କେଦାର ମିଶ୍ର
ଗତ ପାଞ୍ଚ ବର୍ଷ ହେଲା ନିୟମିତ ଭାବରେ ଜାନୁଆରୀ ଦ୍ଵିତୀୟ ଶନିବାର ଓ ରବିବାର ଦିନ ମୁଁ କୋଣାର୍କରେ ରହେ। କେବଳ ମୁଁ ନୁହେଁ, ଓଡିଶାର ତଥା ଦେଶର କିଛି ଜଣାଶୁଣା ଲେଖକ ଏହି ସମୟରେ କୋଣାର୍କକୁ ଆସନ୍ତି। ଚନ୍ଦ୍ରଭାଗା କବିତା ଉତ୍ସବ ନାଁରେ ଆମେ କୋଣାର୍କର କଳାକୃତି, ଓଡିଆ କବିତା ଓ ଜନଜୀବନକୁ ନେଇ ଏହି ଉତ୍ସବରେ ଆଲୋଚନା କରିଥାଉ। ଓଡିଶାର ସର୍ବ ବରିଷ୍ଠ ଲେଖକ ଜୟନ୍ତ ମହାପାତ୍ରଙ୍କ ନେତୃତ୍ଵରେ ଆୟୋଜିତ ହେଉଥିବା ଏହି ଉତ୍ସବର ସ୍ଵାଭାବିକ ସ୍ଥାନ ହେଉଛି କୋଣାର୍କ ଯାତ୍ରୀ ନିବାସ। କୋଣାର୍କ ମନ୍ଦିର ସାମ୍ନାରେ ରହିଥିବା ଓ ଓଡିଶା ସରକାରଙ୍କ ପର୍ୟଟନ ବିକାଶ ନିଗମ ଦ୍ଵାରା ପରିଚାଳିତ ଏହି ଯାତ୍ରୀ ନିବାସ ଓ ପାନ୍ଥ ନିବାସ ଆମର ନିୟମିତ ଆକର୍ଷଣ ହୋଇ ରହିଆସିଛି।
ତେବେ ଏ ଯାତ୍ରୀ ନିବାସରେ କୋଣାର୍କ ବୁଲିବାକୁ ଆସୁଥିବା ଲୋକଙ୍କ ପାଇଁ କିଛି ସୁଖଦ ଅନୁଭୂତି ଅଛି କି? ଆଜି ଯେତେବେଳେ ଆମେ ନୂଆ ଓଡିଶା ଏବଂ ବ୍ରାଣ୍ଡ ଓଡିଶାର କଥା କହୁଛୁ, ସେତେବେଳେ ଓଡିଶାର ସବୁଠୁ ବଡ ଐତିହ୍ୟ ସମ୍ପଦ କୋଣାର୍କକୁ ଆମେ କେମିତି ଦେଖୁଛୁ, ତାରି ଉପରେ ଅନେକ କିଛି ନିର୍ଭର କରୁଛି। କୋଣାର୍କ ଯାତ୍ରୀ ନିବାସର ପରିସର ବେଶ ବ୍ୟାପକ। ଏହାର ବାହାର ପରିବେଶ ସୁନ୍ଦର। ହେଲେ ଏହାର କୋଠରି ଗୁଡିକ ଭୁତ କୋଠିଠୁ ବି ଭୟଙ୍କର। ତେବେ ଏ ସବୁ କୋଠରୀର ଦୈନିକ ଭଡା କିଛି କମ ନୁହେଁ। ୨୪ ଘଣ୍ଟାର ରହଣି ରେ ସୁଟ ପାଇଁ ୩୭୦୦, ଡିଲକ୍ସ କୋଠରୀ ପାଇଁ ୨୩୦୦ ଓ ସାଧାରଣ କୋଠରୀ ଲାଗି ୧୨୦୦ ଟଙ୍କାର ଭଡା ଦେବାକୁ ପଡିଥାଏ। ଡିସେମ୍ବର ମାସରେ ଏ ଭଡା ଟିକେ ଅଧିକ। ଏ ଭଡା କୌଣସି ଦୁଇ/ତିନି ତାରକା ହୋଟେଲ ଠାରୁ କମ ନୁହେଁ। କିନ୍ତୁ ଏଇ କୋଠରୀ ସବୁ ଏତେ ଦୟନୀୟ କାହିଁକି?
ମୁଁ ରହୁଥିବା ୩୨୫ ନମ୍ବର କୋଠରୀ କୁ ପଶୁ ପଶୁ ମଶା ଓ ଅସରପାଙ୍କ ସ୍ଵାଗତ ମୋତେ ସତର୍କ ହେବାକୁ ବାଧ୍ୟ କରିଥିଲା। କୋଠରୀ ରେ ଥିବା ଏୟାର କଣ୍ଡିସନରର ଢାଙ୍କୁଣୀ ଉଡିଯାଇଛି। କହିବା ବାହୁଲ୍ୟ ଯେ ଏସି କାମ କରୁନଥିଲା କି କରିବାର ସମ୍ଭାବନା ମଧ୍ୟ ନଥିଲା। ଯାହାହେଉ ଶୀତ ଦିନେ ସେ କିଛି ସମସ୍ୟା ନୁହେଁ। ଏସି ସହିତ କୋଠରୀର ପ୍ରତ୍ୟେକ କୋଣରେ ଅସଂଖ୍ୟ ଉଈ ହୁଙ୍କା। ଝରକାରେ ଲାଗିଥିବା ପରଦା ହଠାତ ଖସିଆସି ବାଜିଲା ମୋ ଗୋଡରେ। ସେ ପରଦା ଆଉ ଥରେ ଲାଗିବାର ସମ୍ଭାବନା ଦିଶୁନଥିଲା। ଗାଧୁଆ ଘର ଅବସ୍ଥା ନ କହିଲେ ଭଲ।ଅନେକ ସମୟ ଯାଏ କୋଠରୀରେ ଲାଇଟ ବା ପାଣି ଆସୁନଥିଲା। ଅଭିଯୋଗ କଲାପରେ ଯେଉଁ ପାଣି ଆସିଲା ସେଥିରେ କାଦୁଅ ଭର୍ତ୍ତି ନଳାପାଣି। ଅନେକ ବନ୍ଧୁଙ୍କର ଅଭିଯୋଗ ଥିଲା ତାଙ୍କ କୋଠରୀର ଗୀଜର କାମ କରୁନାହିଁ। ପାଣି ପାଇପ ସବୁ କଳଙ୍କି ଲଗା ଓ ଅନେକ ଅକାମୀ। କୋଠରୀରେ ପାଣି ଟୋପେ ପାଇବାକୁ ହେଲେ ଆପଣଙ୍କୁ ଘଣ୍ଟାଏ ଅପେକ୍ଷା କରିବାକୁ ପଡିବ। ଅଦ୍ଭୁତ, ଅଣ ପେଶାଦାର ଓ ନିହାତି ରହିବା ଅନୁପଯୋଗୀ ଏମିତି ଏକ ଯାତ୍ରୀ ନିବାସର ଦାୟିତ୍ଵ ଓଡିଶା ସରକାର ଚଳାଉଛନ୍ତି, ଏକଥା ଜାଣିଲା ପରେ ମୁମ୍ବାଇ ରୁ ଆସିଥିବା ଆମର ଜଣେ ବିଶିଷ୍ଟ ଇଂରାଜୀ କବି ବନ୍ଧୁ କହିଲେ- ନା, ବିଶ୍ଵକପ ହକି ଆୟୋଜନ କରୁଥିବା ଗୋଟେ ସରକାରଠୁ ଏ ପ୍ରକାର ପରିଚାଳନା ଆଶା କରାଯାଇ ପାରେନା।
ଯାତ୍ରୀ ନିବାସର ପରିଚାଳନାକୁ ନେଇ ସମସ୍ୟାର ତାଲିକା ବହୁତ ଲମ୍ବା। ଆଜିକାଲି କୌଣସି ୩୦୦ ଟଙ୍କିଆ ହୋଟେଲକୁ ଗଲେ ସେ ଆପଣଙ୍କୁ ମାଗଣା ରେ ୱାଇ ଫାଇ ସୁବିଧା ଦେବା କିନ୍ତୁ ତିନି ହଜାର ଟଙ୍କିଆ କୋଠରୀ ରେ ଇଣ୍ଟର୍ନେଟ ସେବା ଉପଲବ୍ଧ ନାହିଁ। ଏତେ ଟଙ୍କା ଦେଇ ଯେଉଁ ପର୍ୟଟକ ଯାତ୍ରୀ ନିବାସରେ ରହିବ, ତାର ଅନୁଭବ ଏତେ ତିକ୍ତ ଓ ବିରକ୍ତିକର ଯେ, ସେ ହୁଏତ ପୁଣି ଥରେ କୋଣାର୍କ କଥା ଭାବିବାକୁ ଡରିବ। ଚଳିତ ବର୍ଷ ରାଜ୍ୟ ସରକାର ଚନ୍ଦ୍ରଭାଗା ବେଳାଭୂମିରେ ଇକୋ ରିଟ୍ରିଟର ଆୟୋଜନ କରିଛନ୍ତି। ତାହା ସୁନ୍ଦର ହୋଇଛି ମଧ୍ୟ। ହେଲେ କୋଣାର୍କ ଯାତ୍ରୀ ନିବାସର ଏ ସ୍ଥିତି ସୁଧାରିବାକୁ ସରକାର ଚାହୁଁ ନାହାନ୍ତି କାହିଁକି? ଏଠି କହିରଖେ, ଗତ ବର୍ଷ ମଧ୍ୟ ଏମିତି ସମାନ ଅନୁଭବର କଥା ମୁଁ ଲେଖିଥିଲି। କୋଣାର୍କ ଭଳି ଓଡିଶାର ସବୁଠୁ ବଡ ପର୍ୟଟନ କେନ୍ଦ୍ରରେ ଏମିତି ଏକ ଯାତ୍ରୀ ନିବାସ ଓଡିଶାର ସବୁ ଭଲକାମକୁ ଖରାପ କରି ଦେଖାଇବାକୁ ସୁଯୋଗ ଦେବ। ଏକଥା ଓଡିଶା ସରକାରଙ୍କର ପର୍ୟଟନ ବିଭାଗ ବୁଝୁଛି ତ!
ଆମେ ଏ ରାଜ୍ୟର ସବୁଠୁ ବଡ ପର୍ୟଟନ କ୍ଷେତ୍ରର ଯାତ୍ରୀ ନିବାସଟିକୁ ସାଧାରଣ ସୁବିଧା ଦେଇ ପରିଚାଳିତ କରିବାରେ ଯଦି ବିଫଳ, ତାହେଲେ, କେଉଁ ମୁହଁ ରେ ଆମେ ବିକଶିତ ଓଡିଶା, ବ୍ରାଣ୍ଡ ଓଡିଶା ବା ମେକ ଇନ ଓଡିଶାର କଥା କହିବା?