ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା 16 ହଜାର ପାର୍ କରିଥିବାବେଳେ ମୃତ୍ୟୁ ସଂଖ୍ୟା 519ରେ ପହଞ୍ଚିଛି । କରୋନା ପାଇଁ ଟାସ୍କଫୋର୍ସ ଗଠନ କରାଯାଇଛି । କୋଭିଡ୍ ଭ୍ୟାକ୍ସିନ ଓ ଔଷଧ ପରୀକ୍ଷଣ ପାଇଁ ଉଚ୍ଚସ୍ତରୀୟ ଟାସ୍କଫୋର୍ସ ଗଠନ କଲେ କେନ୍ଦ୍ର ସରକାର। ଜାତୀୟ ଓ ଅନ୍ତର୍ଜାତୀୟ କ୍ଷେତ୍ରରେ ଭ୍ୟାକ୍ସିନ ପ୍ରସ୍ତୁତି ପାଇଁ ଚାଲିଥିବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଦିଗରେ ଏହି ଟାସ୍କ ଫୋର୍ସ କାର୍ଯ୍ୟ କରିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ ଅଗ୍ରଓ୍ୱାଲ। ନୀତି ଆୟୋଗ ସଦସ୍ୟ ଓ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ବିଜ୍ଞାନ ପରାମର୍ଶଦାତାଙ୍କ ନେତୃତ୍ୱରେ ଏହି ଟାସ୍କଫୋର୍ସ କାର୍ଯ୍ୟ କରିବ। ଏଥିରେ ଆୟୁଷ ମନ୍ତ୍ରାଳୟ, ଆଇସିଏମ୍ଆର୍, ବାୟୋଟେକ୍ନୋଲଜି ବିଭାଗର ପ୍ରତିନିଧି, ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ପ୍ରମୁଖ ମଧ୍ୟ ସଦସ୍ୟ ରହିବେ ବୋଲି ସେ ସୂଚନା ଦେଇଛନ୍ତି।
23ଟି ରାଜ୍ୟ/ କେନ୍ଦ୍ରଶାସିତ ଅଞ୍ଚଳର 54ଟି ଜିଲ୍ଲା ପାଇଁ ଆଶ୍ବସ୍ତିକର ଖବର ରହିଛି ବୋଲି କହିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗର ଯୁଗ୍ମସଚିବ। ଶେଷ 14 ଦିନରେ ଏହି 54ଟି ଜିଲ୍ଲାରେ କେହି ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି । କରୋନା ଚିହ୍ନଟ ପୁଡୁଚେରୀ ଓ କର୍ଣ୍ଣାଟକର ମଧ୍ୟ 2ଟି ଜିଲ୍ଲା ରହିଛନ୍ତି । ଶେଷ 28 ଦିନରେ ଏହି ଦୁଇଟି ଜିଲ୍ଲାରେ କେହି ପଜିଟିଭ୍ ଚିହ୍ନଟ ହୋଇନାହାନ୍ତି ବୋଲି ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ୍ ଅଗ୍ରଓ୍ବାଲ। ଆଜି ରାତିରୁ କୃଷି ସହ ଜଡିତ କିଛି କ୍ଷେତ୍ରରେ କଟକଣା କୋହଳ କରାଯିବ ବୋଲି ସୂଚନା ରହିଛି । ପ୍ରଧାନମନ୍ତ୍ରୀଙ୍କ ପୂର୍ବ ଘୋଷଣା ଅନୁଯାୟୀ କଟକଣା କୋହଳ ହେବ । ମାତ୍ର କଣ୍ଟେନମେଣ୍ଟ ଜୋନ୍ରେ କିଛି କଟକଣା କୋହଳ ହେବନି ବୋଲି ସୂଚନା ରହିଛି । (ଏଜେନ୍ସି)