Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଧର୍ମେନ୍ଦ୍ରଙ୍କୁ କାହିଁକି ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କଲା ନାହିଁ? କଟାକ୍ଷ କଲେ ପ୍ରଣବ ପ୍ରକାଶ

ଭୁବନେଶ୍ବର: ସମ୍ବଲପୁର ଲୋକସଭା ଆସନରେ ଚାଲିଛି କଡା ଟକ୍କର। ଉଭୟ ଦଳର ହେଭି ୱେଟ ନେତାଙ୍କ ମଧ୍ୟରେ ଚାଲିଛି ଯୁଦ୍ଧ। ବିଜେଡିରୁ ପ୍ରଣବ ପ୍ରକାଶ ଦାସ ଏବଂ ବିଜେପିରୁ ଧର୍ମେନ୍ଦ୍ର ପ୍ରଧାନ। ଉଭୟଙ୍କର ଚାଲିଛି ଦମଦାର ପ୍ରଚାର। ତେବେ ଏହି ପ୍ରଚାର ଭିତରେ ସାମାଜିକ ଗଣମାଧ୍ୟମ ମଧ୍ୟ ବାଦପଡିନି। ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ଧର୍ମେନ୍ଦ୍ରଙ୍କୁ କାହିକି ଦଳ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କଲା ନାହିଁ ତାହାର ଏକ ସମାଲୋଚନା କରିଛନ୍ତି।

ପ୍ରଣବ ପ୍ରକାଶ କହିଛନ୍ତି ଯେ, ” ଗତ ୧୦ ବର୍ଷ ଧରି ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନ ଦେଖିଲେ, ହେଲେ ତାଙ୍କ ନିଜ ଦଳ ତାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କଲା ନାହିଁ। କାରଣ ସେ ଦଳର ବିଶ୍ୱାସ ହରାଇଛନ୍ତି। ତାଙ୍କ ଦଳ ଜାଣିଛି, ଯେଉଁଦିନ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ତାଙ୍କ ନାଁ ଘୋଷଣା ହୋଇଯିବ, ବିଧାନସଭାରେ ସେମାନଙ୍କର ଆସନ ସଂଖ୍ୟା ୧୦ ରୁ ତଳକୁ ଖସି ଆସିବ।”

ପ୍ରଣବ ଆହୁରି କହିଛନ୍ତି ଯେ, ” ଶ୍ରୀ ପ୍ରଧାନ, ଢେଙ୍କାନାଳ ସଂସଦୀୟ କ୍ଷେତ୍ରରୁ ଲଢିବାକୁ ୧୦ ବର୍ଷ ଧରି ଯଥା ସମ୍ଭବ ଉଦ୍ୟମ କଲେ। ହେଲେ ସେଠାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ, ନିଜ ପଞ୍ଚାୟତ, ବ୍ଲକ୍ ଆଉ ଜିଲ୍ଲା ପରିଷଦରେ ହାରିଲେ। ସେଥିରୁ ସେ ଜାଣିପାରିଲେ ଢେଙ୍କାନାଳରୁ ଲଢିଲେ ଜିତିବା ଅସମ୍ଭବ। ଖାସ୍ ଏଥିପାଇଁ ସେ ସମ୍ବଲପୁର ଆସିଲେ।”

ସେ କହିଛନ୍ତି ଯେ, “ଭାରତବର୍ଷର ସେ ହେଉଛନ୍ତି ଏକମାତ୍ର ରାଜନେତା, ଯିଏ ନିର୍ବାଚନରେ ନ’ଜିତି ମଧ୍ୟ ତାଙ୍କ ବିରୋଧରେ ଜନମତ ରହିଛି। ଯାହା ଉପରେ ନିଜ ଦଳ ବିଶ୍ବାସ କରିପାରିଲା ନାହିଁ, ତାଙ୍କ ଉପରେ କ’ଣ ସମ୍ବଲପୁରବାସୀ ଭରସା କରିବେ? ସମ୍ବଲପୁରବାସୀ ସତର୍କ ହେବେ ଏବଂ ନିଜର ବହୁମୂଲ୍ୟ ମତ ଉଚିତ ଜାଗାରେ ବ୍ୟକ୍ତ କରିବେ।”

ଧର୍ମେନ୍ଦ୍ରଙ୍କୁ ପ୍ରଣବ ପ୍ରକାଶ ଦାସଙ୍କ ଏପରି କଟାକ୍ଷ ଓଡିଶା ରାଜନୀତିରେ ବେଶ ହଲଚଲ ସୃଷ୍ଟି କରିଛି।

Categories
ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ନାମାଙ୍କନ ଦାଖଲ ବେଳ ଅପରାଜିତା ଓ ମନ୍ମଥଙ୍କ ସମର୍ଥକ ମଧ୍ୟରେ ମୁହାଁମୁହିଁ, ପରିସ୍ଥିତି ଉତ୍ତେଜନା

ଭୁବନେଶ୍ବର: ଭୁବନେଶ୍ବର ଲୋକସଭା ଆସନ ପାଇଁ ଗତକାଲି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଉଭୟ ବିଜେଡି ଓ ବିଜେପି ପ୍ରାର୍ଥୀ। ଖୋର୍ଦ୍ଧା ଜିଲ୍ଲାପାଳ ଅଫିସରେ ବିଜେଡି ତରଫରୁ ମନ୍ମଥ ରାଉତରାୟ ଏବଂ ବିଜେପିରୁ ଅପରାଜିତା ଷଡଙ୍ଗୀ ନାମାଙ୍କନ ଦାଖଲ କରିଥିଲେ। ଉଭୟ ଏକ ବିଶାଳ ଶୋଭାଯାତ୍ରାରେ ଆସି ସେମାନେ ଏହି ପ୍ରାର୍ଥୀପତ୍ର ଦାଖଲ କରିଥିଲେ।

ତେବେ ପ୍ରାର୍ଥୀପତ୍ର ଦାଖଲ ବେଳେ ଉଭୟ ସମର୍ଥକ ମୁହାଁମୁହିଁ ହୋଇଯାଇ ଥିଲେ। ଏକା ସମୟରେ ଶୋଭାଯାତ୍ରା କରି ଜିଲ୍ଲାପାଳ ଅଫିସ ନିକଟରେ ଏକାଠି ହୋଇଥିଲେ। ଫଳରେ ଅପରାଜିତାଙ୍କ ସମର୍ଥକ ଜୋରରେ ଜୟ ଶ୍ରୀରାମ ବୋଲି ନାରାବାଜି ଦେବାକୁ ଲାଗିଲେ। ଏହାକୁ ଦେଖି ମନ୍ମଥଙ୍କ ବିଜେଡି ସମର୍ଥକମାନେ ଜୟ ଜଗନ୍ନାଥ ବୋଲି ନାରା ଦେବାକୁ ଆରମ୍ଭ କଲେ।

ମନ୍ମଥ ଏବଂ ଅପରାଜିତା ଭିତରେ ନାମାଙ୍କନ ଦାଖଲ କରୁଥିବା ବେଳେ ବାହାରେ ସମର୍ଥକଙ୍କ ଏପରି ନାରାବାଜି ପୋଲିସ ପାଇଁ ମୁଣ୍ଡବଥାର କାରଣ ପାଲଟିଲା। ଉଭୟ ଗୋଷ୍ଠୀ ବେଶ କିଛି ସମୟ ଏପରି ନାରାବାଜି ଦେବା ପରେ ପରିସ୍ଥିତି ଉତ୍ତେଜନା ପୂର୍ଣ୍ଣ ହେବ ବୋଲି ଆଶଙ୍କା ସୃଷ୍ଟି ହେଲା। ଏହାପରେ ବିଜେଡି ସମର୍ଥକ ଯୋଡି ଶଙ୍ଖ ଜିନ୍ଦାବାଦ କରିବା ବେଳେ ବିଜେପି ସମର୍ଥକ ଯୋଡି ପଦ୍ମ ଜିନ୍ଦାବାଦ କଲେ।

ସେଠାରେ ପୋଲିସ ମୁତୟନ ହୋଇଥିଲେ ମଧ୍ୟ ଉଭୟ ଦଳର ଯେତେ ସମର୍ଥକ ଥିଲେ ସେଥିରେ ଏହାକୁ ନିୟନ୍ତ୍ରଣ କରିବା ପରି ଅବସ୍ଥା ନ ଥିଲା। ଖୋର୍ଦ୍ଧା ଏସପି ଏ ଖବର ଜାଣିବା ପରେ ତୁରନ୍ତ ଅଧିକ ଫୋର୍ସ ମଗାଇ ଉତ୍ତେଜନାକୁ ନିୟନ୍ତ୍ରଣ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର

ଧାଡିରେ ଛିଡା ହୋଇ ଭୋଟ ଦେଲେ ପ୍ରଖ୍ୟାତ ଅଭିନେତା ରଜନୀକାନ୍ତ, ଅଜିଥ କୁମାର

ନୂଆଦିଲ୍ଲୀ: ଆଜି ଦେଶରେ ଆରମ୍ଭ ହୋଇଛି ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ। ଏହି ମତଦାନ ଆଜି ସକାଳ ୭:୦୦ ରେ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ୨୧ ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ମତଦାନ ହୋଉଛି। ଏଥିରେ ୧୦୨ ଟି ଆସନରେ ଭୋଟ ଗ୍ରହଣ ଚାଲିଛି।

ଏହି ଭୋଟ ଦେବା ପାଇଁ ଭୋଟରଙ୍କ ମଧ୍ୟରେ ବେଶ ଉତ୍ସାହ ପରିଲକ୍ଷିତ ହୋଇଛି। ତାମିଲନାଡୁରେ ପ୍ରଖ୍ୟାତ ଅଭିନେତାମାନେ ସକାଳୁ ଧାଡିରେ ଛିଡା ହୋଇ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଛନ୍ତି। ଅଭିନେତା ଅଜିଥ କୁମାର ଆଜି ଭୋଟ ଗ୍ରହଣ ଆରମ୍ଭ ହେବା ପୂର୍ବରୁ ବୁଥ ନିକଟରେ ପହଞ୍ଚିଥିଲେ। ଏହା ପରେ ପରେ ପ୍ରଖ୍ୟାତ ଅଭିନେତା ରଜନୀକାନ୍ତ ମଧ୍ୟ ଭୋଟ ଦେବା ପାଇଁ ଧାଡିରେ ଛିଡା ହୋଇଥିଲେ।

ଉଭୟ ଭୋଟ ଦେବା ପରେ ସେମାନେ ସେମାନଙ୍କର ମତାଧିକାର ସାବ୍ୟସ୍ତ କରିଛନ୍ତି ବୋଲି ଗଣମାଧ୍ୟମକୁ କହିଛନ୍ତି। ଏହି ଭୋଟ ଗ୍ରହଣ ସକାଳ ୭:୦୦ ରୁ ସନ୍ଧ୍ୟା ୬:୦୦ ପର୍ଯ୍ୟନ୍ତ ଚାଲିବ।