Categories
ଆଜିର ଖବର ଜାତୀୟ ଖବର

କୋଭିଡ19 ମୁକାବିଲାରେ ସବୁ ଲୋକଙ୍କ ପରି ସଂଖ୍ୟାଲଘୁ ସମ୍ପ୍ରଦାୟ ମଧ୍ୟ ସମଭାବାପନ୍ନ ; ନକଭି

ନୂଆଦିଲ୍ଲୀ : କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟ ଅଧିନସ୍ଥ କୌଶଳ ବିକାଶ କାର୍ଯ୍ୟକ୍ରମ ଜରିଆରେ 1500 ସ୍ଵାସ୍ଥ୍ୟସେବା ସହାୟକଙ୍କୁ ତାଲିମ ପ୍ରଦାନ କରାଯାଇଛି। ସେମାନେ ଏବେ କରୋନା ରୋଗୀଙ୍କ ଚିକିତ୍ସାରେ ଲାଗିଛନ୍ତି ବୋଲି ମନ୍ତ୍ରୀ ନକଭି କହିଛନ୍ତି।

ନକଭି କହିଛନ୍ତି ଯେ, ଏହି ସ୍ଵାସ୍ଥ୍ୟସେବା ସହାୟକଙ୍କ ମଧ୍ୟରୁ ଶତକଡା 50 ଭାଗ ହେଉଛନ୍ତି ଝିଅ, ଯେଉଁମାନେ କି ଦେଶର ବିଭିନ୍ନ ହସ୍ପିଟାଲରେ କରୋନା ରୋଗୀଙ୍କ ଚିକିତ୍ସାରେ ସହାୟତା କରୁଛନ୍ତି। ମନ୍ତ୍ରଣାଳୟ ପକ୍ଷରୁ ଚଳିତ ବର୍ଷ ଆଉ 2000 ସ୍ୱାସ୍ଥ୍ୟ ସହାୟକଙ୍କୁ ତାଲିମ ଦିଆଯିବ। ଏହି ସ୍ୱାସ୍ଥ୍ୟସେବା ସହାୟକମାନଙ୍କୁ ଦେଶର ବିଭିନ୍ନ ସ୍ୱାସ୍ଥ୍ୟ ସଂଗଠନ ଓ ସ୍ଵନାମଧନ୍ୟ ହସ୍ପିଟାଲଗୁଡିକରେ ଏକ ବର୍ଷ ପର୍ଯ୍ୟନ୍ତ ତାଲିମ ପ୍ରଦାନ କରାଯାଉଛି ।

ନକଭି କହିଛନ୍ତି ଯେ, ଦେଶର ବିଭିନ୍ନ ୱାକଫ ବୋର୍ଡଗୁଡିକ ପକ୍ଷରୁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ କରୋନା ସହାୟକ ପାଣ୍ଠିକୁ 51 କୋଟି ଟଙ୍କା ସହାୟତା ଦିଆଯାଇଛି । ଏହାଛଡା ଏହି ୱାକଫ ବୋର୍ଡଗୁଡିକ ବିଭିନ୍ନ ଗରିବ ଲୋକମାନଙ୍କୁ ଖାଦ୍ୟ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ବାଣ୍ଟୁଛନ୍ତି।

ନକଭି କହିଛନ୍ତି ଯେ, ଦେଶର 16ଟି ହଜ ଭବନକୁ କରୋନା ରୋଗୀଙ୍କ ଏକାନ୍ତବାସ ନିମନ୍ତେ ବ୍ୟବହାର କରିବାକୁ ରାଜ୍ୟ ସରକାରଗୁଡିକୁ ହସ୍ତାନ୍ତର କରାଯାଇଛି। ଆବଶ୍ୟକତା ଅନୁସାରେ ସେହି ରାଜ୍ୟ ସରକାରଗୁଡିକ ଏହାର ଉପଯୋଗ କରୁଛନ୍ତି।

ଆଲିଗଡ ମୁସଲିମ ବିଶ୍ଵବିଦ୍ୟାଳୟ ପ୍ରଧାନମନ୍ତ୍ରୀ କେୟାର୍ସ ପାଣ୍ଠିକୁ 1.40 କୋଟି ଟଙ୍କା ପ୍ରଦାନ କରିଛି। କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଆଲିଗଡ ମୁସଲିମ ବିଶ୍ଵବିଦ୍ୟାଳୟ 100ଟି ଶଯ୍ୟାର ବ୍ୟବସ୍ଥା କରିବା ସହ 9000 ରୋଗୀଙ୍କ ନମୁନା ପରୀକ୍ଷଣ କରିଛି ବୋଲି ଶ୍ରୀ ନକଭି କହିଛନ୍ତି।

ମନ୍ତ୍ରୀ ଆହୁରି କହିଛନ୍ତି ଯେ, କରୋନା ରୋଗୀଙ୍କ ପାଇଁ ସଙ୍ଗରୋଧ ଏବଂ ଏକାନ୍ତବାସ ବ୍ୟବସ୍ଥା ଆଜମିର ସରିଫ ଦର୍ଘା ଖ୍ଵାଜା ଆଦର୍ଶ ବିଦ୍ୟାଳୟ ଏବଂ କୟାଦ ବିଶ୍ରାମସ୍ଥଳୀଠାରେ କରାଯାଇଛି। ଜାତି, ଧର୍ମ ନିର୍ବିଶେଷରେ ଲକଡାଉନ କାଳରେ 4500ରୁ ଊର୍ଦ୍ଧ୍ଵ ବ୍ୟକ୍ତିଙ୍କୁ ଖାଦ୍ୟ ଓ ସ୍ୱାସ୍ଥ୍ୟସେବା ସହିତ ରବିହାର ସୁବିଧା ମଧ୍ୟ ଯୋଗାଇ ଦିଆଯାଇଛି । ଦର୍ଘା କମିଟି, ଦର୍ଘା ଖାଦିମ ଏବଂ ସଜଦା-ନସିନ ପକ୍ଷରୁ ଏସବୁ ସୁବିଧା ଯୋଗାଇ ଦିଆଯାଇଛି। ଦର୍ଘା କମିଟି ଏଥିସହ ସଂଶ୍ଳିଷ୍ଟ ସଙ୍ଗଠନଗୁଡିକ ପ୍ରାୟ 1 କୋଟି ଟଙ୍କା ଖର୍ଚ୍ଚ କରି ଅନ୍ୟ ରାଜ୍ୟରେ ଫସି ରହିଥିବା ବିଭିନ୍ନ ଲୋକଙ୍କୁ ସେମାନଙ୍କ ରାଜ୍ୟକୁ ପଠାଇବାର ବ୍ୟବସ୍ଥା କରିଛନ୍ତି।

ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟର ଶିଖୋ ଔର କମାଓ କୌଶଳ ବିକାଶ କାର୍ଯ୍ୟକ୍ରମ ଅଧୀନରେ ମାସ୍କ ପ୍ରସ୍ତୁତ କରାଯାଇ ଲୋକମାନଙ୍କୁ ବଣ୍ଟା ଯାଇଛି। ମନ୍ତ୍ରଣାଳୟ “ଜାନ ଭି ଜାହାନ ଭି” ସଚେତନତା ଆରମ୍ଭ କରି ସମାଜରେ ସାମାଜିକ ଦୂରତ୍ଵ ଓ ଅନ୍ୟାନ୍ୟ ନିୟମାବଳୀ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ପଦକ୍ଷେପ ନେବ।

କରୋନା ବିଶ୍ଵମାରୀର ମୁକାବିଲା ପାଇଁ ଦେଶର ସବୁ ଲୋକ ମିଳିତଭାବେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଡାକରାରେ କାର୍ଯ୍ୟ କରୁଛନ୍ତି। ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକମାନେ ମଧ୍ୟ ସମାଜର ଅନ୍ୟମାନଙ୍କ ଭଳି ଏଥିରେ ସହଭାଗୀ ଅଛନ୍ତି ବୋଲି ଶ୍ରୀ ନକଭି କହିଛନ୍ତି।