Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମିଶନ ଶକ୍ତିର ୧୫୦ ଜଣ ‘ମିଲେଟ୍‌ ମା’

ଭୁବନେଶ୍ବର: ଆଜି ସଂଧ୍ୟାରେ ନବୀନ ନିବାସ ଠାରେ ୧୫୦ ଜଣ ‘ମିଲେଟ୍‌ ମା’ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ପୁଷ୍ଟିଶସ୍ୟ ମାଣ୍ଡିଆର ପ୍ରୋତ୍ସାହନ ପାଇଁ କୃତଜ୍ଞତା ଜଣାଇଥିଲେ।

ଏହି ମହିଳାମାନେ ସମସ୍ତେ ମିଶନ ଶକ୍ତିର ସଦସ୍ୟ ଅଛନ୍ତି ଏବଂ ଭୁବନେଶ୍ବରରେ ଚାଲିଥିବା ଅନ୍ତର୍ଜାତୀୟ ପୁଷ୍ଟିଶସ୍ୟ ସମ୍ମିଳନୀରେ ସେମାନେ ଯୋଗ ଦେଇଥିଲେ ।

ମାଣ୍ଡିଆ ଚାଷ ଠାରୁ ଆରମ୍ଭ କରି ଲୋକଙ୍କ ପ୍ଲେଟ୍‌ରେ ମାଣ୍ଡିଆ ପ୍ରସ୍ତୁତ ଖାଦ୍ୟ ପହଞ୍ଚାଇବା ପର୍ଯ୍ୟନ୍ତ (Farm to Plate) ମାଣ୍ଡିଆ ଫୁଡ୍‌ ଚେନ୍‌ର ( Millet Food Chain) ବିଭିନ୍ନ ସ୍ତରରେ ଏହି ମା ମାନେ ଯୋଡି ହୋଇ କାମ କରୁଛନ୍ତି।

ମାଣ୍ଡିଆ ଚାଷକୁ ପ୍ରୋତ୍ସାହନ, ସରକାରଙ୍କ ପକ୍ଷରୁ ଚାଷୀଙ୍କ ମାଣ୍ଡିଆ ସଂଗ୍ରହ, ମିଲେଟ୍‌ ଶକ୍ତି ଜରିଆରେ ମାଣ୍ଡିଆରୁ ସୁସ୍ବାଦୁ ଖାଦ୍ୟ ପ୍ରସ୍ତୁତ ଆଦି ବିଭିନ୍ନ କାର୍ଯ୍ୟକ୍ରମ ଦ୍ବାରା ଚାଷୀ ଓ ମହିଳା ମାନେ ସମସ୍ତେ ଉପକୃତ ହେଉଛନ୍ତି ଓ ସେମାନଙ୍କ ରୋଜଗାର ବଢିଛି ବୋଲି ସେମାନେ କହିଥିଲେ। ଏହା ଆମକୁ ସଶକ୍ତ କରିଛି ବୋଲି ସେମାନେ କହିଥିଲେ।

ମା’ ମାନେ ବହୁତ ଭଲ କାମ କରୁଛନ୍ତି ବୋଲି ମନ୍ତବ୍ୟ ରଖି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଏ ଦିଗରେ ଆହୁରି ସକ୍ରିୟ ହୋଇ ସାମିଲ ହେବା ପାଇଁ ପରାମର୍ଶ ଦେଇଥିଲେ ।

Categories
ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ଅନ୍ତର୍ଜାତୀୟ ପୁଷ୍ଟିଶସ୍ୟ ସମ୍ମିଳନୀ-୨୦୨୩ରେ ସଂଗୀତ-ନୃତ୍ୟରେ ମୁଖରିତ ହେଲା ପରିବେଶ

ଭୁବନେଶ୍ୱର: ମାଣ୍ଡିଆ ତଥା ଅନ୍ୟାନ୍ୟ ପୁଷ୍ଟିଶସ୍ୟକୁ ନେଇ ଦେଶର ବିଭିନ୍ନ ରାଜ୍ୟର ଲୋକକଥା ଓ ଲୋକସଂସ୍କୃତି ଉପଦାନ ସମ୍ବଳିତ ଗୀତନାଚରେ ଝୁମିଥିଲେ ଦର୍ଶକ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା ଆୟୋଜିତ ଅନ୍ତର୍ଜାତୀୟ ପୁଷ୍ଟିଶସ୍ୟ ସମ୍ମିଳନୀର ଗୋଟିଏ ଅଣ-ବୈଷିୟିକ କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ଅଞ୍ଚଳରୁ ଆସିଥିବା କୃଷକମାନେ ପରିବେଷଣ କରିଥିଲେ ସୁମଧୁର ସଂଗୀତ। ସବୁବେଳେ ଏପରି ଲୋକସଂଗୀତ ପୁଷ୍ଟିଶସ୍ୟ ଚାଷ ସହତ ସୁରକ୍ଷା ଦିଗରେ ସହାୟକ ହୋଇଆସିଛି।

ଆଜିର କାର୍ଯ୍ୟକ୍ରମରେ ମାଣ୍ଡିଆ ଦିବସ ଅବସରରେ ମେଘାଳୟ, କର୍ଣ୍ଣାଟକ, ଗୁଜୁରାଟ ଓ ଓଡ଼ିଶାର କୃଷକ ଦଳ ସମବେତ ହୋଇ ପୁଷ୍ଟିଶସ୍ୟ ସଂଗୀତ ପରିବେଷଣ କରିଥିଲେ। କଣ୍ଠରେ ଥିଲା ପୁଷ୍ଟିଶସ୍ୟର ଜୟଗାନ, ପରିଚ୍ଛଦ ଥିଲା ପାରମ୍ପରିକ। ବିଭାଗୀୟ ସହକାରୀ ନିର୍ଦ୍ଦେଶକ ପ୍ରିୟଙ୍କା ପି୍ରୟଦର୍ଶିନୀ ସ୍ୱାଗତ ଭାଷଣ ଦେଇଥିବାବେଳେ କାର୍ଯ୍ୟକ୍ରମର ସଂଚାଳକ ଅନୁଷ୍ଠାନ ‘ରିଭିଟାଲାଇଜିଂ ରେନ୍‌ଫେଡ୍‌ ଏରିଆ (ଆର୍‌ଆର୍‌ଏ)’ର ଜାତୀୟ ନିର୍ଦ୍ଦେଶକ ଡ. ସବ୍ୟସାଚୀ ଦାସ ପ୍ରାରମ୍ଭିକ ସୂଚନା ଦେଇଥିଲେ।

ଗୀତିକାର ଓ ସମାଜକର୍ମୀ ଭାବରେ ପରିଚିତ ଗୁଜରାଟର ବିନୟ ମହାଜନ ଓ ଚାରୁ ଭରୱାଡ଼ା ସଂଗୀତ ପରିବେଷଣ କରିଥିବାବେଳେ ଓଡ଼ିଶାରୁ ଲୋକକବି ପଦ୍ମଶ୍ରୀ ହଳଧର ନାଗ ଅତିଥି ଭାବରେ ଉପସ୍ଥିତ ଥିଲେ। ବିଭାଗ ପକ୍ଷରୁ କୃଷକ ଶିଳ୍ପୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ କାର୍ଯ୍ୟକ୍ରମରେ କୃଷକ, ସେ୍ୱଚ୍ଛାସେବୀ ସଂଗଠନର ପ୍ରତିନିଧି, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ଓ ସାଧାରଣ ଜନତା ଉପସ୍ଥିତ ରହି ଭରପୂର ମଜା ଉଠାଇଥିଲେ।

କର୍ଣ୍ଣାଟକର ଶିଳ୍ପୀମାନେ ପରିବେଷଣ କରିଥିଲେ ‘ଅର୍ଣ୍ଣଦାତା’। ଗୁଜୁରାଟ ଓ ମେଘାଳୟର ଦଳ ଫସଲ ଅମଳ ନେଇ ସେମାନଙ୍କ ପାରମ୍ପରିକ ଲୋକଗୀତ ପ୍ରସ୍ତୁତ କରିଥିଲେ। ଏସବୁ ସଂଗୀତ କୃଷକମାନଙ୍କ ଉଦ୍ଦେଶ୍ୟରେ ସମର୍ପିତ ଥିଲା। ଗଜପତି ଜିଲ୍ଲାର ଶିଳ୍ପୀମାନେ ବାଦ୍ୟଯନ୍ତ୍ର ସହିତ ସଂଗୀତ ପରିବେଷଣ କରିଥିଲେ। ଉପସ୍ଥିତ ଶିଳ୍ପୀ, ଅଂଶଗ୍ରହଣକାରୀ ଓ ଅତିଥିମାନେ ପୁଷ୍ଟିଶସ୍ୟକୁ ନେଇ ଶପଥପାଠ କରିଥିଲେ।

ସଂଗୀତ ଓ ନୃତ୍ୟରେ ମୁଖରିତ ହୋଇଥିଲା ପରିବେଶ। ସମ୍ମିଳନୀର ଅନ୍ୟତମ ଆକର୍ଷଣୀୟ ଏହି କାର୍ଯ୍ୟକ୍ରମରେ ପୁଷ୍ଟିଶସ୍ୟର ସନ୍ଦେଶ ପ୍ରତିଟି ଦର୍ଶକଙ୍କ ହୃଦୟରେ ପ୍ରତିଧ୍ୱନିତ ହୋଇଥିଲା

Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଓଡିଶା ମିଲେଟସ ମିଶନର ଆଗମୀ ୧୦ ବର୍ଷର ରୋଡ ମ୍ୟାପ ପ୍ରସ୍ତୁତ ପାଇଁ ଆରମ୍ଭ ହେଲା ଉଦ୍ୟମ

ଭୁବନେଶ୍ବର: ମିଲେଟସର ପ୍ରସାର ପ୍ରଚାର ଦିଗରେ ବିଭିନ୍ନ କ୍ଷେତ୍ରରେ ଥିବା ଆହ୍ୱାନଗୁଡ଼ିକୁ ଚିହ୍ନଟ କରିବା ସହ ଏହାର ନିରାକରଣ କରି ବିଶ୍ୱ ପ୍ରେକ୍ଷାପଟରେ ଆଗାମୀ ୧୦ ବର୍ଷ ପାଇଁ ଓଡ଼ିଶା ମିଲେଟସ ମିଶନର ରୋଡ୍‌ ମ୍ୟାପ୍‌ ପ୍ରସ୍ତୁତ କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି।

ଭୁବନେଶ୍ୱରଠାରେ ଅନୁଷ୍ଠିତ ଅନ୍ତର୍ଜାତୀୟ ପୁଷ୍ଟିଶସ୍ୟ ସମ୍ମିଳନୀରେ ଇଣ୍ଡିଆନ୍‌ ଇନ୍‌ଷ୍ଟିଚୁ୍ୟଟ୍‌ ଅଫ୍‌ ମିଲେଟସ୍‌ ରିସର୍ଚ୍ଚ ଏବଂ ନୀତି ଆୟୋଗ ତରଫରୁ ପରିଚାଳିତ ଏକ ରାଉଣ୍ଡ ଟେବୁଲ ବୈଠକରେ ମିଲେଟସ୍‌ କାର୍ଯ୍ୟକ୍ରମର ସଫଳ ରୂପାୟନ ଦିଗରେ ବିିଭିନ୍ନ ଅଂଶୀଦାର, କୃଷକ ସଂଗଠନ, ଚାଷୀ ଏବଂ କୃଷକ ଉତ୍ପାଦକ ଗୋଷ୍ଠୀମାନଙ୍କଠାରୁ ମତାମତ ସଂଗ୍ରହ ଉପରେ ଗୁରୁତ୍ୱାରୋପ କରାଯାଇଥିଲା।

ଅଧିବେଶନ ପ୍ରାରମ୍ଭରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ଭାରତରେ ମିଲେଟସର ଅଗ୍ରଗତି ସଂପର୍କରେ ଏକ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ। ଏହି ସନ୍ଦର୍ଭରେ ଡ. ପାଢ଼ୀ କୃଷକ, କୃଷକ ଉତ୍ପାଦକ ଗୋଷ୍ଠୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ବିଭିନ୍ନ ଅଂଶୀଦାରମାନେ ମିଲେଟସର ପ୍ରସାର ଦିଗରେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ସଂପର୍କରେ ଆଲୋକପାତ କରିଥିଲେ।

ଏଥି ସହିତ ଓଡ଼ିଶା ମିଲେଟସ ମିଶନର ବିଭିନ୍ନ କାର୍ଯ୍ୟକ୍ରମ କିପରି ରାଜ୍ୟର ପ୍ରତିଟି ଚାଷୀ ପାଇଁ ସହାୟକ ହୋଇପାରିଛି ସେ ସଂପର୍କରେ ଅବଗତ କରାଇଥିଲେ। ଚାଷୀମାନଙ୍କଠାରୁ ମିଲେଟସ ସଂଗ୍ରହ ନିମନ୍ତେ ସର୍ବନିମ୍ନ ସହାୟକ ମୂଲ୍ୟ ସ୍ଥିର ଦିଗରେ ଭାରତ ସରକାର ଏବଂ ଅନ୍ୟ ଅନୁଷ୍ଠାନର ସହଯୋଗ ନିମନ୍ତେ ଡ. ପାଢ଼ୀ ଧନ୍ୟବାଦ ଦେଇଥିଲେ। ଏହା ଦ୍ୱାରା ରାଜ୍ୟରେ ଏକ ସୁଦୃଢ଼ ସାଧାରଣ ବଣ୍ଟନ ବ୍ୟବସ୍ଥା ପ୍ରଚଳନ ହୋଇପାରିଛି ବୋଲି ସେ ମତ ଦେଇଥିଲେ।

ଆଲୋଚନା ଚକ୍ରରେ ବକ୍ତାମାନେ ସବୁ ରାଜ୍ୟରେ ମିଲେଟ ଚାଷ ନିମନ୍ତେ ଚାଷୀମାନଙ୍କୁ ପ୍ରୋତ୍ସାହନ ଯୋଗାଇଦେବା ସହିତ ସେମାନଙ୍କଠାରୁ ମିଲେଟସ ସଂଗ୍ରହ ଏବଂ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଖାଉଟିମାନଙ୍କୁ ମିଲେଟସ ଯୋଗାଣ, ରାଜ୍ୟର ମିଲେଟସ୍‌ ଚାଷକୁ ସଂପ୍ରସାରିତ କରି ମିଲେଟସର ପ୍ରକି୍ରୟାକରଣ ଦିଗରେ ଆବଶ୍ୟକ ଭିତ୍ତିଭୂମି ପ୍ରତିଷ୍ଠା କରିବା ଏବଂ ବେସରକାରୀ ସଂସ୍ଥା ଓ କଂମ୍ପାନୀ ଦ୍ୱାରା ଚାଷୀମାନଙ୍କୁ ଉପଯୁକ୍ତ ମୂଲ୍ୟ ପ୍ରଦାନ ଉପରେ ମତ ଦେଇଥିଲେ।

ଏଥି ସହିତ ମିଲେଟସ ଉପରେ ଅଧିକ ଗବେଷଣା, ସ୍ୱଳ୍ପମିଆଦି ମିଲେଟସ ଚାଷକୁ ପ୍ରୋତ୍ସାହନ, ବ୍ଲକ୍‌ସ୍ତରରେ ଅନ୍ତରାଷ୍ଟ୍ରୀୟ କୃଷି ବିଦ୍ୟାଳୟ ସ୍ଥାପନ, ସେଲିବି୍ରଟିମାନଙ୍କ ସଂପୃକ୍ତିରେ ଅଭିନବ ଉପାୟରେ ମିଲେଟସର ବିିକି୍ରବଟା ବ୍ୟବସ୍ଥା, ଶିଶୁର ପ୍ରଥମ ଏକ ହଜାର ଦିନରେ ମିଲେଟସକୁ ଖାଦ୍ୟରେ ସାମିଲ କରିବା, ସର୍ବୋତ୍କୃଷ୍ଟ ମିଲେଟସ ଖାଦ୍ୟ ପ୍ରସ୍ତୁତି ଏବଂ ଜୈବିକ ମିଲେଟସ ଚାଷ ଉପରେ ପ୍ରସ୍ତାବ ଦିଆଯାଇଥିଲା।

ବୈଠକରେ ସିଏସିପିର ଅଧ୍ୟକ୍ଷ ପ୍ରଫେସର ବିଜୟ ପାଲ ଶର୍ମା ଅଧ୍ୟକ୍ଷତା କରିଥିବାବେଳେ ଭାରତର ସରକାରଙ୍କ ଯୁଗ୍ମ ଶାସନ ସଚିବ ଶୁଭା ଠାକୁର ସହଅଧ୍ୟକ୍ଷତା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆଇସିଏଆର୍‌-ଆଇଆଇଏମ୍‌ଆର୍‌ର ନିର୍ଦ୍ଦେଶକ ଡ. ସି. ତାରାସତ୍ୟବତୀ, ମିଳିତ ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନର ପ୍ରତିନିଧି ତାକାଉକି ହାଗିୱାରା ଯୋଗଦେଇଥିଲେ।

ସେହିପରି ଏମ୍‌.ଏସ୍‌.ଏସ୍‌.ଆର୍‌ର ଅଧ୍ୟକ୍ଷ ଡ. ସୌମ୍ୟା ସ୍ୱାମୀନାଥନ୍‌, ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଅଫ୍‌ ଏଗ୍ରିକଲଚର ରିସର୍ଚ୍ଚର ମହାନିର୍ଦ୍ଦେଶକ ଡ. ହିମାଂଶୁ ପାଠକ ଏବଂ ବିଭିନ୍ନ ବେସରକାରୀ ସଂଗଠନର କର୍ମକର୍ତ୍ତା ଆଲୋଚନାରେ ଅଂଶଗ୍ରହଣ କରିଥିଲେ। କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଶ୍ରୀ ପ୍ରେମଚନ୍ଦ୍ର ଚୌଧାରୀ ସ୍ୱାଗତ ଭାଷଣ ଦେଇଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଅନ୍ତର୍ଜାତୀୟ ପୁଷ୍ଟିଶସ୍ୟ ସମ୍ମିଳନୀ ଅବସରରେ, ରାଜ୍ୟସ୍ତରୀୟ ମିଲେଟ ପ୍ରବନ୍ଧ ଓ କୁଇଜ୍‌ ପ୍ରତିଯୋଗିତା

ଭୁବନେଶ୍ୱର: ଅନ୍ତର୍ଜାତୀୟ ପୁଷ୍ଟିଶସ୍ୟ ସମ୍ମିଳନୀ ଅବସରରେ ପ୍ରଥମ ଦିବସରେ ଆଜି ରାଜ୍ୟସ୍ତରୀୟ ମିଲେଟ ପ୍ରବନ୍ଧ ଓ କୁଇଜ୍‌ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ସମବେତ ବିଦ୍ୟାଳୟ ଛାତ୍ରଛାତ୍ରୀମାନେ ଏହି ଦୁଇଟି ପ୍ରତିଯୋଗିତାରେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ।

ଚଳିତ ବର୍ଷ ଅନ୍ତର୍ଜାତୀୟ ପୁଷ୍ଟିଶସ୍ୟ ବର୍ଷ ପାଳନ ହେଉଥିବା ପରିପ୍ରେକ୍ଷୀରେ ଆୟୋଜିତ ପ୍ରତିଯୋଗିତା ଦୁଇଟିର ପ୍ରସଙ୍ଗ ଥିଲା ‘ମିଲେଟ: ଆଧୁନିକ ଆହ୍ୱାନ ପାଇଁ ପୁରାତନ ଶସ୍ୟ’।ଓଡ଼ିଶା ବିଦ୍ୟାଳୟ ଓ ଶିକ୍ଷା କାର୍ଯ୍ୟକ୍ରମ କର୍ତ୍ତୃପକ୍ଷ (ଓସେପା)ଙ୍କ ନେତୃତ୍ୱରେ ଆୟୋଜିତ ଏହି ପ୍ରତିଯୋଗିତା ଦୁଇଟିରେ ପୂର୍ବରୁ ଅନୁଷ୍ଠିତ ‘ଜିଲ୍ଲାସ୍ତରୀୟ ସୁରଭି’ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ।

ପ୍ରଫେସର ଅମରେଶ ଖୁଣ୍ଟିଆ (ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ), ଡ. ସୁସ୍ମିତା ବେହେରା (ଆସୋସିଏଟ୍‌ ପ୍ରଫେସର, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ) ଓ ଶ୍ରୀ ବିଷ୍ଣୁଚରଣ ସୁତାର (ଯୁଗ୍ମ ନିର୍ଦ୍ଦେଶକ, ଓସେପା) ବିଚାରକ ମଣ୍ଡଳୀର ସଦସ୍ୟ ଭାବରେ ଦାୟିତ୍ୱ ନିର୍ବାହ କରିଥିଲେ। ଛାତ୍ରଛାତ୍ରୀଙ୍କ ମଧ୍ୟରେ ମିଲେଟର ପୁଷ୍ଟି ନିରାପତ୍ତା ନେଇ ଅଧିକ ସଚେତନତା ସୃଷ୍ଟି କରିବା ଥିଲା ଏପରି ପ୍ରତିଯୋଗିତାର ଆଭିମୁଖ୍ୟ।

ବିଚାରକବୃନ୍ଦ ଆନ୍ତର୍ଜାତିକ ପୁଷ୍ଟିଶସ୍ୟ ବର୍ଷ ପାଳନର ପୃଷ୍ଠଭୂମି, ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ପ୍ରତିଯୋଗୀମାନଙ୍କୁ ଅବଗତ କରାଇଥିବାବେଳେ ଅଂଶଗ୍ରହଣକାରୀ ଛାତ୍ରଛାତ୍ରୀମାନେ କୁଇଜ ଓ ପ୍ରବନ୍ଧ ପ୍ରତିଯୋଗିତା ମାଧ୍ୟମରେ ପୁଷ୍ଟିଶସ୍ୟର ଗୁରୁତ୍ୱ ଓ ବ୍ୟବହାର ନେଇ ସଚେତନ ହୋଇଥିଲେ। ଆମର ଦୈନନ୍ଦିନ ଖାଦ୍ୟ ସଂସ୍କୃତିରେ ପୁଷ୍ଟିଶସ୍ୟକୁ ନିଶ୍ଚିତ ଅନ୍ତର୍ଭୁକ୍ତ କରିବା ନେଇ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରାଯାଇଥିଲା।

Categories
ଜୀବନ ଶୈଳୀ ବିଶେଷ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ମାଣ୍ଡିଆ କ୍ରେଜ: ଏମ୍‌ସ ଭୁବନେଶ୍ୱରରେ ଛାତ୍ରଛାତ୍ରୀ ଓ ରୋଗୀଙ୍କ ଖାଦ୍ୟରେ ସାମିଲ

ଭୁବନେଶ୍ୱର : ଏମ୍‌ସ ଭୁବନେଶ୍ୱରରେ ଛାତ୍ରଛାତ୍ରୀ ଏବଂ ଭର୍ତ୍ତି ହୋଇ ଚିକିତ୍ସାଧୀନ ଥିବା ରୋଗୀଙ୍କ ଖାଦ୍ୟରେ ସାମିଲ ହୋଇଛି ରାଜ୍ୟର ପାରମ୍ପରିକ ତଥା ପୋଷଣଯୁକ୍ତ ଖାଦ୍ୟ ମାଣ୍ଡିଆ। ଛାତ୍ରଛାତ୍ରୀ ତଥା ଏଠାରେ ଭର୍ତ୍ତିା ହୋଇ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ଉତ୍ତମମାନର ସୁସ୍ଥ ଏବଂ ପୁଷ୍ଟିକର ଖାଦ୍ୟ ଯୋଗାଇଦେବାର ମହତ ଉଦ୍ଦେଶ୍ୟନେଇ ଏହି ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନରେ ମାଣ୍ଡିଆକୁ ଖାଦ୍ୟ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି।

ଉତ୍କଳ ଦିବସ ଏବଂ ଜି -୨୦ ଜନଭାଗିଦାରୀ ଅଭିଯାନର ଶୁଭାରମ୍ଭ ସ୍ବରୂପ ଏମ୍‌ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ ଏହି ବ୍ୟବସ୍ଥାକୁ ଆରମ୍ଭ କରିଥିଲେ। ରୋଗୀଙ୍କୁ ମାଣ୍ଡିଆଯୁକ୍ତ ଖାଦ୍ୟ ବଣ୍ଟନ କରିବା ସହିତ ଛାତ୍ରଛାତ୍ରୀଙ୍କ ସହିତ ମିଶି ନିଜେ ମଧ୍ୟ ମଧ୍ୟାହ୍ନ ଭୋଜନ ଖାଇଥିଲେ ଡ. ବିଶ୍ବାସ। ଏହି ଅବସରରେ ଚିକିତ୍ସାଧୀନ ରୋଗୀ ଏବଂ ଛାତ୍ରଛାତ୍ରୀ ସେମାନଙ୍କ ଖାଦ୍ୟରେ ମାଣ୍ଡିଆ(ମିଲେଟ୍‌ସ)କୁ ପାଇ ବେଶ୍‌ ଖୁସି ଥିବା ପରିଲକ୍ଷିତ ହୋଇଥିଲା।

ଏହି ଅବସରରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ କହିଥିଲେ ଯେ ଛାତ୍ରଛାତ୍ରୀ ଏବଂ ରୋଗୀଙ୍କ ଖାଦ୍ୟରେ ମାଣ୍ଡିଆକୁ ସାମିଲ କରିବା ଏକ ଆନନ୍ଦର ବିଷୟ। ଏକାଧିକ ଭିଟାମିନ୍‌ ଏବଂ ମିନେରାଲ୍‌ସରେ ପରିପୂର୍ଣ୍ଣ ମାଣ୍ଡିଆ ଖାଇବା ଦ୍ବାରା ରୋଗୀମାନେ ଶୀଘ୍ର ଆରୋଗ୍ୟ ହୋଇପାରିବା ନେଇ ଆଶାବ୍ୟକ୍ତ କରିଥିଲେ ଡ. ବିଶ୍ବାସ।

ଏମ୍‌ସରେ ଭର୍ତ୍ତି ହୋଇ ଚିକିତ୍ସାଧୀନ ଥିବା ରୋଗୀଙ୍କୁ ସର୍ବୋତ୍ତମ ସେବା, ଯତ୍ନ ପ୍ରଦାନ କରିବାର ପ୍ରତିଶ୍ରୁତିବଦ୍ଧତାର ଅଂଶସ୍ବରୂପ ଏମ୍‌ସ ଗ୍ରହଣ କରୁଥିବା ଅନେକ ପଦକ୍ଷେପ ମଧ୍ୟରୁ ଏହା ଅନ୍ୟତମ। ସେହିଭଳି ଛାତ୍ରଛାତ୍ରୀମାନେ ଏହି ପାରମ୍ପରିକ ତଥା ଆମ ମାଟିର ଖାଦ୍ୟରୁ ସମୃଦ୍ଧ ପୁଷ୍ଟିକର ଏବଂ ଖଣିଜ ପଦାର୍ଥ ପାଇବେ, ଯାହା ସେମାନଙ୍କର ସାମଗ୍ରୀକ ସ୍ବାସ୍ଥ୍ୟର ଯତ୍ନ ନେବାରେ ବେଶ୍‌ ସହାୟକ ହେବ ବୋଲି ଡ. ବିଶ୍ବାସ ମତବ୍ୟକ୍ତ କରିଥିଲେ।

ଭାରତ ଜି-୨୦ ସମ୍ମିଳନୀର ଅଧ୍ୟକ୍ଷତାକୁ ସଫଳ ଓ ସୁଦୃଢ଼ କରିବା ନେଇ ମାନନୀୟ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନରୁ ପ୍ରେରିତ ହୋଇ ଏମ୍‌ସ ଭୁବନେଶ୍ୱର ଏହି ମାସରେ ଏକାଧିକ କାର୍ଯ୍ୟକ୍ରମର ଯୋଜନା କରିଛି। ଏହି ଅଭିଯାନର ଏକ ଅଂଶ ଭାବରେ, ଏମ୍‌ସ ଭୁବନେଶ୍ୱରରେ ଉତ୍କଳ ଦିବସ ଉପଲକ୍ଷେ ଛାତ୍ର ଏବଂ ରୋଗୀଙ୍କ ଖାଦ୍ୟରେ ମାଣ୍ଡିଆକୁ ସାମିଲ କରାଯାଇଥିବା ଅନୁଷ୍ଠାନର କୁଳସଚିବ ବି ବି ମିଶ୍ର ସୂଚନା ପ୍ରଦାନ କରିଥିଲେ।

ମାଣ୍ଡିଆ ସେବନର ଉପକାରିତା ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରିବା ଏବଂ ଜନସାଧାରଣଙ୍କ ନିକଟରେ ଏହାର ବାର୍ତ୍ତା ପହଞ୍ଚାଇବା ନିମନ୍ତେ ଏମ୍‌ସ ଓପିଡିରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିସହିତ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ ଏବଂ ଦନ୍ତ ଚିକିତ୍ସା ବିଭାଗର ମୁଖ୍ୟ ଡ. ଅଶୋକ କୁମାର ଜେନାଙ୍କ ଦ୍ୱାରା ଲିଖିତ “ସ୍ୱାସ୍ଥ୍ୟ ଉପକାର ଏବଂ ରୋଗ ଉପରେ ମାଣ୍ଡିଆର ପ୍ରଭାବ”ଶୀର୍ଷକ ଏକ ପୁସ୍ତକକୁ ଜନସାଧାରଣଙ୍କ ମଧ୍ୟରେ ବଣ୍ଟନ କରାଯାଇଥିଲା।

ସେହିପରି ଏମ୍‌ସର ଡାଏଟିସିଆନ୍‌ ସୌମ୍ୟା ସୁଚରିତା ପୃଷ୍ଟି ଦୈନନ୍ଦିନ ଖାଦ୍ୟରେ ମାଣ୍ଡିଆକୁ ସାମିଲ୍‌ କରିବାର ଉପକାରିତା ସମ୍ପର୍କରେ ସବିଶେଷ ସୂଚନା ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ, ଡିନ୍ (ଏକାଡେମିକ୍) ଡ. ପି ଆର୍‌ ମହାପାତ୍ର, ଡିନ୍‌ (ପରୀକ୍ଷା) ଡ. ସୌଭାଗ୍ୟ ଜେନା, ଡିନ୍‌ (ଗବେଷଣା) ଡ. ସତ୍ୟଜିତ୍ ମିଶ୍ର, ମେଡିକାଲ୍ ଅଧୀକ୍ଷକ ଡ. ଦିଲୀପ କୁମାର ପରିଡା, ଭାରପ୍ରାପ୍ତ ଡିଡିଏ ରଶ୍ମୀ ରଂଜନ ସେଠୀ ଏବଂ ଛାତ୍ର ପ୍ରତିନିଧି ପ୍ରମୁଖ  କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।

ଏମ୍‌ସ ଭୁବନେଶ୍ୱରର ଏପରି ପଦକ୍ଷେପ ସମାଜରେ ମାଣ୍ଡିଆର ବ୍ୟବହାରକୁ ଆହୁରି ଅଧିକ କରିବ ବୋଲି ବିଶ୍ବାସ ରହିଛି। ଆମ ମାଟିର ଏହି ପାରମ୍ପରିକ ପୁଷ୍ଟିଯୁକ୍ତ ଖାଦ୍ୟର ଦୈନିକ ଉପଯୋଗ ଆମକୁ ନିରୋଗ ରଖିବା ସହିତ ମାନସିକ ଭାବେ ଆମକୁ ଦୃଢ଼ କରିବା ନେଇ ଭରସା ଥିବା ପ୍ରକାଶ।