Categories
ଆଜିର ଖବର

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 103ରେ ପହଞ୍ଚିଛି : ଜାଣନ୍ତୁ କେଉଁ ଜିଲ୍ଲାରେ କେମିତି ରହିଛି କରୋନା ସ୍ଥିତି

ଭୁବନେଶ୍ବର : ରାଜ୍ୟରେ କରୋନା ସ୍ଥିତି ବଢିବାରେ ଲାଗିଛି । ଆଜି ରାଜ୍ୟରେ ତିନି କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟରେ କରୋନା ସଂଖ୍ୟା 103କୁ ବୃଦ୍ଧି ହୋଇଛି । ଏହି ନୂତନ ତିନି ଆକ୍ରାନ୍ତ ସୁନ୍ଦରଗଡ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ।

ତେବେ ଆସନ୍ତୁ ଜାଣିବା କେଉଁ ଜିଲ୍ଲାରେ କିପରି ରହିଛି କରୋନା ସ୍ଥିତି :

ଓଡ଼ିଶାର ମୋଟ୍‌ 30 ଟି ଜିଲ୍ଲା ମଧ୍ୟରୁ 10ଟି ଜିଲ୍ଲାରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସର୍ବାଧିକ କରୋନା ଆକ୍ରାନ୍ତ ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲା ରୁ 47ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 22 ଜଣ ସୁସ୍ଥ ହୋଇଛନ୍ତି । ଏହି ଜିଲ୍ଲାରୁ ଜଣେ ମୃତ ହୋଇଥିବାବେଳେ 23 ଜଣ ଚିକିତ୍ସାଧୀନ ରହିଛନ୍ତି । ସେହିପରି ଦ୍ବିତୀୟ ସ୍ଥାନରେ ରହିଛି ଯାଜପୁର ଜିଲ୍ଲା । ଗତକାଲି ରାତ୍ରିରୁ ଏହି ଜିଲ୍ଲାରୁ 6ଜଣ ନୂତନ ଭାବେ ଚିହ୍ନଟ ହୋଇଥିବାବେଳେ ଏଠାରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 18ରେ ପହଞ୍ଚିଛି । ଏହି ଜିଲ୍ଲାରୁ ଜଣେ ସୁସ୍ଥ ହୋଇଥିବାବେଳେ 17ଜଣ ଚିକିତ୍ସାଧୀନ ରହିଛନ୍ତି । ତୃତୀୟ ସ୍ଥାନରେ ରହିଛି ଭଦ୍ରକ ଜିଲ୍ଲା । ଏହି ଜିଲ୍ଲାରେ ସର୍ବମୋଟ୍‌ 16 ଜଣଆକ୍ରାନ୍ତ ରହିଥିବାବେଳେ 2ଜଣ ସୁସ୍ଥ ହୋଇଛନ୍ତି । 14 ଜଣ ଚିକିତ୍ସାଧୀନ ରହିଛନ୍ତି । ସେହିପରି ବାଲେଶ୍ବରରୁ 10 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି ।   ଅପରପକ୍ଷେ କରୋନା ଆକ୍ରାନ୍ତ ୪ଟି ଜିଲ୍ଲା କଳାହାଣ୍ଡିରୁ 2 ଜଣ , କଟକ, ପୁରୀ ଏବଂ ଢେଙ୍କାନାଳରେ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ମଧ୍ୟ ଏମାନେ ସମସ୍ତେ ସୁସ୍ଥ ହୋଇଛନ୍ତି । ଏହି ଚାରୋଟି ଜିଲ୍ଲାରେ କୌଣସି ସକ୍ରିୟ ସଂକ୍ରମିତ ନାହାନ୍ତି।

ସେହିପରି ଗତକାଲି ସୁନ୍ଦରଗଡ ତିନି ନୂଆ ପଜିଟିଭକୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା 6ରେ ପହଞ୍ଚିଛି। ସେପଟେ ଜିଲ୍ଲାରେ ପୂର୍ବରୁ 2ଜଣ ଓ ଗତକାଲି ଜଣେ ସୁସ୍ଥ ହୋଇଥିବାରୁ ଏବେ 3ଟି ଆକ୍ଟିଭ୍ କେଶ୍‌ ରହିଛି।

ରାଜ୍ୟରେ ମୋଟ୍ 103 ଆକ୍ରାନ୍ତ ହୋଇଥିବାବେଳେ ଏମାନଙ୍କ ମଧ୍ୟରୁ 34 ଜଣ ସୁସ୍ଥ ହୋଇଛନ୍ତି। ବିଭିନ୍ନ ହସ୍ପିଟାଲରେ 68 ଜଣଙ୍କର ଚିକିତ୍ସା ଚାଲିଥିବାବେଳେ ଜଣଙ୍କର ମୃତ୍ୟୁ ହୋଇଛି।