ବିଜେଡିରେ ସାମିଲ ହେଲେ ପୂର୍ବତନ ପୂର୍ତ୍ତ ସଚିବ ନଳିନୀକାନ୍ତ ପ୍ରଧାନ । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ନବୀନ ନିବାସରେ ବିଧିବଦ୍ଧ ଭାବେ ବିଜେଡ଼ିରେ ଯୋଗଦାନ କଲେ ନଳିନୀ । ଗତ ୨୮ ତାରିଖରେ ବ୍ୟକ୍ତିଗତ କାରଣ ଦର୍ଶାଇ ନଳିନୀକାନ୍ତ ବିଭାଗୀୟ ସଚିବ ପଦରୁ ଇସ୍ତଫା ଦେଇଥିଲେ । ତେବେ ନିର୍ବାଚନକୁ ଆଉ ମାତ୍ର ଦିନ କେଇଟା ବାକି ଥିବାବେଳେ ନଳିନୀଙ୍କ ରାଜନୀତିରେ ପ୍ରବେଶ କରିବା ପରେ ରାଜନୈତିକ କରିଡରରେ ହଟଚମଟ ସୃଷ୍ଟି କରିଛି । ପୂର୍ବରୁ ନଳିନୀ ରାଜନୀତିରେ ନୂଆ ଇନିଂସ ଆରମ୍ଭ କରିବେ ବୋଲି ଚର୍ଚ୍ଚା ହେଉଥିଲା । ସେପଟେ ନଳିନୀଙ୍କ ବିଜେଡିରେ ସାମିଲ ହେବା ନେଇ ଆଗାମୀ ନିର୍ବାଚନରେ ତାଙ୍କୁ ଦଳ ପ୍ରାର୍ଥୀ କରିବ ବୋଲି ଶୁଣିବାକୁ ମିଳୁଛି । ନଳିନୀ ପଶ୍ଚିମ ଓଡିଶାର ଗୁରୁତ୍ୱପୂର୍ଣ୍ଣ ଆସନ ଯଥା ସମ୍ବଲପୁର ସଂସଦୀୟ କ୍ଷେତ୍ରରୁ ଦଳୀୟ ଟିକେଟରେ ନିର୍ବାଚନ ଲଢିପାରନ୍ତି ବୋଲି ସୂଚନା ରହିଛି ।