Categories
ଆଜିର ଖବର ଜାତୀୟ ଖବର

ସରକାର ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀଙ୍କ ସମସ୍ୟା ସମାଧାନର ପନ୍ଥା ତୁରନ୍ତ ନିର୍ଦ୍ଧାରଣ କରନ୍ତୁ: ଓଷ୍ଟା

ଭୁବନେଶ୍ୱର: ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ର ଆହ୍ୱାନରେ ରାଜ୍ୟ ରାଜଧାନୀ ଭୁବନେଶ୍ୱର ସ୍ଥିତ ଲୋୟର୍ ପି.ଏମ୍‌.ଜି. ଗାନ୍ଧିମାର୍ଗରେ ଚାଲିଥିବା ଅହୋରାତ୍ର ଗଣଧାରଣା ୨୩ ଦିନରେ ପହଞ୍ଚିଛି। ଶହ ଶହ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀ ରାଜରାସ୍ତାରେ ଅହୋରାତ୍ର ଗଣଧାରଣାରେ ବସିଛନ୍ତି। ଅଥଚ ସରକାର ସମସ୍ୟା ସମାଧାନର ନାଆଁ ଧରୁ ନାହାନ୍ତି। ଓଷ୍ଟାର ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ କହିଛନ୍ତି ଦୀର୍ଘ ୨୩ ଦିନ ଧରି ଅହୋରାତ୍ର ଧାରଣା ଚାଲୁ ରହିଥିଲେ ସୁଦ୍ଧା ସମସ୍ୟା ସମାଧାନ ଦିଗରେ ସରକାର ଆଦୌ କର୍ଣ୍ଣପାତ କରୁ ନାହାଁନ୍ତି। ଶ୍ରେଣୀଗୃହ ଛାଡ଼ି ବାରମ୍ବାର ରାଜରାସ୍ତାକୁ ଆସିବାକୁ କେବେ ଶିକ୍ଷକ ଚାହୁଁ ନାହାଁନ୍ତି ବରଂ ରାଜ୍ୟ ସରକାର ଶିକ୍ଷକମାନଙ୍କୁ ରାଜରାସ୍ତାକୁ ଆସିବାକୁ ବାଧ୍ୟ କରୁଛନ୍ତି ବୋଲି ଶ୍ରୀ ଦାଶ ଅଭିଯୋଗ କରିଛନ୍ତି।

ସୂଚନାଥାଉକି, ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀମାନେ ସେମାନଙ୍କ ନ୍ୟାୟୋଚିତ ଦାବୀ ହାସଲ ପାଇଁ ଦୀର୍ଘ ଦିନଧରି ଅହୋରାତ୍ର ଗଣଧାରଣାରେ ବସି ରହିଛନ୍ତି। ସେମାନଙ୍କର ଦାବୀ ଯୁକ୍ତିଯୁକ୍ତ ହୋଇଥିଲେ ମଧ୍ୟ ସମସ୍ୟା ସମାଧାନ ଦିଗରେ ସରକାର ଅନ୍ତରାୟ ସୃଷ୍ଟି କରୁଛନ୍ତି ବୋଲି ଓଷ୍ଟା ପକ୍ଷରୁ କୁହାଯାଇଛି। ଓଷ୍ଟାର ପ୍ରମୁଖ ଦାବୀ ମଧ୍ୟରେ ଯୋଗ୍ୟ ବିବେଚିତ ବିଦ୍ୟାଳୟଗୁଡ଼ିକରେ ପଚିଶରୁ ତିରିଶ ବର୍ଷଧରି ନିଜ ଜୀବନକୁ ବିପନ୍ନ କରି ଅନେକ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ବିଭାଗରେ ଅଧିଷ୍ଠିତ କରାଇଥିବା ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଅଦ୍ୟାବଧି ଟଙ୍କାଟିଏ ଅନୁଦାନ ନପାଇ ଶୂନ୍ୟ ହସ୍ତରେ କାର୍ଯ୍ୟ କରିବା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ। ସେହି ବର୍ଗର ଅନେକ ଶିକ୍ଷକ ଓ ଶିକ୍ଷୟିତ୍ରୀ ଅନୁଦାନ ପରିସର ଭୁକ୍ତ ନହୋଇ ଅବସର ନେଉଛନ୍ତି ଓ ମୃତ୍ୟୁବରଣ କରୁଛନ୍ତି। ତେଣୁ ସେହି ବିଦ୍ୟାଳୟଗୁଡ଼ିକୁ ତୁରନ୍ତ ଅନୁଦାନ ପ୍ରଦାନ କରାଯାଉ। ରାଧାରାଣୀ ସାମଲଙ୍କ ସୁପ୍ରିମ୍‌କୋର୍ଟର ରାୟ ଅନୁସାରେ ସରକାର ୪୮ ବର୍ଷରେ ପଦାପର୍ଣ କରିଥିବା ୧୫୫ ଜଣ ହିନ୍ଦୀ ଓ ସଂସ୍କୃତ ଶିକ୍ଷକଙ୍କୁ ଟି.ଜି. ସ୍କେଲ ପ୍ରଦାନ କରିଛନ୍ତି କିନ୍ତୁ ୭୦୦ରୁ ଊର୍ଦ୍ଧ୍ୱ ଶିକ୍ଷକମାନଙ୍କର ଉଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶ ଥାଇ ମଧ୍ୟ ଟି.ଜି. ସ୍କେଲର ମାନ୍ୟତା ନମିଳିବା ଅତ୍ୟନ୍ତ ଦୁଃଖର ବିଷୟ। ସରକାର ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶନାମାକୁ କାର୍ଯ୍ୟକାରୀ କରୁ ନାହାନ୍ତି।

ସେହିପରି ଭାବରେ ୩୦ବର୍ଷରୁ ଊର୍ଦ୍ଧ୍ୱ କାଳ ଚାକିରି କରିଥିବା ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀ ଅବସର ପରେ ପେନ୍‌ସନ୍ ଓ ଅବସରକାଳୀନ ସୁବିଧାରୁ ବଞ୍ôଚତ ହେଉଛନ୍ତି। ତେଣୁ ଉଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶାନାମାକୁ କାର୍ଯ୍ୟକାରୀ କରି ଅବସର ନେଉଥିବା ଓ ନେବାକୁ ଥିବା ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀଙ୍କ ପାଇଁ ୧୯୮୧ ପେନ୍‌ସନ୍ ନିୟମ ଅନୁସାରେ ପେନ୍‌ସନ୍ ଓ ସମସ୍ତ ସୁବିଧା ଲାଗୁ କରିବା ପାଇଁ ଦାବୀ କରାଯାଇଛି। ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡ଼ିକରେ ଖାଲି ପଡ଼ିଥିବା ପଦବୀ ଗୁଡ଼ିକୁ ତୁରନ୍ତ ପୂରଣ କରାଯାଉ ନଚେତ ୫ଞରେ ଅନ୍ତର୍ଭୁକ୍ତ ହୋଇଥିବା ବିଦ୍ୟାଳୟଗୁଡ଼ିକ ଆଉ କିଛି ବର୍ଷପରେ ଭାଙ୍ଗିଯିବ। ସେହିପରି ସରକାରୀ ବିଦ୍ୟାଳୟରେ ପ୍ରାୟ ୧୬୦୦ରୁ ଊର୍ଦ୍ଧ୍ୱ ଖାଲି ପଡ଼ିଥିବା ପ୍ରଧାନ ଶିକ୍ଷକ ପଦବୀ ପୂରଣ କରିବା, ସମସ୍ତ ନୂତନ ଅନୁଦାନପ୍ରାପ୍ତ ଓ ପୂର୍ଣ୍ଣ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକର ସରକାରୀକରଣ କରିବା, ୨୮୦୦ ଗ୍ରେଡ଼୍ ପେ ରେ ଥିବା ଅସଙ୍ଗତିକୁ ତୁରନ୍ତ ଦୂର କରିବା, ୨୦୦୪ରୁ ୨୦୧୩ ଭିତରେ ନିଯୁକ୍ତି ପାଇଥିବା ଚୁକ୍ତିଭିତ୍ତିକ ଶିକ୍ଷକ ଓ ଶିକ୍ଷାକର୍ମଚାରୀମାନଙ୍କୁ ୬ଟି ନୋସ୍‌ନାଲ ଇନ୍‌କ୍ରିମେଣ୍ଟ ଦେଇ ବରିଷ୍ଠତା ପ୍ରଦାନ କରିବା, ବି.ଏ.ବି.ପି.ଏଡ଼, ବି.ଏ.ସି.ପି.ଏଡ଼ ଯୋଗ୍ୟତାଧାରୀ ଖେଳ ଶିକ୍ଷକମାନଙ୍କୁ ପଦୋନ୍ନତି ଦେବା, ବର୍ତ୍ତମାନ ନୂତନ ଅନୁଦାନ ପାଉଥିବା ବିଦ୍ୟାଳୟରେ କାର୍ଯ୍ୟରତ ୨ୟ ଓ ୩ୟ ପିଅନ ଏବଂ ୩୭, ୪୬, ୬୩ ବିଦ୍ୟାଳୟଙ୍କୁ ୦୧.୦୪.୨୦୦୮ ପରିବର୍ତ୍ତେ ୦୧.୦୧.୨୦୦୪ରୁ ଆଣ୍ଟିଡ଼େସନ୍ ପ୍ରଦାନ କରିବା, ଆର୍‌.ଏ. ସ୍କିମ୍‌ର ପୁନଃପ୍ରଚଳନ କରିବା, ସେହିଭଳି ଅଫିସ୍ ସହାୟକମାନଙ୍କୁ ମଧ୍ୟ ଉଚ୍ଚତର ଗ୍ରେଡ଼ପେ ପ୍ରଦାନ କରିବା, ଅବସର ବୟସସୀମା ୬୦ ବର୍ଷରୁ ୬୨ ବର୍ଷକୁ ବୃଦ୍ଧି କରିବା, ଊର୍ଦ୍ଦୁ ଶିକ୍ଷକମାନଙ୍କୁ ଅନୁଦାନ ପ୍ରଦାନ କରିବା ଇତ୍ୟାଦି।

ଜିଲ୍ଲାୱାରୀ ପାଳିରେ ଆଜି କଟକ, ବାଲେଶ୍ୱର, ବଲାଙ୍ଗିର, ବରଗଡ଼, ସୁବର୍ଣ୍ଣପୁର, ଦେଓଗଡ଼ ଜିଲ୍ଲାଗୁଡ଼ିକ ଅଂଶଗ୍ରହଣ କରିଛନ୍ତି। ଜିଲ୍ଲାମାନଙ୍କ ତରଫରୁ ସର୍ବଶ୍ରୀ ସୁଧୀର କୁମାର ନାୟକ, ରମାକାନ୍ତ ମହାପାତ୍ର, ଆଶୁତୋଷ ପ୍ରସାଦ ରଥ, ସଞ୍ଜୟ କୁମାର ସିଂ, ଜଗବନ୍ଧୁ ପଣ୍ଡା, ନିରଞ୍ଜନ ଦାସ, ମଧୁସୂଦନ ଦେ, ରଞ୍ଜନ କୁମାର ବ୍ରହ୍ମା ପ୍ରମୁଖ ଧାରଣାରେ ଉପସ୍ଥିତ ରହି ଶିକ୍ଷକ କର୍ମଚାରୀମାନଙ୍କୁ ଉଦ୍‌ବୋଧନ ଦେଇଥିଲେ। ସରକାର ତୁରନ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀମାନଙ୍କର ସମସ୍ୟା ସମାଧାନ ସମ୍ପର୍କରେ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଆନ୍ଦୋଳନର ନେତୃତ୍ୱ ନେଉଥିବା ଓଷ୍ଟାର ସଭାପତି ଅକ୍ଷୟ କୁମାର ମିଶ୍ର, କାର୍ଯ୍ୟକାରୀ ସଭାପତି ନୀଳମଣି ପୁରୋହିତ, ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ, ଯୁଗ୍ମ ସାଧାରଣ ସଂପାଦକ ବ୍ରଜକିଶୋର ବିଶ୍ୱାଳ, କୋଷାଧ୍ୟକ୍ଷ ଅଶୋକ କୁମାର ମହାପାତ୍ର, ଶିକ୍ଷାପ୍ରଦୀପ ସଂପାଦକ ଶଙ୍କର କୁମାର ସୁବୁଦ୍ଧି ପ୍ରମୁଖ ସରକାରଙ୍କ ନିକଟରେ ଦୃଢ଼ ଦାବୀ ଉପସ୍ଥାପନ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଫେବୃୟାରୀରେ ମିଳିତ ଆନ୍ଦୋଳନକୁ ଓହ୍ଲାଇବ ଓଷ୍ଟା: ଅବସର ନେଉଥିବା ଶିକ୍ଷକମାନଙ୍କୁ ପେନସନ୍ ଦାବି

କଟକ: ବିଭିନ୍ନ ସମସ୍ୟା ନେଇ ହଜାର ହଜାର ଶିକ୍ଷକ, ଅଭିଭାବକ, ପୁରାତନ ଛାତ୍ର ଓ ପରିଚାଳନା କମିଟି ସଦସ୍ୟ ମାନଙ୍କ ସହ ରାଜ୍ୟରେ ଥିବା ସୌଭ୍ରାତୃତ୍ୱ ଗଣ ସଂଗଠନଗୁଡ଼ିକୁ ନେଇ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ଆଗାମୀ ଫେବୃୟାରୀ ମାସ ପ୍ରଥମ ସପ୍ତାହରେ ରାଜଧାନୀର ରାଜରାସ୍ତାକୁ ଓହ୍ଲାଇବ ବୋଲି ଏକ ପ୍ରେସ୍ ବିବୃତ୍ତି ମାଧ୍ୟମରେ ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ ଗଣମାଧ୍ୟମକୁ ଜଣାଇଛନ୍ତି। ଅବସର ନେଉଥିବା ଶିକ୍ଷକମାନଙ୍କୁ ପେନସନ୍ ପ୍ରଦାନ, ଅବସରକାଳୀନ ସୁବିଧା, ଚାକିରୀ ସର୍ତ୍ତାବଳୀ, ସପ୍ତମ ବେତନ ଓ ନୂତନ ବିଦ୍ୟାଳୟକୁ ଅନୁଦାନ ପ୍ରଦାନ ଇତ୍ୟାଦି ଦାବିକୁ ସରକାର ବାରମ୍ବାର ପ୍ରତିଶ୍ରୁତି ଦେଇ ଏହାକୁ ପାଳନ ନକରିବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ। ଏକ ଜନପ୍ରିୟ ସରକାର ଜନମଙ୍ଗଳ ରାଷ୍ଟ୍ରରେ ସବୁବର୍ଗର କର୍ମଚାରୀଙ୍କ କଥା ବିଚାର କରୁଥିବା ବେଳେ ଶିକ୍ଷକମାନଙ୍କ ପ୍ରତି ଏ ଅବିଚାର କାହିଁକି ବୋଲି ଶ୍ରୀ ଦାଶ ପ୍ରଶ୍ନ କରିଛନ୍ତି। ଜାନୁୟାରୀ ୩୧ ସୁଦ୍ଧା ଯଦି ସରକାର ଦେଇଥିବା ପ୍ରତିଶ୍ରୁତି ପାଳନ ନକରନ୍ତି ତେବେ ଆଗାମୀ ଫେବୃୟାରୀ ମାସ ପ୍ରଥମ ସପ୍ତାହରେ ଓଷ୍ଟା ମିଳିତ ଆନ୍ଦୋଳନକୁ ଓହ୍ଲାଇବ।

ସୂଚନାଥାଉକି, ଦୀର୍ଘ ୩୦ ବର୍ଷରୁ ଊର୍ଦ୍ଧ୍ୱକାଳ ଧରି ଚାକିରୀ କରି ଶିକ୍ଷକ କର୍ମଚାରୀଟିଏ ଅବସର ନେବା ପରଦିନ ଟଙ୍କାଟିଏ ଔଷଧ କିଣିବା ପାଇଁ ନପାଇବା ଓ ଅବସର ପରଦିନ ଠାରୁ ପରିଣତ ବୟସରେ ବିନା ପେନ୍‌ସନ୍‌ରେ ବଞ୍ଚିବାର ରାହା ପାଇବା ପାଇଁ ମୂଲ ଲାଗିବା, ପାନ ଦୋକାନ କରିବା ଓ ଚା’ ଦୋକାନ କରିବା ଇତ୍ୟାଦି ବିଭିନ୍ନ କ୍ଷେତ୍ରରେ ନିଜକୁ ବିନିଯୋଗ କରି ଜୀବନ ବଞ୍ଚାଇବାର ଉପାୟ ଖୋଜିବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ବୋଲି ଓଷ୍ଟା ପକ୍ଷରୁ କୁହାଯାଇଛି।

ଓଷ୍ଟାର ଆହ୍ୱାନରେ ମାଧ୍ୟମିକ ବିଦ୍ୟାଳୟ ଗୁଡ଼ିକରେ କାର୍ଯ୍ୟରତ ଓ ଅବସର ପ୍ରାପ୍ତ ଶିକ୍ଷକ କର୍ମଚାରୀମାନଙ୍କର ସାମାଜିକ ସୁରକ୍ଷା ପାଇଁ ଆଗାମୀ ଫେବୃୟାରୀ ମାସ ପ୍ରଥମ ସପ୍ତାହରୁ ହଜାର ହଜାର ସଂଖ୍ୟାରେ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀଙ୍କ ସହିତ ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟ /ସଭ୍ୟା, ଅଭିଭାବକ, ପୁରାତନ ଛାତ୍ର ଓ ପ୍ରାଥମିକ ଠାରୁ ମହାବିଦ୍ୟାଳୟ ପର୍ଯ୍ୟନ୍ତ ସମସ୍ତ ଶିକ୍ଷକ ଓ ଶିକ୍ଷାକର୍ମଚାରୀଙ୍କୁ ନେଇ ଏକ ମହାସମାବେଶ ଭୁବନେଶ୍ୱର ସ୍ଥିତ ଲୋୟର ପି.ଏମ୍‌.ଜି. ଗାନ୍ଧିମାର୍ଗରେ କରାଯିବ ଓ ଶିକ୍ଷକମାନେ ଅହୋରାତ୍ର ଧାରଣାରେ ବସିରହିବେ। ସରକାର ସମସ୍ୟା ଗୁଡ଼ିକର ସମାଧାନ ନକରି ଅଯଥା ଟାଳଟୁଳ ନୀତି ଅବଲମ୍ବନ କରିବା, ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକରେ ଶିକ୍ଷକ ନିଯୁକ୍ତି ନକରିବା, ଚାକିରି ସର୍ତ୍ତାବଳୀ ଓ ଅବସର ପରେ ଶିକ୍ଷକମାନଙ୍କୁ ପେନସନ୍ ନ ଦେବା ସରକାରଙ୍କ ବୈମାତୃକ ମନୋଭାବ ଶିକ୍ଷକମାନଙ୍କୁ ବାରମ୍ବାର ରାଜରାସ୍ତାକୁ ଓହ୍ଲାଇବା ପାଇଁ ବାଧ୍ୟ କରୁଛି ବୋଲି ସଂଗଠନ ପକ୍ଷରୁ ଅଭିଯୋଗ କରାଯାଇଛି।

ପ୍ରମୁଖ ଦାବିଗୁଡ଼ିକ ମଧ୍ୟରେ ସମଗ୍ର ଓଡ଼ିଶାର ଅନୁଦାନରୁ ବଞ୍ଚିତ ଅନୁଦାନ ଯୋଗ୍ୟ ବିଦ୍ୟାଳୟକୁ ଅନୁଦାନ ପ୍ରଦାନ, ସପ୍ତମ ବେତନରୁ ବଞ୍ଚିତ ୨୨୬ ଓ ୩୯୯ ବିଦ୍ୟାଳୟକୁ ସପ୍ତମ ବେତନ ପ୍ରଦାନ, ଅବସର ପରେ ପେନସନ୍ ପାଉନଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପେନସନ୍ ପ୍ରଦାନ, ସରକାରୀ କରଣ ହୋଇ ନଥିବା ବିଦ୍ୟାଳୟକୁ ସରକାରୀକରଣ, ଚୁକ୍ତିଭିତ୍ତିକ ଶିକ୍ଷକମାନଙ୍କୁ ନୋସନାଲ୍ ଇନ୍‌କ୍ରିମେଣ୍ଟ ଦେଇ ବରିଷ୍ଠତା ପ୍ରଦାନ, ଗ୍ରେଡ଼ପେ ରେ ଥିବା ଅସଙ୍ଗତି ଦୂରୀକରଣ, ୨ଟି ପିଅନ ଓ କିଛି ବିଦ୍ୟାଳୟଙ୍କୁ ୨୦୦୮ ପରିବର୍ତ୍ତେ ୨୦୦୪ରୁ ଆଣ୍ଟିଡେସନ ପ୍ରଦାନ, ହିନ୍ଦୀ ସଂସ୍କୃତ ଶିକ୍ଷକମାନଙ୍କର ଯୋଗ୍ୟତା ଅନୁଯାୟୀ ଉପଯୁକ୍ତ ହାରରେ ଦରମା, ୪୮ ବର୍ଷରେ ପଦାର୍ପଣ କରି କୋର୍ଟର ନିର୍ଦ୍ଦେଶ ପାଇଥିବା ହିନ୍ଦୀ ଓ ସଂସ୍କୃତ ଶିକ୍ଷକମାନଙ୍କୁ ଟି.ଜି. ମାନ୍ୟତା ପ୍ରଦାନ, ଆଲେଜେଡ଼୍ ଓ ସେକ୍ସନ ଶିକ୍ଷକମାନଙ୍କୁ ରେଗୁଲାର କରିବା, ଆର.ଏ. ସ୍କିମ୍‌ର ପୁନଃ ପ୍ରଚଳନ କରିବା, ୧୧୦ ବାଳିକା ବିଦ୍ୟାଳୟକୁ ପୂର୍ଣ୍ଣଅନୁଦାନ, କ୍ରୀଡ଼ା ଶିକ୍ଷକମାନଙ୍କୁ ବିଏ ବି.ପି.ଏଡ଼./ ବିଏ ସି.ପି.ଏଡ଼. ଭିତ୍ତିରେ ଉଚ୍ଚତର ଦରମା ପ୍ରଦାନ, ନୂତନ ପେନସନ୍ ପରିବର୍ତ୍ତେ ପୁରାତନ ପେନସନ୍ ଲାଗୁ କରିବା, ଅବସର ବୟସ ସୀମା ୬୦ରୁ ୬୨ ବର୍ଷ ବୃଦ୍ଧି କରିବା, ଅଫିସ୍ ସହାୟକ ମାନଙ୍କର ଯୋଗ୍ୟତା ଭିତ୍ତିକ ପଦୋନ୍ନତି, ଉର୍ଦ୍ଧୁ ଶିକ୍ଷକମାନଙ୍କୁ ଅନୁଦାନ ପ୍ରଦାନ, ଆର.ଏ.ସି.ପି. କ୍ଷେତ୍ରରେ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶନାମାକୁ କାର୍ଯ୍ୟକାରୀ କରିବା ଆଦି ଦାବୀକୁ ନେଇ ଦାବୀ ପୂରଣ ନହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଚାଲୁ ରହିବ ବୋଲି ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ପକ୍ଷରୁ ସଭାପତି ସର୍ବଶ୍ରୀ ଅକ୍ଷୟ କୁମାର ମିଶ୍ର, କାର୍ଯ୍ୟକାରୀ ସଭାପତି ନୀଳମଣି ପୁରୋହିତ, ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ, ଯୁଗ୍ମ ସାଧାରଣ ସଂପାଦକ ବ୍ରଜକିଶୋର ବିଶ୍ୱାଳ, କୋଷାଧ୍ୟକ୍ଷ ଅଶୋକ କୁମାର ମହାପାତ୍ର, ଶିକ୍ଷାପ୍ରଦୀପ ସଂପାଦକ ଶଙ୍କର କୁମାର ସୁବୁଦ୍ଧି ପ୍ରମୁଖ ସରକାରଙ୍କୁ ଦୃଢ଼ ଚେତାବନୀ ଦେଇଛନ୍ତି।