Categories
ଆଜିର ଖବର ଜାତୀୟ ଖବର

ବିଜେପିକୁ ମିଳିବ ବାଚସ୍ପତି ପଦ : ନନ୍ଦକିଶୋର ଯାଦବ ହୋଇପାରନ୍ତି ବିହାରର ବାଚସ୍ପତି

ପାଟନା : ବିହାରରେ ପୁଣି ଥରେ ଏନ୍‌ଡିଏ ସରକାର ଗଠନ କରୁଛି । ନୀତିଶ୍‌ କୁମାରଙ୍କ ନେତୃତ୍ବରେ ଏନ୍‌ଡିଏ ସଂଖ୍ୟା ଗରିଷ୍ଠ ହାସଲ କରି ପୁଣି ଥରେ ସରକାର ଗଢୁଛି । ନୀତିଶ୍‌ ସପ୍ତମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ହେଉଥିବାବେଳେ ଚଳିତ ଥର ନିର୍ବାଚନରେ ବିହାରରେ ବିଜେପିର ସିଂହଭାଗ ରହିଛି । ବରିଷ୍ଠ ନେତା ନନ୍ଦକିଶୋର ଯାଦବଙ୍କୁ ବିହାର ବିଧାନସଭାର ବାଚସ୍ପତି ପଦ ମିଳିପାରେ ବୋଲି ଆଲୋଚନା ହେଉଛି । ବିହାର ବିଜେପିର ଜଣେ ବଡ ନେତା ଭାବେ ଗଣା ଯାଉଥିବା ନନ୍ଦକିଶୋର ସପ୍ତମ ଥର ଲାଗି ପାଟନା ସାହେବ ବିଧାନସଭା ଆସନରୁ ବିଜୟୀ ହୋଇଛନ୍ତି । ଏମିତିକି ପୂର୍ବରୁ ମଧ୍ୟ ସେ ନୀତୀଶ ସରକାରରେ ମନ୍ତ୍ରୀ ଥିଲେ। ଏବେ ବିହାରରେ ଏନ୍‌ଡିଏ ସରକାର ଗଠନ କରିବାକୁ ଯାଉଥିବା ବେଳେ ଉଭୟ ବିଜେପି ଓ ଜେଡିୟୁ ବାଚସ୍ପତି ପଦ ଉପରେ ନଜର ରଖିଛନ୍ତି ।

ଚଳିତ ନିର୍ବାଚନରେ ନନ୍ଦକିଶୋର ଯାଦବ କଂଗ୍ରେସର ପ୍ରତିଦ୍ବନ୍ଦ୍ବୀ ପ୍ରବୀଣ କୁଶଓ୍ବାହାଙ୍କ ବିପକ୍ଷରେ ରହିଥିଲେ । ନନ୍ଦକିଶୋର କଂଗ୍ରେସ ପ୍ରାର୍ଥୀ 18 ହଜାର 662 ଭୋଟ୍‌ରେ ହରାଇଛନ୍ତି । ସୂଚନାଯୋଗ୍ୟ, ନୀତିଶ କୁମାର ସନ୍ଧ୍ୟା 4ଟା 30ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି । ରାଜଭବନରେ ଆୟୋଜିତ ସମାରୋହରେ ନୀତିଶ ସପ୍ତମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । (ଏଜେନ୍ସି)