ଗୁରୁଗ୍ରାମ : ଲକ୍ଡାଉନ୍ ଘୋଷଣା ପରେ ଦିଲ୍ଲୀ ଓ ମୁମ୍ବାଇରେ ପ୍ରବାସୀ ଶ୍ରମିକ ଓ ଗରିବ ଲୋକମାନେ ସଡକ ଉପରକୁ ଆସିଯାଇଛନ୍ତି । ନା ତାଙ୍କ ପାଖରେ ଘର ଅଛି ନା ରୋଜଗାର। ଦିନକୁ 100-200 ରୋଜଗାର କରୁଥିବା ଏହି ଗରିବ ଲୋକମାନେ ବଡ ସହରରେ କେମିତି ବନ୍ଦ ହୋଇକି ରହିପାରିବେ । ଦିଲ୍ଲୀର ଗୁରୁଗ୍ରାମରେ ଶନିବାର ଦିନ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ତାହା ହୃଦୟକୁ ବିଚଳିତ କରିପକାଇବ । ଜଣେ ଚିତ୍ରକର ଭୋକ ଓ ରୋଜଗାର ନଥିବାର ବ୍ୟତିବ୍ୟସ୍ତ ହୋଇ ଆତ୍ମହତ୍ୟା କରି ଦେଇଛି ।
ଆତ୍ମହତ୍ୟା କରିବାର ଦୁଇ ଦିନ ପୂର୍ବରୁ ବ୍ୟକ୍ତି ଜଣକ ନିଜ ମୋବାଇଲ୍ ବିକ୍ରି କରିଥିଲା । କରୋନା ଭାଇରସ୍ ସହ ଲଢେଇ ମଧ୍ୟରେ ଭୋକ ଓ ଅର୍ଥ ପାଇଁ ନିଜ ପରିବାରର ଅସହାୟତା ପାଇଁ ବ୍ୟକ୍ତି ଜଣକ ଆତ୍ମହତ୍ୟା କରିଛନ୍ତି । 12 ହଜାର ଟଙ୍କାର ମୋବାଇଲ୍ ଫୋନ୍କୁ ମାତ୍ର ଅଢେଇ ହଜାର ଟଙ୍କାରେ ବିକ୍ରି କରି ସେଇ ଅର୍ଥରେ ନିଜ ସ୍ତ୍ରୀ ଓ ଛୁଅଙ୍କ ପାଇଁ ଖାଦ୍ୟ ଆଣିଥିଲେ ।
ମୃତକଙ୍କ ନାମ ହେଉଛି ମୁକେଶ । ସେ ବିହାରର ମଧୁପରା ଅଞ୍ଚଳରେ ରହୁଥିଲେ । ତାଙ୍କର ଚାରୋଟି ସନ୍ତାନ ରହିଛନ୍ତି । ମୁକେଶ ନିଜ ପରିବାର ସହିତ ସରସ୍ବତୀ କୁଞ୍ଜ ଡିଏଲ୍ଏଫ୍ ଫେଜ୍ 5ରେ ରେ ରହୁଥିଲେ । ଲକ୍ ଡାଉନ୍ ଯୋଗୁଁ ତାଙ୍କ ପାଖରେ ଥିବା ଜମା-ପଞ୍ଜି ସମାପ୍ତ ହୋଇଯାଇଥିବାବେଳେ ଖାଇବା ପାଇଁ ତାଙ୍କ ପାଖରେ ପଇସା ନଥିଲା । ଲକ୍ ଡାଉନ୍ ଯୋଗୁଁ ରୋଜଗାର ମଧ୍ୟ ନଥିଲା । ଏପରି ସମୟରେ ସେ ନିଜେ ଓ ନିଜ ପରିବାରକୁ କେମିତି ଚଳାଇବେ ବୋଲି ବହୁ ଚିନ୍ତାରେ ରହୁଥିଲେ । ଏହି ସମସ୍ତ ସମସ୍ୟାରୁ ସେ କୌଣସି ଉପାୟ ନ ପାଇ ଶେଷରେ ଜୀବନ ହାରିଛନ୍ତି ।
ମୁକେଶଙ୍କ ପରି ବହୁ ଗରିବ ଲୋକମାନେ ଲକ୍ ଡାଉନ୍କୁ ନେଇ ବହୁ ଚିନ୍ତାରେ ରହିଛନ୍ତି । କରୋନା ସେମାନଙ୍କର ଜୀବନ ନ ନେଇପାରେ, କିନ୍ତୁ ଭୋକ ତାଙ୍କ ଜୀବନ ନେଇଯିବ ବୋଲି ମୁକେଶଙ୍କ ପରି ବହୁ ଗରିବ ଲୋକମାନେ କହିଛନ୍ତି । (ଏଜେନ୍ସି)