Categories
ବିଶେଷ ଖବର

 ଗଣମାଧ୍ୟମ ଉପରେ ସରକାରୀ ଅଙ୍କୁଶ, କିଏ କହିବ ଦେଶଦ୍ରୋହୀ ଖବରର ସଜ୍ଞା ଓ ସ୍ଵରୂପ କଣ?

କେଦାର ମିଶ୍ର

ଯେ କୌଣସି ଟିଭି ଚାନେଲ, ଯେ କୌଣସି ଭାଷାରେ ଖୋଲିଲେ, ସେଥିରେ ମୋଦୀ ବନ୍ଦନା ବାଜୁନାହିଁ କି? ପ୍ରଧାନମନ୍ତ୍ରୀ କଣ କହିଲେ, କଣ ପିନ୍ଧିଲେ, କେମିତି ଚାଲିଲେ, ତପସ୍ୟା କଲା ବେଳେ ତାଙ୍କ ଦେହରୁ କେମିତି ଜ୍ୟୋତି ବାହାରୁଥିଲା, ସେ କେମିତି ପାକିସ୍ତାନକୁ ଛାନିଆ କରି ରଖିଛନ୍ତି ଇତ୍ୟାଦି ଇତ୍ୟାଦିର ଟିକିନିକି ଖବର ଆମେ ଦେଖାଇ ଚାଲିଛୁ। ପ୍ରଧାନମନ୍ତ୍ରୀଙ୍କୁ ଯଦି ବିରୋଧୀ ଦଳ ସମାଲୋଚନା କଲେ (ଯାହାକି ବିରୋଧୀ ଦଳର ସାମ୍ବିଧାନିକ ଓ ନୈତିକ ଦାୟିତ୍ଵ) ତାଙ୍କ ଉପରେ ମାଡି ବସି ଆମେ ତାଙ୍କ ଗଳା ବନ୍ଦ କରି ଦେଉଛୁ। ମୋଦୀ ଖେଳୁଥିବା ପ୍ରତି ବଲ କୁ ମାଷ୍ଟର ଷ୍ଟ୍ରୋକ ବୋଲି କହି ଷ୍ଟାଡିୟମ ବାହାରେ ଆମେ “ଚିୟର ଲିଡର” ର ଭୂମିକା ତୁଲାଉଛୁ। ପ୍ରଧାନମନ୍ତ୍ରୀ ହିଁ ଏକମାତ୍ର ଏ ଦେଶର ତ୍ରାଣକର୍ତ୍ତା ବୋଲି କହି ଆମର ବନ୍ଦନା ଗାନ ଶୁଣି ପୃଥିବୀର ଗଣମାଧ୍ୟମରେ ଭାରତର ଗଣମାଧ୍ୟମକୁ ସରକାରଙ୍କ ବୋଲକରା ବୋଲି କୁହାଯାଉଛି। ହେଲେ ଯାହା ଲାଗି ଆମର ଏତେ ପ୍ରେମ, ସେ କିନ୍ତୁ ଆମକୁ ଆଜି ବି ଅବିଶ୍ଵାସ କରୁଛନ୍ତି। ଯେଉଁ ପ୍ରଧାନମନ୍ତ୍ରୀଙ୍କ ଲାଗି ଆମର ସବୁ ପ୍ରାଇମ ଟାଇମ ନିବେଦିତ, ସେ ଆମକୁ ଅବିଶ୍ଵସ୍ତ ବୋଲି କହୁଛନ୍ତି।

ଏବେ ସାରା ଦେଶରେ ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ପ୍ରାୟ ଦଶଦିନ ହେଲାଣି ଦେଶସାରା ନିରନ୍ତର ବିରୋଧ ଲାଗି ରହିଛି। ଅନେକ ଜାଗାରେ ହିଂସ୍ର ପ୍ରତିବାଦ ଘଟିଛି ଓ ଏହାର ପରିଣତିରେ ଅନେକ ଲୋକ ପୁଲିସ ଗୁଳିରେ ପ୍ରାଣ ହରାଇଲେଣି।ସେହି ସମୟରେ ମୋଦୀ ସରକାର ଟେଲିଭିଜନ ଚାନେଲମାନଙ୍କୁ ଚିଠି ଲେଖି କହିଛନ୍ତି ଯେ, ଦେଶଦ୍ରୋହୀ ଖବର ପରିବେଷଣ ନ କରିବା ପାଇଁ। ବାସ୍ତବରେ ଏକ ମୁକ୍ତ ଗଣମାଧ୍ୟମର ଦାୟିତ୍ଵ ହେଉଛି ସେ ସତ୍ୟନିଷ୍ଠ ସମ୍ବାଦ ପରିବେଷଣ କରିବ। ଦେଶପ୍ରେମ ସ୍ଵାଭାବିକ ଭାବରେ ସାମ୍ବାଦିକତାର ଏକ ଅଂଶବିଶେଷ। ଏ ସମ୍ପର୍କରେ ସରକାରଙ୍କର ଏ ହୁକୁମନାମା କାହିଁକି?

ଏଇଟା ହିଁ ଆଜିର ତାରିଖରେ ସବୁଠୁ ବଡ ଖବର। ପ୍ରଧାନମନ୍ତ୍ରୀଙ୍କ ବିରୋଧରେ କୁହାଇବାକୁ ଭାରତର ଗଣମାଧ୍ୟମ କୌଣସି ସୁଯୋଗ ସୃଷ୍ଟି କରିବାକୁ ଭୟ କରୁଛି। ଅପରିହାର୍ୟ ପରିସ୍ଥିତି ନ ଆସିଲେ ମିଡିଆରେ ସରକାର ବିରୋଧୀ ସ୍ଵର ଶୁଣିବାକୁ ମିଳୁନାହିଁ। ଏତେ ବଡ ଜନ ପ୍ରତିବାଦକୁ ଯଦି ଗଣମାଧ୍ୟମ ଅଣଦେଖା କରେ ବା ତାହାର ଭୁଲ ଚିତ୍ରଣ କରେ ତାହେଲେ ସବୁଠୁ ବଡ କ୍ଷତି ଗଣମାଧ୍ୟମର ହିଁ ହେବ। ଏମିତିରେ  ଆଜିର ତାରିଖରେ ଗଣମାଧ୍ୟମ ପ୍ରତି ଲୋକଙ୍କର ଅବିଶ୍ଵାସ କେବଳ ବଢିଛି ତା ନୁହେଁ, ଗଣମାଧ୍ୟମ ପ୍ରତି କ୍ରୋଧ ଓ ଘୃଣା ବ୍ୟାପକ ହେଉଛି। ଲୋକେ ସିଧା ସିଧା ଗଣମାଧ୍ୟମକୁ ସରକାରଙ୍କ ପୋଷା ଶୁଆ ବୋଲି କହୁଛନ୍ତି। ନିଜ ବୃତ୍ତିକୁ ବଞ୍ଚାଇବାକୁ ହେଲେ ସରକାରୀ ଦାସତ୍ଵ ଗଣମାଧ୍ୟମର ସୁରକ୍ଷା କବଚ ହୋଇ ସବୁଠି ରହି ପାରିବ ନାହିଁ।   ସରକାରଙ୍କର ଚିଠି କହୁଛି, ସେମାନେ ଗଣମାଧ୍ୟମ ତାଙ୍କରି ଭାଷାରେ କଥା କହୁ ବୋଲି ଚାହୁଛନ୍ତି।  ଯଦି ଗଣମାଧ୍ୟମ ସେ କଥା କରେ, ତାହେଲେ ଲୋକେ ଅବଶ୍ୟ ନିଜର ବାଟ ବାଛିବେ।

ପ୍ରଧାନମନ୍ତ୍ରୀ ଭାବେ ଦ୍ଵିତୀୟ ଥର ଦାୟିତ୍ଵ ନେବା ପରେ ନରେନ୍ଦ୍ର ମୋଦୀ  ତାଙ୍କର ସାଂସଦ ମାନଙ୍କୁ କହିଥିଲେ- ମିଡିଆଠାରୁ ବଞ୍ଚିକି ରହିବା ପାଇଁ  ପରାମର୍ଶ ଦେଇଥିଲେ। ଉଭୟ ଛପାସ ଓ ଦିଖାସ ଗଣମାଧ୍ୟମ ଠାରୁ ଦୂରରେ ରହିବାକୁ ସେ ତାଙ୍କର ନେତାମାନଙ୍କୁ କହି ଆସୁଛନ୍ତି। ବିଜେପି ଦଳ ଓ ସରକାର ଗଣମାଧ୍ୟମକୁ ନିଜର କିଣା ବ୍ୟବସ୍ଥାର ଅଂଶ ବୋଲି ଭାବୁଛନ୍ତି। ନଚେତ ଏମିତି ଏକ ଚିଠି (ଥରେ ନୁହଁ, ଦୁଇ ଥର) ଲେଖିବାକୁ ସରକାର ସାହସ କରିନଥାନ୍ତେ। ସରକାରଙ୍କୁ ଗଣମାଧ୍ୟମ ପ୍ରତିନିଧି ମାନେ ବୁଝାଇଦେବା ଉଚିତ ଯେ ଦେଶପ୍ରେମ ଓ ଦେଶଦ୍ରୋହର ସଜ୍ଞା ଆମେ ସରକାରଙ୍କଠାରୁ ଶିଖିନାହୁଁ।  ବହୁ ସରକାର ଆସିଛନ୍ତି ଓ ଯାଇଛନ୍ତି। ହେଲେ ଏକ ଗଣତାନ୍ତ୍ରିକ ଦେଶର ମୁକ୍ତ ଗଣମାଧ୍ୟମ ଭାବରେ ଲୋକଙ୍କ କଥା କହିବ ଆମର ଏକମାତ୍ର ଦେଶପ୍ରେମ। ସରକାରଙ୍କୁ ତେଲ ମାରିବା ସାମ୍ବାଦିକତା ନୁହେଁ, ଏକଥା ଆଜିର ଗଣମାଧ୍ୟମ ମୋଦୀ ସରକାରଙ୍କୁ ବୁଝାଇ ଦେଇପାରିବ କି?

Categories
ବିଶେଷ ଖବର

ଯଦି ନରେନ୍ଦ୍ର ମୋଦୀ ଆଉ ଥରେ ପ୍ରଧାନମନ୍ତ୍ରୀ ହୁଅନ୍ତି, ତାହେଲେ ତାଙ୍କର ବିରୋଧୀମାନେ କରିବେ କଣ?

କେଦାର ମିଶ୍ର

ଗତ କିଛିଦିନ ତଳେ ଆମେ ଗୋଟେ ଭୋଜିରୁ ଫେରୁଥିଲୁ। ଆମ ସାଙ୍ଗରେ ଥିବା ମୋର ଜଣେ ବଡଭାଇ ମୋତେ ପଚାରିଲେ, ନରେନ୍ଦ୍ର ମୋଦୀ ଯଦି ଆଉଥରେ ପ୍ରଧାନମନ୍ତ୍ରୀ ହୁଅନ୍ତି, ତାହେଲେ ତମେ କଣ କରିବ? ବଡଭାଇ ଭଲଭାବରେ ଜାଣନ୍ତି ଯେ, ମୁଁ ନରେନ୍ଦ୍ର ମୋଦୀଙ୍କର ଜଣେ କଠୋର ସମାଲୋଚକ ଓ ଗତ ପାଞ୍ଚ ବର୍ଷ ଭିତରେ ମୁଁ ନିରନ୍ତର ମୋଦୀଙ୍କର ଲୋକବିରୋଧୀ ନୀତି କୁ ସମାଲୋଚନା କରିଆସିଛି। ଗଣତନ୍ତ୍ରରେ ୩୦% ଲୋକଙ୍କ ଭୋଟ ପାଇ ପ୍ରଧାନମନ୍ତ୍ରୀ ହେବା ଯେତିକି ସାମ୍ବିଧାନିକ, ଏ ଦେଶର ଜଣେ ସାଧାରଣ ଭୋଟର ଭାବରେ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରିବା ମଧ୍ୟ ସେଇ ସମ୍ବିଧାନ ପ୍ରଦତ୍ତ ଅଧିକାରର ଏକ ଅଂଶ। ମୁଁ ୨୦୧୪ ପୂର୍ବରୁ କଂଗ୍ରେସର ମଧ୍ୟ ସମାଲୋଚକ ଥିଲି। ୧୯୮୯ ରୁ ଆଜିଯାଏ ମୁଁ ଯେଉଁମାନଙ୍କୁ ଭୋଟ ଦେଇଛି, ସେମାନେ ସରକାର ବିରୋଧୀ ବା କ୍ଷମତା ବାହାରେ ରହୁଥିବା ଲୋକ। ମୁଁ କେବେବି କଂଗ୍ରେସ ବା ବିଜେପିକୁ ମୋର ଭୋଟ ଦେଇନାହିଁ। ୨୦୧୪ ନିର୍ବାଚନ ପୂର୍ବରୁ କଂଗ୍ରେସ ସରକାରର ଭ୍ରଷ୍ଟାଚାର ବିରୋଧରେ ଏତେ କଥା ମୁଁ ଲେଖିଛି, ହେଲେ କୌଣସି କଂଗ୍ରେସ ନେତା ବା କର୍ମୀ ମୋତେ କହିନାହାନ୍ତି, ତମେ ଦେଶଦ୍ରୋହୀ ବା ଧର୍ମଦ୍ରୋହୀ। ଆଜି ମୋଦୀଙ୍କ ଜୟ ଓ ପରାଜୟ ପରେ ମୁଁ କଣ କରିବି, ଏ ପ୍ରଶ୍ନ କାହିଁକି?

ମୋ ବଡଭାଇ ମୋତେ ଚିଡେଇବାକୁ ଏ ପ୍ରଶ୍ନ କରିଥିବା ମୁଁ ଜାଣେ, କିନ୍ତୁ ପ୍ରତିଦିନ ସୋସିଆଲ ମିଡିଆରେ ଆମେ ତ ଏମିତି ବହୁ କଥା ଶୁଣୁଛୁ। ଯଦି ନିର୍ବାଚନ ସମୟରେ କିଛି ବି ଆକଳନ ବା ରିପୋର୍ଟ ଲେଖାଯାଇଛି, ତାକୁ ନେଇ ବହୁ ବୋଲି ବାଣୀ ଆମେ ଶୁଣୁଛୁ। ଗୋଟେ ସମୟରେ ଯେଉଁ ମହାନ ସାମ୍ବାଦିକମାନଙ୍କ ଲେଖା ପଢି ଆମେ ଉଦବୁଦ୍ଧ ହେଉଥିଲୁ ସେମାନେ ସମସ୍ତେ ଥିଲେ ତାଙ୍କ ସମୟର ସରକାର ବିରୋଧୀ। କୁଲଦୀପ ନାୟାର, ରାଜମୋହନ ଗାନ୍ଧୀ, ଏମ.ଜେ. ଆକବର (ଅବଶ୍ୟ ଏବେ ବିଜେପିର ସାଂସଦ ଥିବା ଲୋକଟିକୁ ଆମେ ଜାଣିନୁ), ଅରୁଣ ଶୌରୀ (ଶୌରୀଙ୍କ ବିଚାର ସହିତ ଅନେକ ସମୟରେ ମୁଁ ଏକମତ ନୁହଁ) ପ୍ରମୁଖଙ୍କୁ ଆମେ ପଢୁଥିଲୁ ଓ ଭଲ ପାଉଥିଲୁ କାରଣ ଏମାନେ ସରକାର ବିରୋଧରେ ଖୋଲାଖୋଲି ଲେଖିବାର ସାହସ କରୁଥିଲେ। ଆଜି କିନ୍ତୁ ସରକାର ବା ପ୍ରଧାନମନ୍ତ୍ରୀଙ୍କୁ ବିରୋଧ କରିବା ଦେଶର ବିରୋଧ ପାଲଟି ଯାଇଛି। ନାଗରିକଙ୍କ ଜାଗାରେ ଗୋଟେ ବିରାଟ ଭକ୍ତ ବାହିନୀ ଏବେ ଆମ ଗଣତନ୍ତ୍ରର ଗଳାରେ ଗୋଇଠା ମାଡ କରିଚାଲିଛନ୍ତି।

ସେହି ପୃଷ୍ଠଭୂମିରେ ଆଜି ପୁଣି ନିର୍ବାଚନ ହେଉଛି। ସାତୋଟି ପର୍ୟାୟରେ ହୋଇଥିବା ଅନ୍ତିମ ଦିନର ଶେଷ ଭୋଟ ଆସନ୍ତା କାଲି ସନ୍ଧ୍ୟାରେ ପଡିବା ପୂର୍ବରୁ ମୁଁ ନିଜେ ନିଜକୁ ଏ ପ୍ରଶ୍ନ ପଚାରୁଛି- ପୁଣିଥରେ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେଲେ ଆମେ ବିରୋଧୀମାନେ କରିବୁ କଣ? ଏହାର ଅତି ସରଳ ଆଉ ସହଜ ପ୍ରଶ୍ନ ହେଉଛି, ଆଜି ଆମର ଯେଉଁ ବିରୋଧ ଅଛି, ଆସନ୍ତା କାଲି ବି ସେ ବିରୋଧ ଜାରି ରହିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହୁଅନ୍ତୁ ବା ଆଉ କେହି, ଆମର ଭୂମିକା ସବୁବେଳେ ସରକାର ବିରୋଧରେ ରହି ଆସିଛି ଓ ରହିବ। ଗଣତନ୍ତ୍ରରେ ଗୋଟିଏ ଧ୍ରୁବ ସତ୍ୟ ହେଉଛି, କ୍ଷମତା ପାଉଥିବା ଲୋକ ଯେତିକି ଭୋଟ ପାଏ, ତା ବିରୋଧରେ ତାହାଠୁ ଅଧିକ ଭୋଟ ପଡିଥାଏ। କ୍ଷମତାର ଅହଂକାର ବିରୋଧରେ ବେସାଲିସ ଲେଖିବା ଆମର କାମ ଓ ସେ କାମ ଆମେ କରିଚାଲିବୁ।

ନରେନ୍ଦ୍ର ମୋଦୀ ଆଉଥରେ ପ୍ରଧାନମନ୍ତ୍ରୀ ନିର୍ବାଚିତ ହେଲେ, ଆମପରି ବିରୋଧୀଙ୍କ ଭୂମିକା ଆହୁରି ବଢିଯିବ। କାରଣ ଗତ ପାଞ୍ଚବର୍ଷ ଭିତରେ ନରେନ୍ଦ୍ର ମୋଦୀଙ୍କ କାମ କରିବାର ଢଙ୍ଗରେ ଏକଛତ୍ରବାଦର ସ୍ପଷ୍ଟ ଝଲକ ଦେଖିବାକୁ ମିଳିଛି। ଜଣେ ଏକଛତ୍ରବାଦୀ ଶାସକ ବିରୋଧରେ ଗଣତନ୍ତ୍ରକୁ ବଞ୍ଚାଇବା ଲାଗି ସଂଘର୍ଷ କରିବା ଆଗାମୀ ସମୟରେ ସବୁଠୁ ବଡ ଆହ୍ଵାନ ହେବ। ଗାନ୍ଧୀଙ୍କ ଦେଶରେ ଗଡସେ ଭକ୍ତମାନଙ୍କର ଶାସନକୁ ପ୍ରତି ମୂହୁର୍ତ୍ତରେ ସାମ୍ନା କରିବା କମ ବଡ ସଂଘର୍ଷ ନୁହେଁ। ପ୍ରଧାନମନ୍ତ୍ରୀ ମୋଦୀ ନିଜକୁ ଗାନ୍ଧୀ ପୂଜକ ବୋଲି ଯେତେ କହିଲେ ମଧ୍ୟ ଆମେ ଜାଣୁ ଏମାନେ ସମସ୍ତେ ଗାନ୍ଧୀ ହତ୍ୟାକାରୀ ନାଥୁରାମ ଗଡସେର ପ୍ରଚଣ୍ଡ ଅନୁଗାମୀ। ଏମାନଙ୍କ ଘର କାନ୍ଥରେ ବିନାୟକ ଦାମୋଦର ସାଭରକର ନାମକ ଯେଉଁ ବ୍ୟକ୍ତିର ଚିତ୍ର ଟଙ୍ଗା ହୋଇଥାଏ, ସେ ଗାନ୍ଧୀ ହତ୍ୟାର ଅନ୍ୟତମ ଷଡଯନ୍ତ୍ରକାରୀ ଥିଲେ। ତେଣୁ ଏମାନେ ଗଡସେ ଭକ୍ତ ସାକ୍ଷୀ ମହାରାଜ, ପ୍ରଜ୍ଞା ଠାକୁର, ଅନନ୍ତ ହେଗେଡେମାନଙ୍କୁ ଟିକଟ ଦିଅନ୍ତି ଓ ସେମାନଙ୍କୁ କ୍ଷମା କରିପାରିବେ ନାହିଁ ବୋଲି କୁମ୍ଭୀର କାନ୍ଦଣା କାନ୍ଦନ୍ତି। ଗାନ୍ଧୀଙ୍କ ଦେଶରେ ଜଣେ ଗାନ୍ଧୀ ବିରୋଧୀ ପ୍ରଧାନମନ୍ତ୍ରୀଙ୍କୁ ବିରୋଧ କରିବା ଆମର ସବୁଠୁ ବଡ ଦେଶପ୍ରେମ ବୋଲି ମୁଁ ଭାବେ।

ନିର୍ବାଚନ ଫଳ ବାହାରିବା ଆଗରୁ “ଜିତେଗା ତୋ ମୋଦୀ ହି” ବୋଲି କହୁଥିବା ଭକ୍ତମାନଙ୍କୁ ଆମର ସିଧା ସିଧା ଉତ୍ତର ହେଉଛି- ନିର୍ବାଚନରେ ଯିଏ ବି ଜିତୁ ବା ହାରୁ, ସମ୍ବିଧାନ ଓ ଗଣତନ୍ତ୍ରର ସୁରକ୍ଷା ଲାଗି ଆମର ସଂଘର୍ଷ ଓ ଲେଖାଲେଖିରେ ପୂର୍ଣ୍ଣଚ୍ଛେଦ ପଡିବାର ନାହିଁ।