Categories
ବିଶେଷ ଖବର ରାଜ୍ୟ ଖବର

୫ଟି ଉପକ୍ରମରେ ଆଜି ୩୫୭ଟି ସ୍କୁଲକୁ କରାଗଲା ରୂପାନ୍ତରଣ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ୫-ଟି ସ୍କୁଲ ରୂପାନ୍ତରଣ ଅଭିଯାନର ତୃତୀୟ ପର୍ଯ୍ୟାୟର ଶୁଭାରମ୍ଭ କରିଛନ୍ତି । ଏହି ପର୍ଯ୍ୟାୟର ପ୍ରଥମ ଦିନରେ ଆଜି ୪ଟି ଜିଲ୍ଲାର ୩୫୭ଟି ରୂପାନ୍ତରିତ ସ୍କୁଲକୁ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଛନ୍ତି । ଏଥିରେ ଗଞ୍ଜାମ ଜିଲ୍ଲାର ୧୦୬ଟି ହାଇସ୍କୁଲ, ଅନୁଗୁଳର ୮୭ଟି, କେନ୍ଦୁଝରର ୫୭ଟି ଓ ଜଗତସିଂହପୁରର ୧୦୭ଟି ହାଇସ୍କୁଲ ଅନ୍ତର୍ଭୁକ୍ତ। ତୃତୀୟ ପର୍ଯ୍ୟାୟରେ ସମୁଦାୟ ୨୧୫୧ଟି ରୂପାନ୍ତରିତ ହାଇସ୍କୁଲ ଲୋକାର୍ପିତ ହେବ। ସୂଚନାଯୋଗ୍ୟ ଯେ ଗତ ଦୁଇଟି ପର୍ଯ୍ୟାୟରେ ରାଜ୍ୟରେ ୩୯୮୧ଟି ସ୍କୁଲ ରୂପାନ୍ତରିତ ହୋଇଛି । ତିନୋଟି ପର୍ଯ୍ୟାୟ ସଂପୂର୍ଣ୍ଣ ହେବା ପରେ ରାଜ୍ୟରେ ସମୁଦାୟ ୬୧୩୨ଟି ସ୍କୁଲ ରୂପାନ୍ତରିତ ହେବ ।

ଏହି ଅବସରରେ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଯୋଡି ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଛାତ୍ରଛାତ୍ରୀ ମାନଙ୍କ ସଫଳତା ହେଉଛି ଓଡିଶାର ସଫଳତା । ୫-ଟି ସ୍କୁଲ ଗୁଡିକରେ ପିଲାମାନଙ୍କୁ ସବୁ ପ୍ରକାର ଆଧୁନିକ ସୁବିଧା ଦେବା ପାଇଁ ପ୍ରଚେଷ୍ଟା କରାଯାଇଛି। ପିଲାମାନେ ଏହାର ସୁଯୋଗ ନେଇ ନିଜ ପ୍ରତିଭାର ପରିଚୟ ପ୍ରଦାନ କରିପାରିଲେ, ସେମାନଙ୍କ ନିଜର ଓ ପରିବାରର ଗୌରବ ବୃଦ୍ଧି ହେବା ସହିତ ସାରା ଓଡିଶାର ଗୌରବ ବୃଦ୍ଧି ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଏହିସବୁ ସ୍କୁଲ ଗୁଡିକରେ ଉପସ୍ଥିତ ଥିବା ଛାତ୍ରଛାତ୍ରୀ ମାନଙ୍କୁ ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପିଲାମାନେ ଯଦି ନିଜ ଜୀବନରେ ୫-ଟିର ଉପଯୋଗ କରିବେ, ତେବେ ସେମାନେ ଜୀବନର ସବୁ କ୍ଷେତ୍ରରେ ସଫଳ ହୋଇପାରିବେ । ଏହାକୁ ବ୍ୟାଖ୍ୟାନ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ବର୍ତ୍ତମାନ ଯୁଗ ହେଉଛି ଟେକ୍‌ନୋଲୋଜିର ଯୁଗ । ତେଣୁ ପିଲାମାନେ ନୂଆ ନୂଆ ଟେକ୍‌ନୋଲୋଜି ବିଷୟରେ ଜାଣିବାକୁ ଚେଷ୍ଟା କରିବା ଆବଶ୍ୟକ । ଦ୍ବିତୀୟ ବିଷୟଟି ହେଉଛି ଟିମ୍‌ୱାର୍କ । ପିଲାମାନେ ମିଳିମିଶି କାମ କଲେ, ସଫଳତାର ସମ୍ଭାବନା ବଢିବ। କ୍ରୀଡ଼ା କ୍ଷେତ୍ରରେ ଟିମ୍‌ୱାର୍କ ଅତି ଜରୁରୀ ବୋଲି ସେ କହିଥିଲେ। ସେହିପରି ଜୀବନରେ ସାଧୁତା (Transparency ) ହେଉଛି ଏକ ଜରୁରୀ ଆବଶ୍ୟକତା । ସାଧୁତା ଦ୍ବାରା ମଣିଷର ବିଶ୍ବସନୀୟତା ବୃଦ୍ଧି ପାଏ। ସମୟରେ ଗୁରୁତ୍ବ ସଂପର୍କରେ ସମସ୍ତେ ଜାଣିଛନ୍ତି। ତେଣୁ ଏ ସବୁ ସହିତ ସମୟର ଉପଯୋଗ ଠିକ୍‌ ଭାବରେ କରିପାରିଲେ, ପିଲାମାନେ ନିଶ୍ଚୟ ସବୁକ୍ଷେତ୍ରରେ ଆଗରେ ରହିବେ ଏବଂ ସେମାନଙ୍କ ଜୀବନରେ ଆସିବ ରୂପାନ୍ତର ବା ସଫଳତା।

କାର୍ଯ୍ୟକ୍ରମରେ ଉପସ୍ଥିତ ବିଧାୟକଗଣ, ପଞ୍ଚାୟତ ପ୍ରତିନିଧି, ସ୍କୁଲ ପରିଚାଳନା କମିଟିର ସଦସ୍ୟ, ଶିକ୍ଷକ ଶିକ୍ଷୟତ୍ରୀ ଓ ଅଭିଭାବକ ମାନଙ୍କୁ ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ ୫-ଟି କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରିଥିଲେ । ସେ କହିଥିଲେ ଯେ ୫-ଟି ହେଉଛି ଟେକ୍‌ନୋଲୋଜି, ଟିମ୍‌ୱାର୍କ, ଟ୍ରାନସ୍‌ପରେନ୍‌ସି ବା ସ୍ବଚ୍ଛତା ଏବଂ ଟାଇମ ବା ସମୟ । ଏସବୁର ପ୍ରୟୋଗରେ ଟ୍ରାନ୍‌ସଫରମେସନ ବା ରୂପାନ୍ତର ଆସିଥାଏ । ମୁଖ୍ୟମନ୍ତ୍ରୀ କହିଲେ ଯେ ଟେକ୍‌ନୋଲୋଜିର ପ୍ରୟୋଗରେ ସ୍କୁଲରେ ସ୍ମାର୍ଟ କ୍ଲାସ ରୁମ୍‌, କମ୍ପ୍ୟୁଟର ଓ ଆଧୁନିକ ଲାବୋରେଟୋରୀର ବିକାଶ କରାଯାଇଛି ।

ସେହିପରି ଏହି ରୂପାନ୍ତର କାମକୁ ସମସ୍ତଙ୍କ ମିଳିତ ଉଦ୍ୟମରେ କରାଯାଇଛି, ଯାହା ଟିମ୍‌ୱାର୍କର ପ୍ରତୀକ। ସମୟକୁ ଗୁରୁତ୍ବ ଦିଆଯାଇ ସମସ୍ତ କାମ ମଧ୍ୟ ଠିକ୍‌ ସମୟରେ ଶେଷ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏସବୁ କାମରେ ପ୍ରତି ସ୍ତରରେ ସ୍ବଚ୍ଛତା ବା ଟ୍ରାନ୍‌ସପରେନ୍‌ସି ରକ୍ଷା କରାଯାଇଛି। ସ୍ଥାନୀୟ ଅଞ୍ଚଳର ଲୋକମାନଙ୍କ ସହିତ ଆଲୋଚନା କରାଯାଇ କାମ କରାଯାଉଛି। ଭିଜନ ଡକ୍ୟୁମେଣ୍ଟ ଠାରୁ ଆରମ୍ଭ କରି ପ୍ରତ୍ୟେକ କାର୍ଯ୍ୟ ପାଇଁ ହେଉଥିବା ଖର୍ଚ୍ଚ ସଂପର୍କରେ ସମସ୍ତେ ସବୁ ବିଷୟରେ ଜାଣନ୍ତି । ସ୍ବଚ୍ଛତା ହେଉଛି ୫-ଟିର ସବୁଠାରୁ ବଡ ଶକ୍ତି । ଏସବୁ ଦ୍ବାରା ଆସିଛି ରୂପାନ୍ତର । ଯାହାକୁ ଆମେ ସବୁ ଦେଖିପାରୁଛୁ ଓ ଅନୁଭବ କରିପାରୁଛୁ ।

ଏହି ଅବସରରେ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ମାନେ ୫-ଟି ରୂପାନ୍ତର ସଂପର୍କରେ ସେମାନଙ୍କର ଅଭିଜ୍ଞତା ସଂପର୍କରେ ବର୍ଣ୍ଣନା କରିଥିଲେ । ଅନୁଗୁଳ ଜିଲ୍ଲାର ଛେଣ୍ଡିପଦାସ୍ଥିତ ପରଙ୍ଗ ସେଣ୍ଟେନାରୀ ଟ୍ରାଇବାଲ ହାଇସ୍କୁଲର ଛାତ୍ରୀ ସୁପ୍ରିୟା ପଟ୍ଟନାୟକ, ଗଞ୍ଜାମ ଜିଲ୍ଲାର ବେଲଗୁଣ୍ଠାସ୍ଥିତ ଆର୍ଯ୍ୟବନ ଗୁରୁକୁଳ ବିଦ୍ୟାଳୟର ଛାତ୍ରୀ ସ୍ମୃତି ପଲାଇ, ଜଗତସିଂହପୁର ରୂପାନ୍ତରିତ ସ୍କୁଲର ଛାତ୍ରୀ ସ୍ବାତୀସ୍ନିଗ୍ଧା ଆଚାର୍ଯ୍ୟ ଏବଂ କେନ୍ଦୁଝର ଜିଲ୍ଲାର ସନ୍ତୋଷୀ ମା ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟର ଶୁଭାସିନୀ ମୁଣ୍ଡା ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ କହିଲେ ଯେ ଆମର ଧାରଣା ଥିଲା ଯେ କେବଳ ସ୍ବଚ୍ଛଳ ବର୍ଗର ଛାତ୍ରଛାତ୍ରୀମାନେ ଉନ୍ନତ ଶିକ୍ଷା ବ୍ୟବସ୍ଥାର ସୁବିଧା ପାଇପାରିବେ । କିନ୍ତୁ ମୁଖ୍ୟମନ୍ତ୍ରୀ ସେ ଧାରଣା ପରିବର୍ତ୍ତନ କରିଛନ୍ତି । ଆମକୁ ସବୁଠାରୁ ଅତ୍ୟାଧୁନିକ ସୁବିଧା ମିଳିଛି । ଇଙ୍ଗ୍ରାଜି ମିଡିଅମ ସ୍କୁଲରେ ପଢିବାର ଇଚ୍ଛା ଆଉ ନାହିଁ । ଆମ ସ୍କୁଲରେ ହିଁ ସବୁ ସୁବିଧା ରହିଛି । ଆମେ ପଢିବୁ, ବଢିବୁ ଏବଂ ଓଡିଶାର ନାଁ ରଖିବୁ ।

କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ପିଲାମାନଙ୍କ ସହ ମତ ବିନିମୟ କରି ସେମାନେ ଭବିଷ୍ୟତରେ କଣ ହେବାକୁ ଚାହାନ୍ତି ବୋଲି ପଚାରିବାରୁ, ସେମାନେ ସମସ୍ତେ ପ୍ରଶାସନିକ ଅଧିକାରୀ, ଡାକ୍ତର ଓ ଇଂଜିନିଅର ହେବେ ବୋଲି ପ୍ରକାଶ କରିଥିଲେ।

କାର୍ଯ୍ୟକ୍ରମରେ ଅନୁଗୁଳ ଜିଲ୍ଲାରେ ବିଧାନସଭାର ଉପବାଚସ୍ପତି ଶ୍ରୀ ରଜନୀକାନ୍ତ ସିଂ, ବ୍ରହ୍ମପୁର ସାଂସଦ ଶ୍ରୀ ଚନ୍ଦ୍ରଶେଖର ସାହୁ, ଜଗତସିଂହପୁର ବିଧାୟକ ତଥା ସରକାରୀ ମୁଖ୍ୟ ସଚେତନ ଶ୍ରୀ ପ୍ରଶାନ୍ତ କୁମାର ମୁଦୁଲି ଏବଂ ପାଟଣା ବିଧାୟକ ତଥା ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ଶ୍ରୀ ଜଗନ୍ନାଥ ନାୟକ ପ୍ରମୁଖ ନିଜର ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟିର ଉଚ୍ଚ ପ୍ରଶଂସା କରିଥିଲେ । କେବଳ ସ୍କୁଲ ରୂପାନ୍ତର ନୁହେଁ, ବିଭିନ୍ନ କ୍ଷେତ୍ରରେ ଆଜି ଓଡିଶା ସାରା ଦେଶରେ ଓ ବିଦେଶରେ ସୁନାମ ଅର୍ଜନ କରୁଛି । ମୁଖ୍ୟମନ୍ତ୍ରୀଙ୍କ ଦୃଢ ନେତୃତ୍ବ ଯୋଗୁ ଏହା ସମ୍ଭବ ହୋଇପାରିଛି ବୋଲି ସେମାନେ କହିଥିଲେ । ଆଜିର ଛାତ୍ରଛାତ୍ରୀମାନେ ଉନ୍ନତ ଶିକ୍ଷା ସୁବିଧା ପାଇ ଓଡିଶାର ଟେକ ରଖିବେ ବୋଲି ସେମାନେ ଦୃଢ ବିଶ୍ବାସ ପ୍ରକଟ କରିଥିଲେ ।

ପିଲାମାନଙ୍କ ସହିତ ଆଲୋଚନାରେ ଭାଗ ନେଇ ୫-ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ସରକାରୀ ସ୍କୁଲର ପିଲାମାନଙ୍କ ପାଇଁ କେବଳ ଉନ୍ନତ ଶିକ୍ଷା ବ୍ୟବସ୍ଥା କରିନାହାନ୍ତି, ଏହା ସହିତ ସେମାନଙ୍କ ପାଇଁ ମେଡିକାଲ ଓ ଇଂଜିନିଅରିଂ କଲେଜରେ ୧୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ମଧ୍ୟ କରିଛନ୍ତି । ଆଗାମୀ ୬ ମାସ ମଧ୍ୟରେ ରାଜ୍ୟର ସବୁ ସ୍କୁଲକୁ ରୂପାନ୍ତରିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ବୋଲି ସେ କହିଥିଲେ । ତିନୋଟି ପର୍ଯ୍ୟାୟରେ ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମର ସଫଳତା ପାଇଁ ସେ ଜିଲ୍ଲାସ୍ତରରେ କାମ କରୁଥିବା ଟିମ୍‌ ମାନଙ୍କୁ ଧନ୍ୟବାଦ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ ସ୍ବାଗତ ଭାଷଣ ଦେଇଥିଲେ ଏବଂ ଓସେପାର ସ୍ବତନ୍ତ୍ର ପ୍ରୋଜେକ୍ଟ ଡାଇରେକ୍ଟର ଧନ୍ୟବାଦ ଅର୍ପଣ କରିଥିଲେ । ବିଭିନ୍ନ ବିଭାଗର ପ୍ରମୁଖ ସଚିବ, ସଚିବ ଓ ଅନ୍ୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

Categories
StateBoard ବିଶେଷ ଖବର ରାଜ୍ୟ ଖବର

ମୋ ସ୍କୁଲ ଅଭିଯାନ ପାଇଁ ୨୧ କୋଟି ୯୦ ଲକ୍ଷ ଟଙ୍କାର ପ୍ରକଳ୍ପକୁ ଅନୁମୋଦନ, ଜାଣନ୍ତୁ କେଉଁ ଜିଲ୍ଲାକୁ କେତେ

ଭୁବନେଶ୍ୱର : ଗଣିତ, ବିଜ୍ଞାନ, କମ୍ପୁ୍ୟଟର ବିଜ୍ଞାନ ଏବଂ 21st century skills ରେ ସରକାରୀ ସ୍କୁଲ୍‌ର ପିଲାମାନଙ୍କୁ ଅଧିକ ଦକ୍ଷ କରିବାକୁ ରାଜ୍ୟ ସରକାରଙ୍କ ‘ମୋ ସ୍କୁଲ୍‌ ଅଭିଯାନ’ ପୁରାତନ ଛାତ୍ରଛାତ୍ରୀ ଏବଂ ବିଭିନ୍ନ ସଂଗଠନ ମାଧ୍ୟମରେ ଏକାଧିକ କାର୍ଯ୍ୟକ୍ରମ ହାତକୁ ନେଇଛି । ଆଗାମୀଦିନରେ ଏଭଳି କାର୍ଯ୍ୟକ୍ରମକୁ ବ୍ୟାପକ କରିବା ସହ ଅଧିକରୁ ଅଧିକ ସ୍କୁଲ୍‌ ଏବଂ ଛାତ୍ରଛାତ୍ରୀ ଯେପରି ଏହାଦ୍ୱାରା ଉପକୃତ ହୋଇପାରିବେ ତାହାଉପରେ ଗୁରୁତ୍ୱ ଦିଆଯିବ।

ଶିକ୍ଷକମାନଙ୍କ ଦକ୍ଷତା ବିକାଶ ଲାଗି ଦ୍ୱିତୀୟ ପର୍ଯ୍ୟାୟରେ ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହେବ। ଆସନ୍ତା ଜୁନ୍‌ ୩ୟ ସପ୍ତାହରୁ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ‘ମୋ ସ୍କୁଲ୍‌ ଅଭିଯାନ’ର ୩୪ତମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ନିଷ୍ପତ୍ତି ହୋଇଛି।

ବୁଧବାର ଭର୍ଚୁଆଲ୍‌ ମୋଡ୍‌ରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ଅଧ୍ୟକ୍ଷତା କରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣପଦ ସେଠୀ ଭିଡ଼ିଓ କନ୍‌ଫରେନ୍ସିଂ ମାଧ୍ୟମରେ ସ୍କୁଲ୍‌ଗୁଡ଼ିକରେ ପ୍ରତିଷ୍ଠିତ ତଥା ସଫଳ ବ୍ୟକ୍ତିବଶେଷଙ୍କୁ ନେଇ ଟକ୍‌ ସେସନ୍‌ର ଆୟୋଜନ କରିବାକୁ କହିଥିଲେ । ଇଣ୍ଟରନେଟ୍‌ ସୁବିଧା ନଥିବା ସ୍କୁଲ୍‌ଗୁଡ଼ିକରେ ଇଣ୍ଟରନେଟ୍‌ ସଂଯୋଗ କରି ଭିଡ଼ିଓ କନ୍‌ଫରେନ୍ସିଂର ଆୟୋଜନ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ।

ଚଳିତ କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ଓଡ଼ିଶାର ୨୬ଟି ଜିଲ୍ଲାର ମୋଟ ୨୧ କୋଟି ୯୦ ଲକ୍ଷ ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ମିଳିଛି। ଗତ ୧ ମାସ ମଧ୍ୟରେ ୧୩,୩୦୨ ପୁରାତନ ଛାତ୍ରଛାତ୍ରୀ ‘ମୋ ସ୍କୁଲ୍‌ ଅଭିଯାନ’ ସହ ଯୋଡ଼ିହୋଇଛନ୍ତି । ସେମାନେ ନିଜ ନିଜ ବିଦ୍ୟାଳୟର ବିକାଶ ପାଇଁ ୫ କୋଟି ୩୩ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି ।

ବିଭିନ୍ନ ସିଏସ୍‌ଆର୍‌ ପାଣ୍ଠିରୁ ରାଜ୍ୟର ସରକାରୀ ବିଦ୍ୟାଳୟଗୁଡ଼ିକର ବିକାଶ ପାଇଁ ମୋ ସ୍କୁଲ୍‌ ଅଭିଯାନକୁ ୧ କୋଟି ୬୮ ଲକ୍ଷ ଟଙ୍କାର ଅନୁଦାନ ଆସିଛି । ପୁରାତନ ଛାତ୍ରଛାତ୍ରୀ ଏବଂ ସିଏସ୍‌ଆର୍‌ ପାଣ୍ଠି ଅନୁଦାନ ସହ ରାଜ୍ୟ ସରକାରଙ୍କ ଦୁଇଗୁଣା ଆର୍ଥିକ ସହାୟତାକୁ ମିଶାଇ ମୋଟ ୨୧ କୋଟି ୯୦ ଲକ୍ଷ ଟଙ୍କାର ପ୍ରକଳ୍ପକୁ କାର୍ଯ୍ୟନିର୍ବାହୀ ପରିଷଦ ଅନୁମୋଦନ ପ୍ରଦାନ କରିଛି । ବାଲେଶ୍ୱରରେ ସର୍ବାଧିକ ୧ କୋଟି ୩୬ ଲକ୍ଷ, ସୋନପୁରରେ ୪୦ ଲକ୍ଷ ୨୨ ହଜାର, କଟକରେ ୩୬ ଲକ୍ଷ ୧୫ ହଜାର, ଖୋର୍ଦ୍ଧାରେ ୩୪ ଲକ୍ଷ ଏବଂ ଯାଜପୁରରେ ୩୧ ଲକ୍ଷ ଟଙ୍କା ପୁରାତନ ଛାତ୍ରଛାତ୍ରୀମାନେ ପ୍ରଦାନ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ମୋଟ ୬ ଲକ୍ଷ ୭୫ ହଜାର ପୁରାତନ ଛାତ୍ରଛାତ୍ରୀ ‘ମୋ ସ୍କୁଲ୍‌ ଅଭିଯାନ’ ମାଧ୍ୟମରେ ସ୍କୁଲ୍‌ଗୁଡ଼ିକୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ।

ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ବିଦ୍ୟାଳୟ ରୂପାନ୍ତରୀକରଣ କାର୍ଯ୍ୟକ୍ରମ ପରେ ବଳକା ଥିବା ୪୩୧୦ଟି ଉଚ୍ଚ ବିଦ୍ୟାଳୟରୁ ୨ ହଜାରରୁ ଊଦ୍ଧ୍ୱର୍ ବିଦ୍ୟାଳୟକୁ ୩ୟ ପର୍ଯ୍ୟାୟରେ ଅନ୍ତର୍ଭୁକ୍ତ କରିବାକୁ କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ଆଲୋଚନା ହୋଇଥିଲା । ୫ଲକ୍ଷରୁ ଅଧିକ ଟଙ୍କାର ପ୍ରକଳ୍ପର ମନିଟରିଂକୁ ପ୍ରାଥମିକତା ଦିଆଯାଉଥିବା ବେଳେ ମନ୍ଥର ଗତିରେ ହେଉଥିବା କାମକୁ ତୁରନ୍ତ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିପାଇଁ ଏକ ମନିଟରିଂ ସେଲ୍‌ ଗଠନ ଲାଗି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ପ୍ରସ୍ତାବ ଦେବାକୁ ପ୍ରମୁଖ ସଚିବ ନିର୍ଦ୍ଦେଶ ଦେଇଥିଲେ ।

ବିଜ୍ଞାନ ଶିକ୍ଷାର ପ୍ରସାର ପାଇଁ ଓଡ଼ିଶା ବିଜ୍ଞାନ ଏକାଡେମୀ ସହ ମୋ ସ୍କୁଲ୍‌ ଅଭିଯାନ ମିଳିତ ଭାବରେ କାର୍ଯ୍ୟକରିବ । ସ୍କୁଲ୍‌ଗୁଡ଼ିକରେ ପାଳନ ହେଉଥିବା ପ୍ରମୁଖ ଦିବସଗୁଡ଼ିକରେ ବୈଜ୍ଞାନିକ ଏବଂ ବିଶିଷ୍ଟ ବିଜ୍ଞାନ ଶିକ୍ଷାବିତ୍‌ମାନଙ୍କୁ ନିମନ୍ତ୍ରଣ କରିବା ସହ ବିଜ୍ଞାନଭିତ୍ତିକ ପ୍ରଦର୍ଶନୀର ଆୟୋଜନ କରିବାକୁ ଓଡ଼ିଶା ବିଜ୍ଞାନ ଏକାଡେମୀ ପ୍ରସ୍ତାବ ଦେଇଛି । ସେହିଭଳି ବିଜ୍ଞାନ ଶିକ୍ଷକମାନଙ୍କ ପାଇଁ ସ୍ୱତନ୍ତ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ମଧ୍ୟ ପ୍ରସ୍ତାବ ରହିଛି ।

ଅନ୍ୟପକ୍ଷରେ ରୂପାନ୍ତରିତ ବିଦ୍ୟାଳୟଗୁଡ଼ିକରେ ପ୍ରାକଫିକାଲ ସାଇନ୍ସ କ୍ଲାସ୍‌ ଉପରେ ଗୁରୁତ୍ୱ ଦିଆଯିବ । ପ୍ରଥମ ପର୍ଯ୍ୟାୟରେ ରୂପାନ୍ତରିତ ହୋଇଥିବା ୧୦୭୬ଟି ଉଚ୍ଚ ବିଦ୍ୟାଳୟରେ କୋଡିଂ ଶିକ୍ଷାର ପ୍ରସାର ପାଇଁ ୨ଟି ପର୍ଯ୍ୟାୟରେ ‘କୋଡ୍‌ କ୍ଲବ୍‌’ କାର୍ଯ୍ୟକ୍ରମ ଆରମ୍ଭ ହେବ । ଆସନ୍ତା ଜୁନ୍‌ରେ ୪୪୧ଜଣ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ କୋଡିଂ ସମ୍ପର୍କିତ ପ୍ରଶିକ୍ଷଣ ପ୍ରଦାନ କରାଯିବ ।

ରାଜ୍ୟରେ ଶିକ୍ଷା ଭିତ୍ତିଭୂମିକୁ ସୁଦୃଢ କରିବାକୁ ମୋ ସ୍କୁଲ୍‌ ଅଭିଯାନ ପ୍ରତିଷ୍ଠିତ କର୍ପୋରେଟ୍‌ ସଂସ୍ଥାମାନଙ୍କ ସହ ମିଳିତ ଭାବରେ କାର୍ଯ୍ୟ କରିବ। ‘ମୋ ସ୍କୁଲ୍‌’ ଏବଂ କର୍ପୋରେଟ୍‌ ସଂସ୍ଥା ମିଳିତ ଭାବରେ ଲର୍ଣ୍ଣିଂ ରିକଭରୀ କାର୍ଯ୍ୟକ୍ରମ ପାଇଁ କାମ କରିବାକୁ ନିକଟରେ ମୋ ସ୍କୁଲ୍‌ ଅଧ୍ୟକ୍ଷାଙ୍କ ନେତୃତ୍ୱରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ହୋଇଥିବା ବେଳେ ଏଥିରେ ୧୬ଟି ପ୍ରମୁଖ କର୍ପୋରେଟ୍‌ ସଂସ୍ଥାର ପ୍ରତିନିଧି ଯୋଗଦେଇଥିଲେ । ଭିତ୍ତିଭୂମି ବିକାଶ ସହ ଶୈକ୍ଷିକ ପରିବେଶରେ ଉନ୍ନତି ଆଣିବାକୁ ଆଗାମୀଦିନରେ ‘ମୋ ସ୍କୁଲ୍‌’ ସହ ମିଶି କାମ କରିବାକୁ ସେମାନେ ଆଗ୍ରହ ପ୍ରକାଶ କରିଥିଲେ ।

ଏଣିକି ଓଡ଼ିଶା ଏବଂ ଓଡ଼ିଶା ବାହାରେ ଥିବା ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ‘ମୋ ସ୍କୁଲ୍‌ ଅଭିଯାନ’ରେ ଇଣ୍ଟର୍ନସିପ୍‌ କରିବାର ସୁଯୋଗ ପାଇପାରିବେ । ରୁରାଲ୍‌ ମ୍ୟାନେଜମେଣ୍ଟ୍‌, ରୁରାଲ୍‌ ଡେଭଲପ୍‌ମେଣ୍ଟ୍‌, ଏଜୁକେଶନ୍‌, ପବ୍ଲିକ୍‌ ପଲିସି ଏବଂ ସୋସିଆଲ୍‌ ୱାର୍କ ଛାତ୍ରଛାତ୍ରୀମାନେ ‘ଷ୍ଟୁଡେଣ୍ଟ୍‌ ଇଣ୍ଟର୍ନସିପ୍‌ ପ୍ରୋଗ୍ରାମ’ ମାଧ୍ୟମରେ ଏହି ସୁବିଧା ପାଇପାରିବେ । ଏନେଇ କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟମରେ ‘ମୋ ସ୍କୁଲ୍‌’ ସଦସ୍ୟ ସଚିବ ତଥା ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଅନୁପମ ସାହା, ବିଭାଗୀୟ ଅତିରିକ୍ତ ଶାସନ ସଚିବ ଶ୍ରୀ ପ୍ରତାପ କୁମାର ମିଶ୍ର, ବିଭାଗୀୟ ଆର୍ଥିକ ଉପଦେଷ୍ଟା, ନିର୍ଦ୍ଦେଶକ, ଉଚ୍ଚ ମାଧ୍ୟମିକ ଶିକ୍ଷା, ନିର୍ଦ୍ଦେଶକ, ମାଧ୍ୟମିକ ଶିକ୍ଷା, ନିର୍ଦ୍ଦେଶକ, ପ୍ରାଥମିକ ଶିକ୍ଷା, ନିର୍ଦ୍ଦେଶକ, ଟିଇ, ଏସ୍‌ସିଇଆର୍‌ଟି ଏବଂ ମୋ ସ୍କୁଲ୍‌ ଅଭିଯାନ ଭାରପ୍ରାପ୍ତ ଅଧିକାରୀ ଶ୍ରୀ ପ୍ରବୀର କୁମାର ଖିଲାର ପ୍ରମୁଖ ଉପସ୍ଥିତ ଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ରାଜ୍ୟର ୩୪ ହଜାର ସ୍କୁଲରେ ‘ମୋ ସ୍କୁଲ’ କାର୍ଯ୍ୟକ୍ରମ , ୧୦୩ କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ

ଭୁବନେଶ୍ୱର, ‘ମୋ ସ୍କୁଲ୍ ଅଭିଯାନ’ର ୨୫ତମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକ ଗୁରୁବାର ଦିନ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। କୋଭିଡ୍ ପରିସ୍ଥିତିକୁ ଦୃଷ୍ଟିରେ ରଖି ଚଳିତ ମାସ ଭର୍ଚୁଆଲ୍ ମୋଡ୍‌ରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ଓଡ଼ିଶାର ୨୩ଟି ଜିଲ୍ଲାର ମୋଟ ୧୦୩ କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ମିଳିଛି।

ଗତ ୧ ମାସ ମଧ୍ୟରେ ୧୭ ହଜାରରୁ ଊର୍ଦ୍ଧ୍ୱ ପୁରାତନ ଛାତ୍ରଛାତ୍ରୀ ମୋ ସ୍କୁଲ୍ ଅଭିଯାନ ସହ ଯୋଡ଼ି ହୋଇଥିବା ବେଳେ ସେମାନେ ନିଜ ନିଜ ବିଦ୍ୟାଳୟର ବିକାଶ ପାଇଁ ୫ କୋଟି ୨ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ବାଲେଶ୍ୱରରେ ସର୍ବାଧିକ ୨.୨୮ କୋଟି, ଭଦ୍ରକରେ ୩୫ ଲକ୍ଷ ୮୧ ହଜାର, ମୟୁରଭଞ୍ଜରେ ୨୫ ଲକ୍ଷ୧ ହଜାର, ଜଗତସିଂହପୁରରେ ୨୫ ଲକ୍ଷ ଏବଂ ନୟାଗଡ଼ରେ ୨୧ ଲକ୍ଷ ୮୮ ହଜାର ଟଙ୍କା ପୁରାତନ ଛାତ୍ରଛାତ୍ରୀମାନେ ପ୍ରଦାନ କରିଛନ୍ତି।

ଅନ୍ୟପକ୍ଷରେ ବିଭିନ୍ନ ସିଏସ୍‌ଆର୍ ପାଣ୍ଠିରୁ ରାଜ୍ୟର ସରକାରୀ ବିଦ୍ୟାଳୟଗୁଡ଼ିକର ବିକାଶ ପାଇଁ ମୋ ସ୍କୁଲ୍ ଅଭିଯାନକୁ ୩୦ କୋଟି ଟଙ୍କାର ଅନୁଦାନ ଆସିଛି। ପୁରାତନ ଛାତ୍ରଛାତ୍ରୀ ଏବଂ ସିଏସ୍‌ଆର୍ ପାଣ୍ଠି ଅନୁଦାନ ସହ ରାଜ୍ୟ ସରକାରଙ୍କ ଦୁଇଗୁଣା ଆର୍ଥିକ ସହାୟତାକୁ ମିଶାଇ ମୋଟ ୧୦୩ କୋଟି ଟଙ୍କାର ପ୍ରକଳ୍ପକୁ କାର୍ଯ୍ୟନିର୍ବାହୀ ପରିଷଦ ଅନୁମୋଦନ ପ୍ରଦାନ କରିଛନ୍ତି। ବାଲେଶ୍ୱର ଜିଲ୍ଲାରେ ଲଗାତାର ୬ଷ୍ଠ ଥର ପାଇଁ ପୁରାତନ ଛାତ୍ରଛାତ୍ରୀମାନେ ସର୍ବାଧିକ ଆର୍ଥିକ ଅନୁଦାନ ପ୍ରଦାନ କରିଛନ୍ତି।

ବର୍ତ୍ତମାନ ସୁଦ୍ଧା ୫ଲକ୍ଷ ୨୪ହଜାର ପୁରାତନ ଛାତ୍ରଛାତ୍ରୀ ‘ମୋ ସ୍କୁଲ୍ ଅଭିଯାନ’ରେ ସାମିଲ ହୋଇଥିବା ବେଳେ ରାଜ୍ୟରେ ସମସ୍ତ ଜିଲ୍ଲାର ୩୪ ହଜାରରୁ ଊର୍ଦ୍ଧ୍ୱ ସ୍କୁଲ୍ ‘ମୋ ସ୍କୁଲ୍ ଅଭିଯାନ’ରେ ସାମିଲ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ‘ମୋ ସ୍କୁଲ୍ ଅଭିଯାନ’ ଅନ୍ତର୍ଗତ ସ୍କୁଲ୍ ଆଡପ୍‌ଶନ୍ ବା ପୋଷ୍ୟ ବିଦ୍ୟାଳୟ କାର୍ଯ୍ୟକ୍ରମକୁ ସଫଳ କରିବାକୁ ‘ମୋ ସ୍କୁଲ୍‌’ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି।

ପର୍ଯ୍ୟାୟକ୍ରମେ ପୋଷ୍ୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକମାନଙ୍କୁ ନେଇ ଭର୍ଚୁଆଲ୍ ବୈଠକର ଆୟୋଜନ କରାଯାଉଥିବା ବେଳେ ପ୍ରଧାନ ଶିକ୍ଷକମାନଙ୍କ ପାଇଁ କାର୍ଯ୍ୟକ୍ରମ ସମ୍ପର୍କିତ ଏକ ଗାଇଡାନ୍ସ ନୋଟ୍ ପ୍ରସ୍ତୁତ କରାଯାଇଛି। ଗତ ମେ’ ମାସରେ ୮୪୪ ପୋଷ୍ୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିଜ ନିଜ ସ୍କୁଲ୍‌ର ମେଣ୍ଟର, ସମ୍ପୃକ୍ତ ସ୍କୁଲ୍‌ର ପୁରାତନ ଛାତ୍ରଛାତ୍ରୀ, ସ୍କୁଲ୍ ପରିଚାଳନା କମିଟି ସଦସ୍ୟ, ଅଭିଭାବକ ଏବଂ ଶିକ୍ଷା ବିଭାଗର ଅଧିକାରୀମାନଙ୍କୁ ନେଇ ଭର୍ଚୁଆଲ ବୈଠକର ଆୟୋଜନ କରିଛନ୍ତି।

ଏହି ବୈଠକରେ ରାଜ୍ୟ ଏବଂ ରାଜ୍ୟ ବାହାରୁ ୧୪ ହଜାରରୁ ଊର୍ଦ୍ଧ୍ୱ ପୁରାତନ ଛାତ୍ରଛାତ୍ରୀ, ମେଣ୍ଟର ଏବଂ ଅନ୍ୟମାନେ ଅଂଶଗ୍ରହଣ କରି ବିଦ୍ୟାଳୟର ସର୍ବାଙ୍ଗୀନ ବିକାଶ ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ।

ମୋ ସ୍କୁଲ୍ ଅଭିଯାନ ଅନ୍ତର୍ଗତ ‘୫ଟି- ହାଇସ୍କୁଲ୍ ଟ୍ରାନ୍ସଫର୍‌ମେଶନ କାର୍ଯ୍ୟକ୍ରମ’ରେ ଡିଜିଟାଲ ଶିକ୍ଷା ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଇଛି। ସ୍ମାର୍ଟ କ୍ଲାସ୍‌ରୁମ୍ ସହ ଡିଜିଟାଲ କଣ୍ଟେଣ୍ଟ୍‌, ପ୍ରଯୁକ୍ତିବିଦ୍ୟାରେ ଦକ୍ଷ ହେବାକୁ ଶିକ୍ଷକଙ୍କ ପାଇଁ ସ୍ୱତନ୍ତ୍ର ପ୍ରଶିକ୍ଷଣ ବ୍ୟବସ୍ଥା, ବିଜ୍ଞାନ ଓ ଗଣିତ ଶିକ୍ଷକଙ୍କ ପାଇଁ ଭର୍ଚୁଆଲ ଟ୍ରେନିଂ କାର୍ଯ୍ୟକ୍ରମର ଆୟୋଜନ କରାଯିବ।

ସେହିଭଳି ‘୫ଟି- ହାଇସ୍କୁଲ୍ ଟ୍ରାନ୍ସଫର୍‌ମେଶନ କାର୍ଯ୍ୟକ୍ରମ’ ପାଇଁ ପ୍ରଥମ ପର୍ଯ୍ୟାୟରେ ମନୋନୀତ ହୋଇଥିବା ସମସ୍ତ ୧ ହଜାର ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ କୋଡିଂ ଶିଖାଇବାକୁ ପ୍ରତ୍ୟେକ ବିଦ୍ୟାଳୟରେ ‘କୋଡ୍ କ୍ଲବ୍‌’ର ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନିଆଯାଇଛି।

କୋଭିଡ୍ ପରିସ୍ଥିତିରେ ବିଦ୍ୟାଳୟଗୁଡ଼ିକ ବନ୍ଦ ରହିଥିବାରୁ ପିଲାମାନଙ୍କର ପଢିବା ଅଭ୍ୟାସ ବିଶେଷଭାବେ ପ୍ରଭାବିତ ହୋଇଛି। ଏଭଳିସ୍ଥଳେ ଛାତ୍ରଛାତ୍ରୀଙ୍କୁ ପୁସ୍ତକ ପ୍ରତି ପୁଣିଥରେ ଆକୃଷ୍ଟ କରିବାକୁ ‘ମୋ ସ୍କୁଲ୍‌’ ଦ୍ୱାରା ୧୦ ହଜାର ଗାଁରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରିବାକୁ ସ୍ଥିର ହୋଇଥିଲା।

ରାଜ୍ୟରେ ଲକ୍‌ଡାଉନ୍ ପରିସ୍ଥିତି କୋହଳ ହେବା ପରେ ଏହି କାର୍ଯ୍ୟକ୍ରମ କରିବାକୁ ନିଷ୍ପତ୍ତି ନିଆଯାଇଛି । ନିର୍ଦ୍ଧାରିତ ସମୟରେ ମୋ ସ୍କୁଲ୍ ଅନ୍ତର୍ଗତ ପ୍ରକଳ୍ପଗୁଡ଼ିକୁ ଶେଷ କରିବାକୁ ବିଦ୍ୟାଳୟଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। କାର୍ଯ୍ୟରେ ସ୍ୱଚ୍ଛତା ବଜାୟ ରଖିବାକୁ ସ୍ୱତନ୍ତ୍ର ଅଡିଟର୍‌ମାନଙ୍କୁ ନିୟୋଜିତ କରାଯାଇଛି।

ଏହି ବୈଠକରେ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ, ଓଏସ୍‌ଇପିଏ, ନିର୍ଦ୍ଦେଶକ, ମାଧ୍ୟମିକ ଶିକ୍ଷା, ନିର୍ଦ୍ଦେଶକ, ପ୍ରାଥମିକ ଶିକ୍ଷା, ନିର୍ଦ୍ଦେଶକ, ଟିଇ, ଏସ୍‌ସିଇଆର୍‌ଟି, ବିଭାଗୀୟ ଅତିରିକ୍ତ ଶାସନ ସଚିବ, ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଏବଂ ଭାରପ୍ରାପ୍ତ ଅଧିକାରୀ, ମୋ ସ୍କୁଲ ଉପସ୍ଥିତ ଥିଲେ।