Categories
ବିଶେଷ ଖବର ରାଜ୍ୟ ଖବର

ନବୀନଙ୍କ ବଡ ନିଷ୍ପତି, ଆଉ ତିନି ବର୍ଷ ପାଇଁ ବଢିଲା କାଳିଆ ଯୋଜନା, କ୍ୟାବିନେଟ ବୈଠକରେ ଅନୁମୋଦନ

ଭୁବନେଶ୍ବର: ଆଜି ରାଜ୍ୟ ସରକାର ଓଡିଶାର ଲୋକପ୍ରିୟ ଯୋଜନା କାଳିଆ କୁ ଆଉ ତିନି ବର୍ଷ ପାଇଁ ବୃଦ୍ଧି କରିଛନ୍ତି। ଆଜି ରାଜ୍ୟ କ୍ୟାବିନେଟରେ ଏହାକୁ ଅନୁମୋଦନ ମିଳିଛି। ଫଳରେ ୨୦୨୫-୨୬-୨୭ ମସିହା ପର୍ଯ୍ୟନ୍ତ ଏହି ଯୋଜନା ଚାଲୁ ରହିବ।

ଚାଷୀମାନେ ଯେପରି ବାର୍ଷିକ ୧୨୫୦୦ ଟଙ୍କା ଦୁଇଟି କିସ୍ତିରେ ପାଉଥିଲେ ତାହା ଆଉ ତିନି ବର୍ଷ ଦିଆଯିବ। ଏଥିପାଇଁ ରାଜ୍ୟ ରାଜକୋଷରୁ ୬ ହଜାର ୨୯ କୋଟି ୭୦ ଲକ୍ଷ ଟଙ୍କା ବ୍ୟୟ ହେବ। ଏହାକୁ ଆଜି ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛନ୍ତି।

ଆଜି ରାଜ୍ୟ କ୍ୟାବିନେଟର ୭୪ ତମ ବୈଠକ ଲୋକ ସେବା ଭବନର ତୃତୀୟ ମହଲା ସମ୍ମିଳନୀ କକ୍ଷରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ।

ରାଜ୍ୟ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ସଂପର୍କରେ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ମନ୍ତ୍ରୀ ଶ୍ରୀ ସୁଦାମ ମାର୍ଣ୍ଡି ଏବଂ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା କ୍ୟାବିନେଟରେ ପାରିତ ହୋଇଥିବା ବିଭିନ୍ନ ପ୍ରସ୍ତାବ ସଂପର୍କରେ ବିଶଦ ସୂଚନା ଦେଇଥିଲେ ।

ଆଜିର କ୍ୟାବିନେଟ ବୈଠକରେ ୧୩ ଟି ବିଭିନ୍ନ ବିଭାଗ ର ୧୬ ଟି ପ୍ରସ୍ତାବ ଆଗତ କରାଯାଇ ଥିଲା ବେଳେ ସମସ୍ତ ପ୍ରସ୍ତାବ ପାରିତ ହୋଇଛି।  ଅନୁଷ୍ଠିତ ପ୍ରେସ ବିବୃତ୍ତି ସମୟରେ ପ୍ରମୁଖ ଶାସନ ସଚିବ ଡଃ ଅରବିନ୍ଦ କୁମାର ପାଢ଼ୀ, ପ୍ରମୁଖ ଶାସନ ସଚିବ ଶ୍ରୀ ସୁଶୀଲ କୁମାର ଲୋହାନୀ, କମିଶନର ତଥା ଶାସନ ସଚିବ ଅଶ୍ୱଥି ଏସ,କମିଶନର ତଥା ଶାସନ ସଚିବ ଶ୍ରୀ ଅରବିନ୍ଦ ଅଗ୍ରୱାଲ ମଧ୍ୟ ଉପସ୍ଥିତ ଥିଲେ।

Categories
ବିଶେଷ ଖବର

କାଳିଆ ଟଙ୍କାକୁ କେହି ରୋକିପାରିବେ ନାହିଁ, ନିର୍ବାଚନ ପ୍ରତିଶୃତିକୁ ପାଳନ କଲେ ନବୀନ, କାଳିଆ ଟଙ୍କା ବାଣ୍ଟିବାକୁ ଦେଲେ ନିର୍ଦ୍ଦେଷ

ସମୀକ୍ଷା ବ୍ୟୁରୋ

କାଳିଆ ଟଙ୍କାକୁ କେହି ରୋକି ପାରିବେ ନାହିଁ। ସରକାର ଆସିଲେ ପ୍ରଥମ ଦିନରେ ଏହି ଟଙ୍କା ଦିଆଯିବ। ସେହି ପ୍ରତିଶୃତିକୁ ହିଁ କାର୍ଯ୍ୟରେ କରି ଦେଖାଇ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶପଥ ଗ୍ରହଣ ପରେ ନବୀନ ତାଙ୍କର ନୂଆ ମନ୍ତ୍ରୀମଣ୍ଡଳକୁ ନେଇ ରାଜ୍ୟ ସଚିବାଳୟରେ କରିଥିଲେ ବୈଠକ। ପ୍ରଥମେ ମନ୍ତ୍ରୀ ପରିଷଦ, ପରେ କ୍ୟାବିନେଟ ବୈଠକ କରି ନେଲେ ଏହି ବଡ ନିଷ୍ପତି। ତାହା ହେଲା ଆଜିଠାରୁ କାଳିଆ ଟଙ୍କା ବାଣ୍ଟିବା ପାଇଁ ଦେଲେ ନିର୍ଦ୍ଦେଶ। ସପ୍ତାହ ମଧ୍ୟରେ ଏହି କାର୍ଯ୍ୟ ଶେଷ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଲେ। ସେତିକି ନୁହେଁ ଏଥର କାଳିଆ ଯୋଜନାରେ ରାଜ୍ୟର 75 ଲକ୍ଷ ଚାଷୀ ପରିବାର ସାମିଲ କରିବାକୁ ନବୀନ ଘୋଷଣା କରିଛନ୍ତି । ପୂର୍ବରୁ ଏହି ଯୋଜନାରେ 42 ଲକ୍ଷ ପରିବାର ଉପକୃତ ହେବାର ବ୍ୟବସ୍ଥା କରାଯାଇଥିଲା। ବର୍ତ୍ତମାନ ଆଉ ଅଧିକ 33 ଲକ୍ଷ ପରିବାରଙ୍କୁ ଏହି ଯୋଜନାରେ ସାମିଲ କରାଗଲା।

ଏହି ଘୋଷଣା କରି ନବୀନ ବିଜେପି ଦଳକୁ ଏକ ଶକ୍ତ ଚାପୁଡା ମାରିଛନ୍ତି ବୋଲି କହିଲେ ଅତ୍ୟୁକ୍ତ ହେବ ନାହିଁ। କାରଣ ନିର୍ବାଚନ ସମୟରେ କାଳିଆ ଟଙ୍କାକୁ ନେଇ ସୃଷ୍ଟି ହୋଇଥିଲା ତୁମ୍ବି ତୋଫାନ। ନିର୍ବାଚନ କଟକଣା ନେଇ କାଳିଆ ଟଙ୍କା ପ୍ରଦାନକୁ ସେତେବେଳେ ରୋକାଯାଇଥିଲା। ଏ ନେଇ ବିଜେଡି ନିର୍ବାଚନ କମିଶନରଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କେହି ଶୁଣି ନ ଥିଲେ। ବହୁ ଦିନ ପରେ ନିର୍ବାଚନ ଅଧିକାରୀ ମୁଖ୍ୟ ଶାସନ ସଚିବଙ୍କୁ ଏ ସଂପର୍କରେ ତଥ୍ୟ ମାଗି ନିରବ ରହିଥିଲେ। ହେଲେ ପୂର୍ବରୁ ପ୍ରଦାନ କରାଯାଉଥିବା ଏହି ଟଙ୍କାକୁ ସେତେବେଳେ କଳେବଳେ ରୋକି ଦିଆଗଲା। ଭୟଥିଲା କାଳେ ବିଜେଡି ଏହାକୁ ନେଇ ଅଧିକ ଭୋଟ ହାତେଇ ନେଇଯିବ। ଶେଷରେ ରାଜନୈତିକ ଚାପରେ ଏହି ଟଙ୍କା ପ୍ରଦାନ ନେଇ କୌଣସି ରାସ୍ତା ନ ଖୋଲିବାରୁ ଟଙ୍କା ପ୍ରଦାନ ବନ୍ଦ ରଖାଯାଇଥିଲା। ବାଧ୍ୟ ହୋଇ ମୁଖ୍ୟମନ୍ତ୍ରୀ ସେତେବେଳେ ନିର୍ବାଚନୀ ସଭାରେ କାଳିଆ ଟଙ୍କାକୁ କୌଣସି ଶକ୍ତି ରୋକିପାରିବ ନାହିଁ ବୋଲି କହିଥିଲେ। ଏପରିକି ସରକାର ଆସିଲେ ପ୍ରଥମ ଦିନରେ ଏହି ଟଙ୍କା ପ୍ରଦାନ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ। ସେହି ପ୍ରତିଶୃତିକୁ ପାଳନ କରି ନବୀନ ପଞ୍ଚମ ପାଳିର ପ୍ରଥମ ଦିନରେ କାଳିଆ ଟଙ୍କା ବାଣ୍ଟିବା ପାଇଁ ଦେଇଛନ୍ତି ନିର୍ଦ୍ଦେଶ।

କେବଳ ଚାଷୀ ନୁହେଁ ମହିଳାମାନଙ୍କୁ ସଶକ୍ତ କରିବାକୁ ନବୀନ ସ୍ବୟଂ ସହାୟକ ଗୋଷ୍ଠୀ ପାଇଁ ମଧ୍ୟ ବଡ ଘୋଷଣା କରିଛନ୍ତି। ତାହା ହେଲା ସରକାରୀ ସ୍ତରରେ ଆବଶ୍ୟକ ହେଉଥିବା ବିଭିନ୍ନ ପଦାର୍ଥ ଉତ୍ପାଦନ କରିବା ପାଇଁ ସ୍ବୟଂ ସହାୟକ ଗୋଷ୍ଠୀଗୁଡିକୁ ପ୍ରଦାନ କରାଯିବ। ଏଥିରେ ବାର୍ଷିକ 10 ହଜାର କୋଟି ଟଙ୍କାର କାମ ଏହି ଗ୍ରୁପଗୁଡିକ ପାଇବେ ବୋଲି ନବୀନ ଘୋଷଣା କରିଛନ୍ତି। ଏଥିରେ ପ୍ରଥମ ପର୍ଯ୍ୟାୟରେ ସ୍କୁଲ ପିଲାଙ୍କ ୟୁନିଫର୍ମ, ନାପକିନ, ମଧ୍ୟାହ୍ନ ଭୋଜନ, ଧାନକିଣା, ଡାକ୍ତରଖାନା ଖାଦ୍ୟ ଏବଂ ମଶାରୀ ପ୍ରଭୃତି ଉତ୍ପାଦନ କାର୍ଯ୍ୟକୁ ସାମିଲ କରାଯାଇଛି।  ନିର୍ବାଚନ ସମୟରେ ମହିଳା ସଶକ୍ତିକରଣ ଉପରେ ମଧ୍ୟ ନବୀନ ଘୋଷଣା କରିଥିଲେ। ମା ମାନଙ୍କ ପାଇଁ ମିଶନ ଶକ୍ତିକୁ ଆହୁରି ସୁଦୃଢ କରାଯିବ ବୋଲି ସେତେବେଳେ ମଧ୍ୟ ନବୀନ କହିଥିଲେ। ଏପରିକି ମିଶନ ଶକ୍ତିର ଜଣେ ମହିଳାଙ୍କୁ ସାଂସଦ ପ୍ରାର୍ଥୀ କରି ନବୀନ ଏକ ଇତିହାସ ସୃଷ୍ଟି କରିଥିଲେ। ଯାହାକୁ ନେଇ ସାରା ଦେଶରେ ଆଲୋଚନା ଚାଲିଛି।

Categories
ବିଶେଷ ଖବର

ପଞ୍ଚମ ପାଳିରେ କଣ ରହିବ ନବୀନ ପଟ୍ଟନାୟକଙ୍କ ପ୍ରଥମ ଶହେ ଦିନର ଲକ୍ଷ୍ୟ !

କେଦାର ମିଶ୍ର

ଓଡିଶାର ରାଜନୈତିକ ଇତିହାସରେ ବାରମ୍ବାର ନୂଆ ଅଧ୍ୟାୟ ଯୋଡି ଚାଲିଥିବା ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ମଇ ୨୯ ତାରିଖ ଦିନ ୧୧ଟାରେ ପଞ୍ଚମଥର ଲାଗି ପଦ ଓ ଗୋପନୀୟତାର ଶପଥ ନେବେ। ଲଗାତାର ପାଞ୍ଚ ଥର ମୁଖ୍ୟମନ୍ତ୍ରୀ ହେବାରେ ନବୀନ ବାବୁ ହେଉଛନ୍ତି ଜ୍ୟୋତି ବସୁ ଓ ପବନ କୁମାର ଚାମଲିଙ୍ଗ ଙ୍କ ପରେ ତୃତୀୟ ରାଜନେତା। ପ୍ରଥମ ଦୁଇ ପାଳି ବିଜେପି ସହ ମେଣ୍ଟ ସରକାରର ନେତୃତ୍ୱ ନେଇଥିବା ନବୀନ ବାବୁ ଗତ ତିନୋଟି ଯାକ ନିର୍ବାଚନରେ ନିଜ ଦଳକୁ ଦୁଇ ତୃତୀୟାଁଶ ଆସନରେ ଜିତାଇବାର ବିରଳ ଗୌରବ ପାଇଛନ୍ତି। ୧୯ ବର୍ଷ ଶାସନରେ ରହିବା ପରେ ମଧ୍ୟ ଓଡିଶାର ଜନସାଧାରଣ ନବୀନଙ୍କ ଉପରେ ଆସ୍ଥା ପୋଷଣ କରିଛନ୍ତି ଓ ବିଜୁ ଜନତା ଦଳକୁ ୧୧୨ ଆସନରେ ବିଜୟୀ କରାଇଛନ୍ତି।

ପଞ୍ଚମ ପାଳିରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ବେଳେ ନବୀନଙ୍କ ଲାଗି ବହୁ ଆହ୍ଵାନ ରହିଛି। ୨୦୦୦ ମସିହାରେ ସେ ଯେତେବେଳେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ, ତାର ଠିକ ବର୍ଷକ ପୂର୍ବରୁ ମହାବାତ୍ୟାରେ ଓଡିଶା ଏକ ପ୍ରକାର ଉଜୁଡି ଯାଇଥିଲା। ସଂପୂର୍ଣ୍ଣ ଭାବରେ ଉଜୁଡି ଯାଇଥିବା ଗୋଟେ ରାଜ୍ୟର ଅର୍ଥନୀତିକୁ ସଜାଡିବାର ଗୁରୁ ଦାୟିତ୍ଵ ନବୀନ ତୁଲାଇ ଆସିଛନ୍ତି। ୨୦୧୯ ନିର୍ବାଚନ ସରିବା ପରେ ପରେ ଗତ ମଇ ୩ ତାରିଖ ଦିନ ପ୍ରବଳ ବାତ୍ୟା ମାଡରେ ପୁରୀ, ଭୁବନେଶ୍ୱର ଓ କଟକ ତଥା ଅନ୍ୟ ୬ ଟି ଉପକୂଳ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ତେଣୁ ପଞ୍ଚମ ପାଳିରେ ସରକାର ଗଢିବାକୁ ଯିବାବଳେ ପ୍ରାକୃତିକ ଦୁର୍ବିପାକକୁ ମୁକାବିଲା କରିବାର ଏକ ବଡ ଏଜେଣ୍ଡା ନବୀନ ବାବୁଙ୍କ ପାଖରେ ରହିଛି। ପଞ୍ଚମ ପାଳିର ନବୀନ ସରକାର ପାଇଁ ପ୍ରଥମ ୧୦୦ ଦିନର ଏଜେଣ୍ଡା କଣ ରହିବ ସେ ବିଷୟରେ ଏକ ଆକଳନ ଆମେ ପ୍ରସ୍ତୁତ କରୁଛୁ-

ପ୍ରଥମ ଦିନରେ “କାଳିଆ” ଯୋଜନା ଲାଗି ପଇସା

ନିର୍ବାଚନ ସମୟରେ ନୂଆ ସରକାର ଗଢା ହେବାର ପ୍ରଥମ ଦିନରେହିଁ “କାଳିଆ” ଯୋଜନା ପାଇଁ ଦ୍ଵିତୀୟ ତାଲିକାର ପଇସା କୃଷକଙ୍କ ବ୍ୟାଙ୍କ ଖାତାରେ ପଇଠ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ଗତ ସରକାର ଅତିରିକ୍ତ ବଜେଟରେ ଏଥିଲାଗି ଅର୍ଥ ବରାଦ କରିଥିଲେ ମଧ୍ୟ ନିର୍ବାଚନ ଆଚରଣ ବିଧି ଆଳରେ ନିର୍ବାଚନ କମିଶନ ଏହି ଅର୍ଥକୁ ଅଟକ ରଖିଥିଲେ। ଏଥିପାଇଁ ନିଜେ ମୁଖ୍ୟମନ୍ତ୍ରୀ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ତୁରନ୍ତ ଚାଷୀ ମାନଙ୍କୁ କାଳିଆ ପଇସା ଦେବାକୁ ଦାବୀ କରିଥିଲେ ମଧ୍ୟ କମିଶନ ତାହା କାର୍ଯ୍ୟକାରୀ କରି ନଥିଲେ। ତେଣୁ ପ୍ରତିଶ୍ରୁତି ମୁତାବକ ନୂଆ ସରକାରର ପ୍ରଥମ ଦିନରେ ଏହା କରାଯିବ ବୋଲି ଆଶା କରାଯାଉଛି।

ରଥଯାତ୍ରା ଆୟୋଜନ ଓ ଶ୍ରୀମନ୍ଦିର ସଂସ୍କାର

“ଫନୀ” ବାତ୍ୟାରେ ଐତିହାସିକ ପୁରୀ ସହର ପୂରା ଛାରଖାର ହୋଇଯାଇଛି। ସହରର ବିଜୁଳି ଓ ପାନୀୟ ଜଳ ବ୍ୟବସ୍ଥା ଏଯାଏ ସ୍ଵାଭାବିକ ହୋଇନାହିଁ। ମାସେ ପାଖାପାଖି ପୁରୀ ସହରବାସୀ ଅନ୍ଧାରରେ ରହିଛନ୍ତି। ଭିତ୍ତିଭୂମିର ବ୍ୟାପକ କ୍ଷୟକ୍ଷତି ଭିତରେ ରଥଯାତ୍ରା କେମିତି ସଠିକ ଭାବରେ ଆୟୋଜନ କରାଯିବ ତାହା ଏବେ ସରକାରଙ୍କର ସବୁଠୁ ବଡ ଚିନ୍ତା ହେବାକୁ ଯାଉଛି। ପୁରୀରେ ତୀର୍ଥଯାତ୍ରୀ ଓ ପର୍ୟଟକ ରହିବାର ସବୁ ବ୍ୟବସ୍ଥା ଉଜୁଡି ଯାଇଛି। ହୋଟେଲ ଶିଳ୍ପ ପୂରା ଠପ। ସ୍ୱାସ୍ଥ୍ୟ, ପରିମଳ, ଗମନାଗମନ, ପାନୀୟ ଜଳ ଓ ଲୋକଙ୍କ ରହିବା ବ୍ୟବସ୍ଥାକୁ ନେଇ ବିରାଟ କାମ ପଡିଛି। ତେଣୁ ନୂଆ ସରକାର ଯୁଦ୍ଧକାଳୀନ ଭିତ୍ତିରେ ରଥଯାତ୍ରା ଆୟୋଜନ ଉପରେ ସର୍ବାଗ୍ରେ ଗୁରୁତ୍ଵ ଦେବେ। ଏହା ସହିତ ମନ୍ଦିର ପରିଚାଳନା ଓ ସେବାୟତଙ୍କୁ ନେଇ ବାରମ୍ବାର ଉପୁଜୁଥିବା ଅସନ୍ତୋଷ ଓ ବିଶ୍ରୂଙ୍ଖଳା ଉପରେ ମଧ୍ୟ ସରକାରଙ୍କୁ କିଛି ଗୋଟାଏ ନିଷ୍ପତ୍ତି ନେବାକୁ ପଡିବ। ତେବେ ସୁପ୍ରିମ କୋର୍ଟର ନିର୍ଦ୍ଦେଶ ଓ ସେବାୟତଙ୍କ ସନ୍ତୋଷ ଭିତରେ ସମନ୍ଵୟ ରଖିବା ସରକାରଙ୍କ ପ୍ରାଥମିକ ଦାୟିତ୍ଵ ହେବ।

ବାତ୍ୟା ପରବର୍ତ୍ତୀ ଓଡିଶା ପୁନର୍ଗଠନ

ବାତ୍ୟାରେ ଉଜୁଡି ଯାଇଥିବା ଭୁବନେଶ୍ୱର, ପୁରୀ, କଟକ ଓ ଖୁର୍ଦ୍ଧା ସହର ସମେତ ଗ୍ରାମାଞ୍ଚଳର ପୁନର୍ଗଠନ ଲାଗି “ଓଡିଶା ନବନିର୍ମାଣ” ପ୍ରକଳ୍ପ ଉପରେ ସରକାର ଗୁରୁତ୍ଵ ଦେବେ। ବିଜୁଳି, ଟେଲି ଯୋଗାଯୋଗ ଓ ପାନୀୟ ଜଳ କ୍ଷେତ୍ରରେ ସରକାର “ଫନି” ରୁ ଅନେକ ଶିକ୍ଷା ପାଇଛନ୍ତି। ଭୂତଳ ବିଦ୍ୟୁତ କେବଲ ବିଛାଇବା ପ୍ରକ୍ରିୟା ଉପରେ ସରକାର ପ୍ରଥମ ଗୁରୁତ୍ଵ ଦେବେ। ହୁଏତ ପ୍ରାକୃତିକ ବିପର୍ୟୟ ମୁକାବିଲା ଲାଗି ଏକ ସ୍ଵତନ୍ତ୍ର ଏକ୍ସନ ପ୍ଳାନ ପ୍ରସ୍ତୁତ କରାଯାଇପାରେ ବୋଲି ଶୁଣାଯାଉଛି। ବାତ୍ୟାରେ କଳିଙ୍ଗ ଷ୍ଟାଡିୟମର ବ୍ୟାପକ କ୍ଷୟକ୍ଷତି ହୋଇଛି। ଆଉ ଅଳ୍ପ ଦିନ ପରେ ଅଲିମ୍ପିକ୍ସ ହକି ଲାଗି ଚୟନ ମ୍ୟାଚ ଗୁଡିକ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ତେଣୁ ଭୁବନେଶ୍ବରକୁ ପୁଣିଥରେ ସଜାଡିବା ଓ କଳିଙ୍ଗ ଷ୍ଟାଡିୟମର ମରାମତି କାମ ସାରିବା ସରକାରଙ୍କ ସବୁଠୁ ବଡ ଦାୟିତ୍ଵ ହେବ।

ପୌର ନିର୍ବାଚନ ଓ ପାଟକୁରା ଉପ ନିର୍ବାଚନ

ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟରେ ପୌର ନିର୍ବାଚନ ହେବା କଥା। ଆଇନଗତ ଅସୁବିଧା କାରଣରୁ ଏହା ଅଟକି ରହିଛି। ବର୍ତ୍ତମାନର ପରିସ୍ଥିତିରେ ସରକାର ତୁରନ୍ତ ପୌର ନିର୍ବାଚନ କରାଇବାକୁ ଚାହିଁବେ। ରାଜ୍ୟରେ ବିଜେଡି ହାୱା ବରକରାର ରହିଥିବାରୁ ଏହାରି ଭିତରେ ପୌର ନିର୍ବାଚନ କରାଇବା ରାଜ୍ୟ ସରକାରଙ୍କ ପ୍ରାଥମିକତା ପାଇପାରେ। ଏହା ସହିତ ବେଦପ୍ରକାଶ ଅଗ୍ରୱାଲାଙ୍କ ମୃତ୍ୟୁ ପରେ ସ୍ଥଗିତ ରହିଥିବା ପାଟକୁରା ବିଧାନସଭା ଆସନ ପାଇଁ ଉପ ନିର୍ବାଚନ ହେବ। ରାଜନୈତିକ ଦୃଷ୍ଟିରୁ ପାଟକୁରାରେ ବିଜୟ ଲାଗି  ବିଜୟ ମହାପାତ୍ରଙ୍କୁ ହରାଇବାକୁ ପଡିବ। ଆଗାମୀ ଦୁଇ ମାସ ଭିତରେ ପାଟକୁରା ବିଜେଡି ସରକାର ଲାଗି ପ୍ରଥମ ରାଜନୈତିକ ଆହ୍ଵାନ ହେବାକୁ ଯାଉଛି।

Categories
ଆଜିର ଖବର

କାଳିଆ ବନାମ କିଶାନ :  ଉଭୟ ବିଜେଡ଼ି ଓ ବିଜେପି ପରସ୍ପର ଉପରେ ଦୋଷ ଲଦାଲଦି

ରାଜ୍ୟ ସରକାରଙ୍କ କୃଷି ଓ କୃଷକମାନଙ୍କ ପାଇଁ ‘କାଳିଆ ଯୋଜନା’ର ଟଙ୍କାକୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ସମସ୍ତ ହିତାଧିକାରୀଙ୍କ ଆକାଉଣ୍ଟକୁ ପଠାଯିବା ପାଇଁ ଘୋଷଣା କରାଯାଇଥିଲା। କିନ୍ତୁ ଏହାକୁ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରୁଛି ବୋଲି ବିଜେପି ବିଜେଡ଼ିକୁ ଟାର୍ଗେଟ କରୁଛି। ତେବେ ଏହି ପ୍ରସଙ୍ଗକୁ ନେଇ ବିଜେଡ଼ି ମୁଖପାତ୍ର ସସ୍ମିତ ପାତ୍ର ଏକ  ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଏହି ସମ୍ମିଳନୀରେ  ବିଜେପି ଚାପଗ୍ରସ୍ତ ହୋଇ ‘କାଳିଆ’ ସହାୟତାକୁ ବିରୋଧ କରୁଛି। ଏବଂ ପ୍ରଧାନମନ୍ତ୍ରୀ କିଷାନ ଯୋଜନାକୁ କାର୍ଯ୍ୟକାରୀ କରାଯାଉଛି। ପିଏମ୍‌ କିଷାନର ଯଥେଷ୍ଟ ଆଗରୁ କାଳିଆ ଯୋଜନା ଆସିଛି ବୋଲି କହିଛନ୍ତି ସସ୍ମିତ।  ବିଜେପି ଏବେ ଚାଷୀ ମାରଣ ନୀତିକୁ ଆପଣାଇଛି। ବିଜେପିର ଚାପରେ ସିଇଓ କାଳିଆ ଟଙ୍କାକୁ ଅଟକାଉଛନ୍ତି ବୋଲି ବିଜେଡ଼ି ଅଭିଯୋଗ କରୁଛି। ତେବେ ନିର୍ବାଚନ ପୂର୍ବରୁ ପ୍ରଶାସନିକ ସ୍ତରରେ ଏନେଇ ଅନୁମତି ନିଆଯାଇଥିବା ସତ୍ତ୍ବେ କାଳିଆ ଟଙ୍କାକୁ ଅବରୋଧ କରାଯିବାକୁ ନେଇ ବିଜେପି ଉପରେ ବର୍ଷିଛନ୍ତି ସସ୍ମିତ ପାତ୍ର। ପିଏମ୍‌ କିଷାନ ଯୋଜନାକୁ ଅନୁମତି ମିଳୁଥିବାବେଳେ କାଳିଆକୁ ଅନୁମତି ନ ମିଳିବାକୁ ନେଇ ଇସିଙ୍କ ଦ୍ବାରସ୍ଥ ହେବେ ବୋଲି ବିଜେଡ଼ି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି।

Categories
ବିଶେଷ ଖବର

କେନ୍ଦ୍ର ବଜେଟ-୨୦୧୯; ନରେନ୍ଦ୍ର ମୋଦୀଙ୍କ ଛୋଟ “କାଳିଆ” ଯୋଜନା

କେଦାର ମିଶ୍ର

ଆସନ୍ତା ମେ ମାସରେ ମୋଦୀ ସରକାରର କାର୍ୟକାଳ ପୂରିବାକୁ ଯାଉଥିବାରୁ ସଂସଦରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବାର ଅଧିକାର ତାଙ୍କର ନାହିଁ। ତେଣୁ ଏକ ମଧ୍ୟବର୍ତ୍ତୀ ବଜେଟକୁ ପୂର୍ଣ୍ଣାଙ୍ଗ ବଜେଟ ଭାବରେ ପରିବେଷଣ କରିବା ସହିତ ଏହାକୁ ନିର୍ବାଚନ ପ୍ରଚାରର ଏକ ଜରିଆ ଭାବରେ ସରକାର ବ୍ୟବହାର କରିଛନ୍ତି। ବଜେଟକୁ ନେଇ ବହୁ କଥା କୁହାଯାଇଛି ଓ ଏ ସମ୍ପର୍କରେ ଆଲୋଚନା ଦିନେ ଦୁଇ ଦିନ ଚାଲିଲା ପରେ ବନ୍ଦ ହୋଇଯିବ। କିନ୍ତୁ ବଜେଟରେ ଦିଆ ଯାଇଥିବା ପ୍ରତିଶୃତିଗୁଡିକ ପାଳନ ହେବ କେମିତି?ଚଳିତ ବର୍ଷ  ଜୁନ ମାସ ପର୍ୟନ୍ତ ଏ ବଜେଟର ବୈଧାନିକ ସମୟସୀମା ରହିଥିବାରୁ ପାଞ୍ଚ ଲକ୍ଷ ପର୍ଯନ୍ତ ଆୟକର ଛାଡ ଘୋଷଣାର ବାସ୍ତବ ରୂପାୟନକୁ ନେଇ ଆଜି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ବଜେଟର ସବୁ ଦିଗକୁ ନଯାଇ, ଏହାର ଗୋଟିଏ ଦିଗ ବିଷୟରେ ତର୍ଜମା କରିବାକୁ ଆମେ ଚାହୁଁଛୁ।

ବଜେଟରେ କୃଷି ଓ କୃଷକର କଲ୍ୟାଣ ଲାଗି ଏକ ବଡ ଯୋଜନାର ଘୋଷଣା ହୋଇଛି ବୋଲି ବିଜେପି ସରକାର କହୁଛନ୍ତି। କଂଗ୍ରେସର ଋଣଛାଡ ଅସ୍ତ୍ରକୁ ପ୍ରତିହତ କରିବାଲାଗି ଚାଷୀଙ୍କୁ ସିଧାସଳଖ ଆର୍ଥିକ ସହାୟତା ଦେବାକୁ ମୋଦୀ ସରକାର ତାଙ୍କର ଅନ୍ତରୀଣ ବଜେଟରେ ବ୍ୟବସ୍ଥା କରିଛନ୍ତି। ତେବେ ଏହି ଯୋଜନା ସିଧାସଳଖ ଓଡିଶା ସରକାରଙ୍କ “କାଳିଆ” ଯୋଜନାର ଅନୁସରଣରେ କରାଯାଇଥିବା ଭଳି ମାନେ ହେଉଛି। ଓଡିଶା ସରକାର ଦୁଇଟି କିସ୍ତିରେ ଚାଷୀଙ୍କ ବ୍ୟାଙ୍କ ଖାତାକୁ ବର୍ଷକୁ ଦଶ ହଜାର ଟଙ୍କା ସହାୟତା ରାଶି ଦେବାର ବ୍ୟବସ୍ଥା କରି ପ୍ରଥମ କିସ୍ତିର ପାଞ୍ଚ ହଜାର ଟଙ୍କା ଲୋକଙ୍କ ପାଖରେ ପହଞ୍ଚାଇ ସାରିଥିବା ବେଳେ କେନ୍ଦ୍ର ସରକାର ଏ ବାବଦରେ ପିଛିଲା ତାରିଖରୁ ଘୋଷଣା କରି ତିନୋଟି କିସ୍ତିରେ ଛଅ ହଜାର ଟଙ୍କା ଦେବାକୁ ଘୋଷଣା କରିଛନ୍ତି। ଏ ସମ୍ପର୍କରେ କଂଗ୍ରେସ ସଭାପତି ନିଜର ପ୍ରତିକ୍ରିୟା ରଖି ଯାହା କହିଛନ୍ତି ସେଥିରେ ରାଜନୀତିର ଗନ୍ଧ ରହିଥିଲେ ମଧ୍ୟ ତାହା ହିଁ ହେଉଛି ଏ ବଜେଟର ବାସ୍ତବତା। ଦିନକୁ ମାତ୍ର ୧୭ ଟଙ୍କାର ସହାୟତା ରାଶି ଯୋଗାଇ ଚାଷୀର କି ପ୍ରକାର ସହାୟତା କରାଯାଇପାରିବ?

ଓଡିଶା ସରକାରଙ୍କ କାଳିଆ ଯୋଜନା କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ କିଶାନ ଯୋଜନାଠାରୁ ଯଥେଷ୍ଟ ବ୍ୟାପକ ଓ ଚାଷୀ ଉପଯୋଗୀ ହେବାର ସମ୍ଭାବନା ରହିଛି। ଯଦିଓ ଉଭୟ ଯୋଜନାରେ ନିର୍ବାଚନୀ ଗଣିତ ରହିଛି ତଥାପି ତୁଳନାତ୍ମକ ଭାବରେ ଓଡିଶା ସରକାର ନିଜ ଯୋଜନାରେ ଭୂମିହୀନ ଚାଷୀ, ଭାଗ ଚାଷୀ ଓ କୃଷି ଶ୍ରମିକଙ୍କୁ ସାମିଲ କରିଛନ୍ତି। କେନ୍ଦ୍ର ସରକାର କେବଳ ଦୁଇ ଏକରରୁ କମ ଜମି ଥିବା ଚାଷୀଙ୍କୁ ତାଙ୍କର ଏ ନାମମାତ୍ର ସହାୟତା ଦେବେ ବୋଲି ଘୋଷଣା କରିଛନ୍ତି। ତେବେ ଏ ବାବଦରେ ହିତାଧିକାରୀ କେବେ ଚିହ୍ନଟ ହେବେ, କିଏ ତାଙ୍କୁ ଚିହ୍ନଟ କରିବା ଓ କେମିତି ଚାଷୀଙ୍କ ଖାତାରେ ପଇସା ଜମା ହେବ ସେ ବିଷୟରେ ଏବେ ମଧ୍ୟ ଚିତ୍ର ଅସ୍ପଷ୍ଟ ରହିଛି। ଚଳିତ ମାସ କୌଣସି ବି ସମୟରେ ସାଧାରଣ ନିର୍ବାଚନ ଘୋଷଣା ହେବାକୁ ଥିବାରୁ, ଆଦର୍ଶ ଆଚରଣ ବିଧି ଲାଗୁ ହେବା ପୂର୍ବରୁ ଏହା ଯେ କାର୍ୟକାରୀ ହୋଇପାରିବ ସେ ସମ୍ଭାବନା ବେଶ କ୍ଷୀଣ। ପୁନଶ୍ଚ ଏହାକୁ କେନ୍ଦ୍ର ସରକାର ରାଜ୍ୟ ସରକାରମାନଙ୍କ ମାଧ୍ୟମରେ ଲାଗୁ କରିବେ ନା ସିଧାସଳଖ ଦିଲ୍ଲୀରୁ ଏହାକୁ ଲାଗୁ କରାଯିବ? କେନ୍ଦ୍ର ସରକାରଙ୍କ ପାଖରେ ଭୂମି ଅଧିକାର ଓ ଚୂଡାନ୍ତ ହିତାଧିକାରୀ ତାଲିକା ରହିଛି କି?

ଜମି, ରାଜସ୍ୱ ଓ କୃଷି ସଙ୍କ୍ରାନ୍ତୀୟ ଡାଟା ରାଜ୍ୟ ସରକାରଗୁଡିକ ପାଖରେ ସହଜରେ ଉପଲବ୍ଧ। ଏହାକୁ ଏକ କେନ୍ଦ୍ରୀୟ ଡାଟା ଗ୍ରୀଡ ମାଧ୍ୟମରେ ପରିଚାଳିତ କରାଯାଇପାରିବ କି? ଏ ସଙ୍କ୍ରାନ୍ତରେ ବହୁ ପ୍ରଶ୍ନ ରହିଛି, ଯାହାର ଉତ୍ତର ଅର୍ଥମନ୍ତ୍ରୀଙ୍କ ଭାଷଣରେ ନାହିଁ। ଓଡିଶାରେ ବିଜେପି କାଳିଆ ଯୋଜନାକୁ ତୀବ୍ର ଗାଳି ଗୁଲଜ କରିଛି। ଏବେ କେନ୍ଦ୍ର ସରକାର ସେହି ଯୋଜନାର ଅନୁସରଣ କରିବା ପରେ ବିଜେପିର ରାଜ୍ୟ ନେତୃତ୍ୱ ଆଉ କଣ କହିବେ? ସେମାନେ ଏବେ ବଜେଟ ଓ ଜରୁରୀ କାଳୀନ ପାଣ୍ଠିରୁ ଟଙ୍କା ଆସିଥିବାକୁ ନେଇ କିଛି ପ୍ରଶ୍ନ ଉଠାଉଛନ୍ତି। ଜରୁରୀକାଳୀନ ପାଣ୍ଠିରୁ ଯେଉଁ ଅର୍ଥ ଯାଇଛି ତାହା ଆଇନ ଦୃଷ୍ଟିରୁ ଏଇ ସପ୍ତାହର ବଜେଟରେ ଭରଣା ହେବାକୁ ବାଧ୍ୟ। ତେଣୁ ତାକୁ ନେଇ ଅଯଥା ଯୁକ୍ତି କରିବାର କୌଣସି ଅର୍ଥ ନାହିଁ। ଏବେ କୃଷକଙ୍କୁ ସିଧାସଳଖ ଆର୍ଥିକ ସହାୟତା ଦେବାର ଯୋଜନା କେନ୍ଦ୍ର ସରକାର ଓଡିଶା ସରକାରଙ୍କଠାରୁ ଶିଖିଛନ୍ତି ବୋଲି ଆମକୁ କହିବାକୁ ପଡିବ।

ତେବେ ଅସଲ କଥା ହେଉଛି, ନିର୍ବାଚନ ପୂର୍ବରୁ ଏ ପ୍ରକାର ଆର୍ଥିକ ସହାୟତାରୁ ନିର୍ବାଚନୀ ଲାଭ ମିଳିବ କି? ଚାଷୀଙ୍କର ଯେଉଁ ମୌଳିକ ସମସ୍ୟା ଓ ହତାଶା ରହିଛି, ତାହା ଏ ପ୍ରକାର ଆର୍ଥିକ ସହାୟତା ଦ୍ଵାରା ସମାଧାନ ହେବନାହିଁ। ଜଳସେଚନ, ଉତ୍ପାଦନର ଯଥାର୍ଥ ମୂଲ୍ୟ, କୃଷି ବଜାର ଓ ଚାଷ କ୍ଷେତ୍ରରେ ପୁଞ୍ଜି ଲଗାଣ ଭଳି ଅନେକ ସମସ୍ୟା ରହିଛି ଯାହା ବିଷୟରେ ମୋଦୀ ସରକାର ଗତ ପାଞ୍ଚ ବର୍ଷ ଧରି ନୀରବ ରହି ଆସିଛନ୍ତି। ଆଜି ହଠାତ ଏ ଦୁଇ ହଜାର ଟଙ୍କାର ଲଲିପପ ଦେଖାଇ ଚାଷୀଙ୍କ ଭୋଟ କିଣା ଉଦ୍ୟମ ବିଷୟରେ କୃଷକ ଓ କୃଷକ ସଙ୍ଗଠନ ଗୁଡିକ ବେଶ ଭଲ ଭାବରେ ଜାଣନ୍ତି।