Categories
ଆଜିର ଖବର ରାଜ୍ୟ ଖବର

ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ବିଜେପି ଘୃଣ୍ୟ ରାଜନୀତି କରୁଛି: ବିଜେଡି

ଭୁବନେଶ୍ୱର : ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ହତ୍ୟାକାଣ୍ଡ ଏକ ଅତ୍ୟନ୍ତ ସ୍ପର୍ଶକାତର ଘଟଣା। କ୍ରାଇମବ୍ରାଞ୍ଚ ତଦନ୍ତରୁ ଧୀରେ ଧୀରେ ସତ ପଦାକୁ ଆସୁଥିବାବେଳେ ବିଜେପି ଏହାକୁ ନେଇ ହୀନ ରାଜନୀତି କରିବାକୁ ବିଫଳ ପ୍ରୟାସ କରୁଛି ବୋଲି ବିଜୁ ଜନତା ଦଳ ପକ୍ଷରୁ କୁହାଯାଇଛି।

ବିଜେଡି ମୁଖପାତ୍ର ଗୌତମବୁଦ୍ଧ ଦାସ ଏକ ପ୍ରେସ ବିବୃତିରେ କହିଛନ୍ତି ଯେ ଏହି ହତ୍ୟାକାଣ୍ଡରୁ ରାଜନୈତିକ ଫାଇଦା ଉଠାଇବା ପାଇଁ ବିଜେପିର କିଛି ନେତା ପ୍ରତିଦିନ ଲୋକଙ୍କୁ ନୂଆ ନୂଆ ଉଦ୍ଭଟ କାହାଣୀ ଶୁଣାଉଛନ୍ତି। କୌତୂହଳର ବିଷୟ ହେଲା, ସେମାନଙ୍କର ଗୋଟିଏ କାହାଣୀ ସହ ଅନ୍ୟ କାହାଣୀର ତାଳମେଳ ରହୁନାହିଁ।

ଏଭଳି ଏକ ସମ୍ବେଦନଶୀଳ ମାମଲାରେ ଲୋକଙ୍କୁ ବିଭ୍ରାନ୍ତ କରିବା ପାଇଁ ବିଜେପି ନେତାମାନେ ଯେଭଳି ନିମ୍ନ ସ୍ତରର ରାଜନୀତି କରୁଛନ୍ତି, ତାହା ଦେଖି ଓଡ଼ିଶାବାସୀ ସେମାନଙ୍କୁ ଘୃଣା କରିବା ଆରମ୍ଭ କଲେଣି। ଏମିତି ହାସ୍ୟାସ୍ପଦ ବୟାନବାଜି କରୁଥିବା ବିଜେପି ନେତାମାନେ ଆଗାମୀ ଦିନରେ ସତ ପଦାକୁ ଆସିବା ପରେ ଲୋକଙ୍କୁ ମୁହଁ ଦେଖାଇ ପାରିବେ ତ ବୋଲି ଶ୍ରୀ ଦାସ ପ୍ରଶ୍ନ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ଆଉ ତିନୋଟି ହସ୍ପିଟାଲରେ ହେବ କରୋନା ଟେଷ୍ଟ୍‌

ଭୁବନେଶ୍ବର : ରାଜ୍ୟରେ ଆଉ ତିନୋଟି ହସ୍ପିଟାଲରେ କରୋନା ଟେଷ୍ଟ ପାଇଁ ନିଷ୍ପତ୍ତି ନିଆଯାଇଛି । ସେହି ତିନୋଟି ହସ୍ପିଟାଲଗୁଡିକ ହେଲା, ବ୍ରହ୍ମପୁର ମେଡ଼ିକାଲ କଲେଜ, ଭିମ୍‌ସାର୍‌ ଓ ଆଇଜିଏଚ୍‌ । ରାଜ୍ୟ ମନ୍ତ୍ରୀସ୍ତରୀୟ ବୈଠକରେ ନିଷ୍ପତ୍ତି ନେଇ ମନ୍ତ୍ରୀ ନବ ଦାସ ଏହି ସୂଚନା ଦେଇଛନ୍ତି । ସେହିପରି ଏସ୍‌ସିବି, ଆଚାର୍ଯ୍ୟ ହରିହର କ୍ୟାନସର ମେଡିକାଲରେ ସାନିଟାଇଜ୍‌ ପ୍ରସ୍ତାବ ରଖାଯାଇଛି ।

ସୂଚନାଯୋଗ୍ୟ, ଓଡ଼ିଶା ପ୍ରଥମ ରାଜ୍ୟ ଭାବେ ଆଜି ରାଜ୍ୟ କ୍ୟାବିନେଟ୍‌ ବୈଠକରେ ଲକ୍‌ ଡାଉନ୍‌ ଅବଧି ବୃଦ୍ଧି ନେଇ ଘୋଷଣା କରିଛି । ଆସନ୍ତା ଏପ୍ରିଲ୍‌ 30 ତାରିଖ ଯାଏଁ ଲକ୍‌ ଡାଉନ୍‌ ରହିବ ବୋଲି ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ।

Categories
ବିଶେଷ ଖବର ମତାମତ

ଅବସରପ୍ରାପ୍ତ ଡାକ୍ତରମାନଙ୍କ କାନ୍ଧରେ ଆମର ସ୍ବାସ୍ଥ୍ୟସେବା କେତେଦିନ ଚାଲିପାରିବ?

କେଦାର ମିଶ୍ର

ଓଡିଶାର ସ୍ବାସ୍ଥ୍ୟମନ୍ତ୍ରୀ ଭାବରେ ଦାୟିତ୍ଵ ନେବା ପରେ ଶ୍ରୀ ନବ କିଶୋର ଦାସ ରାଜ୍ୟର ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ସକାରାତ୍ମକ ପରିବର୍ତ୍ତନ ଆଣିବାର ପ୍ରୟାସ କରୁଛନ୍ତି, ସେଥିଲାଗି ତାଙ୍କୁ ପ୍ରଶଂସା କରିବାକୁ ପଡିବ। ତେବେ ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ କଥା କହିବା ପୂର୍ବରୁ ବାସ୍ତବ ସମସ୍ୟାଗୁଡ଼ିକର ଚିହ୍ନଟ ଜରୁରୀ। ରାଜ୍ୟରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରଠୁ ଆରମ୍ଭ କରି ମେଡିକାଲ କଲେଜ ପର୍ୟନ୍ତ ସବୁଠି ଡାକ୍ତରଖାନା ଅଛି, ହେଲେ ଡାକ୍ତର ନାହାନ୍ତି। ଏହି ସମସ୍ୟାର ସମାଧାନ ଲାଗି ଅବସରପ୍ରାପ୍ତ ଡାକ୍ତରମାନଙ୍କୁ ଠିକା ଭିତ୍ତିରେ ପୁନଃନିଯୁକ୍ତି ଦିଆଯିବ ଓ ସେମାନଙ୍କ କାମ କରିବାର ସମୟସୀମାକୁ ୭୦ ବର୍ଷ କରାଯିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି। ଏହା ହୁଏତ ଡାକ୍ତର ସମସ୍ୟାକୁ କିଛିଟା ହାଲୁକା କରିବ, ଏହା କିନ୍ତୁ ସମାଧାନ ନୁହେଁ। ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ଅତିକମରେ ହଜାରେ ଲୋକରେ ଜଣେ ଡାକ୍ତର ରହିବା କଥା ବୋଲି କହିଛନ୍ତି। ଏହି ଲକ୍ଷ୍ୟ ପୂରଣରେ ଭାରତ ସରକାର ମଧ୍ୟ ସମର୍ଥ ହେଉନାହାନ୍ତି। ଏବେ ଜାତୀୟ ସ୍ତରରେ ୧୫୯୭ ଲୋକରେ ଜଣେ ଡାକ୍ତର ରହିଛନ୍ତି। ସେହି ତୁଳନାରେ ରାଜ୍ୟର ସ୍ଥିତି ଅତ୍ୟନ୍ତ ଖରାପ । ଆମର ପ୍ରତି ୨୭୪୯ ଜଣଙ୍କ ପାଇଁ ଜଣେ ଡାକ୍ତର ଅଛନ୍ତି। ଗ୍ରାମୀଣ ଓ ସହରୀ ଭେଦରେ ଏ ସଂଖ୍ୟା ଆହୁରି ଚିନ୍ତାର ବିଷୟ। ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନର ଲକ୍ଷ୍ୟ ପୂରଣ ତ ଦୂରର କଥା ଜାତୀୟ ହାର ସହ ସମାନ ହେବାକୁ ଆମକୁ ବହୁତ ସମୟ ଲାଗିବ।

ଅତିକମରେ ରାଜ୍ୟ ପାଇଁ  ୧୦,୦୦୦ ଡାକ୍ତରଙ୍କ ନୂଆ ନିଯୁକ୍ତିର ଆବଶ୍ୟକତା ରହିଛି। ତେବେ ଏତେ ସଂଖ୍ୟକ ଡାକ୍ତର ଆସିବେ କୋଉଠୁ? ଆମର ସବୁ ମେଡିକାଲ କଲେଜରୁ ବାହାରୁଥିବା ଡାକ୍ତରଙ୍କ ସଂଖ୍ୟା ୯୦୦ ରୁ ୧୦୦୦ ଭିତରେ ସୀମିତ । ତାଙ୍କ ଭିତରୁ ଅନେକ ଡାକ୍ତର ବାହାର ରାଜ୍ୟକୁ କିମ୍ବା ବିଦେଶକୁ ପଳାଉଛନ୍ତି। ରାଜ୍ୟ ସରକାରଙ୍କ ଚାକିରିରେ ଥିବା ତିନିଶହରୁ ଅଧିକ ଡାକ୍ତର ପ୍ରତିବର୍ଷ ଅବସର ନେଉଛନ୍ତି। ସେହି ସବୁ ହିସାବକୁ ନେଇ ଦେଖିଲେ ହାରାହାରି ୫୦୦ ନୂଆ ଡାକ୍ତର ଆମର ବ୍ୟବସ୍ଥା ଭିତରକୁ ଆସିପାରୁଛନ୍ତି। ଏହା ରାଜ୍ୟର ଆବଶ୍ୟକତା ପୂରଣ ଲାଗି ଯଥେଷ୍ଟ ନୁହେଁ।

ସରକାରୀ ଡାକ୍ତରକ୍ଷାନ ଗୁଡିକରେ କେବଳ ଡାକ୍ତର ସମସ୍ୟା ଯେ ରହିଛି, ତାହା ନୁହେଁ। ଅନେକ ସ୍ୱାସ୍ଥ୍ୟ କେନ୍ଦ୍ରର ଭିତ୍ତିଭୂମି ଅତ୍ୟନ୍ତ ଦୁର୍ବଳ। ଡାକ୍ତରଖାନା ଲାଗି ଘର ଅଛି, ହେଲେ ଛାତରୁ ପାଣି ଗଳୁଛି। ଅନେକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତରଙ୍କ ରହିବା ଲାଗି ରହିବା ଯୋଗ୍ୟ ଘରନାହିଁ। ରାଜ୍ୟର ଅଧାରୁ ଅଧିକ ସ୍ୱାସ୍ଥ୍ୟ କେନ୍ଦ୍ର ଜଣେ ଡାକ୍ତର ଓ ଜଣେ ପିଅନରେ ଚାଲୁଛି। ବିଭିନ୍ନ ନୂଆ ଯନ୍ତ୍ରପାତି ଚଳାଇବାକୁ ଟେକନିସିଆନ ନାହାନ୍ତି କିମ୍ବା ପାରା ମେଡିକାଲ କର୍ମଚାରୀ ମଧ୍ୟ ନାହାନ୍ତି। ସେମାନଙ୍କ ଅଭାବ ପୂରଣ କରିବା ଲାଗି ରାଜ୍ୟ ସରକାରଙ୍କ ନୀତି କଣ? ଜିଲା ସ୍ତରୀୟ ଡାକ୍ତରଖାନା ଗୁଡିକରେ ସବୁ ପ୍ରକାର ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ରାଜ୍ୟ ସରକାର ବିଭିନ୍ନ ଯୋଜନା କରୁଛନ୍ତି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଲୋକଙ୍କୁ ସର୍ବାଧିକ ସୁବିଧା ଜିଲା ସ୍ତରରେ ହିଁ ମିଳବା କଥା। ତେବେ ଜିଲା ଡାକ୍ତରଖାନା ଗୁଡିକ ସୁରକ୍ଷିତ ଅବସ୍ଥାରେ ଅଛନ୍ତି ତ! ନୂଆ ଖୋଲାଯାଉଥିବା ମେଡିକାଲ କଲେଜ ଗୁଡିକର ସ୍ଥିତି ମଧ୍ୟ ଅତ୍ୟନ୍ତ ସଙ୍ଗୀନ। ସେଠି ଆବଶ୍ୟକୀୟ ପ୍ରଫେସର ନାହାନ୍ତି କିମ୍ବା ଭିତ୍ତିଭୂମି ର ସୁବିଧା ମଧ୍ୟ ନାହିଁ। କୋରାପୁଟ, ବାରିପଦା ଓ ବଲାଙ୍ଗୀର ମେଡିକାଲ କଲେଜର ଅନେକ ସମସ୍ୟା ରହିଛି, ଯାହାକି ନୂଆ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଦୃଷ୍ଟି କୁ ନିହାତି ଆସିବା ଜରୁରୀ।

ସ୍ବାସ୍ଥ୍ୟମନ୍ତ୍ରୀଙ୍କ ନିଜ ଅଞ୍ଚଳ ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜର ଅବସ୍ଥାକୁ ସୁଧାରିବା ତାଙ୍କ ଲାଗି ସବୁଠୁ ବଡ ଆହ୍ଵାନ। ବୁର୍ଲା ଓ ବ୍ରହ୍ମପୁରର ଦୁଇଟି ଯାକ ମେଡିକାଲ କଲେଜର ଅବସ୍ଥା ଓ ଭିତ୍ତିଭୂମି ଆଦୌ ଭଲ ନାହିଁ। ତେବେ ଏ ରିପୋର୍ଟ ଲେଖା ହେବା ବେଳକୁ ଗୋଟେ ଭଲ ଖବର ହେଉଛି, ବୁର୍ଲା, ବାରିପଦା ଓ କୋରାପୁଟ କଲେଜ ପାଇଁ ୧୦୦ ଟି ନୂଆ ଆସନ ବଢିଛି। ଏହା ଭବିଷ୍ୟତରେ ନୂଆ ଡାକ୍ତର ତିଆରି କ୍ଷେତ୍ରରେ ସହାୟକ ହେବ। ନୂଆ ଡାକ୍ତର ନିଯୁକ୍ତି କ୍ଷେତ୍ରରେ ମଧ୍ୟ ସରକାରଙ୍କୁ ନିଜର ନୀତି ଓ ଦୃଷ୍ଟିକୋଣ ବଦଳାଇବାକୁ ପଡିବ। ଠିକା ଭିତ୍ତିକ ଡାକ୍ତର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବିଶେଷ ସହାୟକ ହେବେନାହିଁ। ସ୍ୱାସ୍ଥ୍ୟମନ୍ତ୍ରୀ ଅବସରପ୍ରାପ୍ତ ଡାକ୍ତରଙ୍କ କାର୍ୟକାଳ ବଢାଇବାର ଯେଉଁ ପ୍ରସ୍ତାବ ରଖିଛନ୍ତି, ସେଥିରେ ଡାକ୍ତରଖାନାର ମୌଳିକ ସମସ୍ୟା ସୁଧୁରିବ ନାହିଁ। ଠିକାରେ କାମ କରୁଥିବା ଏହି ଡାକ୍ତରମାନେ ସର୍ଜରୀ କିମ୍ବା ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ସେବାରେ ସହଯୋଗ କରିପାରିବେ ନାହିଁ। କେବଳ ଆଉଟ ଡୋର ସେବାରେ ଏମାନଙ୍କର ବିଶେଷ ଭୂମିକା ରହିବ।

ରାଜ୍ୟର ସ୍ଵାସ୍ଥ୍ୟନୀତି ପ୍ରଣୟନ ବେଳେ  ମନ୍ତ୍ରୀ ଓ ତାଙ୍କର ବିଭାଗ ବିଭିନ୍ନ ପେଷାଦାର ସଂଗଠନ ଓ ନାଗରିକ ସଂଗଠନଗୁଡିକର ପରାମର୍ଶ ନେବା ଜରୁରୀ। ତେବେ ସ୍ୱାସ୍ଥ୍ୟ ମନ୍ତ୍ରୀ ଏ ସମ୍ପର୍କରେ ନିଜର ଦୁଆର ଖୋଲା ରଖିବେ ବୋଲି ଆଶା କରାଯାଏ।

 

Categories
ବିଶେଷ ଖବର

ପଶ୍ଚିମ ଓଡିଶାରେ ବିଜେଡି ସଂଗଠନ, ନବ ଦାସ ପରବର୍ତ୍ତୀ ରାଜନୈତିକ ସମୀକରଣ

ସମୀକ୍ଷା ବ୍ୟୁରୋ

ଝାରସୁଗୁଡାରୁ କଂଗ୍ରେସ ଟିକଟରେ ଗତ ତିନୋଟି ଯାକ ବିଧାନସଭା ନିର୍ବାଚନ ଜିଣିଥିବା ନବ ଦାସ ଆସନ୍ତା ନିର୍ବାଚନର ଠିକ ଅବ୍ୟବହିତ ପୂର୍ବରୁ ଶାସକ ବିଜେଡି ରେ ଯୋଗଦାନ କରିବା ଓଡିଶାର ରାଜନୈତିକ ସମୀକରଣକୁ ଓଲଟ ପାଲଟ କରିଦେଇଛି। ପଶ୍ଚିମ ଓଡିଶାର ଦଶଟି ଜିଲ୍ଲା ସୁନ୍ଦରଗଡ, ଝାରସଉଗୁଡା, ଦେବଗଡ, ସମ୍ବଲପୁର, ବରଗଡ, ବଲାଙ୍ଗୀର, ସୋନପୁର, ନୂଆପଡା, କଳାହାଣ୍ଡି ଓ ବୌଦ ତଥା ଅନୁଗୁଳ ଜିଲାର ଆଠମଲ୍ଲିକ ଅଞ୍ଚଳରେ ବିଜୁ ଜନତା ଦଳର ସଂଗଠନ ଏହା ଦ୍ଵାରା ନୂଆ ଶକ୍ତି ପାଇବ ବୋଲି ଆମେ କହିପାରିବା କି? ଏହି ଦଶଟି ଜିଲାରେ ବିଧାନସଭା ଆସନ ସଂଖ୍ୟା ମାତ୍ର ୩୬। ତେଣୁ ବିଧାନସଭା ନିର୍ବାଚନରେ ପଶ୍ଚିମ ଓଡିଶାରୁ ଆମେ ୭୦ ଟି ଆସନ ଜିତିବୁ ବୋଲି ଯେତେବେଳେ ବିଜେପିର ବରିଷ୍ଠ ନେତା ସୁରେଶ ପୂଜାରୀ ଦାବି କରନ୍ତି, ସେତେବେଳେ ଆମକୁ ପୁଣିଥରେ ଗଣିତ ବହିର ମିଶାଣ ଫେଡାଣ ପାଠ ପଢିବାକୁ ବାଧ୍ୟ ହେଉ। ୩୬ ଟି ଆସନ ଭିତରୁ ୨୧ ଟି ଆସନରେ ବିଜେଡି, ୭ ଟି ଆସନରେ ବିଜେପି ଓ ୮ ଟି ଆସନରେ ରେ କଂଗ୍ରେସ ଜିତିଛନ୍ତି।

୨୦୦୯ ଓ ୨୦୧୪ ନିର୍ବାଚନ ଆଧାରରେ ପଶ୍ଚିମ ଓଡିଶାରେ ବିଜୁ ଜନତା ଦଳର ସଂଗଠନ ଅତ୍ୟନ୍ତ ଦୁର୍ବଳ ବୋଲି କୁହାଯାଇ ପାରିବ ନାହିଁ। ତେବେ ଦକ୍ଷିଣ ଓ ଉପକୂଳ ଓଡିଶା ତୁଳନାରେ ପଶ୍ଚିମାଞ୍ଚଳରେ ବିଜେଡ଼ିର ସ୍ଥିତି ସାମାନ୍ୟ କମ। ତେବେ ପଞ୍ଚାୟତ ନିର୍ବାଚନରେ କଳାହାଣ୍ଡି, ବଲାଙ୍ଗୀର, ସୋନପୁର, ସମ୍ବଲପୁର, ବରଗଡ, ଦେବଗଡ ଇତ୍ୟାଦି ଜିଲା ପରିଷଦ ଗଢିବାରେ ଭାରତୀୟ ଜନତା ପାର୍ଟିକୁ ସଫଳତା ମିଳିଥିଲା। ହୁଏତ ସେଇ ଆଧାରରେ ପଶ୍ଚିମ ଓଡ଼ିଶାକୁ ବିଜେପିର ଦୁର୍ଗ ବୋଲି କେହି କେହି କହୁଥାଇ ପାରନ୍ତି। କିନ୍ତୁ ବିଜେପୁର ବିଧାନସଭା ଉପନିର୍ବାଚନ ପରେ ଏ ସ୍ଥିତି ପୂରାପୂରି ବଦଳି ଯାଇଛି। ପଶ୍ଚିମ ଓଡିଶା ଉପରେ ଏବେ ଉଭୟ ବିଜେପି ଓ ବିଜେଡି ନିଜର ଶକ୍ତି କେନ୍ଦ୍ରୀଭୂତ କରିଥିବା ବେଳେ ଏକଦା କଂଗ୍ରେସର ଭାତହାଣ୍ଡି କୁହାଯାଉଥିବା ପଶ୍ଚିମ ଓଡିଶାରେ ଏହି ଦଳର ଅସ୍ତିତ୍ଵ ଏବେ ପ୍ରଶ୍ନବାଚୀ ହୋଇପଡିଛି।

ପଶ୍ଚିମ ଓଡିଶାର ୩୬ ଟି ଯାକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଝାରସୁଗୁଡା ଜିଲ୍ଲା ର ପ୍ରଭାବ ପଡିବ କି? ନବ ଦାସ ବିଜେଡି ରେ ମିଶିଲା ପରେ ପଶ୍ଚିମ ଓଡିଶା ପାଇଁ ବିଜେଡ଼ିର ପଥ ନିଷ୍କଣ୍ଟକ ହୋଇ ଗଲା କି? ନବ ଦାସ ପୂରା ପଶ୍ଚିମ ଓଡିଶାରେ ପ୍ରଭାବ ବିସ୍ତାର କରି ପାରିଲା ଭଳି ନେତା କି? ଏ ସବୁ ପ୍ରଶ୍ନର ଏକ ମାତ୍ର ଉତ୍ତର ହେବ, ନା। ନବ ଦାସଙ୍କ ପ୍ରଭାବ ଓ ପତିଆରା କେବଳ ଝାରସୁଗୁଡା ଜିଲ୍ଲା ରେ ସୀମିତ। ଅତି ବେଶୀ ରେ ସେ ଅବିଭକ୍ତ ସମ୍ବଲପୁର ଜିଲାର କିଛି ଅଂଶକୁ ପ୍ରଭାବିତ କରି ପାରିବେ। ୨୦୧୪ ନିର୍ବାଚନ ସମୟରେ ବ୍ରଜରାଜନଗରରୁ କଂଗ୍ରେସ ଟିକଟରେ ଅନୁପ ସାଏ ବିଜେଡି ରେ ଯୋଗ ଦେଇ ସେ ବର୍ଷ ବିଜେପିର ରାଧାରଣୀ ପଣ୍ଡାଙ୍କ ଠାରୁ ପରାସ୍ତ ହୋଇଥିଲେ। ଅନେକ ସମୟରେ ଦଳ ବଦଳକାରୀଙ୍କୁ ଭୋଟର ମାନେ ସନ୍ଦେହ କରିଥାନ୍ତି। ତେଣୁ ବିଜେଡିରେ ନବାଙ୍କ ଯାତ୍ରା ଯେ ସୁଗମ ହେବ ସେ କଥା କୁହାଯାଇପାରିବ ନାହିଁ।  ତେବେ ଝାରସୁଗୁଡା ଜିଲାର ଦୁଇଟି ଯାକ ଆସନ ବିଜେଡି ହାତରେ ନଥିଲା। ସେଥିଲାଗି ବୋଧେ ବିଜେଡି ଜିଲ୍ଲାରେ ନିଜର ଶକ୍ତି ବୃଦ୍ଧି ପାଇଁ ନବଙ୍କୁ ନିଜ ଆଡକୁ ଆଣିଛି। ନବ ଦାସ ଓ ଯୋଗେଶ ସିଂ କଂଗ୍ରେସ ଛାଡି ବିଜେପିକୁ ଆସିବା ଯେତିକି ଗୁରୁତ୍ୱପୂର୍ଣ୍ଣ, ଠିକ ସେତିକି ଗୁରୁତ୍ୱପୂର୍ଣ୍ଣ ହେଉଛି ବିଜେପୁରର କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁଙ୍କ ବିଜେଡିରେ ଯୋଗଦାନ। ବରଗଡ ଜିଲ୍ଲାରେ ପ୍ରଣୟ ସାହୁଙ୍କର ଭଲ ସଂଗଠନ ରହିଛି।

ଅନ୍ୟ ଏକ ଉଡା ଖବର ଅନୁସାରେ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ପରିବାର ବିଜେଡି ପ୍ରତି ଅଧିକ ଶ୍ରଦ୍ଧାଶୀଳ ହେଉଛନ୍ତି। ତାହା ଯଦି ସତ୍ୟ ପ୍ରମାଣିତ ହୁଏ ତା ହେଲେ କଂଗ୍ରେସ ପଶ୍ଚିମ ଓଡିଶାରେ ନିଜର ସତ୍ତା ହରାଇବ ଓ ସେଠି ତ୍ରିମୂଖୀ ପ୍ରତିଯୋଗିତା ଦ୍ଵିମୁଖୀ ରେ ରୂପାନ୍ତରିତ ହେବ। ଆସ୍ତେ ଆସ୍ତେ କଂଗ୍ରେସ ନିଜର ସତ୍ତା ହରାଇବା ଭଳି ସ୍ଥିତି ସୃଷ୍ଟି ହେଉଥିବାରୁ ଆସନ୍ତା ନିର୍ବାଚନରେ ବିଜେପି ବନାମ ବିଜେପି ଭିତରେ ସିଧାସଳଖ ଯୁଦ୍ଧର ଆଶା କରାଯାଇପାରେ। ପଶ୍ଚିମ ଓଡିଶାରେ ବିଜେପିର ସ୍ଥିତି ଆଜି ୨୦୧୭ ଭଳି ଆଉ ନାହିଁ। ନରେନ୍ଦ୍ର ମୋଦୀଙ୍କୁ ନେଇ ୨୦୧୪-୧୭ ଭିତରେ ଯେଉଁ ଉତ୍ସାହ ଏହି ସବୁ ଅଞ୍ଚଳରେ ଥିଲା, ତାହା ଏବେ ମଉଳି ଗଲାଣି। ତେଣୁ ପଶ୍ଚିମ ଓଡିଶା ବାଟ ଦେଇ ଓଡିଶାର କ୍ଷମତା ଦାଖଲ କରିବା ପାଇଁ ବିଜେପିର ଯୋଜନା ଏତେ ସହଜ ନୁହେଁ।

ମୋଟାମୋଟି ପଶ୍ଚିମ ଓଡିଶାରେ ବିଜେପି ଓ ବିଜେଡି ମଧ୍ୟରେ  କଡା ମୁକାବିଲା ରହିବ। କଂଗ୍ରେସ ଗତଥର ତୁଳନାରେ ଏଥର ଯଦି ବହୁତ କମ ସଫଳତା ପାଏ ତାହେଲେ ସେଥିରେ ଆଶ୍ଚର୍ୟ ହେବାର କିଛି ନାହିଁ।