Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ମା’ ସମଲେଇ ପ୍ରକଳ୍ପ ଉଦଘାଟନ ବେଳେ କାହିଁକି କାନ୍ଦିଲେ କାର୍ତ୍ତିକ ପାଣ୍ଡିଆନ

ଭୁବନେଶ୍ବର: ଶନିବାର ଦିନ ବେଶ ଭକ୍ତିପୂର୍ଣ୍ଣ ପରିବେଷ ମଧ୍ୟରେ ଉଦଘାଟିତ ହୋଇଛି ମା ସମଲେଇ ପ୍ରକଳ୍ପ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିଥିଲେ। ହରିବୋଲ ହୁଳହୁଳି ଓ ଶଙ୍ଖ ଧ୍ବନୀରେ ପ୍ରକମ୍ପିତ ହୋଇଥିଲା ପ୍ରକଳ୍ପ ସ୍ଥାନ। ମୁଖ୍ୟମନ୍ତ୍ରୀ ପହଞ୍ଚିବା ପରେ ଲୋକଙ୍କ ମଧ୍ୟରେ ବେଶ ଉତ୍ସାହ ବୃଦ୍ଧି ପାଇଥିଲା।

ଏହି ପ୍ରକଳ୍ପ ହେଉଛି ମୁଖ୍ୟମନ୍ତ୍ରୀ ତଥା ନବୀନ ଓଡିଶା ଅଧ୍ୟକ୍ଷଙ୍କ ସ୍ବପ୍ନର ପ୍ରକଳ୍ପ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ପରେ ମା ସମଲେଇ ପ୍ରକଳ୍ପ ହେଉଛି ଉଭୟଙ୍କର ଦ୍ବିତୀୟ ସ୍ବପ୍ନର ପ୍ରକଳ୍ପ। ତେବେ ଏହି ପ୍ରକଳ୍ପକୁ ନେଇ ଖୋଦ କାର୍ତ୍ତିକ ପାଣ୍ଡିଆନ କେତେ ଉତ୍ସାହିତ ଏବଂ ଖୁସି ସେହି ପ୍ରକଳ୍ପ ସ୍ଥାନରେ ତାହାର ପ୍ରମାଣ ମିଳିଥିଲା।

ପ୍ରକଳ୍ପ ଫଳକ ଉଦଘାଟନ ପରେ ମୁଖ୍ୟମନ୍ତ୍ରୀ ଚଉକିରେ ବସି ପୂଜିବିଧିକୁ ଅନୁଧ୍ୟାନ କରୁଥିଲେ। ସେ ଏକ ଚଉକିରେ ବସି ଥିବା ବେଳେ ପାଣ୍ଡିଆନ ତାଙ୍କ ପାଖରେ ଛିଡା ହୋଇଥିଲେ। ସେ ପୁରା ଭାବ ବିହ୍ବୋଳ ହୋଇ ଦେଖୁଥିଲେ ପ୍ରକଳ୍ପର ପୂଜାବିଧୀ। ହେଲେ କଣ ହେଲା କେଜାଣି ତାଙ୍କ ଆଖିରୁ ଖସି ଆସିଲା ଦୁଇ ଧାର ଲୁହ। ବେକରେ ଗୁଡେଇ ହୋଇଥିବା ମାଙ୍କ ଶାଢୀରେ ସେ ପୋଛିଲେ ତାଙ୍କର ଆଖିର ଲୁହ। ଏହି ଘଟଣା ହୁଏତ ସମସ୍ତଙ୍କ ଦୃଷ୍ଟି ଗୋଚର ହୋଇ ନ ଥିଲା। ହେଲେ କ୍ୟାମେରାରେ ତାହା କୈଦ ହୋଇଥିଲା।

ସେ ଲୁହ ପୋଛୁଥିବାର ଦୃଶ୍ୟ ଯେଉଁ କେତେଜଣ ଦେଖିଥିଲେ ସେମାନେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ। ସେମାନେ ଅନୁଭବ କରିଥିଲେ ଯେ, ଏହି ପ୍ରକଳ୍ପର ପୂର୍ଣ୍ଣ ରୂପରେଖ ପାଇଁ ପାଣ୍ଡିଆନଙ୍କ ପରିଶ୍ରମ କଣ ଥିଲା। ଭୋରରୁ ଶୀତ କାକର, ବର୍ଷାକୁ ଖାତିରି ନ କରି ସେ ବାରମ୍ବାର ସମ୍ବଲପୁର ଗସ୍ତ କରି ଏହି ପ୍ରକଳ୍ପର କାର୍ଯ୍ୟକୁ ସିଧା ତଦାରଖ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସେ ଏହି ପ୍ରକଳ୍ପର ସଫଳ ବିନ୍ଧାଣୀ ଭାବେ କାର୍ଯ୍ୟ କରିଥିଲେ।

ସେହି ପରିଶ୍ରମ ଯେତେବେଳେ ବାସ୍ତବ ରୂପ ନେଇଛି ସେତେବେଳେ ତାଙ୍କ ଆଖିର ଆସିଛି ଖୁସରି ଲୁହ, ଆନନ୍ଦର ଲୁହ ଆଉ ଭକ୍ତିର ଲୁହ। ସେହି ଖୁସିକୁ ସେ ଲୁଚାଇବା ପାଇଁ ଚେଷ୍ଠା କରିଥିଲେ ମଧ୍ୟ ତାହା ହୋଇ ନ ଥିଲା। କ୍ୟାମେରା ସାମାନାରେ ଆସିଲା ତାଙ୍କର ସେହି ଭକ୍ତର ଅଶ୍ରୁ।

ଓଡିଶାର ଦୁଇଟି ବଡ କାମ ଖୋଦ ପାଣ୍ଡିଆନଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନରେ ବାସ୍ତବ ରୂପ ନେଇଛି। ସେ ଦୁଇଟି ହେଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଆଉ ମା ସମଲେଇ ପ୍ରକଳ୍ପ। ଏହି ଦୁଇ ପ୍ରକଳ୍ପ ବାସ୍ତବ ରୂପ ନେବା ପରେ ଆଜି ସାରା ଓଡିଶାର ଲୋକେ ତାଙ୍କର ପରିଶ୍ରମକୁ ଭୂୟସୀ ପ୍ରଶଂସା କରିବାରେ ଲାଗିଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ଲୋକାର୍ପିତ ହେଲା ମା ସମଲେଇ ପ୍ରକଳ୍ପ, ୪୦ ଏକର ପ୍ରକଳ୍ପ ଅଞ୍ଚଳର ରୂପାନ୍ତରଣ

ଭୁବନେଶ୍ବର: ପୂର୍ବରେ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ପରେ ଏବେ ପଶ୍ଚିମରେ ମା ସମଲେଶ୍ବରୀଙ୍କ ପୀଠର ହୋଇଛି ରୂପାନ୍ତରଣ। ପୂର୍ବରୁ ପଶ୍ଚିମ ଯାଏ ସବୁଆଡେ ଦିବ୍ୟତାର, ଭାବ୍ୟତାର, ଆଧ୍ୟାତ୍ମିକତାର ଅନୁଭବ।

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ବହୁ ପ୍ରତିକ୍ଷୀତ ସମଲେଇ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ପ୍ରଥମେ ମା ଙ୍କ ଦର୍ଶନ ଓ ପ୍ରାର୍ଥନା କରି ଓଡ଼ିଶା ବାସୀଙ୍କ ସୁଖ, ଶାନ୍ତି ପାଇଁ ଆଶୀର୍ବାଦ ଭିକ୍ଷା କରିଥିଲେ। ତା ପରେ, ଶହ ଶହ ସାଧୁ, ସନ୍ଥ, ସେବକ, ପଣ୍ଡିତଙ୍କ ଗହଣରେ ଯଜ୍ଞ, ହୋମ, ଓ ମନ୍ତ୍ର ଧ୍ବନିରେ ପ୍ରକଳ୍ପର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ। 5T ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଶ୍ରୀ ଭି କାର୍ତ୍ତିକ ପାଣ୍ଡିଆନ ମଧ୍ୟ ଉପସ୍ଥିତ ଥିଲେ।

ସମଲେଇ ପ୍ରକଳ୍ପ ହେଉଛି Samaleswari Temple Area Management and Local Economic Initiative.

୨୦୨୧ ଫେବୃଆରୀ ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ପ୍ରଥମେ ଏହି ପ୍ରକଳ୍ପର ରୂପରେଖ ପ୍ରସ୍ତୁତ କରି ନିର୍ଦ୍ଦେଶ ଦେଇଥିଲେ। ଏହାପରେ ୨୦୨୨ ମେ ୧୪ ତାରିଖ ଠାରୁ କାମ ଆରମ୍ଭ ହୋଇଥିଲା। 5T ଅଧ୍ୟକ୍ଷ ଶ୍ରୀ ଭି କାର୍ତ୍ତିକ ପାଣ୍ଡିଆନ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହା ରେକର୍ଡ ସମୟ ମଧ୍ୟରେ ସଂପୂର୍ଣ୍ଣ ହୋଇଛି। ପ୍ରତି ଏକ ମାସ, ଦୁଇ ମାସ ସମୟ ବ୍ୟବଧାନରେ ଶ୍ରୀ ପାଣ୍ଡିଆନ ସମ୍ବଲପୁର ଯାଇ ପ୍ରକଳ୍ପର ସମୀକ୍ଷା କରିଥିଲେ।

ମନ୍ଦିର ଭିତରେ ପ୍ରାୟ ୬ ଏକର ପରିମିତ ଅଂଚଳରେ ଉନ୍ନୟନ କାର୍ଯ୍ୟ କରାଯାଇଛି। ଭୋଗ ମଣ୍ଡପ, ପୂଜକ ମାନଙ୍କ ବିଶ୍ରାମ ଗୃହ, ଭକ୍ତ ମାନଙ୍କ ଜିନିଷ ପତ୍ର ରଖିବା ପାଇଁ କ୍ଲୋକ ରୁମ୍, ପ୍ରସାଦ ସେବନ ଦୃହ, ଭୋଗ ବିକ୍ରୟ ଗୃହ, ପର୍ଯ୍ୟଟକ ସୂଚନା କେନ୍ଦ୍ର, କେଫେଟଏରିଆ, ଆଦି ନିର୍ମିତ ହୋଇଛି।

ମନ୍ଦିର ବାହାରେ ଏକ କିଲୋମିଟର ଅଞ୍ଚଳ ରେ ପରିକ୍ରମା ର କରିଡ଼ର ନିର୍ମାଣ କରାଯାଇଛି। ସମସ୍ତ ନିର୍ମାଣ ଖଣ୍ଡାଲାଇଟ ପଥରରେ ନିର୍ମିତ ହୋଇଛି।

ପାର୍କିଂ ରେ ୨୦୦ ୪- ଚକିଆ ଗାଡ଼ି ଓ ୨୦ ବସ ରହିବାର ବ୍ୟବସ୍ଥା ହୋଇଛି।

ମୁଖ୍ୟମନ୍ତ୍ରୀ ସମସ୍ତ ନବ ନିର୍ମିତ ନିର୍ମାଣ କାର୍ଯ୍ୟକୁ ବୁଲି ଦେଖିଥିଲେ। ପୁଷ୍କରିଣୀର ନୂଆ ରୂପ, ୱାଚ୍ ଟାୱାର, ପରିକ୍ରମା କରିଡ଼ର, ଚିତ୍ତାକର୍ଷକ ମହାନଦୀ ଘାଟ ସବୁ ଦେଖି ମୁଖ୍ୟମନ୍ତ୍ରୀ ଅତ୍ୟନ୍ତ ଆନନ୍ଦ ପ୍ରକାଶ କରି ଥିଲେ।

ମହାନଦୀ ରିଭର୍ ଫ୍ରଣ୍ଟ ଦ୍ରୁଶ୍ୟ ଅତୀବ ରମଣୀୟ ହୋଇଛି। ଏହା ୩୫୦ ମିଟର ଦୀର୍ଘ ଓ ୨୫ ମିଟର ପ୍ରସ୍ଥ ବିଶିଷ୍ଟ କରାଯାଇଛି। ଆଳତି ପାଇଁ ୩୧ ମିଟର ର ପ୍ଲାଟଫର୍ମ କରାଯାଇଛି।

ମହାନଦୀ ଘାଟ ଅତ୍ୟନ୍ତ ଚିତ୍ତାକର୍ଷକ ରୂପ ନେଇଛି। ଏଠାରେ ସ୍ଥାୟୀ ଭାବେ ମହାନଦୀ ଆଳତି ର ବ୍ୟବସ୍ଥା କରାଯାଇଛି। ୩୭ ମିଟର ଦୀର୍ଘ, ଓ ୬ ମିଟର ଉଚ୍ଚ ଏକ ଫୁଟ ଓଭର ବ୍ରିଜ ମଧ୍ୟ ନିର୍ମାଣ କରାଯାଇଛି।

ସୂଚନା ଯୋଗ୍ୟ ଯେ ମା ଙ୍କ ପୀଠକୁ ଦୈନିକ ଏବେ ୫ ରୁ ଦଶ ହଜାର ଭକ୍ତ ଆସୁଛନ୍ତି। ରୂପାନ୍ତର ପରେ ଦୈନିକ ୨୦ ହଜାର ଭକ୍ତ ଆସିବାର ସମ୍ଭାବନା ରହିଛି। ଏହା ସହିତ ପୂଜା ପାର୍ବଣ ଦିନରେ ୫୦ ହଜାର ରୁ ଏକ ଲକ୍ଷ ଭକ୍ତ ଆସିବାର ସମ୍ଭାବନା ରହିଛି। ଏହାଦ୍ବାରା ସ୍ଥାନୀୟ ଅର୍ଥନୀତିର ଉନ୍ନତି ହେବ। ଏହାସହିତ, ବିଶେଷକରି ପଶ୍ଚିମ ଓଡ଼ିଶାର ଶିଳ୍ପୀ, କାରିଗର ଓ ବୁଣାକାର ମାନେ ମଧ୍ୟ ଅଧିକ ରୋଜଗାର ପାଇବାର ସମ୍ଭାବନା ବୃଦ୍ଧି ପାଇବ।

ମିଶନ ଶକ୍ତି କାଫେ ପରିଦର୍ଶନ କରି ମା ମାନଙ୍କ କାମର ଉଚ୍ଚ ପ୍ରଶଂସା କରିଥିଲେ ମୁଖ୍ୟମନ୍ତ୍ରୀ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ପ୍ରକଳ୍ପରେ ଦୃଢ଼ ଅବଦାନ ରଖିଥିବା ଶିଳ୍ପୀ, କାରିଗର ଓ ଶ୍ରମିକ ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ସେମାନେ ହେଲେ ଲିଙ୍ଗରାଜ ମହାରଣା, ଶିଶିର ସାହୁ, ସାରଙ୍ଗ ମେହେର, ସୋମନାଥ ସାହୁ, ନିର୍ମଳ ମହାରଣା, ହରିହର ପ୍ରଧାନ, ଶୁଭ ଚାରଣ ବେହେରା, ଓ ସନ୍ତୋଷ।

ଗୋପାଲ ଜୀଉ ମଠର ମହନ୍ତ ଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ସମ୍ମାନିତ କରିଥିଲେ।

ପଶ୍ଚିମ ଓଡ଼ିଶାର ପଦ୍ମ ପୁରସ୍କାର ପ୍ରାପ୍ତ ସାତ ଜଣ ମହାନ୍ ବିଭୂତିଙ୍କୁ ମଧ୍ଯ ମୁଖ୍ୟମନ୍ତ୍ରୀ ଏହି ଅବସରରେ ଭେଟି ଥିଲେ । ସେମାନେ ହେଲେ ଶ୍ରୀ ହଳଧର ନାଗ, ଶ୍ରୀ ଚତୁର୍ଭୁଜ ମେହେର, କ୍ରିଷ୍ଣା ପଟେଲ, ଶ୍ରୀ ଜୀତେନ୍ଦ୍ର ହରିପାଲ, ଶ୍ରୀ ବିନୋଦ ପଶାୟତ, ଶ୍ରୀ ମିତ୍ରଭାନୁ ଗୌନ୍ତିଆ ଓ ଶ୍ରୀ କୈଳାସ ଚନ୍ଦ୍ର ମେହେର।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଆଜି ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଉଦଘାଟିତ ହେବ ବହୁ ପ୍ରତୀକ୍ଷିତ ସମଲେଇ ପ୍ରକଳ୍ପ

ଭୁବନେଶ୍ବର: ଆଜି ଉଦଘାଟିତ ହେବ ବହୁ ପ୍ରତୀକ୍ଷିତ ସମଲେଇ ପ୍ରକଳ୍ପ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମଧ୍ୟାହ୍ନରେ ଏହି ପ୍ରକଳ୍ପର ଶୁଭାରମ୍ଭ କରିବେ। ଏ ନେଇ ସମ୍ବଲପୁରରେ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପରେ ମା ସମଲେଶ୍ବରୀ ପ୍ରକଳ୍ପ ହେଉଛି ମୁଖ୍ୟମନ୍ତ୍ରୀଙ୍କ ଆଉ ଏକ ସ୍ବପ୍ନର ପ୍ରକଳ୍ପ।

ଏହି ପ୍ରକଳ୍ପରେ ମା ସମଲେଶ୍ବରୀ ମନ୍ଦିରର ଭବ୍ୟ ରୂପାନ୍ତରଣ କରାଯାଇଛି। ଯେଉଁଠାରେ ଭକ୍ତ ଓ ଶ୍ରଦ୍ଧାଳୁ ଦିବ୍ୟ ଅନୁଭବ ପାଇବେ। ଏହି ପ୍ରକଳ୍ପ ସାରା ଓଡିଶାର ପର୍ଯ୍ୟଟନ ଓ ଅର୍ଥନୀତି ଆଗକୁ ବଢାଇବ। ପ୍ରକଳ୍ପରେ ମହାନଦୀ ଘାଟ ପ୍ରସ୍ତୁତ ହୋଇଛି। ଯେଉଁଠାରେ ହଜାର ହଜାର ଶ୍ରଦ୍ଧାଳୁ ଏକାସଙ୍ଗେ ମହାନଦୀ ଆଳତି ଦେଖିପାରିବେ।

Categories
ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ସମଲେଇ ପ୍ରକଳ୍ପର ଲୋକାର୍ପଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ, ମା’ଙ୍କ ପାଇଁ ପ୍ରତି ଘରୁ ଆସିବ ସିନ୍ଦୁର

ଭୁବନେଶ୍ବର: ପଶ୍ଚିମ ଓଡିଶାର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ବରୀ ପୀଠର ଚାଲିଛି ରୂପାନ୍ତରଣ। ଆଗାମୀ ୨୭ ତାରିଖରେ ହେବ ପ୍ରକଳ୍ପର ଲୋକାର୍ପଣ। ଏହି ପରିପ୍ରେକ୍ଷୀରେ ଆଜି ମନ୍ଦିର ଟ୍ରଷ୍ଟ ବୋର୍ଡର ସଦସ୍ୟ, ସଭାପତି ଓ ପୂଜାରୀ ମାନେ ନବୀନ ନିବାସ ଆସି ମଙ୍ଗଳାଷ୍ଟକ ଗାନ ମଧ୍ୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଆଶୀର୍ବାଦ କରିଥିଲେ ଏବଂ ପ୍ରକଳ୍ପର ଲୋକାର୍ପଣ ପାଇଁ ନିମନ୍ତ୍ରଣ ଦେଇଥିଲେ।

ମା ଙ୍କ ପୀଠର ରୂପାନ୍ତର ପାଇଁ ସେମାନେ ମୁଖ୍ୟମନ୍ତ୍ରୀ ଓ 5T ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନଙ୍କୁ ଧନ୍ୟବାଦ ଦେଇଥିଲେ। ସେମାନେ କହିଥିଲେ ଯେ ଲୋକାର୍ପଣ ପାଇଁ ଟ୍ରଷ୍ଟ ବୋର୍ଡ ପକ୍ଷରୁ ସବୁ ଘରକୁ ନଡିଆ ଦିଆଯିବ ଏବଂ ସବୁ ଘରୁ ମା’ଙ୍କ ପାଇଁ ସିନ୍ଦୁର ଆସିବ।

ମା’ଙ୍କ କାମରେ ସମସ୍ତଙ୍କ ସହଯୋଗ କାମନା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମା’ଙ୍କ ପୀଠ ଓ ସମ୍ବଲପୁର ସହରର ଉନ୍ନତି ପାଇଁ ସେ ସବୁବେଳେ ଗୁରୁତ୍ବ ଦେଇ ଆସିଛନ୍ତି। ଆଗାମୀ ଦିନରେ ମଧ୍ୟ ଏହି କାର୍ଯ୍ୟ ଜାରି ରହିବ।

5T ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନ କହିଥିଲେ ଯେ ମା’ଙ୍କ ଆଶୀର୍ବାଦରୁ ସବୁ କାମ ଭଲରେ ଭଲରେ ଚାଲିଛି ଏବଂ ଆଗକୁ ମଧ୍ୟ ସବୁ କାମ ଭଲରେ ହେବ। ସମସ୍ତଙ୍କ ସହଯୋଗରେ ରୂପାନ୍ତର କାମ ଜାରି ରହିବ।

ସୂଚନାଯୋଗ୍ୟ ଯେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ବରୀଙ୍କ ମନ୍ଦିର ଷୋଡଶ ଶତାଦ୍ଦୀର ଏକ ପ୍ରସିଦ୍ଧ ପୀଠ। ଏହାର ଉନ୍ନତି ପାଇଁ ୨୦୨୧ ମସିହାରେ ମୁଖ୍ୟମନ୍ତ୍ରୀ ସମଲେଇ (Samaleswari Temple Area Management and Local Economy Initiatives) ପ୍ରକଳ୍ପ ଆରମ୍ଭ କରିଛନ୍ତି। ଏଥିପାଇଁ ୨୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି।

ମନ୍ଦିରର ସୌନ୍ଦର୍ଯ୍ୟକରଣ ସହିତ ଭକ୍ତ ମାନଙ୍କ ପାଇଁ ଏକ ଅଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଇଛି। ମନ୍ଦିର ସହିତ ମହାନଦୀ ଘାଟର ମଧ୍ୟ ଉନ୍ନତିକରଣ କରାଯାଉଛି। ଏହି ପ୍ରକଳ୍ପର ସଠିକ କାର୍ଯ୍ୟାନ୍ବୟନ ପାଇଁ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି.କେ ପାଣ୍ଡିଆନ ଅନେକ ଥର ସମ୍ବଲପୁର ଯାଇ ପ୍ରକଳ୍ପ କାର୍ଯ୍ୟ ସମୀକ୍ଷା କରିଛନ୍ତି।

ମୁଖ୍ୟମନ୍ତ୍ରୀ ଙ୍କୁ ନିମନ୍ତ୍ରଣ ପୂର୍ବରୁ ସେମାନେ ମା ସମଲେଶ୍ବରୀ ଙ୍କୁ ପୂଜା କରି ମା ପାଟଣେଶ୍ୱରୀ ମା ଦଶମତୀ ମା ବାଟ ମଙ୍ଗଳା ବାବା ସୋମନାଥ ଙ୍କୁ ଏବଂ ଭୁବନେଶ୍ଵର ରେ ଲିଙ୍ଗରାଜ ମହାପ୍ରଭୁ ଙ୍କୁ ନିମନ୍ତ୍ରଣ କରିଥିଲେ।