Categories
ଆଜିର ଖବର

ହାଇଦ୍ରାବାଦ ଆତଙ୍କବାଦୀଙ୍କ ପାଇଁ ଭୂସ୍ବର୍ଗ : ବନ୍ଦାରୁ ଦତ୍ତାତ୍ରେୟ

ହାଇଦ୍ରାବାଦକୁ ଆତଙ୍କବାଦୀଙ୍କ ଭୂସ୍ବର୍ଗ କହିଛନ୍ତି ବିଜେପି ନେତା ତଥା ସିକନ୍ଦରାବାଦରୁ ବିଜେପି ସାଂସଦ ରହିଥିବା ବନ୍ଦାରୁ ଦତ୍ତାତ୍ରେୟ। ନିକଟରେ ଆଇଏସ୍‌ ଲିଙ୍କ ନେଇ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ପକ୍ଷରୁ ୪ ଯୁବକଙ୍କୁ ଗିରଫ କରାଯାଇଥିଲା। ସର୍ବଦା ଆଇଏସ୍‌ ଲିଙ୍କରେ ଦେଶର ଏକ ନମ୍ବର ସ୍ଥାନ ରହିବା ନେଇ ମୁଖ୍ୟମନ୍ତ୍ରୀ କେସିଆରଙ୍କୁ ସମାଲୋଚନା କରିଛନ୍ତି ଦତ୍ତାତ୍ରେୟ। ଦତ୍ତାତ୍ରେୟ କହିଛନ୍ତି, କେସିଆର ଅସଦ୍ଦୁଦ୍ଦିନ୍‌ ଓଓ୍ବେସୀଙ୍କ ସହିତ ଭିତିରି ବୁଝାମଣା କରିଛନ୍ତି, ଫଳରେ ପୋଲିସ୍‌ ଏମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରୁନାହାନ୍ତି। ପୋଲିସ୍‌ର ନିଷ୍କ୍ରିୟତା ପାଇଁ ଦେଶର ଅଧିକ ଆଇଏସ୍‌ ଆତଙ୍କୀଙ୍କ ଲିଙ୍କ ହାଇଦ୍ରାବାଦରୁ ମିଳୁଛି। ପୋଲିସ୍‌କୁ ସଶକ୍ତ କରିବା ପାଇଁ ଅନ୍ୟ ଏକ ଆତଙ୍କ ନିରୋଧୀ ସେଲ୍‌ର ନିର୍ମାଣ ପାଇଁ କହିଛନ୍ତି ଏହି ସିକନ୍ଦରାବାଦ ସାଂସଦ। ନିକଟରେ ମୋଦି ମଧ୍ୟ କେସିଆରଙ୍କୁ ସମାଲୋଚନା କରି କହିଥିଲେ, କେସିଆର ହେଉଛନ୍ତି କାର୍‌ର ଡ୍ରାଇଭର୍‌ ମାତ୍ର କାର୍‌ର ଷ୍ଟିଅରିଂ ଓଓ୍ବେସୀଙ୍କ ହାତରେ ରହିଛି। ସୂଚନାଯୋଗ୍ୟ ଯେ, ଚଳିତ ଲୋକସଭା ନିର୍ବାଚନ ପାଇଁ ଟିଆରଏସ୍‌ ଏବଂ ଏଆଇଏମ୍‌ଆଇଏମ୍‌ ଏକତ୍ର ୧୭ଟି ଆସନରେ ନିର୍ବାଚନ ଲଢିଛନ୍ତି।

Categories
ଆଜିର ଖବର

ହରିୟାଣାର ୩ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କଲା ଆପ୍‌

ଆମ୍‌ ଆଦ୍‌ମୀ ପାର୍ଟି ରବିବାର ଦିନ ହରିୟାଣା ପାଇଁ ୩ଟି ଆସନରେ ପ୍ରାର୍ଥୀ ଘୋଷଣା କରିଛି। ଫରିଦାବାଦ ପାଇଁ ନବୀନ ଜୟହିନ୍ଦ, ଅମ୍ବାଲା ପାଇଁ ପୃଥ୍ବୀରାଜ ଓ କର୍ଣ୍ଣଲ୍‌ ପାଇଁ କ୍ରିଷ୍ଣନ କୁମାର ପ୍ରମୁଖଙ୍କ ନାମ ରହିଛି। ହରିୟାଣାରେ ଆସନ୍ତା ମେ ୧୨ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ। ଏଠାରେ ଆପ୍‌ ଓ କଂଗ୍ରେସ ମଧ୍ୟରେ ମେଣ୍ଟ ହେବା ନେଇ ଚର୍ଚ୍ଚା ଲାଗି ରହିଥିଲା। କିନ୍ତୁ ଶେଷ ମୁହୂର୍ତ୍ତରେ କଂଗ୍ରେସ ମେଣ୍ଟ ହେବା ନେଇ ଅସହମତି ପ୍ରକାଶ କରିଥିଲା। ଏଠାରେ ଆପ୍‌ ଜେଜେପି ସହିତ ମେଣ୍ଟ କରି ନିର୍ବାଚନ ମଇଦାନକୁ ଓହ୍ଲାଇଛି। ଏଠାରେ ଜେଜେପି ତରଫରୁ ୭ଜଣ ଲଢିବାକୁ ଥିବାବେଳେ ଆପ୍‌ ପକ୍ଷରୁ ୩ଜଣ ପ୍ରାର୍ଥୀଙ୍କୁ ଟିକେଟ ମିଳିଛି।

Categories
ବିଶେଷ ଖବର

ବିଜେଡି ରେ ନବ କଳେବରର ସଙ୍କେତ ସ୍ପଷ୍ଟ, ଦଳ ଏବେ ତରୁଣ ଓ ନୂଆ ମୁହଁ ପ୍ରତି ବେଶୀ ଆସ୍ଥାବାନ

ସମୀକ୍ଷା ବ୍ୟୁରୋ

ତିନି ସପ୍ତାହ ତଳେ ସମୀକ୍ଷା ଡଟ କମ ରେ ଆମେ ଗୋଟେ ବିଶ୍ଳେଷଣ ପ୍ରସ୍ତୁତ କରିଥିଲୁ,ଯେଉଁଥିରେ ଆମେ ସ୍ପଷ୍ଟ କହିଥିଲୁ ଯେ “କେବଳ ବଲାଙ୍ଗୀର ଓ ପୁରୀ ଆସନକୁ ବାଦ ଦେଲେ ଅନ୍ୟ କୌଣସି ଆସନରେ ବର୍ତ୍ତମାନର ଲୋକସଭା ସଦସ୍ୟ ଟିକଟ ପାଇ ନ ପାରନ୍ତି ବୋଲି ନିର୍ଭରଯୋଗ୍ୟ ସୂତ୍ର କହୁଛି। ଏମିତି ବି ହୋଇପାରେ ଯେ ପୂରା ୨୧ ଟି ଯାକ ଲୋକସଭା ଆସନ ପାଇଁ ବିଜେଡି ନୂଆ ମୁହଁକୁ  ପ୍ରାର୍ଥୀ କରିପାରେ। ଲୋକସଭାରେ ୩୩% ସ୍ଥାନ ସଂରକ୍ଷଣ ଦାବୀକୁ ବଳ ଦେବାକୁ ହୁଏତ ଦଳ ତରଫରୁ ଅତିକମରେ ୭ ଜଣ ମହିଳାଙ୍କୁ ଟିକଟ ଦେବାକୁ ଦଳ ବିଚାର ବିମର୍ଶ କରୁଛି।” ଆଜି ବିଜେଡ଼ିର ତୃତୀୟ ପର୍ଯାୟ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଲା ପରେ ଆମର ଆକଳନ ଏକ ପ୍ରକାର ସତ୍ୟ ପ୍ରମାଣିତ ହୋଇଛି। ୨୧ ଟି ଲୋକସଭା ଆସନରୁ ୧୮ ଟି ପାଇଁ ବିଜେଡି ପ୍ରକାଶ କରିଥିବା ନାମ ଭିତରୁ ମାତ୍ର ତିନି ଜଣ ପୁରୁଣା ସାଂସଦଙ୍କୁ ଦଳ ଟିକଟ ଦେଇଛି। ପୁରୀ ରୁ ପିନାକୀ ମିଶ୍ର, ବଲାଙ୍ଗୀରରୁ କଳିକେଶ ନାରାୟଣ ସିଂ ଦେଓ ଏବଂ ବାଲେଶ୍ବରରୁ ରବୀନ୍ଦ୍ର ଜେନାଙ୍କୁ ଦଳ ପୁଣିଥରେ ପ୍ରାର୍ଥୀ କରିଛି। ବାକି ୧୫ ଜଣ ପୂରା ନୂଆ ପ୍ରାର୍ଥୀ।

ଯେଉଁ ସାଂସଦମାନଙ୍କ ଟିକଟ କଟିଛି ତାଙ୍କ ଭିତରେ ବହୁ ଅଭିଜ୍ଞ ଓ ବିଜେଡ଼ିର ପ୍ରତିଷ୍ଠାତା ସଦସ୍ୟ ମଧ୍ୟ ଅଛନ୍ତି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ଚରଣ ସେଠୀ ଓ ଅଭିଜ୍ଞ ସାଂସଦ ପ୍ରସନ୍ନ ପାଟ୍ଟଶାଣୀଙ୍କୁ ଏଥର ଟିକଟ ଦିଆ ଯାଇନାହିଁ।  ବାକିଥିବା କଟକ ଆସନରେ ପୁଣିଥରେ ଭର୍ତ୍ତୃହରି ମହତାବ ଟିକଟ ପାଇପାରନ୍ତି, କିନ୍ତୁ କେଉଁଝର ଓ ଢେଙ୍କାନାଳ ଆସନରେ ନୂଆ ଲୋକଙ୍କୁ ବିଜେଡି ଟିକଟ ମିଳିବ। ୩୩% ମହିଳାଙ୍କୁ ପ୍ରାର୍ଥୀ କରିବାକୁ ଥିବାରୁ ଏହି ତିନୋଟି ଆସନ ଭିତରୁ ଗୋଟିଏ ଆସନରୁ ମହିଳା ପ୍ରାର୍ଥୀ ହେବା ସୁନିଶ୍ଚିତ। ଲୋକସଭା ପ୍ରାର୍ଥୀ ଚୟନରେ ବିଜେଡି ପୂରାପୂରି ନୂଆ ମୁହଁକୁ ଗୁରୁତ୍ଵ ଦେଇଛି। ପୂର୍ବରୁ ରାଜନୀତି ସହ ଜଡିତ ନଥିବା ପ୍ରମିଳା ବିଶୋୟୀ, କୌଶଲ୍ୟା ହିକକା, ଶର୍ମିଷ୍ଠା ସେଠୀ, ମଞ୍ଜୁଲତା ମଣ୍ଡଳ, ଅରୂପ ପଟ୍ଟନାୟକ, ନଳିନୀକାନ୍ତ ପ୍ରଧାନ ପ୍ରମୁଖ ଏବେ ବିଜେଡ଼ିର ଲୋକସଭା ପ୍ରାର୍ଥୀ। ଅଶି ଭାଗରୁ ନୂଆ ପ୍ରାର୍ଥୀଙ୍କୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ “ଏକୋଇଶରୁ ଏକୋଇଶ” ଜିତିବାର ଲକ୍ଷ୍ୟ ଧାର୍ୟ କରିଛନ୍ତି ତାହା ଦଳ ପାଇଁ କିଛି କମ ବଡ ଆହ୍ଵାନ ନୁହେଁ।

ସବୁଠୁ ରୋଚକ ସ୍ଥିତି ବର୍ତ୍ତମାନ କେନ୍ଦ୍ରାପଡା ଆସନରେ ଦେଖିବାକୁ ମିଳିବ। ଏହି ଆସନରେ ବିଜେଡି ରୁ ବହିଷ୍କୃତ ସାଂସଦ ବୈଜୟନ୍ତ ପଣ୍ଡା ବିଜେପିର ପ୍ରାର୍ଥୀ ହୋଇଥିବା ବେଳେ ବିଜେଡି ତରଫରୁ ତାଙ୍କର ପ୍ରତିଦ୍ବନ୍ଦ୍ବୀ ଭାବରେ ଓଡିଆ ସିନେମାର ସୁପର ଷ୍ଟାର ତଥା ରାଜ୍ୟସଭା ସାଂସଦ ଅନୁଭବ ମହାନ୍ତିଙ୍କୁ ଆଜି ଟିକଟ ମିଳିଛି। ଅନୁଭବ ୨୦୧୪ରୁ ପ୍ରତ୍ୟକ୍ଷ ରାଜନୀତିରେ ରହିଥିଲେ ମଧ୍ୟ ସିଧାସଳଖ ନିର୍ବାଚନ ଲଢିବାର ଅଭିଜ୍ଞତା ତାଙ୍କର ନାହିଁ। ଆଜି ମଧ୍ୟ ବିଜୁ ପଟ୍ଟନାୟକଙ୍କ ଦୁର୍ଗ ବୋଲି ବିବେଚିତ ହେଉଥିବା କେନ୍ଦ୍ରାପଡାରେ ଉଭୟ ବୈଜୟନ୍ତ ଓ ଅନୁଭବ ବିଜୁ ବାବୁଙ୍କ ନାଁରେ ହିଁ ଭୋଟ ମାଗିବେ। କେନ୍ଦ୍ରାପଡା ଏବେ ବୈଜୟନ୍ତଙ୍କ ଅସ୍ତିତ୍ଵର ପ୍ରଶ୍ନ ହୋଇଥିବା ବେଳେ ଏହା ବିଜୁ ଜନତା ଦଳର ଅସ୍ମିତାର ପ୍ରଶ୍ନ ପାଲଟି ଯାଇଛି। ପରୋକ୍ଷ ଭାବରେ କେନ୍ଦ୍ରାପଡା ଜିତିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ମଧ୍ୟ ସମ୍ମାନର ପ୍ରଶ୍ନ। ତେଣୁ କେନ୍ଦ୍ରାପଡା ଲଢେଇ ଉପରେ ଏବେ ସାରା ରାଜ୍ୟର ଆଖି ରହିବ।

ଗତ ନିର୍ବାଚନରେ କେନ୍ଦ୍ରାପଡାରୁ ବିଜେଡି ଲୋକସଭା ସାଂସଦ ଭାବେ ବୈଜୟନ୍ତ ପଣ୍ଡା ଜିତିଥିଲେ। ତେବେ ସାତୋଟି ବିଧାନସଭା କ୍ଷେତ୍ରରୁ ତିନୋଟିରେ କଂଗ୍ରେସ ଜିତିବାର ଏକ ବିରଳ ରେକର୍ଡ ମଧ୍ୟ ଏହା ସହିତ ସୃଷ୍ଟି ହୋଇଥିଲା। ଆଳି, ରାଜନଗର ଓ ସାଲେପୁର ବିଧାନସଭା ମଣ୍ଡଳୀରୁ କଂଗ୍ରେସ ପ୍ରାର୍ଥୀ ଜିଣିଥିବା ବେଳେ ମହାକାଳପଡା, ପାଟକୁରା, କେନ୍ଦ୍ରାପଡା ଓ ମାହାଙ୍ଗା ଆସନରୁ ବିଜେଡି ଜିତିଥିଲା। ଆଜି ଲୋକସଭା ପ୍ରାର୍ଥୀଙ୍କ ସହିତ ପାଞ୍ଚୋଟି ବିଧାନସଭା କ୍ଷେତ୍ର ଲାଗି ବିଜେଡି ପ୍ରାର୍ଥୀ ଘୋଷିତ ହୋଇଛନ୍ତି। ପାଞ୍ଚୋଟି ଯାକ ଆସନରେ ଅଭିଜ୍ଞ ଓ ପୁରୁଣା ଲୋକଙ୍କୁ ଟିକଟ ମିଳିଛି। ପାଟକୁରାରୁ ବେଦପ୍ରକାଶ ଅଗ୍ରୱାଲ, ମହାକାଳପଡାରୁ ଅତନୁ ସବ୍ୟସାଚୀ ନାୟକ, ସାଲେପୁରରୁ ପ୍ରଶାନ୍ତ ବେହେରା, ଆଳୀରୁ ପ୍ରତାପ ଦେବ ଓ ମାହାଙ୍ଗାରୁ ପ୍ରତାପ ଜେନାଙ୍କୁ ଟିକଟ ମିଳିଛି। କେନ୍ଦ୍ରାପଡା ଓ ରାଜନଗର ପାଇଁ ପ୍ରାର୍ଥୀ ଘୋଷଣା ବାକି ଅଛି। ପୁରୁଣା ନେତାଙ୍କ ବିରୋଧରେ ଲୋକଙ୍କ ଅଭିଯୋଗ ରହିଛି ବୋଲି ବିଜେପି ଅଭିଯୋଗ ଆଣୁଛି। ବୈଜୟନ୍ତ ବିଜେପିକୁ ଆସିବା ପରେ ଦଳର ଶକ୍ତି ବୃଦ୍ଧି ହୋଇଛି ବୋଲି ଏକ ସାଧାରଣ ଧାରଣା ସୃଷ୍ଟି ହୋଇଛି। ତେବେ ୨୦୧୪ ନିର୍ବାଚନରେ ଏଠାରୁ ବିଜେଡ଼ିର ପ୍ରାର୍ଥୀ ବୈଜୟନ୍ତ ୬,୦୧,୫୭୪ (୫୨.୭୨%) ଭୋଟ ପାଇଥିବାବେଳେ ତାଙ୍କର ନିକଟତମ କଂଗ୍ରେସ ପ୍ରାର୍ଥୀ ଧରଣୀଧର ନାୟକ ୩,୯୨,୪୬୬ (୩୪.୪%) ଭୋଟ ପାଇଥିଲେ। ସେଠି ବିଜେପି ର ଭୋଟ ସଂଖ୍ୟା ଥିଲା ୧,୧୮,୭୦୭ (୧୦.୪%) । ବୈଜୟନ୍ତ ବିଜେପିକୁ ଆସିବା ପରେ ତାଙ୍କ ସହିତ ବିଜେଡ଼ିରୁ କେତେ ଭୋଟ ଆସୁଛି, ତାହା ଦେଖିବା ବାକି ରହିଲା।

ତେବେ କଂଗ୍ରେସ ଓ ବିଜେପି ତୁଳନାରେ ବିଜେଡି ଅଧିକରୁ ଅଧିକ ନୂଆ ମୁହଁଙ୍କୁ ଏବେ ରାଜନୀତିରେ ସୁଯୋଗ ଦେଉଛି। ରାଜନୀତିରେ ଏହାକୁ “ରିସ୍କ ଫେକ୍ଟର” ବୋଲି କୁହା ଯାଇପାରେ।

Categories
ଆଜିର ଖବର

ସ୍ବାଧୀନ ଭାବେ ଲଢିବେ ଅଭିନେତ୍ରୀ ସୁମାଲତା, ବିଜେପି ଦେବ ସମର୍ଥନ

କର୍ଣ୍ଣାଟକର ମାଣ୍ଡ୍ୟା ଲୋକସଭା ଆସନ ପାଇଁ ସ୍ବାଧୀନ ଭାବେ ନିର୍ବାଚନ ଲଢିବେ ଅଭିନେତ୍ରୀ ସୁମାଲତା। ତେବେ  ସୁମଲତାଙ୍କୁ ବିଜେପି ସମର୍ଥନ କରିବ ବୋଲି ଘୋଷଣା କରିଛି। ସୁମାଲତା ଦିବଙ୍ଗତ ନେତା ଏଚ୍‌ ଅମ୍ବରୀଶଙ୍କ ପତ୍ନୀ। କଂଗ୍ରେସ ତରଫରୁ ତାଙ୍କୁ ଟିକେଟ ନ ମିଳିବାରୁ ସେ ସ୍ବାଧୀନ ଭାବେ ସେହି ଆସନରୁ ଲଢିବେ ବୋଲି ସୂଚନା ଦେଇଛନ୍ତି। କଂଗ୍ରେସ ମାଣ୍ଡ୍ୟା ଲୋକସଭା ଆସନକୁ ସହଯୋଗୀ ପାର୍ଟି ଜେଡିଏସ୍‌କୁ ଦେଇଥିବାବେଳେ ଏହି ଆସନରୁ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ କୁମାରସ୍ବାମୀଙ୍କ ପୁତ୍ର ନିଖିଲ ପ୍ରାର୍ଥୀ ହୋଇଛନ୍ତି। ତେବେ ବିଜେପି ତା’ର ଆଶାୟୀ ପ୍ରାର୍ଥୀଙ୍କ ଲିଷ୍ଟ ଜାରି କରିସାରିଛି। ଏଥିରେ ପ୍ରାୟ ୨୮୬ଜଣଙ୍କ ନାମ ଘୋଷଣା କରାଯାଇଛି। ଆଉ ଅବଶିଷ୍ଟ ପ୍ରାର୍ଥୀ ତାଲିକା ବହୁତ ଶୀଘ୍ର ଘୋଷଣା କରାଯିବ ବୋଲି ବିଜେପି କହିଛି। ଚଳିତ ଥର ବିଜେପିର କିଛି ବରିଷ୍ଠ ନେତା ନିର୍ବାଚନରେ ଲଢିବେ ନାହିଁ ବୋଲି ସୂଚନା ରହିଛି। ସେମାନଙ୍କ ମଧ୍ୟରେ ରହିଛନ୍ତି କେନ୍ଦ୍ରୀୟ ମନ୍ତ୍ରୀ ସୁଷମା ସ୍ବରାଜ, ଉମା ଭାରତୀ, ପରେଶ୍‌ ରାଓ୍ବଲ୍, କଲରାଜ୍‌ ମିଶ୍ର ପ୍ରମୁଖ। ଚଳିତ ଥର ବିଜେପି କେତେକ ସାଂସଦଙ୍କ ଟିକେଟ ମଧ୍ୟ କାଟିଛି।