Categories
ଆଜିର ଖବର

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିଜର ଦକ୍ଷତା ରିପୋର୍ଟ ଦେଲେ ରାଜ୍ୟର ସବୁ ମନ୍ତ୍ରୀ, ରବିବାର ଦିନ ହେବ ସମୀକ୍ଷା

ସମୀକ୍ଷା ବ୍ୟୁରୋ

ପ୍ରତି ମାସ ସାତ ତାରିଖରେ ମାସିକା ରିପୋର୍ଟ ଦେବାକୁ ମନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେହି ଅନୁସାରେ ନିର୍ଦ୍ଧାରିତ ତାରିଖର ଗୋଟିଏ ଦିନ ପୂର୍ବରୁ ରାଜ୍ୟର ସମସ୍ତ ମନ୍ତ୍ରୀ ତାଙ୍କର ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି। ଏଥିରେ ମନ୍ତ୍ରୀମାନେ ମାସକ ଭିତରେ କଣକଣ କାର୍ଯ୍ୟ କରିଛନ୍ତି ସେ ସଂପର୍କରେ ଏହି ରିପୋର୍ଟ କରାଯାଇଛି। ନିକଟରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ବିଭିନ୍ନ ସ୍କୁଲ ତଥା ବ୍ଲକ ଏଡୁକେସନ ଅଧିକାରୀ ଅଫିସ ଚଢାଉ କରି ପଦକ୍ଷେପ ନେଇଛନ୍ତି। ସେହିପରି କୃଷିମନ୍ତ୍ରୀ ଅରୁଣ ସାହୁ ମାସକ ମଧ୍ୟରେ ଅନେକ ସମୀକ୍ଷା ବୈଠକ କରି ବିଭିନ୍ନ ପଦକ୍ଷେପ ମଧ୍ୟ ନେଇଛନ୍ତି। ସେହିପରି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ମଧ୍ୟ ବିଭିନ୍ନ ସମୟରେ ସ୍ବାସ୍ଥ୍ୟ ଅଧିକାରୀଙ୍କ ସହିତ ବୈଠକ କରି ନୂଆ ପଦକ୍ଷେପ ଗ୍ରହଣ କରିଛନ୍ତି। ଅନ୍ୟମନ୍ତ୍ରୀମାନେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ବିଭିନ୍ନ ସମୟରେ ସମୀକ୍ଷା ବୈଠକ କରି ପଦକ୍ଷେପମାନେ ନେବାରେ ଲାଗିଛନ୍ତି। ହେଲେ ସେସବୁ ମୁଖ୍ୟମନ୍ତ୍ରୀଙ୍କୁ କେତେ ଆକୃଷ୍ଠ କରୁଛି ତାହା ଜଣାପଡି ନାହିଁ। ଯାହା ଜଣାପଡୁଛି ରବିବାର ଦିନ ମୁଖ୍ୟମନ୍ତ୍ରୀ ମନ୍ତ୍ରୀମାନଙ୍କ ରିପୋର୍ଟକୁ ସମୀକ୍ଷା କରିବେ। ତେବେ ପ୍ରଶ୍ନ ଉଠିଛି ଯେ, ଯେଉଁମନ୍ତ୍ରୀମାନଙ୍କ ଦକ୍ଷତା ଭଲ ନ ଥିବ ତାଙ୍କୁ ମନ୍ତ୍ରୀମଣ୍ଡଳର ବାହାର କରାଯିବ ନା ଅଧିକ ସମୟ ସୁଯୋଗ ଦିଆଯିବ।

Categories
ବିଶେଷ ଖବର ମତାମତ

ଅବସରପ୍ରାପ୍ତ ଡାକ୍ତରମାନଙ୍କ କାନ୍ଧରେ ଆମର ସ୍ବାସ୍ଥ୍ୟସେବା କେତେଦିନ ଚାଲିପାରିବ?

କେଦାର ମିଶ୍ର

ଓଡିଶାର ସ୍ବାସ୍ଥ୍ୟମନ୍ତ୍ରୀ ଭାବରେ ଦାୟିତ୍ଵ ନେବା ପରେ ଶ୍ରୀ ନବ କିଶୋର ଦାସ ରାଜ୍ୟର ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ସକାରାତ୍ମକ ପରିବର୍ତ୍ତନ ଆଣିବାର ପ୍ରୟାସ କରୁଛନ୍ତି, ସେଥିଲାଗି ତାଙ୍କୁ ପ୍ରଶଂସା କରିବାକୁ ପଡିବ। ତେବେ ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ କଥା କହିବା ପୂର୍ବରୁ ବାସ୍ତବ ସମସ୍ୟାଗୁଡ଼ିକର ଚିହ୍ନଟ ଜରୁରୀ। ରାଜ୍ୟରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରଠୁ ଆରମ୍ଭ କରି ମେଡିକାଲ କଲେଜ ପର୍ୟନ୍ତ ସବୁଠି ଡାକ୍ତରଖାନା ଅଛି, ହେଲେ ଡାକ୍ତର ନାହାନ୍ତି। ଏହି ସମସ୍ୟାର ସମାଧାନ ଲାଗି ଅବସରପ୍ରାପ୍ତ ଡାକ୍ତରମାନଙ୍କୁ ଠିକା ଭିତ୍ତିରେ ପୁନଃନିଯୁକ୍ତି ଦିଆଯିବ ଓ ସେମାନଙ୍କ କାମ କରିବାର ସମୟସୀମାକୁ ୭୦ ବର୍ଷ କରାଯିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି। ଏହା ହୁଏତ ଡାକ୍ତର ସମସ୍ୟାକୁ କିଛିଟା ହାଲୁକା କରିବ, ଏହା କିନ୍ତୁ ସମାଧାନ ନୁହେଁ। ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ଅତିକମରେ ହଜାରେ ଲୋକରେ ଜଣେ ଡାକ୍ତର ରହିବା କଥା ବୋଲି କହିଛନ୍ତି। ଏହି ଲକ୍ଷ୍ୟ ପୂରଣରେ ଭାରତ ସରକାର ମଧ୍ୟ ସମର୍ଥ ହେଉନାହାନ୍ତି। ଏବେ ଜାତୀୟ ସ୍ତରରେ ୧୫୯୭ ଲୋକରେ ଜଣେ ଡାକ୍ତର ରହିଛନ୍ତି। ସେହି ତୁଳନାରେ ରାଜ୍ୟର ସ୍ଥିତି ଅତ୍ୟନ୍ତ ଖରାପ । ଆମର ପ୍ରତି ୨୭୪୯ ଜଣଙ୍କ ପାଇଁ ଜଣେ ଡାକ୍ତର ଅଛନ୍ତି। ଗ୍ରାମୀଣ ଓ ସହରୀ ଭେଦରେ ଏ ସଂଖ୍ୟା ଆହୁରି ଚିନ୍ତାର ବିଷୟ। ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନର ଲକ୍ଷ୍ୟ ପୂରଣ ତ ଦୂରର କଥା ଜାତୀୟ ହାର ସହ ସମାନ ହେବାକୁ ଆମକୁ ବହୁତ ସମୟ ଲାଗିବ।

ଅତିକମରେ ରାଜ୍ୟ ପାଇଁ  ୧୦,୦୦୦ ଡାକ୍ତରଙ୍କ ନୂଆ ନିଯୁକ୍ତିର ଆବଶ୍ୟକତା ରହିଛି। ତେବେ ଏତେ ସଂଖ୍ୟକ ଡାକ୍ତର ଆସିବେ କୋଉଠୁ? ଆମର ସବୁ ମେଡିକାଲ କଲେଜରୁ ବାହାରୁଥିବା ଡାକ୍ତରଙ୍କ ସଂଖ୍ୟା ୯୦୦ ରୁ ୧୦୦୦ ଭିତରେ ସୀମିତ । ତାଙ୍କ ଭିତରୁ ଅନେକ ଡାକ୍ତର ବାହାର ରାଜ୍ୟକୁ କିମ୍ବା ବିଦେଶକୁ ପଳାଉଛନ୍ତି। ରାଜ୍ୟ ସରକାରଙ୍କ ଚାକିରିରେ ଥିବା ତିନିଶହରୁ ଅଧିକ ଡାକ୍ତର ପ୍ରତିବର୍ଷ ଅବସର ନେଉଛନ୍ତି। ସେହି ସବୁ ହିସାବକୁ ନେଇ ଦେଖିଲେ ହାରାହାରି ୫୦୦ ନୂଆ ଡାକ୍ତର ଆମର ବ୍ୟବସ୍ଥା ଭିତରକୁ ଆସିପାରୁଛନ୍ତି। ଏହା ରାଜ୍ୟର ଆବଶ୍ୟକତା ପୂରଣ ଲାଗି ଯଥେଷ୍ଟ ନୁହେଁ।

ସରକାରୀ ଡାକ୍ତରକ୍ଷାନ ଗୁଡିକରେ କେବଳ ଡାକ୍ତର ସମସ୍ୟା ଯେ ରହିଛି, ତାହା ନୁହେଁ। ଅନେକ ସ୍ୱାସ୍ଥ୍ୟ କେନ୍ଦ୍ରର ଭିତ୍ତିଭୂମି ଅତ୍ୟନ୍ତ ଦୁର୍ବଳ। ଡାକ୍ତରଖାନା ଲାଗି ଘର ଅଛି, ହେଲେ ଛାତରୁ ପାଣି ଗଳୁଛି। ଅନେକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତରଙ୍କ ରହିବା ଲାଗି ରହିବା ଯୋଗ୍ୟ ଘରନାହିଁ। ରାଜ୍ୟର ଅଧାରୁ ଅଧିକ ସ୍ୱାସ୍ଥ୍ୟ କେନ୍ଦ୍ର ଜଣେ ଡାକ୍ତର ଓ ଜଣେ ପିଅନରେ ଚାଲୁଛି। ବିଭିନ୍ନ ନୂଆ ଯନ୍ତ୍ରପାତି ଚଳାଇବାକୁ ଟେକନିସିଆନ ନାହାନ୍ତି କିମ୍ବା ପାରା ମେଡିକାଲ କର୍ମଚାରୀ ମଧ୍ୟ ନାହାନ୍ତି। ସେମାନଙ୍କ ଅଭାବ ପୂରଣ କରିବା ଲାଗି ରାଜ୍ୟ ସରକାରଙ୍କ ନୀତି କଣ? ଜିଲା ସ୍ତରୀୟ ଡାକ୍ତରଖାନା ଗୁଡିକରେ ସବୁ ପ୍ରକାର ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ରାଜ୍ୟ ସରକାର ବିଭିନ୍ନ ଯୋଜନା କରୁଛନ୍ତି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଲୋକଙ୍କୁ ସର୍ବାଧିକ ସୁବିଧା ଜିଲା ସ୍ତରରେ ହିଁ ମିଳବା କଥା। ତେବେ ଜିଲା ଡାକ୍ତରଖାନା ଗୁଡିକ ସୁରକ୍ଷିତ ଅବସ୍ଥାରେ ଅଛନ୍ତି ତ! ନୂଆ ଖୋଲାଯାଉଥିବା ମେଡିକାଲ କଲେଜ ଗୁଡିକର ସ୍ଥିତି ମଧ୍ୟ ଅତ୍ୟନ୍ତ ସଙ୍ଗୀନ। ସେଠି ଆବଶ୍ୟକୀୟ ପ୍ରଫେସର ନାହାନ୍ତି କିମ୍ବା ଭିତ୍ତିଭୂମି ର ସୁବିଧା ମଧ୍ୟ ନାହିଁ। କୋରାପୁଟ, ବାରିପଦା ଓ ବଲାଙ୍ଗୀର ମେଡିକାଲ କଲେଜର ଅନେକ ସମସ୍ୟା ରହିଛି, ଯାହାକି ନୂଆ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଦୃଷ୍ଟି କୁ ନିହାତି ଆସିବା ଜରୁରୀ।

ସ୍ବାସ୍ଥ୍ୟମନ୍ତ୍ରୀଙ୍କ ନିଜ ଅଞ୍ଚଳ ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜର ଅବସ୍ଥାକୁ ସୁଧାରିବା ତାଙ୍କ ଲାଗି ସବୁଠୁ ବଡ ଆହ୍ଵାନ। ବୁର୍ଲା ଓ ବ୍ରହ୍ମପୁରର ଦୁଇଟି ଯାକ ମେଡିକାଲ କଲେଜର ଅବସ୍ଥା ଓ ଭିତ୍ତିଭୂମି ଆଦୌ ଭଲ ନାହିଁ। ତେବେ ଏ ରିପୋର୍ଟ ଲେଖା ହେବା ବେଳକୁ ଗୋଟେ ଭଲ ଖବର ହେଉଛି, ବୁର୍ଲା, ବାରିପଦା ଓ କୋରାପୁଟ କଲେଜ ପାଇଁ ୧୦୦ ଟି ନୂଆ ଆସନ ବଢିଛି। ଏହା ଭବିଷ୍ୟତରେ ନୂଆ ଡାକ୍ତର ତିଆରି କ୍ଷେତ୍ରରେ ସହାୟକ ହେବ। ନୂଆ ଡାକ୍ତର ନିଯୁକ୍ତି କ୍ଷେତ୍ରରେ ମଧ୍ୟ ସରକାରଙ୍କୁ ନିଜର ନୀତି ଓ ଦୃଷ୍ଟିକୋଣ ବଦଳାଇବାକୁ ପଡିବ। ଠିକା ଭିତ୍ତିକ ଡାକ୍ତର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବିଶେଷ ସହାୟକ ହେବେନାହିଁ। ସ୍ୱାସ୍ଥ୍ୟମନ୍ତ୍ରୀ ଅବସରପ୍ରାପ୍ତ ଡାକ୍ତରଙ୍କ କାର୍ୟକାଳ ବଢାଇବାର ଯେଉଁ ପ୍ରସ୍ତାବ ରଖିଛନ୍ତି, ସେଥିରେ ଡାକ୍ତରଖାନାର ମୌଳିକ ସମସ୍ୟା ସୁଧୁରିବ ନାହିଁ। ଠିକାରେ କାମ କରୁଥିବା ଏହି ଡାକ୍ତରମାନେ ସର୍ଜରୀ କିମ୍ବା ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ସେବାରେ ସହଯୋଗ କରିପାରିବେ ନାହିଁ। କେବଳ ଆଉଟ ଡୋର ସେବାରେ ଏମାନଙ୍କର ବିଶେଷ ଭୂମିକା ରହିବ।

ରାଜ୍ୟର ସ୍ଵାସ୍ଥ୍ୟନୀତି ପ୍ରଣୟନ ବେଳେ  ମନ୍ତ୍ରୀ ଓ ତାଙ୍କର ବିଭାଗ ବିଭିନ୍ନ ପେଷାଦାର ସଂଗଠନ ଓ ନାଗରିକ ସଂଗଠନଗୁଡିକର ପରାମର୍ଶ ନେବା ଜରୁରୀ। ତେବେ ସ୍ୱାସ୍ଥ୍ୟ ମନ୍ତ୍ରୀ ଏ ସମ୍ପର୍କରେ ନିଜର ଦୁଆର ଖୋଲା ରଖିବେ ବୋଲି ଆଶା କରାଯାଏ।

 

Categories
ଆଜିର ଖବର

ଆନ୍ଧ୍ର ପ୍ରଦେଶ ମନ୍ତ୍ରୀଙ୍କ ଅଜବ ବିଶ୍ପାସ,ବର୍ଷା ପାଇଁ ନଦୀ କୂଳରେ ପାଞ୍ଚଦିନ ଧରି କରିବେ ପୂଜାପାଠ

ସମୀକ୍ଷା ବ୍ୟୁରୋ

ଅନେକ ଲୋକଙ୍କର ଭିନ୍ନ ଭିନ୍ନ ବିଶ୍ବାସ ରହିଥାଏ। ମୁଖ୍ୟତଃ ଅଶିକ୍ଷିତ ଲୋକଙ୍କ ପାଖରେ ଏହି ବିଶ୍ବାସ ବେଶୀ ଥାଏ। ହେଲେ ଜଣେ ପ୍ରଭାବଶାଳୀ ମନ୍ତ୍ରୀଙ୍କର ଯେ, ଏକ ଅଜବ ବିଶ୍ବାସ ରହିଛି ତାହା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଘଟଣାଟି ଘଟିଛି ପଡୋଶୀ ରାଜ୍ୟ ଆନ୍ଧ୍ର ପ୍ରଦେଶରେ। ରାଜ୍ୟରେ ବର୍ଷା ହେବା ପାଇଁ ନଦୀକୂଳରେ ପୂଜା ପାଠ କରୁଛନ୍ତି ଆନ୍ଧ୍ରର ଜଣେ ମନ୍ତ୍ରୀ। ବିଶ୍ବାସ ନ ହେଲେ ମଧ୍ୟ ଘଟଣାଟି ସତ। ଆଜି ଆନ୍ଧ୍ର ପ୍ରଦେଶର ନୂଆ ଏଣ୍ଡୱାମେଣ୍ଟ ମନ୍ତ୍ରୀ ଭି. ଶ୍ରୀନିବାସ ରାଜ୍ୟରେ ବର୍ଷା ହେବା ପାଇଁ ବିଜୱାଡାର କ୍ରିଷ୍ଣା ନଦୀକୂଳରେ ଏହି ପୂଜାପାଠ କରିଛନ୍ତି। ନଦୀକୂଳର ମାଲେଶ୍ବର ଦେବସ୍ଥାନମ ନାମକ ସ୍ଥାନରେ ଥିବା କନକ ଦୁର୍ଗା ମନ୍ଦିରରେ ମନ୍ତ୍ରୀ ଏହି ପୂଜା କରିଛନ୍ତି। ବିଶ୍ବାସ ରହିଛି ଯେ, କନକ ଦୁର୍ଗା ନିକଟରେ 5 ଦିନ ଧରି ଏକ ସ୍ବତନ୍ତ୍ର ପୂଜାପାଠ କଲେ ରାଜ୍ୟରେ ବର୍ଷା ହେବ। କିଛିଦିନ ଧରି ଆନ୍ଧ୍ରରେ ମୌସୁମୀ ବାୟୁ ସକ୍ରିୟ ନ ହେବାରୁ ବର୍ଷା ହେଉ ନାହିଁ। ଏହାକୁ ଦୃଷ୍ଟିରେ ରଖି କେତେକ ସମର୍ଥକ ମନ୍ତ୍ରୀ ଶ୍ରୀନିବାସଙ୍କୁ ସ୍ବତନ୍ତ୍ର ପୂଜାପାଠ କରିବା ପାଇଁ ଅନୁରୋଧ କଲେ। ମନ୍ତ୍ରୀ ଏଥିରେ ରାଜି ହୋଇ ପୂଜା କରିବାକୁ ମନ୍ଦିର କର୍ତ୍ତୁପକ୍ଷଙ୍କୁ ନିର୍ଦ୍ଦେଶ ଦେଲେ। ଫଳରେ ମନ୍ଦିରର କାର୍ଯ୍ୟନିର୍ବାହୀ ଅଧିକାରୀ ମନ୍ତ୍ରୀଙ୍କୁ ପୂଜାରେ ସମସ୍ତ ସାହାର୍ଯ୍ୟ ମଧ୍ୟ ଯୋଗାଇ ଦେଉଛନ୍ତି।ପାଞ୍ଚ ଦିନ ଧରି ସେଠାରେ ମନ୍ତ୍ରୀ ପୂଜା ଅର୍ଚ୍ଚନା କରିବେ ବୋଲି ଜଣାପଡିଛି। ଏହାକୁ ନେଇ ମନ୍ତ୍ରୀଙ୍କ ସମର୍ଥକମାନେ ବେଶ୍ ଉତ୍ସାହିତ ହୋଇଥିବା ବେଳେ ବିରୋଧୀ ସମାଲୋଚନା କରିବାରେ ଲାଗିଛନ୍ତି।

Categories
ବିଶେଷ ଖବର

ନନାଙ୍କ ସଂସ୍କୃତ ଓ ଭକ୍ତଙ୍କ ଭାଗବତ; ଏହାରି ଭିତରେ ବ୍ରାହ୍ମଣର ଯଜମାନି ପାଲଟି ଯାଉଛି ଆମର ଗଣତନ୍ତ୍ର

କେଦାର ମିଶ୍ର 

ନନା ଅନର୍ଗଳ ସଂସ୍କୃତରେ ଟେଲିଭିଜନକୁ ସାକ୍ଷାତ୍କାର ଦେଲେ।

ନନା ସଂସ୍କୃତରେ ଲୋକସଭା ସଦସ୍ୟ ଭାବରେ ଶପଥ ନେଲେ।

ନନା ସଂସ୍କୃତରେ ଶପଥ ନେଲାବେଳେ ଲୋକସଭାରେ ସର୍ବାଧିକ ତାଳି ପଡିଲା।

ନନା ଗାଁ କୁ ଆସି ଗାଡିଆରେ ଗାଧେଇଲେ।

ନନା ଭଉଣୀ ରାନ୍ଧିଥିବା ଭାତ ଶାଗ ନ ଖାଇ ଓପାସରେ ଶୋଇ ପଡିଲେ।

ନନାଙ୍କ ବିଷୟରେ କିଛି ସାମ୍ବାଦିକ ମିଥ୍ୟା ସମ୍ବାଦ ପରିବେଷଣ କରୁଛନ୍ତି।

ନନାଙ୍କ ସଫଳତା ଦେଖି କିଛି ଲୋକ ସହି ପାରୁନାହାନ୍ତି।

ନନାଙ୍କ ବିରୋଧରେ ତାଙ୍କ ଦଳର ଜଣେ ବଡ ନେତା ଷଡଯନ୍ତ୍ର କରୁଛନ୍ତି।

ନନା ଆମର ନାଥୁରାମ ଗଡସେକୁ ଦେଶପ୍ରେମୀ ବୋଲି କହନ୍ତି ସିନା ବାସ୍ତବରେ ସେ ଗାନ୍ଧୀବାଦି!!

ନନା…..ନନା…ନନା…… ସତେକି ଓଡିଶାର ସାମ୍ବାଦିକତା ଏବେ ନନା କୈନ୍ଦ୍ରିକ। ୟା ଆଗରୁ ପ୍ରତାପ ଷଡଙ୍ଗୀ ୧୦ ବର୍ଷ ବିଧାୟକ ଥିଲେ। ତାଙ୍କ ରାଜନୈତିକ ଜୀବନରେ ସେ ତିନୋଟି ନିର୍ବାଚନ ଜିତିଛନ୍ତି, ଦୁଇଟି ହାରିଛନ୍ତି। ହେଲେ ତାଙ୍କ ବିଷୟରେ ଏମିତି ବ୍ରହ୍ମଜ୍ଞାନ ହଠାତ ଉଦୟ ହେଲା କାହିଁକି? ସବୁଠୁ ମଜାର କଥା ହେଲା, ସେ ମନ୍ତ୍ରୀ ହେବାର ଲବି ଆରମ୍ଭ ହେଲା ବେଳକୁ ତାଙ୍କର ଦାରିଦ୍ର୍ୟ ଓ ସରଲା ଜୀବନକୁ ନେଇ ବହୁତ ଚର୍ଚ୍ଚା ହେଉଥିଲା। (ଦୁଇଥର ବିଧାୟକ ହୋଇ ଦରମା ଓ ପେନସନ ପାଇ କି ପ୍ରକାର ଦାରିଦ୍ର୍ୟ!) ଏବେ ତାଙ୍କର ସଂସ୍କୃତ ବ୍ୟବହାର କୁ ନେଇ ଚର୍ଚ୍ଚା ଚାଲିଛି। ହଠାତ ସେ ସଂସ୍କୃତ ଭାଷାର ରାଷ୍ଟ୍ରଦୂତ ଭାବରେ ସାମ୍ବାଦିକଙ୍କ ଦ୍ଵାରା ପୂଜିତ ହେବା ଆରମ୍ଭ କରିଛନ୍ତି।

ଯେଉଁ ସାମ୍ବାଦିକମାନେ ସଂସ୍କୃତର ଗୋଟିଏ ଶବ୍ଦ ବୁଝିପାରନ୍ତି ନାହିଁ, ସେମାନେ ପ୍ରତାପ ଷଡଙ୍ଗୀଙ୍କ ସଂସ୍କୃତ ଜ୍ଞାନକୁ ନେଇ ଗଦଗଦ ହୋଇ ପଡ଼ୁଛନ୍ତି। ଓଡିଶାର ଦୁଇଟି ଟେଲିଭିଜନ ଚାନେଲ ଏବେ ପ୍ରତାପ ବାବୁଙ୍କୁ ( ଏ ନନା ଶବ୍ଦଟି କେବେ,କେଉଁଠି, କେମିତି ପ୍ରତାପ ଷଡଙ୍ଗୀଙ୍କ ନାଁ ଆଗରେ ଯୋଡିହେଲା, ତାହା ମଧ୍ୟ ବିଶେଷ ଅନୁସନ୍ଧାନର ବିଷୟ) ମହାପୁରୁଷ କରିବାର ପୂର୍ଣ୍ଣକାଳୀନ ପ୍ରକଳ୍ପ ଆରମ୍ଭ କରିଛନ୍ତି। ସେମାନେ ଏବେ ପୂର୍ଣ୍ଣ ପ୍ରତାପଗତ ପ୍ରାଣ!!

ହଁ, ଏବେ ପଣ୍ଡିତ ପ୍ରତାପ ଷଡଙ୍ଗୀଙ୍କ ସଂସ୍କୃତ ପାଖକୁ ଫେରିବା। ପ୍ରତାପ ବାବୁ ମନ୍ତ୍ରୀ ଭାବରେ ହିନ୍ଦୀରେ ଓ ଲୋକସଭା ସଦସ୍ୟ ଭାବରେ ସଂସ୍କୃତରେ ଶପଥ ନେଲେ। ହିନ୍ଦୀ ଅବା ସଂସ୍କୃତ ତାଙ୍କର ମାତୃଭାଷା କି? ଆମ ଜାଣିବାରେ ୧୩୦ କୋଟି ଲୋକଙ୍କର ଭାରତରେ ମାତ୍ର ୨୪,୮୨୧ ଜଣ ଲୋକ ନିଜ ମାତୃଭାଷା ସଂସ୍କୃତ ବୋଲି ୨୦୧୧ ଜନଗଣନା ସମୟରେ କହିଥିଲେ। ପ୍ରତାପ ବାବୁ କଣ ସେଇ ମାନଙ୍କ ଭିତରୁ ଅନ୍ୟତମ? ଲୋକସଭାରେ ସେ ଯେଉଁ ଭାଷାରେ ଶପଥ ନେଲେ ତାହା ତାଙ୍କର ମାତୃଭାଷା ନଥିଲା କିମ୍ବା ତାଙ୍କୁ ନିର୍ବାଚିତ କରିଥିବା ଲୋକଙ୍କର ମଧ୍ୟ ଭାଷା ନଥିଲା। ତାହେଲେ ସେ ସଂସ୍କୃତକୁ ନିଜର ଭାଷା ଭାବରେ ବାଛିଲେ କାହିଁକି? ଉଦ୍ଦେଶ୍ୟମୂଳକ ଭାବରେ ପ୍ରତାପ ଷଡଙ୍ଗୀଙ୍କୁ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ହିଦୁତ୍ଵ ମୁଖା ଭାବରେ ବ୍ୟବହାର କରାଯାଉଛି। ସଂସ୍କୃତ ଓ ସଂସ୍କୃତ ଆଧାରିତ ବ୍ରାହ୍ମଣବାଦକୁ ଲୋକସଭା ଭିତରେ ଅଧିକ ପ୍ରାଧାନ୍ୟ ଦେବାର ଏହା ଏକ ସୁଚିନ୍ତିତ ରଣନୀତି।

ପ୍ରତାପ ଷଡଙ୍ଗୀ ନିଜର ଓଡିଆ ପରିଚୟ ଅପେକ୍ଷା ନିଜର ସଂସ୍କୃତ ପରିଚୟକୁ ନେଇ ଏତେ ଉତ୍ସାହିତ କାହିଁକି? ଏ ପ୍ରଶ୍ନ ପଚାରିବା ଗଣମାଧ୍ୟମର ଦାୟିତ୍ଵ। ହେଲେ ଗଣମାଧ୍ୟମ ତାଙ୍କର ସଂସ୍କୃତ ଶୁଣି ମନ୍ତ୍ରମୁଗ୍ଧ ହୋଇ ପଡିଛନ୍ତି। ପ୍ରତାପ ନନାଙ୍କ(ନନା କହିଲେ କି ଅର୍ଥ ବହନ କରେ ତାକୁ ନେଇ ବହୁ ଆଞ୍ଚଳିକ ମତ ରହିଛି। ପୁରୀ ଓ ଗଞ୍ଜାମରେ ନନା ହେଉଛନ୍ତି ବାପା, ଉତ୍ତର ଓଡିଶାରେ ନନା ହେଉଛନ୍ତି ବଡଭାଇ, ପଶ୍ଚିମ ଓଡିଶାରେ ଏହା ପିଉସୀ ଅଥବା ଆଈ) ବାଷ୍ପୀୟ ଶକଟ ଜାତୀୟ ସଂସ୍କୃତ(ୟାର ଅର୍ଥ କିଛି ବୁଝିଲେ? ଦେଶୀ ଓଡିଆରେ କହିଲେ ରେଳଗାଡି ପରିକା ଦଉଡୁଥିବା ସଂସ୍କୃତ) ବୁଝିବାର ସାମର୍ଥ୍ୟ ଆମର କେତେଜଣ ସାମ୍ବାଦିକଙ୍କର ରହିଛି ସେମାନେ ହାତ ଟେକିବେ କି?

ବ୍ୟକ୍ତିଗତ ଭାବରେ ମୁଁ ସଂସ୍କୃତ ପଢିପାରେ, ବୁଝିପାରେ, ଟିକେ ଟିକେ କହି ମଧ୍ୟ ପାରେ। ପ୍ରତାପ ବାବୁଙ୍କର ସଂସ୍କୃତ ସାକ୍ଷାତ୍କାରଟିକୁ ମୁଁ ଶୁଣିବାକୁ ଚେଷ୍ଟା କରୁଥିଲି। ସେ ଏତେ ତୀବ୍ର ଗତିରେ ସଂସ୍କୃତ କହୁଥିଲେ ଯେ, ସେଥିରେ ମୋତେ ଗୋଟିଏ ଶବ୍ଦକୁ ବୁଝିବା କାଠିକର ହେଉଥିଲା। ତେଣୁ ଯାହା ବୁଝି ନହୁଏ ତାହା ସଂସ୍କୃତ ବୋଲି ଆମେ କହିପାରିବା କି? ଲୋକ ଜୀବନରେ ଯେଉଁ ଭାଷାର କୌଣସି ବ୍ୟବହାର ଆଉ ନାହିଁ, ତାକୁ ଲୋକସଭାରେ ଭାଷା ବୋଲି ବାହାଷ୍ଫୋଟ ମାରିବାର ମାନେ କଣ? ତେବେ ଏହି ଘଟଣାର ପରବର୍ତ୍ତୀ ପ୍ରତିକ୍ରିୟା ଆମେ ଉତ୍ତର ପ୍ରଦେଶରେ ଦେଖୁଛୁ। ଉତ୍ତର ପ୍ରଦେଶ ସରକାର କହିଲେଣି, ଏଣିକି ସବୁ ସରକାରୀ ବିଜ୍ଞପ୍ତି ସଂସ୍କୃତ ଭାଷାରେ ମଧ୍ୟ ପ୍ରକାଶ ପାଇବା। ଏଇ ସମଗ୍ର ଘଟଣାକ୍ରମ ର ମଞ୍ଜକଥାଟି ଏଇଆ । ଦେବତା ଓ ବ୍ରାହ୍ମଣଙ୍କର ପ୍ରାୟ ମରିଆସୁଥିବା ଓ ଏ ଦେଶର ମାତ୍ର ୦.୦୦୧% ଲୋକ ଜାଣିଥିବା ଏକ ଭାଷାକୁ ଲୋକତନ୍ତ୍ରର ଭାଷା ଭାବରେ ପ୍ରତିଷ୍ଠା କରିବାର ଏ ଉଦ୍ୟମ ପଛରେ କେତେ ବଡ ଷଡଯନ୍ତ୍ର ରହିଛି, ତାକୁ ବୁଝିଲା ବେଳକୁ ନେଡି ଗୁଡ କହୁଣୀକି ବୋହି ସାରିଥିବ!

ମୋବାଇଲରେ ସଂକ୍ଷିପ୍ତ ଖବର ପଢିବା ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ Sankhipta ଆପ୍

Categories
ଆଜିର ଖବର

ମହାରାଷ୍ଟ୍ର ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ : ଭିଖେ ପାଟିଲଙ୍କ ସମେତ ୧୩ ଜଣଙ୍କ ଶପଥଗ୍ରହଣ

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ୍‌ ରବିବାର ନିଜର ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ କରିଛନ୍ତି। ମୁମ୍ବାଇ ରାଜଭବନରେ ଅନୁଷ୍ଠିତ ଏହି ସମ୍ପ୍ରସାରଣରେ ୧୩ ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି। ବିରୋଧୀ ରହିଥିବା ତଥା ନିକଟରେ ବିଜେପିରେ ଯୋଗ ଦେଇଥିବା ରାଧାକ୍ରିଷ୍ଣା ଭିଖେ ପାଟିଲଙ୍କୁ ମନ୍ତ୍ରୀ ପଦ ମିଳିଛି। ଅନ୍ୟମାନଙ୍କ ମଧ୍ୟରେ ମୁମ୍ବାଇ ବିଜେପି ସଭାପତି ଆଶିଷ ସେଲାର ମଧ୍ୟ ଶପଥ ଗ୍ରହଣ କରିଛନ୍ତି। ଭିଖେ ପାଟିଲ, ଆଶିଷ ସେଲାର, ଜଦ୍ୟୁତ୍‌ କ୍ଷୀରସାଗର, ଡ. ସଞ୍ଜୟ କୁଟେ, ସୁରେଶ ଦଗାଡୁ ଖାଡେ, ଡ. ଅନୀଲ ବୋଣ୍ଡେ, ଡ. ଅଶୋକ ଉଇକେ ଏବଂ ତାନାଜୀ ସାଓ୍ବନ୍ତ କ୍ୟାବିନେଟ୍‌ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ୨୦୧୮ରେ କୃଷିମନ୍ତ୍ରୀ ପାଣ୍ଡୁରଙ୍ଗ ଫୁଣ୍ଡକରଙ୍କ ଦେହାନ୍ତ ପରେ ଏହି ସମ୍ପ୍ରସାରଣ ସହିତ ଫଡନବିସ୍‌ ସରକାରଙ୍କ ମନ୍ତ୍ରୀଙ୍କ ସଂଖ୍ୟା ୩୭ରେ ପହଞ୍ଚିଛି।

Categories
ବିଶେଷ ଖବର

ପୁଣି ଥରେ ବାଜି ମାରିନେଲେ ଧର୍ମେନ୍ଦ୍ର ପ୍ରଧାନ , ଜଳକା ହୋଇ ପଡି ରହିଲେ ଜୁଏଲ ଓରାମ ଓ ଅନ୍ୟମାନେ

କେଦାର ମିଶ୍ର

ନରେନ୍ଦ୍ର ଦାମୋଦର ଦାସ ମୋଦୀଙ୍କ ଦ୍ଵିତୀୟ ପାଳିର ସରକାର ଆରମ୍ଭ ହୋଇଛି। ନୂଆ ମୋଦୀ ସରକାରରେ ଏବେ ଯୋଗ ଦେଇଛନ୍ତି ବିଜେପିର ରାଷ୍ଟ୍ରୀୟ ସଭାପତି ଅମିତ ଶାହ। ଅର୍ଥାତ ଏବେ ବିଧିବଦ୍ଧ ଭାବରେ ମୋଦୀ-ଶାହ ସରକାର ଆରମ୍ଭ ହେଲା। ତେବେ ମୋଦୀ ସରକାରର ପ୍ରଥମ ପାଳିରେ ଓଡିଶାରୁ ଜଣେ ମାତ୍ର ଲୋକସଭା ସଦସ୍ୟ ନିର୍ବାଚିତ ହୋଇଥିଲେ ହେଁ, ଦୁଇଜଣ ଓଡିଆ ମନ୍ତ୍ରୀ ପଦ ପାଇଥିଲେ। ଜୁଏଲ ଓରାମ କ୍ୟାବିନେଟ ମନ୍ତ୍ରୀ ଓ ଧର୍ମେନ୍ଦ୍ର ପ୍ରଧାନ ସ୍ଵାଧୀନ ରାଷ୍ଟ୍ରମନ୍ତ୍ରୀ। ହେଲେ ଏଇ ନିର୍ବାଚନରେ ଓଡିଶାରୁ ଆଠ ଜଣ ଲୋକସଭା ସଦସ୍ୟ ବିଜେପିରୁ ଯାଇଛନ୍ତି। ହେଲେ ମନ୍ତ୍ରୀ ହେଲାବେଳକୁ ପୁଣି ସେଇ ଦୁଇ ଜଣ। ଧର୍ମେନ୍ଦ୍ର ଓଡିଶାରୁ ନିର୍ବାଚିତ ହୋଇ ନାହାନ୍ତି। ସେ ରାଜ୍ୟସଭାକୁ ଆଗରୁ ବିହାରରୁ ଯାଇଥିଲେ, ଏବେ ମଧ୍ୟ ପ୍ରଦେଶର ପ୍ରତିନିଧି ଅଛନ୍ତି। ଏମିତି ଦେଖିଲେ ମନ୍ତ୍ରୀ ମଣ୍ଡଳରେ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ପ୍ରଦେଶର ପ୍ରତିନିଧି। ଗତ ପନ୍ଦର ବର୍ଷ ହେଲା ସେ ଓଡିଶାରେ ନିର୍ବାଚନ ଲଢି ନାହାନ୍ତି। ତେଣୁ ତାଙ୍କୁ ଓଡିଶାରୁ ପ୍ରତିନିଧି ବୋଲି ଭାବିବା ଠିକ ହେବନାହିଁ। ସେହି ପୃଷ୍ଠଭୂମିରେ କେନ୍ଦ୍ର ମନ୍ତ୍ରୀ ମଣ୍ଡଳରେ ଜଣେ ମାତ୍ର ଓଡିଶାର ପ୍ରତିନିଧି ଅଛନ୍ତି, ଆଉ ସେ ହେଲେ ବାଲେଶ୍ଵର ଲୋକସଭା ସଦସ୍ୟ ପ୍ରତାପ ଷଡଙ୍ଗୀ। ତାଙ୍କୁ ମିଳିଛି ରାଷ୍ଟ୍ରମନ୍ତ୍ରୀ ପାହ୍ୟା।

ଏଠି ଆମର ପ୍ରଶ୍ନ ହେଉଛି, ଓଡିଶାରୁ ବିଜେପିର ଏକମାତ୍ର ନେତା ଜୁଏଲ ଓରାମ ସବୁ କଠିନ ସମୟରେ ନିର୍ବାଚିତ ହୋଇକି ଯାଉଥିବା ବେଳେ, ତାଙ୍କୁ ମନ୍ତ୍ରୀ ତାଲିକାରୁ ବାଦ ଦେବାର କାରଣ କଣ? ଗତ ମନ୍ତ୍ରିମଣ୍ଡଳରେ ଜୁଏଲ ଭଲ କାମ କରିନଥିଲେ କି? ଯଦି ମୋଦୀ-ଶାହ ଜୁଏଲଙ୍କୁ ଅଯୋଗ୍ୟ ବୋଲି ଭାବିଲେ ତାଙ୍କୁ ସୁନ୍ଦରଗଡରୁ ପୁଣିଥରେ ଟିକଟ ଦେଉଥିଲେ କାହିଁକି? ଜଣେ ନେତା ପ୍ରତ୍ୟକ୍ଷ ନିର୍ବାଚନରେ ଭାଗ ନେଇ ୨ ଲକ୍ଷରୁ ଅଧିକ ବ୍ୟବଧାନରେ ଜିତିକରି ଗଲାବେଳେ, ତାକୁ ମନ୍ତ୍ରିମଣ୍ଡଳରୁ ବିଦା କରି ଦିଆଯାଉଛି। ତାଙ୍କ ପରିବର୍ତ୍ତେ ଯାହାଙ୍କୁ ଓଡିଶାର ପ୍ରତିନିଧି ବୋଲି କୁହାଯାଉଛି, ସେ ନିଜ ଦମ୍ଭରେ ଆଜି ପର୍ୟନ୍ତ ଗୋଟିଏ ବି ନିର୍ବାଚନ ଜିଣି ନାହାନ୍ତି। ଯେଉଁ ଦୁଇଥର ସେ ଲୋକସଭା କୁ ଯାଇଥିଲେ, ତାହା ବିଜେଡି-ବିଜେପି ମେଣ୍ଟ ଥିବା ବେଳେ ହିଁ ସମ୍ଭବ ହୋଇଛି। ଓଡିଶାରେ ନ ରହି, ଓଡିଶାରୁ ନିର୍ବାଚନ ନ ଲଢି, ଓଡିଶାର ପ୍ରତିନିଧି ହେବା ପଛରେ କଣ କାରଣ ରହିଛି, ସେ କଥା ଅବଶ୍ୟ ଲୋକେ ଜାଣନ୍ତି।

ଓଡିଶାରୁ ଯେଉଁ ବିଜେପି ନେତାମାନେ ଲୋକସଭାକୁ ନିର୍ବାଚିତ ହୋଇକି ଗଲେ ସେମାନେ ମନ୍ତ୍ରୀ ହେବାକୁ ଅଯୋଗ୍ୟ କି? ପଶ୍ଚିମ ଓଡିଶାରୁ ବିଜେପି ସବୁବେଳେ ବିପୁଳ ସମର୍ଥନ ପାଇ ଆସୁଥିବା ବେଳେ ନେତୃତ୍ୱ ପ୍ରସଙ୍ଗ ଆସିଲେ ଓ କ୍ଷମତା ବଣ୍ଟନ କ୍ଷେତ୍ରରେ ପଶ୍ଚିମ ଓଡିଶାର ନେତାମାନେ କୋଣଠେସା ହୋଇ ରହନ୍ତି କାହିଁକି? ଜୁଏଲ ଓରାମ ଉଭୟ ବାଜପାୟୀ ଓ ମୋଦୀ ସରକାରରେ ମନ୍ତ୍ରୀ ରହିଥିଲେ ମଧ୍ୟ, ତାଙ୍କୁ ବିଜେପିର କେନ୍ଦ୍ରୀୟ ନେତୃତ୍ଵ ସେତେଟା ଗୁରୁତ୍ଵ ନ ଦେବାର କାରଣ କଣ? ରାଜ୍ୟ ବିଜେପିର ସବୁଠୁ ପୁରୁଖା ଆଦିବାସୀ ନେତାଙ୍କୁ ମନ୍ତ୍ରୀ ମଣ୍ଡଳରୁ ବିଦା କରି ନରେନ୍ଦ୍ର ମୋଦୀ ବୋଧେ ଏଇ ବାର୍ତ୍ତା ଦେବାକୁ ଚାହିଁଛନ୍ତି ଯେ, ତାଙ୍କ ଟିମରେ ଆଦିବାସୀ ଓ ଲୋକପ୍ରିୟ ନେତାଙ୍କର ଆବଶ୍ୟକତା ନାହିଁ। ଆମ ଲୋକ ବି ବିଚିତ୍ର। ପ୍ରତାପ ଷଡଙ୍ଗୀଙ୍କୁ ମହାପୁରୁଷ କରିବାରେ ଆମେ ବହୁ କାହାଣୀ ଲେଖି ସାରିଲୁଣି। ହେଲେ ଜୁଏଲଙ୍କ ଲାଗି କାହା ମନରେ ସାମାନ୍ୟ ଆଗ୍ରହ ନାଇଁ।

ଏଠି କହିଲେ ଅନେକଙ୍କୁ ଖରାପ ଲାଗିପାରେ, ହେଲେ ଅସଲ ସତ୍ୟ ହେଉଛି, ରାଜ୍ୟର ଆଦିବାସୀ ଓ ଦଳିତ ନେତୃତ୍ବକୁ ହେୟ କରି ଦେଖିବାର ଏକ ଭୟଙ୍କର ମାନସିକତା ଆମର ରହି ଆସିଛି। ଧର୍ମେନ୍ଦ୍ର ଓ ପ୍ରତାପ ଆମ ଲାଗି ନାୟକ, କାରଣ ଏମାନେ ତଥାକଥିତ ଉଚ୍ଚ ବର୍ଗର ପ୍ରତିନିଧି। ହେଲେ ଜଣେ ଆଦିବାସୀ ଯୁବକର ସଂଘର୍ଷ ଆମଲାଗି ବଡ ଆକର୍ଷଣ ନୁହେଁ। ଆସନ୍ତା କାଲି ହୁଏତ ଜୁଏଲଙ୍କୁ ଅନ୍ୟ କେଉଁଠି ଥଇଥାନ କରାଯାଇପାରେ। ତେବେ ବିଜେପିର କେନ୍ଦ୍ରୀୟ ନେତୃତ୍ୱ ଓଡିଶାର ଆଦିବାସୀଙ୍କୁ ଜୁଏଲଙ୍କ ପ୍ରସଙ୍ଗରେ କି ଉତ୍ତର ଦେବ? ଜୁଏଲଙ୍କ ସହିତ ରାଜଧାନୀ ଭୁବନେଶ୍ୱର ଲୋକସଭା ଆସନରୁ ଜିତିଥିବା ଅପରାଜିତା ଷଡଙ୍ଗୀ କିମ୍ବା ବଲାଙ୍ଗୀରରୁ ଚତୁର୍ଥ ଥର ଲାଗି ଲୋକସଭାକୁ ପ୍ରତିନିଧିତ୍ଵ କରୁଥିବା ସଙ୍ଗୀତା ସିଂ ଦେଓ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇପାରନ୍ତି ବୋଲି ଆଶା କରାଯାଉଥିଲା। ତେବେ ୫୯ ଜଣିଆ ମନ୍ତ୍ରିମଣ୍ଡଳରେ ମାତ୍ର ୬ ଜଣ ମହିଳା ସଦସ୍ୟ ଥିବା ବେଳେ ଓଡିଶାର ଏ ମହିଳା ସାଂସଦ ମାନେ ଜାଗା ପାଇଥାନ୍ତେ କେଉଁଠି?

Categories
ବିଶେଷ ଖବର ମତାମତ

ପ୍ରଫୁଲ ମଲ୍ଲିକ ହେଲେ ଇସ୍ପାତ ଓ ଖଣି ମନ୍ତ୍ରୀ, ରଣେନ୍ଦ୍ର ପ୍ରତାପ ଖାଦ୍ୟଯୋଗାଣ ଏବଂ ନବ ଦାସ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦାୟିତ୍ବ

ସମୀକ୍ଷା ବ୍ୟୁରୋ

ମନ୍ତ୍ରିମଣ୍ଡଳ ଶପଥ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ମନ୍ତ୍ରୀଙ୍କର ବିଭାଗ ବଣ୍ଟନ କରାଯାଇଛି। ଏଥିରେ ପୁରୁଣା ମନ୍ତ୍ରୀଙ୍କୁ ତାଙ୍କର ପୁରୁଣା ବିଭାଗ ଦିଆଯାଇଥିବା ବେଳେ ନୂଆ ମନ୍ତ୍ରୀଙ୍କୁ ନୂଆ ଦାୟିତ୍ବ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ-ଗୃହ ସାଧାରଣ ପ୍ରଶାସନ ଏବଂ ଅନ୍ୟାନ୍ୟ ବିଭାଗ

କ୍ୟାବିନେଟ

୧-ପ୍ରଫୁଲ ମଲ୍ଲିକ- ଖଣି, ଇସ୍ପାତ ଓ ପୂର୍ତ୍ତ

୨-ନିରଂଜନ ପୂଜାରୀ- ଅର୍ଥ ଓ ଅବକାରୀ

୩-ପ୍ରତାପ ଜେନା- ପଞ୍ଚାୟତିରାଜ, ଆଇନ, ନଗର ଉନ୍ନୟନ

୪-ଅରୁଣ ସାହୁ-କୃଷି, ମତ୍ସ୍ୟ ଓ ପଶୁ ସଂପଦ

୫-ରଣେନ୍ଦ୍ର ପ୍ରତାପ ସ୍ବାଇଁ- ଖାଦ୍ୟ,ଯୋଗାଣ ଓ ସମବାୟ

୬-ସୁଶାନ୍ତ ସିଂ-ଗ୍ରାମ୍ୟ ଉନ୍ନୟନ ଓ ଶ୍ରମ ବିଭାଗ

୭-ସୁଦାମ ମାରାଣ୍ଡି-ରାଜସ୍ବ ଓ ବିପର୍ୟ୍ୟୟ ପ୍ରଶମନ

୮-ବିକ୍ରମ କେଶରୀ ଆରୁଖ- ଜଙ୍ଗଲ ଓ ପରିବେଶ, ସଂସଦୀୟ ବିଭାଗ

୯-ନବ ଦାସ-ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ

୧୦-ଟୁକୁନି ସାହୁ- ମହିଳା ଓ ଶିଶୁ ବିକାଶ

୧୧-ପଦ୍ମନାଭ ବେହେରା-ବାଣିଜ୍ୟ ଓ ପରିବହନ

ରାଷ୍ଟ୍ରମନ୍ତ୍ରୀ ( ସ୍ବାଧୀନ )

୧-ଜ୍ୟୋତି ପାଣିଗ୍ରାହୀ- ପର୍ଯ୍ୟଟନ,ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି

୨-ପ୍ରେମାନନ୍ଦ ନାୟକ- ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା

୩-ଅଶୋକ ପଣ୍ଡା- ବିଜ୍ଞାନ ଓ ପ୍ରଯୁକ୍ତି ,ସାଧାରଣ ଉଦ୍ୟୋଗ

୪-ସମୀର ଦାସ- ବିଦ୍ୟାଳୟ ଓ ଗଣଶିକ୍ଷା

୫-ପଦ୍ମନୀ ଦିଆନ- ହସ୍ତତନ୍ତ ଓ ବୟନ ଶିଳ୍ପ

୬-ଜଗନ୍ନାଥ ସାରକା-ଆଦିବାସୀ କଲ୍ୟାଣ ଓ ପଛୁଆ ବର୍ଗ,ସଂଖ୍ୟା ଲଘୁ

୭-ଦିବ୍ୟଶଙ୍କର ମିଶ୍ର- ଶିଳ୍ପ, ଶକ୍ତି ଓ ଏମଏସଏମଇ

୮-ରଘୁନନ୍ଦନ ଦାସ- ଜଳସଂପଦ ଓ ସୂଚନା ଓ ଲୋକ ସଂପର୍କ

୯-ତୁଶାରକାନ୍ତି ବେହେରା-ଇଲଟ୍ରୋନିକ୍ସ ଓ ସୂଚନା ବିଦ୍ୟା.  କ୍ରୀଡା

ରାଷ୍ଟ୍ରମନ୍ତ୍ରୀ

୧-ଦିବ୍ୟଶଙ୍କର ମିଶ୍ର- ଗୃହ