Categories
ଆଜିର ଖବର ଜାତୀୟ ଖବର

ଜେଏନୟୁ ଛାତ୍ର ସଂଗଠନ ନିର୍ବାଚନରେ ​​ବାମପନ୍ଥୀ ମାରିଲା ବାଜି: ଚାରିଟି ପଦବୀରେ ABVP ର ପରାଜୟ

ନୂଆଦିଲ୍ଲୀ: ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) ର ଛାତ୍ର ସଂଗଠନ ନିର୍ବାଚନରେ ​​ବାମପନ୍ଥୀ ଛାତ୍ର ସଂଗଠନ ପୁଣି ଥରେ ବିଜୟୀ ହୋଇଛି। ବାମ ପ୍ରାର୍ଥୀ ଧନଞ୍ଜୟ ଅଖିଲ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ପ୍ରାର୍ଥୀ ଉମେଶ ସି ଅଜମିରାଙ୍କୁ ୯୨୨ ଭୋଟରେ ପରାସ୍ତ କରି ଜେଏନଏସୟୁ ସଭାପତି ପଦ ଜିତିଛନ୍ତି। ବାମପନ୍ଥୀ ଛାତ୍ର ସଂଗଠନ ଏବଂ ସେମାନଙ୍କ ସମର୍ଥିତ ପ୍ରାର୍ଥୀମାନେ ସଭାପତିଙ୍କ ସମେତ ଚାରିଟି ଆସନ ଜିତିଛନ୍ତି।

ବାମପନ୍ଥୀ ସଂଗଠନଗୁଡ଼ିକ ଜେଏନଏସୟୁ ନିର୍ବାଚନରେ ​​ଅଖିଲ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) କୁ ପରାସ୍ତ କରି ତିନୋଟି ପଦବୀ ହାସଲ କରିଛନ୍ତି; ବିଏପିଏସଏ ପ୍ରାର୍ଥୀ ସାଧାରଣ ସମ୍ପାଦକ ପଦ ଜିଟିଛି। ବାମ ସଂଗଠନଗୁଡିକ ମଧ୍ୟ BAPSA ପ୍ରାର୍ଥୀଙ୍କୁ ସମର୍ଥନ କରିଥିଲେ। ସମସ୍ତ ଆସନରେ ବାମ ସଂଗଠନ ଏବଂ ଏହାର ସମର୍ଥିତ ପ୍ରାର୍ଥୀମାନେ ଆରଏସଏସ ସମର୍ଥିତ ଛାତ୍ର ସଂଗଠନ ଏବିଭିପି ସହିତ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ୪ ବର୍ଷ ପରେ ହେଉଥିବା ନିର୍ବାଚନକୁ ନେଇ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବହୁ ଉତ୍ସାହ ଦେଖିବାକୁ ମିଳିଥିଲା।

୧୨ ବର୍ଷ ପରେ ମତଦାନ ସର୍ବାଧିକ ଥିଲା:

ଶୁକ୍ରବାର ଦିନ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ଛାତ୍ର ସଂଗଠନ (ଜେଏନଏସୟୁ) ନିର୍ବାଚନ ପାଇଁ ୭୩ ପ୍ରତିଶତ ମତଦାନ ହୋଇଥିଲା, ଯାହାକି ଗତ ୧୨ ବର୍ଷ ମଧ୍ୟରେ ସର୍ବାଧିକ। ନିର୍ବାଚନ କମିଟି କହିଛି ଯେ, ଜେଏନଏସୟୁ ନିର୍ବାଚନ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା। ଚାରି ବର୍ଷର ବ୍ୟବଧାନ ପରେ ଏଥର ମତଦାନ ହୋଇଥିଲା ଏବଂ ୭,୭୦୦ ରୁ ଅଧିକ ପଞ୍ଜୀକୃତ ଭୋଟର ଗୁପ୍ତ ଭୋଟ୍ ମାଧ୍ୟମରେ ଭୋଟ୍ ଦେଇଥିଲେ।

Categories
ବିଶେଷ ଖବର

ମୁଁ ଜେଏନୟୁ ପିଲାଙ୍କ ସମର୍ଥନରେ ଠିଆ ହୋଇଛି, ତାହା ହିଁ ମୋର ଦେଶପ୍ରେମର ସବୁଠୁ ବଡ ଉଦାହରଣ

କେଦାର ମିଶ୍ର

ମୁଁ ଜୱାହରଲାଲ ନେହେରୁ ବିଶ୍ଵ ବିଦ୍ୟାଳୟର ଛାତ୍ର ନୁହେଁ କିମ୍ବା ମୋର କେହି ସମ୍ପର୍କୀୟ ସେହି ବିଶ୍ଵ ବିଦ୍ୟାଳୟରେ ପଢୁନାହାନ୍ତି। ହେଲେ ମୁଁ ଗତ ପାଞ୍ଚବର୍ଷ ଧରି ନିଜକୁ ଜେଏନୟୁର ଅଂଶ ବିଶେଷ ବୋଲି ମନେ କରୁଛି। ପୃଥିବୀର ଇତିହାସରେ ବୋଧହୁଏ ଜେଏନୟୁ ହେଉଛି ଏକମାତ୍ର ଶିକ୍ଷାନୁଷ୍ଠାନ ଯାହାକୁ ଏ ଦେଶର ସବୁଠୁ କ୍ଷମତାଶାଳୀ ଲୋକମାନେ ମାରିଦେବାକୁ ଚାହାନ୍ତି। ମୁଁ ଜେଏନୟୁ ସହିତ ଠିଆ ହେବାର ଏହାହିଁ ପ୍ରଥମ କାରଣ। ଭାରତର ସବୁଠୁ ଉତ୍କୃଷ୍ଟ ବିଶ୍ଵ ବିଦ୍ୟାଳୟ ଭାବରେ ଏହା ସବୁ ଭାରତୀୟଙ୍କ ଲାଗି ଗର୍ବର କାରଣ।

ହେଲେ କିଛି ଲୋକଙ୍କୁ ଏହି ବିଶ୍ଵ ବିଦ୍ୟାଳୟର ଉତ୍କର୍ଷ ଦେଖି ବହୁତ ପୀଡା ହୁଏ। କଂସ ଯେମିତି କୃଷ୍ଣ କଥା ଚିନ୍ତା କରି ରାତି ରାତି ଶୋଇ ପାରୁନଥିଲା, ଆଜିର ଶାସକ ଦଳ ଓ ତାଙ୍କର ବୈଚାରିକ ପରିବାର ଜେଏନୟୁ କୁ ପ୍ରବଳ ଭୟ କରୁଛନ୍ତି। ଏହି ଭୟର ଏକମାତ୍ର କାରଣ ହେଉଛି, ଗୋଟେ ବିଶ୍ଵ ବିଦ୍ୟାଳୟ ନିଜର ଦାୟିତ୍ଵ ସଠିକ ଭାବରେ ନିର୍ବାହ କରୁଛି। ଜ୍ଞାନକୁ ଅଜ୍ଞାନୀମାନେ ଡରନ୍ତି। ଅଜ୍ଞାନତା ଓ କୁତର୍କ ମାଧ୍ୟମରେ କ୍ଷମତା ଦଖଲ କରିବା ହୁଏତ ସହଜ, ହେଲେ ଗୋଟେ ଜ୍ଞାନ କେନ୍ଦ୍ରର ନିର୍ମାଣ ସହଜ ନୁହେଁ। ଜେଏନୟୁ ନିଜ ଜ୍ଞାନର ପରମ୍ପରା ନିଜେ ତିଆରି କରିଛି। ଯେଉଁମାନେ ଆମ ପଇସାରେ ଏହି ବିଶ୍ୱବିଦ୍ୟାଳୟ ଚାଲିଛି ବୋଲି କହୁଛନ୍ତି, ସେମାନେ ବୁଝିବା ଦରକାର ଯେ, ଏ ଦେଶର ୧୩୦କୋଟି ଲୋକଙ୍କର ଟିକସ କାହା ବାପାର ସମ୍ପତ୍ତି ନୁହଁ। ଦେଶର ସବୁଠୁ ଭଲ ବିଶ୍ଵ ବିଦ୍ୟାଳୟ ଭାବରେ ସରକାରୀ ଅନୁଦାନ ପାଇବାକୁ ଏହାର ଅଧିକାର ରହିଛି। ସେହି ଅଧିକାର ଦାବି କରିବା ପାପ କି ଅପରାଧ ନୁହେଁ।

ଏ ଦେଶର ସବୁଠୁ ପ୍ରତିଭାବାନ ଛାତ୍ର ଛାତ୍ରୀଙ୍କୁ ପ୍ରତିଦିନ ଦେଶଦ୍ରୋହୀ ବୋଲି କୁହାଯାଉଥିବାର ପ୍ରତିବାଦରେ ମୁଁ ଜେଏନୟୁ ସହିତ ଛିଡା ହୋଇଛି। କିଏ ଏ ଦେଶପ୍ରେମର ସଜ୍ଞା ତିଆରି କରିଛି? ଯେଉଁ ପିଲାମାନେ ଆଜି ପୋଲିସଠାରୁ ଲାଠି ମାଡ ଖାଇଛନ୍ତି, ସେମାନେ ଆମର ପିଲା। ସେମାନଙ୍କ ଉପରେ ହିଂସ୍ର ଆଚରଣ କରିଥିବା ପୋଲିସ ଗଣତନ୍ତ୍ରର ବିରୋଧୀ। ସେମାନଙ୍କ ଉପରେ ହଜାର ହଜାର ଟଙ୍କାର ବୋଝ ଲଦୁଥିବା ସରକାର ଏକ ଶିକ୍ଷା ବିରୋଧୀ ସରକାର। ୧ ଲକ୍ଷ ୨୫ହଜାର କୋଟି ଟଙ୍କାର କର୍ପୋରେଟ ଋଣ ଛାଡ କରିଥିବା ସରକାର ପାଞ୍ଚ କୋଟି ଟଙ୍କା ଶିକ୍ଷା ପାଇଁ ଖର୍ଚ୍ଚ କରିବାକୁ ଏତେ କାନ୍ଦୁଛି କାହିଁକି? ରିଲାଏନ୍ସ କମ୍ପାନୀର କେଉଁ ଏକ ଜିଓ ବିଶ୍ଵ ବିଦ୍ୟାଳୟ ହେବ ବୋଲି ଶହେ କୋଟି ଟଙ୍କା ବଜେଟରେ ବ୍ୟବସ୍ଥା କରୁଥିବା ସରକାର ଜେଏନୟୁ ଅବା ବିଏଚୟୁ ଅବା ଆଇଆଇଟି କୁ ପଇସା ଦେଲାବେଳେ ଏତେ ଚିନ୍ତା କାହିଁକି? ଯେଉଁମାନେ ଟିକସଦାତାଙ୍କ ଅର୍ଥରେ ପଢୁଥିବା ପିଲା ଆନ୍ଦୋଳନ କରି ପାରିବେ ନାହିଁ ବୋଲି ଯୁକ୍ତି କରୁଛନ୍ତି, ସେମାନେ କେବେ ପଚାରିଛନ୍ତି ଆମର ଶହେ କୋଟି ଟଙ୍କା ନେଇଥିବା ସେ ଜିଓ ବିଶ୍ଵ ବିଦ୍ୟାଳୟ କେଉଁଠି ଅଛି?

ମୋ ପିଲାଙ୍କୁ ଦେଶଦ୍ରୋହୀ ବୋଲି ଯିଏ କହୁଛି, ମୋ ମତରେ ସେ ହିଁ ସବୁଠୁ ବଡ ଦେଶଦ୍ରୋହୀ। ମୋ ପିଲା ମୋର ଗୌରବ। ସେମାନେ ପାଠ ପଢିବା ଲାଗି ମୋ ସରକାର ସେମାନଙ୍କର ଦାବି ନ ଶୁଣିବା ଏକ ଅଥର୍ବ ସରକାରର ଲକ୍ଷଣ। ମୋ ପିଲାଙ୍କ ଉପରେ ଲାଠିମାଡ, ଭାରତମାତାର କୋଳରେ ଲାଠିମାଡ। ଏ ଦେଶର ସବୁଠୁ ପ୍ରଭାବଶାଳୀ ସାମ୍ବାଦିକମାନେ ଆଜି ଜେଏନୟୁ ବିରୋଧରେ ଯୁଦ୍ଧ ଘୋଷଣା କରିଛନ୍ତି। ସେହି ଅପ ସାମ୍ବାଦିକତା ବିରୋଧରେ ଠିଆ ହେବାକୁ ମୁଁ ଜେଏନୟୁ ସାଙ୍ଗରେ ଠିଆ ହୋଇଛି।

ଆପଣ ଯଦି ଦେଶର ସବୁଠୁ ପ୍ରତିଭାବାନ ପିଲାଙ୍କ ସାଙ୍ଗରେ ଠିଆ ନ ହେବାଟାକୁ ଓ ସେମାନଙ୍କୁ ଗାଳି ଦେବାକୁ  ନିଜର ଦେଶପ୍ରେମ ବୋଲି ଭାବୁଛନ୍ତି, ତାହେଲେ ଆପଣ ଏ ଦେଶ ସହିତ ବିଶ୍ଵାସଘାତକତା କରୁଛନ୍ତି। ମୋ ମତରେ ଜେଏନୟୁ ଭାରତୀୟ ଦେଶପ୍ରେମର ଉଜ୍ଜଳତମ ପ୍ରତୀକ ଓ ମୋର ଦେଶପ୍ରେମର ପ୍ରମାଣ ଦେବାଲାଗି ମୁଁ ଜେଏନୟୁର ସବୁ ପିଲାଙ୍କ ସାଙ୍ଗରେ ଠିଆ ହୋଇଛି।