Categories
ବିଶେଷ ଖବର ରାଜ୍ୟ ଖବର

ବରିଷ୍ଠ ସାମ୍ବାଦିକ ଜୀମୁତ ମଙ୍ଗରାଜଙ୍କ ପରଲୋକ, ବିଭିନ୍ନ ମହଲରେ ଶୋକ

ଭୁବନେଶ୍ବର, ଆଜି ଓଡିଶାର ବରିଷ୍ଠ ସାମ୍ବାଦିକ ଜୀମୁତ ମଙ୍ଗରାଜଙ୍କ ସଡକ ଦୁର୍ଘଟଣାରେ ଦେହାନ୍ତ ହୋଇଯାଇଛି। ସେ ଆଜି ରାତି ଆଠଟା ବେଳକୁ ନିଜ ବାଇକରେ ଖୋର୍ଦ୍ଧାରୁ ଭୁବନେଶ୍ବର ଆସୁଥିଲେ। ଜାତୀୟ ରାଜପଥ 16 ଜାଆଁଳା ନିକଟରେ ଏକ ଅଜଣା ଗାଡି ତାଙ୍କୁ ଜୋରରେ ଧକ୍କା ଦେଇଥିଲା। ଫଳରେ ସେ ସେହି ରାସ୍ତାରେ ଛିଟିକି ପଡିଥିଲେ। ତାଙ୍କର ମୁଣ୍ଡରେ ଗଭୀର ଆଘାତ ହୋଇ ପ୍ରବଳ ରକ୍ତ ସ୍ରାବ ହୋଇଥିଲା।

ତାଙ୍କୁ ତୁରନ୍ତ ଏମସ୍ ରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଜୀମୁତଙ୍କ ଗାଡିଟି ସଂପୂର୍ଣ୍ଣ ଭାଙ୍ଗି ଯାଇଛି। ଦେଖଣାହାରୀଙ୍କ କହିବା କଥା ଯେ ଧକ୍କା ଏତେ ଜୋରରେ ହୋଇଥିଲା ଯେ, ତାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଛି।

ଜାମୁତ ମଙ୍ଗରାଜ ଦୀର୍ଘ ବର୍ଷ ଧରି ଓଡିଶା ସାମ୍ବାଦିକ ଜଗତରେ କାର୍ଯ୍ୟ କରିଆସୁଥିଲେ। ସେ ସମ୍ବାଦରେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରିବା ପରେ ନିଜେ ଏକ ଖବରକାଗଜ ପ୍ରକାଶିତ କରୁଥିଲେ। ଏଥିସହିତ ଜୀମୁତ ରାଜ୍ୟର ବିଭିନ୍ନ ସାମ୍ବାଦିକ ସଂଗଠନ ସହିତ ଜଡିତ ହୋଇ କାର୍ଯ୍ୟ କରୁଥିଲେ। ସାମ୍ବାଦିକଙ୍କ କଲ୍ୟାଣ ତଥା ସୁରକ୍ଷା ପାଇଁ ସେ ସବୁବେଳେ ଲଢେଇ କରି ଆସୁଥିଲେ। ତାଙ୍କ ବିୟୋଗରେ ଓଡିଶା ସାମ୍ବାଦିକ ତଥା ରାଜନୈତିକ ଜଗତରେ ଶୋକର ଛାୟା ଖେଳିଯାଇଛି।