Categories
ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ମିଶନ ଶକ୍ତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆଉ ଏକ ଘୋଷଣା, ବଢିଲା ବୈଠକ ଦେୟ ରାଶି

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ମିଶନ ଶକ୍ତି କାର୍ଯ୍ୟକ୍ରମରେ ଗ୍ରାମପଞ୍ଚାୟତ ଓ ବ୍ଲକସ୍ତରୀୟ ଫେଡେରସନର କର୍ମକର୍ତ୍ତାମାନଙ୍କର ବୈଠକ ଦେୟ ବୃଦ୍ଧି କରିବା ସମ୍ପର୍କରେ ଘୋଷଣା କରିଛନ୍ତି।

ରାଜ୍ୟରେ ମିଶନ ଶକ୍ତି ଏକ ବିଶାଳ ଆନ୍ଦୋଳନରେ ପରିଣତ ହୋଇ ମହିଳାମାନଙ୍କ ଆର୍ଥିକ ଓ ସାମାଜିକ ସଶକ୍ତିକରଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଏଥିରେ ବିଭିନ୍ନ ଗ୍ରାମପଞ୍ଚାୟତସ୍ତରୀୟ ଓ ବ୍ଲକସ୍ତରୀୟ ଫେଡେରେସନ ମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ସ୍ୱୟଂସହାୟକ ଗୋଷ୍ଠୀମାନଙ୍କର କାର୍ଯ୍ୟକ୍ରମକୁ କ୍ରୀୟାଶୀଳ କରିବା ଦିଗରେ ଏହି ଫେଡେରେସନମାନଙ୍କର ସ୍ୱତନ୍ତ୍ର ଭୂମିକା ରହିଛି।

5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନଙ୍କ ଜିଲ୍ଲାଗସ୍ତ ସମୟରେ ବିଭିନ୍ନ ଅଞ୍ଚଳରେ ମିଶନ ଶକ୍ତି ଫେଡେରସନର କର୍ମକର୍ତ୍ତାମାନେ ସେମାନଙ୍କ ଦେୟ ପରିମାଣ ବୃଦ୍ଧି କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହ ଏ ବିଷୟରେ ଆଲୋଚନା କରିବା ପରେ ମୁଖ୍ୟମନ୍ତ୍ରୀ ସେମାନଙ୍କ ବୈଠକ ଦେୟ ପରିମାଣ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।

ଏହି ନିଷ୍ପତ୍ତି ଅନୁଯାୟୀ ଗ୍ରାମପଞ୍ଚାୟତ ଓ ବ୍ଲକସ୍ତରୀୟ ଫେଡେରେସନର ସଭାପତି ଏ ସଂପାଦକ ତଥା ଅନ୍ୟ କାର୍ଯ୍ୟକାରିଣୀ ସଦସ୍ୟମାନଙ୍କ ବୈଠକ ଦେୟ ପରିମାଣରେ ୫୦୦ ଟଙ୍କା ବୃଦ୍ଧି କରାଯାଇଛି। ଏହି ବର୍ଦ୍ଧିତ ଦେୟ ପରିମାଣ ୨୦୨୩ ଅକ୍ଟୋବର ମାସରୁ ପିଛିଲା ଭାବେ ଲାଗୁ ହେବ।

ବ୍ଲକସ୍ତରୀୟ ଫେଡେରସନର ସଭାପତି ଓ ସଂପାଦକମାନେ ବୈଠକ ପାଇଁ ପୂର୍ବରୁ ୪,୦୦୦ ଟଙ୍କା ପାଉଥିବା ବେଳେ ଏବେ ୪,୫୦୦ ଟଙ୍କା ପାଇବେ। ସେହିପରି ଏହାର ଅନ୍ୟ କାର୍ଯ୍ୟକାରିଣୀ ସଦସ୍ୟମାନେ ପୂର୍ବରୁ ୨,୦୦୦ ଟଙ୍କା ପାଉଥିବା ବେଳେ ଏବେ ୨,୫୦୦ ଟଙ୍କା ପାଇବେ।

ସେହିପରି ଗ୍ରାମପଞ୍ଚାୟତସ୍ତରୀୟ ଫେଡେରସନର ସଭାପତି ଓ ସମ୍ପାଦକମାନେ ବୈଠକ ପାଇଁ ପୂର୍ବରୁ ୨,୦୦୦ ଟଙ୍କା ପାଉଥିବାବେଳେ ଏବେ ୨,୫୦୦ ଟଙ୍କା ପାଇବେ ଏବଂ ଅନ୍ୟ କାର୍ଯ୍ୟକାରିଣୀ ସଦସ୍ୟାମାନେ ପୂର୍ବରୁ ୧,୦୦୦ ଟଙ୍କା ପାଉଥିବା ବେଳେ ଏବେ ୧,୫୦୦ ଟଙ୍କା ପାଇବେ।

ଏହା ଦ୍ୱାରା ବର୍ଷକୁ ୨୪୯.୨୧ କୋଟି ଟଙ୍କା ଖର୍ଚ୍ଚ ହେବ।

ସୂଚନାଯୋଗ୍ୟ ଯେ ରାଜ୍ୟରେ ସମୁଦାୟ ୬୭୬ ଜଣ ବ୍ଲକସ୍ତରୀୟ ଫେଡେରସନ ସଭାପତି ଓ ସଂପାଦକ ଥିବା ବେଳେ ଅନ୍ୟ ସଦସ୍ୟମାନଙ୍କ ସଂଖ୍ୟା ୩୦୪୨। ସେହିପରି ଗ୍ରାମପଞ୍ଚାୟତସ୍ତରୀୟ ଫେଡେରସନରେ ୧୩,୫୮୮ ଜଣ ସଭାପତି ଓ ସମ୍ପାଦକ ଥିବା ବେଳେ ଅନ୍ୟ ସଦସ୍ୟମାନଙ୍କ ସଂଖ୍ୟା ୧,୦୮,୭୦୪। ଏହା ପରି ସମୁଦାୟ ୧,୨୬,୦୧୦ କର୍ମକର୍ତ୍ତା ଉପକୃତ ହେବେ।

Categories
ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ବଢିଲା ମିଶନ ଶକ୍ତି କମ୍ୟୁନିଟ ସର୍ପୋଟ ଷ୍ଟାଫଙ୍କ ପାରିଶ୍ରମିକ, ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମିଶନ ଶକ୍ତିର କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ମାନଙ୍କର ପ୍ରୋତ୍ସାହନ ରାଶି ବୃଦ୍ଧି ବିଷୟ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ସରକାରଙ୍କ ଏହି ପ୍ରୋତ୍ସାହନ ଅର୍ଥରାଶି ବୃଦ୍ଧି ଯୋଗୁଁ ମିଶନ ଶକ୍ତିର ୫୯,୫୦୯ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ଉପକୃତ ହେବେ ।

ରାଜ୍ୟରେ ମହିଳା ସଶକ୍ତିକରଣରେ ମିଶନ ଶକ୍ତିର କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ମାନଙ୍କର ଅତୁଳନୀୟ ଅବଦାନ କୁ ସମ୍ମାନ ଜଣାଇବା ସହ ସେମାନ ଙ୍କୁ ଉତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପ୍ରୋତ୍ସାହନ ରାଶି ରେ ବୃଦ୍ଧି ଘୋଷଣା କରିଛନ୍ତି।

ମିଶନ ଶକ୍ତି ଅଧୀନରେ ୫୯,୫୦୯ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ଯଥା MBK, CRP-CM, ବ୍ୟାଙ୍କ ମିତ୍ର, ପ୍ରାଣୀ ମିତ୍ର, କୃଷି ମିତ୍ର ଓ ଜୀବିକା ସହାୟିକା କାର୍ଯ୍ୟରତ ଅଛନ୍ତି । ଏହି ନୂତନ ଘୋଷଣା ଅନୁଯାୟୀ ମିଶନ ଶକ୍ତି ଅଧୀନରେ ଗ୍ରାମପଞ୍ଚାୟତ ସ୍ତରରେ କାର୍ଯ୍ୟରତ ସମସ୍ତ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ମାନେ ଉପକୃତ ହେବେ । ଉକ୍ତ ବର୍ଦ୍ଧିତ ପ୍ରୋତ୍ସାହନ ରାଶି ୨୦୨୩ ମସିହା ଅକ୍ଟୋବର ମାସଠାରୁ ପିଛିଲାଭାବେ ନିମ୍ନମତେ ଲାଗୁ କରାଯିବ ।

• MBK, ବ୍ୟାଙ୍କ ମିତ୍ର ଏବଂ ଜୀବିକା ସହାୟିକା ମାନେ ମାସିକ 6750 ଟଙ୍କା ରୁ 10750 ଟଙ୍କା ପାଇବେ ।

• କୃଷି ମିତ୍ର ଓ ପ୍ରାଣୀ ମିତ୍ର ମାସିକ ୩,୭୫୦ ଟଙ୍କା ପରିବର୍ତ୍ତେ ମୋଟ ୬,୨୫୦ ଟଙ୍କା ପାଇବେ ।

• CRP-CM ଏବେ ମାସକୁ ମୋଟ ୩୬୦୦ ଟଙ୍କା ପରିବର୍ତ୍ତେ ୬୧୦୦ ଟଙ୍କା ପାଇବେ ।
ଉପରୋକ୍ତ ବର୍ଦ୍ଧିତ ପ୍ରୋତ୍ସାହନ ରାଶି ପିଛିଲା ଭାବେ ଅକ୍ଟୋବର,୨୦୨୩ ରୁ ପ୍ରଦାନ କରାଯିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବା ବେଳେ ଏ ବାବଦକୁ ରାଜ୍ୟ ସରକାର ୯୬.୫୧ କୋଟି ଅତିରିକ୍ତ ଅର୍ଥ ରାଶିର ବ୍ୟୟ ବରାଦ କରିଛନ୍ତି ।

ସୂଚନାଯୋଗ୍ୟ ଯେ 5T ଅଧ୍ୟକ୍ଷଙ୍କ ଜିଲ୍ଲା ଗସ୍ତ ସମୟରେ community support staff ମାନେ ତାଙ୍କୁ ଭେଟି ସେମାନଙ୍କ ପ୍ରୋତ୍ସାହନ ରାଶି ବୃଦ୍ଧି ବିଷୟରେ ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

Categories
ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, ଏଣିକି ମିଶନ ଶକ୍ତି ମହିଳାଙ୍କୁ ବିନା ସୁଧରେ ମିଳିବ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଓଡିଶାର ୭୦ ଲକ୍ଷ ସ୍ବୟଂ ସହାୟକ ଗୋଷ୍ଠୀ ମା’ ମାନଙ୍କ ପାଇଁ ବିନା ସୁଧରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଶନ ଶକ୍ତି ଋଣ ବ୍ୟବସ୍ଥା, ମିଶନ ଶକ୍ତି ମା’ ମାନଙ୍କ ପାଇଁ ୟୁନିଫର୍ମ ଓ ବ୍ଲେଜର ସହାୟତା ଏବଂ ୧୪୫ କୋଟି ଟଙ୍କାର ସୁଧ ଫେରସ୍ତ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି।

ଏହି ଅବସରରେ ଭୁବନେଶ୍ୱରସ୍ଥିତ ଲୋକସେବା ଭବନ କନ୍‌ଭେନ୍‌ସନ୍‌ ସେଣ୍ଟରଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମିଶନ ଶକ୍ତି ମୋର ସବୁଠାରୁ ପ୍ରିୟ କାର୍ଯ୍ୟକ୍ରମ। ମା’ ମାନଙ୍କ ସମ୍ମାନ ଓ ଉନ୍ନତି ପାଇଁ ମୋ ସରକାର ନିରନ୍ତର ଭାବେ କାମ କରିଚାଲିଛି।

ସେ ଆହୁରି ମଧ୍ୟ କହିଥିଲେ ଯେ ଏକ ସ୍ୱତନ୍ତ୍ର ଜୀବିକା ଅର୍ଜନ ପଦକ୍ଷେପ ମାଧ୍ୟମରେ ମିଶନ ଶକ୍ତି ମା’ ମାନଙ୍କୁ ୮ ହଜାର କୋଟି ଟଙ୍କାର ସରକାରୀ ବିଜିନେସ୍ ସହାୟତା ଯୋଗାଇ ଦିଆଯାଇଅଛି। ମା’ ମାନେ ଏବେ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମରେ ପାର୍ଟନର ହୋଇଛନ୍ତି। ନୂଆ ଓଡିଶା ଗଠନରେ ସାମିଲ ହୋଇଛନ୍ତି।

ଆଜି ମିଶନ ଶକ୍ତି ମା’ ମାନଙ୍କର ଭଲ କାମ ଦେଶ ବିଦେଶରେ ପହଞ୍ଚି ପାରିଛି। ସ୍ୱୟଂ ସହାୟକ ଗୋଷ୍ଠିର ମା’ ମାନେ ଦୁବାଇ ଓ ସିଙ୍ଗାପୁରକୁ exposure visit ରେ ଯାଉଥିବାରୁ ଖୁସି ବ୍ୟକ୍ତ କରି କହିଥିଲେ ଯେ ଆଗକୁ ଅଧିକରୁ ଅଧିକ ମା’ ମାନେ ବିଦେଶ ଯିବେ।

ସ୍ୱୟଂ ସହାୟକ ଗୋଷ୍ଠିର ମା’ ମାନେ SHG ରୁ SME ଆଡକୁ ଆଗଉଥିବାର ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଜି ସ୍ୱୟଂ ସହାୟକ ଗୋଷ୍ଠିର ମା’ ମାନେ Corporate ଜଗତ ସହ ଯୋଡି ହୋଇଛନ୍ତି। ବିଜିନେସ୍‌ କରିବା ପାଇଁ ଆଗଉଛନ୍ତି। ସେଥିପାଇଁ ରାଜ୍ୟର ୭୦ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠିର ସଦସ୍ୟା ଓ ୧.୫ ଲକ୍ଷ ଏସ.ଏଚ୍.ଜି. ଲିଡର ମାନଙ୍କ ପାଇଁ ୟୁନିଫର୍ମ ଓ ବ୍ଲେଜର ପାଇଁ ୭୩୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି।

ସେ ଆହୁରି ମଧ୍ୟ କହିଥିଲେ ଯେ ମିଶନ ଶକ୍ତି ମା’ ମାନଙ୍କ ଦ୍ୱାରା ତିଆରି ଜିନିଷର ବିକ୍ରି ପାଇଁ ମିଶନ ଶକ୍ତି ବଜାର କରାଯାଉଛି। ଭୁବନେଶ୍ୱରରେ ଏକ ଅତ୍ୟାଧୁନିକ ମିଶନ ଶକ୍ତି ବଜାର ଆଜି ଖୋଲାଯିବ। ଆସନ୍ତା ୫ ବର୍ଷ ମଧ୍ୟରେ ସମଗ୍ର ରାଜ୍ୟରେ ୫ ହଜାର ମିଶନ ଶକ୍ତି ବଜାର ଓ Retail Outlet ଖୋଲାଯିବ। ଚଳିତ ବର୍ଷ ମିଶନ ଶକ୍ତି ମା’ ମାନେ ୧୫ ହଜାର କୋଟି ଟଙ୍କାର ବ୍ୟାଙ୍କ ଋଣ ପାଇଛନ୍ତି।

ଆସନ୍ତା ୫ ବର୍ଷ ମଧ୍ୟରେ ୭୫ ହଜାର କୋଟି ଟଙ୍କାର ବ୍ୟାଙ୍କ ଋଣ ମା’ ମାନଙ୍କୁ ଯୋଗାଇ ଦିଆଯିବ । ଏଣିକି ଓଡିଶାର ମା’ ମାନେ ବିନା ସୁଧରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଋଣ ନେଇପାରିବେ ଏବଂ ସମସ୍ତ ସୁଧ ରାଜ୍ୟ ସରକାର ଫେରସ୍ତ କରିବେ । ଏହା ଦ୍ୱାରା ମା’ ମାନଙ୍କର ଲକ୍ଷ ଲକ୍ଷ ଟଙ୍କା ସଞ୍ଚୟ ହେବ । ଆଜି ମିଶନ ଶକ୍ତି ମା’ ମାନେ ଓଡିଶାର ରୂପାନ୍ତରରେ ଯୋଗଦାନ ଦେଉଛନ୍ତି ବୋଲି ସେ କହିଥିଲେ।

ମିଶନ ଶକ୍ତି କମ୍ୟୁନିଟି ସପୋର୍ଟ ଷ୍ଟାଫ ଓ ଫେଡେରେସନ ଲିଡର ମାନେ ବହୁତ ଭଲ କାମ କରୁଛନ୍ତି ବୋଲି ପ୍ରଶଂସା କରି ଖୁବ୍‌ ଶୀଘ୍ର ସେମାନେ ଖୁସି ଖବର ପାଇବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସୁଧ ଫେରସ୍ତ ବ୍ୟବସ୍ଥାର ଶୁଭାରମ୍ଭ କରି ବରଗଡ ଜିଲ୍ଲା ମା’ ଯମୁନା ଏସ୍.ଏଚ୍.ଜି. ଓ ଗଂଜାମ ଜିଲ୍ଲା ମା’ ବିମଳା ଏସ୍‌.ଏଚ୍‌.ଜି.କୁ ଚେକ୍‌ ପ୍ରଦାନ କରିଥିଲେ।

କାର୍ଯ୍ୟକ୍ରମରେ ଯୋଗଦେଇ ମହିଳା ଓ ଶିଶୁ ବିକାଶ ତଥା ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଦିଗ୍‌ଦର୍ଶନରେ ମହିଳା ସଶକ୍ତିକରଣ ନିମନ୍ତେ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧାତା ମିଶନ ଶକ୍ତି ମା’ମାନଙ୍କୁ ସ୍ୱତନ୍ତ୍ର ପରିଚୟ ଦେଇଛି। ଏସ୍.ଏଚ.ଜି ସ୍ତରରେ ମହିଳା ନେତୃତ୍ୱାଧିନ ଉଦ୍ୟୋଗଗୁଡିକୁ ପ୍ରୋତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଏହି ବିନା ସୁଧରେ ଋଣ ବ୍ୟବସ୍ଥା ମା’ମାନଙ୍କୁ ଅହୁରି ଅଧିକ ସଶକ୍ତ କରିବ ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ ମିଶନ ଶକ୍ତି ଉପଦେଷ୍ଟା ଲୋପାମୁଦ୍ରା ବକ୍ସି ପାତ୍ର, ଗିତାଞ୍ଜଳୀ ବସ୍ତିଆ, ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦିପ କୁମାର ଜେନା ଉପସ୍ଥିତ ଥିଲେ।

କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ଦେଇ ମିଶନ ଶକ୍ତି ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ସୁଜାତା ରାଉତ କାର୍ତ୍ତିକେୟନ କହିଥିଲେ ଯେ ବିନା ସୁଧରେ ଋଣ ବ୍ୟବସ୍ଥା ମା’ମାନଙ୍କ ହାତମୁଠାକୁ ଟାଣ କରିବା ସହିତ ଆର୍ଥିକ କ୍ଷେତ୍ରରେ ସେମାନଙ୍କୁ ଅଧିକ ସଶକ୍ତ କରିଛି। ମିଶନ ଶକ୍ତି ମା’ମାନେ ଆଜି exposure visit ରେ ଯାଉଛନ୍ତି । ଆଜି ଓଡିଶାର ରୂପାନ୍ତରରେ ମା’ମାନଙ୍କର ଏକ ପଦ ଚିହ୍ନ ଅଧିକ ସ୍ପଷ୍ଟ ହୋଇଯାଉଛି ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ ସମ୍ବଲପୁର ଜିଲ୍ଲାର ଏସ୍.ଏଚ.ଏଜି. ଲିଡର କେତକୀ ବେହେରା ଧନ୍ୟବାଦ ଅର୍ପଣ କରି କହିଥିଲେ ଯେ ମୁଖ୍ୟମନ୍ତ୍ରୀ ଆମ ମା’ ମାନଙ୍କୁ ବହୁତ ସମ୍ମାନ ଦେଉଛନ୍ତି। ଆମକୁ ହାଣ୍ଡିଶାଳରୁ ବାହାର କରି ଦୁବାଇ ଓ ସିଙ୍ଗାପୁର ବୁଲାଇଲେ। ରାଜ୍ୟର ୭୦ ଲକ୍ଷ ମା’ ମାନଙ୍କ ସମ୍ମାନାର୍ଥେ ୟୁନିଫର୍ମ ଓ ବ୍ଲେଜର ବ୍ୟବସ୍ଥା କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ସେ ଅଶେଷ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଥିଲେ।

କାର୍ଯ୍ୟକ୍ରମରେ ବିଭାଗୀୟ ବରିଷ୍ଠ ଅଧିକାରୀ ଓ ମିଶନ ଶକ୍ତିର ବହୁସଂଖ୍ୟକ ମା’ମାନେ ଯୋଗ ଦେଇଥିଲେ।

Categories
ଆଜିର ଖବର

ସଫଳତା ଓ ଅଗ୍ରଗତି ପଥେ, ସରାପାଲିର ମା’ ଦୁର୍ଗା ମାଣ୍ଡିଆ ଉତ୍ପାଦକ ଗୋଷ୍ଠୀ

କନ୍ଦର୍ପ ବେହେରା
ରେଢାଖୋଲ: ଓଡିଶା ର ଅଗଣିତ ମହିଳା ସ୍ବୟଂ ସହାୟୀକା ଗୋଷ୍ଠୀ ଓରମାସ୍ ଓଡିଶା ମିଶନ୍ ଶକ୍ତି ଓ ଓଡିଶା ମିଲେଟ୍ ମିଶନ୍ ର ସାହାଯ୍ୟ ତଥା ସହଯୋଗ ରେ ମାଣ୍ଡିଆ ଏବଂ ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟ ଦ୍ରବ୍ୟ ବିକ୍ରି ରେ ଅଗ୍ରଗତି କରି ପାରିଛନ୍ତି। ଗ୍ରାମ୍ୟ ଉତ୍ପାଦିତ ଦ୍ରବ୍ୟ ର କିଣାବିକା ଉନ୍ନତି ପାଇଁ ଓରମାସ୍ (ଓଡିଶା ରୁରାଲ୍ ଡେଭଲପମେଣ୍ଟ୍ ଏଣ୍ଡ୍ ମାର୍କେଟିଙ୍ଗ୍ ସୋସାଇଟି) ୧୪.୧.୧୯୯୧ ରେ ଗଠିତ ହୋଇ ଥିଲା। ନାରୀ ସଶକ୍ତିକରଣ ନିମନ୍ତେ ଓଡିଶା ମିଶନ୍ ଶକ୍ତି ୮.୩.୨୦୦୧ ରେ ସ୍ଥାପିତ ହୋଇଥିଲା। ମାଣ୍ଡିଆ ଚାଷ ମାଣ୍ଡିଆ ରୁ ପ୍ରସ୍ତୁତ ଖାଦ୍ୟ ବିକ୍ରି ପାଇଁ ୨୦୧୭ ରେ ଖୋଲିଥିଲା ଓଡିଶା ମିଲେଟ୍ ମିଶନ୍। ମହିଳା ମାନେ କିପରି ଆତ୍ମନିର୍ଭରଶୀଳ ହେବେ ସେଥିପାଇଁ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରି ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି।

ସମ୍ବଲପୁର ଜିଲ୍ଲା ର ନାକ୍ଟିଦେଉଳ ବ୍ଲକ୍ ଅନ୍ତର୍ଗତ ସରାପାଲି ଗ୍ରାମ ରେ ପ୍ରାୟ ୧୫ ଟି ସ୍ବୟଂ ସହାୟୀକା ଗୋଷ୍ଠି ରହିଛି। ସରାପାଲି ର ଦିବ୍ୟ ଭାରତୀ ସ୍ବୟଂ ସହାୟିକା ଗୋଷ୍ଠି ର ସଭାନେତ୍ରୀ ମାନସୀ ପ୍ରଧାନ ଙ୍କ ନେତ୍ରୁତ୍ବ ରେ ପ୍ରତି ଏସ୍ ଏଚ୍ ଜି ର ୨ ଜଣ ଲେଖାଏଁ ସଦସ୍ୟା ଙ୍କୁ ନେଇ ୨୦୨୩ ନଭେମ୍ବର ମାସ ଠାରୁ ଗଠିତ ହୋଇଛି ସରାପାଲି ମା ଦୁର୍ଗା ମାଣ୍ଡିଆ ଉତ୍ପାଦକ ଗୋଷ୍ଠି। ଓଡିଶା ମିଲେଟ୍ ମିଶନ୍ ତରଫ ରୁ ଦୁୁଇଟି ଇଲେକଟ୍ରିକ୍ ମେସିନ୍ ମାଗଣା ରେ ମା ଦୁର୍ଗା ମାଣ୍ଡିଆ ଉତ୍ପାଦକ ଗୋଷ୍ଠି କୁ ଯୋଗେଇ ଦିଆ ଯାଇଛି। ସମସ୍ତ ସଦସ୍ୟା ଙ୍କ ସହଯୋଗ ରେ ମାଣ୍ଡିଆ ପାଉଡର୍ ପିଠା ,କେକ୍, ମୁଡୁକି ,ପକୁଡି ,ହଳଦୀ ଓ ଲଙ୍କାଗୁଣ୍ଡ ପ୍ରସ୍ତୁତ କରାଯାଉଛି। ଏପର୍ଯ୍ୟନ୍ତ ଏହି ଉତ୍ପାଦକ ଗୋଷ୍ଠୀକୁ ଆର୍ଥୀକ ସହାୟତା ମିଳି ନଥିଲେ ମଧ୍ୟ ପ୍ରତି ସଦସ୍ୟା ନିଜ ହାତରୁ ୧୫୦୦ ରୁ ୩୦୦୦ଟଙ୍କା ଦେଇ ଖର୍ଚ୍ଚ ତୁଲାଉଛନ୍ତି।

ଏହି ମାଣ୍ଡିଆ ଉତ୍ପାଦକ ଗୋଷ୍ଠୀ ଇତି ମଧ୍ୟ ରେ ମାଣ୍ଡିଆ ରୁ ପକୁଡି, ପିଠା ,ମୁଡୁକି, କେକ୍ ଓ ହଳଦୀ ଲଙ୍କା ଗୁଣ୍ଡ ଷ୍ଟଲ୍ ମାଧ୍ୟମ ରେ ସମ୍ବଲପୁର ଲୋକମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା ରେ ବିକ୍ରି କରିଛନ୍ତି। ସଦସ୍ୟା ମାନେ ୟୁ ଟ୍ୟୁବ୍ ରୁ ମାଣ୍ଡିଆ ପିଠା କେକ୍ ମୁଡୁକି ତିଆରି ଶିଖିଛନ୍ତି। ବର୍ତ୍ତମାନ୍ ଏହି ଗୋଷ୍ଠୀର ସଭାନେତ୍ରୀ ମାନସୀ ପ୍ରଧାନ ଓ ସମ୍ପାଦିକା ରଶ୍ମିତା ବାରିକ୍ ଅଛନ୍ତି। ଗ୍ରାମବାସୀ ଓ ବ୍ଲକ୍ ପ୍ରଶାସନ ଗୋଷ୍ଠୀର ଉଦ୍ୟମ କୁ ଭୁୟସୀ ପ୍ରଶଂସା କରିଛନ୍ତି। ସଦସ୍ୟା ମାନେ ମାଣ୍ଡିଆ ର ବିକାଶ ପାଇଁ ଅକ୍ଳାନ୍ତ ପରିଶ୍ରମ କରିବା ସହିତ ନିଜେ ପେକେଟିଙ୍ଗ୍ କରି ବିକ୍ରି କରୁଛନ୍ତି। ସମସ୍ତଙ୍କ ପାଇଁ ମା ମାନେ ଉଦା ହରଣ ପାଲଟିଛନ୍ତି।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ବାଣପୁରର ମିଶନ ଶକ୍ତି କାଫେରେ ପାଣ୍ଡିଆନ କଣ ଖାଇଲେ ଯେ ଦେଲେ ଅଢେଇ ହଜାର ଟଙ୍କା

ବାଣପୁର( ସୀତାରାମ ଅଗ୍ରୱାଲ): ଗତକାଲି ଖୋର୍ଦ୍ଧା ଜିଲ୍ଲା ବାଣପୁର ଗସ୍ତ ସମୟରେ ୫ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି କେ ପାଣ୍ଡିଆନ ବ୍ଲକ ସମ୍ମୁଖରେ ମିଶନ ଶକ୍ତି କାଫେ ପରିଦର୍ଶନ କରିଥିଲେ। ଏହି ସମୟରେ ସେ ବିନା ପିଆଜ ରସୁଣ ଖାଦ୍ୟ ଖାଇଥିବାର ଜଣାପଡିଛି। ଭାତ, ଡାଲି, ଖଟା, ଭେଣ୍ଡି ଭଜା, କଲରା ଚିପ୍ସ ଏବଂ ପନିର ତରକାରୀ ଆଦି ପାଣ୍ଡିଆନ ଖାଇଥିଲେ ଯାହାକି କମ ତେଲ ଏବଂ ମସଲା ବିହୀନ ଥିଲା।

ନିଜ ଶରୀରକୁ ସୁସ୍ଥ ରଖିବା ପାଇଁ ପାଣ୍ଡିଆନ ସଦାବେଳେ ଏହିପରି ସାଧା ଖାଦ୍ୟ ଖାଉଥିବାର ଜଣାପଡିଛି। ଏହି ସମୟରେ ସେ ମିଶନ ଶକ୍ତି କାଫେ ର ମହିଳାମାନଙ୍କୁ ପ୍ରଶଂସା କରିବା ସହ ଘର ପରି ହାତ ରନ୍ଧା ଖାଦ୍ୟ ଖାଇ ବହୁତ ଖୁସି ଅଛି ବୋଲି କହିଥିଲେ। ତତସହିତ ଉକ୍ତ କାଫେରେ ମଧ୍ୟାହ୍ନ ଭୋଜନ ସହିତ ସକାଳ ଜଳଖିଆ ପ୍ରସ୍ତୁତ କରିବା ପାଇଁ ପରାମର୍ଶ ଦେଇଥିଲେ।

କାଫେକୁ ଆହୁରି ଲୋକାଭିମୁଖୀ କରିବା ପାଇଁ ପରାମର୍ଶ ଦେଇଥିଲେ। କାଫେର ସଠିକ ପରିଚାଳନା ପାଇଁ ବ୍ଲକ ପ୍ରଶାସନକୁ ଧନ୍ୟବାଦ ମଧ୍ୟ ଦେଇଥିଲେ ପାଣ୍ଡିଆନ। ବିଲ ବାବଦକୁ ଏତେ ଟଙ୍କା ହୋଇ ନ ଥିଲେ ମଧ୍ୟ ପାଣ୍ଡିଆନ ୨୫୦୦ ଟଙ୍କା ଦେଇଥିବାର ମିଶନ ଶକ୍ତି ବାଣପୁର ବ୍ଲକ ସମ୍ପାଦିକା ବବିନା ତ୍ରିପାଠୀ ଏବଂ ସଭାପତି କବିତାରାଣୀ ମହାପାତ୍ର ସୂଚନା ଦେଇଛନ୍ତି। ସେହିପରି ମା’ ମାନଙ୍କ ପରିଶ୍ରମରେ ଖୁସି ହୋଇ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କାଫେର ମହିଳାମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ତରଫରୁ ୧ ଲକ୍ଷ ଟଙ୍କା ନଗଦ ପ୍ରଦାନ କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଏସଏଚଜି ମହିଳାଙ୍କ ପାଇଁ ସ୍କୁଟର ଯୋଜନା, ୧୫ ହଜାର ମା’ଙ୍କୁ ମିଳିଲା ସ୍କୁଟର

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ମିଶନ ଶକ୍ତି ସ୍କୁଟର ଯୋଜନାର ଶୁଭାରମ୍ଭ କରିଛନ୍ତି। ଭୁବନେଶ୍ୱରସ୍ଥିତ ଲୋକସେବା ଭବନ କନ୍‌ଭେନ୍‌ସନ୍ ସେଣ୍ଟରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଉପସ୍ଥିତ ସ୍ୱୟଂସହାୟକ ଗୋଷ୍ଠୀର ମା’ ମାନଙ୍କୁ କହିଲେ ଯେ ମହିଳା ସଶକ୍ତିକରଣ କ୍ଷେତ୍ରରେ ଆଜି ଦିନଟି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇ ରହିବ।

ମା’ମାନଙ୍କ ସଶକ୍ତିକରଣ କ୍ଷେତ୍ରରେ ଆଜି ଆମେ ଆଉ ଏକ ପାଦ ଆଗକୁ ଆସିଲୁ। ମିଶନ ଶକ୍ତି ମା’ ମାନଙ୍କୁ ସ୍କୁଟର କିଣିବା ପାଇଁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇ ଦେଉଛୁ। ସେମାନଙ୍କର ଏହି ଋଣ ବାବଦକୁ ୫୨୮ କୋଟି ଟଙ୍କାର ସୁଧ ରାଜ୍ୟ ସରକାର ଦେବେ। ଏହି ଯୋଜନାରେ ୨ ଲକ୍ଷରୁ ଅଧିକ ସ୍ୱୟଂସହାୟକ ଗୋଷ୍ଠୀର ମା’ ମାନେ ସ୍କୁଟର ପାଇବେ। ଆଜି ଏହି ଯୋଜନାର ଶୁଭାରମ୍ଭରେ ୧୫ ହଜାର ମା’ଙ୍କୁ ସ୍କୁଟର ଦିଆଯାଇଛି।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଲେ ଯେ, ଗତି ହିଁ ଶକ୍ତି। ଗତି ହିଁ ସଶକ୍ତିକରଣ। ଆମର ସ୍କୁଟର ଯୋଜନା ମା’ମାନଙ୍କ ଯାତାୟତକୁ ସୁବିଧା କରିବ। ବୃତ୍ତିଗତ କ୍ଷେତ୍ରରେ ମଧ୍ୟ ନୂଆ ସୁଯୋଗ ଆଣିବ। ମା’ମାନେ ବହୁତ ଭଲ କାମ କରୁଛନ୍ତି। ମୋର ପୁରା ବିଶ୍ୱାସ ମା’ମାନେ ଏବେ ଆହୁରି ଭଲ କାମ କରିବେ। ୭୦ ଲକ୍ଷ ମା’ମାନଙ୍କ ନିଜର ଅନୁଷ୍ଠାନ ମିଶନ ଶକ୍ତି ଆହୁରି ମଜୁବୁତ ହେବ। ମା’ମାନଙ୍କ ଗତିଶୀଳତା ଓଡିଶାର ପ୍ରଗତିକୁ ନୂଆ ବେଗ ଦେବ। ମିଶନ ଶକ୍ତି ମା’ମାନଙ୍କୁ ସରକାରୀ କାମ ଦେବାରେ ଦେଶରେ ଓଡିଶା ଏକମାତ୍ର ରାଜ୍ୟ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ବ୍ଲକ ଓ ଜିଲ୍ଲା ସ୍ତରୀୟ ମିଶନ ଶକ୍ତି ଫେଡେରେସନ୍‌କୁ ସରକାରୀ କାର୍ଯ୍ୟ ପାଇଁ ଯାନସୁବିଧା ଯୋଗାଇଦେବା ବାବଦରେ ଘୋଷଣା କରିଥିଲେ। ଯାନସୁବିଧା ବଳରେ ସେମାନଙ୍କର ଦକ୍ଷତା ବୃଦ୍ଧି ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଲେ ଯେ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟମାନଙ୍କୁ ଉଦ୍ୟୋଗୀଭାବେ ପରିଣତ କରିବା ଆମର ଲକ୍ଷ୍ୟ। ଏଥିପାଇଁ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୧୫୦ କୋଟି ଟଙ୍କାର ସୁଧ ସହାୟତା ସିଧା ସଳଖ ଦିଆ ଯାଉଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଖୋର୍ଦ୍ଧା ଜିଲ୍ଲାର ମା’ ମଙ୍ଗଳା ଏସ୍.ଏଚ୍.ଜି ଓ କଟକ ଜିଲ୍ଲାର ଜୟ ଶ୍ରୀରାମ ଏସ୍. ଏଚ୍.ଜିକୁ ସୁଧ ବାବଦ ଚେକ୍‌ ହସ୍ତାନ୍ତର କରିଥିଲେ। ମୁଖ୍ୟମନ୍ତ୍ରୀ ଉପସ୍ଥିତ ମା’ମାନଙ୍କୁ ସମ୍ବୋଧନ କରି କହିଥିଲେ ଯେ ମା’ମାନଙ୍କ ଉପରେ ମୋର ପୂରା ବିଶ୍ୱାସ ଅଛି। ମା’ମାନେ ହିଁ ଆଣିଛନ୍ତି ଓଡିଶା ପାଇଁ ନୂଆ ଗତି, ଶକ୍ତି ଓ ପ୍ରଗତି।

କାର୍ଯ୍ୟକ୍ରମରେ ଅନ୍ୟତମ ଅତଥି ଭାବେ ମିଶନ ଶକ୍ତି ବିଭାଗର ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ କହିଥିଲେ ଯେ ଗତିଶୀଳତା ହିଁ ସଶକ୍ତିକରଣ। ଏହାକୁ ପାଥେୟ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ଐତିହାସିକ ମିଶନ ଶକ୍ତି ସ୍କୁଟର ଯୋଜନା ଆରମ୍ଭ କରିଛନ୍ତି।

ଏହି ଯୋଜନା ମାଧ୍ୟମରେ ୨ ଲକ୍ଷ କମ୍ୟୁନିଟ ସର୍ପୋଟ ଷ୍ଟାଫ, ବିଜିନେସ କରସପନଣ୍ଡାଣ୍ଟ ଏଜେଣ୍ଟ ଏବଂ ଏକ୍ଜୁକ୍ୟୁଟିଭ କମିଟ ମେମ୍ବର ସେମାନଙ୍କ ପସନ୍ଦ ମୁତାବକ ସ୍କୁଟର କିଣିବା ପାଇଁ ବିନା ସୁଧରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଋଣ ପାଇବେ। ଏହି ପଦକ୍ଷେପ ମିଶନ ଶକ୍ତି ଫେଡେରେସନ୍ ସହିତ କାର୍ଯ୍ୟରତ ‌ଓ ଏହା ଅଧିନରେ କାର୍ଯ୍ୟରତ ସଦସ୍ୟାମାନଙ୍କ ଯାତାୟତକୁ ସୁଗମ କରିବା ସହିତ ସେମାନଙ୍କ କାର୍ଯ୍ୟଦକ୍ଷତା ବୃଦ୍ଧି ଦିଗରେ ସହାୟକ ହେବ।

ବିଭାଗୀୟ କମିଶନର ତଥା ଶାସନ ସଚିବ ଶ୍ରୀମତୀ ସୁଜତା ଆର୍ କାର୍ତ୍ତିକେୟନ୍ କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ଅବସରରେ କହିଥିଲେ ଯେ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଗୋଟିଏ ଯୁଗାନ୍ତକାରୀ ପଦକ୍ଷେପର ଉଦ୍‌ଘାଟନ ହେଲା । ୧୫ ହଜାର ଏସ୍.ଏଚ୍.ଜି ମା’ ସ୍କୁଟର ନେଇଛନ୍ତି।

୨ ଲକ୍ଷ କମ୍ୟୁନିଟ ସର୍ପୋଟ ମା’ ପର୍ଯ୍ୟାୟକ୍ରମେ ସ୍କୁଟର ନେବେ । ଏହି ଯୋଜନାରେ ଉପକୃତ ହେବେ। ସେ ଆହୁରି ମଧ୍ୟ କହିଥିଲେ ଯେ ଆମର ଏକ୍ଜକ୍ୟୁଟିଭି କମିଟ ମେମ୍ବରମାନେ ହେଲେ ମିଶନ ଶକ୍ତିର ସେନାପତି। ସେମାନେ ମିଶନ ଶକ୍ତିକୁ ନୂଆ ଦିଗ ଦେଉଛନ୍ତି। ଏହି ସ୍କୁଟର ହେଉଛି ମିଶନ ଶକ୍ତି ମା’ ମାନଙ୍କ ପରିଚୟର ପ୍ରତୀକ। ଦକ୍ଷତାର ପ୍ରତୀକ।

କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟଶାସନ ସଚିବ ଶ୍ରା ପି.କେ. ଜେନା , ମୁଖ୍ୟମନ୍ତ୍ରୀଙ୍କ 5T ସଚିବ ଶ୍ରୀ ଭି.କେ. ପାଣ୍ଡିଆନ, ମିଶନ ଶକ୍ତିର ଉପଦେଷ୍ଟା ଲୋପାମୁଦ୍ରା ବକ୍ସିପାତ୍ର ଏବଂ ଗିତାଞ୍ଜଳୀ ବସ୍ତିଆ ଉପସ୍ଥିତ ଥିଲେ। ରାଜ୍ୟର ପ୍ରତ୍ୟେକ ଜିଲ୍ଲା ଓ ବ୍ଲକ ସଂଘର ସଦସ୍ୟାମାନେ ଆଭାସୀ ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ଏନ୍. ତିରୁମାଲା ନାୟକ ଧନ୍ୟବାଦ ଦେଇଥିଲେ।

Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ନବୀନଙ୍କ ନିର୍ବାଚନୀ ଥୋପ, ଲାଗୁ ହେଲା ‘ମିଶନ ଶକ୍ତି ସ୍କୁଟର ଯୋଜନା’, ମିଳିବ ବିନା ସୁଧରେ ଲକ୍ଷେ

ଭୁବନେଶ୍ବର: ନିର୍ବାଚନ ପାଖେଇ ଆସୁଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୋଟିଏ ପରେ ଗୋଟିଏ ଜନହିତକର ଯୋଜନା ପ୍ରଣୟନ କରିବାରେ ଲାଗିଛନ୍ତି। ନିକଟରେ ସେ ସେହିପରି ବିଭିନ୍ନ ଯୋଜନା କରି କ୍ୟାବିନେଟରେ ପାଶ କରାଇଛନ୍ତି। ଏବେ ପୁଣି ଏକ ନୂଆ ଯୋଜନା ଆରମ୍ଭ କରିଛନ୍ତି। ମିଶନ ଶକ୍ତି ମହିଳାମାନଙ୍କ ପାଇଁ ଲାଗୁ କରିଛନ୍ତି ମିଶନ ଶକ୍ତି ସ୍କୁଟର ଯୋଜନା।

ଆଜି ଏହି ଯୋଜନାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ମଂଜୁରୀ ମିଳିଛି। ଏହି ଯୋଜନାରେ ମିଶନ ଶକ୍ତିର ଯୋଗ୍ୟ ସଦସ୍ୟାଙ୍କୁ ନିଜ ମନ ପସନ୍ଦର ସ୍କୁଟର କିଣିବା ପାଇଁ ଋଣ ପ୍ରଦାନ କରାଯିବ। ଏଥିରେ ଲକ୍ଷେ ଟଙ୍କା ପର୍ଯ୍ୟନ୍ତ ଋଣ ଦିଆଯିବ। ତେବେ ଏହାର ସୁଧ ଟଙ୍କା ରାଜ୍ୟ ସରକାର ବହନ କରିବେ। ଅର୍ଥାତ ମିଶନ ଶକ୍ତି ମହିଳାମାନେ ବିନା ସୁଧରେ ଏହି ଋଣ ପାଇପାରିବେ।

ଏହି ଯୋଜନା ଦ୍ବାରା ମିଶନ ଶକ୍ତି ମହିଳା, ଏସଏଚଜି ମହାସଂଘ, କମ୍ୟୁନିଟ ସପୋର୍ଟ ଷ୍ଟାଫମାନେ ଯାତାୟତ କରିବାରେ ସୁବିଧା ହେବ। ଏହି ଯୋଜନା ପାଇଁ ରାଜ୍ୟ ସରକାର ଆସନ୍ତା ୫ ବର୍ଷ ପାଇଁ ୫୨୮.୫୫ କୋଟି ଟଙ୍କାର ବଜେଟ ଆକଳନ କରିଛନ୍ତି। ଏହି ବଜେଟକୁ ଆଜି କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛନ୍ତି।

ଏହି କ୍ୟାବିନେଟ ବୈଠକରେ ମିଶନ ଶକ୍ତି ସହିତ ୧୭ଟି ବିଭିନ୍ନ ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ବାଜିଛି। ସେଥିମଧ୍ୟରେ ରହିଛି କୃଷି ବିଭାଗ, ସମବାୟ ବିଭାଗ ଏବଂ ସ୍ବାସ୍ଥ୍ୟ ପରିବାର କଲ୍ୟାଣ ବିଭାଗର ବିଭିନ୍ନ ପ୍ରସ୍ତାବକୁ କ୍ୟାବିନେଟ ମଂଜୁର କରିଛନ୍ତି। ରାଜ୍ୟରେ କ୍ୟାନସର ଚିକିତ୍ସା ପାଇଁ ରାଜ୍ୟ ସରକାର ବଡ ପଦକ୍ଷେପ ଗ୍ରହଣ କରିଛନ୍ତି। ସେଥିରେ ରହିଛି ରାଜ୍ୟରେ ୧୧ ଟି କଂପ୍ରହନସିଭ କ୍ୟାନେସର ୟୁନିଟ ସ୍ଥାପନ କରାଯିବ।

ଏହି ଯୋଜନା ପାଇଁ ୧୦୦୧. ୧୪ କୋଟି ଟଙ୍କା ବ୍ୟୟ ଅଟକଳ କରିଛନ୍ତି। ଏହି ଯୋଜନା ଅଟକଳକୁ ଆଜି ରାଜ୍ୟ କ୍ୟାବିନେଟ ମଂଜୁରୀ ପ୍ରଦାନ କରିଛନ୍ତି।

Categories
ବିଶେଷ ଖବର ବ୍ୟବସାୟ

ଏଥର ମିଶନ ଶକ୍ତି ବିଭାଗ ପାଇଁ ୨,୫୫୪ କୋଟି ଟଙ୍କାର ବଜେଟ, କଣ ହେବ ??

ଭୁବନେଶ୍ୱର: ମିଶନ ଶକ୍ତି ଆଜି ଓଡ଼ିଶାର ୭୦ ଲକ୍ଷରୁ ଅଧିକ ମହିଳାଙ୍କ ଜୀବନରେ ପରିବର୍ତ୍ତନ ଆଣିଛି। ଏଥି ନିମନ୍ତେ ମହିଳାମାନଙ୍କୁ ୬ ଲକ୍ଷରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀରେ ସଂଗଠିତ କରି ରୋଜଗାରଭିତ୍ତିକ କାର୍ଯ୍ୟକ୍ରମ ଏବଂ ବିଭିନ୍ନ ସରକାରୀ ଯୋଜନାରେ ସଂପୃକ୍ତ କରାଇ ସଶକ୍ତ କରାଯାଉଛି। ନିରନ୍ତର ଆର୍ଥିର୍କ ସହାୟତା, ଦକ୍ଷତା ବିକାଶ ତାଲିମ ଏବଂ ନୂତନ ଜୀବିକାର ରାହା ଦେଖାଇ ରାଜ୍ୟ ସରକାର ପ୍ରତ୍ୟେକ ମହିଳାଙ୍କ ମନରେ ଆତ୍ମବିଶ୍ୱାସ ଏବଂ ଗର୍ବର ଭାବନା ସୃଷ୍ଟି କରିଛନ୍ତି ବୋଲି ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ୍‌ କହିଛନ୍ତି।

ଆଜି ପୂର୍ବାହ୍ନରେ ଗୀତ ଗୋବିନ୍ଦ ସଦନଠାରେ ମିଶନ ଶକ୍ତି ବିଭାଗ ଦ୍ୱାରା ଆଗତ ୨୦୨୩-୨୪ ମସିହା ବଜେଟ ମୁଖ୍ୟାଂଶ ସଂପର୍କରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ଦେଇ ମନ୍ତ୍ରୀ ଶ୍ରୀମତୀ ହେମ୍ବ୍ରମ୍‌ କହିଛନ୍ତି ଯେ ରାଜ୍ୟ ସରକାର ୨୦୨୩-୨୪ ଆର୍ଥିକ ବର୍ଷରେ ମିଶନ ଶକ୍ତି ବିଭାଗ ପାଇଁ ୨,୫୫୪ କୋଟି ଟଙ୍କାର ବଜେଟ ବ୍ୟବସ୍ଥା କରିଛନ୍ତି, ଯାହା ଗତ ବର୍ଷର ବଜେଟ ତୁଳନାରେ ୨୭ ପ୍ରତିଶତ ଅଧିକ।

ଗତିଶୀଳତା ହେଉଛି ସଶକ୍ତିକରଣ ବୋଲି ଉଲ୍ଲେଖ କରି ମନ୍ତ୍ରୀ ଶ୍ରୀମତୀ ହେମ୍ବ୍ରମ୍‌ କହିଛନ୍ତି ଯେ ମିଶନ ଶକ୍ତି ସ୍କୁଟର ଯୋଜନାରେ କମୁ୍ୟନିଟି ସପୋର୍ଟ ଷ୍ଟାଫ୍‌ ଏବଂ କାର୍ଯ୍ୟନିର୍ବାହୀ କମିଟିର ସଦସ୍ୟାଙ୍କ ପାଇଁ ବୈଦୁ୍ୟତିକ ସ୍କୁଟର ନିମନ୍ତେ ସହାୟତା ଯୋଗାଇ ଦିଆଯିବ। ଏହି ଯୋଜନା ଅଧିନରେ ଇଲେକ୍‌ଟି୍ରକ୍‌ ସ୍କୁଟର କ୍ରୟ ପାଇଁ ଦିଆଯାଉଥିବା ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଋଣ ଉପରେ ସଂପୂର୍ଣ୍ଣ ସୁଧ ରିହାତି ପ୍ରସ୍ତାବ ଦିଆଯାଇଛି। ଏଥି ପାଇଁ ୫୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ବୋଲି ସେ ପ୍ରକାଶ କରିଛନ୍ତି।

ମନ୍ତ୍ରୀ ଶ୍ରୀମତୀ ହେମ୍ବ୍ରମ୍‌ ପୁଣି କହିଛନ୍ତି ଯେ ମିଶନ ଶକ୍ତି ବିଭାଗ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଉଦ୍ୟୋଗୀରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛି। ଏଥି ପାଇଁ ରାଜ୍ୟ ସରକାର ପ୍ରତ୍ୟେକ ଜିଲ୍ଲାରେ ଗୋଟିଏ ଲେଖାଏଁ ଇଣ୍ଡଷ୍ଟ୍ରିଆଲ୍‌ ପାର୍କ ପ୍ରତିଷ୍ଠା କରିବା ପାଇଁ ଅନୁମୋଦନ କରିଛନ୍ତି। ଇଣ୍ଡଷ୍ଟି୍ରଆଲ ପାର୍କ ପ୍ରତିଷ୍ଠା ପାଇଁ ୧୫୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ସେହିପରି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ଉଦ୍ୟୋଗୀରେ ରୂପାନ୍ତରଣ କରିବା ଦିଗରେ ପ୍ରୋତ୍ସାହନ ଦେବା ପାଇଁ ରାଜ୍ୟ ସରକାର ବିନା ସୁଧରେ ମିଶନ ଶକ୍ତି ଋଣକୁ ୩ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି।

ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ୧୦ ହଜାର କୋଟି ଟଙ୍କାର ବ୍ୟାଙ୍କ ଋଣ ଯୋଗାଇ ଦେବା ପାଇଁ ୨୨୦ କୋଟି ଟଙ୍କାର ସୁଧ ଫେରସ୍ତ ବ୍ୟବସ୍ଥା କରାଯାଇଛି। ମା’ମାନଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ସୁଧରିହାତି ଫେରସ୍ତ କରାଯାଉଛି ବୋଲି ମନ୍ତ୍ରୀ ଶ୍ରୀମତୀ ହେମ୍ବ୍ରମ୍‌ କହିଛନ୍ତି।

ମିଶନ ଶକ୍ତି ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ସୁଜାତା କାର୍ତ୍ତିକେୟନ୍‌ କହିଛନ୍ତି ଯେ ସ୍ୱୟଂ ସହୟକ ଗୋଷ୍ଠୀମାନଙ୍କୁ ଉଦ୍ୟୋଗୀରେ ପରିଣତ କରିବା ପାଇଁ ତାଲିମ, ଜୀବନଜୀବିକା ଓ ଦକ୍ଷତା ବିକାଶ ଉପରେ ମିଶନ ଶକ୍ତି ବିଭାଗ ଦ୍ୱାରା ଗୁରୁତ୍ୱ ଦିଆଯାଉଛି। ବ୍ଲକ୍‌ ସ୍ତରରେ କୃଷି ପ୍ରକ୍ରିୟାକରଣ, ବିୟୁଟି, ଡିଜିଟାଲ ଓ ବିଜିନେସ୍‌ ମ୍ୟାନେଜ୍‌ମେଣ୍ଟ, ଫ୍ୟାସନ୍‌ ଡିଜାଇନିଂ, କାଫେ ଏବଂ ଖାଦ୍ୟ ପ୍ରସ୍ତୁତି ଇତ୍ୟାଦି ଉପରେ ତାଲିମ ପାଇଁ ୭୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।

ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ସାରା ରାଜ୍ୟରେ ୫୦୦ଟି ମିଶନ ଶକ୍ତି ବଜାର ପ୍ରତିଷ୍ଠା କରାଯିବ। ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ୧୦ ହଜାର କୋଟି ଟଙ୍କା ମୂଲ୍ୟର ସରକାରୀ ବ୍ୟବସାୟ ଯୋଗାଇବାକୁ ରାଜ୍ୟ ସରକାର ଯୋଜନା କରିଛନ୍ତି। ଏଥି ପାଇଁ ୩୭୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ବୋଲି ଶ୍ରୀମତୀ କାର୍ତ୍ତିକେୟନ୍‌ କହିଛନ୍ତି।

ଶ୍ରୀମତୀ କାର୍ତ୍ତିକେୟନ୍‌ ସାମ୍ବାଦିକମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବା ଅବସରରେ କହିଛନ୍ତି ଯେ ୩୦ ଗୋଟି ଜିଲ୍ଲାସ୍ତରୀୟ ମିଶନ ଶକ୍ତି ମହାସଂଘକୁ ୧ କୋଟି ଟଙ୍କା ଲେଖାଏଁ ଆବର୍ତ୍ତନ ପାଣ୍ଠି ପ୍ରଦାନ ବ୍ୟବସ୍ଥା କରାଯାଇଛି। ୩୩୮ ଗୋଟି ବ୍ଲକ୍‌ସ୍ତରୀୟ ମହାସଂଘକୁ ୫୦ ଲକ୍ଷ ଟଙ୍କା ଲେଖାଏଁ ଆବର୍ତ୍ତନ ପାଣ୍ଠି ପ୍ରଦାନ ବ୍ୟବସ୍ଥା କରାଯାଇଛି। ପ୍ରତ୍ୟେକ ଜିଲ୍ଲା ଓ ବ୍ଲକ୍‌ସ୍ତରୀୟ ମହାସଂଘର ଦୈନନ୍ଦିନ କାର୍ଯ୍ୟ ପରିଚାଳନା ପାଇଁ ଆର୍ଥିକ ସହାୟତାର ବ୍ୟବସ୍ଥା କରାଯାଇଛି।

ଗ୍ରାମ ପଞ୍ଚାୟତ ସ୍ତରୀୟ ମହାସଂଘ କାର୍ଯ୍ୟାଳୟ ନିମନ୍ତେ ଭିତ୍ତିଭୂମିର ବ୍ୟବସ୍ଥା କରାଯାଇଛି। ବ୍ଲକ୍‌ ଓ ପଞ୍ଚାୟତ ସ୍ତରୀୟ ମହାସଂଘର କାର୍ଯ୍ୟନିର୍ବାହୀ କମିଟି ସଦସ୍ୟାଙ୍କ ପାଇଁ ବୈଠକ ଓ ଗସ୍ତ ଭତ୍ତାର ମଧ୍ୟ ବ୍ୟବସ୍ଥା କରାଯାଇଛି। ଏହି ସବୁ ବ୍ୟବସ୍ଥା ନିମନ୍ତେ ବାର୍ଷିକ ୨୬୬.୫୭ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ବୋଲି ଶ୍ରୀମତୀ କାର୍ତ୍ତିିକେୟନ୍‌ ପ୍ରକାଶ କରିଛନ୍ତି।

ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କର ନିୟମିତ ବୈଠକ ଓ ତାଲିମ ସହିତ ସ୍ୱୟଂ ସହାୟକ ଗୋଷ୍ଠୀ ସାମ୍ରଗୀର ବିକି୍ର ବ୍ୟବସ୍ଥା ନିମନ୍ତେ ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ଏବଂ ୱାର୍ଡରେ ମିଶନ ଶକ୍ତି ଗୃହ ଏବଂ ବ୍ଲକ୍‌ ଓ ଜିଲ୍ଲାସ୍ତରରେ ମିଶନ ଶକ୍ତି ଭବନ ନିର୍ମାଣ କରାଯାଉଛି। ସେହିଭଳି ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ସ୍ତରୀୟ ସଂଘ ପାଇଁ କାର୍ଯ୍ୟାଳୟ ସହିତ ମାର୍କେଟ କମ୍ପ୍ଲେକ୍ସ ବ୍ୟବସ୍ଥା କରାଯାଇଛି। ଏଥି ନିମନ୍ତେ ୩୨୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ବୋଲି ଶ୍ରୀମତୀ କାର୍ତ୍ତିକେୟନ୍‌ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମିଶନ ନିର୍ଦ୍ଦେଶାଳୟର କାର୍ଯ୍ୟନିର୍ବାହୀ ଡ. ଥିରୁମାଲା ନାୟକ ଏବଂ ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀଙ୍କ ସମେତ ମିଶନ ଶକ୍ତି ବିଭାଗର ବରିଷ୍ଠ ଅଧିକାରୀ, ଗଣମାଧ୍ୟମର ପ୍ରତିନିଧିମାନେ ଯୋଗଦେଇଥିଲେ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

MIO22: ମିଶନ ଶକ୍ତି ଜିଲ୍ଲା ପାଇଁ ଏକ କୋଟି ଟଙ୍କାର ପାଣ୍ଠି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର:  ଭୁବନେଶ୍ବରରେ ଚାଲିଥିବା ମେକ୍‌ ଇନ୍ ଓଡିଶା କନକ୍ଲେଭରେ ଆଜି ମହିଳା ଉଦ୍ୟୋଗୀ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ କହିଥିଲେ ଯେ 2001 ରେ ଆରମ୍ଭ ହୋଇଥିବା ମିଶନ ଶକ୍ତି, ଆଜି ଓଡ଼ିଶାର ସତୁରି ଲକ୍ଷ ସଶକ୍ତ ମା ମାନଙ୍କର ଏକ ମହାଶକ୍ତି ହୋଇଛି ।

ମୋ ସରକାର ପାଇଁ ମହିଳା ସଶକ୍ତିକରଣ କେବଳ ଏକ ସ୍ଲୋଗାନ୍ ନୁହେଁ, ଏହା ଏକ ପବିତ୍ର ଦାୟିତ୍ଵ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମୋର ଦୃଢ ବିଶ୍ବାସ, ମା ମାନଙ୍କୁ ସଶକ୍ତ ନ କରି, କୌଣସି ପରିବାର, କୌଣସି ସାମାଜ, କୌଣସି ରାଜ୍ୟ ବା କୌଣସି ଦେଶ ଆଗକୁ ବଢ଼ି ପାରିବ ନାହିଁ।

ଓଡ଼ିଶାରେ ଆମର ଛଅ ଲକ୍ଷ ସ୍ବୟଂ ସହାୟକ ଗୋଷ୍ଠି କାମ କରୁଛନ୍ତି ବୋଲି ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ SHG ମାନଙ୍କୁ SME ରେ ରୂପାନ୍ତର କରିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ। ଏଥିପାଇଁ ଆମେ ସବୁ କିଛି କରିବାକୁ ପ୍ରସ୍ତୁତ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ମିଶନ ଶକ୍ତି ମା ମାନଙ୍କୁ ବିନା ସୁଧରେ ପାଞ୍ଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦେବା ସଂକ୍ରାନ୍ତୀୟ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଦ୍ଵାରା ଓଡିଶାର ଲକ୍ଷ ଲକ୍ଷ ମା ଉପକାର ପାଇବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପାଞ୍ଚ ବର୍ଷରେ ପାଞ୍ଚ ହଜାର କୋଟି ଟଙ୍କାର କାମ, ମା ମାନଙ୍କୁ ଦେବା ପାଇଁ ଓଡିଶା କ୍ୟାବିନେଟ ନିଷ୍ପତ୍ତି ନେଇଥିଲା ଓ ଏହାଦ୍ଵାରା ପ୍ରାୟ ଏକ ଲକ୍ଷ SHG ଉପକାର ପାଉଛନ୍ତି।

ମିଶନ ଶକ୍ତି ଫେଡେରେସନମାନଙ୍କୁ ଆହୁରି ମଜବୁତ କରିବା ଓ ସେମାନଙ୍କୁ ସକ୍ରିୟ ଆର୍ଥିକ କେନ୍ଦ୍ରରେ ପରିଣତ କରିବା ଆମର ଲକ୍ଷ୍ୟ ବୋଲି ଉଲ୍ଲେଖ କରି ପ୍ରତି ଜିଲ୍ଲା ଫେଡେରେସନ କୁ ଏକ କୋଟି ଟଙ୍କାର ରିଭଲ୍ଭିଂ ପାଣ୍ଠି, ପ୍ରତି ବ୍ଲକ ସ୍ତରରେ ଫେଡେରେସନକୁ ପଚାଶ ଲକ୍ଷ ଟଙ୍କାର ରିଭଲ୍ଭିଂ ପାଣ୍ଠି ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।

ସେହିପରି ପଞ୍ଚାୟତ ସ୍ତରରେ ଥିବା ଫେଡେରେସନ ପାଇଁ ମାର୍କେଟ କଂପ୍ଲେକ୍ସ ସହ ସ୍ଵତନ୍ତ୍ର ଅଫିସ ଘର ମଧ୍ୟ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ମହିଳାମାନଙ୍କୁ ଉଦ୍ୟୋଗୀ କରିବା ଲକ୍ଷ୍ୟ କୁ ସାକାର କରିବା ପାଇଁ ତିରିଶ ଯାକ ଜିଲ୍ଲାରେ ମାଇକ୍ରୋ, ମିନି ଶିଳ୍ପ ପାର୍କ କରାଯିବ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।

ଓଡିଶାର ରୂପାନ୍ତରଣରେ ମା ମାନଙ୍କର ବଡ ଭୂମିକା ରହିଛି ବୋଲି ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ ମା ମାନଙ୍କର ସାମଗ୍ରିକ ସଶକ୍ତିକରଣ ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ମିଶନ ଶକ୍ତି ବିଭାଗର ଏକ କଫି ଟେବୁଲ ବୁକ, Mission Shakti – Scaling Up ଉନ୍ମୋଚନ କରିଥିଲେ ଏବଂ କଟକ ମା ତାରେଣୀ ଏସଏଚଜିର କବିତା ସାହୁ, ସୁନ୍ଦରଗଡ଼ ଦିବ୍ୟଜ୍ୟୋତି ଏସଏଚଜିର ପ୍ରେମା ଦାସ ଓ ନୂଆପଡା ବନଦୁର୍ଗା ଏସଏଚଜିର ଗାୟତ୍ରୀ ସୁନାଇଙ୍କୁ ସମ୍ମାନିତ କରିଥିଲେ।.

ସେହିପରି ଏସଏଚଜି ମାନଙ୍କୁ ରୁଣ ଦେବା ରେ ଭଲ କାମ କରିଥିବା ଓଡିଶା ଗ୍ରାମ୍ୟ ବ୍ୟାଙ୍କ, ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଓ ୟୁକୋ ବ୍ୟାଙ୍କକୁ ସମ୍ବର୍ଦ୍ଧିତ କରିଥିଲେ। କାର୍ଯ୍ୟକ୍ରମରେ ମିଶନ ଶକ୍ତି ବିଭାଗ ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ ତାଙ୍କ ଉଦବୋଧନରେ ମା ମାନଙ୍କ ବିକାଶ ପାଇଁ ନିଆଯାଇଥିବା ପଦକ୍ଷେପ ଉପରେ ଆଲୋକପାତ କରିଥିଲେ।

ମିଶନ ଶକ୍ତି ସଚିବ ଶ୍ରୀମତୀ ସୁଜାତା କାର୍ତ୍ତିକେୟ ସ୍ଵାଗତ ଭାଷଣ ଦେଇଥିଲେ। ବିଭାଗୀୟ ନିର୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ଏସଏଚଜି ମହିଳାମାନଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ

ଭୁବନେଶ୍ବର: ରାଜ୍ୟର ମିଶନ ଶକ୍ତି ମା’ମାନଙ୍କ କାର୍ଯ୍ୟକ୍ରମରେ ଏକ ବିଶାଳ ପରିବର୍ତ୍ତନ ଆଣିବାର ଲକ୍ଷ୍ୟ ନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସେମାନଙ୍କ ପାଇଁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ବିନା ସୁଧରେ ଯୋଗାଇ ଦିଆଯିବ ବୋଲି ଘୋଷଣା କରିଛନ୍ତି। ୨୦୨୨ ଅପ୍ରେଲ ପହିଲାରୁ ଏହି ନୂତନ ଋଣ ବ୍ୟବସ୍ଥା ଲାଗୁ ହେବ। ପୂର୍ବରୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ବିନା ସୁଧରେ ଦିଆଯାଉଥିଲା।

ଏହାକୁ ଏକ ଯୁଗାନ୍ତକାରୀ ପଦକ୍ଷେପ ରୂପେ ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହାଦ୍ବାରା ଆମର ମିଶନ ଶକ୍ତି ମା’ମାନେ ଏସ୍‌ଏଚଜିରୁ ଏସ୍‌ଏମ୍‌ଇ ବା କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀ ଭାବରେ ନିଜକୁ ପ୍ରତିଷ୍ଠିତ କରିପାରିବେ ଏବଂ ଆମର ଲକ୍ଷ ଲକ୍ଷ ମା ମାନେ ଅଧିକ ଟଙ୍କାର ଋଣ ନେଇ ବଡ ବଡ ବ୍ୟବସାୟ କରିପାରିବେ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡିଶାର ରୂପାନ୍ତର କ୍ଷେତ୍ରରେ ମା’ମାନେ ହେଉଛନ୍ତି ଏକ ଅଭିନ୍ନ ଅଙ୍ଗ। ଆଜିର ଏହି ନିଷ୍ପତ୍ତି ସେମାନଙ୍କୁ ସଶକ୍ତ କରିବାରେ ଓ ସ୍ଥାନୀୟ ଅର୍ଥନୀତିକୁ ପ୍ରୋତ୍ସାହିତ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ସେ କହିଛନ୍ତି।

ମିଶନ ଶକ୍ତି ମା’ମାନଙ୍କୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀ ଭାବରେ ପରିଣତ କରିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆଗାମୀ ୫ ବର୍ଷ ମଧ୍ୟରେ ମିଶନ ଶକ୍ତି ଗ୍ରୁପ ମାନଙ୍କୁ ପ୍ରାୟ ୫୦ ହଜାର କୋଟି ଟଙ୍କାର ଋଣ ଯୋଗାଇ ଦେବାପାଇଁ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି। ଏହାଦ୍ବାରା ମିଶନ ଶକ୍ତିର ମା’ମାନେ ସଫଳ ଉଦ୍ୟୋଗୀ ଭାବରେ ନିଜକୁ ପ୍ରତିଷ୍ଠିତ କରିପାରିବେ ବୋଲି ସେ ଆଶାପ୍ରକାଶ କରିଛନ୍ତି।

ଆମ ପ୍ରତିଶୃତି ଅନୁଯାୟୀ ରାଜ୍ୟ ସରକାର ମିଶନ ଶକ୍ତି ମା’ମାନଙ୍କୁ ଗତ ୩ ବର୍ଷରେ ସରକାରୀ ଭାବରେ ୪୦୦୦ କୋଟି ଟଙ୍କାର ବିଜିନେସ ଯୋଗାଇ ଦେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହାସହିତ ଗତ ୫ ବର୍ଷରେ ମିଶନ ଶକ୍ତି ମା ମାନଙ୍କୁ ୧୭ ହଜାର କୋଟିରୁ ଅଧିକ ଟଙ୍କାର ଋଣ ଯୋଗାଇ ଦିଆଯାଇଛି।

ବର୍ତ୍ତମାନ ଆମର ମିଶନ ଶକ୍ତି ମା ମାନଙ୍କୁ ଉତ୍ସାହିତ କରିବାପାଇଁ ଓଡିଶା ସରକାର ବିନା ସୁଧରେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ସୁବିଧା ଯୋଗାଇ ଦେଉଛନ୍ତି ବୋଲି ପ୍ରକାଶ କରି ସେ କହିଥିଲେ ଯେ ଏହି କାର୍ଯ୍ୟକ୍ରମରେ ଚାରି ଲକ୍ଷ ଏସଏଚଜି ବ୍ୟାଙ୍କ ଖାତାକୁ ରାଜ୍ୟ ସରକାର ୫୦୦ କୋଟି ଟଙ୍କାର ସୁଧ ଫେରାଇଛନ୍ତି।

ମହିଳା ସଶକ୍ତିକରଣ ଦିଗରେ ମିଶନ ଶକ୍ତି ଏକ ଅଭିନବ ଉଦ୍ୟମ ଭାବେ ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟର ୭୦ ଲକ୍ଷ ମା ମାନଙ୍କୁ ୬ ଲକ୍ଷ ଏସଏଚଜି ଜରିଆରେ ଏହା ଏକାଠି କରିପାରିଛି। ଏହି ଆନ୍ଦୋଳନକୁ ଆହୁରି ଆଗକୁ ନେବା ପାଇଁ ତାଙ୍କ ସରକାର ସ୍ବତନ୍ତ୍ର ଭାବରେ ମିଶନ ଶକ୍ତି ବିଭାଗ ଗଠନ କରିଛନ୍ତି ଏବଂ ସବୁ ଏସଏଚଜି କାର୍ଯ୍ୟକ୍ରମ ଏହି ବିଭାଗ ଜରିଆରେ ହିଁ କାର୍ଯ୍ୟକାରୀ କରାଯାଉଛି ବୋଲି ସେ କହିଥିଲେ।

ସୂଚନାଯୋଗ୍ୟ ଯେ ୨୦୨୦ ଜୁନ୍‌ ୧ ତାରିଖରେ ମିଶନ ଶକ୍ତି ବିଭାଗ ପ୍ରତିଷ୍ଠା କରାଯାଇ ରାଜ୍ୟର ସବୁ ଏସ୍‌.ଏଚ.ଜି କାର୍ଯ୍ୟକ୍ରମକୁ ଗୋଟିଏ ବିଭାଗ ଅଧୀନରେ ରଖାଯାଇଥିଲା।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାର ଓଡ଼ିଶା ପାଭିଲିୟନରେ ଶୋଭାପାଉଛି ମହିଳା ସଶକ୍ତିକରଣ

ନୂଆଦିଲ୍ଲୀ/ଭୁବନେଶ୍ୱର: ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ଆଧାରରେ ମିଶନ ଶକ୍ତି ବିଭାଗ ଅଧୀନରେ ୭୦ ଲକ୍ଷରୁ ଊଦ୍ଧ୍ୱର୍ ମହିଳାଙ୍କୁ ନେଇ ଗଠିତ ୭ ଲକ୍ଷ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଶକ୍ତିକରଣର ବାସ୍ତବ ଚିତ୍ର ଦେଖିବାକୁ ମିଳିଛି, ନୂଆଦିଲ୍ଲୀସ୍ଥିତ ପ୍ରଗତି ମୈଦାନରେ ଆୟୋଜିତ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାର ଓଡ଼ିଶା ପାଭିଲିୟନରେ। ତାହା ସହିତ, ସହରୀ ସଭ୍ୟତାର ଚାକଚକ୍ୟରୁ ମୁହଁ ଫେରେଇ କ୍ରମଶଃ ଗ୍ରାମ୍ୟ ସଭ୍ୟତା ପ୍ରତି ଲୋକମାନଙ୍କର ଆଗ୍ରହ ମଧ୍ୟ ଦେଖିବାକୁ ମିଳିଛି, ଏହି ଷ୍ଟଲମାନଙ୍କରେ।

ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାର ଓଡ଼ିଶା ପାଭିଲିୟନରେ ମିଶନ ଶକ୍ତି ବିଭାଗର ୫ ଟି ଷ୍ଟଲ ମଧ୍ୟରୁ ଗୋଟିଏ ଷ୍ଟଲରେ କନ୍ଧମାଳ ଜିଲ୍ଲାର ଜୟଶ୍ରୀ ମହିଳା ମଣ୍ଡଳ ଦ୍ୱାରା ସଂଗୃହୀତ ଓ ପ୍ରକ୍ରିୟାକୃତ ହଳଦୀ, ଅଦା, ଗୋଲମରିଚ, ପାମ୍ପଡ ଆଦି ବିଭିନ୍ନ ପ୍ରକାର ସାମଗ୍ରୀ ରହିଥିବାବେଳେ ଅନ୍ୟ ଏକ ଷ୍ଟଲରେ ପୁରୀ ଜିଲାର ରଘୁରାଜପୁର ସ୍ଥିତ ଗୃହଲକ୍ଷ୍ମୀ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ଷ୍ଟଲରେ ମିଳୁଛି ବିଶ୍ୱପ୍ରସିଦ୍ଧ ପଟ୍ଟଚିତ୍ର।

ପ୍ରଥମ ଥର ପାଇଁ ବାଲେଶ୍ୱରର ବାମପଦା ଜଉ କଣ୍ଢେଇ ମହିଳା ମଣ୍ଡଳ ଦ୍ୱାରା ପ୍ରସ୍ତୁତ ଷ୍ଟଲରେ ସମସ୍ତ ବୟସର ଲୋକଙ୍କ ଭିଡ ଲାଗିରହୁଛି । ପାରିବାରିକ ସୁଖସମୃଦ୍ଧି ବୃଦ୍ଧି ପାଇଁ ଜଉ ନିର୍ମିତ ଗୌରୀଶଙ୍କର କଣ୍ଢେଇ, ମହିଳାମାନଙ୍କ ପାଇଁ ବିଭିନ୍ନ ଡିଜାଇନର ଚୁଡି ଓ ଶଙ୍ଖା, ଗୃହ ସାଜସଜ୍ଜା ସାମଗ୍ରୀ, ପିଲାମାନଙ୍କ ପାଇଁ ଜଉ କଣ୍ଢେଇ ଆଦି ମିଳୁଛି।

ସେହିପରି ଆଦିବାସୀ ଚିତ୍ରକଳା ଏବଂ ପୌରାଣିକ କଥାବସ୍ତୁ ଚିତ୍ରରେ ଚିତ୍ରିତ ଝୋଟ ନିର୍ମିତ ବ୍ୟାଗ ନେଇ ଆସିଥିବା କୋଣାର୍କର ଓମ ଗାୟତ୍ରୀ ମହିଳା ମଣ୍ଡଳ ଷ୍ଟଲରେ ମଧ୍ୟ ଭିଡ ଲାଗି ରହୁଛି। ଅନ୍ୟ ଷ୍ଟଲରେ ବୁଲୁଥିବା ଲୋକଙ୍କ ହାତରେ ଦେଖିବାକୁ ମିଳୁଛି ଏହି ମହିଳା ମଣ୍ଡଳ ଦ୍ୱାରା ନିର୍ମିତ ବିଭିନ୍ନ ଆକୃତି ଓ ଡିଜାଇନର ଝୋଟ ବ୍ୟାଗ। ଏହି ଷ୍ଟଲରେ ଝୋଟରେ ନିର୍ମିତ ଲାପଟପ ବ୍ୟାଗ, ମହିଳାଙ୍କ ମନିପର୍ସ, ଭାନିଟି ବ୍ୟାଗ, ପାଣି ବୋତଲ ବ୍ୟାଗ, ଅନ୍ୟାନ୍ୟ ବ୍ୟବହାର ପାଇଁ ବ୍ୟାଗ ଆଦି ମିଳୁଛି।

ମୟୂରଭଞ୍ଜର ଜୟ ମା ଦୁର୍ଗା ମହିଳା ମଣ୍ଡଳ ଆଣିଥିବା ତମ୍ବା ନିର୍ମିତ ଡୋକରା ସାମଗ୍ରୀ ଷ୍ଟଲରେ ଜନଜାତି ବ୍ୟବହାର କରୁଥିବା ବିଭିନ୍ନ ଡିଜାଇନର ଅଳଙ୍କାର ମଧ୍ୟ ମିଳୁଥିବାରୁ ଏହି ଷ୍ଟଲଟି ସମସ୍ତଙ୍କର ବିଶେଷ କରି ଯୁବପିଢିଙ୍କ ଅନ୍ୟତମ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଛି। ଓଡିଶା ପାଭିଲିୟନର ସାଜସଜ୍ଜା ଓ ପରିପାଟୀ ବେଶ୍‌ ରୁଚିସମ୍ପନ୍ନ ହୋଇଥିବାରୁ ସେଲଫି ନେବା ପାଇଁ ଲୋକମାନଙ୍କର ଏଠାରେ ଗହଳି ଦେଖିବାକୁ ମିଳୁଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

କଟକ, ଖୋର୍ଦ୍ଧା ଓ ନୟାଗଡ ଜିଲ୍ଲାର ମିଶନ ଶକ୍ତି ମା ମାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜି ସଂଧ୍ୟାରେ ନବୀନ ନିବାସଠାରେ କଟକ, ଖୋର୍ଦ୍ଧା ଓ ନୟାଗଡ ଜିଲ୍ଲାର ମିଶନ ଶକ୍ତି ଗୋଷ୍ଠୀର ମା ମାନେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଥିଲେ । ଏହି ଅବସରରେ ଗତ ଅଗଷ୍ଟ ୧୫ ତାରିଖ ୭୫ତମ ସ୍ବାଧୀନତା ଦିବସ ପାଳନ ଅବସରରେ ମା ମାନେ ଜାତୀୟ ପତାକା ତିଆରି ଦାୟିତ୍ବ ନେଇ ଦକ୍ଷତାର ସହ ତୁଲାଇ ଥିବାରୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ ମିଶନ ଶକ୍ତି ମା ମାନଙ୍କ କାର୍ଯ୍ୟର ପ୍ରଶଂସା କରି କହିଥିଲେ ଯେ ଆପଣମାନଙ୍କ ଉପରେ ମୁଖ୍ୟମନ୍ତ୍ରୀଙ୍କ ସଂପୂର୍ଣ୍ଣ ଭରସା ରହିଛି। ଆପଣମାନେ ମଧ୍ୟ ଗାଁ ଗାଁରେ ବିକାଶର ନେତୃତ୍ବ ନେଇ ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନ ଓ ଭରସାକୁ ସାକାର କରିପାରିଛନ୍ତି।

ଜାତୀୟ ପତାକା ତିଆରି ପରି ଏକ ମର୍ଯ୍ୟଦାପୂର୍ଣ୍ଣ ଦାୟିତ୍ବ ଅର୍ପଣ କରିଥିବାରୁ ମିଶନ ଶକ୍ତିର ମା ମାନେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇ ଥିଲେ। ମିଶନ ଶକ୍ତିରେ ସାମିଲ ହୋଇ ଆମେ ଗର୍ବିତ ବୋଲି ସେମାନେ ପ୍ରକାଶ କରିବା ସହିତ ଏଥିପାଇଁ ଆଜି ବିଭିନ୍ନ କ୍ଷେତ୍ରରେ ନିଜର ପ୍ରତିଭାର ବିକାଶ ହୋଇପାରିଛି ବୋଲି ସେମାନେ କହିଥିଲେ ।

ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ସ୍ବାଧୀନତାର ୭୫ତମ ପୂର୍ତ୍ତି ଅବସରରେ ରାଜ୍ୟ ସରକାର ମିଶନ ଶକ୍ତି ମା ମାନଙ୍କୁ ୩୦ ଲକ୍ଷ ଜାତୀୟ ପତାକା ପ୍ରସ୍ତୁତି ଓ ବଣ୍ଟନ ଦାୟିତ୍ବ ଦେଇଥିଲେ।