ମୁମ୍ବାଇଏ 19/12:ନାଗରିକତା ସଂଶୋଧନ ଆଇନକୁ ନେଇ ରାଜଧାନୀ ଦିଲ୍ଲୀ ସମେତ ସାରା ଦେଶରେ ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ଇତିମଧ୍ୟରେ ଆଜି ଅର୍ଥାତ୍ ଗୁରୁବାର 19 ଡିସେମ୍ବରରେ ମୁମ୍ବାଇ ସ୍ଥିତ କ୍ରାନ୍ତି ମଇଦାନରେ ସିଏଏ ବିରୋଧରେ ପ୍ରଦର୍ଶନ ହେବାକୁ ରହିଛି। ଏହି କ୍ରାନ୍ତି ମଇଦାନରେ ହେବାକୁ ଥିବା ବିରୋଧ ପ୍ରଦର୍ଶନରେ ବଲିଉଡ୍ ସେଲିବ୍ରିଟ୍ମାନେ ନଜର ଆସିବେ। ଏହି ବିରୋଧ ପ୍ରଦର୍ଶନ ଅପରାହ୍ନ 4ଟାରୁ ଆରମ୍ଭ ହୋଇ ସନ୍ଧ୍ୟା 7 ଘଟିକା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ନିକଟରେ ଅଭିନେତା ଫରହାନ୍ ଅଖତର୍ ଏକ ଟୁଇଟ୍ କରି ଏହି ସମ୍ପର୍କରେ ଅବଗତ କରାଇଛନ୍ତି। ଫରାହନ୍ ନାଗରିକତା ସଂଶୋଧନ କାନୁନ୍ ଓ ଏନ୍ଆରସି ସମ୍ବନ୍ଧୀୟ ଏକ ଚିତ୍ର ଟୁଇଟ୍ କରିବା ସହିତ କହିଛନ୍ତି ଯେ, ଏହା ବିରୋଧରେ ଆନ୍ଦୋଳନ କରିବା ଜରୁରୀ। ସେ ଆହୁରି ମଧ୍ୟ କହିଛନ୍ତି ଯେ, କେବଳ ସୋସିଆଲ ମିଡିଆରେ ବିରୋଧ କରିବାର ସମୟ ସରିଯାଇଛି। ଏବେ ବିରୋଧ ପ୍ରଦର୍ଶନ କରିବାକୁ ହିଁ ପଡ଼ିବ । ଆପଣ ସମସ୍ତଙ୍କୁ ଜାଣିବା ଦରକାର ଯେ, ଏହି ବିରୋଧ କ’ଣ ପାଇଁ ? ସେଥିପାଇଁ ଆପଣମାନେ 19 ତାରିଖ କୁ କ୍ରାନ୍ତି ମଇଦାନଠାରେ ଯୋଗଦେବା । ଫରହାନ୍ଙ୍କ ସହିତ ଅଭିନେତା ଜାଭେଦ ଜାଫେରୀ ମଧ୍ୟ ଏକ ଟୁଇଟ୍ କରି ଏହି ବିରୋଧ ପ୍ରଦର୍ଶନରେ ସମାବେଶ ହେବା ପାଇଁ ଅନୁରୋଧ କରିଛନ୍ତି। ଅଭିନେତ୍ରୀ ସ୍ବରା ଭାସ୍କରା, ଋଚା ଚଢା, ଜାସିନ୍ ଆୟୁବ୍, ସୟାନୀ ଗୁପ୍ତା, ରେଣୁକା ସାହାଣେ, ହୁମା କ୍ୟୁରେସିଙ୍କ ପରି ବହୁ ଅଭିନେତା ଅଭିନେତ୍ରୀମାନେ ସିଏଏକୁ ନେଇ ନିଜର ପ୍ରତିକ୍ରିୟା ଦେଇଛନ୍ତି। ଏତଦ୍ବ୍ୟତୀତ ଜାମିଆ ବିଶ୍ବବିଦ୍ୟାଳୟରେ ହୋଇଥିବା ବର୍ବରତା ପାଇଁ ମଧ୍ୟ ବଲିଉଡ୍ ସେଲିବ୍ରିଟିମାନେ ନିଜର ପ୍ରତିକ୍ରିୟା ରଖି ଟୁଟଇ୍ କରିଛନ୍ତି। ନାଗରିକତା ସଂଶୋଧନ ଆଇନକୁ ନେଇ ଜାମିଆ ମିଲିଆ ଇସ୍ଲାମିଆ ବିଶ୍ବବିଦ୍ୟାଳୟ, ସିଲମ୍ପୁର ଅଞ୍ଚଳ ସମେତ ବିଭିନ୍ନ ସ୍ଥାନରେ ହିଂସାତ୍ମକ ପ୍ରଦର୍ଶନ ଜାରି ରହିଛି । (ଏଜେନ୍ସି)