Categories
ଆଜିର ଖବର

ଶପଥଗ୍ରହଣ ସମାରୋହକୁ ସୋନିଆଙ୍କୁ ନିମନ୍ତ୍ରଣ ଜଣାଇବେ ସୋରେନ୍‌

ଝାଡଖଣ୍ଡ, 25/12: ଝାଡଖଣ୍ଡର ନୂତନ ମୁଖ୍ୟମନ୍ତ୍ରୀ ଭାବେ ହେମନ୍ତ ସୋରେନ୍‌ 29 ଡିସେମ୍ବରରେ ଶପଥ ଗ୍ରହଣ କରିବେ। ଏହି ଶପଥ ଗ୍ରହଣ ସମାରୋହକୁ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ନିମନ୍ତ୍ରଣ ଜଣାଇବବା ପାଇଁ ସୋନିଆଙ୍କ ସହ ସାକ୍ଷାତ କରିବେ ବୋଲି ଜଣାପଡିଛି।

ହେମନ୍ତ ସୋରେନ୍‌ କଂଗ୍ରେସର ଶୀର୍ଷ ନେତାମାନଙ୍କ ସହିତ ସାକ୍ଷାତ କରି ସରକାର ଗଢିବା ନେଇ ଚର୍ଚ୍ଚା ମଧ୍ୟ କରିବେ। ରାଜ୍ୟରେ ଜେଏମଏମ୍‌ କଂଗ୍ରେସ ଓ ଆରଜେଡି ସହ ମିଶି ନିର୍ବାଚନ ଜିତିଛି । ମିଳିଥିବା ସୂଚନା ଅନୁସାରେ ରାଜେନ୍ଦ୍ର ସିଂହ  କିମ୍ବା ଆଲମଗିରି ଆଲମ୍‌ଙ୍କ ମଧ୍ୟରୁ କଂଗ୍ରେସର ଜଣେ ବରିଷ୍ଠ ନେତା ଉପମୁଖ୍ୟମନ୍ତ୍ରୀ ପାଇଁ ଦାବି ଉପସ୍ଥାପନା କରିପାରନ୍ତି। ମଙ୍ଗଳବାର ଦିନ ହେମନ୍ତ ସୋରେନ୍‌ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କ ସହିତ ସାକ୍ଷାତ କରି ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିଥିଲେ। ରାଜ୍ୟପାଳ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ନେତାଙ୍କୁ ସରକାର ଗଢିବା ପାଇଁ ଆମନ୍ତ୍ରଣ କରିଥିଲେ। ହେମନ୍ତ ସୋରେନ ନିଜର ଅନ୍ୟ ସହଯୋଗୀଙ୍କ ସହିତ ଡିସେମ୍ବର ୨୯ ଅପରାହ୍ନ ୧ଟାରେ ରାଞ୍ଚିର ମୋରାବାଦୀ ମଇଦାନରେ ମୁଖ୍ୟମନ୍ତ୍ରୀ ପଦ ରୂପେ ଶପଥ ଗ୍ରହଣ କରିବେ।

୮୧ ଆସନ ବିଶିଷ୍ଟ ଝାଡଖଣ୍ଡ ବିଧାନସଭା ନିର୍ବାଚନରେ ସୋରେନ୍‌ଙ୍କ ନେତୃତ୍ବରେ ମହାମେଣ୍ଟ 47ଟି ଆସନରେ ବିଜୟୀ ହୋଇଛି। ଏହି ମହାମେଣ୍ଟକୁ ବାବୁଲାଲ୍‌ ମାରାଣ୍ଡିଙ୍କ ନେତୃତ୍ବାଧୀନ ଝାଡଖଣ୍ଡ ବିକାଶ ମୋର୍ଚ୍ଚା – ପ୍ରଜାତନ୍ତ୍ରିକର ମଧ୍ୟ ସମର୍ଥନ ମିଳିଛି ।

Categories
ଆଜିର ଖବର

ଝାଡଖଣ୍ଡରେ ଆରମ୍ଭ ହେବ ନୂତନ ଅଧ୍ୟାୟ : ହେମନ୍ତ ସୋରେନ୍‌

ଝାଡଖଣ୍ଡ, 23/12: ଝାଡଖଣ୍ଡ ବିଧାନସଭା ନିର୍ବାଚନରେ ମହାମେଣ୍ଟ ଜିତିବା ପରେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍‌ଏମ୍‌)ର କାର୍ଯ୍ୟକାରୀ ଅଧ୍ୟକ୍ଷ ହେମନ୍ତ ସୋରେନ୍‌ ଖୁସି ବ୍ୟକ୍ତ କରିଛନ୍ତି। ସୋମବାର ଦିନ ହେମନ୍ତ ସୋରେନ୍‌ କହିଛନ୍ତି ଯେ, ଝାଡଖଣ୍ଡ ଜନତାଙ୍କ ସ୍ପଷ୍ଟ ଜନାଦେଶ ପାଇ, ଜନତାଙ୍କ ନିକଟରେ ଋଣୀ ବୋଲି କହିଛନ୍ତି। ଆଜି ଦିନଟି ତାଙ୍କ ପାଇଁ ସଂକଳ୍ପର ଦିନ। ଲୋକଙ୍କ ଆକାଂକ୍ଷାକୁ ପୂରା କରିବାର ଦିନ ଆସିଛି। ଏହି ଜନାଦେଶକୁ ଶିବୁ ସୋରେନ୍‌ଙ୍କ ପରିଶ୍ରମ ଓ ତ୍ୟାଗର ପରିଣାମ ବୋଲି କହିଛନ୍ତି ହେମନ୍ତ। ଝାଡଖଣ୍ଡରେ ଏକ ନୂତନ ଅଧ୍ୟାୟ ଆରମ୍ଭ ହେବ ବୋଲି କହିଛନ୍ତି ହେମନ୍ତ। ଜେଏମଏମ୍‌ର ସହିତ ମେଣ୍ଟରେ ରହିଥିବା କଂଗ୍ରେସ ଓ ଆରଜେଡିଙ୍କୁ ମଧ୍ୟ କୃତଜ୍ଞତା ଜ୍ଞାପନ କରିଛନ୍ତି ହେମନ୍ତ ସୋରେନ୍‌। ଏହି ଅବସରରେ ଲାଲୁ ପ୍ରସାଦ ଯାଦବ, ସୋନିଆ ଗାନ୍ଧି, ପ୍ରିୟଙ୍କା ଗାନ୍ଧି ଓ ରାହୁଲ୍‌ ଗାନ୍ଧିଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି। (ଏଜେନ୍ସି)

Categories
ବିଶେଷ ଖବର

ଭାରତର ନିର୍ବାଚନ କମିଶନ ନିର୍ବାଚନ ପରିଚାଳନାକୁ ଏକ ଖେଳ ବୋଲି ଭାବୁଛନ୍ତି କି ?

କେଦାର ମିଶ୍ର 

ଗତ ସାଧାରଣ ନିର୍ବାଚନ ପୂର୍ବରୁ ଗୋଟେ ସ୍ଲୋଗାନ ଶୁଭୁଥିଲା- ୱାନ ନେସନ, ୱାନ ଇଲେକ୍ସନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଥିଲାଗି ଖୋଦ ମୁଖ୍ୟମନ୍ତ୍ରୀମାନଙ୍କ ବୈଠକ ଡ଼ାକିଥିଲେ। ତେବେ ସବୁ ବିଧାନସଭା ଓ ଲୋକସଭା ପାଇଁ ଏକତ୍ର ନିର୍ବାଚନ ଅନୁଷ୍ଠିତ କରାଇବା ସମ୍ଭବ ନୁହେଁ ଓ ଏଥିଲାଗି ଅନେକ ସାମ୍ବିଧାନିକ ସମସ୍ୟା ଉପୁଜିବାର ସମ୍ଭାବନା ରହିଛି।ବିଧାନସଭା ଗଠନ କରିବା ଲୋକଙ୍କ ହାତରେ ରହିଥିବା ବେଳେ ବିଧାନସଭା ଭାଙ୍ଗିବାର କ୍ଷମତା ମୁଖ୍ୟମନ୍ତ୍ରୀମାନଙ୍କ ହାତରେ ରହିଛି। ସାରା ଦେଶର ବିଧାନସଭା ଓ ଲୋକସଭା ନିର୍ବାଚନକୁ ଏକତ୍ର କରାଇବାକୁ ହେଲେ ପୂରା ସମ୍ବିଧାନ ବଦଳାଇବାକୁ ପଡିବ ଓ ଏହା ଆଦୌ ସହଜ କଥା ନୁହେଁ। ତେବେ ବିଭିନ୍ନ ପର୍ୟାୟରେ ହେଉଥିବା ବିଧାନସଭାଗୁଡିକୁ ଏକାଠି କରିବାରେ କୌଣସି ଅସୁବିଧା ନାହିଁ।

ନିକଟରେ ମହାରାଷ୍ଟ୍ର ଓ ହରିଆଣା ବିଧାନସଭା ନିର୍ବାଚନ ସରିଛି। ଏହାର ଫଳାଫଳ ବାହାରିବାର ମାତ୍ର ୧୦ ଦିନ ପରେ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଲାଗି ତାରିଖ ଘୋଷଣା କରିବାର ଉଦ୍ଦେଶ୍ୟ କଣ? ଝାଡଖଣ୍ଡ ବିଧାନସଭା ନିର୍ବାଚନ ସହିତ ମହାରାଷ୍ଟ୍ର ଓ ହରିଆଣା ବିଧାନସଭା ନିର୍ବାଚନ ଏକତ୍ର ହେବା ପଛରେ କୌଣସି ଅସୁବିଧା ନଥିଲା। ତଥାପି ୧୦ ଦିନ ବ୍ୟବଧାନରେ ଏହାକୁ ଅଲଗା କରି ଘୋଷଣା କରିବାର ମାନେ କଣ? ନିର୍ବାଚନ କମିଶନ ନିଜ ଇଚ୍ଛା ମୁତାବକ ନିର୍ବାଚନ ତାରିଖ ଓ କାର୍ୟକ୍ରମ ଘୋଷଣା କରିପାରିବେ। ହେଲେ ସେଥିଲାଗି କିଛିଟା ତର୍କସଙ୍ଗତ ପୃଷ୍ଠଭୂମି ରହିବା ନିତାନ୍ତ ଆବଶ୍ୟକ। ଏହା ପୂର୍ବରୁ ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ମଧ୍ୟ ବିଳମ୍ବିତ କାର୍ୟକ୍ରମ ଘୋଷଣା କରାଯାଇଥିଲା।

ଏସବୁ ଘଟିବା ପଛରେ ନିର୍ବାଚନ କମିଶନ ଯେଉଁ ଯୁକ୍ତି ଦେଉଛନ୍ତି, ତାହା ଅନେକାଂଶରେ ପିଲାଳିଆ ମାନେ ହେଉଛି। ଗତ ସାଧାରଣ ନିର୍ବାଚନ ତାରିଖ ଘୋଷଣାରେ ମଧ୍ୟ ନିର୍ବାଚନ କମିଶନ ଅହେତୁକ ବିଳମ୍ବ କରିଥିଲେ। ତେବେ ଆଜିର ପୃଷ୍ଠଭୂମିରେ ଝାଡଖଣ୍ଡ ବିଧାନସଭା ନିର୍ବାଚନର ତାରିଖ ଓ କାର୍ୟକ୍ରମକୁ ନେଇ ଅନେକ ପ୍ରଶ୍ନବାଚୀ ଉଠୁଛି। ପ୍ରଥମତଃ ଏହାକୁ ମହାରାଷ୍ଟ୍ର ଓ ହରିଆଣା ବିଧାନସଭା ସହିତ ଏକାଠି ନିର୍ବାଚନ କରାଇବାରେ କୌଣସି ଅସୁବିଧା ନଥିଲା। ବିଧାନସଭା ସମୟ ଅବଧି ସରିବାର  ୬ ମାସ ଆଗରୁ ଯେ କୌଣସି ମୁହୂର୍ତ୍ତରେ ନିର୍ବାଚନ ତାରିଖ କମିଶନ ଘୋଷଣା କରିପାରିବେ। ଏ କ୍ଷେତ୍ରରେ ଝାଡଖଣ୍ଡକୁ ଅନ୍ୟ ଦୁଇ ରାଜ୍ୟର ନିର୍ବାଚନଠାରୁ ଅଲଗା କରିବାର ଉଦ୍ଦେଶ୍ୟ କଣ? ଯଦିବା ଏହା ଅଲଗା ସମୟରେ ହେଉଛି, ମାତ୍ର ୮୧ ତ ବିଧାନସଭା ଲାଗି ୨୦ ଦିନ ବ୍ୟାପୀ ପାଞ୍ଚୋଟି ପର୍ୟାୟର ନିର୍ବାଚନ କାହିଁକି? ନିକଟରେ ମହାରାଷ୍ଟ୍ର ଭଳି ବଡ ରାଜ୍ୟ, ଯେଉଁଠି ୨୮୮ ବିଧାନସଭା ଆସନ ଲାଗି ନିର୍ବାଚନ ଅନୁଷ୍ଠିତ ହେଉଥିଲା, ତାହା ଗୋଟିଏ ଦିନରେ ସମ୍ପନ୍ନ ହୋଇଥିବା ବେଳେ ଝାଡଖଣ୍ଡ ଭଳି ଛୋଟ ରାଜ୍ୟରେ ପାଞ୍ଚ ଥାକିଆ ନିର୍ବାଚନ କାହିଁକି ?

ଅନେକ ସମୟରେ ଶାସକ ଦଳର ନେତାଙ୍କ ପ୍ରଚାର ସୁବିଧା ଦେଖି ନିର୍ବାଚନର ନିର୍ଘଣ୍ଟ ତିଆରି ହେଉଛି ବୋଲି ଏକ ଧାରଣା ଏବେ ସୃଷ୍ଟି ହେଲାଣି। ଏହା ଆଦୌ ଶୁଭଂକର ନୁହେଁ। ଦୀର୍ଘକାଳୀନ ନିର୍ବାଚନୀ ନିର୍ଘଣ୍ଟ ତିଆରି କରି ଜନମତକୁ ପ୍ରଭାବିତ କରିବାର ସୁଯୋଗ ନିର୍ବାଚନ କମିଶନ ଦେଉଛନ୍ତି। ପ୍ରଥମ ପର୍ଯାୟ ନିର୍ବାଚନରୁ ପଞ୍ଚମ ପର୍ଯାୟ ନିର୍ବାଚନ ଭିତରେ ନିର୍ବାଚନ ପୂର୍ବରୁ ଯେଉଁ “ନୀରବ ସମୟ” ରହିଥାଏ, ଏବେ ଆଉ ତାର କୌଣସି ମୂଲ୍ୟ ରହୁନାହିଁ। ବେଳେ ବେଳେ ଗୋଟିଏ ଜିଲ୍ଲାରେ ଦୁଇ ବା ତିନି ପର୍ଯାୟ ନିର୍ବାଚନ ହେଉଛି। ଏ ପ୍ରକାର ବ୍ୟବସ୍ଥା ଆମର ନିର୍ବାଚନୀ ପ୍ରକ୍ରିୟାର ବିଶ୍ଵାସନୀୟତାକୁ ସନ୍ଦେହ ଘେରକୁ ଆଣିବାକୁ ବାଧ୍ୟ।

ଝାଡଖଣ୍ଡରେ ନକ୍ସଲ ଅଞ୍ଚଳ ଓ ଆଇନ ଶୃଙ୍ଖଳାର ଦ୍ଵାହି ଦେଇ ହୁଏତ ଏ ପ୍ରକାର ବ୍ୟବସ୍ଥା ଆବଶ୍ୟକ ବୋଲି କୁହାଯାଇପାରେ। ତେବେ ମହାରାଷ୍ଟ୍ରର ଗଡ ଚିରୋଲି ଅଞ୍ଚଳ ନକ୍ସଲ ପ୍ରଭାବିତ ନଥିଲା କି? ସେଠାରେ ଗୋଟିଏ ଦିନରେ ନିର୍ବାଚନ ସମ୍ଭବ ହେଲା କେମିତି? ମହାରାଷ୍ଟ୍ରର ଭୌଗୋଳିକ ବିବିଧତା ଝାଡଖଣ୍ଡ ତୁଳନାରେ ଅଧିକ ବ୍ୟାପକ। ତା ସତ୍ତ୍ୱେ ସେଠାରେ ଗୋଟିଏ ଦିନରେ ନିର୍ବାଚନ ସମ୍ଭବ ହେଲା। ଝାଡଖଣ୍ଡରେ କଣ ଏମିତି ହେଲା ଯେ ଏଠି ମାସେ ଯାଏ ନିର୍ବାଚନ ପ୍ରକ୍ରିୟା ଚାଲୁ ରହିବ? ନିର୍ବାଚନ କମିଶନଙ୍କ ଏ ପ୍ରକାର ସିଦ୍ଧାନ୍ତକୁ ନେଇ ଏବେ ସନ୍ଦେହ ଉଠୁଛି। ଉଠିବା ସ୍ଵାଭାବିକ ମଧ୍ୟ। ଭିନ୍ନ ରାଜ୍ୟ ଲାଗି ଭିନ୍ନ ନିର୍ବାଚନୀ ବ୍ୟବସ୍ଥା ଗ୍ରହଣ ପଛରେ ଠୋସ କାରଣ ନ ରହିଲେ, ନିର୍ବାଚନ କମିଶନ ପ୍ରତି ଲୋକଙ୍କ ଆସ୍ଥା କମିଯିବ। ଗତ ସାଧାରଣ ନିର୍ବାଚନ ସମୟରେ ନିର୍ବାଚନ କମିଶନଙ୍କ ଏକପାଖିଆ ନିଷ୍ପତ୍ତି ଯୋଗୁଁ ଅନେକ ସମାଲୋଚନା ହୋଇଛି। ଏବେ ଝାଡଖଣ୍ଡ ନିର୍ବାଚନକୁ ବିଳମ୍ବିତ ଓ ପ୍ରଲମ୍ବିତ କରିବା ପଛରେ ଏକ ନିର୍ଦ୍ଦିଷ୍ଟ କାରଣ ରହିଛି ବୋଲି ଧାରଣା ସୃଷ୍ଟି ହୋଇଛି।

ଏହା ଆମର ଗଣତନ୍ତ୍ର ଲାଗି ଆଦୌ ଶୁଭ ସୂଚନା ନୁହେଁ।