Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

MIO22: ମିଶନ ଶକ୍ତି ଜିଲ୍ଲା ପାଇଁ ଏକ କୋଟି ଟଙ୍କାର ପାଣ୍ଠି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର:  ଭୁବନେଶ୍ବରରେ ଚାଲିଥିବା ମେକ୍‌ ଇନ୍ ଓଡିଶା କନକ୍ଲେଭରେ ଆଜି ମହିଳା ଉଦ୍ୟୋଗୀ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ କହିଥିଲେ ଯେ 2001 ରେ ଆରମ୍ଭ ହୋଇଥିବା ମିଶନ ଶକ୍ତି, ଆଜି ଓଡ଼ିଶାର ସତୁରି ଲକ୍ଷ ସଶକ୍ତ ମା ମାନଙ୍କର ଏକ ମହାଶକ୍ତି ହୋଇଛି ।

ମୋ ସରକାର ପାଇଁ ମହିଳା ସଶକ୍ତିକରଣ କେବଳ ଏକ ସ୍ଲୋଗାନ୍ ନୁହେଁ, ଏହା ଏକ ପବିତ୍ର ଦାୟିତ୍ଵ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମୋର ଦୃଢ ବିଶ୍ବାସ, ମା ମାନଙ୍କୁ ସଶକ୍ତ ନ କରି, କୌଣସି ପରିବାର, କୌଣସି ସାମାଜ, କୌଣସି ରାଜ୍ୟ ବା କୌଣସି ଦେଶ ଆଗକୁ ବଢ଼ି ପାରିବ ନାହିଁ।

ଓଡ଼ିଶାରେ ଆମର ଛଅ ଲକ୍ଷ ସ୍ବୟଂ ସହାୟକ ଗୋଷ୍ଠି କାମ କରୁଛନ୍ତି ବୋଲି ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ SHG ମାନଙ୍କୁ SME ରେ ରୂପାନ୍ତର କରିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ। ଏଥିପାଇଁ ଆମେ ସବୁ କିଛି କରିବାକୁ ପ୍ରସ୍ତୁତ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ମିଶନ ଶକ୍ତି ମା ମାନଙ୍କୁ ବିନା ସୁଧରେ ପାଞ୍ଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦେବା ସଂକ୍ରାନ୍ତୀୟ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଦ୍ଵାରା ଓଡିଶାର ଲକ୍ଷ ଲକ୍ଷ ମା ଉପକାର ପାଇବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପାଞ୍ଚ ବର୍ଷରେ ପାଞ୍ଚ ହଜାର କୋଟି ଟଙ୍କାର କାମ, ମା ମାନଙ୍କୁ ଦେବା ପାଇଁ ଓଡିଶା କ୍ୟାବିନେଟ ନିଷ୍ପତ୍ତି ନେଇଥିଲା ଓ ଏହାଦ୍ଵାରା ପ୍ରାୟ ଏକ ଲକ୍ଷ SHG ଉପକାର ପାଉଛନ୍ତି।

ମିଶନ ଶକ୍ତି ଫେଡେରେସନମାନଙ୍କୁ ଆହୁରି ମଜବୁତ କରିବା ଓ ସେମାନଙ୍କୁ ସକ୍ରିୟ ଆର୍ଥିକ କେନ୍ଦ୍ରରେ ପରିଣତ କରିବା ଆମର ଲକ୍ଷ୍ୟ ବୋଲି ଉଲ୍ଲେଖ କରି ପ୍ରତି ଜିଲ୍ଲା ଫେଡେରେସନ କୁ ଏକ କୋଟି ଟଙ୍କାର ରିଭଲ୍ଭିଂ ପାଣ୍ଠି, ପ୍ରତି ବ୍ଲକ ସ୍ତରରେ ଫେଡେରେସନକୁ ପଚାଶ ଲକ୍ଷ ଟଙ୍କାର ରିଭଲ୍ଭିଂ ପାଣ୍ଠି ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।

ସେହିପରି ପଞ୍ଚାୟତ ସ୍ତରରେ ଥିବା ଫେଡେରେସନ ପାଇଁ ମାର୍କେଟ କଂପ୍ଲେକ୍ସ ସହ ସ୍ଵତନ୍ତ୍ର ଅଫିସ ଘର ମଧ୍ୟ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ମହିଳାମାନଙ୍କୁ ଉଦ୍ୟୋଗୀ କରିବା ଲକ୍ଷ୍ୟ କୁ ସାକାର କରିବା ପାଇଁ ତିରିଶ ଯାକ ଜିଲ୍ଲାରେ ମାଇକ୍ରୋ, ମିନି ଶିଳ୍ପ ପାର୍କ କରାଯିବ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।

ଓଡିଶାର ରୂପାନ୍ତରଣରେ ମା ମାନଙ୍କର ବଡ ଭୂମିକା ରହିଛି ବୋଲି ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ ମା ମାନଙ୍କର ସାମଗ୍ରିକ ସଶକ୍ତିକରଣ ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ମିଶନ ଶକ୍ତି ବିଭାଗର ଏକ କଫି ଟେବୁଲ ବୁକ, Mission Shakti – Scaling Up ଉନ୍ମୋଚନ କରିଥିଲେ ଏବଂ କଟକ ମା ତାରେଣୀ ଏସଏଚଜିର କବିତା ସାହୁ, ସୁନ୍ଦରଗଡ଼ ଦିବ୍ୟଜ୍ୟୋତି ଏସଏଚଜିର ପ୍ରେମା ଦାସ ଓ ନୂଆପଡା ବନଦୁର୍ଗା ଏସଏଚଜିର ଗାୟତ୍ରୀ ସୁନାଇଙ୍କୁ ସମ୍ମାନିତ କରିଥିଲେ।.

ସେହିପରି ଏସଏଚଜି ମାନଙ୍କୁ ରୁଣ ଦେବା ରେ ଭଲ କାମ କରିଥିବା ଓଡିଶା ଗ୍ରାମ୍ୟ ବ୍ୟାଙ୍କ, ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଓ ୟୁକୋ ବ୍ୟାଙ୍କକୁ ସମ୍ବର୍ଦ୍ଧିତ କରିଥିଲେ। କାର୍ଯ୍ୟକ୍ରମରେ ମିଶନ ଶକ୍ତି ବିଭାଗ ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ ତାଙ୍କ ଉଦବୋଧନରେ ମା ମାନଙ୍କ ବିକାଶ ପାଇଁ ନିଆଯାଇଥିବା ପଦକ୍ଷେପ ଉପରେ ଆଲୋକପାତ କରିଥିଲେ।

ମିଶନ ଶକ୍ତି ସଚିବ ଶ୍ରୀମତୀ ସୁଜାତା କାର୍ତ୍ତିକେୟ ସ୍ଵାଗତ ଭାଷଣ ଦେଇଥିଲେ। ବିଭାଗୀୟ ନିର୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଉଦଘାଟିତ ହେଲା ମେକ ଇନ ଓଡିଶା କନକ୍ଲେଭ

ଭୁବନେଶ୍ବର: ଆଜି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମେକ ଇନ ଓଡିଶା କନକ୍ଲେଭକୁ ଉଦଘାଟିତ କରିଛନ୍ତି। ଭୁବନେଶ୍ବରର ଜନତା ମଇଦାନରେ ଏହି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଶିଳ୍ପମନ୍ତ୍ରୀ ପ୍ରତାପ ଦେବ, କଟକ ଭୁବନେଶ୍ବର ମେୟର, ମୁଖ୍ୟଶାସନ ସଚିବ ଉପସ୍ଥିତ ଥିଲେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରି ଓଡିଶା ବର୍ତ୍ତମାନ ଦେଶର ନିବେଶ ପାଇଁ ଏହି ପ୍ରମୁଖ ରାଜ୍ୟରେ ପରିଗଣତି ହୋଇପାରିଛି। ଏହି ସମ୍ମିଳନୀକୁ ସଫଳ କରିବା ପାଇଁ ଫିକି ର ସହଯୋଗ ପାଇଁ ସେ ଧନ୍ୟବାଦ ଦେଇଥିଲେ। ଏଥିସହିତ ଫିକି ର ମହିଳା ଶାଖା ରାଜ୍ୟରେ ଚାଲିଥିବା ମିସନ ଶକ୍ତିରେ ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ।

ସେହିପରି ଶିଳ୍ପମନ୍ତ୍ରୀ ପ୍ରତାପ ଦେବ ଏହି ସମ୍ମିଳନୀରେ ଯୋଗ ଦେବା ପାଇଁ ଦେଶବିଦେଶରୁ ପ୍ରାୟ  ଏଗାର ହଜାରର ଅଧିକ ପଞ୍ଜିକରଣ ହୋଇଛି। ଏହି ପାଞ୍ଚ ଦିନିଆ ସମ୍ମିଳନୀରେ 38ଟି ଶିଳ୍ପ ନିବେଶ ଉପରେ ଆଲୋଚନା ଚକ୍ର କରାଯାଇଛି। ସେହିପରି ଏଥିରେ 124 ଜଣ ବିଶେଷଜ୍ଞ ଯୋଗ ଦେଇ ସେମାନଙ୍କର ମତ ରଖିବେ।

ସେହିପରି ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା ମଧ୍ୟ ଏହି ସମ୍ମଳନୀକୁ ନେଇ ବେଶ ଉତ୍ସାହିତ ଅଛନ୍ତି। ଏହା ହେଉଛି 3ୟ ମେକ ଇନ ଓଡିଶା। ପୂର୍ବ ଦୁଇଟି ପରି ଏହି ସମ୍ମିଳନୀରେ ବେଶ ଅଧିକ ପୁଂଜି ଆସିପାରିବ ବୋଲି ସେ ଆଶା କରିଛନ୍ତି। ସେ କହିଛନ୍ତି ଯେ, ଏଥିରେ 130ରୁ ଅଧିକ ବୃହତ ତଥା ମଧ୍ୟମ ଧରଣର ଶିଳ୍ପପତି ଯୋଗ ଦେବେ।

ଭୁବନେଶ୍ବର ଜନତା ମଇଦାନରେ ଏହି ସମ୍ମଳନୀ ନଭେମ୍ବର ୩୦ ତାରିଖରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଚାଲିବ।

Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଉଦଘାଟିତ ହେବ ‘ମେକ ଇନ ଓଡିଶା କନକ୍ଲେଭ ୨୨’, ଏହି ଶିଳ୍ପପତିମାନେ ଦେବେ ଯୋଗ

ଭୁବନେଶ୍ବର: ଆସନ୍ତାକାଲି ଭୁବନେଶ୍ବର ଜନତା ମଇଦାନରେ ହେବ ବହୁ ପ୍ରତୀକ୍ଷିତ ‘ମେକ ଇନ ଓଡିଶା କନକ୍ଲେଭ ୨୦୨୨ ‘। ବୁଧବାର ସଂଧ୍ୟାରେ ଏହାକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜନତା ମଇଦାନରେ ଏହି  ସମ୍ମିଳନୀ ନଭେମ୍ବର ୩୦ ତାରିଖରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଚାଲିବ।

ଏହି ସମ୍ମିଳନୀର ବିଭିନ୍ନ ଦିନରେ ଭିନ୍ନ ଭିନ୍ନ ଶିଳ୍ପପତି ଯୋଗ ଦେଇ ସେମାନଙ୍କର ପୁଂଜିନିବେଶ କଥା ଘୋଷଣା କରିବେ। ଏଥିସହିତ ଓଡିଶା ଶିଳ୍ପ ପାଇଁ କିପରି ଠିକ ବାତାବରଣ ରହିଛି ସେ ନେଇ ବିଭିନ୍ନ ସମୟରେ ଆଲୋଚନା ଚକ୍ର ମଧ୍ୟ କରାଯାଇଛି। ଏଥିରେ ଦେଶର ପ୍ରମୁଖ ଶିଳ୍ପପତିମାନେ ଭାଗ ନେବାର କାର୍ଯ୍ୟକ୍ରମ ରହିଛି।

ଏହି ମେଗା ଶିଳ୍ପ ସମ୍ମିଳନୀରେ ଆରସଲ ମିତ୍ତଲର ଅଧ୍ୟକ୍ଷ ଲକ୍ଷ୍ମୀନାରାୟଣ ମିତ୍ତଲ, ଆଦିତ୍ୟ ବିର୍ଲା ଗ୍ରୁପର କୁମାର ମଙ୍ଗଳମ ବିର୍ଲା, ବେଦାନ୍ତ କଂପାନୀର ଅଧ୍ୟକ୍ଷ ଅନୀଲ ଅଗ୍ରୱାଲା, ଜେଏସଡବ୍ଲୁ ର ସଜ୍ଜନ ଜିନ୍ଦଲ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହି ପ୍ରତିଷ୍ଠିତ ଶିଳ୍ପପତିମାନେ ବର୍ତ୍ତମାନ ଓଡିଶାରେ ପହଁଚିଥିବାର ଜଣାପଡିଛି।

ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବ୍ୟକ୍ତିଗତ ଭାବେ ଉଦ୍ୟମ କରିଛନ୍ତି। ସେ ବହୁ ପୂର୍ବରୁ ଏହି ସମ୍ମିଳନୀରେ ଶିଳ୍ପପତିମାନେ ଯୋଗଦେବା ପାଇଁ ବିଦେଶ ତଥା ଦେଶର ବିଭିନ୍ନ ସ୍ଥାନ ଭ୍ରମଣ କରି ଆଲୋଚନା କରିଛନ୍ତି। ପ୍ରଥମେ ନବୀନ ବିଶ୍ବର ବ୍ୟବସାୟିକ କେନ୍ଦ୍ର ଦୁବାଇରେ ସମ୍ମିଳନୀ କରି ବିଶ୍ବ ଶିଳ୍ପପତିଙ୍କୁ ଆହ୍ବାନ କରିଥିଲେ।

ଏହାପରେ ସେ ମୁମ୍ବାଇ, ନୂଆଦିଲ୍ଲୀ, ବାଙ୍ଗାଲୋର ଏବଂ ହାଇଦ୍ରାବାଦ ପ୍ରଭୃତି ସ୍ଥାନକୁ ଯାଇ ଶିଳ୍ପପତିମାନଙ୍କ ସହିତ ସିଧା କଥାବାର୍ତ୍ତା କରିଛନ୍ତି। ସେଠାରେ ଥିବା ଶିଳ୍ପପତିମାନେ ଓଡିଶାରେ ପୁଂଜିନିବେଶ ପାଇଁ ମଧ୍ୟ ବେଶ ଆଗ୍ରହ ପ୍ରକାଶ କରିବେ ବୋଲି ଜଣାପଡିଛି। ଫଳରେ ମେକ ଇନ ଓଡିଶା କନକ୍ଲେଭ ୨୦୨୨ ସଫଳତା ହାସ କରିବ ବୋଲି ଆଶା କରାଯାଉଛି।

ପ୍ରଥମେ ରାଜ୍ୟରେ ଶିଳ୍ପାୟନ ପାଇଁ ମେକ ଇନ ଓଡିଶା କନକ୍ଲେଭ ୨୦୧୬ ମସିହାରେ ଆରମ୍ଭ କରାଯାଇଥିଲା। ସେତେବେଳେ ଏହି ସମ୍ମିଳନୀରେ ୨,୦୩,୨୩୫ କୋଟି ଟଙ୍କାର ୮୪ଟି ପୁଞ୍ଜିନିବେଶ ପ୍ରସ୍ତାବ ଆସିଥିବା ବେଳେ ୨,୨୯,୯୪୭ କୋଟି ଟଙ୍କାର ୫୮ଟି ପ୍ରସ୍ତାବ ପାରିତ ହୋଇଛି।

ସେହିପରି ୨୦୧୮ ମେକ୍‍ ଇନ୍‍ ଓଡ଼ିଶା କନକ୍ଲେଭରେ ୪,୨୩,୧୧୫ କୋଟି ଟଙ୍କାର ୨୦୨ଟି ପୁଞ୍ଜନିବେଶ ପ୍ରସ୍ତାବ ଆସିଥିଲା। ସେଥିରୁ ୧୦୮ଟି ପ୍ରସ୍ତାବ ମଞ୍ଜୁରୀ ପାଇଛି। ଏଥର ମଧ୍ୟ ବେଶ୍ କିଛି ପୁଞ୍ଜିନିବେଶ ହେବ ବୋଲି ଆଶା ରଖିଛନ୍ତି ଓଡିଶା ସରକାର।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଭୁବନେଶ୍ବରରେ ଆୟୋଜିତ ହେବାକୁ ଥିବା ମେକ୍ ଇନ୍ ଓଡିଶା କନକ୍ଲେଭ-୨୦୨୨ ପାଇଁ ହେଲା ଭୂମିପୂଜା

ଭୁବନେଶ୍ୱର: ଚଳିତ ନଭେମ୍ବର ମାସ ୩୦ରୁ ଆସନ୍ତା ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଅନୁଷ୍ଠିତ ହେବ ମେକଇନ୍ ଓଡିଶା କନକ୍ଲେଭ-୨୦୨୨। ଏହି ପରିପ୍ରେକ୍ଷୀରେ ଆଜି ଜନତା ମଇଦାନ ଠାରେ ଭୂମି ପୂଜା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ତଥା ଇଡକୋ ଏବଂ ଇପିକଲର ଅଧ୍ୟକ୍ଷ ଶ୍ରୀ ହେମନ୍ତ କୁମାର ଶର୍ମାଙ୍କ ଉପସ୍ଥିତିରେ ଇଡକୋର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଭୁପିନ୍ଦର ସିଂ ପୁନିଆ ଏହି ଭୂମି ପୂଜନ କାର୍ଯ୍ୟକୁ ସମାହିତ କରିଥିଲେ।

ଏହି ପରିପ୍ରେକ୍ଷୀରେ ପ୍ରମୁଖ ଶାସନ ସଚିବ ଶ୍ରୀ ଶର୍ମା କହିଥିଲେ ଯେ, ୨୦୧୬ରେ ପ୍ରଥମ ଓ ୨୦୧୮ ରେ ଦ୍ୱିତୀୟ ସଂସ୍କରଣ ଆୟୋଜନ ପରେ ଏହା ହେଉଛି ମେକ୍ ଇନ୍ ଓଡ଼ିଶା କନକ୍ଳେଭର ୩ୟ ସଂସ୍କରଣ। ଗତକାଲି ମାନ୍ୟବର ମୁଖ୍ୟମନ୍ତ୍ରୀ ମେକ୍ ଇନ୍ ଓଡିଶା କନକ୍ଲେଭ୍ ଓ୍ୱେବ୍ ସାଇଟ୍ ଏବଂ ମୋବାଇଲ ଆପ୍ ର ଶୁଭାରମ୍ଭ କରିଛନ୍ତି। ଆଜି ଏହି ଉପଲକ୍ଷେ ପାଲିଲିୟନ୍ ନିର୍ମାଣ ପାଇଁ ଭୂମି ପୂଜନ କରାଯାଇଛି। ମେକ୍ ଇନ୍ ଓଡିଶାରେ ଯେଉଁମାନେ ଅଂଶଗ୍ରହଣ କରିବେ, ସେମାନଙ୍କର ପଞ୍ଜୀକରଣ ଆରମ୍ଭ ହୋଇଯାଇଛି।

ଏହି ସଂସ୍କରଣ ପାଇଁ ଜନତା ମଇଦାନରେ ପାଭିଲିୟାନ ପ୍ରସ୍ତୁତି ନିମନ୍ତେ ଆଜି ଶୁଭାରମ୍ଭ ହୋଇଛି। ସମସ୍ତ ପ୍ରସ୍ତୁତି ପାଇଁ ପ୍ରାୟ ୨୦ ରୁ ୨୫ ଦିନ ଲାଗିବ। ଆୟୋଜିତ ଏହି ୫ ଦିନିଆ କନକ୍ଳେଭକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନଭେମ୍ବର ୩୦ ତାରିଖ ସଂଧ୍ୟାରେ ଉଦ୍ଘାଟନ କରିବେ । ଡିସେମ୍ବର ୧ ତାରିଖ ସକାଳେ ପ୍ଲିନାରୀ ସେସନ ଅନୁଷ୍ଠିତ ହେବ। ଏଥିରେ ଦେଶ ବିଦେଶର ବହୁ ଶିଳ୍ପ ସଂସ୍ଥାର ଶିଳ୍ପପତି ତଥା ପ୍ରତିନିଧିମାନ ଯୋଗଦେଇ ବିଶେଷ ଆଲୋଚନାରେ ଅଂଶଗ୍ରହଣ କରିବ ।

ଶ୍ରୀ ଶର୍ମା ଆହୁରି ମଧ୍ୟ କହିଥିଲେ ଯେ, ଓଡିଶାରେ ରସାୟନିକ, ଧାତବ, ଦକ୍ଷତା ବିକାଶ, ଷ୍ଟାର୍ଟ ଅପ୍ସ, ସାର, ପରିବହନ,ଖାଦ୍ୟ ପ୍ରକ୍ରିୟାକରଣ, ବୟନ ଶିଳ୍ପ, ପୋଷାକ ଡିଜାଇନିଂ ପ୍ରସ୍ତୁତି, ବ୍ୟବସାୟିକ-କୃଷି ଆଦି କ୍ଷେତ୍ର ଭଳି ଉପଯୋଗୀ ଥିବା ବିଭିନ୍ନ କ୍ଷେତ୍ରରେ ଶିଳ୍ପପତିମାନଙ୍କର ରହିଥିବା ଅଭିଜ୍ଞତା ଏବଂ ଓଡିଶାରେ ଥିବା ନୂଆ ନୂଆ ବ୍ୟବସାୟିକ ସମ୍ଭାବନାର ସୁଯୋଗ କିପରି ସେମାନେ ନେଇପାରିବେ, ସେ ସଂପର୍କରେ ଆଲୋଚନା କରିବେ ।

ଡିସେମ୍ବର ୨ ଓ ୩ ତାରିଖରେ ଓଡ଼ିଶା ରାଜ୍ୟ ସରକାରଙ୍କ ସଂପୃକ୍ତ ଉପରୋକ୍ତ ବିଭିନ୍ନ ବିଭାଗମାନଙ୍କର ଶିଳ୍ପ ନୀତି ସଂସ୍କରଣ ପ୍ରକାଶପାଇବ । ଶିଳ୍ପନୀତି ନିର୍ଦ୍ଧାରଣ -୨୦୧୫ ରେ ଥିବା ବ୍ୟବସ୍ଥାରେ ଆବଶ୍ୟକ ପରିବର୍ତ୍ତନ କରାଯାଇ ଶିଳ୍ପନୀତି ନିର୍ଦ୍ଧାରଣ -୨୦୨୨ ପ୍ରକାଶନ ପାଇଁ ଆବଶ୍ୟକୀୟ ସଂଶୋଧନ ଅଣାଯାଇଛି ।

ଯେଉଁ କ୍ଷେତ୍ରରେ ଅଧିକ ନିଯୁକ୍ତି ସୁଯୋଗ ରହିଛି ଏବଂ ଆମର କଂଚାମାଲ ଉପଲବ୍ଧ ରହିଛି ଏବଂ ଯେଉଁସବୁ କ୍ଷେତ୍ରରେ ଅଧିକ ବିଭିନ୍ନ ପ୍ରକାର ପଦାର୍ଥ ଓ ଉତ୍ପାଦନର ସମ୍ଭାବନା ରହିଛି, ସେହିସବୁ କ୍ଷେତ୍ରକୁ ଆଇ.ପି.ଆର୍-୨୦୨୨ରେ ଗୁରୁତ୍ୱ ଦିଆଯାଇଛି । ଏହା ବ୍ୟତୀତ ଓଡିଶାରେ ଥିବା ପାରାଦ୍ୱୀପ,ଧାମରା ଗୋପାଳପୁର ଓ ଆଗାମୀ ଦିନରେ ହେବାକୁ ଯାଉଥିବା ସୁବର୍ଣ୍ଣରେଖା ବନ୍ଦର, ଯେଉଁଠାରେ ଶିଳ୍ପପତିମାନେ ରପ୍ତାନିଭିତ୍ତିକ ବ୍ୟବସାୟ କରିବାକୁ ଚାହିଁବେ, ସେମାନଙ୍କ ପାଇଁ ଏହି ସଂସ୍କରଣରେ ଗୁରୁତ୍ୱ ଦିଆଯିବ ।

ଏଥି ସହିତ ପଶ୍ଚିମ ଓଡିଶା, ଯେଉଁବାଟ ଦେଇ ବିଜୁ ଏକ୍ସପ୍ରେସ୍ ଓ୍ୱେ ଯାଇଛି, ଯାହାକୁ ଆମେ ବିଜୁ ଇକୋନୋମିକ୍ କରିଡର ଭାବେ ବିବେଚନା କରୁଛୁ, ତନ୍ମଧ୍ୟରେ କେତେକ ଅଂଚଳକୁ ଶିଳ୍ପ କରିଡର ଭାବେ ଚିହ୍ନଟ କରାଯାଇ ସେହି ସବୁ ଅଂଚଳରେ କୃଷିଭିତ୍ତିକ ଶିଳ୍ପ ଯଥା-କପା, ଧାନ, ଚିନାବାଦାମ, ମକ୍କା, ବୟନଶିଳ୍ପ ଆଦି ବ୍ୟବସାୟିକ ଶିଳ୍ପର ସୁଯୋଗକୁ ଗୁରୁତ୍ୱ ଦିଆଯିବ ବୋଲି ପ୍ରମୁଖ ଶାସନ ସଚିବ ଶ୍ରୀ ଶର୍ମା କହିଛନ୍ତି ।

ଏସବୁ କ୍ଷେତ୍ରରେ ଶିଳ୍ପ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସୁବିଧାରେ ଜମି, ଜଳ,ବିଦ୍ୟୁତ ଶକ୍ତି, ରାସ୍ତାଘାଟ ବ୍ୟବସ୍ଥାସାଙ୍ଗକୁ ଆନୁସଙ୍ଗିକ ସହଯୋଗ କରାଯିବ ବୋଲି ସେ କହିଥିଲେ ।

ପ୍ରମୁଖ ଶାସନ କହିଥିଲେ ଯେ, ମେକ୍ ଇନ୍ ଓଡିଶା କନକ୍ଲେଭକୁ ସୁଚାରୁରୂପେ ପରିଚାଳନା ପାଇଁ ଏହି ଜନତା ମଇଦାନରେ ବୃହତ୍ ପାଭିଲିୟନକୁ ଉତ୍ତମ ଭାବେ ପ୍ରସ୍ତୁତ କରାଯିବ । ଗଣମାଧ୍ୟମ ପାଇଁ ସ୍ୱତନ୍ତ୍ର ମିଡିଆ ଲାଉଞ୍ଜ, ପଡିଆର ୩ ପାର୍ଶ୍ୱରେ ପ୍ରଦର୍ଶନୀ ମଣ୍ଡପ, ମଝିରେ ପାଖାପାଖି ୨୦୦୦ ବ୍ୟକ୍ତିଙ୍କ ବସିବା ସୁବିଧା ସହିତ ବିଭିନ୍ନ ପର‌୍ୟ୍ୟାୟରେ ପ୍ରତ୍ୟହ ୨୦ ରୁ ୨୫ ହଜାର ଦର୍ଶକ ଏହାକୁ ପରିଦର୍ଶନ କରିବାର ବ୍ୟବସ୍ଥା କରାଯାଉଛି ।

ଏଥି ସହିତ ବ୍ୟବସାୟିକ ଆଲୋଚନା ପାଇଁ ପ୍ଲିନାରୀ ହଲ, ମୁଖ୍ୟମନ୍ତ୍ରୀ ତଥା ବିଶିଷ୍ଟ ବ୍ୟକ୍ତିଙ୍କ ପାଇଁ ଲାଉଞ୍ଜ,ସାଂସ୍କୃତିକ କାର‌୍ୟ୍ୟ ପରିବେଷଣ ପାଇଁ ପାଭିଲିୟନ ଆଦିର ବ୍ୟବସ୍ଥା ରହିବ । ଇଡେକୋର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଭୂପେନ୍ଦ୍ର ସିଂ ପୁନିଆ ଯୋଗଦେଇ କହିଲେ ଯେ, ଏହି ବୃହତ୍ ପାଭିଲିୟନରେ ୫ ଟି ସେକ୍ଟର କରାଯାଉଛି, ଯେଉଁଥିରେ ୨୦୦ ରୁ ୩୦୦ ବ୍ୟକ୍ତି ବସି ବ୍ୟବସାୟିକ ଆଲୋଚନା କରିପାରିବେ।

ତତ୍ ସହିତ ଫୁଟ୍ କୋର୍ଟ ମଧ୍ୟ ରହିବ, ଯେଉଁମାନେ ପରିଦର୍ଶନରେ ଆସିବେ, ସେମାନେ ମଧ୍ୟ ଏହାର ସୁଯୋଗ ନେବେ କ୍ଷ ଯେଉଁମାନେ ପରିଦର୍ଶନରେ ଆସିବେ, ସେମାନେ ମଧ୍ୟ ଏହାର ସୁଯୋଗ ନେବେ । ତତ୍ ସହିତ ଅଗ୍ମି ନିରାପତ୍ତା ଓ ସୁରକ୍ଷା ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଉଥିବା ସଂପର୍କରେ ଶ୍ରୀ ପୁନିଆ କହିଛନ୍ତି ।

ଅନୁଷ୍ଠିତ ଏହି ପୂଜା ଉତ୍ସବରେ ଶିଳ୍ପ ବିଭାଗ ଅତିରିକ୍ତ ଶାସନ ସଚିବ ଶ୍ରୀ ଶୁଭେନ୍ଦ୍ର କୁମାର ନାୟକଙ୍କ ସମେତ ଶିଳ୍ପ ବିଭାଗ, ଇଡକୋ ଏବଂ ଇପିକଲର ଅନ୍ୟ ବରିଷ୍ଠ ଉଚ୍ଚ କର୍ତ୍ତୃପକ୍ଷ ଏବଂ ପାଭିଲିଅନରେ ନିୟୋଜିତ ସଂସ୍ଥାର କର୍ମକର୍ତ୍ତା ଏବଂ କ୍ଷେତ୍ରସ୍ତରୀୟ କର୍ମଚାରୀମାନେ ଉପସ୍ଥିତ ଥିଲେ ।