ନୂଆଦିଲ୍ଲୀ: ଭାରତୀୟ ଜୀବନ ବୀମା ନିଗମ (ଏଲଆଇସି) ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ସଂଖ୍ୟକ ବୀମା ପଲିସି ବିକ୍ରି କରି ଏକ ନୂତନ ରେକର୍ଡ ସୃଷ୍ଟି କରିଛି। ଏଲଆଇସି ପକ୍ଷରୁ କୁହାଯାଇଛି ଯେ, ଏହା ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ସଂଖ୍ୟକ ଜୀବନ ବୀମା ପଲିସି ବିକ୍ରି କରି ଗିନିଜ୍ ବିଶ୍ୱ ରେକର୍ଡ ସୃଷ୍ଟି କରିଛି।
ଏହି ଐତିହାସିକ ସଫଳତାକୁ ଗିନିଜ୍ ୱାର୍ଲ୍ଡ ରେକର୍ଡସ୍ ଦ୍ୱାରା ଯାଞ୍ଚ କରାଯାଇଛି। ଏହା ସହିତ ଜାନୁଆରୀ ୨୦ ତାରିଖ ୨୦୨୫ ରେ ଗିନିଜ୍ ୱାର୍ଲ୍ଡ ରେକର୍ଡସ୍ ଦ୍ୱାରା LICର ନେଟୱାର୍କର ଉତ୍କୃଷ୍ଟ ପ୍ରଦର୍ଶନକୁ ପ୍ରଶଂସା କରାଯାଇଛି। ଜାନୁଆରୀ ୨୦ ତାରିଖରେ ସାରା ଦେଶରେ ମୋଟ ୪,୫୨,୮୩୯ LIC ଏଜେଣ୍ଟ ୫,୮୮,୧୦୭ ଜୀବନ ବୀମା ପଲିସି ବିକ୍ରୟ କରି ଏହି ରେକର୍ଡ ହାସଲ କରିଛନ୍ତି। ଏଲଆଇସି ଦ୍ୱାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ, “୨୪ ଘଣ୍ଟା ମଧ୍ୟରେ, ଜୀବନ ବୀମା ଶିଳ୍ପରେ ଏଜେଣ୍ଟ ଉତ୍ପାଦକତା ପାଇଁ ଏକ ନୂତନ ବିଶ୍ୱ ମାନଦଣ୍ଡ ସ୍ଥାପନ କରାଯାଇଥିଲା।”
‘ମେଡ୍ ମିଲିୟନ୍ ଡେ’ କୁ କରାଇଲା ସଫଳ:
ବିବୃତ୍ତିରେ ଆହୁରି କୁହାଯାଇଛି ଯେ, “ଏହା ଆମର ଏଜେଣ୍ଟମାନଙ୍କର ଅକ୍ଳାନ୍ତ ସମର୍ପଣ, ଦକ୍ଷତା ଏବଂ ନିରନ୍ତର କାର୍ଯ୍ୟ ନୀତିର ଏକ ଶକ୍ତିଶାଳୀ ପ୍ରମାଣ। ଏହି ସଫଳତା ଆମର ଗ୍ରାହକ ଏବଂ ସେମାନଙ୍କ ପରିବାରକୁ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ସୁରକ୍ଷା ପ୍ରଦାନ କରିବାର ଆମର ଲକ୍ଷ୍ୟ ପ୍ରତି ଆମର ଗଭୀର ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ।” ଏହି ରେକର୍ଡ ପ୍ରୟାସ ଏଲଆଇସି ଏମଡି ଏବଂ ସିଇଓ ସିଦ୍ଧାର୍ଥ ମହାନ୍ତିଙ୍କ ଏକ ପଦକ୍ଷେପର ଫଳାଫଳ ଥିଲା, ଯେଉଁଥିରେ ସେ ପ୍ରତ୍ୟେକ ଏଜେଣ୍ଟଙ୍କୁ ଜାନୁଆରୀ ୨୦ ତାରିଖ ୨୦୨୫ ରେ ‘ମେଡ୍ ମିଲିୟନ୍ ଡେ’ରେ ଅତି କମରେ ଗୋଟିଏ ପଲିସି ସମାପ୍ତ କରିବାକୁ ନିବେଦନ କରିଥିଲେ।
ଏହି ଅବସରରେ ‘ମେଡ୍ ମିଲିୟନ ଡେ’କୁ ଐତିହାସିକ କରିବା ପାଇଁ ସମସ୍ତ ଗ୍ରାହକ, ଏଜେଣ୍ଟ ଏବଂ କର୍ମଚାରୀଙ୍କୁ ସିଦ୍ଧାର୍ଥ ମହାନ୍ତି ଧନ୍ୟବାଦ ଜଣାଇଥିଲେ।