Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର

ଭାଙ୍ଗିଲା ଏସପି-କଂଗ୍ରେସ ମେଣ୍ଟ!, କଂଗ୍ରେସ ରାଜ୍ୟ ସଭାପତିଙ୍କ ଆସନରେ ଏହି ନେତାଙ୍କୁ ଟିକେଟ ଦେଲେ ଅଖିଳେଶ

ନୂଆଦିଲ୍ଲୀ: 2024 ଲୋକସଭା ନିର୍ବାଚନ ପୂର୍ବରୁ, ବିରୋଧୀ ଦଳର ଇଣ୍ଡି ମେଣ୍ଟ ଦେଶର ସର୍ବବୃହତ ରାଜ୍ୟ ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି ଏବଂ କଂଗ୍ରେସର ମେଣ୍ଟ ଭାଙ୍ଗୁଥିବା ଜଣାପଡିଛି। ସମାଜବାଦୀ ପାର୍ଟି ପ୍ରାର୍ଥୀଙ୍କ ତୃତୀୟ ତାଲିକା ପ୍ରକାଶ କରିଛି। ଦଳ ଏପର୍ଯ୍ୟନ୍ତ ଲୋକସଭା ନିର୍ବାଚନ 2024 ପାଇଁ 31 ଜଣ ପ୍ରାର୍ଥୀ ପ୍ରଦାନ କରିଛି। ୟୁପି କଂଗ୍ରେସ ସଭାପତି ଅଜୟ ରାୟଙ୍କ ଆସନ ବାରାଣାସୀରେ ପ୍ରାର୍ଥୀଙ୍କ ନାମ ମଧ୍ୟ ଘୋଷଣା କରିଛି। ଏହା ପରେ ଉଭୟ ଦଳର ଏକାଠି ହେବାର ସମସ୍ତ ଆଶା ଦୂର ହୋଇଯାଇଛି।

ସିଟ୍ ବଣ୍ଟନ ଉପରେ ଆଲୋଚନା ହେବା ପରେ ସେ ରାହୁଲ ଗାନ୍ଧୀଙ୍କ ନ୍ୟାୟ ଯାତ୍ରାରେ ଯୋଗଦେବେ ବୋଲି ଅଖିଳେଶ ଯାଦବ କହିଥିଲେ। ରାହୁଲଙ୍କ ନ୍ୟାୟ ଯାତ୍ରା ୟୁପିରେ ଅନୁଷ୍ଠିତ ହୋଇଥିଲେ ମଧ୍ୟ ସେ ଏଥିରେ ଭାଗ ନେଇନଥିଲେ। ଏହା ପରେ ଏହା ସ୍ପଷ୍ଟ ହେଲା ଯେ ଦୁଇ ଦଳ ମଧ୍ୟରେ ବୁଝାମଣା କଷ୍ଟସାଧ୍ୟ।

ଅଖିଳେଶ 17 ଟି ସିଟ୍ ଦେବାକୁ ଚାହୁଁଥିଲେ:

I.N.D.I.A ମେଣ୍ଟକୁ ବଜାୟ ରଖିବା ପାଇଁ ଅଖିଳେଶ ଯାଦବ ରାଜ୍ୟର 80 ଟି ସିଟ୍ ମଧ୍ୟରୁ 17 ଟି କଂଗ୍ରେସକୁ ଦେବାକୁ ଚାହୁଁଥିଲେ। ତେବେ କଂଗ୍ରେସ ଏଥିରେ ରାଜି ହୋଇ ନାହିଁ। ବର୍ତ୍ତମାନ ଅଖିଳେଶ ତାଙ୍କ ପ୍ରାର୍ଥୀଙ୍କ ନାମର ତୃତୀୟ ତାଲିକା ପ୍ରକାଶ କରିଛନ୍ତି ଏବଂ ମେଣ୍ଟର ଆଶା ଶେଷ ହୋଇଛି। ଆମେଥୀ ଏବଂ ରାଏବରେଲି ପରେ ବାରାଣାସୀ ଆସନ କଂଗ୍ରେସ ଦଳ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ୟୁପି କଂଗ୍ରେସ ସଭାପତି ଅଜୟ ରାୟ ଏଠାରୁ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି, କିନ୍ତୁ ଏହି ଆସନରେ ସୁରେନ୍ଦ୍ର ପଟେଲଙ୍କୁ ଟିକେଟ୍ ଦେଇ ଅଖିଳେଶ ସ୍ପଷ୍ଟ କରିଛନ୍ତି ଯେ, ସେ ଏକାକୀ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।

ପୂର୍ବରୁ କଂଗ୍ରେସକୁ ଆସନ ଦିଆଯାଇଥିଲା:

ଅଜୟ ରାୟ ଲଗାତାର ତିନିଥର ଏହି ଆସନରୁ ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ କଂଗ୍ରେସ ଅଜୟ ରାୟଙ୍କୁ ମଧ୍ୟ ଟିକେଟ ଦେଇଥିଲା। ଏଭଳି ପରିସ୍ଥିତିରେ ଯଦି ତାଙ୍କ ଆସନ ଛଡ଼ାଇ ନିଆଯାଏ ତେବେ ମେଣ୍ଟର ବଞ୍ଚିବାର କୌଣସି ସମ୍ଭାବନା ନାହିଁ। ଅଖିଳେଶ କହିଥିଲେ ଯେ, ସେ 17 ଟି ସିଟ୍ ଅଫର ଗ୍ରହଣ କରିବା ପରେ ହିଁ କଂଗ୍ରେସର ନ୍ୟାୟ ଯାତ୍ରାରେ ଯୋଗଦେବେ ଏବଂ ମଙ୍ଗଳବାର ପର୍ଯ୍ୟନ୍ତ ମଧ୍ୟ ସମୟ ଦେଇଥିଲେ। ଅଖିଳେଶ ଏହି ଯାତ୍ରାରେ ମଧ୍ୟ ଭାଗ ନେଇ ନଥିଲେ ଏବଂ 17 ଟି ସିଟ୍ ମଧ୍ୟରେ ସେ ବାରାଣାସୀ ଆସନ ମଧ୍ୟ ଦେଇଥିଲେ, କିନ୍ତୁ ବର୍ତ୍ତମାନ ସେ ସେହି ଆସନରେ ପ୍ରାର୍ଥୀ ମଧ୍ୟ ଦେଇଛନ୍ତି। ଏଥିରୁ ସ୍ପଷ୍ଟ ହୋଇଛି ଯେ ମେଣ୍ଟ ଏକ ପ୍ରକାର ଶେଷ ହୋଇଛି।

Categories
ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ସବୁଠାରୁ ଅଧିକ ଚର୍ଚ୍ଚାରେ ସମ୍ବଲପୁର ଲୋକସଭା ଭାଜପାରୁ ଧର୍ମେନ୍ଦ୍ର ପ୍ରଧାନ, ବିଜଦରୁ କିଏ?

ଭୁବନେଶ୍ୱର: ଏକଦା କଂଗ୍ରେସ ଓ ବିଜଦର ହସ୍ତମୁଦି ମାହାଲ ହୋଇଥିବା ସମ୍ବଲପୁର ଲୋକସଭା ଆସନ ଏବେ ଭାଜପା ପାଇଁ ଅନୁକୂଳ ସ୍ଥିତିରେ ରହିଛି। ରାଜ୍ୟରେ ବିଗତ ୨୩ ବର୍ଷ ଧରି ନିରଙ୍କୁଶ ଶାସନ କ୍ଷମତାରେ ଥିବା ବିଜଦ ଏହି ଆସନ ପାଇଁ ପ୍ରାର୍ଥୀ ଖୋଜିବାରେ ଲାଗିଥିବାବେଳେ କଂଗ୍ରେସରେ ମଧ୍ୟ ପ୍ରାର୍ଥୀ ସଂକଟ ଲାଗିରହିଛି।

ଗତ ନିର୍ବାଚନରେ ଆଦୌ ଚର୍ଚ୍ଚାରେ ନ ଥିବା କଂଗ୍ରେସ ନେତା ନିତେଶ ଗଙ୍ଗଦେବ ଭାଜପାକୁ ଆସି ଲୋକସଭା ପ୍ରାର୍ଥୀ ହୋଇଥିଲେ। ନିର୍ବାଚନରେ ବିଜଦର ପ୍ରଚାରପ୍ରସାର, ଧନବଳ, ଜନବଳକୁ ପ୍ରତିହତ କରି ଅପ୍ରତ୍ୟାଶିତ ଭାବରେ ମାତ୍ର ୯,୧୬୨ ଭୋଟରେ ବିଜୟ ଲାଭ କରିଥିଲେ। ଏପରିକି ସମ୍ବଲପୁର ଲୋକସଭା ଅଧିନରେ ଥିବା ରେଙ୍ଗାଲି, ସମ୍ବଲପୁର ଓ ଦେବଗଡ଼ ବିଧାନସଭା ଆସନରେ ଭାଜପା ପ୍ରାର୍ଥୀମାନେ ବିଜୟ ଲାଭ କରିଥିଲେ। ଅନ୍ୟ ୪ଟି ବିଧାନସଭା ଆସନରେ ଭାଜପା ପ୍ରାର୍ଥୀମାନେ ବିଜଦ ପ୍ରାର୍ଥୀମାନଙ୍କୁ କଡ଼ା ଟକ୍କର ଦେଇ ପରାଜିତ ହୋଇଥିଲେ।

ଭାଜପାର କେନ୍ଦ୍ରୀୟ କମିଟିର ନିଷ୍ପତ୍ତି ଅନୁସାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଥର ଲୋକସଭା ନିର୍ବାଚନ ଲଢ଼ିବା ପାଇଁ ସ୍ଥିର ହେବାପରଠାରୁ ସମ୍ବଲପୁର ଲୋକସଭା ଆସନ ଚର୍ଚ୍ଚାକୁ ଆସିଛି। ସମ୍ବଲପୁରର ବର୍ତ୍ତମାନ ସାଂସଦ ନିତେଶ ଗଙ୍ଗଦେବଙ୍କ ପତ୍ନୀ ଭାଜପା ନେତାମାନଙ୍କ ବିରୋଧରେ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିବା ପରଠାରୁ ଗଙ୍ଗଦେବଙ୍କୁ ଆଉ ଦଳୀୟ ଟିକଟ ମିଳିବ ନାହିଁ ବୋଲି ସ୍ପଷ୍ଟ ହୋଇଯାଇଛି। ଶାସକ ଦଳ ବିଜଦ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏଠାରୁ ହରାଇବା ପାଇଁ ବିଭିନ୍ନ ପ୍ରକାରର ସମରସଜ୍ଜା କଲେ ମଧ୍ୟ ସଫଳ ହୋଇପାରିବ ନାହିଁ। କାରଣ ସମ୍ବଲପୁରରେ ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘର କ୍ଷେତ୍ରୀୟ କାର୍ଯ୍ୟାଳୟ ରହିଛି। ଏହାର ଦାୟିତ୍ୱରେ ଭାଜପାର ପୂର୍ବତନ ସଂଗଠନ ସମ୍ପାଦକ ପ୍ରସନ୍ନ ମିଶ୍ର ଅଛନ୍ତି। ତାଙ୍କରି ସମରସଜ୍ଜାରେ ଗତଥର ବିଜଦ ପ୍ରାର୍ଥୀ ନଳିନୀକାନ୍ତ ପ୍ରଧାନ ଜିତୁ ଜିତୁ ହାରଗଲେ। ତେଣୁ ଆଗାମୀ ନିର୍ବାଚନରେ ସଂଘର ପ୍ରମୁଖ ଭୂମିକା ରହିବ, ଯାହାଫଳରେ ଭାଜପା ପ୍ରାର୍ଥୀଙ୍କ ବିଜୟରେ ସହାୟତା ହେବ।

୧୯୯୮ରୁ ୨୦୦୯କୁ ଛାଡ଼ି ୨୦୧୪ ପର୍ଯ୍ୟନ୍ତ ଏଠାରୁ ୪ଥର ବିଜୟୀ ହୋଇଥିବା ଶାସକ ବିଜଦ ଆଗାମୀ ନିର୍ବାଚନରେ କାହାକୁ ପ୍ରାର୍ଥୀ କରିବ ସେଥିପାଇଁ ଚିନ୍ତାରେ ପଡ଼ିଯାଇଛି। ଏଠାରୁ ଲଗାତାର ୩ଥର ସାଂସଦ ହୋଇଥିବା ପ୍ରସନ୍ନ ଆଚାର୍ଯ୍ୟ ଲୋକସଭା ଲଢ଼ିବା ପରିବର୍ତ୍ତେ ବିଧାନସଭା ଲଢ଼ିବା ପାଇଁ ଆଗ୍ରହୀ ଅଛନ୍ତି। ଏପରିକି ଗତଥର ନିର୍ବାଚନ ଲଢ଼ି ହାରିଥିବା ନଳିନୀକାନ୍ତ ପ୍ରଧାନ ଆଗାମୀ ନିର୍ବାଚନରେ ଲୋକସଭା ପରିବର୍ତ୍ତେ ଆଠମଲିକରୁ ବିଧାନସଭା ଲଢ଼ିବା ପାଇଁ ଜନସମ୍ପର୍କ ଅଭିଯାନ ଚଳାଇଛନ୍ତି। ଏହାକୁ ନେଇ ବର୍ତ୍ତମାନର ବିଜଦ ବିଧାୟକ ରମେଶ ସାଏ ଦଳରୁ ଇସ୍ତଫା ଦେଇଥିବା ଚର୍ଚ୍ଚା ହେଉଛି। ପୂର୍ବରୁ କଂଗ୍ରେସ ଲୋକସଭା ପ୍ରାର୍ଥୀ ହୋଇଥିବା ବିଜଦର ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀଙ୍କ ନାମ ମଧ୍ୟ ଚର୍ଚ୍ଚାକୁ ଆସିଛି। କିନ୍ତୁ ସେ ଏଥିପାଇଁ ଆଗ୍ରହୀ ନ ଥିବା ତାଙ୍କ ନିକଟତମ ସୂତ୍ରରୁ ପ୍ରକାଶ।

ଯାହାଫଳରେ ବିଜଦର ପ୍ରଭାବଶାଳୀ ସଂଗଠନ ସମ୍ପାଦକ ପ୍ରଣବପ୍ରକାଶ ଦାସଙ୍କ ନାମ ସମ୍ବଲପୁର ଲୋକସଭା ଆସନ ପାଇଁ ବେଶ୍‍ କିଛିଦିନ ହେଲା ଚର୍ଚ୍ଚା ହେଉଛି। ସେ ଯଦି ଏଠାରୁ ଲଢ଼ନ୍ତି ତେବେ ସେ ଭାଜପା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନିର୍ବାଚନ ମଣ୍ଡଳୀ ମଧ୍ୟରେ ସୀମିତ ରଖିବା ପାଇଁ ସେଠାରେ ପଡ଼ି ରହିବେ। ଫଳରେ ବିଜଦର ରାଜ୍ୟ ନିର୍ବାଚନ ପରିଚାଳନାରେ ବାଧା ଉପୁଜିବ, ତେଣୁ ସେ ପ୍ରାର୍ଥୀ ହୋଇନପାରନ୍ତି ବୋଲି ଗୋଟିଏ ଗୋଷ୍ଠୀ ଯୁକ୍ତି ବାଢ଼ୁଛନ୍ତି। ଆଉ ଗୋଟିଏ ଗୋଷ୍ଠୀର ଯୁକ୍ତି ଅନୁସାରେ ସେ ଉପକୂଳର ହୋଇଥିବାରୁ ପଶ୍ଚିମ ଓଡ଼ିଶାର ମତଦାତାମାନେ କଟକିଆ କହି ବିରୋଧ କରିପାରନ୍ତି। ତେଣୁ ବିଜଦ ଏବେ ପ୍ରାର୍ଥୀ ଖୋଜିବାରେ ଲାଗିଛି। ଯଦି କେହି ନ ମିଳନ୍ତି ତେବେ ପୂର୍ବତନ ସାଂସଦ ନଗେନ୍ଦ୍ର କୁମାର ପ୍ରଧାନ ପୁଣି ଥରେ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

୧୯୬୭ରୁ ୨୦୦୯ ପର୍ଯ୍ୟନ୍ତ ସମ୍ବଲପୁର ଲୋକସଭା ଆସନରୁ ୭ଥର ବିଜୟୀ ହୋଇଥିବା କଂଗ୍ରେସ ଦଳ ଗତ ଦୁଇଟି ନିର୍ବାଚନରେ ତୃତୀୟ ସ୍ଥାନକୁ ଖସି ଆସିବା ସହିତ ଭୋଟ ହାର ମଧ୍ୟ ହରାଇବାରେ ଲାଗିଛି। ୨୦୧୯ ନିର୍ବାଚନରେ ବର୍ତ୍ତମାନର ପିସିସି ସଭାପତି ଶରତ ପଟ୍ଟନାୟକ କଂଗ୍ରେସ ପ୍ରାର୍ଥୀ ହୋଇ ମାତ୍ର ୧,୩୫,୯୬୯ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ। କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିକଟରେ ପଶ୍ଚିମ ଓଡ଼ିଶାରେ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା କରିଥିଲେ ହେଁ ଏହାର ପ୍ରଭାବ ମତଦାତା କିମ୍ବା କଂଗ୍ରେସ ନେତାଙ୍କ ଉପରେ ପଡ଼ିନାହିଁ। ଯାହାଫଳରେ ରାହୁଲ ଗାନ୍ଧୀଙ୍କ ନ୍ୟାୟ ଯାତ୍ରା ପରେ ଅନେକ ବରିଷ୍ଠ କଂଗ୍ରେସ ନେତା ଦଳ ଛାଡ଼ି ବିଜଦରେ ଯୋଗ ଦେଇଛନ୍ତି। ତେଣୁ ଆଗାମୀ ନିର୍ବାଚନରେ ସମ୍ବଲପୁର ଲୋକସଭା ଆସନରୁ କିଏ ପ୍ରାର୍ଥୀ ହେବ ତାହା ଏବେ ପ୍ରଦେଶ ନାତାମାନଙ୍କର ଚିନ୍ତାର ବିଷୟ ହୋଇଛି।