ଭୁବନେଶ୍ବର: କୋଣାର୍କ ଉତ୍ସବର ଦ୍ବିତୀୟ ସଂଧ୍ୟାରେ ପରିବେଷଣ ହୋଇଥିଲା ମଣିପୁରୀ ଏବଂ ଓଡିଶୀ ନୃତ୍ୟ। ପ୍ରଥମେ ଆରମ୍ଭ ହୋଇଥିଲା ମଣିପୁରୀ। ଭାରତର ପ୍ରସିଦ୍ଧ ମଣିପୁରୀ ନୃତ୍ୟାଙ୍ଗନା ଶ୍ରୀମତୀ ପ୍ରୀତି ପଟେଲ ଓ ତାଙ୍କ ସାଥିମାନେ ମଣିପୁରୀ ନୃତ୍ୟ ଶୈଳୀରେ “ନାଚେମଲେଇ” ନୃତ୍ୟ ପରିବେଷଣ କରିଥିଲେ।
ଫୁଲର ବିଭିନ୍ନ ରୂପ ଓ ବିଭବକୁ ମଣିପୁରୀ ନୃତ୍ୟ ଶୈଳୀରେ ପରିବେଷଣ କରି ଶିଳ୍ପୀମାନେ ସେମାନଙ୍କ କଳା ନୈପୁଣ୍ୟ ସହିତ ଭକ୍ତି ଭାବ,ପ୍ରେମ ଭାବ,ନିର୍ଭୟ ଭାବ ଓ ତ୍ୟାଗ ଭାବର ଏକ ନିର୍ମଳ ଛନ୍ଦ କୁ ତୋଳି ଧରିଥିଲେ। ଶ୍ରୀମତୀ ପ୍ରୀତି ପଟେଲଙ୍କ ପରିକଳ୍ପନା ଓ ନିର୍ଦ୍ଦେଶନାରେ ଏବଂ ଏସ କରୁଣା ଦେବୀ ଓ ଥ. ଇମୋଚା ସିଂହ ଙ୍କ ସହଯୋଗରେ ଏହି ଅପୂର୍ବ ନୃତ୍ୟ ଶୈଳୀଟି ପ୍ରସ୍ତୁତ ହୋଇଥିଲା।
ଦ୍ୱିତୀୟ ଭାଗରେ ପରିବେଷଣ ହୋଇଥିଲା କଲିକତାରୁ ଆସିଥିବା ପ୍ରଖ୍ୟାତ ଓଡ଼ିଶୀ ନୃତ୍ୟାଙ୍ଗନା ଗୁରୁମା ଆଲୋକା କାନୁନଗୋ ଙ୍କ ଶିଂଜନ ନୃତ୍ୟାଳୟର ଶିଳ୍ପୀ ମାନଙ୍କ ଦ୍ଵାରା ଓଡିଶୀ ନୃତ୍ୟ। ସେମାନେ “ବନ୍ଦେ ମାତରମ୍”, “ତାରା ପଲ୍ଲବୀ” ଓ“ସୂର୍ଯ୍ୟଲାବଣ୍ୟ” ତିନୋଟି ନୃତ୍ୟ ବିଭବକୁ ଓଡ଼ିଶୀ ମାଧ୍ୟମରେ ପରିବେଷଣ କରିଥିଲେ।
ଓଡ଼ିଶୀ ନୃତ୍ୟର ଲାଳିତ୍ୟ, ମାଧୁର୍ଯ୍ୟ ଓ ଭଙ୍ଗିମା ଥିଲା ବେଶ୍ ଉଚ୍ଚକୋଟୀର। ନୃତ୍ୟ ନିର୍ଦ୍ଦେଶନା ଓ ପରିକଳ୍ପନାରେ ଶ୍ରୀମତୀ ଆଲୋକା କାନୁନଗୋ, ସଙ୍ଗୀତରେ ଲକ୍ଷ୍ମୀକାନ୍ତ ପାଲିତ୍, ହିମାଂଶୁ ସ୍ଵାଇଁ, ସୁଶ୍ରୀ ସଙ୍ଗୀତା ପଣ୍ଡା ଓ ଧନେଶ୍ୱର ସ୍ଵାଇଁ ସହଯୋଗ କରିଥିଲେ।
ଆଜି କୋଣାର୍କ ଉତ୍ସବର ତୃତୀୟ ଦିନ ପ୍ରଥମ ପର୍ଯ୍ୟାୟରେ ଓଡ଼ିଶୀ ନୃତ୍ୟ ପରିବେଷଣ କରିବେ କଲିକତାର ଦର୍ପଣ ଅନୁଷ୍ଠାନର ଗୁରୁ ଅର୍ଣ୍ଣବ ବନ୍ଦୋପାଧ୍ୟାୟ ଓ ସାଥୀବୃନ୍ଦ । ଦ୍ୱିତୀୟ ପର୍ଯ୍ୟାୟରେ ମୋହିନୀୟାଟ୍ଟମ୍ ପରିବେଷଣ କରିବେ ସୁଦୂର ଆମେରିକାରୁ ଆସିଥିବା ଡ. ସୁନନ୍ଦା ନାୟାର ଓ ସାଥୀବୃନ୍ଦ।
ଦ୍ୱିତୀୟ ଦିନର ଉତ୍ସବରେ ଅତିଥି ଭାବେ ଯୋଗ ଦେଇଥିଲେ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ମନ୍ତ୍ରୀ ଶ୍ରୀଯୁକ୍ତ ରବିନାରାୟଣ ନାୟକ ଉଦଘାଟନ କରିଛନ୍ତି ତାଙ୍କ ସହିତ ସୁପ୍ରିମ କୋର୍ଟର ନ୍ୟାୟମୂର୍ତ୍ତି ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମିଶ୍ର ଓ ଓଡିଶାର ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଶ୍ରୀଯୁକ୍ତ ଚକ୍ରଧର ଶରଣ ସିଂହ, ପର୍ଯ୍ୟଟନ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀଯୁକ୍ତ ବଳୱନ୍ତ ସିଂହ, ପୂର୍ବତଟ ରେଳପଥର ମହା ପ୍ରବନ୍ଧକ ଶ୍ରୀଯୁକ୍ତ ପରମେଶ୍ଵର ଫଙ୍କ୍ଓ୍ୱାଲ୍ ଓ ପର୍ଯ୍ୟଟନ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀଯୁକ୍ତ ବାଳମୁକୁନ୍ଦ ଭୂୟାଁ ପ୍ରମୁଖ ଅନ୍ୟତମ ଅତିଥି ଭାବେ ଉପସ୍ଥିତ ଥିଲେ।