Categories
ଜାତୀୟ ଖବର ବିଶେଷ ଖବର

ଚକ୍ରବ୍ୟୁହରେ ଚତୁର୍ଥ ସ୍ତମ୍ଭ

ସୁବାଷ କୁମାର ତାରଣିଆଁ

ଗଣତନ୍ତ୍ରକୁ ସୁଦୃଢ ଓ ସଶକ୍ତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ଗଣମାଧ୍ୟମ। ଆଉ ଗଣମାଧ୍ୟମକୁ ସଠିକ୍ ଭାବରେ ପରିଚାଳନା କରିବାରେ ସାମ୍ବାଦିକମାନେ ଜାଗ୍ରତ ପ୍ରହରୀ ଭଳି ଉଭା ହୋଇଥାନ୍ତି। ଯେଉଁ ଦେଶରେ ଗଣତନ୍ତ୍ରର ସ୍ୱର ଯେତେ ପ୍ରଖର, ସେ ଦେଶ ସେତେ ଉନ୍ନତ ଓ ଦୁର୍ନୀତିମୁକ୍ତ। ଦୁର୍ନୀତି ଓ ଭ୍ରଷ୍ଟାଚାରକୁ ମୂଳୋତ୍ପାଟନ କରିବାରେ ଗଣତନ୍ତ୍ର ପ୍ରମୁଖ ଅସ୍ତ୍ର ଭାବେ କାର୍ଯ୍ୟ କରିଥାଏ। ସେଥିପାଇଁ ଗଣମାଧ୍ୟମକୁ ଚତୁର୍ଥସ୍ତମ୍ଭର ମାନ୍ୟତା ମିଳିଛି।

ଗଣମାଧ୍ୟମ କେବଳ ଘରର ଚାରିକାନ୍ଥ ମଧ୍ୟରେ ସୀମିତ ନୁହେଁ, ବରଂ ଦେଶ ବିଦେଶରେ ଘଟୁଥିବା ଘଟଣାବଳୀକୁ ନେଇ ସାଧାରଣ ଜନତାଙ୍କ ନିକଟରେ ଖବର ପହଞ୍ଚାଇବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ସତ୍ୟ, ନିର୍ଭୀକ ଓ ନିରପେକ୍ଷ ଖବର ପରିବେଷଣ ଦ୍ୱାରା ହିଁ ଗଣମାଧ୍ୟମ ଉପରେ ବିଶ୍ୱାସନୀୟତା ବଢିଥାଏ। କଲମ ମୁନରେ ସମାଜରେ ସକରାତ୍ମକ ପରିବର୍ତ୍ତନ ଆଣିବା, ଗଣତନ୍ତ୍ରର ମୂଲ୍ୟବୋଧକୁ ସମ୍ମାନର ସହ ବଞ୍ଚାଇ ରଖିବା ଓ ସାଧାରଣ ଜନତାଙ୍କ ସମସ୍ୟାକୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ଗଣମାଧ୍ୟମର ମୂଳ ଲକ୍ଷ୍ୟ।

୧୯୫୦ ମସିହା ଜାନୁୟାରୀ ୨୬ ତାରିଖରେ ଭାରତ ଏକ ସାର୍ବଭୌମ, ଧର୍ମନିରପେକ୍ଷ, ସମାଜବାଦୀ ଗଣତାନ୍ତ୍ରିକ ରାଷ୍ଟ୍ର ରୂପେ ମାନ୍ୟତା ପାଇଥିଲା ଏବଂ ଗଣତନ୍ତ୍ର ରାଷ୍ଟ୍ରରେ ବ୍ୟବସ୍ଥାପିକା, କାର୍ଯ୍ୟପାଳିକା, ନ୍ୟାୟପାଳିକା ଏବଂ ଗଣମାଧ୍ୟମକୁ ନେଇ ଚାରୋଟି ସ୍ତମ୍ଭ କାର୍ଯ୍ୟକାରୀ ହୋଇଥିଲା। ଦେଶର ସାମଗ୍ରିକ ବିକାଶ ଦିଗରେ ଗଣମାଧ୍ୟମର ଭୂମିକା ରହିଛି।

ସେହିପରି ଗଣତନ୍ତ୍ରକୁ ସୁପରିଚାଳନା କରିବା ଦିଗରେ ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରେ ସଂଗଠିତ ହେଉଥିବା ଘଟଣାବଳୀ ସମ୍ପର୍କରେ ସଠିକ୍ ତଥ୍ୟ ଉପସ୍ଥାପନ କରିବା ଗଣମାଧ୍ୟମର କର୍ତ୍ତବ୍ୟ। ସେହି ଦୃଷ୍ଟିରୁ ଚାରିସ୍ତମ୍ଭ ମଧ୍ୟରୁ ଗଣମାଧ୍ୟମକୁ ସବୁଠୁ ଅଧିକ ଗୁରୁତ୍ୱ ଦିଆଯାଇଛି।

ସମାଜର ପରଦା ପଛରେ ଲୁଚି ରହିଥିବା ଅବହେଳିତ, ନିଷ୍ପେସିତ ପ୍ରତିଭାମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବାରେ ମଧ୍ୟ ଗଣମାଧ୍ୟମର ଯଥେଷ୍ଟ ଅବଦାନ ରହିଛି। ଗଣମାଧ୍ୟମକୁ ସଠିକ୍ ଭାବେ ପରିଚାଳନା କରିବାକୁ ହେଲେ ସାମ୍ବାଦିକମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଦିନରାତି, ଶୀତ କାକର, ଖରା, ବର୍ଷା ଓ ଭୋକ ଉପାସକୁ ଖାତିର ନକରି ବର୍ଷକ ୩୬୫ ଦିନ ନିଜର ଦାୟିତ୍ୱ ସମ୍ପାଦନ କରୁଥିବା ଗଣମାଧ୍ୟମ ଓ ସାମ୍ବାଦିକ ସର୍ବଦା ସମାଜରେ ସୁନାମ କମାଇ ଥାଆନ୍ତି।

୨୦୦୩ ମସିହାରେ ଚାଇନା ଦେଶରେ ଏକ ଭୟଙ୍କର ରୋଗ ମହାମାରୀର ରୂପ ନେଇଛି ବୋଲି ଏକ ଗୁରୁତ୍ୱପୂର୍ଣ୍ଣ ଖବର ଛାପି ଜଣେ ବ୍ୟକ୍ତି ସରକାରଙ୍କ ଦ୍ୱାରା ଗିରଫ ହେବା ଏବଂ ପରବର୍ତ୍ତୀ ସମୟରେ ଉକ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଖବର ବିଭିନ୍ନ ଖବରକାଗଜରେ ପ୍ରକାଶନ କରି ମୁଖ୍ୟ ଶିରୋନମା ପାଲଟିଥିଲେ ଜଣେ ସାମ୍ବାଦିକ । ସରକାରଙ୍କ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରି ସାମ୍ବାଦିକ ଜଣକ ରୋଶର ଶିକାର ହୋଇଥିଲେ ଏବଂ ଜେଲ୍ ମଧ୍ୟ ଯାଇଥିଲେ।

ତତ୍କାଳୀନ ସମୟରେ ଚାଇନାରେ ଖବରକାଗଜଗୁଡ଼ିକର ମାଲିକ ଥିଲେ ଖୋଦ୍ ଶାସକ ଦଳ। ହେଲେ ସାମ୍ବାଦିକ ଜଣକ ଏସବୁକୁ ଭ୍ରୁକ୍ଷେପ ନକରି ବା ଶାସକ ଦଳକୁ ଭୟ ନକରି ନିଜର ଚିରାଚରିତ ଭାବେ ନିରପେକ୍ଷ ଖବର ପରିବେଷଣ କରିଚାଲିଥିଲେ। ସରକାରଙ୍କ ନାଲିଆଖି ଓ ଜେଲ୍‌ର ଭୟ ସାମ୍ବାଦିକ ଜଣଙ୍କୁ ପ୍ରଭାବିତ କରିନଥିଲା। ଅଶୀ ଠାରୁ ମସିର ବଳ ବେଶି ଉକ୍ତିକୁ ପ୍ରତିପାଦନ କରି ଉକ୍ତ ସାମ୍ବାଦିକ ଜଣକ ଆଗକୁ ଆଗକୁ ମାଡ଼ି ଚାଲିଥିଲେ।

ଚାଇନାରେ ଚାଲୁଥିବା ଏକଛତ୍ରବାଦ ଶାସନ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରି ସାମ୍ବାଦିକତାର ଶ୍ରେଷ୍ଠତ୍ୱ ପ୍ରତିପାଦନ କରିଥିଲେ ଉକ୍ତ ସାମ୍ବାଦିକ ଜଣକ। ନିଜର ନିଷ୍ଠାପର ଉଦ୍ୟମ ଯୋଗୁ ପରବର୍ତ୍ତୀ ସମୟରେ ସାମ୍ବାଦିକ ଜଣକ ୨୫ ହଜାର ଡଲାର ପୁରସ୍କାର ପାଇଥିଲେ। ସେହିବର୍ଷ ଠାରୁ ସେଠାରେ ଜଣେ ନିର୍ଭୀକ ଓ ସଚ୍ଚୋଟ ସାମ୍ବଦିକଙ୍କୁ ପୁରସ୍କାର ବାବଦରେ ଏହି ଅର୍ଥରାଶି ପ୍ରଦାନ କରାଯାଇ ଆସୁଅଛି।

ଦେଶ ସ୍ୱାଧୀନତାପ୍ରାପ୍ତିର ୧୯ ବର୍ଷ ପରେ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ସୁଦୃଢ ଓ ସଫଳ କରିବା ଉଦ୍ଦେଶ୍ୟରେ ୧୯୬୬ ମସିହା ନଭେମ୍ବର ୧୬ ତାରିଖରେ ଭାରତରେ ପ୍ରେସ୍ କାଉନ୍‌ସିଲ୍ ଗଠନ କରାଯାଇ କାର୍ଯ୍ୟ ଆରମ୍ଭ କରିଥିଲା ଓ ସମ୍ବାଦବାହୀ ଗଣମାଧ୍ୟମକୁ ସାମଗ୍ରିକ ଭାବେ ପ୍ରେସ୍ ବୋଲି କୁହାଗଲା। ଏକ ନିର୍ଭୀକ, ନିରପେକ୍ଷ, ମୁକ୍ତ ଓ ଦାୟିତ୍ୱଶୀଳ ପ୍ରେସ୍‌ର ପ୍ରତୀକ ଭାବରେ ଏହି ଦିନଟିକୁ ଜାତୀୟ ପ୍ରେସ୍ ଦିବସ ଭାବେ ପାଳନ କରାଯାଉଛି।

ପ୍ରେସ୍ କାଉନ୍‌ସିଲ୍ ଏକ ନୈତିକ ପ୍ରହରୀ। ଦୁଇଟି ମୁଖ୍ୟ ଉଦ୍ଦେଶ୍ୟରେ ଏହା ଗଠିତ ହୋଇଥିଲା। ପ୍ରଥମ ସମ୍ବାଦବାହୀ ଗଣମାଧ୍ୟମର ମାନ, ସମ୍ମାନ, ପରମ୍ପରା, ମୂଲ୍ୟବୋଧକୁ ବଜାୟ ରଖିବା ସହ ଏହାର ମୌଳିକ ଅଧିକାର, କର୍ତ୍ତବ୍ୟ ଏବଂ ଗୁରୁଦାୟିତ୍ୱ ସମ୍ପନ୍ନ ଅଟେ। ଦ୍ୱିତୀୟଟି ଏହାକୁ ଚାପ ଓ ପ୍ରଭାବରୁ ମୁକ୍ତ ରଖିବା ମୌଳିକ କର୍ତ୍ତବ୍ୟ। କାହାକୁ ଭ୍ରୁକ୍ଷେପ ନକରି ଦାୟିତ୍ୱ ସମ୍ପନ୍ନ ବ୍ୟକ୍ତିତ୍ୱ ଭାବରେ ସଠିକ୍ କଲମ ପରିଚାଳନା କରିବାରେ ଅବହେଳା ନ କରିବା ଏହାର ପ୍ରାଥମିକତା ଅଟେ। ଗଣମାଧ୍ୟମ ହେଉଛି ସମ୍ବିଧାନର ହର୍ତ୍ତା, କର୍ତ୍ତା, ଦଇବ ବିଧାତା, ତାହା ପୁଣି ରକ୍ଷାକବଚ।

ଦୁର୍ନୀତିରେ ସମ୍ପୃକ୍ତ ଥିବା ରାଜନେତା ଓ ପୋଲିସ୍ ପ୍ରଶାସନମାନଙ୍କ କଳା କାରନାମା ଖୋଲି ଦେବାରେ ଗଣମାଧ୍ୟମ ପ୍ରତିନିଧିଙ୍କ ଯଥେଷ୍ଟ ଅବଦାନ ରହିଛି। ମହାମାରୀ କରୋନା ସମୟରେ ସାରା ବିଶ୍ୱରେ ଗଣମାଧ୍ୟମ ବିଶେଷକରି ସମ୍ବାଦପତ୍ର ପ୍ରକାଶନ ଓ ପ୍ରସାରଣ କ୍ଷେତ୍ରରେ ଘୋର ସଙ୍କଟ ସୃଷ୍ଟି ହୋଇଥିଲା। ସେ ସବୁ ସଙ୍କଟ ଧୀରେ ଧୀରେ ଦୂର ହେଉଥିବା ବେଳେ, ମୁଦ୍ରିତ ଗଣମାଧ୍ୟମ ସହିତ ପ୍ରତିଯୋଗିତାର ସମ୍ମୁଖୀନ ହୋଇଛନ୍ତି କିଛି ଘରୋଇ ଟିଭି ଓ ୱେବ୍ ଚାନେଲ। ଯେଉଁଥିପାଇଁ ପୁରୁଣା ତଥା ପ୍ରତିଷ୍ଠିତ ମୁଦ୍ରିତ ଓ ବୈଦ୍ୟୁତିକ ଗଣମାଧ୍ୟମର ମାଲିକ ଓ ସାମ୍ବାଦିକମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କେନ୍ଦ୍ର ଏବଂ ରାଜ୍ୟ ସରକାର ତଥା ସମ୍ବାଦପତ୍ରର ମାଲିକମାନେ ଏଥିପ୍ରତି ସଚେତନ ନହେଲେ, ଏହି ବିବାଦ ଆହୁରି ତୀବ୍ରତର ହେବ। ଯେଉଁ ସମ୍ବାଦିକମାନେ ସାମ୍ବାଦିକ ସଂଘ ଗଠନ କରିଛନ୍ତି, ସେମାନେ ସାମ୍ବାଦିକ ବା ସମ୍ବାଦପତ୍ର କର୍ମଚାରୀଙ୍କ ସ୍ୱାର୍ଥରକ୍ଷା ଲାଗି ସେଭଳି କୌଣସି ସକ୍ରିୟ ଭୂମିକା ନେଇଥିବା ମନେ ହେଉନାହିଁ।

ବର୍ତ୍ତମାନ ଗଣମାଧ୍ୟମ ଏକ ଘଡ଼ିସନ୍ଧି ମୁହୂର୍ତ୍ତ ଦେଇ ଗତିକରୁଛି। ଯେଉଁ ଗଣମାଧ୍ୟମ ଦିନେ ସତ୍ୟ ଓ ନିର୍ଭୀକ ଖବର ସାଧାରଣ ଜନତାଙ୍କ ନିକଟରେ ପହଞ୍ଚାଉଥିଲା, ଆଜି ତାର କଣ୍ଠରୋଧ କରିଦିଆଯାଉଛି ଯାହା ଏକ ଉଦ୍‌ବେଗଜନକ ବିଷୟ। ଏହାର ସୁଯୋଗ ନେଇ ଛତୁ ଫୁଟିଲା ଭଳି ନୂଆ ନୂଆ ଖବର କାଗଜ ଓ ୱେବପୋର୍ଟାଲ ଗଢିଉଠୁଛି। ଏହିସବୁ ୱେବ୍‌ପୋର୍ଟାଲ, ବୈଦ୍ୟୁତିକ ଓ ଛାପା ଗଣମାଧ୍ୟମ କିଛି ରାଜନୈତିକ ଓ ପ୍ରଭାବଶାଳୀ ପ୍ରଶାସନିକ ଅଧିକାରୀଙ୍କ ନିୟନ୍ତ୍ରଣରେ ରହୁଥିବାରୁ, ଏ ଗଣମାଧ୍ୟମ ଏ ଦଳର, ସେ ଗଣମାଧ୍ୟମ ସେ ଦଳର ବୋଲି କୁହାଯାଉଛି। ଏଥିରେ କାର୍ଯ୍ୟରତ ସାମ୍ବାଦିକମାନେ ଗଣମାଧ୍ୟମର ମୂଲ୍ୟବୋଧକୁ ଜଳାଞ୍ଜଳି ଦେଇ ବିଭିନ୍ନ ଅନୁଷ୍ଠାନ, ସାଧାରଣ ଜନତାଙ୍କୁ ଧମକାଇ ଟଙ୍କା ଆଦାୟ କରୁଥିବାର ଖବର ଏବେ ପ୍ରତିଦିନ ଦେଖିବାକୁ ମିଳୁଛି ଯାହା ଗଣମାଧ୍ୟମ ପ୍ରତି ଏକ ଶକ୍ତ ଆଘାତ। ଚତୁର୍ଥ ସ୍ତମ୍ଭର ମାନ୍ୟତା ପାଇଥିବା ଗଣମାଧ୍ୟମ ଏବେ ନିଜ ନିଜ ଭିତରେ କାଦୁଆ ଫିଙ୍ଗାଫିଙ୍ଗିରେ ଜଡ଼ିତ ରହୁଛନ୍ତି।

ଗଣମାଧ୍ୟମରେ କାର୍ଯ୍ୟ କରୁଥିବା ସାମ୍ବାଦିକମାନଙ୍କୁ ଦଳୀୟ ସାମ୍ବାଦିକ ବୋଲି କୁତ୍ସାରଟନା କରାଯାଉଛି ଯାହା ସାମ୍ବାଦିକମାନଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରୁଛି। ଜଣେ ସାମ୍ବାଦିକ କାଉ କଳା ବୋଲି କହୁଥିବା ବେଳେ ଅନ୍ୟଜଣେ ସାମ୍ବାଦିକ କାଉକୁ ଧଳା ବୋଲି ପ୍ରମାଣିତ କରିବାକୁ ତତ୍ପର ହୋଇପଡ଼ୁଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା କିଛି ଅନାମଧେୟ ଓ ଅସାମାଜିକ ବ୍ୟକ୍ତି ନିଜର ସ୍ୱାର୍ଥ ହାସଲ ପାଇଁ ନିଜକୁ ସାମ୍ବାଦିକତାର ପରିଚୟ ଦେଇ ଗରିବ ଓ ସାଧାରଣ ଜନତାଙ୍କୁ ବ୍ଲାକ ମେଲିଂ କରି ଅର୍ଥ ଉପାର୍ଜନ କରୁଛନ୍ତି ଯାହା ସାମ୍ବାଦିକ ଓ ଗଣମାଧ୍ୟମ ନାମରେ କଳଙ୍କ।

ସେହିପରି ସମ୍ବାଦିକମାନଙ୍କ ମଧ୍ୟରେ ଏକତାର ଅଭାବ ଯୋଗୁଁ ସେମାନଙ୍କ ଉପରେ ଅକ୍ରମଣ ବୃଦ୍ଧିପାଇବାରେ ଲାଗିଛି। ଜଣେ ସାମ୍ବାଦିକଙ୍କ ଉପରେ ଆକ୍ରମଣ ହେଲେ, ଗୋଟିଏ ଗୋଷ୍ଠୀ ଏହାକୁ ବିରୋଧ କରୁଥିବା ବେଳେ ଅନ୍ୟ ଗୋଟିଏ ଗୋଷ୍ଠୀ ଏହାକୁ ସମର୍ଥନ କରୁଛନ୍ତି।

ଯେଉଁଥି ପାଇଁ ଗଣମାଧ୍ୟମ ଆଜି ଗଣତାନ୍ତ୍ରିକ ଶାସନ କଳର ବ୍ୟବସ୍ଥା ମଧ୍ୟରେ ପେଶି ହୋଇଯାଇଛି। ଦେଶ ସ୍ୱାଧୀନ ହେଲା, ଅଥଚ ପରାଧୀନତାର ଆଢୁଆଳରେ, ସ୍ଥିତି ମଧ୍ୟରେ ଛନ୍ଦିହୋଇ ରହିଗଲା ଗଣମାଧ୍ୟମ, ଯାହା ନିଶ୍ଚିତରୂପେ ଏହା ଅଶୁଭ ସଙ୍କେତ ଅଟେ। ଗଣମାଧ୍ୟମକୁ ଅଣନିଶ୍ୱାସୀ କରି ରଖାଯାଇଛି, କଣ୍ଠରୋଧ କରାଯାଉଛି। କହିବାକୁ ଗଲେ, ଗଣମାଧ୍ୟମ ତାର ସ୍ୱାଧୀନତା ହରାଇ ବସିଛି।

ଗଣମାଧ୍ୟମକୁ ଆହୁରି ଦୃଢତାର ସହିତ ଶକ୍ତିଶାଳୀ କରିବାକୁ ହେଲେ ସାମ୍ବାଦିକମାନଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବାକୁ ପଡ଼ିବ। ସାମ୍ବାଦିକ ବୃତ୍ତି ପ୍ରତି ସାମାନ୍ୟତମ ଜ୍ଞାନ ନଥାଇ, ସାମ୍ବାଦିକତାର ପରିଚୟ ଦେଇ ସାଧାରଣ ଜନତାଙ୍କୁ ଠକୁଥିବା ନକଲି ସାମ୍ବାଦିକମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଡ଼ିବ। କଥାରେ ଅଛି ଗୋଟିଏ ହାତରେ ପାଞ୍ଚୋଟି ଆଙ୍ଗୁଳି କେହି ନୁହେଁ କାହା ଭଳି, ପାଞ୍ଚଜଣ ଯାକ ଏକାଠି ହୋଇଲେ ପରବତ ଦେବେ ଟାଳି। ତେଣୁ ସମୟ ଆସିଛି ବୈଦ୍ୟୁତିକ ଓ ଛାପା ଗଣମାଧ୍ୟମରେ କାର୍ଯ୍ୟ କରୁଥିବା ସାମ୍ବାଦିକମାନଙ୍କୁ ଏକାଠି ହେବାକୁ ପଡ଼ିବ।

ଗଣମାଧ୍ୟମର କଣ୍ଠରୋଧ କରୁଥିବା ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବାକୁ ପଡ଼ିବ। ଜଣେ ସାମ୍ବାଦିକଙ୍କୁ ଆକ୍ରମଣ ହେଲେ ସଭିଏଁ ଏକତ୍ରିତ ଭାବେ ପ୍ରତିରୋଧ କରିବାକୁ ପଡ଼ିବ। ସାମ୍ବାଦିକ ସୁରକ୍ଷା ଆଇନ୍ କାର୍ଯ୍ୟକାରୀ ହେବା ନିହାତି ଜରୁରୀ, ଏଥିପ୍ରତି ସରକାର ଦୃଷ୍ଟି ଦେବା ଦରକାର। ପ୍ରତ୍ୟେକ ସାମ୍ବାଦିକ ଓ ଗଣମାଧ୍ୟମଗୁଡ଼ିକ ନିର୍ଭୀକ ଓ ନିରପେକ୍ଷ ଭାବେ କାର୍ଯ୍ୟ କରିବା ସହିତ ଦଳମତରୁ ଉର୍ଦ୍ଧ୍ୱରେ ରହି କୌଣସି ପ୍ରଶାସନିକ ଅଧିକାରୀଙ୍କ ଚାପର ବଶବର୍ତ୍ତୀ ନହୋଇ ସମାଜରେ ସକରାତ୍ମକ ପରିବର୍ତ୍ତନ ଆଣିବା ଦିଗରେ ଆଗେଇ ଆସିବାକୁ ପଡ଼ିବ। ତେବେ ଯାଇ ଏକ ସୁସ୍ଥ ସମାଜ ଗଠନରେ ଗଣମାଧ୍ୟମ ନିଜର ମୂଲ୍ୟବୋଧକୁ ବଜାୟ ରଖିପାରିବ।

କଣ୍ଟି, ବାହାରଣା, ବାଲିକୁଦା, ଜଗତସିଂହପୁର

ମୋ : ୮୩୨୮୮୪୦୨୧୪

Categories
ବିଶେଷ ଖବର

ଗଣମାଧ୍ୟମର ବିଚିତ୍ର ଗଣିତ, ଦିଲ୍ଲୀ ନିର୍ବାଚନର ଏ ପ୍ରକାର ଭବିଷ୍ୟବାଣୀକୁ କିଏ ବା କାହିଁକି ବିଶ୍ଵାସ କରିବ??

କେଦାର ମିଶ୍ର

ଦିଲ୍ଲୀ ନିର୍ବାଚନକୁ ଆଉ ମାତ୍ର ଚାରି ଦିନ ବାକି। ଦୁଇ ଦିନ ପରେ ନିର୍ବାଚନ ପ୍ରଚାର ସରିବ। ସେମିତି ଏକ ସମୟରେ ଦେଶର ପ୍ରମୁଖ ଗଣମାଧ୍ୟମ ସଂସ୍ଥା “ଟାଇମ୍ସ ଅଫ ଇଣ୍ଡିଆ” ଏକ ଜନମତ ସର୍ବେକ୍ଷଣ ପ୍ରକାଶ କରିଛି। ଏହି ସର୍ବେକ୍ଷଣ ଅନୁଯାୟୀ ଦିଲ୍ଲୀରେ ସର୍ବ ମୋଟ ୭୦ ବିଧାନସଭା ଆସନରୁ ଅରବିନ୍ଦ କେଜ୍ରିୱାଲଙ୍କ ଆମ ଆଦମୀ ପାର୍ଟି ୫୪ ରୁ ୬୦ ଆସନ ପାଇବ ବୋଲି ଭବିଷ୍ୟବାଣୀ କରାଯାଇଛି। ମୋଟାମୋଟି ପ୍ରାୟ ସବୁ ଗଣମାଧ୍ୟମର ନିର୍ବାଚନ ପ୍ରାକ ଆକଳନ ଅନୁଯାୟୀ ଦିଲ୍ଲୀରେ ଆମ ଆଦମୀ ପାର୍ଟିର ପ୍ରଦର୍ଶନ ବହୁତ ଭଲ ରହିବ।  ଦିଲ୍ଲୀ ରାଜନୀତି ବିଷୟରେ ଜାଣିବା ଶୁଣିବା ଲୋକଙ୍କର କହିବା କଥା ହେଉଛି, ଦିଲ୍ଲୀରେ କେଜ୍ରିୱାଲ ହାୱା ପ୍ରବଳ ବେଗରେ ପ୍ରବାହିତ ହେଉଛି, ତେଣୁ ଆମ ଆଦମୀ ପାର୍ଟିର ବିଜୟ ସେଠାରେ ସ୍ଵାଭାବିକ।

ଆମେ ଦିଲ୍ଲୀ ନିର୍ବାଚନର ଫଳାଫଳ ବିଷୟରେ କିଛି କହିବାକୁ ଚାହୁଁନୁ। କାରଣ ସେ ସମ୍ପର୍କରେ ପ୍ରତ୍ୟକ୍ଷ ଅନୁଭବ ବା ସୂଚନା ଆମ ପାଖରେ ନାହିଁ। କୌଣସି ଗଣମାଧ୍ୟମ ସଂସ୍ଥାର ଜନମତ ସର୍ବେକ୍ଷଣକୁ ନେଇ ଆମର ଘୋର ସନ୍ଦେହ ସବୁବେଳେ ରହି ଆସିଛି। ଆଜି ମଧ୍ୟ ସେ ସନ୍ଦେହ ଅଛି ଓ ଆଗକୁ ମଧ୍ୟ ରହିବ। “ଟାଇମ୍ସ ଅଫ ଇଣ୍ଡିଆ”ର ପୂର୍ବାନୁମାନ ସହିତ ଏହି ସଂସ୍ଥାର ଉଦ୍ଦେଶ୍ୟକୁ ନେଇ ଆମେ କିଛି ପ୍ରଶ୍ନ ପଚାରିବାକୁ ବାଧ୍ୟ। ଆମ ଆଦମି ପାର୍ଟି ଓ ବିଜେପି ମଧ୍ୟରେ ଦିଲ୍ଲୀ ବିଧାନସଭାକୁ ନେଇ ଚାଲିଥିବା ମୁକାବିଲାରେ ଆପର ବିଜୟ ସମ୍ଭାବନା ହୁଏତ  ସତ ହୋଇପାରେ। ତେବେ ସତ ମିଛର ଏ ଖେଳରେ ଯେଉଁ ଉଦ୍ଦେଶ୍ୟ ପ୍ରଣୋଦିତ ଧୂର୍ତ୍ତାମୀ ଏହି ସର୍ବେକ୍ଷଣରେ ରହିଛି, ସେକଥା ଆଲୋଚନା ହେବା ଜରୁରୀ। ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆପ ଓ ବିଜେପିର ବିଜୟ ସମ୍ଭାବନା ଭିତରେ ଗୋଟେ ବଡ ବ୍ୟବଧାନ ରହିଛି। ନିର୍ବାଚନୀ ସମୀକରଣ ଅନୁସାରେ ଦୁଇ ଦଳ ଭିତରେ ସମ୍ଭାବ୍ୟ ଭୋଟର ବ୍ୟବଧାନ ହେଉଛି ୧୮%। ଆପକୁ ୫୨% ଭୋଟ ମିଳିବାର ସମ୍ଭାବନା ଥିବା ବେଳେ ବିଜେପିକୁ ମିଳିପାରେ ମାତ୍ର ୩୪% ଭୋଟ। ଏ ପ୍ରକାର ବ୍ୟବଧାନ ଯଦି ସତରେ ରହେ ତାହେଲେ, ୫୪-୬୦ ନୁହଁ, ବରଂ ୬୭-୭୦ ଆସନର ସମ୍ଭାବନା ରହିବ। ପୁଣି ଥରେ କହି ରଖୁଛୁ, ଏ ପ୍ରକାର ଆକଳନ ବା ଭବିଷ୍ୟବାଣୀ କଦାପି ବିଶ୍ୱାସଯୋଗ୍ୟ ନୁହେଁ। ହରିୟାନା ଓ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ସମୟରେ ଉଭୟ ଜନମତ ସର୍ବେକ୍ଷଣ ଓ ଏଗଜିଟ ପୋଲ ବିଫଳ ପ୍ରମାଣିତ ହୋଇଥିଲେ।

ଏ କ୍ଷେତ୍ରରେ ଦିଲ୍ଲୀ ବିଧାନସଭା ପାଇଁ ଆକଳନ କେବଳ ଉପଲକ୍ଷ୍ୟ ନୁହେଁ। ଯଦି ଦିଲ୍ଲୀରେ ବିଜେପି ହାରେ ତାହେଲେ, ସେଥିରୁ ମୁକୁଳିବାର ବାଟ ଏହି ସର୍ବେକ୍ଷଣ ତିଆରି କରିଛି। କେଜ୍ରିୱାଲ ଓ ଆମ ଆଦମି ପାର୍ଟି ର ଲୋକପ୍ରିୟତା କଥା କହିବାକୁ ଯାଇ, ସମାନ୍ତରାଳରେ ଏହି ସର୍ବେକ୍ଷଣ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା କଥା ମଧ୍ୟ ଟାଣି ଓଟାରି ଆଲୋଚନା କରାଯାଇଛି। ଦିଲ୍ଲୀ ନିର୍ବାଚନରେ ମୋଦୀ ତ ପ୍ରାର୍ଥୀ ନୁହନ୍ତି, ସେ କେବଳ ପ୍ରଚାରକ। ଯଦି ତାଙ୍କର ଲୋକପ୍ରିୟତା ବଜାୟ ରହିଛି, ତାହେଲ ବିଜେପି ଦିଲ୍ଲୀରେ ହାରିବ କାହିଁକି? ଦିଲ୍ଲୀ ହାରିଲେ ମଧ୍ୟ ମୋଦୀ ମେଜିକ ବଜାୟ ଅଛି ବୋଲି କହିବାର ଏକ ଭିତିରି ଉଦ୍ଦେଶ୍ୟ ଏହି ସର୍ବେକ୍ଷଣ ରେ ରହିଛି।ସାଧାରଣ ନିର୍ବାଚନ ପରବର୍ତ୍ତୀ  ଗତ ଚାରୋଟି ଯାକ ବିଧାନସଭା ନିର୍ବାଚନରେ ବିଜେପିର ବିଫଳତାକୁ ମୋଦୀଙ୍କ ସଫଳତା ବୋଲି କହିବାର ଏହା ଏକ ଉଦ୍ଭଟ ଉଦ୍ୟମ ନୁହେଁ କି?

ଦିଲ୍ଲୀରେ ବିଜେପି ନେତାମାନେ କହୁଛନ୍ତି, ସେମାନେ ଶାହୀନ ବିରୋଧରେ ନିର୍ବାଚନ ଲଢୁଛନ୍ତି। ତାଙ୍କ ପାଇଁ ମୁଖ୍ୟ ଶତ୍ରୁ କେଜ୍ରିୱାଲ ନୁହନ୍ତି, ବରଂ ସେମାନେ ଶାହିନ ବାଗରେ ପ୍ରତିବାଦ କରୁଥିବା ସାଧାରଣ ଜନତାଙ୍କ ବିରୋଧରେ ଲଢୁଛନ୍ତି ବୋଲି କହୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଅମିତ ଶାହ ଦିଲ୍ଲୀରେ ବୁଲି ବୁଲି ଶାହିନ ବାଗ ପ୍ରସଙ୍ଗରେ ଭୋଟ ମାଗୁଛନ୍ତି। ତେଣୁ ଦିଲ୍ଲୀରେ ଯଦି ବିଜେପି ହାରେ ତାହା ହେଲେ ସେଥିରେ ଶାହିନ ବାଗର ବିଜୟ ହେବା ସୁନିଶ୍ଚିତ।

“ଟାଇମ୍ସ ଅଫ ଇଣ୍ଡିଆ” ଦିଲ୍ଲୀ ବିଜୟ ପାଇଁ କେଜ୍ରିୱାଲଙ୍କୁ ନାୟକ କରି ଦେଖାଇବାକୁ ଚାହୁଁଥିବା ବେଳେ ଶାହିନ ବାଗକୁ ଖଳ ନାୟକ କରି ରଖିବାର ଚତୁର ଷଡଯନ୍ତ୍ର ତିଆରି କରିଛି। ୫୪% ଲୋକ ଆପକୁ ଭୋଟ ଦେବେ, ହେଲେ ଆଜି ଯଦି ଲୋକସଭା ନିର୍ବାଚନ ହୁଏ ତାହେଲେ ବିଜେପି ୪୬% ଓ ଆପ ୩୮% ଭୋଟ ପାଇବେ ବୋଲି କୁହାଯାଇଛି। ସମାନ୍ତରାଳ ନିର୍ବାଚନରେ କେବେ ବି ଏତେ ବଡ ବ୍ୟବଧାନ ହୁଏନି, ଏକଥା ବୋଧେ ସର୍ବେକ୍ଷଣ ସଂସ୍ଥା ଜାଣନ୍ତି ନାହିଁ।

ବିଜେପି ଯେମିତି ଟାଣି ଓଟାରି ଶାହିନ ବାଗକୁ ନିଜ ନିର୍ବାଚନୀ ପ୍ରସଙ୍ଗ କରିଛି ଏହି ସର୍ବେକ୍ଷଣ ମଧ୍ୟ ଜାଣି ଶୁଣି ଶାହିନ ବାଗକୁ ନିଜର ଭୋଟ ଭିତରକୁ ଟାଣିଛି। ୫୨% ଲୋକ କୁଆଡେ ଶାହିନ ବାଗକୁ ବିରୋଧ କରୁଛନ୍ତି, ହେଲେ ୫୪% ଲୋକ ବିଜେପି ବିରୋଧରେ ଭୋଟ ଦେଉଛନ୍ତି।

ଛଳନା ଓ ଷଡଯନ୍ତ୍ରର ବି ଗୋଟେ ସୀମା ଥାଏ, ଏକଥା ଗଣମାଧ୍ୟମ ଯଦି ନ ବୁଝେ ତାହେଲେ, ଲୋକେ ଆମକୁ ବିଶ୍ଵାସ କରିବା ଦୂରେ ଥାଉ, ଆମକୁ ଦେଖିଲେ, ଥୁ ଥୁ କରିବା ଆରମ୍ଭ କରିବେ!!

Categories
ବିଶେଷ ଖବର ମତାମତ

ଦୁର୍ନୀତି ଜାଲରେ ପଡିଥିବା ଅମଲାତନ୍ତ୍ରର ବଡମାଛମାନଙ୍କ ପ୍ରତି ଆମ ଗଣମାଧ୍ୟମ ଓ ବିରୋଧୀ ନେତାଙ୍କର କରୁଣା ବୋହି ପଡୁଛି କାହିଁକି?

କେଦାର ମିଶ୍ର

ଦୁର୍ନୀତି ନିବାରଣ ବିଭାଗ ଯଦି କେଉଁ ଛୋଟିଆ କର୍ମଚାରୀଙ୍କୁ ଧରିପକାଏ, ତାହେଲେ ଆମର ଗଣମାଧ୍ୟମ ସେମାନଙ୍କ ବିରୋଧରେ ଲମ୍ବା ଅଭିଯୋଗର ଫର୍ଦ୍ଦ ପ୍ରସ୍ତୁତ କରିପକାଏ। କୋଟିପତି କିରାଣୀ ବା ପିଅନଙ୍କ ବିଳାସପୂର୍ଣ୍ଣ ପ୍ରାସାଦ ଭଳି ଅପେରା ମାର୍କା ଶୀର୍ଷକ ଲେଖିବାରେ ଆମ ସାମ୍ବାଦିକତାର ହାତ ଥକି ପଡେ ନାହିଁ। ହେଲେ ଦୁର୍ନୀତି ନିବାରଣ ବିଭାଗ ଯଦି କୌଣସି ବଡ ଅମଲାଙ୍କୁ କାବୁ କରେ, ତାହେଲେ ସେଠି ସାଙ୍ଗେ ସାଙ୍ଗେ ଆମର ଶୀର୍ଷକ ବଦଳି ଯାଏ। କିରାଣୀ ଓ ପିଅନଙ୍କ ଦୁର୍ନୀତି ବିରୋଧରେ ଆମେ ଯେଉଁ ଭାଷା ପ୍ରୟୋଗ କରୁ, ଆଇଏଏସଙ୍କ କ୍ଷେତ୍ରରେ ସେ ଭାଷା ବଦଳିଯାଏ। ସାଙ୍ଗେ ସାଙ୍ଗେ ଆମର ଶୀର୍ଷକ ହୋଇଯାଏ– “ଅଧିକାରୀଙ୍କୁ ଫସେଇଦେବାକୁ ଉଚ୍ଚ ସ୍ତରୀୟ ଷଡଯନ୍ତ୍ର” କିମ୍ବା “ନିଜ ପତିଆରା ଜାହିର କରିବାକୁ ଅମୁକ ଅଧିକାରୀଙ୍କୁ ଫସେଇ ଦେଇଛନ୍ତି ସମୁକ ଅଧିକାରୀ”। ବଡ ବିଚିତ୍ର ଯୁକ୍ତି!

ଗଣମାଧ୍ୟମର ପାତର ଅନ୍ତର ନୀତିର ଗୋଟେ ବଢିଆ ନମୂନା ଆମେ ଏବେ ଦେଖୁଛୁ ରାଜ୍ୟର ଜଣେ ବରିଷ୍ଠ ଆଇଏଏସ ଅଧିକାରୀ ବିଜୟ କେତନ ଉପାଧ୍ୟାୟଙ୍କ କ୍ଷେତ୍ରରେ। କିଛିଦିନ ତଳେ ରାଜ୍ୟ ଉଦ୍ୟାନକୃଷି ବିଭାଗର ନିର୍ଦ୍ଦେଶକ ଥିବା ବିଜୟ କେତନ ଉପାଧ୍ୟାୟଙ୍କୁ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ଲାଞ୍ଚ ନେଉଥିବା ଅଭିଯୋଗରେ ଗିରଫ କରିଥିଲା। ୨୦୦୯ ବ୍ୟାଚର ଆଇଏଏସ ଅଧିକାରୀ ବିଜୟ କେତନ ଲାଞ୍ଚ ନେଉଥିବାର ଅଭିଯୋଗ କେତେ ସତ ବା ମିଛ, ତାର ପ୍ରମାଣ ଆଗାମୀ ଦିନରେ ଅଦାଲତରେ ହେବ। ତେବେ ଜଣେ ବରିଷ୍ଠ ଅଧିକାରୀଙ୍କ ନାଁରେ ଏ ପ୍ରକାର ଅଭିଯୋଗ ଆସିବା ଅତ୍ୟନ୍ତ ଗୁରୁତର ବିଷୟ। ତୁରନ୍ତ ଏହା ଉପରେ ରାଜ୍ୟ ସରକାର କାର୍ୟାନୁଷ୍ଠାନ ନେବା ଜରୁରୀ ଥିଲା। ଅଭିଯୋଗ ଆସିବା ପରେ ସମ୍ପୃକ୍ତ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ନିଲମ୍ବିତ କରିଛନ୍ତି ଓ ଦୁର୍ନୀତି ନିବାରଣ ବିଭାଗ ତାଙ୍କୁ ରିମାଣ୍ଡରେ ଆଣି ପଚରା ଉଚୁରା କରୁଛନ୍ତି। ଆଇନ ଅନୁସାରେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ୟାନୁଷ୍ଠାନ ଗ୍ରହଣ କରିବାର ଅଧିକାର ରାଜ୍ୟ ସରକାରଙ୍କର ରହିଛି। ସବୁଠୁ ମଜା କଥା ହେଉଛି ଏହି ଅଧିକାରୀଙ୍କ ସପକ୍ଷରେ ଜଣେ ବରିଷ୍ଠ କଂଗ୍ରେସ ନେତା ଓକିଲାତି କରିବା ଆରମ୍ଭ କରିଛନ୍ତି।

ଏ କ୍ଷେତ୍ରରେ ଗଣମାଧ୍ୟମର ଦାୟିତ୍ଵ କଣ ହେବା ଉଚିତ? ଯେଉଁ ଅଧିକାରୀଙ୍କ ବିରୋଧରେ ସରକାର ଅଭିଯୋଗ ଆଣିଛନ୍ତି, ତାହାର ସତ୍ୟାସତ୍ୟ ଅନୁସନ୍ଧାନ କରିବା ଆମର ପ୍ରାଥମିକ ଦାୟିତ୍ଵ। ହେଲେ ଆମେ କରୁଛୁ କଣ? ଆମେ ସାକ୍ଷ୍ୟ ପ୍ରମାଣରେ ଆମେ  କହିବାକୁ ଚାହୁଁଛୁ ଯେ ବାବୁ ଜଣକ ନିରୀହ ଓ ତାଙ୍କୁ ଫସାଇ ଦେବାକୁ କେହିଜଣେ “ବଡ କ୍ଷମତାଶାଳୀ ଲୋକ” ଉଦ୍ୟମ କରୁଛନ୍ତି। ଇଏ ଏକ ବିଚିତ୍ର ଯୁକ୍ତି। ବଡ ବଡ ଅଧିକାରୀଙ୍କ ଦୁର୍ନୀତିକୁ ବିଶ୍ଵାସ କରିବାକୁ ଆମେ ପ୍ରସ୍ତୁତ ନୋହୁ। ଯେତେବେଳେ ବି ରାଜ୍ୟ ସରକାର କୌଣସି ବଡ ଅଧିକାରୀଙ୍କ ବିରୋଧରେ କିଛି ପଦକ୍ଷେପ ନେବାକୁ ଉଦ୍ୟମ କରନ୍ତି, ତୁରନ୍ତ ଆମର ଗଣମାଧ୍ୟମ ସେହି ଅଧିକାରୀଙ୍କର ରକ୍ଷା କବଚ ହୋଇ ଠିଆ ହୋଇପଡେ। ଓଡିଆ ଗଣମାଧ୍ୟମ, ବିଶେଷ କରି ଟେଲିଭିଜନ ସାମ୍ବାଦିକତାର ଏହା ଏକ ବିଶେଷ ଲକ୍ଷଣ। ଯଦି ରାଜ୍ୟ ସରକାର କୌଣସି ବଡ ଅଧିକାରୀଙ୍କୁ ନିଲମ୍ବିତ କାଲେ, ତାହେଲେ ଟେଲିଭିଜନ ଷ୍ଟୁଡିଓରେ ତାଙ୍କ ଲାଗି ଜାଗା ମିଳିବା ପକ୍କା। ଆମର ସେଲେବ୍ରିଟି ଟିଭି ସାମ୍ବାଦିକମାନେ ଅଭିଯୁକ୍ତ ବାବୁମାନଙ୍କୁ ନିଜକୁ ମହାପୁରୁଷ ଭାବେ ପ୍ରମାଣିତ କରାଇବାର ବ୍ୟାପକ ସୁଯୋଗ ସୃଷ୍ଟି କରାନ୍ତି।

ଏହାର ସବୁଠୁ ବଡ ଉଦାହରଣ ହେଉଛି ପିପିଲିରେ ଗଣଧର୍ଷଣ ଓ ହତ୍ୟାର ଶିକାର ହୋଇଥିବା ବେବିନା ବେହେରାଙ୍କ ଏଫଆଇଆର ରଖିନଥିବା ପୋଲିସ ଅଧିକାରୀଙ୍କୁ ଯେତେବେଳେ ରାଜ୍ୟ ସରକାର ନିଲମ୍ବିତ କଲେ, ସେହି ପୋଲିସ ଅଧିକାରୀଙ୍କୁ ଓଡିଶାର ଏକ ବଡ ଟିଭି ଚାନେଲରେ ନିଜର ପକ୍ଷ ରଖିବାକୁ ତୁରନ୍ତ ସୁଯୋଗ ଦିଆଗଲା। ଅଦାଲତରେ ନିଜର ପକ୍ଷ ରଖିବା ପୂର୍ବରୁ ଗଣମାଧ୍ୟମରେ ଏହି ମହାଶୟ ନିଜକୁ “ହିରୋ” ବନାଇବାର ଗୋଟେ ଭଲ ସୁଯୋଗ ପାଇଗଲେ। 

ଆଜିର ତାରିଖରେ ବିଜୟ କେତନ ଉପାଧ୍ୟାୟଙ୍କ ପ୍ରତି ମଧ୍ୟ ସେଇ ସମାନ ନୀତି ଲାଗୁ ହେବାକୁ ଯାଉଛି। ସରକାରଙ୍କ ଫାଇଭ ଟି କାର୍ୟକ୍ରମକୁ ସମାଲୋଚନା କରିବାକୁ ଯାଇ ଏବେ ବିଜୟ କେତନଙ୍କ ବିରୋଧରେ ଆସିଥିବା ଦୁର୍ନୀତି ଅଭିଯୋଗକୁ ହାଲୁକା କରିଦେବାର ଉଦ୍ୟମ ଆରମ୍ଭ ହେଲାଣି। ଏହି ଅଧିକାରୀ ଜାମିନ ପାଇଲା କ୍ଷଣି ବିଭିନ୍ନ ଟେଲିଭିଜନ ଚାନେଲରେ ବୁଲି ବୁଲି ନିଜକୁ ନିର୍ଦ୍ଦୋଷ ବୋଲି କହିବେ। ସେଥିଲାଗି ଆମର ଷ୍ଟୂଡିଓ ଗୁଡିକ ପ୍ରସ୍ତୁତ ହୋଇ ରହିଛନ୍ତି।

ଏଠି ଆମର ପ୍ରଶ୍ନ ହେଉଛି, ଯେତେବେଳେ ସାଧାରଣ କିରାଣୀ ବା କନେଷ୍ଟବଳ ଟି ବିରୋଧରେ ଦୁର୍ନୀତି ନିବାରଣ ବିଭାଗ ଚଢାଉ କରେ, ସେତେବେଳେ ବି ଆମେ ତାଙ୍କୁ ଏତିକି ସୁଯୋଗ ଦେଇଥାଉ କି? ଦୁର୍ନୀତି ନିବାରଣ ପାଇଁ ବଡମାଛଙ୍କୁ ଛାଡି ଦିଆଯାଉଛି ବୋଲି ଆମେ ସବୁବେଳେ ଅଭିଯୋଗ କରି ଆସିଛୁ। ହେଲେ ଜାଲରେ ବଡମାଛ ପଡିଲେ, ଆମେ ନିଜେ ମାଛକୁ ଜାଲରୁ ଖସାଇ ଦେବାକୁ ତତ୍ପର ହୋଇପଡୁ କାହିଁକି?

 ବିଜୟ କେତନ ଉପାଧ୍ୟାୟ ଦୋଷୀ କି ନିର୍ଦ୍ଦୋଷ, ସେ କଥା ଅଦାଲତ ବିଚାର କରିବେ। ତାଙ୍କୁ ସାମ୍ବାଦିକମାନେ ଆରମ୍ଭରୁ “କ୍ଳିନ ଚିଟ” ଦେବାର ଅର୍ଥ ହେଉଛି, ଦୁର୍ନୀତି ସହିତ ନିଜକୁ ଛିଡା କରାଇବା।                             

Categories
ବିଶେଷ ଖବର

 ଗଣମାଧ୍ୟମ ଉପରେ ସରକାରୀ ଅଙ୍କୁଶ, କିଏ କହିବ ଦେଶଦ୍ରୋହୀ ଖବରର ସଜ୍ଞା ଓ ସ୍ଵରୂପ କଣ?

କେଦାର ମିଶ୍ର

ଯେ କୌଣସି ଟିଭି ଚାନେଲ, ଯେ କୌଣସି ଭାଷାରେ ଖୋଲିଲେ, ସେଥିରେ ମୋଦୀ ବନ୍ଦନା ବାଜୁନାହିଁ କି? ପ୍ରଧାନମନ୍ତ୍ରୀ କଣ କହିଲେ, କଣ ପିନ୍ଧିଲେ, କେମିତି ଚାଲିଲେ, ତପସ୍ୟା କଲା ବେଳେ ତାଙ୍କ ଦେହରୁ କେମିତି ଜ୍ୟୋତି ବାହାରୁଥିଲା, ସେ କେମିତି ପାକିସ୍ତାନକୁ ଛାନିଆ କରି ରଖିଛନ୍ତି ଇତ୍ୟାଦି ଇତ୍ୟାଦିର ଟିକିନିକି ଖବର ଆମେ ଦେଖାଇ ଚାଲିଛୁ। ପ୍ରଧାନମନ୍ତ୍ରୀଙ୍କୁ ଯଦି ବିରୋଧୀ ଦଳ ସମାଲୋଚନା କଲେ (ଯାହାକି ବିରୋଧୀ ଦଳର ସାମ୍ବିଧାନିକ ଓ ନୈତିକ ଦାୟିତ୍ଵ) ତାଙ୍କ ଉପରେ ମାଡି ବସି ଆମେ ତାଙ୍କ ଗଳା ବନ୍ଦ କରି ଦେଉଛୁ। ମୋଦୀ ଖେଳୁଥିବା ପ୍ରତି ବଲ କୁ ମାଷ୍ଟର ଷ୍ଟ୍ରୋକ ବୋଲି କହି ଷ୍ଟାଡିୟମ ବାହାରେ ଆମେ “ଚିୟର ଲିଡର” ର ଭୂମିକା ତୁଲାଉଛୁ। ପ୍ରଧାନମନ୍ତ୍ରୀ ହିଁ ଏକମାତ୍ର ଏ ଦେଶର ତ୍ରାଣକର୍ତ୍ତା ବୋଲି କହି ଆମର ବନ୍ଦନା ଗାନ ଶୁଣି ପୃଥିବୀର ଗଣମାଧ୍ୟମରେ ଭାରତର ଗଣମାଧ୍ୟମକୁ ସରକାରଙ୍କ ବୋଲକରା ବୋଲି କୁହାଯାଉଛି। ହେଲେ ଯାହା ଲାଗି ଆମର ଏତେ ପ୍ରେମ, ସେ କିନ୍ତୁ ଆମକୁ ଆଜି ବି ଅବିଶ୍ଵାସ କରୁଛନ୍ତି। ଯେଉଁ ପ୍ରଧାନମନ୍ତ୍ରୀଙ୍କ ଲାଗି ଆମର ସବୁ ପ୍ରାଇମ ଟାଇମ ନିବେଦିତ, ସେ ଆମକୁ ଅବିଶ୍ଵସ୍ତ ବୋଲି କହୁଛନ୍ତି।

ଏବେ ସାରା ଦେଶରେ ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ପ୍ରାୟ ଦଶଦିନ ହେଲାଣି ଦେଶସାରା ନିରନ୍ତର ବିରୋଧ ଲାଗି ରହିଛି। ଅନେକ ଜାଗାରେ ହିଂସ୍ର ପ୍ରତିବାଦ ଘଟିଛି ଓ ଏହାର ପରିଣତିରେ ଅନେକ ଲୋକ ପୁଲିସ ଗୁଳିରେ ପ୍ରାଣ ହରାଇଲେଣି।ସେହି ସମୟରେ ମୋଦୀ ସରକାର ଟେଲିଭିଜନ ଚାନେଲମାନଙ୍କୁ ଚିଠି ଲେଖି କହିଛନ୍ତି ଯେ, ଦେଶଦ୍ରୋହୀ ଖବର ପରିବେଷଣ ନ କରିବା ପାଇଁ। ବାସ୍ତବରେ ଏକ ମୁକ୍ତ ଗଣମାଧ୍ୟମର ଦାୟିତ୍ଵ ହେଉଛି ସେ ସତ୍ୟନିଷ୍ଠ ସମ୍ବାଦ ପରିବେଷଣ କରିବ। ଦେଶପ୍ରେମ ସ୍ଵାଭାବିକ ଭାବରେ ସାମ୍ବାଦିକତାର ଏକ ଅଂଶବିଶେଷ। ଏ ସମ୍ପର୍କରେ ସରକାରଙ୍କର ଏ ହୁକୁମନାମା କାହିଁକି?

ଏଇଟା ହିଁ ଆଜିର ତାରିଖରେ ସବୁଠୁ ବଡ ଖବର। ପ୍ରଧାନମନ୍ତ୍ରୀଙ୍କ ବିରୋଧରେ କୁହାଇବାକୁ ଭାରତର ଗଣମାଧ୍ୟମ କୌଣସି ସୁଯୋଗ ସୃଷ୍ଟି କରିବାକୁ ଭୟ କରୁଛି। ଅପରିହାର୍ୟ ପରିସ୍ଥିତି ନ ଆସିଲେ ମିଡିଆରେ ସରକାର ବିରୋଧୀ ସ୍ଵର ଶୁଣିବାକୁ ମିଳୁନାହିଁ। ଏତେ ବଡ ଜନ ପ୍ରତିବାଦକୁ ଯଦି ଗଣମାଧ୍ୟମ ଅଣଦେଖା କରେ ବା ତାହାର ଭୁଲ ଚିତ୍ରଣ କରେ ତାହେଲେ ସବୁଠୁ ବଡ କ୍ଷତି ଗଣମାଧ୍ୟମର ହିଁ ହେବ। ଏମିତିରେ  ଆଜିର ତାରିଖରେ ଗଣମାଧ୍ୟମ ପ୍ରତି ଲୋକଙ୍କର ଅବିଶ୍ଵାସ କେବଳ ବଢିଛି ତା ନୁହେଁ, ଗଣମାଧ୍ୟମ ପ୍ରତି କ୍ରୋଧ ଓ ଘୃଣା ବ୍ୟାପକ ହେଉଛି। ଲୋକେ ସିଧା ସିଧା ଗଣମାଧ୍ୟମକୁ ସରକାରଙ୍କ ପୋଷା ଶୁଆ ବୋଲି କହୁଛନ୍ତି। ନିଜ ବୃତ୍ତିକୁ ବଞ୍ଚାଇବାକୁ ହେଲେ ସରକାରୀ ଦାସତ୍ଵ ଗଣମାଧ୍ୟମର ସୁରକ୍ଷା କବଚ ହୋଇ ସବୁଠି ରହି ପାରିବ ନାହିଁ।   ସରକାରଙ୍କର ଚିଠି କହୁଛି, ସେମାନେ ଗଣମାଧ୍ୟମ ତାଙ୍କରି ଭାଷାରେ କଥା କହୁ ବୋଲି ଚାହୁଛନ୍ତି।  ଯଦି ଗଣମାଧ୍ୟମ ସେ କଥା କରେ, ତାହେଲେ ଲୋକେ ଅବଶ୍ୟ ନିଜର ବାଟ ବାଛିବେ।

ପ୍ରଧାନମନ୍ତ୍ରୀ ଭାବେ ଦ୍ଵିତୀୟ ଥର ଦାୟିତ୍ଵ ନେବା ପରେ ନରେନ୍ଦ୍ର ମୋଦୀ  ତାଙ୍କର ସାଂସଦ ମାନଙ୍କୁ କହିଥିଲେ- ମିଡିଆଠାରୁ ବଞ୍ଚିକି ରହିବା ପାଇଁ  ପରାମର୍ଶ ଦେଇଥିଲେ। ଉଭୟ ଛପାସ ଓ ଦିଖାସ ଗଣମାଧ୍ୟମ ଠାରୁ ଦୂରରେ ରହିବାକୁ ସେ ତାଙ୍କର ନେତାମାନଙ୍କୁ କହି ଆସୁଛନ୍ତି। ବିଜେପି ଦଳ ଓ ସରକାର ଗଣମାଧ୍ୟମକୁ ନିଜର କିଣା ବ୍ୟବସ୍ଥାର ଅଂଶ ବୋଲି ଭାବୁଛନ୍ତି। ନଚେତ ଏମିତି ଏକ ଚିଠି (ଥରେ ନୁହଁ, ଦୁଇ ଥର) ଲେଖିବାକୁ ସରକାର ସାହସ କରିନଥାନ୍ତେ। ସରକାରଙ୍କୁ ଗଣମାଧ୍ୟମ ପ୍ରତିନିଧି ମାନେ ବୁଝାଇଦେବା ଉଚିତ ଯେ ଦେଶପ୍ରେମ ଓ ଦେଶଦ୍ରୋହର ସଜ୍ଞା ଆମେ ସରକାରଙ୍କଠାରୁ ଶିଖିନାହୁଁ।  ବହୁ ସରକାର ଆସିଛନ୍ତି ଓ ଯାଇଛନ୍ତି। ହେଲେ ଏକ ଗଣତାନ୍ତ୍ରିକ ଦେଶର ମୁକ୍ତ ଗଣମାଧ୍ୟମ ଭାବରେ ଲୋକଙ୍କ କଥା କହିବ ଆମର ଏକମାତ୍ର ଦେଶପ୍ରେମ। ସରକାରଙ୍କୁ ତେଲ ମାରିବା ସାମ୍ବାଦିକତା ନୁହେଁ, ଏକଥା ଆଜିର ଗଣମାଧ୍ୟମ ମୋଦୀ ସରକାରଙ୍କୁ ବୁଝାଇ ଦେଇପାରିବ କି?

Categories
ବିଶେଷ ଖବର

ମହିଳାଙ୍କ ବିରୋଧରେ କହିବାକୁ ରାଜନେତା,ଲୋକ ପ୍ରତିନିଧି ଓ ସାମ୍ବାଦିକ-କାହାକୁ ବି ଲାଜ ଲାଗୁନାହିଁ, ଆଶ୍ଚର୍ଯ୍ୟ!! 

କେଦାର ମିଶ୍ର 

ବିଧାନସଭା ଭିତରେ ବିରୋଧୀ ଦଳ ମନ୍ତ୍ରୀଙ୍କୁ ସମାଲୋଚନା କରିବାରେ କାହାର କିଛି କରିବାର ନାହିଁ। ସାମ୍ବାଦିକ ସମ୍ମିଳନୀରେ ରାଜନୈତିକ ପ୍ରତିପକ୍ଷ ଶାସକ ଦଳ ବିରୋଧରେ ଅଭିଯୋଗ ଆଣନ୍ତୁ, ତାହା ଗଣତନ୍ତ୍ର ଲାଗି ଶୁଭଂକର। ହେଲେ ସମାଲୋଚନା ଓ ଅଭିଯୋଗ ଯଦି କୌଣସି ମହିଳାଙ୍କର ବ୍ୟକ୍ତିଗତ ଚରିତ୍ର ଉପରେ ଆକ୍ଷେପ ହୋଇଥାଏ, ତାହେଲେ ତାହା କେବଳ ଅନୈତିକ ନୁହେଁ, ଅପରାଧ ମଧ୍ୟ। ଗତ ସପ୍ତାହରେ ଦୁଇଟି ଖବର ଆମ ନଜରକୁ ଆସିଛି ଆଉ ଦୁଇଟି ଯାକ ଖବରରେ ଆମର ସମାଜ ଏବେ ମଧ୍ୟ ମଧ୍ୟଯୁଗୀୟ ମାନସିକତାରେ ଥିବାର ପ୍ରମାଣ ଦେଉଛି। ପ୍ରଥମ ଖବର ସହିତ ରାଜ୍ୟର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ନାମ ଜଡିତ ଥିବା ବେଳେ ଦ୍ଵିତୀୟ ଖବରରେ ଜଗତସିଂପୁରର କେତେଜଣ କଲେଜ ପଢୁଆ ଝିଅଙ୍କ ନାମ ଜଡିତ ଅଛି। ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ନାଁରେ କଂଗ୍ରେସ ଦଳ ଏକ ଅଭିଯୋଗ ଆଣିଲା ଯେ, ସେ ଦୁଇଜଣ ମହିଳାଙ୍କୁ ସାଙ୍ଗରେ ନେଇ ହାଇଦ୍ରାବାଦ ର ଏକ ସରକାରୀ କାର୍ୟକ୍ରମକୁ ଯାଇଥିଲେ। ସରକାରୀ ଖର୍ଚ୍ଚରେ ଏହି ଦୁଇଜଣ ଭଦ୍ରମହିଳା ଯଦି ଯାଇଥିବେ, ତାହା ଭୁଲ। ତେବେ “ମନ୍ତ୍ରୀଙ୍କ ସହ ଦୁଇଜଣ ମହିଳା ଯାଇଥିଲେ”- ଏହା କଣ ପାପ ନା ଅପରାଧ? ଯେଉଁ ଦୁଇଜଣ ଭଦ୍ର ମହିଳା ମନ୍ତ୍ରୀଙ୍କ ସାଙ୍ଗରେ ଯାଇଥିଲେ, ସେମାନଙ୍କର ନିଜସ୍ଵ ସମ୍ମାନ ରହିଛି। ତାଙ୍କ ଫଟୋ ଓ ଭିଡିଓ କୁ ଭାଇରାଲ କରିବା ଏକ ଅପରାଧ ନୁହେଁ କି? ମନ୍ତ୍ରୀମାନେ ମହିଳାଙ୍କ ସାଙ୍ଗରେ ବସିବା ଏକ ଅପରାଧ ବୋଲି କେଉଁ ଆଇନ ବା ସାମାଜିକ ନିୟମରେ ଲେଖା ହୋଇଛି?

ସବୁଠୁ ଦୁର୍ଭାଗ୍ୟର କଥା ହେଉଛି, ଏ ସମ୍ପର୍କରେ ଆଲୋଚନା କଲାବେଳେ ବିଧାନସଭାରେ କଂଗ୍ରେସର ବରିଷ୍ଠ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ସାମାନ୍ୟ ଶାଳୀନତା ମଧ୍ୟ ରହିଲା ନାହିଁ। ଦୁଇଜଣ ବେସରକାରୀ ଭଦ୍ର ମହିଳାଙ୍କର ଟିକଟ ଓ ରହଣୀ ବ୍ୟବସ୍ଥା କରିବା ହୁଏତ, ଅନୈତିକ ହୋଇପାରେ। ହେଲେ ସେ ଭଦ୍ରମହିଳାଙ୍କ ବିଷୟରେ ଯେଉଁ ପ୍ରକାର ଭାଷା ବ୍ୟବହାର କରାଗଲା, ତାହା ନିହାତି ଅସଭ୍ୟ ସମାଜରେ ହିଁ ଦେଖିବାକୁ ମିଳେ। ମାଁ-ଝିଅ ହୁଅନ୍ତୁ ବା ଦୁଇ ଭଉଣୀ ହୁଅନ୍ତୁ, ସେମାନେ ନିଜସ୍ଵ ପରିଚୟରେ ମହୀୟାନ। ତାଙ୍କ ଚରିତ୍ର ସଂହାର କରିବାର କୌଣସି ଅଧିକାର ବିଧାୟକ, ରାଜନୈତିକ ଦଳ, ସାମ୍ବାଦିକ ବା ସୋସିଆଲ ମିଡିଆ ତ୍ରୋଲଙ୍କର ନାହିଁ। ମନ୍ତ୍ରୀଙ୍କ ସହିତ ଏହି ଦୁଇ ଭଦ୍ର ମହିଳା ଲୁଚା ଚୋରାରେ ତ ଯାଇନାହାନ୍ତି। ସେଥିପାଇଁ ଓଟିଡିସି ଟିକଟ କରିଛି। ହେଲେ ଏହାର ପଇସା ସରକାର ପଇଠ କରିଛନ୍ତି ନା ଆଉ କିଏ ଦେଇଛି, ତାହା ସ୍ପଷ୍ଟ ନୁହେଁ। ମନ୍ତ୍ରୀ ବିକ୍ରମ ଆରୁଖ ବିଧାନସଭାରେ କହିଛନ୍ତି, ଏଥିପାଇଁ ସରକାର ଖର୍ଚ୍ଚ କରିନାହାନ୍ତି। ତାପରେ ଏହି କଥାର ଅର୍ଥ କଣ?

ମନ୍ତ୍ରୀ ତାଙ୍କ ସମ୍ପର୍କୀୟ ବା ତାଙ୍କ ବାନ୍ଧବୀଙ୍କ ସହ ଏକାଠି ଯିବା ଏକ ଅପରାଧ ବୋଲି ଏଣିକି ବିବେଚିତ ହେବ ବୋଧହୁଏ! ଏବେବି ମହିଳା ଓ ପୁରୁଷଙ୍କର ବନ୍ଧୁତାକୁ ଆମେ ସନ୍ଦେହ କରୁଛୁ କାହିଁକି? କଂଗ୍ରେସ ଭଳି ଏକ ପୁରୁଣା ଓ ପ୍ରଗତିଶୀଳ ବିଚାର ରଖୁଥିବା ଦଳ, ହଠାତ ଏତେ ମହିଳା ବିରୋଧୀ ହେବାର କାରଣ କଣ? ଆମେ ପୁଣିଥରେ ସ୍ପଷ୍ଟ କରିବାକୁ ଚାହୁଁ, ସରକାରୀ ଅର୍ଥର ଦୁରୁପଯୋଗ କୁ ନେଇ ପ୍ରଶ୍ନ ପଚାରିବାର ଅଧିକାର ବିରୋଧୀ ଦଳର ରହିଛି, ହେଲେ ବ୍ୟକ୍ତିଗତ ଚରିତ୍ର ସଂହାର ଓ ଦୁଇଜଣ ମହିଳାଙ୍କ ସ୍ବାଭିମାନକୁ ନେଇ କୁତ୍ସିତ ଟିପ୍ପଣୀ ଦେବା ଅତ୍ୟନ୍ତ ନିନ୍ଦନୀୟ।

ଦ୍ଵିତୀୟ ଖବରଟି ଆହୁରି ସାଂଘାତିକ। ଜଗତସିଂପୁରର ଏକ ଗେଷ୍ଟ ହାଉସରୁ କିଛି ଯୁବକ ଯୁବତୀ ପ୍ରେମ କରୁଥିବା ବେଳେ ପୋଲିସ ଧରିଥିବାର ଖବର ମିଳିଛି। କଣ ପ୍ରେମ କରିବା ମଧ୍ୟ ଅପରାଧ? ରାଇଟ୍ସ ଟୁ ପ୍ରାଇଭେସି ଏକ ମୌଳିକ ଅଧିକାର ବୋଲି ସୁପ୍ରିମ କୋର୍ଟ କହି ସାରିବା ପରେ ଏହାକୁ ନେଇ ପୋଲିସ ତାମସା କରୁଛି କାହିଁକି? ଏହି ଯୁବତୀମାନଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଘୂରି ବୁଲୁଛି ଓ ସେମାନଙ୍କ ଚରିତ୍ରକୁ ଆକ୍ଷେପ କରି ବହୁ ପ୍ରକାର ଟୀକା ଟିପ୍ପଣୀ ଦିଆଯାଉଛି। ଏଥିଲାଗି ପୋଲିସ ବିଭାଗ ବିରୋଧରେ ମାମଲା ହେବା ଉଚିତ। କେଉଁ ଅପରାଧରେ ଏହି ଯୁବକ ଯୁବତୀଙ୍କର ଫଟୋ ଉଠାଇବାର ସୁଯୋଗ ପୋଲିସ ଦେଇଛି? ଯେଉଁ ସାମ୍ବାଦିକମାନେ ଓ ସମ୍ପାଦକମାନେ ଏହି ଖବର ଛାପିଛନ୍ତି, ସେମାନଙ୍କର ସାମାନ୍ୟତମ ସଭ୍ୟତା ଜ୍ଞାନ ନାହିଁ ବୋଲି କୁହାଯାଇପାରିବ।

ଅନେକ ସମୟରେ ମହିଳାଙ୍କ ଇଜ୍ଜତ ଓ ସମ୍ମାନ ସହ ଜଡିତ ଘଟଣାକୁ ଖବର କଲାବେଳେ, ଆମେ ଆମର କାଣ୍ଡଜ୍ଞାନ ହରାଇବସୁଛୁ। ସାମ୍ବାଦିକତାର ମୌଳିକ ଦାୟିତ୍ଵ ଭାବରେ କୌଣସି ମହିଳାଙ୍କ ବ୍ୟକ୍ତିଗତ ଚରିତ୍ର ବା ସଂପର୍କକୁ ନେଇ ଖବର ଛାପିବା  ବେଳେ ଆମକୁ ଶହେଥର ଭାବିବା ଦରକାର। ହେଲେ ଭାବିବା ଭଳି ସମ୍ବାଦିକତା ଆଉ ଅଛି କି?

Categories
ଆଜିର ଖବର

ସାଧାରଣ ଜନତା ସାମାଜିକ ଗଣମାଧ୍ୟମ ଓ ଗଣମାଧ୍ୟମ ଦ୍ବାରା ପ୍ରଭାବିତ ହୋଇଗଲେ–ଉଦିତ୍‌ ରାଜ  

କଂଗ୍ରେସ ନେତା ଉଦିତ୍‌ ରାଜ ଆଜିକାଲି ନିଜର ବିବାଦୀୟ ମନ୍ତବ୍ୟ ନେଇ ବେଶ୍‌ ଚର୍ଚ୍ଚାରେ ରହିଛନ୍ତି। କିଛିଦିନ ପୂର୍ବରୁ ଇଭିଏମ୍‌କୁ ନେଇ ସୁପ୍ରିମ୍‌କୋର୍ଟଙ୍କ ଉପରେ ଆରୋପ ଲଗାଇଥିଲେ। ଏବେ ନିର୍ବାଚନୀ ଫଳାଫଳ ଘୋଷଣା ସରିବା ପରେ କଂଗ୍ରେସର ପରାଜୟକୁ ସ୍ବୀକାର କରି ସେ ସିଧା ଟାର୍ଗେଟ୍‌ ସାମାଜିକ ଗଣମାଧ୍ୟମ ତଥା ଗଣମାଧ୍ୟମକୁ ଦାୟୀ କରିଛନ୍ତି। ଉଦିତ୍‌ ରାଜ୍‌ ଟୁଇଟ୍‌ କରି କହିଛନ୍ତି ଯେ, ରାହୁଲ୍‌ ଗାନ୍ଧିଙ୍କ ଦୃଢ ନେତୃତ୍ବ ନେଇଥିଲେ, କିନ୍ତୁ ଦୁର୍ଭାଗ୍ୟ ଯେ, ଦେଶର ସାଧାରଣ ଜନତା ମିଛ ତଥା କାଳ୍ପନିକ ଡର, ଦେଶ ଅସୁରକ୍ଷିତ ଆଦି କଥାବସ୍ତୁ, ଯାହା ସାମାଜିକ ଗଣମାଧ୍ୟମ ତଥା ଜାତୀୟ ଗଣମାଧ୍ୟମ ଦ୍ବାରା ପ୍ରଭାବିତ ହୋଇ ଏପରି ନିଷ୍ପତ୍ତି ନେଇଛନ୍ତି। ୨୦୧୪ରେ ଉତ୍ତର ପଶ୍ଚିମ ଦିଲ୍ଲୀର ବିଜେପି ସାଂସଦ ରହିଥିବା ଉଦିତ୍‌ ରାଜଙ୍କୁ ଚଳିତ ଥର ବିଜେପି ଟିକେଟ୍‌ ନ ଦେବାରୁ ବିଜେପିରୁ ଯାଇ କଂଗ୍ରେସ ମିଶିଥିଲେ। ବିଜେପି ଉଦିତ୍‌ଙ୍କ ସ୍ଥାନରେ ଚଳିତ ଥର ଗାୟକ ହଂସରାଜଙ୍କ ପ୍ରାର୍ଥୀ କରିଥିବାବେଳେ ସେ ରେକର୍ଡ ସଂଖ୍ୟାରେ ଜିତ୍‌ ହାସଲ କରିଛନ୍ତି। ଉଦିତ୍‌ କଂଗ୍ରେସରେ ମିଶିବା ପରେ ବିଜେପି ବିରୋଧୀ ବୟାନବାଜି କରୁଛନ୍ତି।

Categories
ବିଶେଷ ଖବର ମତାମତ

ନେତା ଅବତାରୀ ସମ୍ପାଦକମାନଙ୍କ ବିରାଡି ବୈଷ୍ଣବୀୟ ଜ୍ଞାନ ଓ ଓଡିଆ ଗଣମାଧ୍ୟମର ସ୍ଵାଧୀନତା

କେଦାର ମିଶ୍ର

ଓଡିଶାରେ ଯେଉଁ ସଂବାଦପତ୍ର ବା ଟେଲିଭିଜନ ଚାନେଲର ମାଲିକଙ୍କ ନାଁ ନେବେ, ସେ କୌଣସି ନା କୌଣସି ରାଜନୈତିକ ଦଳ ସହ ପ୍ରତ୍ୟକ୍ଷ ଭାବରେ ସଂପୃକ୍ତ। କେବଳ ସଂପୃକ୍ତି ନୁହେଁ, ଏମାନେ ସିଧାସଳଖ ରାଜନୈତିକ କ୍ଷମତା କେନ୍ଦ୍ରର ଜଣେ ଜଣେ ଚତୁର ଅଂଶୀଦାର। କ୍ଷମତା ଦଖଲ ପାଇଁ ଗଣମାଧ୍ୟମ ଏମାନଙ୍କ ଲାଗି ସିଡି ଭାବରେ କାମ କରିଥାଏ। ଦେଖେଇକି ହେଉ ବା ଲୁଚେଇକି, ଗଣମାଧ୍ୟମ ସଂସ୍ଥାର ମାଲିକ ଯେଉଁ ଦଳରେ ଥାନ୍ତି ସେଇ ରାସ୍ତାରେ ଆମର ସାମ୍ବାଦିକତା ନିଲାମ ହୁଏ। କହିବାରେ ବିଲକୁଲ ଦ୍ଵିଧା ନାହିଁ ଯେ, ମାତ୍ର ହାତ ଗଣତି କିଛି ସାମ୍ବାଦିକଙ୍କୁ ବାଦ ଦେଲେ ବାକି ସବୁ ଏଠି ମାଲିକଙ୍କ କଥାକୁହା ଶୁଆପକ୍ଷୀ। ମାଲିକ ଯାହା କହିଲେ ଆମେ ତାକୁ ରଟିଲୁ। ଛାଡନ୍ତୁ, ସାମ୍ବାଦିକ ଯେହେତୁ ଚାକିରିଆ ସେ ମାଲିକ ତିଆରି କରିଥିବା ନିୟମ ମାନିବାକୁ ବାଧ୍ୟ। ହେଲେ, ଏଠି କ୍ଷମତା କେନ୍ଦ୍ରର ଅଂଶୀଦାର ହୋଇ ସବୁ ମଲାଇ ଚାଖି ସାରିଲା ପରେ ଗଣମାଧ୍ୟମର ମାଲିକମାନେ ଜ୍ଞାନ ବାଣ୍ଟୁଛନ୍ତି କାହିଁକି?

ହଠାତ ଓଡିଆ ସାମ୍ବାଦିକତାରେ ସ୍ଵାଧୀନତାର ପାଠ ପଢାଇବାକୁ ସାଂସଦ ତଥା ଧରିତ୍ରୀ ଖବର କାଗଜର ମାଲିକ ତଥାଗତ ଶତପଥି ବେଶ ଅଗ୍ରଣୀ ଭୂମିକା ନେଉଛନ୍ତି। ଚାରିଥର ଲୋକସଭାକୁ ଏବଂ ଥରେ ବିଧାନସଭାକୁ ନିର୍ବାଚିତ ହୋଇଥିବା ତଥାଗତ ବାବୁ ଭିନ୍ନ ଭିନ୍ନ ସମୟରେ ନିଜର ରାଜନୈତିକ ପକ୍ଷ ବଦଳାଇଛନ୍ତି। ତେବେ ୨୦୦୪ ରୁ ଗତ ୧୫ ବର୍ଷ ଧରି ସେ ବିଜୁ ଜନତା ଦଳ ତରଫରୁ ଲୋକସଭାକୁ ନିର୍ବାଚିତ ହୋଇ ଯାଇଛନ୍ତି। ମାତ୍ର ୬୨ ବର୍ଷ ବୟସ୍କ ତଥାଗତ ବିଧାନସଭା ସଦସ୍ୟ ଭାବରେ ପାଞ୍ଚ ବର୍ଷ ଓ ଲୋକସଭା ସଦସ୍ୟ ଭାବରେ ୧୬ ବର୍ଷ ସବୁ ପ୍ରକାର ରାଜନୈତିକ ସୁବିଧା ଭୋଗିଛନ୍ତି। ତେଣୁ ଖବର କାଗଜର ସମ୍ପାଦକ ଭାବରେ ସେ ନିରପେକ୍ଷ ଓ ରାଜନେତା ଭାବରେ ପକ୍ଷବାଦୀ ହେବାର ଦ୍ଵୈତ ଭୂମିକା ତୁଲାଇ ଆସିଛନ୍ତି ବୋଲି କହିବାର ବିଶେଷ ବିଳାସ ତାଙ୍କର ରହିଥାଇପାରେ !

ଆମ ରାଜନେତାଙ୍କର ଏଇ ଗୁଣଟି ସବୁଠୁ ଚମତ୍କାର। ସେମାନେ ବହୁରୂପୀ  ଓ ବହୁପନ୍ଥୀ। ସେମାନେ ଏକା ସାଙ୍ଗରେ ନୀତିବାନ ଓ ନୀତିହୀନ ହୋଇପାରିବେ। କ୍ଷମତା ହାସଲ ଲାଗି ଯେ କୌଣସି ଦଳ ସହ ମିଶିଗଲେ ମଧ୍ୟ ଖବର କାଗଜ ବା ଟେଲିଭିଜନ ଚାନେଲର ମାଲିକ ଭାବରେ ସେମାନେ ନୈତିକତା, ଗଣମାଧ୍ୟମର ସ୍ଵାଧୀନତା ଓ ନିଷ୍ଠାପର ସାମ୍ବାଦିକତା ବିଷୟରେ ବେଶ ବଡ ବଡ ଭାଷଣ ଦେଇପାରିବେ। ଆଜିର ତାରିଖରେ ଓଡିଶାର ଗଣମାଧ୍ୟମ ବିଭିନ୍ନ ରାଜନୈତିକ ଦଳର ଠିକା ଜମି ଭାବରେ କାମ କରୁଛନ୍ତି। ଏକଥା କିଏ ଜାଣିନାହିଁ ଯେ ତଥାଗତ ବାବୁ ହଠାତ ଆସି ଆମକୁ ସ୍ଵାଧୀନତାର ପାଠ ପଢାଉଛନ୍ତି!! ବିଜେଡ଼ିର ସାଂସଦ ଥିବା ସମୟରେ ଏ ପ୍ରକାର ନୀତି ଓ ଆଦର୍ଶ ବିଷୟରେ  ଆମେ ବିଶେଷ ଭାଷଣ କାଇଁ ଶୁଣିନୁ ତ! ଏବେ ରାଜନୀତିରୁ ସନ୍ୟାସ ନେଲାପରେ ହଠାତ ଶ୍ମଶାନ ବୈରାଗ୍ୟ ଉଦୟ ହେବା ନିଶ୍ଚିତ ଭାବରେ ମଜାର କାରଣ!

ଓଡିଶା ଗଣମାଧ୍ୟମର ମାଲିକ ଓ ରାଜନେତାଙ୍କ ଏକକାୟା ବିଷୟରେ ଗୋଟେ ବଡ ନିବନ୍ଧ ଲେଖା ଯାଇପାରିବ। ଏଠି ଖାଲି ଶାସକ ଦଳର ଗୁଣଗାନ କରୁଥିବା କ୍ଷମତାଧାରୀଙ୍କ ହାତରେ ଗଣମାଧ୍ୟମ ଅଛି, ତାହା ବିଲକୁଲ ସତ୍ୟ ନୁହେଁ। ସବୁ ଦଳର କିଛି କିଛି କାଗଜ ଓ ଚାନେଲ ରହିଛି। ବୈଜୟନ୍ତ ପଣ୍ଡାଙ୍କ ଓ ଟିଭି କେବଳ ଓଡିଶାର ଏକନମ୍ବର ଟିଭି ଚାନେଲ ନୁହେଁ, ଏହା ମାଲିକଙ୍କ ସହ ରଙ୍ଗବଦଳ କରିବାର କଳାରେ ବେଶ ଧୁରନ୍ଧର । ସମ୍ବାଦ ଓ କନକ ଟିଭିର ମାଲିକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଓ କଳିଙ୍ଗ ଟିଭିର ମାଲିକ ଅଚ୍ୟୁତ ସାମନ୍ତ ଏବେ ବିଜେଡି ଦଳର ସାଂସଦ। ତେବେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧୀ ଭାବେ ବର୍ତ୍ତମାନ ଜଣାଶୁଣା ବୈଜୟନ୍ତଙ୍କ ହାତରେ ସବୁଠୁ ପ୍ରଭାବଶାଳୀ ଟେଲିଭିଜନ ଚାନେଲ ଓ ୱେବ ସାଇଟର ମାଲିକାନା ରହିଛି। ନବୀନଙ୍କ କଠୋର ସମାଲୋଚକ ସାଜିଥିବା ଦାମୋଦର ରାଉତ ମଧ୍ୟ ଗୋଟେ ଖବର କାଗଜର ମାଲିକ। ସେହିପରି କଂଗ୍ରେସ ସାଂସଦ ରଞ୍ଜିବ ବିଶ୍ଵାଳ  ଓ ବିଧାୟକ ଚିରଞ୍ଜିବୀ ବିଶ୍ଵାଳଙ୍କ ହାତରେ “ସମୟ” ସଂବାଦପତ୍ର ରହିଛି। ଅମ୍ବାନୀ ଗ୍ରୁପର ଟିଭି-୧୮ ନେଟୱାର୍କ ଓ ଜୀ ନେଟୱାର୍କ ସହିତ ନରେନ୍ଦ୍ର ମୋଦୀଙ୍କ ସମ୍ପର୍କ କଥା ଅଳ୍ପେ ବହୁତେ ସମସ୍ତଙ୍କୁ ଜଣା ଅଛି। ତେଣୁ ଓଡିଶାରେ ଗଣ ମାଧ୍ୟମ କେବଳ ମୁଖ୍ୟମନ୍ତ୍ରୀଙ୍କ ନିୟନ୍ତ୍ରଣରେ ରହିଛି ବୋଲି କହିବା ହାସ୍ୟାସ୍ପଦ। ବରଂ ରାଜ୍ୟର ତିନୋଟି ପ୍ରମୁଖ ଟିଭି ଚାନେଲ ଓ ତିନୋଟି ସଂବାଦପତ୍ର ସକାଳୁ ସଞ୍ଜ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଖବର ଚଲାନ୍ତି। ଓଡିଶାର ଟେଲିଭିଜନ ଚାନେଲରେ ବସୁଥିବା ବଡ ଭାଗ ସାମ୍ବାଦିକ ନବୀନ ପଟ୍ଟନାୟକଙ୍କ କଟ୍ଟର ସମାଲୋଚକ। ତେଣୁ ଗଣମାଧ୍ୟମ ମୁଖ୍ୟମନ୍ତ୍ରୀଙ୍କ ପକେଟରେ ଅଛି ବୋଲି କହୁଥିବା ଗଣମାଧ୍ୟମ ମାଲିକ ମାନେ ନିଜେ କାହା ପକେଟରେ ଅଛନ୍ତି, ସେକଥା ସେମାନେ ପରଖିନେବା ଉଚିତ!!