Categories
ଆଜିର ଖବର ଜାତୀୟ ଖବର

ଜେଏନ୍‌ୟୁ ଆକ୍ରମଣ ମାମଲା : 9 ଛାତ୍ରଛାତ୍ରୀଙ୍କ ଫଟୋ ଜାରି କଲା ଦିଲ୍ଲୀ ପୋଲିସ୍‌

ନୂଆଦିଲ୍ଲୀ : ଜେଏନ୍‌ୟୁ ଆକ୍ରମଣ ମାମଲାରେ ସନ୍ଦିଗ୍ଧ ଅଭିଯୁକ୍ତଙ୍କ ଫଟୋ ଜାରି କରିଛି ଦିଲ୍ଲୀ ପୋଲିସ୍‌ । ଦିଲ୍ଲୀ ପୋଲିସ୍‌ ପକ୍ଷରୁ 9 ଜଣ ଛାତ୍ରଛାତ୍ରୀଙ୍କ ଫଟୋ ଜାରି କରାଯାଇଛି । ଜାରି କରାଯାଇଥିବା ଫଟୋ ମଧ୍ୟରେ ଜେଏନୟୁ ଛାତ୍ରସଂଘ ସଭାପତି ଆଇସି ଘୋଷଙ୍କ ନାମ ମଧ୍ୟ ରହିଛି । ଆଇସିଙ୍କ ନେତୃତ୍ବରେ ଆକ୍ରମଣ କରାଯାଇଥିବା ନେଇ ଦିଲ୍ଲୀ ପୋଲିସ୍‌ ଡିସିପି ଜୟ ତିର୍କି ପ୍ରକାଶ କରିଛନ୍ତି । ରବିବାର ସନ୍ଧ୍ୟାରେ ଏହି ଛାତ୍ର ଛାତ୍ରୀ ପେରିୟାର ହଷ୍ଟେଲରେ ଆକ୍ରମଣ କରିଥିଲେ । ଆକ୍ରମଣରେ 50ରୁ ଅଧିକ ଛାତ୍ରଛାତ୍ରୀ ଆହତ ହୋଇଥିବା ବେଳେ ଉଭୟ ଏବିଭିପି ଏବଂ ବାମଦଳ ପରସ୍ପର ପ୍ରତି ଦୋଷାରୋପ କରିଥିଲେ । (ଏଜେନ୍ସୀ)

Categories
ବିଶେଷ ଖବର

ଦୀପିକା ପାଦୁକୋନ, ନୀରବରେ ଠିଆ ହେବା ସବୁଠୁ ବଡ ପ୍ରତିବାଦ; ସିନେମାର କାହାଣୀରେ ନୀରବତାର ନୂଆ ଟୁଇଷ୍ଟ

କେଦାର ମିଶ୍ର

୭ ଜାନୁଆରୀ ସନ୍ଧ୍ୟାରେ ଜୱାହରଲାଲ ନେହେରୁ ବିଶ୍ଵ ବିଦ୍ୟାଳୟରେ ଜଣେ ଅତିଥି ଆସି ପହଞ୍ଚିଥିଲେ, ଯିଏ ଆସିବେ ବୋଲି ସେଠି ସଭା କରୁଥିବା ପିଲାମାନେ ଜାଣି ନଥିଲେ। ସେଇ ସନ୍ଧ୍ୟାରେ ବିଶ୍ଵ ବିଦ୍ୟାଳୟର ପୂର୍ବତନ ଛାତ୍ର ନେତା କହ୍ନେୟା କୁମାର ଭାଷଣ ଦେଉଥିବା ସମୟରେ ହଠାତ ବଲିଉଡ ର ଚର୍ଚ୍ଚିତ ସୁପରଷ୍ଟାର ଦୀପିକା ପାଦୁକୋନ ପହଞ୍ଚିଥିଲେ। ମାତ୍ର ଦଶ ମିନିଟ ପ୍ରତିବାଦ ସଭାରେ ଚୁପଚାପ ଛିଡା ହେବା ସହିତ ଗତ ରବିବାର ହିଂସାକାଣ୍ଡରେ ଆହତ ହୋଇଥିବା ଛାତ୍ରସଂସଦର ସଭାପତି ଆଇଶି ଘୋଷଙ୍କୁ କୋଳେଇ ନେଇ ଦୀପିକା ଚାଲି ଯାଇଥିଲେ। ତେବେ ସେହି ଚୁପଚାପ ଦଶ ମିନିଟ ଭାରତର ରାଜନୀତିରେ ଏକ ଭୟଙ୍କର ଝଡ ସୃଷ୍ଟି କରିଛି। ଦୀପିକା ଜେଏନୟୁ ସମ୍ପର୍କରେ ପଡେ କଥା କହିନଥିଲେ କିମ୍ବା ଆଜି ରିଲିଜ ହେବାକୁ ଥିବା ତାଙ୍କର ନୂଆ ସିନେମା “ଛପକ” ବିଷୟରେ କିଛି କହିନଥିଲେ। ହେଲେ ଜେଏନୟୁ କ୍ୟାମ୍ପସରେ ଦୀପିକାଙ୍କର ନୀରବ ଉପସ୍ଥିତି ଭାରତୀୟ ଜନତା ପାର୍ଟିର ଭକ୍ତ (ଏ ଦଳରେ ଆଉ କର୍ମୀ ନାହାନ୍ତି, ଏଠି ସମସ୍ତେ ସମର୍ପିତ ଭକ୍ତ ଓ ଭାତ। ସତୁରୀ ଦଶକରେ କଂଗ୍ରେସ ର ଅବସ୍ଥା ଠିକ ଏୟା ଥିଲା।) ମାନଙ୍କୁ ପାଗଳ କରିଦେଇଛି।

୭ ଜାନୁଆରୀ ସନ୍ଧ୍ୟାରୁ ବିଜେପି ସମର୍ଥକମାନେ ଦୀପିକାଙ୍କ ନୂଆ ସିନେମା “ଛପକ” କୁ ବିରୋଧ କରିବା ଆରମ୍ଭ କରିଛନ୍ତି। ତେବେ ଭକ୍ତମାନେ ଟୁଇଟରରେ ବିରୋଧ କଲେ ସିନେମାର ଲାଭ ବା କ୍ଷତି କିଛି ହେବାର ନାହିଁ। ଏପରିକି ଦୀପିକା ଜେଏନୟୁ ଆସିବା ସହିତ ମଧ୍ୟ ତାଙ୍କ ସିନେମାର ସମ୍ପର୍କ ନାହିଁ। ଦୀପିକାଙ୍କ ସିନେମାକୁ ଜେଏନୟୁ ସହିତ ଯୋଡିବାର ସବୁ ଶ୍ରେୟ ବିଜେପି ଓ ଏହାର ଭକ୍ତଙ୍କ ପାଖକୁ ଯିବ। ଦୀପିକା ଜେଏନୟୁ ଆସିବେ ବୋଲି ନା ଗଣମାଧ୍ୟମ ପାଖରେ ଖବର ଥିଲା ନା ସେ ବିଷୟରେ କିଛି ପ୍ରଚାର ହୋଇଥିଲା। ଜେଏନୟୁ ପିଲାମାନେ ଏ ସମ୍ପର୍କରେ ନିଜର ଫେସବୁକ ଓ ଟୁଇଟରରେ ଫଟୋ ଛାଡିବା ପରେ ଯାଇ, ଗଣମାଧ୍ୟମ ଏ ଖବର ଜାଣିଲା। ଖବର ଆସିଲା ପରେ ତୁରନ୍ତ ବିଜେପିର ଦୁଇ ଲୋକସମ୍ପର୍କ ଚାନେଲ “ରିପବ୍ଲିକ ଟିଭି” ଓ “ଟାଇମ୍ସ ନାଓ” ଏହି ଘଟନା ସହିତ ଦୀପିକାଙ୍କ ସିନେମାକୁ ଯୋଡିଥିଲେ।

ଯଦି ଦୀପିକାଙ୍କର ପ୍ରଚାର ଦରକାର ଥିଲା, ତାହେଲେ ସେ ନିଜର ଲୋକସମ୍ପର୍କ ବିଭାଗକୁ ସେହି କାମରେ ଲଗାଇ ପାରିଥାନ୍ତେ। ତେବେ ଦୀପିକାଙ୍କ ଲୋକସମ୍ପର୍କ କାମଟି ଏବେ ବିଜେପି ମାଗଣାରେ କରୁଛି। #ବୟକଟ ଛପକ ଭଳି ସ୍ଲୋଗାନ ମାଧ୍ୟମରେ ଦୀପିକାଙ୍କ ନୂଆ ସିନେମାର ଜୋରଦାର ପ୍ରଚାର ଏବେ ବିଜେପି ହିଁ କରୁଛି। ଏହି ସିନେମାକୁ ବିରୋଧ କରିବା ଜେ ଏକ ମାନବୀୟ ଅପରାଧ ସେକଥା ବିଜେପିର ଆଇଟି ସେଲ ବୋଧେ ବୁଝି ପାରୁନାହିଁ। ଏସିଡ ପୀଡ଼ିତା ଜଣେ ମହିଳାଙ୍କ ଜୀବନ ସଂଘର୍ଷ ଉପରେ ନିର୍ମିତ ଏହି ସିନେମାକୁ ବର୍ଜନ କରିବାକୁ ଦେଶର ଶାସକ ଦଳ କହିବା ଆଗରୁ ଏ ପ୍ରସଙ୍ଗରେ ହଜାର ଥର ଭାବିବା ଉଚିତ। ତେବେ ବିଜେପିର ଭାବନା ଶକ୍ତି ଯେ ଅଛି, ତାହା ମଧ୍ୟ ଏକ ପ୍ରଶ୍ନବାଚୀ!

ନାଗରିକତା ସଂଶୋଧନ ଆଇନ ଓ ଜେଏନୟୁ ମାମଲାରେ ବିଜେପି ନିଜର ପାରମ୍ପରିକ ଆକ୍ରାମକ ପ୍ରଚାର ଜରିଆରେ ଜନମତକୁ ଭୂତେଇ ଦେବା ବୋଲି ଭାବୁଥିଲା। ତେବେ ଏହି ଦୁଇଟି ପ୍ରସଙ୍ଗରେ ଦେଶର ସବୁଠୁ ଶିକ୍ଷିତ ଓ ପ୍ରଭାବଶାଳୀ ନାଗରିକ ସମାଜ ସରକାରକୁ ଗୁଡେଇ ତୁଡେଇ ପ୍ରଶ୍ନ ପଚାରିବା ଆରମ୍ଭ କରିଛି। ଘୃଣା ଓ ବିଭାଜନ ରାଜନୀତି ବିରୋଧରେ ପ୍ରଥମଥର ଲାଗି ବଲିଉଡର ବହୁ ବିଖ୍ୟାତ ତାରକା ରାସ୍ତାକୁ ଓହ୍ଲାଇଛନ୍ତି। ଏହା ବିଜେପି କେବେ ଆଶା କରୁନଥିଲା। ବିଜେପିର ଧାରଣା ଥିଲା, ପୁରା ଦେଶ ସରକାର ଆଗରେ ନତ ମସ୍ତକ ହେବାକୁ ବାଧ୍ୟ। ବଲିଉଡ ସିନେମାରେ ଯେହେତୁ ଏକ ବଡ ଜନାଧାର ରହିଛି, ତେଣୁ ସେମାନଙ୍କ ଉପରେ ରାଜନୈତିକ ଚାପ ପକାଇ ନୀରବ କରିଦେବା ବିଜେପି ପାଇଁ ସହଜ ବାଟ ଥିଲା। ହେଲେ ଦିନକୁ ଦିନ ବାଇଉଡରେ ସରକାରକୁ ପ୍ରଶ୍ନ ପଚାରିବାର ସାହସ ବଢି ଚାଲିଛି। ଆଗରୁ କେବଳ ସ୍ଵରା ଭାସ୍କର, ଜାଭେଦ ଅଖତାର, ଶବାନା ଆଜମିଙ୍କ ଭଳି କିଛି ହାତଗଣତି ତାରକା ରାଜନୈତିକ ମତ ରଖିବାକୁ ସାହସ କରୁଥିଲେ। ହେଲେ ଇତିମଧ୍ୟରେ ନୂଆ ପୀଢିର ନାୟକ ନାୟିକାମାନେ ନିଜ ରାଜନୀତିକୁ ଆଉ ଲୁଚେଇବାକୁ ଚାହୁଁ ନାହାନ୍ତି।

ପୂର୍ବରୁ ସାମାଜିକ ବାସ୍ତବତା ବିଷୟରେ କିଛି ଟିପ୍ପଣୀ ଦେବାକୁ ଯାଇ ଶାହରୁଖ ଖାନ ଓ ଅମିର ଖାନଙ୍କୁ ଢେର ମୂଲ୍ୟ ଦେବାକୁ ପଡିଛି। ବିଜେପି ସମର୍ଥକମାନେ ଅମିର ଖାନଙ୍କୁ ଚାରି ବର୍ଷ ଭୟଙ୍କର ହଟହଟା କରିଥିଲେ। ଭୟ ଓ ଗୁଣ୍ଡାମିକୁ ବେଖାତିର କରି ଦୀପିକା ପାଦୁକୋନ ଆଜି ଯେତେବେଳେ ଜେଏନୟୁ କୁ ନୀରବ ସମର୍ଥନ ଦେଇଛନ୍ତି, ତାହା ନିଶ୍ଚିତ ଭାବରେ ଜଣେ ସାହସୀ ନାୟିକାର ଲକ୍ଷଣ। ବିଜେପି ଟ୍ରୋଲଙ୍କ ଗାଳି ଘୃଣାକୁ ଅଣଦେଖା କରି ଦୀପିକା ଯାହା କରିଛନ୍ତି, ତାହା ପ୍ରତ୍ୟେକ ଗଣତନ୍ତ୍ର ର ସମର୍ଥକଙ୍କୁ ପ୍ରଭାବିତ କରିବ ।

Categories
ଆଜିର ଖବର ମନୋରଂଜନ

ଜେଏନ୍‌ୟୁରେ ଦୀପିକାଙ୍କ ନୀରବ ପ୍ରତିବାଦ ନେଇ ଟ୍ବିଟ୍ଟରରେ ମିଶ୍ର ପ୍ରତିକ୍ରିୟା

ନୂଆଦିଲ୍ଲୀ : ଜଓ୍ବାହାର ଲାଲ ନେହେରୁ ବିଶ୍ବବିଦ୍ୟାଳୟ ଜେଏନ୍‌ୟୁ)ରେ ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ନୀରବ ପ୍ରତିବାଦ ପରେ ଏହାକୁ ନେଇ ମିଶ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି । ଅପ୍‌କମିଙ୍ଗ ଫିଲ୍ମ ଛପାକ୍‌ର ପ୍ରମୋଶନ ପାଇଁ ଦିଲ୍ଲୀରେ ରହିଥିବା ଦୀପିକା ମଙ୍ଗଳବାର ରାତିରେ ଆହତ ଛାତ୍ର ମାନଙ୍କ ସହିତ ପ୍ରତିବାଦରେ ସାମିଲ ହୋଇଥିଲେ । ଦୀପିକାଙ୍କ ପ୍ରତିବାଦ ସମ୍ପୂର୍ଣ୍ଣ ଭାବରେ ନୀରବ ପ୍ରତିବାଦ ରହିଥିଲା । ଦୀପିକାଙ୍କ ପ୍ରତିବାଦକୁ ସୋସିଆଲ ମିଡିଆ ସାଇଟ୍‌ ଟ୍ବିଟ୍ଟରରେ ବିଭିନ୍ନ ବର୍ଗରୁ ପସନ୍ଦ କରାଯାଇଥିବା ବେଳେ କିଛି ବ୍ୟକ୍ତିବିଶେଷ ଏହାକୁ ବିରୋଧ କରିଥିଲେ । ଆଇ ସପୋର୍ଟ ଦୀପିକା,ବୟକଟ୍‌ ଛପାକ୍‌ ଏବଂ ସେମଅନ୍‌ ବଲିଉଡ୍‌ ପରି ଟ୍ୟାଗ୍‌ ଟ୍ରେଣ୍ଡିଂରେ ରହିଥିଲା । ବଲିଉଡ୍‌ କଳାକାରଙ୍କ ମଧ୍ୟରେ ଦୁଇ ନିର୍ଦ୍ଦେଶକ ଅନୁରାବ କଶ୍ୟପ ଏବଂ ନିଖିଲ ଆଡଭାନୀ ଦୀପିକାଙ୍କୁ ସମର୍ଥନ କରି ଟ୍ବିଟ୍‌ କରିଥିଲେ । ଦୁଇ ଦିନ ପରେ ପିଲ୍ମର ରିଲିଜ୍‌ ଏବଂ ଦୀପିକା ନିଜେ ଫିଲ୍ମର ପ୍ରଯୋଜକ ରହିଥିବା ବେଳେ ଦୀପିକାଙ୍କ ଏପରି ପଦକ୍ଷେପ ପ୍ରଶଂସନୀୟ ବୋଲି ଅନୁରାଗ ଟ୍ବିଟ୍‌ କରିଥିଲେ । (ଏଜେନ୍ସୀ)

Categories
ଆଜିର ଖବର ଜାତୀୟ ଖବର

ଜେଏନ୍‌ୟୁ ଆକ୍ରମଣ ପ୍ରତିବାଦରେ ପରିସଂଖ୍ୟାନ କମିଟିରୁ ଇସ୍ତଫା ଦେଲେ ସିପି ଚନ୍ଦ୍ରଶେଖର

ନୂଆଦିଲ୍ଲୀ : ଜେଏନ୍‌ୟୁରେ ଆକ୍ରମଣର ଦୁଇ ଦିନ ପରେ ଏହାର ପ୍ରତିବାଦରେ ବିଶ୍ବବିଦ୍ୟାଳୟର ପରିସଂଖ୍ୟାନ କମିଟିରୁ ଇସ୍ତଫା ପ୍ରଦାନ କରିଛନ୍ତି ପ୍ରଫେସର ସିପି ଚନ୍ଦ୍ରଶେଖର । ବିଶ୍ବବିଦ୍ୟାଳୟର ଅର୍ଥନୀତି ଉପରେ ରିପୋର୍ଟ ପ୍ରଦାନ ପାଇଁ ଏହି ପରିସଂଖ୍ୟାନ କମିଟି ଗଠିତ ହୋଇଥିଲା । ରବିବାର ସଙ୍ଗଠିତ ଆକ୍ରମଣ ବିରୋଧରେ ନୀରବ ପ୍ରତିବାଦ ସ୍ବରୂପ ଚନ୍ଦ୍ରଶେଖର ନିଜ ପଦବୀରୁ ଇସ୍ତଫା ପ୍ରଦାନ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ରବିବାର ଦିନ ସନ୍ଧ୍ୟାରେ କିଛି ମୁଖାପିନ୍ଧା ଦୁର୍ବୃର୍ତ୍ତ ବିଶ୍ବବିଦ୍ୟାଳୟ ପରିସର ମଧ୍ୟରେ ପଶି ଛାତ୍ରଛାତ୍ରୀଙ୍କୁ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ 18ରୁ ଅଧିକ ଛାତ୍ରଛାତ୍ରୀ ଆହତ ହୋଇଥିଲେ । (ଏଜେନ୍ସୀ)

Categories
ଆଜିର ଖବର ଜାତୀୟ ଖବର

ଗେଟଓ୍ବେ ଅଫ୍‌ ଇଣ୍ଡିଆରେ ଜେଏନ୍‌ୟୁ ଆକ୍ରମଣର ପ୍ରତିବାଦ : ବିକ୍ଷୋଭକାରୀଙ୍କୁ ସ୍ଥାନାନ୍ତର କଲା ପୋଲିସ୍‌

ମୁମ୍ବାଇ : ନୂଆଦିଲ୍ଲୀ ଜଓ୍ବାହାର ଲାଲ ନେହେରୁ ୟୁନଭର୍ସିଟି (ଜେଏନ୍‌ୟୁ)ରେ ଛାତ୍ର ଏବଂ ଅଧ୍ୟାପକଙ୍କ ଉପରେ ହୋଇଥିବା ଆକ୍ରମଣ ପ୍ରତିବାଦରେ ମୁମ୍ବାଇର ଇଣ୍ଡିଆ ଗେଟ୍‌ରେ ଶତାଧିକ ବିକ୍ଷୋଭକାରୀ ଜମା ହୋଇଥିଲେ । ମାତ୍ର ଟ୍ରାଫିକ୍‌ ସମସ୍ୟା ଦେଖା ଦେବାରୁ ପୋଲିସ୍‌ ବିକ୍ଷୋଭକାରୀଙ୍କୁ ସ୍ଥାନାନ୍ତର କରିଥିଲା । ଗେଟଓ୍ବେ ଅଫ୍‌ ଇଣ୍ଡିଆରୁ 2 କିମି ଦୂର ଆଜାଦ ମୈଦାନକୁ ସମସ୍ତ ବିକ୍ଷୋଭକାରୀଙ୍କୁ ସ୍ଥାନାନ୍ତର କରିଥିଲା । ପୋଲିସ୍‌ ବିକ୍ଷୋଭକାରୀଙ୍କୁ ହଟାଇବା ପାଇଁ ପ୍ରୟାସ କରି ବିଫଳ ହେବା ପରେ ବଳପୂର୍ବକ ବିକ୍ଷୋଭକାରୀଙ୍କୁ ନେଇ ଆଜାଦ ମୈଦାନରେ ଛାଡିଥିଲା । ମୁମ୍ବାଇ ପୋଲିସ୍‌ର କାର୍ଯ୍ୟଶୈଳୀକୁ ସୋସିଆଲ ମିଡିଆରେ ନାପସନ୍ଦ କରାଯାଇଛି ।