ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି) ବଶିରହାଟ ଲୋକସଭା ଆସନରୁ ବଙ୍ଗଳାର ସନ୍ଦେଶଖାଲି ଅଞ୍ଚଳର ଯୌନ ଉତ୍ପୀଡ଼ନ ପୀଡିତା ରେଖା ପାତ୍ରାଙ୍କୁ ଟିକେଟ ଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସନ୍ଦେଶଖାଲୀ ମାମଲାର ପୀଡିତା ତଥା ବର୍ତ୍ତମାନ ବିଜେପି ପ୍ରାର୍ଥୀଙ୍କୁ ଫୋନରେ କଥା ହୋଇଛନ୍ତି। ପ୍ରଧାନମନ୍ତ୍ରୀ ରେଖା ପାତ୍ରାଙ୍କ ଠାରୁ ନିର୍ବାଚନ ପ୍ରସ୍ତୁତି ବିଷୟରେ ସୂଚନା ନେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରେଖା ପାତ୍ରାଙ୍କୁ ‘ଶକ୍ତି ସ୍ଵରୁପା’ ବୋଲି ବର୍ଣ୍ଣନା କରିଛନ୍ତି। ପ୍ରକାଶ ଯେ, ବଙ୍ଗାଳୀ ଚଳଚ୍ଚିତ୍ର ଅଭିନେତ୍ରୀ ନୁସରତ ଜହାଁ ବର୍ତ୍ତମାନ ବଶିରହାଟ ଆସନରୁ ସାଂସଦ ଅଟନ୍ତି। ତେବେ ଏଥର ଟିଏମସି ଏହି ଆସନରୁ ନୁସରତ ଜହାଁଙ୍କୁ ଟିକେଟ ଦେଇନାହିଁ। ଟିଏମସି ହାଜି ନୁରୁଲ ଇସଲାମକୁ ନିର୍ବାଚନ କ୍ଷେତ୍ରରେ ଓହ୍ଲାଇଛି।
କୁହାଯାଉଛି ଯେ, ରେଖା ପାତ୍ରା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସନ୍ଦେଶଖାଲିରେ ହୋଇଥିବା ଅତ୍ୟାଚାର ବିଷୟରେ କହିଛନ୍ତି। ଏଠାରେ ଥିବା ଲୋକମାନେ ଶେଖ ଶାହାଜହାଁଙ୍କ ସମେତ ତୃଣମୂଳ କଂଗ୍ରେସ ନେତାଙ୍କୁ ହଇରାଣ କରୁଥିବା ଅଭିଯୋଗ କରିଛନ୍ତି। ସନ୍ଦେଶଖାଲୀ ମାମଲାର ମୁଖ୍ୟ ଅଭିଯୁକ୍ତ ଶେଖ ଶାହାଜହାଁ ବର୍ତ୍ତମାନ ସିବିଆଇ ହେପାଜତରେ ଅଛନ୍ତି।
ସନ୍ଦେଶଖାଲିରେ ଟିଏମସି ନେତା ଶେଖ ଶାହାଜହାଁ ଏବଂ ତାଙ୍କର ଦୁଇ ସହଯୋଗୀ ଶିବୁ ହାଜ୍ରା ଏବଂ ଉତ୍ତମ ସର୍ଦ୍ଦାର ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ଶିବୁ ହାଜ୍ରା ଏବଂ ଉତ୍ତମ ସର୍ଦ୍ଦାରଙ୍କ ସମେତ ୧୮ ଜଣଙ୍କୁ ବଙ୍ଗଳା ପୋଲିସ ଗିରଫ କରିସାରିଛି। ପ୍ରାୟ ୫୫ ଦିନ ପରେ ଶେଖ ଶାହାଜହାଁଙ୍କୁ ଗିରଫ କରାଯାଇଥିଲା।