାରେ କାର୍ଯ୍ୟରତ ପୋଲିସ୍ ମାନଙ୍କର କରୋନା ଟେଷ୍ଟ ନିମନ୍ତେ ସ୍ୱାବ୍ ସଂଗ୍ରହ କରାଯାଇଥିବା ବେଳେ ଆଜି ସେମାନଙ୍କ ମଧ୍ୟରୁ ଜଣେ ସବ୍-ଇନିସପେକ୍ଟର ଓ ଜଣେ କନଷ୍ଟେବଳ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ସେହିପରି ଆଜି ଜଗତସିଂହପୁର ଜିଲ୍ଲାରୁ ୭୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।ସେମାନଙ୍କ ମଧ୍ୟରୁ ପାରାଦ୍ବୀପ ମ୍ୟୁନିସିପାଲିଟିରୁ ୨୪ଜଣ, କୁଜଙ୍ଗ ବ୍ଲକରୁ ୧୦ଜଣ, ରଘୁନାଥପୁର ବ୍ଲକରୁ ୧୧ଜଣ, ତିର୍ତ୍ତୋଲ ବ୍ଲକରୁ ୧୦ଜଣ, ଏରସମା ବ୍ଲକରୁ ୬ଜଣ, ଜଗତସିଂହପୁର ବ୍ଲକରୁ ୭ଜଣ, ଜଗତସିଂହପୁର ମ୍ୟୁନିସିପାଲିଟିରୁ ୭ଜଣ ସହିତ ବାଲିକୁଦା ଓ ବିରିଡ଼ି ବ୍ଲକରୁ ୨ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏଥିସହିତ ଜିଲ୍ଲାରୁ ସମୁଦାୟ ଚିହ୍ନଟ ହୋଇଥିବା ୨୦୬୨ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୩୭୯ ଜଣ ସୁସ୍ଥ ହୋଇଥିବା ବେଳେ ୬ଜଣଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନ ୬୭୭ ଜଣ କରୋନା ଆକ୍ରାନ୍ତ ସକ୍ରିୟ ରହିଛନ୍ତି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଜଗତସିଂହପୁର ଜିଲ୍ଲାରୁ ଆଜି ନୂଆ 34 କରୋନା ସଂକ୍ରମିତ, ଜାଣନ୍ତୁ କେଉଁ ବ୍ଲକରୁ କେତେ

ରମେଶ ମହାନ୍ତି
ଜଗତସିଂହପୁର, ଜଗତସିଂହପୁର ଜିଲ୍ଲାରୁ ଆଜି ନୂଆ 34 ଜଣ କରୋନା ସଂକ୍ରମିତ ଚିହ୍ମଟ ହୋଇଛନ୍ତି। ଏମାନଙ୍କୁ ମିଶାଇ ଏଯାବତ ଜିଲ୍ଲାରେ ମୋଟ କରୋନା ପଜିଟିଭ ସଂଖ୍ୟା 608ରେ ପହଞ୍ଚିଛି। ଏମାନଙ୍କ ମଧ୍ୟରୁ ମୋଟ 387 ଜଣ ସୁସ୍ଥ ହୋଇଛନ୍ତି। ଜିଲ୍ଲାରେ 2 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 219 ଜଣ ଆକ୍ଟିଭ କେସ୍ ରହିଛି।

ଜିଲ୍ଲାର ବାଲିକୁଦା ବ୍ଲକରୁ 11, ଜଗତସିଂହପୁରରୁ 14, କୁଜଙ୍ଗରୁ 5, ପାରାଦୀପରୁ 2, ରଘୁନାଥପୁର ଏବଂ ନୂଆଗାଁରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଅନେକଙ୍କ ଟ୍ରାଭେଲ ହିଷ୍ଟ୍ରି ରହିଥିବା ଜଣାଯାଇଛି। ଜଗତସିଂହପୁର ଜିଲ୍ଲାପାଳ ଟୁଇଟ ଜରିଆରେ ଏହି ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଜଗତସିଂହପୁରର 4 ଆକ୍ରାନ୍ତଙ୍କ ତଥ୍ୟ ଜାରି କଲା ଜିଲ୍ଲା ପ୍ରଶାସନ

ରମେଶ ମହାନ୍ତି
ଜଗତସିଂହପୁର : ଆଜି ଜଗତସିଂପୁରରୁ 4 ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆକ୍ରାନ୍ତଙ୍କ ତଥ୍ୟ ଜାରି କରାଯାଇଛି । ତିର୍ତ୍ତୋଲ ବ୍ଲକରୁ ଦୁଇଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲିକୁଦା ଏବଂ ନାଉଗାଁରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚାରି ଜଣ ଆକ୍ରାନ୍ତ ପ୍ରବାସ ଫେରନ୍ତା ବୋଲି ଜଣାପଡିଛି । ତିର୍ତ୍ତୋଲର ଦୁଇ ଆକ୍ରାନ୍ତ ମହାରାଷ୍ଟ୍ର ଏବଂ କର୍ଣ୍ଣାଟକ ଫେରନ୍ତା ହୋଇଥିବା ବେଳେ ବାଲିକୁଦାର ଆକ୍ରାନ୍ତ ଜଣକ ଉତ୍ତର ପ୍ରଦେଶରୁ ଏବଂ ନାଉଗାଁ ଆକ୍ରାନ୍ତ ଜଣକ ହରିୟାଣାରୁ ଫେରିଥିଲେ । 4 ଆକ୍ରାନ୍ତଙ୍କ ମଧ୍ୟରୁ 3 ଜଣ ଲକ୍ଷଣ ବିହୀନ ଥିବା ବେଳେ ଜଣଙ୍କ ଠାରେ ରୋଗର ଲକ୍ଷଣ ରହିଥିଲା । ସମସ୍ତ 4 ଆକ୍ରାନ୍ତ ଟିଏମ୍‌ସିରୁ ଚିହ୍ନଟ ହୋଇଥିବା ବେଳେ ଜିଲ୍ଲାରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 158ରେ ପହଞ୍ଚିଛି । ଏହା ମଧ୍ୟରୁ 86 ଜଣ ସୁସ୍ଥ ହୋଇଥିବା ବେଳେ 72 ଜଣ ସକ୍ରୀୟ ଆକ୍ରାନ୍ତ ରହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ତିର୍ତ୍ତୋଲ ବ୍ଲକରୁ ବାହାରିଥିବା ଦୁଇ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ଇବ୍ରିସିଂ ପଞ୍ଚାୟତର ହୋଇଥିବା ବେଳେ ଅନ୍ୟଜଣେ କୃଷ୍ଣାନନ୍ଦପୁର ପଞ୍ଚାୟତର ବୋଲି ଜଣାପଡିଛି ।

Categories
ଆଞ୍ଚଳିକ

୧୪ ଦିନ ପାଇଁ ଜଗତସିଂହପୁରରେ ଦୈନିକ ୧୨ ଘଣ୍ଟିଆ କର୍ଫ୍ୟୁ

ରଞ୍ଜିତ ପଣ୍ଡା

କୁଜଙ୍ଗ: ଜଗତସିଂହପୁର ଜିଲ୍ଲାରେ ୧୨ ଘଣ୍ଟିଆ କର୍ଫ୍ୟୁ ଘୋଷଣା କରାଯାଇଛି। ଆଜି ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଦୁଇ ସପ୍ତାହ ପର୍ଯ୍ୟନ୍ତ ସନ୍ଧ୍ୟା ୭ ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ସାରା ଜିଲ୍ଲାରେ କର୍ଫ୍ୟୁ ବଳ ବତ୍ତର ରହିବ। ଏହା ସହିତ ଜନଗହଳିକୁ ଦୃଷ୍ଟିରେ ରଖି କର୍ଫ୍ୟୁ ଘୋଷଣା କରାଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି।ଆସନ୍ତା ୧୪ ଦିନ ପାଇଁ ଏହି କର୍ଫ୍ୟୁ ବଳବତ୍ତର ରହିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ସୂଚନା ଯୋଗ୍ୟ ଜଗତସିଂହପୁର ଏବେ ଗ୍ରୀନ ଜୋନରେ ରହିଛି। ବର୍ତ୍ତମାନ ଜନସାଧାରଣ ଅଧିକ ସଚେତନ ହେବା ସହ କଡ଼ା ପଦକ୍ଷେପ ନେବାର ସମୟ ଆସିଛି। ଏହାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି। ସେହିପରି ଭାବେ ଜିଲ୍ଲାରେ ସମସ୍ତ ମଦ ଦୋକାନ ବନ୍ଦ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

Categories
ଆଞ୍ଚଳିକ

ଜେଏସ୍‌ଡବ୍ଲୁ ଭଙ୍ଗାରୁଜା ଘଟଣା: ଘଟଣାରେ ସମ୍ପୃକ୍ତ ନ ଥିବା ନେଇ ବିଜ୍ଞପ୍ତି ଜାରି କଲା ବିଜେପି ଯୁବ ମୋର୍ଚ୍ଚା

ସମୀକ୍ଷା ବ୍ୟୁରୋ

ପାରାଦୀପ, ୨୫/୧୨: ଗତକାଲି ଜେଏସ୍‌ଡବ୍ଲୁ କାର୍ଯ୍ୟାଳୟ ମଧ୍ୟରେ ହୋଇଥିବା ଭଙ୍ଗାରୁଜାକୁ ନେଇ ଜଗତସିଂହପୁର ଜିଲ୍ଲାର ବିଜେପି ଯୁବ ମୋର୍ଚ୍ଚା ସଭାପତି ସମ୍ପଦ କୁମାର ସ୍ବାଇଁ ଏକ ପ୍ରେସ୍‌ ବିଜ୍ଞପ୍ତି ଜାରି କରିଛନ୍ତି। ୨୪ ତାରିଖ ଅର୍ଥାତ୍‌ ଗତକାଲି ଦିବା ୧୧ ଘଟିକା ସମୟରେ ଏକ ନିର୍ଦ୍ଦିଷ୍ଟ ସଙ୍ଗଠନର ନାମ ନେଇ କିଛି ଯୁବକ ଜେ.ଏସ୍‌.ଡବ୍ଲୁ  ଇନ୍‌ଫ୍ରା ଷ୍ଟକଚର୍‌ ଲିମିଟେଡ କମ୍ପାନୀରେ ନିଯୁକ୍ତି ଦାବିରେ ଗଣ୍ଡଗୋଳ କରିବା ସହିତ କାର୍ଯ୍ୟାଳୟ ମଧ୍ୟରେ ପଶି ଭଙ୍ଗାରୁଜା କରିଥିଲେ। ଏହି ଘଟଣାରେ ସଫେଇ ଦେଇ ବିଜେପିର ଯୁବ ମୋର୍ଚ୍ଚା ସଭାପତି ସମ୍ପଦ କୁମାର ସ୍ବାଇଁ କହିଛନ୍ତି ଯେ, ଏହି ଘଟଣାରେ ଦଳର କୌଣସି ପ୍ରକାରର ସମ୍ପୃକ୍ତି ନାହିଁ। ବେରୋଜଗାର ଯୁବକମାନେ ନିଯୁକ୍ତି ପାଇଁ ଗଣତାନ୍ତ୍ରିକ ପଦ୍ଧତିରେ ସଂଗ୍ରାମ କରିବା ଉଚିତ୍‌। ନିଯୁକ୍ତି ନାମରେ ହିଂସାକୁ ବରଦାସ୍ତ କରାଯିବ ନାହିଁ। ଏହି ଘଟଣାକୁ ଦୃଢ ନିନ୍ଦା କରିବା ସହିତ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ କରିବା ପାଇଁ ଦାବି କରିଛନ୍ତି ବିଜେପି ଯୁବ ମୋର୍ଚ୍ଚା ସଭାପତି। ପାରାଦୀପରେ ବିଭିନ୍ନ ସଙ୍ଗଠନ ତରଫରୁ ଏହି ଘଟଣାରେ ବିଜେପି ଦଳର ସମର୍ଥନ ରହିଥିବା ନେଇ ଅପପ୍ରଚାର କରାଯାଇଥିଲା।