Categories
ଆଜିର ଖବର ରାଜ୍ୟ ଖବର

କିଟ୍‌ ଓ କିସ୍‌ ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି.କେ. ମିଶ୍ର

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି.କେ ମିଶ୍ର ଆଜି ଭୁବନେଶ୍ୱରସ୍ଥିତ କିଟ୍‌ ଓ କିସ୍‌ ବିଶ୍ୱବିଦ୍ୟାଳୟ ଗସ୍ତ କରି ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇଛନ୍ତି। ଏଥିସହିତ ଡକ୍ଟର ମିଶ୍ର ଭୁବନେଶ୍ୱର ଠାରେ ସିଏସଆଇଆର- ଖଣିଜ ଏବଂ ବସ୍ତୁ ବିଜ୍ଞାନ ପ୍ରତିଷ୍ଠାନର କାର୍ଯ୍ୟଧାରା ସମୀକ୍ଷା କରିବା ସହିତ ଖଣିଜ ସମୃଦ୍ଧ ଓଡ଼ିଶାରେ ଗବେଷଣା ଓ ବିକାଶ କାର୍ଯ୍ୟକୁ ଅଧିକ ବିସ୍ତାରିତ କରିବା ଲାଗି ପରାମର୍ଶ ଦେଇଛନ୍ତି।

ଡକ୍ଟର ମିଶ୍ର ଆଜି କିଟ୍‌ ବିଶ୍ୱବିଦ୍ୟାଳୟ ଠାରେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଦେଶର ଶିକ୍ଷା ପରିଦୃଶ୍ୟରେ କିଟ୍‌ ଓ କିସ୍‌ର ଭୂମିକାକୁ ଉଚ୍ଚପ୍ରଶଂସା କରିଥିଲେ। ବିଶେଷ କରି କିସ୍‌ ଅନୁଷ୍ଠାନ ଶିକ୍ଷାଦାନ ମାଧ୍ୟମରେ ଓଡ଼ିଶାର ଜନଜାତି ଗୋଷ୍ଠୀଙ୍କୁ ସଶକ୍ତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ବୋଲି ସେ କହିଥିଲେ।

କିଟ୍‌ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଡକ୍ଟର ମିଶ୍ର କହିଥିଲେ, ପ୍ରଧାନମନ୍ତ୍ରୀ ୨୦୪୭ ମସିହା ସୁଦ୍ଧା ଭାରତ ପାଇଁ ଏକ ବିରାଟ ପରିକଳ୍ପନା କରିଛନ୍ତି। ଭାରତକୁ ଏକ ବିକଶିତ ରାଷ୍ଟ୍ରର ମାନ୍ୟତା ହାସଲ କରିବାକୁ ପଡ଼ିବ। ଉଭୟ ପ୍ରକୃତି ଏବଂ ସଂସ୍କୃତି ପ୍ରତି ସଚେତନ ହୋଇ ଏହି ଲକ୍ଷ୍ୟ ହାସଲ କରିବାକୁ ହେବ। ଏଥିରେ ପ୍ରଯୁକ୍ତିବିଦ୍ୟାର ଆହରଣ ଓ ପ୍ରୟୋଗକୁ ପ୍ରାଥମିକତା ଦିଆଯିବ। ସେହିଭଳି ବିଜ୍ଞାନ ଓ ପ୍ରଯୁକ୍ତିକ୍ଷେତ୍ରରେ ଭାରତ ନେତୃତ୍ୱ ଗ୍ରହଣ କରିବ ଏବଂ ସବୁ କ୍ଷେତ୍ରରେ ଆତ୍ମନିର୍ଭର ହେବ ବୋଲି ସେ କହିଥିଲେ।

ଡକ୍ଟର ମିଶ୍ର ଆହୁରି କହିଥିଲେ, ବିକଶିତ ଭାରତ ପରିକଳ୍ପନା ଓ ସଂକଳ୍ପ ଯାତ୍ରାରେ ମହିଳାଙ୍କ ନେତୃତ୍ୱକୁ ସର୍ବାଧିକ ପ୍ରାଥମିକତା ଦିଆଯିବ । ଅର୍ଥବ୍ୟବସ୍ଥାକୁ ଆହୁରି ସମାବେଶୀ ଏବଂ ନବସୃଜନଧର୍ମୀ କରାଯିବ। ଦୁର୍ନୀତି, ଜାତିବାଦ ଓ ସାମ୍ପ୍ରଦାୟିକତାର ଜାତୀୟ ଜୀବନରେ କୌଣସି ସ୍ଥାନ ନାହିଁ। ଦେଶର ବିକାଶ ସହିତ ଯୁବଶକ୍ତିଙ୍କ ବିକାଶ ସମାନ ଭାବରେ ଜଡ଼ିତ ରହିଛି, ତେଣୁ ଯଦି ଉଭୟଙ୍କ ମଧ୍ୟରେ ଉପଯୁକ୍ତ ସମନ୍ୱୟ ରକ୍ଷା କରାଯିବ, ତାହେଲେ ଅବିଶ୍ୱସନୀୟ ସଫଳତା ହାସଲ କରିହେବ ବୋଲି ସେ କହିଥିଲେ।

ଜାତୀୟ ଶିକ୍ଷା ନୀତି ୨୦୨୦ରେ ଭାରତ ପାଇଁ ଏଭଳି ଏକ ଶିକ୍ଷା ବ୍ୟବସ୍ଥାର ପରିକଳ୍ପନା କରାଯାଇଛି ଯାହା ୨୦୪୦ ମସିହା ସୁଦ୍ଧା ବିଶ୍ୱରେ ଅଦ୍ୱିତୀୟ ହେବ ଏବଂ ସାମାଜିକ ଓ ଆର୍ଥିକ ପୃଷ୍ଠଭୂମି ନିର୍ବିଶେଷରେ ପ୍ରତ୍ୟେକ ଶିକ୍ଷାର୍ଥୀଙ୍କ ପାଇଁ ଗୁଣାତ୍ମକ ଉଚ୍ଚଶିକ୍ଷା ଗ୍ରହଣ ନିମନ୍ତେ ସମାନ ସୁଯୋଗ ଉପଲବ୍ଧ ହୋଇପାରିବ ବୋଲି ଡକ୍ଟର ମିଶ୍ର କହିଥିଲେ।

ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ କହିଥିଲେ, ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ୫୦ ହଜାର କୋଟି ଟଙ୍କା ବ୍ୟୟବରାଦ ସହିତ ଅନୁସନ୍ଧାନ ଜାତୀୟ ଗବେଷଣା ଫାଉଣ୍ଡେସନ ପ୍ରବର୍ତ୍ତନ କରାଯାଇଛି। ଚଳିତ ବର୍ଷ ଅନ୍ତରୀଣ ବଜେଟରେ, ଏକ ଲକ୍ଷ କୋଟି ଟଙ୍କାର ଏକ କର୍ପସ ପାଣ୍ଠି ଗଠନ କରିବା ନିମନ୍ତେ ବ୍ୟବସ୍ଥା କରାଯାଇଛି, ଯାହାକି ପ୍ରଯୁକ୍ତିବିଦ୍ୟାରେ ପାରଙ୍ଗମ ଯୁବଗୋଷ୍ଠୀଙ୍କୁ ଗବେଷଣା ଓ ନବସୃଜନ ବିକାଶ ନିମନ୍ତେ ବିଶେଷ ସହାୟକ ହେବ।

ଡକ୍ଟର ମିଶ୍ର କଳିଙ୍ଗ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ସୋସିଆଲ ସାଇନ୍ସେସ୍‌ (କିସ୍‌) ଠାରେ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇଥିଲେ। ସେ କହିଥିଲେ, ସମାଜର ସବୁ କ୍ଷେତ୍ରରେ ମହିଳାଙ୍କ ଭାଗିଦାରୀକୁ ନେଇ ଭାରତ ବହୁତ ଆଗକୁ ଆସିଛି। ପ୍ରଧାନମନ୍ତ୍ରୀଙ୍କ ‘ବିକଶିତ ଭାରତ ୨୦୪୭ ଭିଜନ’ରେ ଅନ୍ୟତମ ପ୍ରମୁଖ ସ୍ତମ୍ଭ ହେଉଛି ‘ମହିଳାଙ୍କ ନେତୃତ୍ୱାଧୀନ ବିକାଶ’। ଅଧିକରୁ ଅଧିକ ଝିଅ ଷ୍ଟେମ୍ (ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଇଞ୍ଜିନିୟରିଂ ଏବଂ ଗଣିତ) ପାଠ୍ୟକ୍ରମରେ ନାମ ଲେଖାଇ ଅତ୍ୟନ୍ତ ଭଲ ପ୍ରଦର୍ଶନ କରୁଛନ୍ତି। ସେ ଛାତ୍ରଛାତ୍ରୀଙ୍କୁ ମହତ୍ୱାକାଂକ୍ଷୀ ଲକ୍ଷ୍ୟ ନିର୍ଦ୍ଧାରଣ କରିବା ଏବଂ ଏହାକୁ ହାସଲ କରିବା ନିମନ୍ତେ ନିରନ୍ତର ପ୍ରୟାସ କରିବା ପାଇଁ ଆହ୍ୱାନ କରିଥିଲେ। ନିଜ ପ୍ରତିଭା, ପରିଶ୍ରମ ଓ ନିଷ୍ଠା ବଳରେ ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିବା ପାଇଁ ଡକ୍ଟର ମିଶ୍ର ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ।

ଡକ୍ଟର ମିଶ୍ର ଆଜି ସିଏସଆଇଆର- ଖଣିଜ ଏବଂ ବସ୍ତୁ ବିଜ୍ଞାନ ପ୍ରତିଷ୍ଠାନ ପରିଦର୍ଶନ କରିଥିଲେ। ସେ ପ୍ରତିଷ୍ଠାନର ପ୍ରୟୋଗଶାଳା ବୁଲି ଦେଖିବା ସହିତ ସେଠାକାର କାର୍ଯ୍ୟଧାରା ସମୀକ୍ଷା କରିଥିଲେ । ଖଣିଜ ଓ ବସ୍ତୁ ବିଜ୍ଞାନ ପ୍ରତିଷ୍ଠାନରେ ଜାରି ରହିଥିବା ଗବେଷଣା କାର୍ଯ୍ୟ ଅନୁଧ୍ୟାନ କରି ଡକ୍ଟର ମିଶ୍ର କହିଥିଲେ, ଓଡ଼ିଶା ଏକ ଖଣିଜ ସମ୍ପଦ ପରିପୂର୍ଣ୍ଣ ରାଜ୍ୟ। ଉଚ୍ଚକୋଟ୍ଟୀର ଗବେଷଣା ଜରିଆରେ ଖଣିଜ କ୍ଷେତ୍ରର ବିକାଶ ଓ ବିସ୍ତାର ଜରିଆରେ ଓଡ଼ିଶା ଏବଂ ସାମଗ୍ରିକ ଭାବେ ଦେଶର ପ୍ରଗତିରେ ଯୋଗଦାନ କରିବା ଲାଗି ସେ ପ୍ରତିଷ୍ଠାନର ବୈଜ୍ଞାନିକ ଓ ଗବେଷକମାନଙ୍କୁ ପରାମର୍ଶ ଦେଇଥିଲେ।

ଡକ୍ଟର ମିଶ୍ର ଆଜି ପୁରୀ ଗସ୍ତ କରି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିବା ସହିତ ପୁନର୍ବିକାଶ ପ୍ରକଳ୍ପ ଅନୁଧ୍ୟାନ କରିଥିଲେ।

Categories
ବିଶେଷ ଖବର

ବକେୟା ବିଦ୍ୟୁତ ଦେୟ ନଦେଲେ ଗରିବଙ୍କ ଲାଇନ କଟିବ, ହେଲେ ବଡବଡିଆଙ୍କ ପାଖରେ ପଡି ରହିଛି କୋଟି କୋଟି ଟଙ୍କାର ବିଦ୍ୟୁତ ବିଲ

ସମୀକ୍ଷା ବ୍ୟୁରୋ  

ଓଡିଶା ସରକାର ତରବରିଆ ଭାବରେ ରାଜ୍ୟ ବିଦ୍ୟୁତ ବିତରଣ କମ୍ପାନୀ “ସେସୁ” କୁ ଟାଟା ପାୱାରକୁ ୨୫ ବର୍ଷ ପାଇଁ ଦେଇ ଦେବା ପରେ ସେସୁ ୧୫ ଦିନ ମଧ୍ୟରେ ଖାଉଟି ମାନଙ୍କଠାରୁ ବକେୟା ବିଲ ପଇଠ କରିବାକୁ ନୋଟିସ ଜାରି କରିଥିଲା । ୧୫ ଦିନିଆ କଣ୍ଟ ପୁରିଯିବା ପରେ ସେସୁ ଅଧୀନରେ ଆସୁଥିବା ଅଞ୍ଚଳରୁ ବିଦ୍ୟୁତ କାଟ ଆରମ୍ଭ କରିଛି । ସେସୁର ଏହି ପଦକ୍ଷେପକୁ ବିଭିନ୍ନ ସଂଗଠନ ଏବଂ ରାଜନୈତିକ ଦଳ  ବିରୋଧ କରିବାରୁ ସେସୁ ବିଲ ଆଦାୟ କରିବାର ତରିକା ବଦଳାଇବାକୁ ବାଧ୍ୟ ହୋଇଥିଲା । ଏବେ ସେସୁ ନେଇଥିବା ନିଷ୍ପତ୍ତି ଅନୁସାରେ ପ୍ରଥମେ କମ୍ପାନୀ ଏବଂ ବ୍ୟବସାୟିକ ସଂସ୍ଥା ଗୁଡିକରୁ ବିଲ ଆଦାୟ କରିବାକୁ ପ୍ରାଥମିକତା ଦେଇଛି ।

ସୂଚନା ଅଧିକାର ଆଇନ ବଳରେ  ସେସୁଠାରୁ ମିଳିଥିବା ତଥ୍ୟ ଅନୁଯାୟୀ ତିନିବର୍ଷ ତଳେ ଏକ ପ୍ରମୁଖ ଘରୋଇ ବିଶ୍ଵ ବିଦ୍ୟାଳୟ “କିଟ” କୋଟି କୋଟି ଟଙ୍କାର ବିଦ୍ୟୁତ ଦେୟ ବକେୟା ରଖିଥିଲା ସୂଚନା ଅଧିକାର ସଂଗଠନର ତଥ୍ୟ ଅନୁଯାୟୀ “କିଟ ବିଶ୍ଵ ବିଦ୍ୟାଳୟ” ପ୍ରାୟ ୨ କୋଟି ୬୦ ଲକ୍ଷ ଟଙ୍କାର ବିଦ୍ୟୁତ ବିଲ ପଇଠ କରି ନଥିଲେ। ତେବେ ଏହି ତଥ୍ୟ ତିନି ବର୍ଷ ତଳର ଓ ବର୍ତ୍ତମାନ କିଟର ବକେୟା ବିଲ କେତେ ରହିଛି ସେକଥା ସୂଚନା ଅଧିକାର ଅଭିଯାନ ସ୍ପଷ୍ଟ କରିନାହିଁ। ହେଲେ ଏଠି ପ୍ରଶ୍ନ ଉଠୁଛି ଏକ ଘରୋଇ ବିଶ୍ଵ ବିଦ୍ୟାଳୟ ୨ କୋଟି ୬୦ ଲକ୍ଷ ଟଙ୍କା ବକେୟା ରଖିଥିବା ବେଳେ ସେମାନଙ୍କ ଲାଇନ କାଟିବାକୁ ସେସୁର ସାହସ ହେଉନଥିଲା କେମିତି?

କିଟ ବିରୋଧରେ  ରେ ସେସୁ ମୁହଁ ସେତେବେଳେ ଖୋଲି ନ ଥିଲା । ଶାସକ ଦଳ ବିଜେଡି ଏବଂ କିଟ ମଧ୍ୟରେ ଭିତିରିଆ ସମ୍ପର୍କ ଥିବା ନେଇ ଲୋକେ ସନ୍ଦେହ ପ୍ରକାଶ କରିଥିଲେ । ସେହିପରି ଆଗରୁ ବିଦ୍ୟୁତ ସେବା ଯୋଗାଉଥିବା ଘରୋଇ କମ୍ପାନୀ ରିଲାଏନ୍ସ ପାୱାର ରାଜ୍ୟରୁ ପ୍ରାୟ ୨୪୦୦ କୋଟି ଟଙ୍କାର ଠକି ପଳାଇଯିବା ଏବଂ ସେମାନଙ୍କ ବିରୋଧରେ  ସରକାର କୌଣସି ଠୋସ  ପଦକ୍ଷେପ ଗ୍ରହଣ ନ କରିବା ଅନେକ ସନ୍ଦେହ ସୃଷ୍ଟି କରୁଛି ।  କିଟକୁ ଛାଡିଦେଲେ ଅନେକ ଘରୋଇ କମ୍ପାନୀ ଓ ଅନୁଷ୍ଠାନ ମାନେ ମଧ୍ୟ କୋଟି କୋଟି ତାଙ୍କର ବିଲ୍‌ ବାକି ରଖିଛନ୍ତି । ବିଦ୍ୟୁତ ଦେୟ ବକେୟା ରଖିଥିବା ବଡ କମ୍ପାନୀ ଗୁଡିକ ହେଲେ ଶ୍ରୀ ମାରୁତି ଷ୍ଟିଲ ଏଣ୍ଡ କାଷ୍ଟିଙ୍ଗ(୬ କୋଟି ୪୦ ଲକ୍ଷ), ଏମ ସି ଏଲ ତାଳଚେର,(୮ କୋଟି ୩୬ ଲକ୍ଷ) , ନବଭାରତ ଭେଞ୍ଚାର୍ସ ( ୮ କୋଟି ୨୯ ଲକ୍ଷ)  ଜି ଏମ ଆର ଏନର୍ଜି, (୧୦ କୋଟି ୪୪ ଲାକ୍ଷା) ଟି କେ ମେରାଇନ,(୬୨ ଲକ୍ଷ)  ଭାରତୀ ଏୟାର୍ଟେଲ,(୪୫ ଲକ୍ଷ) ଇନ୍ଫୋସିସ,(୩୧ ଲକ୍ଷ)  ଭୋଡାଫୋନ ଏସାର ସ୍ପେସ ଲିମିଟେଡ,(୨୧ ଲକ୍ଷ) ଫାଲକନ ମେରାଇନ ଏକସ୍ପୋର୍ଟ୍ସ,(୩୩ ଲକ୍ଷ)  ରିଲାଏନ୍ସ ଇନ୍ଫ୍ରାତେଲ,(୪୩ ଲକ୍ଷ) ମିଲ୍କ ମନ୍ତ୍ରା,(୩୪ ଲକ୍ଷ) ନ୍ୟୁ ଲକ୍ଷ୍ମୀ ଷ୍ଟିଲ ଏଣ୍ଡ ପାୱାର(୫ କୋଟି ୩୮ ଲକ୍ଷ) , ଟାଟା ଷ୍ଟିଲ(୯୨ ଲକ୍ଷ), ଜିନ୍ଦଲ ଷ୍ଟିଲ (୧୨ କୋଟି ୧୦ ଲକ୍ଷ) , ଭୂଷଣ ଷ୍ଟିଲ(୬ କୋଟି) ଓ ଆହୁରି ଅନେକ। ଏମିତି ଓଡିଶାରେ ଅନେକ ବଡ ବଡ ପ୍ରାୟ ୩୦ ଟି କମ୍ପାନୀ ରହିଛନ୍ତି । ଏମାନଙ୍କ ବିରୋଧରେ ସେସୁ କି ପଦକ୍ଷେପ ନେଉଛି?

ସାଧାରଣ ବ୍ୟବସାୟୀ ବା ଗରିବ ଖାଉଟି ବିଦ୍ୟୁତ ଦେୟ ନ ଦେଲେ ତାର ବିଜୁଳି ଲାଇନ କଟାଯିବ। ହେଲେ ବଡ ବଡ କମ୍ପାନୀ ପାଇଁ ସେଶୁ ପାଖରେ କଇଁଚି ଅଛି ତ? ସାଧାରଣ ଲୋକେ ହୁଅନ୍ତୁ ବା ବଡ କମ୍ପାନୀ, ସମସ୍ତେ ବିଦ୍ୟୁତ ଦେୟ ପଇଠ କରିବା ଉଚିତ। ହେଲେ ବଡବଡିଆଙ୍କୁ ଛାଡି ସାଧାରଣ ଲୋକଙ୍କୁ ଧରିଲେ ଅସନ୍ତୋଷ ବଢିବା ସ୍ଵାଭାବିକ। ବଡ କମ୍ପାନୀ ଓ କର୍ପୋରେଟଙ୍କ ଠାରୁ ବକେୟା ବିଲ ଆଦାଯ କରିବାକୁ  ସରକାର ବର୍ଷ ବର୍ଷ ଧରି କୌଣସି ପଦକ୍ଷେପ ଗ୍ରହଣ କରି ନାହାନ୍ତି । ଏବେ ଗରିବ ଓ ଛୋଟ ବ୍ୟବସାୟୀଙ୍କ ମୁଣ୍ଡ ଉପରେ ସେସୁର ଖଣ୍ଡା ଝୁଳୁଛି। ଏ ପ୍ରକାର ପାଟର ଅନ୍ତର ନୀତି ଯୋଗୁଁ ଲୋକଙ୍କ ମନରେ ଅସନ୍ତୋଷ ରହୁଛି। ଜନସାଧାରଣ  ଦାବି କରିଛନ୍ତି ଯେ ପ୍ରଥମେ କୋଟି କୋଟି ଟଙ୍କା ବାକି ରଖିଥିବା ଅନୁଷ୍ଠାନ ଗୁଡିକୁ ଅନୁକମ୍ପା ନ ଦେଖାଇ ସଂପୂର୍ଣ୍ଣ ସେସୁ ସେମ,ଆନଙ୍କଠାରୁ  ବକେୟା ଅର୍ଥ ଆଦାୟ କରନ୍ତୁ ଏବଂ ଜନତାଙ୍କ ଉପରେ ଦାଉ ସାଧିବା ବନ୍ଦ କରନ୍ତୁ ।

ବଡ ମାଛଙ୍କୁ ଛାଡ କରି ସାଧାରଣ ଲୋକଙ୍କ ଉପରେ ଜୁଲମ କରିବା ବେଳେ ସେସୁ ଏ କଥାର ସ୍ପଷ୍ଟୀକରଣ ରଖିବା ଉଚିତ ହେବ।