Categories
ଆଜିର ଖବର ରାଜ୍ୟ ଖବର

ଉନମୋଚିତ ହେଲା ମାନସ ବାରିକଙ୍କ ପୁସ୍ତକ ‘ଅଣୁଗଳ୍ପ ମାନସାଙ୍କ’

ଭୁବନେଶ୍ବର: ଯୁବ ଲେଖକ ମାନସ ରଞ୍ଜନ ବାରିକଙ୍କ ବହୁ ପ୍ରତିକ୍ଷିତ ପୁସ୍ତକ ‘ଅଣୁଗଳ୍ପ ମାନସାଙ୍କ’ ଆଜି ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀରେ ଆଜି ଉନ୍ମୋଚିତ ହୋଇଛି। ପୋଲିସ୍ ଏକାଡେମୀ ନିର୍ଦ୍ଦେଶକ ଅରୁଣ କୁମାର ଷଡଙ୍ଗୀ, ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ସ୍ଵତନ୍ତ୍ର ନିର୍ଦ୍ଦେଶକ ଅରିନ୍ଦମ ଡାକୁଆ, ବିଶିଷ୍ଟ ଗାଳ୍ପିକ ଶିବ ମିଶ୍ର ପ୍ରମୁଖ  ଯୋଗଦେଇ ଆଜି ବହିଟିକୁ ଲୋକାର୍ପିତ କରିଥିଲେ।

ଶ୍ରୀ ବାରିକ ଓଡ଼ିଶାର ଜଣେ ଦକ୍ଷ ପୋଲିସ ଅଧିକାରୀ ହୋଇଥିବା ବେଳେ ସେ ଜଣେ ଭଲ ଲେଖକ ଓ କବି ମଧ୍ୟ। ସମୟ ସମୟରେ ସେ କ୍ଷୁଦ୍ର କବିତା ଏବଂ ଅଣୁଗଳ୍ପ ଲେଖି ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥାନ୍ତି। ତାଙ୍କର ଗଳ୍ପ କବିତା ଗୁଡିକ ପ୍ରାୟତଃ ସାମ୍ପ୍ରତିକ ସମାଜରେ ମାନବୀୟ ଦୃଷ୍ଟିଭଙ୍ଗୀକୁ ଇଙ୍ଗିତ କରିଥାଏ। ଦୀର୍ଘଦିନର ସାଉଁଟା ଅଭିଜ୍ଞତାରୁ ବାସ୍ତବ ଘଟଣାମାନଙ୍କୁ ଛୋଟ କାହାଣୀ ଓ ଚରିତ୍ର ମାଧ୍ୟମରେ ଚିତ୍ରିତ କରିଥାନ୍ତି ସେ।

ଭୁବନେଶ୍ୱରସ୍ଥିତ ପଶ୍ଚିମା ପବ୍ଲିକେଶନ ଦ୍ୱାରା ପ୍ରକାଶିତ ଉକ୍ତ ପୁସ୍ତକରେ ସମୁଦାୟ ୨୦୭ ଟି ଅଣୁଗଳ୍ପ ଅଛି ଯେଉଁଥିରୁ ସବୁଠୁଁ କ୍ଷୁଦ୍ରତମ ଗଳ୍ପ ଗୋଟିଏ ବାକ୍ୟରେ ଏବଂ ଦୀର୍ଘତମ ଗଳ୍ପ ପାଞ୍ଚଗୋଟି ବାକ୍ୟରେ ଲେଖା ହୋଇଛି ବୋଲି ଗାଳ୍ପିକ କହିଛନ୍ତି। ଉକ୍ତ ପୁସ୍ତକ କୋଡିଏ ଗୋଟି ଥିମକୁ ନେଇ ଗଠିତ ହୋଇଥିବା ବେଳେ ପ୍ରତ୍ୟେକ ଥିମରେ ଦଶଗୋଟି ଅଣୁଗଳ୍ପ ରହିଅଛି। ଅଣୁଗଳ୍ପ ବିଭାଗ ଓଡ଼ିଆ ସାହିତ୍ୟରେ ସମ୍ପୂର୍ଣ୍ଣ ନୂତନ ଧାରା ହୋଇ ନଥିଲେ ମଧ୍ୟ ଏହି ବିଭାଗରେ ଅନେକ କିଛି କରିବାର ଅଛି ବୋଲି ବିଶିଷ୍ଟ ଗାଳ୍ପିକ ଶିବ ମିଶ୍ର ପ୍ରକାଶ କରିଛନ୍ତି।