ନୂଆଦିଲ୍ଲୀ: ପିହୋୱାର ବିଜେପି ପ୍ରାର୍ଥୀ କଂବଲଜିତ ସିଂ ଅଜରାନା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ମନା କରି ଦଳକୁ ଟିକେଟ୍ ଫେରସ୍ତ କରିଛନ୍ତି। ପୂର୍ବତନ ମନ୍ତ୍ରୀ ସନ୍ଦୀପ ସିଂଙ୍କ ଟିକେଟ କାଟି କଂବଲଜିତ ସିଂଙ୍କୁ ପିହୋୱାରୁ ପ୍ରାର୍ଥୀ କରାଯାଇଥିଲା। ବିଜେପିରେ ସ୍ଥାନୀୟ ସ୍ତରରେ ଅସନ୍ତୋଷ ଥିବାରୁ ସେ ନିର୍ବାଚନରେ ଭାଗ ନେବାକୁ ମନା କରି ଦେଇଛନ୍ତି ବୋଲି ଜଣାପଡିଛି। ନିର୍ବାଚନ ପ୍ରଚାର ସମୟରେ ତାଙ୍କୁ ବହୁ ବିରୋଧର ସମ୍ମୁଖୀନ ହେବାକୁ ପଡିଥିଲା।
୨୦୧୯ ବିଧାନସଭା ନିର୍ବାଚନରେ ବିଜେପି ପୂର୍ବତନ ଭାରତୀୟ ହକି ଅଧିନାୟକ ସନ୍ଦୀପ ସିଂଙ୍କୁ ପିହୋୱା ଆସନ ପାଇଁ ଟିକେଟ ଦେଇଥିଲା। ସେ କଂଗ୍ରେସର ମନଦୀପ ସିଂ ଚଟ୍ଟାଙ୍କୁ ୫୩୧୪ ଭୋଟରେ ପରାସ୍ତ କରିଥିଲେ। ଯେତେବେଳେ ବିଜେପି ସରକାର ଗଠନ ହେଲା ସେତେବେଳେ ତାଙ୍କୁ କ୍ରୀଡ଼ା ମନ୍ତ୍ରୀ କରାଯାଇଥିଲା। କିନ୍ତୁ ଗତ ବର୍ଷ ଜଣେ ଜୁନିଅର ମହିଳା ପ୍ରଶିକ୍ଷକ ତାଙ୍କ ଉପରେ ଯୌନ ଉତ୍ପୀଡ଼ନ ଅଭିଯୋଗ କରିଥିଲେ। ଏହା ପରେ ସନ୍ଦୀପ ସିଂଙ୍କ ଠାରୁ କ୍ରୀଡା ବିଭାଗ ପ୍ରତ୍ୟାହାର କରାଯାଇଥିଲା। ଯୌନ ଉତ୍ପୀଡ଼ନ ଅଭିଯୋଗ ହେତୁ ଦଳ ତାଙ୍କୁ ଏଥର ଟିକେଟ ଦେଇ ନାହିଁ। ତାଙ୍କ ସ୍ଥାନରେ କଂବଲଜିତ ସିଂ ଅଜରାନାଙ୍କୁ ଟିକେଟ ଦିଆଯାଇଥିଲା।
ପାକିସ୍ତାନୀ ସେନା ସହିତ ଫଟୋ ଭାଇରାଲ:
ପାକିସ୍ତାନୀ ସେନା ସହ କଂବଲଜିତ ସିଂ ଅଜରାନାଙ୍କ ଫଟୋ ମଧ୍ୟ ଭାଇରାଲ ହୋଇଛି। ଯେଉଁଥିରେ ସେ ପାକିସ୍ତାନୀ ଅଧିକାରୀଙ୍କ ହାତରୁ ମିଠା ଖାଉଥିବା ଦେଖିବାକୁ ମିଳିଥିଲା। ଏହା ବ୍ୟତୀତ ସୈନିକମାନଙ୍କ ସହ ଫଟୋ ମଧ୍ୟ ନେଇଥିଲେ। ଯେଉଁଥିପାଇଁ ଲୋକମାନେ ତାଙ୍କୁ ବିରୋଧ କରୁଥିଲେ। କଂବଲଜିତ ସିଂ ହରିୟାଣାର ଦଳର ସଭାପତିଙ୍କୁ ଏକ ଚିଠି ଲେଖିଛନ୍ତି ଯେଉଁଥିରେ ସେ କହିଛନ୍ତି ଯେ ପିହୋୱା ବିଧାନସଭା ଆସନରୁ ଟିକେଟ ଦେଇ ମୋତେ ଦିଆଯାଇଥିବା ସମ୍ମାନ ପାଇଁ ମୁଁ ହୃଦୟରୁ କୃତଜ୍ଞ। କିନ୍ତୁ ଦଳର କିଛି ବରିଷ୍ଠ ଏବଂ କର୍ମୀ ମୋ ନାମାଙ୍କନକୁ ବିରୋଧ କରୁଛନ୍ତି। ତାଙ୍କ ଭାବନାକୁ ସମ୍ମାନ କରି ମୁଁ ମୋର ଟିକେଟ୍ ଫେରସ୍ତ କରୁଛି।