Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ରାଜ୍ୟ ସରକାରଙ୍କ ବଡ ପଦକ୍ଷେପ, କୃଷି ବିଭାଗର ୫ ଅଧିକାରୀ ଓ କର୍ମଚାରୀ ବହିଷ୍କୃତ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଦୁର୍ନୀତି ପ୍ରତି ଶୂନ ସହନଶୀଳତା ଆଭିମୁଖ୍ୟ ଅନୁଯାୟୀ ଦୁର୍ନୀତି ଅଭିଯୋଗରେ ଭିଜିଲାନ୍‌ସ କୋର୍ଟ ଦ୍ୱାରା ଦଣ୍ଡିତ ଏବଂ କାର୍ଯ୍ୟରେ ଖିଲାପ ଓ ଗୁରୁତର ଅସଦାଚରଣ ଅଭିଯୋଗରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ୫ ଜଣ ଅଧିକାରୀ ଓ କର୍ମଚାରୀଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଛି।

ବହିଷ୍କୃତ କିମ୍ବା ବାଧ୍ୟତାମୂଳକ ଅବସର ଦିଆଯାଇଥିବା କର୍ମଚାରୀଙ୍କ ମଧ୍ୟରୁ ଜଣେ ପୂର୍ବତନ ସହକାରୀ କୃଷି ଯନ୍ତ୍ରୀ, ଜଣେ ପୂର୍ବତନ ଉଦ୍ୟାନକୃଷିର ଉପ ନିର୍ଦ୍ଦେଶକ, ଜଣେ ପୂର୍ବତନ ମୃତ୍ତିକା ସଂରକ୍ଷଣ ଓଭରସିଅର ଏବଂ ଦୁଇଜଣ ପୂର୍ବତନ ଚତୁର୍ଥଶ୍ରେଣୀ କର୍ମଚାରୀ ଅନ୍ତର୍ଭୁକ୍ତ।

ଭିଜିଲାନ୍‌ସ କୋର୍ଟ ଦ୍ୱାରା ଦଣ୍ଡିତ ସହକାରୀ କୃଷି ଯନ୍ତ୍ରୀ ଏବଂ ଗୁରୁତର ଅସଦାଚରଣ ଅଭିଯୋଗରେ ବିଭାଗୀୟ ଶୃଙ୍ଖଳା କମିଟିର ସୁପାରିଶ କ୍ରମେ ଚତୁର୍ଥଶ୍ରେଣୀ କର୍ମଚାରୀଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଛି।

ସେହିପରି ପୂର୍ବତନ ଉଦ୍ୟାନକୃଷି ଉପ ନିର୍ଦ୍ଦେଶକଙ୍କୁ ସରକାରୀ ଅର୍ଥର ଅପବ୍ୟବହାର ଓ ଅସଦାଚରଣ ଅଭିଯୋଗରେ ଏବଂ ଆଉ ଜଣେ ଚତୁର୍ଥଶ୍ରେଣୀ କର୍ମଚାରୀଙ୍କୁ ଅସଦାଚରଣ ଓ କାର୍ଯ୍ୟରେ ଖିଲାପ ଯୋଗୁଁ ବାଧ୍ୟତାମୂଳକ ଅବସର ଦିଆଯାଇଥିବା ବେଳେ ପୂର୍ବତନ ମୃତ୍ତିକା ସଂରକ୍ଷଣ ଓଭରସିଅରଙ୍କୁ ଭିଜିଲାନ୍‌ସ ଟ୍ରାପ୍‌ କେଶ୍‌ ଅଭିଯୋଗରେ ଆଗୁଆ ଅବସର ଦିଆଯାଇଛି।