Categories
ଆଜିର ଖବର ରାଜ୍ୟ ଖବର

ବିଜେଡ଼ି-ବିଜେପି ମେଣ୍ଟକୁ ନେଇ ଆସିଲା ବଡ ଖବର: ସ୍ପଷ୍ଟ କଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ

ଭୁବନେଶ୍ଵର: ଓଡିଶାରେ ବିଜେଡ଼ି-ବିଜେପି ମେଣ୍ଟକୁ ନେଇ ଚର୍ଚ୍ଚା ଜୋର ଧରିଛି। ହେଲେ ଏହି ସମୟରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଦ୍ଵାରା ସୋସିଆଲ ମିଡ଼ିଆରେ କରାଯାଇଥିବା ପୋଷ୍ଟକୁ ନେଇ ଆଲୋଚନା ଆରମ୍ଭ ହୋଇଯାଇଛି। ମନମୋହନଙ୍କ ଏକ୍ସ ର ଏକ ପୋଷ୍ଟ ପରେ ବର୍ତ୍ତମାନ ବିଜେଡ଼ି-ବିଜେପି ମେଣ୍ଟର କୌଣସି ସମ୍ଭାବନା ନାହିଁ ବୋଲି କୁହାଯାଉଛି।

ମନମୋହନ ଏକ୍ସ ରେ ଲେଖିଛନ୍ତି ଯେ, ରାଜ୍ୟରେ ଏଥର ବିଜେପି ଏକାକୀ ଲଢିବ। ସମସ୍ତ ୧୪୭ ବିଧାନସଭା ଓ ୨୧ ଲୋକସଭା ଆସନରେ ବିଜେପି ଏକାକୀ ଲଢିବ ବୋଲି ସେ ସ୍ପଷ୍ଟ କରିଛନ୍ତି।

ଏହାସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ମନମୋହନ ଧନ୍ୟବାଦ ଦେଇଛନ୍ତି। କେନ୍ଦ୍ରର ମୋଦୀ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ସମର୍ଥନ କରୁଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସମଗ୍ର ଦେଶରେ ଯେଉଁସବୁ ରାଜ୍ୟରେ ଡବଲ ଇଞ୍ଜିନ ସରକାର ରହିଛି ସେଠାରେ ବିକାଶ ଓ ଗରିବ କଲ୍ୟାଣର କାର୍ଯ୍ୟସବୁ ତ୍ବରାନ୍ବିତ ହୋଇଛି ଏବଂ ସବୁ କ୍ଷେତ୍ରରେ ସଂପୃକ୍ତ ରାଜ୍ୟମାନେ ମଧ୍ୟ ଅଗ୍ରଗତି ହାସଲ କରୁଛନ୍ତି ବୋଲି ଆମେ ଅନୁଭବ କରୁଅଛୁ। କିନ୍ତୁ ଆଜି ଓଡ଼ିଶାରେ ମୋଦୀ ସରକାରଙ୍କ ଅନେକ କଲ୍ୟାଣକାରୀ ଯୋଜନା ତୃଣମୂଳ ସ୍ତରକୁ ପହଞ୍ଚି ପାରୁନାହିଁ, ଯେଉଁ କାରଣରୁ ଓଡିଶାର ଗରିବ ଭଉଣୀ ଓ ଭାଇମାନେ ଏସବୁର ସୁଫଳ ପାଇପାରୁନାହାଁନ୍ତି।

ଓଡ଼ିଆ-ଅସ୍ମିତା, ଓଡ଼ିଶାର ଗୌରବ ଏବଂ ଓଡ଼ିଶାବାସୀଙ୍କ ସ୍ବାର୍ଥ ସହ ଜଡ଼ିତ ଅନେକ ପ୍ରସଙ୍ଗରେ ଆମେ ରାଜ୍ୟ ସରକାରଙ୍କ ସହ ସହ‌ମତ ହୋଇପାରୁନାହୁଁ। ସାଢ଼େ ଚାରି କୋଟି ଓଡ଼ିଆଙ୍କ ଆଶା, ଅଭିଳାଷ ଓ ଆକାଂକ୍ଷାକୁ ପୂରଣ କରିବା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦର୍ଶୀ ନେତୃତ୍ବରେ ଏକ ବିକଶିତ ଭାରତ ତଥା ବିକଶିତ ଓଡ଼ିଶା ଗଠନ ନିମନ୍ତେ ବିଜେପି ଏଥର ସମସ୍ତ ୨୧ ଲୋକସଭା ଓ ୧୪୭ ବିଧାନସଭା ଆସନରେ ଏକାକୀ ଲଢ଼ିବ।