ନୂଆଦିଲ୍ଲୀ: ଗୋଆ ପୋଲିସର ସୂଚନାନୁସାରେ ଦକ୍ଷିଣର ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା କେ.ପି ଚୌଧୁରୀ ଆତ୍ମହତ୍ୟା କରିଛନ୍ତି। ତାଙ୍କୁ ୨ ବର୍ଷ ପୂର୍ବେ ଏକ ଡ୍ରଗ୍ସ ମାମଲାରେ ଗିରଫ କରାଯାଇଥିଲା। ଉକ୍ତ ମାମଲାରେ ଗିରଫ ହେବା ପରେ ସେ ଆର୍ଥିକ ସମସ୍ୟା ଏବଂ କାମ ଅଭାବରୁ ଡିପ୍ରେସନରେ ଥିଲେ।
ଏହାପୂର୍ବରୁ ୨୦୨୩ ମସିହାରେ ତାଙ୍କୁ ହାଇଦ୍ରାବାଦ ପୋଲିସ ଡ୍ରଗ୍ସ ମାମଲାରେ ଗିରଫ କରିଥିଲା। କେ.ପି ଚୌଧୁରୀ ମଧ୍ୟ ରଜନୀକାନ୍ତଙ୍କ କବାଲି ଚଳଚ୍ଚିତ୍ର ନିର୍ମାଣ କରିଥିଲେ।
କେ.ପି ଚୌଧୁରୀ ତଥା ସୁଙ୍କରା କୃଷ୍ଣ ପ୍ରସାଦ ଚୌଧୁରୀ ଟଲିଉଡର ଜଣେ ଜଣାଶୁଣା ଚଳଚ୍ଚିତ୍ର ନିର୍ମାତା ଭାବରେ କାର୍ଯ୍ୟ କରିଛନ୍ତି। ସେ ୨୦୧୬ ରେ ରଜନୀକାନ୍ତଙ୍କ ସୁପରହିଟ୍ ଫିଲ୍ମ କବାଲି ନିର୍ମାଣ କରିଥିଲେ। ଉଲ୍ଲେଖ ଯୋଗ୍ୟ ଯେ, ୨୦୨୩ ମସିହାରେ ଏକ ଡ୍ରଗ୍ସ ସମ୍ବନ୍ଧୀୟ ମାମଲାରେ କେ.ପି ଚୌଧୁରୀଙ୍କୁ ସାଇବରବାଦ୍ ସ୍ପେଶାଲ ଅପରେସନ୍ ଟିମ୍ ଗିରଫ କରିଥିଲା।
ଏହି ଘଟଣାର ଅନୁସନ୍ଧାନ ପରେ ଜଣାପଡିଥିଲା ଯେ, ତାଙ୍କର କେବଳ ଟଲିଉଡରେ ନୁହେଁ କୋଲିଉଡରେ ମଧ୍ୟ ଗ୍ରାହକ ଅଛନ୍ତି। ପ୍ରାରମ୍ଭିକ ରିପୋର୍ଟରୁ ଜଣାପଡିଛି ଯେ, ଏହି ମାମଲା ପରେ ସେ ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଥିଲେ ଏବଂ ଋଣଦାତାଙ୍କ ଚାପରେ ଥିଲେ। ଚଳଚ୍ଚିତ୍ର ଶିଳ୍ପରେ ସଫଳତା ପାଇବା ପରେ ସେ ଡ୍ରଗ୍ସ କ୍ରୟ ଏବଂ ବିତରଣ ଭଳି କାର୍ଯ୍ୟକଳାପରେ ଜଡିତ ଥିବା ଅଭିଯୋଗ ହୋଇଛି।