ଗାଜିଆବାଦ : ଉତ୍ତରପ୍ରଦେଶ ଗାଜିଆବାଦର ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଗାର୍ଲଫ୍ରେଣ୍ଡ ନିକଟରୁ ମୁକ୍ତି ପାଇବା ପାଇଁ ଜଣେ ଡାକ୍ତର ବିଷ ଇଞ୍ଜେକସନ୍ ଦେଇ ହତ୍ୟା କରିଥିବାର ସୂଚନା ରହିଛି । ଏହି ଘଟଣାର ଅଭିଯୁକ୍ତ ଡାକ୍ତର ଇସ୍ମାଇଲ୍ଙ୍କୁ ଗିରଫ କରାଯାଇଛି । ଏହି ହତ୍ୟାକାଣ୍ଡ ଉପରୁ ପରଦା ହଟାଇବା ପାଇଁ ପୋଲିସ୍କୁ ପାଖାପାଖି 40 ଦିନ ଲାଗି ଯାଇଥିଲା।
ପୋଲିସ୍ ସୂଚନା ଅନୁସାରେ ଗତ ସେପ୍ଟେମ୍ବର 7ରେ ଗାଜିଆବାଦର ଜଣେ ମହିଳା ସନ୍ଦିଗ୍ଧ ଅବସ୍ଥାରେ ହଠାତ୍ ଗାଏବ ହୋଇଯାଇଥିଲେ। ମହିଳାଙ୍କ ନିଖୋଜ ନେଇ ଥାନାରେ ଅଭିଯୋଗ ହୋଇଥିଲା। ଏହାପରେ ପୋଲିସ୍ ଛାନ୍ଭିନ୍ ଆରମ୍ଭ କରି ଅଣପଞ୍ଜିକୃତ ଡାକ୍ତର ଇସ୍ମାଇଲ୍ଙ୍କ ନିକଟରେ ପହଞ୍ଚିଥିଲେ । ଡାକ୍ତରଙ୍କୁ ଏ ସଂକ୍ରାନ୍ତରେ ପଚରାଉଚୁରା ପରେ ସେ ନିଜ ଅପରାଧ ସ୍ବୀକାରକରିଥିଲେ । ବେମାରୀ କାରଣରୁ ଶାବନା ନାମ୍ନୀ ଜଣେ ମହିଳା ଇସ୍ମାଇଲଙ୍କ ନିକଟକୁ ଆସିଥିଲେ। ଏହି ଅବସରରେ ଦୁହିଁଙ୍କ ମଧ୍ୟରେ ବନ୍ଧୁତ୍ବ ସୃଷ୍ଟି ହୋଇଥିଲା । ପ୍ରାୟ ଏକ ମାସ ପରେ ଦୁହିଁଙ୍କ ମଧ୍ୟରେ ଗଭୀର ସମ୍ପର୍କ ସ୍ଥାପିତ ହୋଇଥିଲା । ଅଭିଯୁକ୍ତ ଡାକ୍ତର ଜଣକ କହିଛନ୍ତି ଯେ, ମହିଳାଜଣକ ତାଙ୍କ ସହ ରହିବାକୁ ଜିଦ୍ କରୁଥିଲେ । କିନ୍ତୁ ତାଙ୍କ ସାଙ୍ଗରେ ରଖିବା ଅସମ୍ଭବ ଥିଲା । କାରଣ ଦୁହେଁ ବିବାହିତ ଥିଲେ । ସେପ୍ଟେମ୍ବର 7 ତାରିଖରେ ଅଭିଯୁକ୍ତ ମହିଳାଙ୍କୁ ନେଇ ଦିଲ୍ଲୀ ଯାଇଥିଲେ । ସେଠାରେ ସେ ତାଙ୍କୁ ଏକ ହୋଟେଲ୍ରେ ରଖିଥିଲେ । ଯେପରି ସନ୍ଦେହ ନ ହେବ ଅଭିଯୁକ୍ତ ଜଣକ ମହିଳାଙ୍କୁ ହୋଟେଲ୍ରେ ଛାଡି ନିଜ ଘରକୁ ପଳାଇ ଆସିଥିଲେ । କିନ୍ତୁ ମହିଳା ଜଣକ ବାରମ୍ବାର ଫୋନ୍ କରିବା କରିବା ପରେ ଅଭିଯୁକ୍ତ ଡାକ୍ତର ତାଙ୍କୁ ନୋଏଡା ସେକ୍ଟର -62ର ଏକ ଭଡା ଗାଡି ଯୋଗେ ତାଙ୍କୁ ଚଣ୍ଡୀଗଡ ନେଇଥିଲେ । କିନ୍ତୁ ଚଣ୍ଡୀଗଡରେ ପହଞ୍ଚିବା ପୂର୍ବରୁ ତାଙ୍କଠାରୁ ମୁକ୍ତି ପାଇଁ ଡାକ୍ତର ଜଣକ ପ୍ଲାନ୍ କରିଥିଲେ । କୁରୁକ୍ଷେତ୍ରରେ ଏକ ମେଡିକାଲ୍ ଷ୍ଟୋର ନିକଟରେ କାର୍ ରଖି ସେଠାରୁ ଏକ ବିଷାକ୍ତ ଇଞ୍ଜେକସନ୍ ଆଣି ମହିଳାଙ୍କୁ ଦେଇଥିଲେ । ଏହାପରେ ମହିଳାଙ୍କର ମୃତ୍ୟୁ ହୋଇଯାଇଥିଲା । ଏହା ପରେ ଅଭିଯୁକ୍ତ ଡାକ୍ତର ଜଣକ ତାଙ୍କୁ ରାସ୍ତା କଡରେ ଫୋପାଡି ଦେଇ କାର୍ଟିକୁ ନୋଏଡା ନୋଏଡା ସେକ୍ଟର-62ରେ ପାର୍କିଂ କରି ଘରକୁ ଫେରି ଆସିଥିଲେ । ସେଠାରୁ ଆସିବା ପରେ ସେ ତାଙ୍କ ମୋବାଇଲ୍ ନମ୍ବର ବଦଳାଇ ଦେଇଥିଲେ। କିନ୍ତୁ ପୁୁରୁଣା ନମ୍ବରକୁ ଟ୍ରାକିଂ କରି ପୋଲିସ୍ ଶେଷରେ ଅପରାଧୀ ପାଖରେ ପହଞ୍ଚିଥିଲା । (ଏଜେନ୍ସି)