Categories
ଆଜିର ଖବର ଜାତୀୟ ଖବର

ଦେଶରେ ବାର୍ଷିକ ୬୦ରୁ ୭୦ ହଜାର ନବଜାତଙ୍କ ଜୀବନ ବଞ୍ଚାଉଛି ସ୍ୱଚ୍ଛ ଭାରତ ଅଭିଯାନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରିକଳ୍ପନାରେ ଦେଶରେ ବ୍ୟାପକ ଅଭ୍ୟାସଗତ ପରିବର୍ତ୍ତନ ଆଣିବା ସହ ଦେଶକୁ ସ୍ୱଚ୍ଛ ଓ ସୁନ୍ଦର କରିବାରେ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ସ୍ୱଚ୍ଛ ଭାରତ ଅଭିଯାନ ଏବେ ଆଉ ଏକ ମାଇଲଖୁଣ୍ଟ ହାସଲ କରିଛି। ଏହି ଅଭିଯାନ ଦେଶକୁ ଖୋଲା ଶୌଚମୁକ୍ତ କରିବା ଯୋଗୁ ଭାରତରେ ବାର୍ଷିକ ପ୍ରାୟ ୬୦,୦୦୦ରୁ ୭୦,୦୦୦ ନବଜାତ ଶିଶୁଙ୍କ ମୃତ୍ୟୁକୁ ଏଡ଼ାଇ ଦିଆଯାଇ ପାରିଛି। ନିକଟରେ ନେଚର୍‌ ପତ୍ରିକାରେ ପ୍ରକାଶିତ ଏକ ଗବେଷଣା ପତ୍ରରେ ଏ ସମ୍ପର୍କରେ ଉଲ୍ଲେଖ କରାଯାଇଛି। ଅନ୍ତର୍ଜାତୀୟ ଖାଦ୍ୟ ନୀତି ଗବେଷଣା ପ୍ରତିଷ୍ଠାନ, କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟ ଏବଂ ଓହିୟୋ ଷ୍ଟେଟ୍‌ ୟୁନିଭର୍ସିଟୀର ଗବେଷକଙ୍କ ଦ୍ୱାରା ପ୍ରସ୍ତୁତ ଏହି ଗବେଷଣା ପତ୍ରରେ ଶିଶୁ ମୃତ୍ୟୁ ହାର ରୋକିବାରେ ସ୍ୱଚ୍ଛ ଭାରତ ଅଭିଯାନର ଯୋଗଦାନକୁ ଉଚ୍ଚ ପ୍ରଶଂସା କରାଯାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗବେଷଣାପତ୍ରର ପରିଣାମକୁ ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି। ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏ ସଂକ୍ରାନ୍ତ ଏକ ପୋଷ୍ଟ୍‌ ଶେୟାର କରି ଶ୍ରୀ ମୋଦୀ ଲେଖିଛନ୍ତି, ‘‘ସ୍ୱଚ୍ଛ ଭାରତ ଭଳି ଅଭିଯାନର ପ୍ରଭାବ ଉଲ୍ଲେଖ କରୁଥିବା ଗବେଷଣାପତ୍ରର ଫଳାଫଳକୁ ଦେଖି ଆନନ୍ଦିତ। ଶୌଚାଳୟର ଉପଯୁକ୍ତ ଉପଲବ୍ଧତା ନବଜାତ ଓ ଶିଶୁ ମୃତ୍ୟୁ ହାର ରୋକିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି। ସ୍ୱଚ୍ଛ, ସୁରକ୍ଷିତ ପରିମଳ ଜନସ୍ୱାସ୍ଥ୍ୟ କ୍ଷେତ୍ରରେ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିଛି। ଆଉ ଭାରତ ଏହି କ୍ଷେତ୍ରରେ ଅଗ୍ରଣୀ ହେବା ଖୁସିର ବିଷୟ।’’

ଉପରୋକ୍ତ ଗବେଷଣା ପତ୍ରରେ ଦର୍ଶାଯାଇଛି ଯେ, ମୋଦୀ ସରକାରଙ୍କ କାର୍ଯ୍ୟକାଳରେ ଶୌଚାଳୟ ପ୍ରସାରରେ ଉଲ୍ଲେଖନୀୟ ବୃଦ୍ଧି ହେବା ସହିତ ଖୋଲା ଶୌଚ ଭଳି କୁଅଭ୍ୟାସରେ ପରିବର୍ତ୍ତନ ଆସିଛି। କେବଳ ସେତିକି ନୁହେଁ, ପାଇପ୍‌ ଜଳ ଯୋଗାଣ ୧୬%ରୁ ବୃଦ୍ଧି ପାଇ ୭୮%ରେ ପହଞ୍ଚିଛି। ୧୧ କୋଟିରୁ ଅଧିକ ଘରକୁ ସ୍ୱଚ୍ଛ ରୋଷେଇ ଗ୍ୟାସ୍‌ ସଂଯୋଗ ଦିଆଯାଇଛି। ଏହାଦ୍ୱାର ସାମାଜିକ ଓ ସ୍ୱାସ୍ଥ୍ୟଗତ ପରିଣାମରେ ଉନ୍ନତି ଦେଖିବାକୁ ମିଳିଛି।

ଅନ୍ୟପକ୍ଷରେ, ୟୁପିଏ-୧ ସରକାରଙ୍କ ଅମଳରେ ଦେଶର କେତେକ ଜିଲ୍ଲାରେ ସ୍ୱଚ୍ଛତା ଓ ସ୍ୱାସ୍ଥ୍ୟପ୍ରଦ ଶୌଚାଳୟ ଉପଲବ୍ଧତାରେ ହ୍ରାସ ଘଟିଥିଲା। ୟୁପିଏ-୧ ସମୟରେ ସାମାଜିକ ବ୍ୟୟ ବୃଦ୍ଧି ପାଇଥିବା ନେଇ କଂଗ୍ରେସ ପକ୍ଷରୁ ଯେଉଁ ଦାବି କରାଯାଇଛି ତାହାର ବିପରୀତ ଶୌଚାଳୟ ଉପଲବ୍ଧତା ଭଳି ମୌଳିକ ସୁବିଧା ହ୍ରାସ ପାଇଥିଲା ବୋଲି ଗବେଷଣାପତ୍ରରେ ଉଲ୍ଲେଖ କରାଯାଇଛି।

ଏଥିରେ ଆହୁରି କୁହାଯାଇଛି ଯେ, ୨୦୦୦ରୁ ୨୦୧୫ ନବଜାତ ମୃତ୍ୟୁ ହାର ବାର୍ଷିକ ୩% ହ୍ରାସ ପାଇଥିବା ବେଳେ ୨୦୧୫ରୁ ୨୦୨୦ ମଧ୍ୟରେ ବାର୍ଷିକ ୮ରୁ୯% ହାରରେ ହ୍ରାସ ପାଇଥିଲା। ନବଜାତଙ୍କ ମୃତ୍ୟୁହାରରେ ତିନିଗୁଣା ହ୍ରାସ ଦେଖିବାକୁ ମିଳିବା ସ୍ୱଚ୍ଛ ଭାରତ ମିଶନର ଉଲ୍ଲେଖନୀୟ ପ୍ରଭାବକୁ ଦର୍ଶାଉଛି। କେବଳ ସେତିକି ନୁହେଁ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳ ନବଜାତ ଶିଶୁ ମୃତ୍ୟୁ ହାର ମଧ୍ୟରେ ବ୍ୟବଧାନ ୨୦୧୪ରେ ୩୯ ଥିବା ବେଳେ ଏଥିରେ ୧୨ ପଏଣ୍ଟ ହ୍ରାସ ପାଇ ୨୦୨୦ରେ ୨୮ରେ ପହଞ୍ଚିଛି ।

ଏଥିରେ ଆହୁରି କୁହାଯାଇଛି ଯେ, ବିଭିନ୍ନ ଜିଲ୍ଲାରେ ଶୌଚାଳୟ ଉପଲବ୍ଧତା ଯୋଗୁ ଆନୁଷ୍ଠାନିକ ପ୍ରସବ, ମାତୃ ମୃତ୍ୟୁହାର ଏବଂ ପ୍ରସବପୂର୍ବ ଯତ୍ନରେ ସୁଧାର ଦେଖିବାକୁ ମିଳିଛି। ଅଧିକ ସଂଖ୍ୟାରେ ମହିଳା ଓ ଶିଶୁଙ୍କୁ ପୋଷଣ ଅଭିଯାନ ଓ ପିଏମ୍‌ ମାତୃ ବନ୍ଦନା ଯୋଜନା ଭଳି ପୋଷଣ ସେବା ଅଧିକ ମାତ୍ରାରେ ଉପଲବ୍ଧ ହୋଇଛି। ଯେଉଁଠି ପାଇପ୍‌ ଜଳଯୋଗାଣ ସୁବିଧା ଅଧିକ ରହିଛି ସେହି ଅଞ୍ଚଳରେ ସ୍ୱଚ୍ଛ ଭାରତ ଅଭିଯାନର ଅଧିକ ଲାଭ ମିଳିଛି। ଜଳଜୀବନ ମିଶନ କାର୍ଯ୍ୟକାରୀ ହେବା ଫଳରେ ୧୨ କୋଟି ଗ୍ରାମୀଣ ଘରକୁ ପାଇପ୍‌ ଯୋଗେ ପାନୀୟ ଜଳ ଯୋଗାଇ ଦିଆଯାଇଛି। ଗ୍ରାମାଞ୍ଚଳରେ ପାଇପ୍‌ ଜଳ ଯୋଗାଣର ପ୍ରସାର ଗତ ପାଞ୍ଚ ବର୍ଷ ମଧ୍ୟରେ ୧୬%ରୁ ୭୮%କୁ ବୃଦ୍ଧି ପାଇଛି। ଏହାଦ୍ୱାରା ସ୍ୱଚ୍ଛ ଭାରତର ଅଧିକ ସକାରାତ୍ମକ ସ୍ୱାସ୍ଥ୍ୟ ଲାଭ ମିଳିଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ସପ୍ତମ ଦିନରେ ଭାରତ ପାଇଁ ହେଲା ପଦକ ବର୍ଷା, ସମସ୍ତଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ୟାରିସ୍ ପାରାଲିମ୍ପିକ୍ସରେ ଭାରତ ପାଇଁ ସପ୍ତମ ଦିନ ପଦକ ବର୍ଷା ହୋଇଛି। ସପ୍ତମ ଦିନରେ ମୋଟ 4 ଟି ପଦକ ଭାରତର ଖାତାକୁ ଆସିଛି, ​​ଯେଉଁଥିରେ 2 ଟି ସ୍ୱର୍ଣ୍ଣ ଏବଂ 2 ଟି ରୌପ୍ୟ ରହିଛି। ଏହି ଚାରୋଟି ପଦକ ସହିତ ମୋଟ 24 ଟି ପଦକ ଭାରତର ଖାତାରେ ଯୋଡି ହୋଇଛି। ପୁରୁଷ କ୍ଲବ ଥ୍ରୋ F51 ରେ ଭାରତୀୟ ଆଥଲେଟ୍ ଧର୍ମବୀର ଏବଂ ପ୍ରଣବ ସୁରମା ଯଥାକ୍ରମେ ସ୍ୱର୍ଣ୍ଣ ଓ ରୌପ୍ୟ ଜିତିଛନ୍ତି। ଏହା ବ୍ୟତୀତ ହରବିନ୍ଦର ସିଂ ତୀରନ୍ଦାଜରେ ସ୍ୱର୍ଣ୍ଣ ଏବଂ ସଚିନ୍ ସରଜେରାଓ ଖିଲାରୀ ପୁରୁଷ ଶଟପୁଟ F46 ରେ ରୌପ୍ୟ ଜିତିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ସମସ୍ତ ପାରା ଆଥଲେଟମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ବ୍ରୁନେଇଠାରେ ଭାରତୀୟ ହାଇକମିସନର ନୂତନ ଚାନ୍ସେରୀ ପରିସରକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରୁନେଇଠାରେ ଭାରତୀୟ ହାଇକମିସନର ନୂତନ ଚାନ୍ସେରୀ ପରିସରକୁ ଉଦଘାଟନ କରିଛନ୍ତି। ଏହି ଅବସରରେ ସେ ଦୀପ ପ୍ରଜ୍ୱଳନ କରିବା ସହ ଫଳକ ଉନ୍ମୋଚନ କରିଥିଲେ।

ଉଦଘାଟନ ଉତ୍ସବରେ ଉପସ୍ଥିତ ଥିବା ଭାରତୀୟ ସମ୍ପ୍ରଦାୟର ସଦସ୍ୟମାନଙ୍କ ସହ ମଧ୍ୟ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିଲେ। ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବାରେ ସେମାନଙ୍କ ଅବଦାନକୁ ସେ ପ୍ରଶଂସା କରିଥିଲେ। ବ୍ରୁନେଇରେ ପହଞ୍ଚିଥିବା ଭାରତୀୟଙ୍କ ପ୍ରଥମ ଯାତ୍ରା ୧୯୨୦ ଦଶକରେ ତୈଳ ଆବିଷ୍କାର ସହିତ ଆରମ୍ଭ ହୋଇଥିଲା। ବର୍ତ୍ତମାନ ବ୍ରୁନେଇରେ ପ୍ରାୟ ୧୪,୦୦୦ ଭାରତୀୟ ରହୁଛନ୍ତି। ବ୍ରୁନେଇର ସ୍ୱାସ୍ଥ୍ୟ ସେବା ଏବଂ ଶିକ୍ଷା କ୍ଷେତ୍ରର ଅଭିବୃଦ୍ଧି ଏବଂ ବିକାଶରେ ଭାରତୀୟ ଡାକ୍ତର ଓ ଶିକ୍ଷକଙ୍କ ଅବଦାନକୁ ସମସ୍ତେ ସ୍ୱୀକାର କରିଛନ୍ତି।

ପାରମ୍ପରିକ ରୂପରେଖ ଏବଂ ବୃକ୍ଷରୋପଣ ସହ ଚାନ୍ସରି କମ୍ପ୍ଲେକ୍ସ ଭାରତୀୟତାର ଗଭୀର ଭାବନାକୁ ପ୍ରତିଫଳିତ କରିଥାଏ। ସୁନ୍ଦର ଏବଂ ସ୍ଥାୟୀ କୋଟା ପଥରର ବ୍ୟବହାର ଏହାର ସୌନ୍ଦର୍ଯ୍ୟପୂର୍ଣ୍ଣ ଆକର୍ଷଣକୁ ଆହୁରି ବଢ଼ାଇବା ସହ ପାରମ୍ପରିକ ଏବଂ ସମସାମୟିକ ଉପାଦାନଗୁଡ଼ିକୁ ସୁନ୍ଦର ଭାବରେ ମିଶ୍ରଣ କରିଥାଏ। ଏହି ଡିଜାଇନ୍ କେବଳ ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ସୂଚୀତ କରେ ନାହିଁ ବରଂ ଏକ ଶାନ୍ତ ତଥା ଆକର୍ଷଣୀୟ ବାତାବରଣ ମଧ୍ୟ ସୃଷ୍ଟି କରେ।

Categories
ଆଜିର ଖବର ଖେଳ ଜାତୀୟ ଖବର

ପାରାଅଲମ୍ପିକ୍ସ: ଦ୍ୱିତୀୟ ପଦକ ଜିତିଥିବାରୁ କ୍ରୀଡ଼ାବିତ ପ୍ରୀତି ପାଲଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଏବେ ଚାଲିଥିବା ପ୍ୟାରିସ ପାରାଅଲିମ୍ପିକ୍ସରେ ଟ୍ରାକ୍‌୍ ଆଣ୍ଡ ଫିଲ୍ଡରେ କ୍ରୀଡ଼ାବିତ ପ୍ରୀତି ପାଲ ଦ୍ୱିତୀୟ ପଦକ ଜିତିଥିବାରୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି।

ମହିଳା ୨୦୦ ମିଟର ଟି୩୫ ରେ ୨୩ ବର୍ଷୀୟା ବ୍ରୋଞ୍ଜ ପଦକ ଜିତିଛନ୍ତି ଏବଂ ପାରାଅଲିମ୍ପିକ୍ସ ଟ୍ରାକ୍‌୍ ଆଣ୍ଡ ଫିଲ୍ଡରେ ଦୁଇଟି ପଦକ ଜିତିବାରେ ପ୍ରଥମ ଭାରତୀୟ ମହିଳା କ୍ରୀଡ଼ାବିତ ହୋଇପାରିଛନ୍ତି।

ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି:

“ପ୍ରୀତି ପାଲଙ୍କ ଦ୍ୱାରା ଐତିହାସିକ କୃତିତ୍ୱ। ପ୍ୟାରିସ ପାରାଅଲିମ୍ପିକ୍ସ ୨୦୨୪ #Paralympics2024 ରେ ସେ ତାଙ୍କର ଦ୍ୱିତୀୟ ପକଦ ଜିତିଛନ୍ତି। ମହିଳା ୨୦୦ ମିଟର ଟି୩୫ରେ ବ୍ରୋଞ୍ଜ ପଦକ ସହ ଏହି କୃତିତ୍ୱ ପାଇଛନ୍ତି। ଭାରତର ଲୋକଙ୍କ ପାଇଁ ସେ ପ୍ରେରଣା । ତାଙ୍କର ଉତ୍ସର୍ଗୀକୃତ ମନୋଭାବ ପ୍ରଣିଧାନଯୋଗ୍ୟ।

Categories
ଆଜିର ଖବର ଜାତୀୟ ଖବର

୩ଟି ବନ୍ଦେ ଭାରତ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ତିନୋଟି ବନ୍ଦେ ଭାରତ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ‘ମେକ୍ ଇନ୍ ଇଣ୍ଡିଆ’ ଏବଂ ଆତ୍ମନିର୍ଭର ଭାରତ ସ୍ୱପ୍ନକୁ ସାକାର କରି ଅତ୍ୟାଧୁନିକ ବନ୍ଦେ ଭାରତ ଏକ୍ସପ୍ରେସ୍ ମେରଠ-ଲକ୍ଷ୍ନୌ, ମଦୁରାଇ-ବେଙ୍ଗାଲୁରୁ ଏବଂ ଚେନ୍ନାଇ-ନାଗରକୋଇଲ ଭଳି ତିନୋଟି ମାର୍ଗରେ ଯୋଗାଯୋଗରେ ଉନ୍ନତି ଆଣିବ। ଏହି ଟ୍ରେନ୍ ଗୁଡ଼ିକ ଉତ୍ତରପ୍ରଦେଶ, ତାମିଲନାଡୁ ଏବଂ କର୍ଣ୍ଣାଟକରେ ଯୋଗାଯୋଗକୁ ପ୍ରୋତ୍ସାହିତ କରିବ।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ମଦୁରାଇ-ବେଙ୍ଗାଲୁରୁ, ଚେନ୍ନାଇ-ନାଗରକୋଇଲ ଏବଂ ମେରଠ-ଲକ୍ଷ୍ନୌ ବନ୍ଦେ ଭାରତ ଟ୍ରେନ୍ ଚଳାଚଳକୁ ଆଜି ପତାକା ଦେଖାଇ ଶୁଭାରମ୍ଭ ଯିବା ସହିତ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ଭାରତର ବିକାଶ ଯାତ୍ରାରେ ଏକ ନୂତନ ଅଧ୍ୟାୟ ଲେଖାଯାଉଛି। ଦେଶରେ ବନ୍ଦେ ଭାରତ ଟ୍ରେନ୍ ର ଆଧୁନିକୀକରଣ ଓ ସମ୍ପ୍ରସାରଣ ସହିତ ଦେଶ ବିକଶିତ ଭାରତ ଲକ୍ଷ୍ୟ ଆଡକୁ ଅଗ୍ରସର ହେଉଛି ବୋଲି ପ୍ରଧାନମନ୍ତ୍ରୀ ଜୋର୍‌ ଦେଇ କହିଥିଲେ। ଆଜି ଠାରୁ ୩ଟି ନୂଆ ବନ୍ଦେ ଭାରତ ଟ୍ରେନ୍ କୁ ପତାକା ଦେଖାଇ ଶୁଭାରମ୍ଭ କରାଯାଇଥିବା ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା ଦେଶର ଗୁରୁତ୍ୱପୂର୍ଣ୍ଣ ସହର ତଥା ଐତିହାସିକ ସହରଗୁଡ଼ିକୁ ଯୋଗାଯୋଗ ପ୍ରଦାନ କରିଛି। ‘‘ମନ୍ଦିର ନଗରୀ ମଦୁରାଇ ବର୍ତ୍ତମାନ ଆଇଟି ନଗର ବେଙ୍ଗାଲୁରୁ ସହିତ ଯୋଡ଼ି ହୋଇଛି’’, ବୋଲି ବକ୍ତବ୍ୟ ରଖି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଏହା କେବଳ ଯୋଗାଯୋଗକୁ ସହଜ କରିବ ନାହିଁ, ବରଂ ବିଶେଷ ଭାବେ ସପ୍ତାହାନ୍ତ ଓ ପର୍ବପର୍ବାଣୀ ସମୟରେ ତୀର୍ଥଯାତ୍ରୀଙ୍କ ପାଇଁ ମଧ୍ୟ ବହୁତ ଲାଭଦାୟକ ହେବ। ଚେନ୍ନାଇ-ନାଗରକୋଇଲ ମାର୍ଗ ଛାତ୍ରଛାତ୍ରୀ, କୃଷକ ଏବଂ ଆଇଟି ପ୍ରଫେସନାଲମାନଙ୍କୁ ବ୍ୟାପକ ଭାବେ ଉପକୃତ କରିବ। ବନ୍ଦେ ଭାରତ ଟ୍ରେନ୍ ସହ ଜଡ଼ିତ ସ୍ଥାନରେ ପର୍ଯ୍ୟଟନର ଅଭିବୃଦ୍ଧି ଉପରେ ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ ଏବଂ କହିଥିଲେ ଯେ ଏହା ସ୍ଥାନୀୟ ଅଞ୍ଚଳରେ ବ୍ୟବସାୟ ଏବଂ ନିଯୁକ୍ତି ସୁଯୋଗର ଅଭିବୃଦ୍ଧିକୁ ସୂଚିତ କରେ। ୩ଟି ନୂଆ ବନ୍ଦେ ଭାରତ ଟ୍ରେନ୍ ପାଇଁ ସେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିକଶିତ ଭାରତର ଲକ୍ଷ୍ୟ ହାସଲ କରିବା ପାଇଁ ଦକ୍ଷିଣ ରାଜ୍ୟଗୁଡ଼ିକର ଦ୍ରୁତ ବିକାଶ ଜରୁରୀ। ସମଗ୍ର ଦକ୍ଷିଣ ଭାରତ ସହିତ ତାମିଲନାଡୁର ବିକାଶ ସରକାରଙ୍କ ପ୍ରାଥମିକତା ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, ‘‘ଦକ୍ଷିଣ ଭାରତ ହେଉଛି ପ୍ରଚୁର ପ୍ରତିଭା, ସମ୍ବଳ ଏବଂ ସୁଯୋଗର ଦେଶ’’। ସେ କହିଛନ୍ତି ଯେ ରେଳବାଇର ବିକାଶ ଯାତ୍ରା ସରକାରଙ୍କ ପ୍ରତିବଦ୍ଧତାର ଏକ ଉଦାହରଣ। ଚଳିତ ବର୍ଷ ତାମିଲନାଡୁର ରେଳ ବଜେଟ ପାଇଁ ୬୦୦୦ କୋଟି ରୁ ଅଧିକ ଅର୍ଥ ଆବଣ୍ଟନ କରାଯାଇଛି, ଯାହା କି ୨୦୧୪ ତୁଳନାରେ ୭ ଗୁଣ ଅଧିକ ବୋଲି ଶ୍ରୀ ମୋଦୀ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଆଜି ପରେ ତାମିଲନାଡୁରେ ମୋଟ ବନ୍ଦେ ଭାରତ ଟ୍ରେନ୍ ସଂଖ୍ୟା ୮କୁ ବୃଦ୍ଧି ପାଇବ। ସେହିପରି କର୍ଣ୍ଣାଟକ ପାଇଁ ଚଳିତ ବର୍ଷର ବଜେଟରେ ୭୦୦୦ କୋଟି ଟଙ୍କାରୁ ଅଧିକ ବ୍ୟୟବରାଦ କରାଯାଇଛି, ଯାହା କି ୨୦୧୪ ତୁଳନାରେ ୯ ଗୁଣ ଅଧିକ। ଆଜି କର୍ଣ୍ଣାଟକକୁ ୮ଟି ବନ୍ଦେ ଭାରତ ଟ୍ରେନ୍ ସଂଯୋଗ କରୁଛି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ଅତୀତର ବଜେଟ୍ ସହିତ ତୁଳନା କରି କହିଛନ୍ତି ଯେ ବଜେଟରେ ବହୁଗୁଣ ବୃଦ୍ଧି ତାମିଲନାଡୁ ଏବଂ କର୍ଣ୍ଣାଟକ ସମେତ ଦକ୍ଷିଣ ଭାରତର ରାଜ୍ୟଗୁଡ଼ିକରେ ରେଳ ଚଳାଚଳକୁ ଆହୁରି ସୁଦୃଢ଼ କରିଛି। ରେଳ ଧାରଣାର ଉନ୍ନତିକରଣ, ବିଦ୍ୟୁତୀକରଣ କରାଯିବା ସହ ରେଳ ଷ୍ଟେସନର ଆଧୁନିକୀକରଣ କରାଯାଉଛି ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହା ଲୋକଙ୍କ ସହଜ ଜୀବନଧାରଣରେ ସୁଧାର ଆଣିଛି ଏବଂ ବ୍ୟବସାୟିକ ସୁଗମତା ମଧ୍ୟ ସୃଷ୍ଟି କରିଛି।

ମେରଠ-ଲକ୍ଷ୍ନୌ ମାର୍ଗରେ ନୂଆ ବନ୍ଦେ ଭାରତ ଟ୍ରେନ୍ ଚଳାଚଳ ଉପରେ ଆଲୋକପାତ କରି ଶ୍ରୀ ମୋଦୀ ଏଥିପାଇଁ ପଶ୍ଚିମ ଉତ୍ତରପ୍ରଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ବିପ୍ଳବର ଭୂମି ମେରଠ ଏବଂ ପଶ୍ଚିମ ଉତ୍ତରପ୍ରଦେଶ ଅଞ୍ଚଳରେ ଆଜି ବିକାଶର ଏକ ନୂତନ ବିପ୍ଳବ ଦେଖିବାକୁ ମିଳୁଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆରଆରଟିଏସ୍ ମେରଠକୁ ଜାତୀୟ ରାଜଧାନୀ ନୂଆଦିଲ୍ଲୀ ସହିତ ସଂଯୋଗ କରିବାରେ ସାହାଯ୍ୟ କରିଥିବା ବେଳେ ଏବେ ବନ୍ଦେ ଭାରତ ପ୍ରଚଳନ ସହିତ ରାଜ୍ୟର ରାଜଧାନୀ ଲକ୍ଷ୍ନୌର ଦୂରତା ମଧ୍ୟ ହ୍ରାସ ପାଇଛି। ଆଧୁନିକ ଟ୍ରେନ୍, ଏକ୍ସପ୍ରେସ୍ ୱେର ନେଟୱର୍କ ଏବଂ ବିମାନ ସେବାର ସମ୍ପ୍ରସାରଣ ସହିତ ପ୍ରଧାନମନ୍ତ୍ରୀ ଗତିଶକ୍ତିଙ୍କ ଦୃଷ୍ଟିକୋଣ ଦେଶର ଭିତ୍ତିଭୂମିକୁ କିପରି ବଦଳାଇବ ତାହାର ଏକ ଉଦାହରଣ ପାଲଟିଛି ବୋଲି ଶ୍ରୀ ମୋଦୀ କହିଛନ୍ତି।

ବନ୍ଦେ ଭାରତ ହେଉଛି ଭାରତୀୟ ରେଳବାଇ ଆଧୁନିକୀକରଣର ନୂଆ ଚେହେରା ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ପ୍ରତ୍ୟେକ ସହର ଏବଂ ପ୍ରତ୍ୟେକ ମାର୍ଗରେ ବନ୍ଦେ ଭାରତର ଚାହିଦା ଉପରେ ଆଲୋକପାତ କରି ସେ କହିଥିଲେ ଯେ ହାଇସ୍ପିଡ୍ ଟ୍ରେନ୍ ଆସିବା ଦ୍ୱାରା ଲୋକମାନେ ସେମାନଙ୍କ ବ୍ୟବସାୟ ଓ ରୋଜଗାର ଏବଂ ସେମାନଙ୍କ ସ୍ୱପ୍ନକୁ ବିସ୍ତାର କରିବା ପାଇଁ ନିଜ ଭିତରେ ଆତ୍ମବିଶ୍ୱାସ ସୃଷ୍ଟି କରିଛନ୍ତି। ଆଜି ସମଗ୍ର ଦେଶରେ ୧୦୨ଟି ବନ୍ଦେ ଭାରତ ରେଳ ଚଳାଚଳ କରୁଛି ଏବଂ ବର୍ତ୍ତମାନ ସୁଦ୍ଧା ୩ କୋଟିରୁ ଅଧିକ ଲୋକ ଏହି ଟ୍ରେନରେ ଯାତ୍ରା କରିଛନ୍ତି। ଏହି ସଂଖ୍ୟା କେବଳ ବନ୍ଦେ ଭାରତ ଟ୍ରେନର ସଫଳତାର ପ୍ରମାଣ ନୁହେଁ ବରଂ ଭାରତର ଆକାଂକ୍ଷା ଓ ସ୍ୱପ୍ନର ପ୍ରତୀକ ବୋଲି ସେ ଗୁରୁତ୍ୱାରୋପ କରିଥିଲେ।

ଆଧୁନିକ ରେଳ ଭିତ୍ତିଭୂମି ବିକଶିତ ଭାରତର ପରିକଳ୍ପନାରେ ଏକ ଶକ୍ତିଶାଳୀ ସ୍ତମ୍ଭ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ଏହି କ୍ଷେତ୍ରରେ ଦ୍ରୁତ ଅଗ୍ରଗତି ସମ୍ପର୍କରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ରେଳ ଲାଇନର ଦୋହରୀକରଣ ଏବଂ ବିଦ୍ୟୁତୀକରଣ, ନୂତନ ଟ୍ରେନ୍ ଚଳାଚଳ ଏବଂ ନୂତନ ମାର୍ଗ ନିର୍ମାଣ ବିଷୟରେ ଉଲ୍ଲେଖ କରିଥିଲେ। ଚଳିତ ବର୍ଷ ବଜେଟରେ ରେଳବାଇକୁ ୨.୫ ଲକ୍ଷ କୋଟିରୁ ଅଧିକ ଟଙ୍କା ଆବଣ୍ଟନ କରାଯାଇଛି ଏବଂ ସରକାର ଭାରତୀୟ ରେଳବାଇର ପୁରୁଣା ଭାବମୂର୍ତ୍ତିକୁ ପରିବର୍ତ୍ତନ କରିବା ପାଇଁ ହାଇଟେକ୍ ସେବା ସହିତ ସଂଯୋଗ କରୁଛନ୍ତି ବୋଲି ସେ ସୂଚନା ଦେଇଛନ୍ତି। ସମ୍ପ୍ରସାରଣ ଯୋଜନା ବିଷୟରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ବନ୍ଦେ ଭାରତ ସହିତ ଅମୃତ ଭାରତ ଟ୍ରେନର ମଧ୍ୟ ସମ୍ପ୍ରସାରଣ କରାଯାଉଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ବନ୍ଦେ ଭାରତର ସ୍ଲିପର ସଂସ୍କରଣ ଖୁବ୍ ଶୀଘ୍ର ଆରମ୍ଭ ହେବ। ଲୋକଙ୍କ ସୁବିଧା ପାଇଁ ନମୋ ଭାରତ ଟ୍ରେନ୍ ଚଳାଚଳ କରାଯାଉଛି ଏବଂ ସହର ମଧ୍ୟରେ ଟ୍ରାଫିକ୍ ସମସ୍ୟାର ସମାଧାନ ପାଇଁ ଖୁବଶୀଘ୍ର ବନ୍ଦେ ମେଟ୍ରୋ ଆରମ୍ଭ କରାଯିବ ବୋଲି ସେ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତୀୟ ସହରଗୁଡ଼ିକୁ ସର୍ବଦା ସେମାନଙ୍କ ରେଳ ଷ୍ଟେସନ ଦ୍ୱାରା ପରିଚିତ ହୋଇଛନ୍ତି । ଅମୃତ ଭାରତ ଷ୍ଟେସନ ଯୋଜନାରେ ରେଳ ଷ୍ଟେସନର ଉନ୍ନତି ହେବା ସହ ସହରକୁ ଏକ ନୂଆ ପରିଚୟ ପ୍ରଦାନ କରାଯାଉଛି ବୋଲି ସେ କହିଛନ୍ତି। ଦେଶର ୧୩୦୦ରୁ ଅଧିକ ରେଳ ଷ୍ଟେସନର ନବୀକରଣ କରାଯାଉଛି ଏବଂ କେତେକ ଷ୍ଟେସନକୁ ବିମାନବନ୍ଦର ଭଳି ନିର୍ମାଣ କରାଯାଉଛି ବୋଲି ଶ୍ରୀ ମୋଦୀ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଛୋଟ ଛୋଟ ଷ୍ଟେସନଗୁଡ଼ିକୁ ମଧ୍ୟ ଅତ୍ୟାଧୁନିକ ସୁବିଧା ସହିତ ବିକଶିତ କରାଯାଉଛି, ଯାହା ଫଳରେ ଯାତ୍ରା ସହଜତା ବୃଦ୍ଧି ପାଇବ।

‘‘ଯେତେବେଳେ ରେଳ, ସଡ଼କ ପଥ ଏବଂ ଜଳପଥ ଭଳି ଯୋଗାଯୋଗ ଭିତ୍ତିଭୂମି ସୁଦୃଢ଼ ହୁଏ, ସେତେବେଳେ ଦେଶ ସୁଦୃଢ଼ ହୁଏ’’, ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା ଦ୍ୱାରା ଦେଶର ସାଧାରଣ ନାଗରିକମାନେ ଉପକୃତ ହୋଇଥା’ନ୍ତି ସେ ଗରିବ ହୁଅନ୍ତୁ କିମ୍ବା ମଧ୍ୟବିତ୍ତ। ଦେଶରେ ଆଧୁନିକ ଭିତ୍ତିଭୂମିର ବିକାଶ ଜରିଆରେ ଆଜି ଗରିବ ଓ ମଧ୍ୟବିତ୍ତଙ୍କୁ ସଶକ୍ତ କରାଯାଉଛି ବୋଲି ସେ ଉଲ୍ଲେଖ କରିଥିଲେ। ଭିତ୍ତିଭୂମି ର ସମ୍ପ୍ରସାରଣ ସହିତ ଗ୍ରାମମାନଙ୍କରେ ନିଯୁକ୍ତି ସୁଯୋଗ ବୃଦ୍ଧି ଏବଂ ନୂତନ ସୁଯୋଗ ପହଞ୍ଚିବାର ଉଦାହରଣ ଦେଇଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ଗାଁରେ ନୂତନ ସମ୍ଭାବନାର ଆବିର୍ଭାବ ପାଇଁ ଶସ୍ତା ଡାଟା ଏବଂ ଡିଜିଟାଲ୍ ଭିତ୍ତିଭୂମିକୁ ଶ୍ରେୟ ଦେଇଛନ୍ତି। ରେକର୍ଡ ସଂଖ୍ୟାରେ ଡାକ୍ତରଖାନା, ଶୌଚାଳୟ ଓ ପକ୍କା ଘର ନିର୍ମାଣ ହେଲେ ଦେଶର ବିକାଶର ସୁଫଳ ଗରିବ ଲୋକ ମଧ୍ୟ ପାଇଥାନ୍ତି। ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ ଏବଂ ଶିଳ୍ପ ଭଳି ଭିତ୍ତିଭୂମି ବିକାଶ ହେଲେ ଏହା ଯୁବପିଢ଼ିଙ୍କ ପ୍ରଗତିର ସମ୍ଭାବନାକୁ ମଧ୍ୟ ବଢ଼ାଇଥାଏ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏଭଳି ଅନେକ ପ୍ରୟାସ ଯୋଗୁଁ ଗତ ୧୦ ବର୍ଷ ମଧ୍ୟରେ ୨୫ କୋଟି ଲୋକ ଦାରିଦ୍ର୍ୟରୁ ମୁକୁଳିବାରେ ସକ୍ଷମ ହୋଇଛନ୍ତି।

ଅଭିଭାଷଣ ଶେଷରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ରେଳବାଇ ବର୍ଷ ବର୍ଷ ଧରି ଦଶନ୍ଧି ପୁରୁଣା ସମସ୍ୟାର ସମାଧାନ ଲାଗି କଠିନ ପରିଶ୍ରମ କରିବା ସହ ନୂଆ ଆଶା ସୃଷ୍ଟି କରିଛି। ସେ ସ୍ୱୀକାର କରିଛନ୍ତି ଯେ ଭାରତକୁ ଏହି ଦିଗରେ ବହୁତ ଆଗକୁ ଯିବାକୁ ଅଛି ଏବଂ ଭାରତୀୟ ରେଳବାଇ ଗରିବ ହୁଅନ୍ତୁ କିମ୍ବା ମଧ୍ୟବିତ୍ତ ସମସ୍ତଙ୍କ ପାଇଁ ଆରାମଦାୟକ ଯାତ୍ରାର ଗ୍ୟାରେଣ୍ଟି ନଦେବା ପର୍ଯ୍ୟନ୍ତ ଅଟକିବେ ନାହିଁ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଦେଶରେ ଭିତ୍ତିଭୂମିର ବିକାଶ ଦାରିଦ୍ର୍ୟ ଦୂରୀକରଣରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ସେ ବିଶ୍ୱାସ ବ୍ୟକ୍ତ କରିଛନ୍ତି। ତିନିଟି ନୂଆ ବନ୍ଦେ ଭାରତ ଟ୍ରେନ୍ ପାଇଁ ସେ ପୁଣି ଥରେ ତାମିଲନାଡୁ, କର୍ଣ୍ଣାଟକ ଏବଂ ଉତ୍ତରପ୍ରଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ଏହି ଅବସରରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦୀ ବେନ ପଟେଲ, ତାମିଲନାଡ଼ୁ ରାଜ୍ୟପାଳ ଆରଏନ ରବି ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଭାସୀ ମାଧ୍ୟମରେ ଉପସ୍ଥିତ ଥିଲେ।

ପୃଷ୍ଠଭୂମି

ମେରଠ ସିଟି – ଲକ୍ଷ୍ନୌ ବନ୍ଦେ ଭାରତ ଟ୍ରେନ ଯାତ୍ରୀମାନଙ୍କୁ ଦୁଇ ସହର ମଧ୍ୟରେ ବର୍ତ୍ତମାନର ଦ୍ରୁତତମ ଟ୍ରେନ୍ ତୁଳନାରେ ପ୍ରାୟ ୧ ଘଣ୍ଟା ସଞ୍ଚୟ କରିବାରେ ସାହାଯ୍ୟ କରିବ। ସେହିପରି ଚେନ୍ନାଇ ଏଗମୋର- ନାଗରକୋଏଲ ବନ୍ଦେ ଭାରତ ଏବଂ ମଦୁରାଇ-ବେଙ୍ଗାଲୁରୁ ବନ୍ଦେ ଭାରତ ଟ୍ରେନ୍ ଯଥାକ୍ରମେ ୨ ଘଣ୍ଟାରୁ ଅଧିକ ଏବଂ ପ୍ରାୟ ୧ ଘଣ୍ଟା ୩୦ ମିନିଟ୍ ପର୍ଯ୍ୟନ୍ତ ଯାତ୍ରା ସମୟ କମାଇବ।

ଏହି ନୂତନ ବନ୍ଦେ ଭାରତ ଟ୍ରେନ୍ ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ ଦ୍ରୁତ ଏବଂ ଆରାମରେ ଯାତ୍ରା କରିବା ପାଇଁ ବିଶ୍ୱସ୍ତରୀୟ ଅଭିଜ୍ଞତା ପ୍ରଦାନ କରିବ ଏବଂ ତିନୋଟି ରାଜ୍ୟ – ଉତ୍ତର ପ୍ରଦେଶ, ତାମିଲନାଡୁ ଏବଂ କର୍ଣ୍ଣାଟକକୁ ସେବା ଯାଗାଇବ। ଏହି ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ ଦ୍ୱାରା ନିୟମିତ ଯାତ୍ରୀ, କର୍ମଜୀବୀ, ବ୍ୟବସାୟୀ ଏବଂ ଛାତ୍ର ସମୁଦାୟର ଆବଶ୍ୟକତାକୁ ବହୁ ମାତ୍ରାରେ ପୂରଣ କରିବା ପାଇଁ ରେଳ ସେବାର ଏକ ନୂତନ ମାନଦଣ୍ଡ ଆରମ୍ଭ ହେବ।

Categories
ଆଜିର ଖବର ଜାତୀୟ ଖବର

ଆଜି ୩ଟି ବନ୍ଦେ ଭାରତ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅପରାହ୍ନ ୧୨:୩୦ ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ତିନୋଟି ବନ୍ଦେ ଭାରତ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିବେ। ପ୍ରଧାନମନ୍ତ୍ରୀଙ୍କ ‘ମେକ୍ ଇନ୍ ଇଣ୍ଡିଆ’ ଏବଂ ଆତ୍ମନିର୍ଭର ଭାରତ ସ୍ୱପ୍ନକୁ ସାକାର କରି ଅତ୍ୟାଧୁନିକ ବନ୍ଦେ ଭାରତ ଏକ୍ସପ୍ରେସ୍ ମିରଟ-ଲକ୍ଷ୍ନୌ, ମଦୁରାଇ – ବେଙ୍ଗାଲୁରୁ ଏବଂ ଚେନ୍ନାଇ – ନାଗରକୋଏଲ ତିନୋଟି ମାର୍ଗରେ ଯୋଗାଯୋଗରେ ଉନ୍ନତି ଆଣିବ।

ମିରଟ ସିଟି – ଲକ୍ଷ୍ନୌ ବନ୍ଦେ ଭାରତ ଯାତ୍ରୀମାନଙ୍କୁ ଦୁଇ ସହର ମଧ୍ୟରେ ବର୍ତ୍ତମାନର ଦ୍ରୁତତମ ଟ୍ରେନ୍ ତୁଳନାରେ ପ୍ରାୟ ୧ ଘଣ୍ଟା ସମୟ ସଞ୍ଚୟ କରିବାରେ ସାହାଯ୍ୟ କରିବ। ସେହିପରି ଚେନ୍ନାଇ ଏଗମୋର- ନାଗରକୋଏଲ ବନ୍ଦେ ଭାରତ ଏବଂ ମଦୁରାଇ-ବେଙ୍ଗାଲୁରୁ ବନ୍ଦେ ଭାରତ ଟ୍ରେନ୍ ଯଥାକ୍ରମେ ୨ ଘଣ୍ଟାରୁ ଅଧିକ ଏବଂ ପ୍ରାୟ ୧ ଘଣ୍ଟା ୩୦ ମିନିଟ୍ ସଞ୍ଚୟ କରି ଯାତ୍ରା କରିବ।

ଏହି ନୂତନ ବନ୍ଦେ ଭାରତ ଟ୍ରେନ୍ ଏହି ଅଞ୍ଚଳର ଲୋକଙ୍କୁ ଦ୍ରୁତ ଏବଂ ଆରାମରେ ଯାତ୍ରା କରିବା ପାଇଁ ବିଶ୍ୱସ୍ତରୀୟ ଅଭିଜ୍ଞତା ପ୍ରଦାନ କରିବ ଏବଂ ତିନୋଟି ରାଜ୍ୟ – ଉତ୍ତର ପ୍ରଦେଶ, ତାମିଲନାଡୁ ଏବଂ କର୍ଣ୍ଣାଟକକୁ ସେବା ଯାଗାଇବ। ଏହି ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ ଦ୍ୱାରା ନିୟମିତ ଯାତ୍ରୀ, କର୍ମଜୀବୀ, ବ୍ୟବସାୟୀ ଏବଂ ଛାତ୍ର ସମୁଦାୟର ଆବଶ୍ୟକତାକୁ ବହୁ ମାତ୍ରାରେ ପୂରଣ କରିବା ପାଇଁ ରେଳ ସେବାର ଏକ ନୂତନ ମାନଦଣ୍ଡ ଆରମ୍ଭ ହେବ।

Categories
ଆଜିର ଖବର ଜାତୀୟ ଖବର

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ୨୦୨୩ ବ୍ୟାଚ୍ ର ଆଇଏଫ୍ଏସ୍ ଅଫିସର ପ୍ରଶିକ୍ଷାର୍ଥୀ

ନୂଆଦିଲ୍ଲୀ: ୨୦୨୩ ବ୍ୟାଚ୍ ଅଫ୍ ଇଣ୍ଡିଆନ୍ ଫରେନ୍ ସର୍ଭିସ୍ (ଆଇଏଫ୍ଏସ୍) ର ଅଧିକାରୀ ପ୍ରଶିକ୍ଷାର୍ଥୀମାନେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତାଙ୍କ ବାସଭବନ, ଲୋକ କଲ୍ୟାଣ ମାର୍ଗସ୍ଥିତ ତାଙ୍କ ବାସଭବନରେ ସାକ୍ଷାତ କରିଛନ୍ତି। ୨୦୨୩ ବ୍ୟାଚରେ ୧୫ଟି ଭିନ୍ନ ଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ୩୬ ଜଣ ଆଇଏଫ୍ଏସ୍ ଅଫିସର ପ୍ରଶିକ୍ଷାର୍ଥୀ ଅଛନ୍ତି।

ଅଧିକାରୀ ପ୍ରଶିକ୍ଷାର୍ଥୀମାନେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ବୈଦେଶିକ ନୀତିର ସଫଳତାକୁ ପ୍ରଶଂସା କରିବା ସହ ଆଗାମୀ ନୂତନ ଦାୟିତ୍ୱ ପାଇଁ ତାଙ୍କ ଠାରୁ ପରାମର୍ଶ ଏବଂ ମାର୍ଗଦର୍ଶନ ଲୋଡିଥିଲେ। ଦେଶର ସଂସ୍କୃତିକୁ ସେମାନେ ସର୍ବଦା ଗର୍ବ ଓ ସମ୍ମାନର ସହ ନିଜ ସହ ନେଇ ଯାଆନ୍ତୁ ଏବଂ ଯେଉଁଠି ବି ଅବସ୍ଥାପିତ ହୁଅନ୍ତି ସେଠାରେ ଏହାକୁ ପ୍ରଦର୍ଶିତ କରିବାକୁ ଚେଷ୍ଟା କରିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ। ବ୍ୟକ୍ତିଗତ ଆଚରଣ ସମେତ ଜୀବନର ସବୁ କ୍ଷେତ୍ରରେ ଉପନିବେଶବାଦୀ ମାନସିକତାକୁ ଦୂର କରି ନିଜକୁ ଦେଶର ଗର୍ବିତ ପ୍ରତିନିଧି ଭାବେ ଗ୍ରହଣ କରିବାକୁ ସେ କହିଥିଲେ।

ବିଶ୍ୱ ମଞ୍ଚରେ ଦେଶର ଧାରଣା କିପରି ବଦଳୁଛି ସେ ବିଷୟରେ ମଧ୍ୟ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିଲେ। ସେ କହିଛନ୍ତି ଯେ ବର୍ତ୍ତମାନ ଆମେ ବିଶ୍ୱ ସହିତ ସମାନ ସ୍ତରରେ, ପାରସ୍ପରିକ ସମ୍ମାନ ସହ ଆଗକୁ ବଢ଼ୁଛୁ। ଅନ୍ୟ ଦେଶ ତୁଳନାରେ ଭାରତ କୋଭିଡ୍ ମହାମାରୀକୁ କିପରି ମୁକାବିଲା କରିଛି ସେ ବିଷୟରେ ସେ ଆଲୋଚନା କରିଥିଲେ। ଦେଶର ତୃତୀୟ ବୃହତ୍ତମ ଅର୍ଥନୀତି ରେ ପରିଣତ ହେବାର ଅଗ୍ରଗତି ବିଷୟରେ ମଧ୍ୟ ସେ ଉଲ୍ଲେଖ କରିଥିଲେ।

ବିଦେଶରେ ଅବସ୍ଥାପିତ ହେଲେ ପ୍ରବାସୀ ଭାରତୀୟଙ୍କ ସହ ସେମାନଙ୍କର ସମ୍ପର୍କ ବୃଦ୍ଧି କରିବାକୁ ପ୍ରଧାନମନ୍ତ୍ରୀ ଅଧିକାରୀ ପ୍ରଶିକ୍ଷାର୍ଥୀମାନଙ୍କୁ ପରାମର୍ଶ ଦେଇଥିଲେ।

Categories
ଆଜିର ଖବର ଜାତୀୟ ଖବର

ପିଏମଜେଡିୱାଇ ଆକାଉଣ୍ଟଧାରୀଙ୍କୁ ୩୬.୧୪ କୋଟି ରୂପେ କାର୍ଡ ପ୍ରଦାନ: ଜମା ରାଶି ୨,୩୧,୨୩୬ କୋଟି

ନୂଆଦିଲ୍ଲୀ: ୨୮ ଅଗଷ୍ଟ ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଥିବା ପ୍ରଧାନମନ୍ତ୍ରୀ ଜନଧନ ଯୋଜନା (ପିଏମଜେଡିୱାଇ)ର ସଫଳ ରୂପାୟନର ଆଜି ଏକ ଦଶନ୍ଧି ପୂରଣ ହୋଇଛି।

ପିଏମଜେଡିୱାଇ ବିଶ୍ୱର ସର୍ବବୃହତ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ପଦକ୍ଷେପ ହୋଇଥିବାରୁ ଅର୍ଥ ମନ୍ତ୍ରଣାଳୟ ଏହାର ଆର୍ଥିକ ଅନ୍ତର୍ଭୁକ୍ତୀକରଣ ହସ୍ତକ୍ଷେପ ମାଧ୍ୟମରେ ଅବହେଳିତ ଏବଂ ଆର୍ଥିକ ଦୃଷ୍ଟିରୁ ପଛୁଆ ବର୍ଗଙ୍କୁ ସହାୟତା ପ୍ରଦାନ କରିବାକୁ ନିରନ୍ତର ପ୍ରୟାସ କରୁଛି।

 ଏହି ଅବସରରେ କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ ଏକ ବାର୍ତ୍ତାରେ କହିଛନ୍ତି, ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଏବଂ ସଶକ୍ତୀକରଣ ହାସଲ ପାଇଁ ଆନୁଷ୍ଠାନିକ ବ୍ୟାଙ୍କିଙ୍ଗ୍ ସେବାର ସାର୍ବଜନୀନ ଏବଂ ସୁଲଭ ଉପଲବ୍ଧତା ଜରୁରୀ। ଏହା ଗରିବମାନଙ୍କୁ ଅର୍ଥନୈତିକ ମୁଖ୍ୟ ସ୍ରୋତରେ ସାମିଲ କରିବା ସହ ଅବହେଳିତ ସମ୍ପ୍ରଦାୟର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।

କେନ୍ଦ୍ର ଅର୍ଥମନ୍ତ୍ରୀ କହିଛନ୍ତି ଯେ ବ୍ୟାଙ୍କ ଆକାଉଣ୍ଟ, କ୍ଷୁଦ୍ର ସଞ୍ଚୟ ଯୋଜନା, ବୀମା ଋଣ ସମେତ ସାର୍ବଜନୀନ, ସୁଲଭ ଆନୁଷ୍ଠାନିକ ଆର୍ଥିକ ସେବା ପ୍ରଦାନ କରି ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଗତ ଦଶନ୍ଧି ମଧ୍ୟରେ ଦେଶର ବ୍ୟାଙ୍କିଙ୍ଗ୍‌ ଏବଂ ଆର୍ଥିକ ଦୃଶ୍ୟରେ ପରିବର୍ତ୍ତନ ଆଣିଛି।

ଜନଧନ ଆକାଉଣ୍ଟ ଖୋଲିବା ମାଧ୍ୟମରେ ୫୩ କୋଟି ଲୋକଙ୍କୁ ଆନୁଷ୍ଠାନିକ ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥାକୁ ଅଣାଯାଇଥିବାରୁ ଏହି ପଦକ୍ଷେପର ସଫଳତା ପ୍ରତିଫଳିତ ହେଉଛି। ଏସବୁ ବ୍ୟାଙ୍କ ଆକାଉଣ୍ଟରେ ୨.୩ ଲକ୍ଷ କୋଟି ଟଙ୍କାର ଜମା ରାଶି ମିଳିଛି ଏବଂ ୩୬ କୋଟିରୁ ଅଧିକ ମାଗଣା ରୁପେ କାର୍ଡ ଜାରି ହୋଇଛି, ଯେଉଁଥିରେ ୨ ଲକ୍ଷ ଟଙ୍କାର ଦୁର୍ଘଟଣା ବୀମା ସୁବିଧା ମଧ୍ୟ ରହିଛି । ଉଲ୍ଲେଖଯୋଗ୍ୟ, ଏଥିରେ ଖାତା ଖୋଲିବା ଶୁଳ୍କ କିମ୍ବା ରକ୍ଷଣାବେକ୍ଷଣ ଶୁଳ୍କ ନାହିଁ ଏବଂ ସର୍ବନିମ୍ନ ବାଲାନ୍ସ ରଖିବାର ଆବଶ୍ୟକତା ନାହିଁ ବୋଲି ଶ୍ରୀମତୀ ସୀତାରମଣ କହିଛନ୍ତି।

କେନ୍ଦ୍ର ଅର୍ଥମନ୍ତ୍ରୀ କହିଛନ୍ତି, ଏହା ଖୁସିର ବିଷୟ ଯେ ଗ୍ରାମାଞ୍ଚଳ କିମ୍ବା ଅର୍ଦ୍ଧ ସହରାଞ୍ଚଳରେ ୬୭% ଆକାଉଣ୍ଟ ଖୋଲାଯାଇଛି ଏବଂ ୫୫% ଖାତା ମହିଳାମାନେ ଖୋଲିଛନ୍ତି।

ଜନଧନ-ମୋବାଇଲ-ଆଧାର ସଂଯୋଗ ମାଧ୍ୟମରେ ସୃଷ୍ଟି ହୋଇଥିବା ସହମତି ଭିତ୍ତିକ ପାଇପଲାଇନ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଇକୋସିଷ୍ଟମର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ପାଲଟିଛି। ଏହା ଦ୍ୱାରା ଯୋଗ୍ୟ ହିତାଧିକାରୀଙ୍କ ନିକଟକୁ ସରକାରୀ କଲ୍ୟାଣକାରୀ ଯୋଜନାଗୁଡ଼ିକର ଦ୍ରୁତ, ନିରବଚ୍ଛିନ୍ନ ଏବଂ ସ୍ୱଚ୍ଛ ହସ୍ତାନ୍ତର ସମ୍ଭବ ହୋଇଛି ଏବଂ ଡିଜିଟାଲ ପେମେଣ୍ଟକୁ ପ୍ରୋତ୍ସାହିତ କରାଯାଇଛି ବୋଲି ଶ୍ରୀମତୀ ସୀତାରମଣ କହିଛନ୍ତି।

ଏହି ଅବସରରେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ତାଙ୍କ ବାର୍ତ୍ତାରେ କହିଛନ୍ତି ଯେ ପିଏମଜେଡିୱାଇ କେବଳ ଏକ ଯୋଜନା ନୁହେଁ, ବରଂ ଏକ ପରିବର୍ତ୍ତନକାରୀ ଆନ୍ଦୋଳନ ଯାହା ଅନେକ ବ୍ୟାଙ୍କ ବିହୀନ ଜନସଂଖ୍ୟାର ଆର୍ଥିକ ସ୍ୱାଧୀନତାକୁ ସକ୍ଷମ କରିଛି ଏବଂ ଆର୍ଥିକ ନିରାପତ୍ତା ଭାବନା ସୃଷ୍ଟି କରିଛି।

୨୦୨୧ ସ୍ୱାଧୀନତା ଦିବସ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ ଯେ ପ୍ରତ୍ୟେକ ପରିବାରର ଏକ ବ୍ୟାଙ୍କ ଆକାଉଣ୍ଟ ରହିବା ଉଚିତ ଏବଂ ପ୍ରତ୍ୟେକ ପ୍ରାପ୍ତ ବୟସ୍କଙ୍କ ବୀମା ଏବଂ ପେନସନ କଭରେଜ ରହିବା ଉଚିତ। ସମଗ୍ର ଦେଶରେ ଚାଲିଥିବା ବିଭିନ୍ନ ସଚେତନତା ଅଭିଯାନ ମାଧ୍ୟମରେ ଏ ଦିଗରେ ନିରନ୍ତର ପ୍ରୟାସ ଦ୍ୱାରା ଆମେ ବ୍ୟାଙ୍କ ଆକାଉଣ୍ଟରେ ପାଖାପାଖି ପରିପୂର୍ଣ୍ଣତା ଲକ୍ଷ୍ୟ ହାସଲ କରିଛୁ ଏବଂ ସମଗ୍ର ଦେଶରେ ବୀମା ଏବଂ ପେନସନ କଭରେଜରେ କ୍ରମାଗତ ବୃଦ୍ଧି ଘଟିଛି ବୋଲି ଶ୍ରୀ ଚୌଧୁରୀ କହିଛନ୍ତି।

‘‘ସମସ୍ତ ଅଂଶୀଦାର, ବ୍ୟାଙ୍କ, ବୀମା କମ୍ପାନୀ ଏବଂ ରାଜ୍ୟ ସରକାରଙ୍କ ସହଯୋଗରେ ଆମେ ଏକ ଅଧିକ ଆର୍ଥିକ ଅନ୍ତର୍ଭୁକ୍ତ ସମାଜ ଆଡକୁ ଅଗ୍ରସର ହେଉଛୁ ଏବଂ ପିଏମଜେଡିୱାଇ ଦେଶରେ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ପାଇଁ ଏକ ଗେମ୍ ଚେଞ୍ଜର ଭାବରେ ସର୍ବଦା ସ୍ମରଣୀୟ ରହିବ । ପ୍ରଧାନମନ୍ତ୍ରୀ ଜନଧନ ଯୋଜନା କେବଳ ମିଶନ ମୋଡରେ ଶାସନର ଏକ ଗୁରୁତ୍ୱପୂର୍ଣ୍ଣ ଉଦାହରଣ ଭାବରେ କାର୍ଯ୍ୟ କରେ ନାହିଁ ବରଂ ଲୋକଙ୍କ କଲ୍ୟାଣ ପାଇଁ ପ୍ରତିଶ୍ରୁତିବଦ୍ଧ ହେଲେ ସରକାର କ’ଣ ହାସଲ କରିପାରିବେ ତାହା ମଧ୍ୟ ଦର୍ଶାଏ’’ ବୋଲି ଶ୍ରୀ ଚୌଧୁରୀ କହିଛନ୍ତି।

ପିଏମଜେଡିୱାଇ ବ୍ୟାଙ୍କ ସେବାରୁ ବଞ୍ଚିତ ପ୍ରତ୍ୟେକ ପ୍ରାପ୍ତ ବୟସ୍କଙ୍କ ପାଇଁ ଗୋଟିଏ ମୌଳିକ ବ୍ୟାଙ୍କ ଆକାଉଣ୍ଟ ପ୍ରଦାନ କରେ । ଏହି ଆକାଉଣ୍ଟ ପାଇଁ କୌଣସି ବାଲାନ୍ସ ରଖିବାର ଆବଶ୍ୟକତା ନାହିଁ ଏବଂ ଏହି ଆକାଉଣ୍ଟ ଉପରେ କୌଣସି ଶୁଳ୍କ ମଧ୍ୟ ଆଦାୟ କରାଯାଏ ନାହିଁ । ଏହି ଆକାଉଣ୍ଟରେ ଡିଜିଟାଲ କାରବାରକୁ ପ୍ରୋତ୍ସାହନ ଦେବା ପାଇଁ ୨ ଲକ୍ଷ ଟଙ୍କାର ଇନ୍ ବିଲ୍ଟ ଦୁର୍ଘଟଣା ବୀମା କଭର ସହ ମାଗଣାରୁପେ ଡେବିଟ୍ କାର୍ଡ ମଧ୍ୟ ପ୍ରଦାନ କରାଯାଇଛି। ପିଏମଜେଡିୱାଇ ଆକାଉଣ୍ଟଧାରୀମାନେ ଜରୁରୀକାଳୀନ ପରିସ୍ଥିତିକୁ ଭରଣା କରିବା ପାଇଁ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ଓଭରଡ୍ରାଫ୍ଟ ପାଇବାକୁ ଯୋଗ୍ୟ ଅଟନ୍ତି।

ଗତ ଦଶନ୍ଧି ମଧ୍ୟରେ ପିଏମଜେଡିୱାଇ ନେତୃତ୍ୱାଧୀନ ହସ୍ତକ୍ଷେପଗୁଡିକର ଯାତ୍ରା କାର୍ଯ୍ୟକାରୀ ହୋଇଛି, ଯାହା ଉଭୟ ପରିବର୍ତନଶୀଳ ଏବଂ ଦିଗଦର୍ଶକ ପରିବର୍ତ୍ତନ ଆଣିଛି ଯାହା ଦ୍ୱାରା ବ୍ୟାଙ୍କ ଏବଂ ଆର୍ଥିକ ଅନୁଷ୍ଠାନ ଇକୋସିଷ୍ଟମ ସମାଜର ଶେଷ ବ୍ୟକ୍ତି – ଗରିବରୁ ଗରିବ ଲୋକଙ୍କୁ ଆର୍ଥିକ ସେବା ପ୍ରଦାନ କରିବାରେ ସକ୍ଷମ ହୋଇଛି।

ପିଏମଜେଡିୱାଇ ଆକାଉଣ୍ଟଗୁଡିକ କେବଳ ପ୍ରତ୍ୟକ୍ଷ ଲାଭ ସ୍ଥାନାନ୍ତର ପ୍ରାପ୍ତ କରିବାରେ ସହାୟକ ହୋଇନାହିଁ ବରଂ କୌଣସି ଦଲାଲ, ନିରବଚ୍ଛିନ୍ନ କାରବାର ଏବଂ ସଞ୍ଚୟ ସଞ୍ଚୟ ବିନା ଉଦ୍ଦିଷ୍ଟ ହିତାଧିକାରୀଙ୍କୁ ସରକାର ଦ୍ୱାରା କରାଯାଇଥିବା ଅସୁବିଧାମୁକ୍ତ ସବସିଡି / ଦେୟ ପାଇଁ ଏକ ପ୍ଲାଟଫର୍ମ ଭାବରେ ମଧ୍ୟ କାର୍ଯ୍ୟ କରିଛି। କେବଳ ସେତିକି ନୁହେଁ, ଜନ ସୁରକ୍ଷା ଯୋଜନା (ମାଇକ୍ରୋ ଇନସ୍ୟୁରାନ୍ସ ସ୍କିମ୍) ଜରିଆରେ ଲକ୍ଷ ଲକ୍ଷ ଅସଂଗଠିତ କ୍ଷେତ୍ରର ଶ୍ରମିକଙ୍କୁ ଜୀବନ ଓ ଦୁର୍ଘଟଣା ବୀମା ଯୋଗାଇଦେବାରେ ସେମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି।

ପିଏମଜେଡିୱାଇକୁ ନେଇ ଜନ-ଧନ ଆଧାର ଏବଂ ମୋବାଇଲ (ଜେଏଏମ) ଟ୍ରିନିଟି ଏକ ଡାଇଭର୍ସନ୍-ପ୍ରୁଫ୍ ସବସିଡି ବିତରଣ ବ୍ୟବସ୍ଥା ବୋଲି ପ୍ରମାଣିତ ହୋଇଛି। ଜେଏଏମ୍ ଜରିଆରେ ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର ଅଧୀନରେ ସରକାର ସବସିଡି ଓ ସାମାଜିକ ସୁବିଧା ସିଧାସଳଖ ଗରିବ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ହସ୍ତାନ୍ତର କରିଛନ୍ତି।

ଗତ ୧୦ ବର୍ଷ ମଧ୍ୟରେ ପିଏମଜେଡିୱାଇର ସଫଳ ରୂପାୟନ ଅନେକ ମାଇଲଖୁଣ୍ଟ ହାସଲ କରିଛି। ପିଏମଜେଡିୱାଇର ପ୍ରମୁଖ ଦିଗ ଏବଂ ଉପଲବ୍ଧି ନିମ୍ନରେ ଉପସ୍ଥାପିତ ହୋଇଛି।

. ପିଏମଜେଡିୱାଇ ଏକାଉଣ୍ଟ ସଂଖ୍ୟା : ୫୩.୧୩ କୋଟି (୧୪ ଅଗଷ୍ଟ ୨୦୨୪ ସୁଦ୍ଧା)

୧୪ ଅଗଷ୍ଟ ୨୪ ସୁଦ୍ଧା ମୋଟ ପିଏମଜେଡିୱାଇ ଆକାଉଣ୍ଟ ସଂଖ୍ୟା: ୫୩.୧୩ କୋଟି; ୫୫.୬% (୨୯.୫୬ କୋଟି) ଜନଧନ ଖାତାଧାରୀ ମହିଳା ଏବଂ ୬୬.୬% (୩୫.୩୭ କୋଟି) ଜନଧନ ଖାତା ଗ୍ରାମୀଣ ଏବଂ ଅର୍ଦ୍ଧ-ସହରାଞ୍ଚଳରେ ଅଛି।

 . ପିଏମଜେଡିୱାଇ ଆକାଉଣ୍ଟ ଅଧୀନରେ ଜମା ୨.୩୧ ଲକ୍ଷ କୋଟି (୧୪ ଅଗଷ୍ଟ ୨୦୨୪ସୁଦ୍ଧା)

ପିଏମଜେଡିୱାଇ ଆକାଉଣ୍ଟ ଅଧୀନରେ ମୋଟ ୨,୩୧,୨୩୬ କୋଟି ଟଙ୍କା ଜମା ରହିଛି। ଅଗଷ୍ଟ ୨୦୧୫ରୁ ଅଗଷ୍ଟ ୨୦୨୪ ମଧ୍ୟରେ ଏକାଉଣ୍ଟ ସଂଖ୍ୟା ୩.୬ ଗୁଣ ବୃଦ୍ଧି ପାଇଥିବା ବେଳେ ଜମାରାଶି ପରିମାଣ ୧୫ ଗୁଣ ବଢ଼ିଛି।

 . ପିଏମଜେଡିୱାଇ ଏକାଉଣ୍ଟ ଅଧୀନରେ ହାରାହାରୀ ଜମା – ₹୪୩୫୨ ଟଙ୍କା (୧୪ ଅଗଷ୍ଟ ୨୦୨୪ ସୁଦ୍ଧା)

୧୪.୦୮.୨୦୨୪ ସୁଦ୍ଧା ପ୍ରତ୍ୟେକ ଖାତାରେ ହାରାହାରୀ ଜମା ₹୪,୩୫୨ ଟଙ୍କା ରହିଛି। ହାରାହାରୀ ଜମା ପରିମାଣ ବୃଦ୍ଧି ଏହା ଦର୍ଶାଉଛି ଯେ ଏକାଉଣ୍ଟର ବ୍ୟବହାର ବୃଦ୍ଧି ପାଇଛି ଏବଂ ଖାତାଧାରୀଙ୍କ ଜମା ଅଭ୍ୟାସରେ ସୁଧାର ଆସିଛି।

 . ପିଏମଜେଡିୱାଇ ଏକାଉଣ୍ଟଧାରୀଙ୍କୁ ରୂପେ କାର୍ଡ ଜାରି : ୩୬.୧୪ କୋଟି (୧୪ ଅଗଷ୍ଟ ୨୦୨୪ ସୁଦ୍ଧା)

୩୬.୧୪ କୋଟି ରୁପେ କାର୍ଡ ପିଏମ୍‌ଜେଡିୱାଇ ଏକାଉଣ୍ଟଧାରୀଙ୍କୁ ଜାରି କରାଯାଇଛି : ରୁପେ କାର୍ଡ ସଂଖ୍ୟା ଏବଂ ସେଗୁଡ଼ିକର ବ୍ୟବହାର ସମୟ ଗଡ଼ିବା ସହିତ ବଢ଼ିବାରେ ଲାଗିଛି।

 ପିଏମଜେଡିୱାଇ ଅଧୀନରେ ୩୬.୦୬ କୋଟିରୁ ଅଧିକ ରୁପେ ଡେବିଟ୍ କାର୍ଡ, ୮୯.୬୭ ଲକ୍ଷ ପିଓଏସ୍ /ଏମ୍ ପିଓଏସ୍ ମେସିନ୍ ସ୍ଥାପନ ଏବଂ ୟୁପିଆଇ ଭଳି ମୋବାଇଲ ଆଧାରିତ ପେମେଣ୍ଟ  ସିଷ୍ଟମ୍ ପ୍ରଚଳନ ସହିତ, ମୋଟ ଡିଜିଟାଲ କାରବାର ସଂଖ୍ୟା ୨୦୧୮-୧୯ ଆର୍ଥିକ ବର୍ଷରେ ୨,୩୩୮ କୋଟିରୁ ଅଧିକ ଏବଂ ୨୦୨୩-୨୪ ଆର୍ଥିକ ବର୍ଷରେ ୧୬,୪୪୩ କୋଟିକୁ ବୃଦ୍ଧି ପାଇଛି। ୟୁପିଆଇ ଆର୍ଥିକ କାରବାରର ସମୁଦାୟ ପରିମାଣ ୨୦୧୮-୧୯ ଆର୍ଥିକ ବର୍ଷରେ ୫୩୫ କୋଟିରୁ ୨୦୨୩-୧୯ ଆର୍ଥିକ ବର୍ଷରେ ୧୩,୧୧୩ କୋଟିକୁ ବୃଦ୍ଧି ପାଇଛି। ସେହିପରି ପିଓଏସ୍ ଓ ଇ-କମର୍ସରେ ମୋଟ ରୂପେ କାର୍ଡ କାରବାର ସଂଖ୍ୟା ୨୦୧୭-୧୮ ଆର୍ଥିକ ବର୍ଷରେ ୬୭ କୋଟି ଥିବାବେଳେ ୨୦୨୩-୨୪ ଆର୍ଥିକ ବର୍ଷରେ ଏହା ୯୬.୭୮ କୋଟିକୁ ବୃଦ୍ଧି ପାଇଛି।

ପିଏମଜେଡିୱାଇର ସଫଳତା ଏହାର ମିଶନ-ମୋଡ୍ ଆଭିମୁଖ୍ୟ, ନିୟାମକ ସମର୍ଥନ, ସରକାରୀ-ଘରୋଇ ଭାଗିଦାରୀ ଏବଂ ବାୟୋମେଟ୍ରିକ୍ ପରିଚୟ ପାଇଁ ଆଧାର ପରି ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମିର ଗୁରୁତ୍ୱ ଉପରେ ଆଲୋକପାତ କରିଛି।

ପିଏମଜେଡିୱାଇ ଆନୁଷ୍ଠାନିକ ଆର୍ଥିକ ଇତିହାସ ନଥିବା ଲୋକଙ୍କୁ ଋଣ ସୁବିଧା ପ୍ରଦାନ କରିବା ସହିତ ସଞ୍ଚୟକୁ ସକ୍ଷମ କରିଛି। ଆକାଉଣ୍ଟଧାରୀମାନେ ଏବେ ସଞ୍ଚୟ ପଦ୍ଧତି ଦେଖାଇପାରିବେ, ଯାହା ସେମାନଙ୍କୁ ବ୍ୟାଙ୍କ ଏବଂ ଆର୍ଥିକ ଅନୁଷ୍ଠାନରୁ ଋଣ ପାଇଁ ଯୋଗ୍ୟ କରିଥାଏ। ସବୁଠାରୁ ନିକଟତମ ସୁବିଧା ହେଉଛି ମୁଦ୍ରା ଋଣ ଅଧୀନରେ ମଞ୍ଜୁରି, ଯାହା ୨୦୧୯ ଆର୍ଥିକ ବର୍ଷରୁ ୨୦୨୪ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ପାଞ୍ଚ ବର୍ଷ ମଧ୍ୟରେ ୯.୮% ଚକ୍ରବୃଦ୍ଧି ବାର୍ଷିକ ହାରରେ ବୃଦ୍ଧି ପାଇଛି। ଋଣର ଏହି ଉପଲବ୍ଧତା ପରିବର୍ତ୍ତନକାରୀ କାରଣ ଏହା ବ୍ୟକ୍ତିବିଶେଷଙ୍କୁ ସେମାନଙ୍କର ଆୟ ବୃଦ୍ଧି କରିବାକୁ ସଶକ୍ତ କରେ।

ପିଏମଜେଡିୱାଇ ବିଶ୍ୱର ସର୍ବବୃହତ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଯୋଜନା ହୋଇଥିବାରୁ ଏହାର ରୂପାନ୍ତରଣ ଶକ୍ତି ଏବଂ ଏହାର ଡିଜିଟାଲ ଉଦ୍ଭାବନ ଭାରତରେ ଆର୍ଥିକ ଅନ୍ତର୍ଭୁକ୍ତୀକରଣରେ ବୈପ୍ଳବିକ ପରିବର୍ତ୍ତନ ଆଣିଛି।

Categories
ଜାତୀୟ ଖବର ବିଶେଷ ଖବର

ରାଷ୍ଟ୍ରପତି ପୁଟିନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରୁଷ ରାଷ୍ଟ୍ରପତି ମହାମହିମ ଭ୍ଲାଦିମିର ପୁଟିନଙ୍କ ସହ ଟେଲିଫୋନ ଯୋଗେ ଆଲୋଚନା କରିଛନ୍ତି।

ପ୍ରଧାନମନ୍ତ୍ରୀ ୨୨ତମ ଭାରତ-ରୁଷ୍ ଦ୍ୱିପାକ୍ଷିକ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବା ପାଇଁ ଗତ ମାସରେ ତାଙ୍କର ସଫଳ ରୁଷ୍‍ ଗସ୍ତକୁ ସ୍ମରଣ କରିଥିଲେ।

ଉଭୟ ନେତା ଅନେକ ଦ୍ୱିପାକ୍ଷିକ ପ୍ରସଙ୍ଗର ଅଗ୍ରଗତିର ସମୀକ୍ଷା କରିଥିଲେ ଏବଂ ଭାରତ ଏବଂ ରୁଷ ମଧ୍ୟରେ ସ୍ୱତନ୍ତ୍ର ଓ ବିଶେଷାଧିକାର ରଣନୈତିକ ଭାଗିଦାରୀକୁ ଅଧିକ ସୁଦୃଢ଼ କରିବା ଦିଗରେ ପଦକ୍ଷେପ ଉପରେ ଆଲୋଚନା କରିଥିଲେ।

ପାରସ୍ପରିକ ସ୍ୱାର୍ଥ ସମ୍ବନ୍ଧୀୟ ବିଭିନ୍ନ ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ମଧ୍ୟ ସେମାନେ ମତ ବିନିମୟ କରିଥିଲେ।

ଉଭୟ ନେତା ଚାଲିଥିବା ରୁଷିଆ-ୟୁକ୍ରେନ ବିବାଦ ଉପରେ ମତ ବିନିମୟ କରିଥିଲେ। ପ୍ରଧାନମନ୍ତ୍ରୀ ତାଙ୍କର ନିକଟରେ ୟୁକ୍ରେନ ଗସ୍ତ ସମ୍ପର୍କରେ ସୂଚନା ସେୟାର କରିଥିଲେ। ବିବାଦର ସ୍ଥାୟୀ ଏବଂ ଶାନ୍ତିପୂର୍ଣ୍ଣ ସମାଧାନ ହାସଲ କରିବା ପାଇଁ ଆଲୋଚନା ଏବଂ କୂଟନୀତିର ଗୁରୁତ୍ୱ ସହିତ ସମସ୍ତ ଅଂଶୀଦାରଙ୍କ ମଧ୍ୟରେ ଆନ୍ତରିକ ଏବଂ ବ୍ୟବହାରିକ ଯୋଗଦାନ ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

ଦୁଇ ନେତା ନିରନ୍ତର ଯୋଗାଯୋଗରେ ରହିବାକୁ ରାଜି ହୋଇଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଆମେରିକାର ରାଷ୍ଟ୍ରପତିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ: ଏହି ମାମଲା ଉପରେ ହେଲା ଆଲୋଚନା

ନୂଆଦିଲ୍ଲୀ: ସୋମବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକାର ରାଷ୍ଟ୍ରପତି ଜୋ ବିଡେନଙ୍କ ସହ କଥା ହୋଇଛନ୍ତି। ଦୁଇ ଜଣଙ୍କ ମଧ୍ୟରେ ବାର୍ତ୍ତାଳାପ ଫୋନ୍ କଲ୍ ମାଧ୍ୟମରେ ହୋଇଥିଲା ଏବଂ ଏହି ସମୟରେ ସେମାନେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡ଼ିକ ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ। ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଭାରତୀୟ ପ୍ରଧାନମନ୍ତ୍ରୀ ଏହି ବିଷୟରେ ସୂଚନା ଦେଇଛନ୍ତି। ସେ ଏହି ପୋଷ୍ଟରେ କହିଛନ୍ତି, “ଆଜି ମୁଁ ଜୋ ବିଡେନଙ୍କ ସହ ଫୋନରେ କଥା ହେଲି। ୟୁକ୍ରେନର ପରିସ୍ଥିତି ସମେତ ବିଭିନ୍ନ ଆଞ୍ଚଳିକ ତଥା ବିଶ୍ଵସ୍ତରୀୟ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲୁ। ଶାନ୍ତି ଏବଂ ସ୍ଥିରତାର ଶୀଘ୍ର ପ୍ରତ୍ୟାବର୍ତ୍ତନ ପାଇଁ ମୁଁ ଭାରତର ସମ୍ପୂର୍ଣ୍ଣ ସମର୍ଥନକୁ ଦୋହରାଇଛି।”

ବାର୍ତ୍ତାଳାପ ସମୟରେ ପିଏମ ମୋଦୀ ଜୋ ବିଡେନଙ୍କୁ ତାଙ୍କର ୟୁକ୍ରେନ ଗସ୍ତ ବିଷୟରେ ମଧ୍ୟ କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅନୁଯାୟୀ ସେ ଜୋ ବିଡେନଙ୍କ ସହ ବାଂଲାଦେଶର ପରିସ୍ଥିତି ଉପରେ ମଧ୍ୟ ଆଲୋଚନା କରିଛନ୍ତି ଏବଂ ଯଥାଶୀଘ୍ର ସେଠାରେ ସ୍ୱାଭାବିକତା ଫେରାଇ ଆଣିବା ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟର (ବିଶେଷକରି ହିନ୍ଦୁ) ର ସୁରକ୍ଷା ନିଶ୍ଚିତ କରିବା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି।

ନରେନ୍ଦ୍ର ମୋଦୀ ଏବଂ ଜୋ ବିଡେନଙ୍କ ମଧ୍ୟରେ ବାର୍ତ୍ତାଳାପ ସମୟରେ ଭାରତୀୟ ପ୍ରଧାନମନ୍ତ୍ରୀ ଭାରତ-ଆମେରିକା ସହଭାଗିତା ପ୍ରତି ଆମେରିକାର ରାଷ୍ଟ୍ରପତିଙ୍କ ପ୍ରତିବଦ୍ଧତାକୁ ପ୍ରଶଂସା କରିଛନ୍ତି। ଏହି ସମୟରେ ଉଭୟ ନେତା ଗୁରୁତ୍ୱାରୋପ କରିଥିଲେ ଯେ, ଭାରତ-ଆମେରିକା ସହଭାଗୀତାର ଉଦ୍ଦେଶ୍ୟ ହେଉଛି ଉଭୟ ଦେଶର ଲୋକଙ୍କ ସହ ସମଗ୍ର ମାନବିକତାକୁ ଉପକୃତ କରିବା। ଉଭୟ ସହମତ ହୋଇଥିଲେ ଯେ କ୍ୱାଡ୍ ସମେତ ବହୁପକ୍ଷୀୟ ସହଯୋଗକୁ ଆହୁରି ମଜବୁତ କରିବାକୁ ସେମାନେ ସେମାନଙ୍କର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। ଏହା ବ୍ୟତୀତ ସେମାନେ ନିରନ୍ତର ସମ୍ପର୍କରେ ରହିବାକୁ ମଧ୍ୟ ରାଜି ହୋଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଏକୀକୃତ ପେନ୍‌ସନ୍‌ ଯୋଜନାକୁ କ୍ୟାବିନେଟ୍‌ ମଞ୍ଜୁରି: ଜାଣନ୍ତୁ ୟୁପିଏସ ର ପ୍ରମୁଖ ବୈଶିଷ୍ଟ୍ୟ ଗୁଡ଼ିକ କ’ଣ?

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ ଆଜି ଏକୀକୃତ ପେନସନ୍‌ ଯୋଜନା (ୟୁପିଏସ୍‌)କୁ ମଞ୍ଜୁରି ମିଳିଛି।

ୟୁପିଏସ୍‌ର ପ୍ରମୁଖ ବୈଶିଷ୍ଟ୍ୟ ଗୁଡ଼ିକ ହେଲା:

ସୁନିଶ୍ଚିତ ପେନ୍‌ସନ୍‌ : ୨୫ ବର୍ଷର ସର୍ବନିମ୍ନ ଯୋଗ୍ୟତା ଅର୍ଜନକାରୀ ସେବା ଅବଧି ପାଇଁ ଅବସର ପୂର୍ବର ୧୨ ମାସରେ ମିଳିଥିବା ହାରାହାରୀ ମୂଳ ଦରମା ବା ବେସିକ୍‌ ପେ’ର ୫୦% ମିଳିବ । ଏହି ବେତନ ସର୍ବନିମ୍ନ ୧୦ ବର୍ଷର ଚାକିରି ଅବଧି ଠାରୁ ଆରମ୍ଭ କରି ୨୫ ବର୍ଷ ପର୍ଯ୍ୟନ୍ତ ସେବା ଅବଧି କ୍ଷେତ୍ରରେ ଆନୁପାତିକ ଭାବେ ମିଳିବ।

ସୁନିଶ୍ଚିତ ପାରିବାରିକ ପେନ୍‌ସନ୍‌ : ମୃତ୍ୟୁ ପୂର୍ବରୁ କର୍ମଚାରୀ ପାଉଥିବା ପେନ୍‌ସନ୍‌ର ୬୦ ପ୍ରତିଶତ ଦରରେ ପାରିବାରିକ ପେନସନ୍‌ ମିଳିବ।

ସୁନିଶ୍ଚିତ ସର୍ବନିମ୍ନ ପେନସନ୍‌ : ସର୍ବନିମ୍ନ ୧୦ ବର୍ଷ ଚାକିରି ଅବଧି ସାରି ଅବସର ନେବା ପରେ ମାସିକ ୧୦,୦୦୦ ଟଙ୍କା।

ମୁଦ୍ରାସ୍ଫିତୀ ଅନୁରୂପ ପେନ୍‌ସନ୍‌ ନିର୍ଦ୍ଧାରଣ : ସୁନିଶ୍ଚିତ ପେନ୍‌ସନ୍‌, ସୁନିଶ୍ଚିତ ପାରିବାରିକ ପେନସନ୍‌ ଓ ସୁନିଶ୍ଚିତ ସର୍ବନିମ୍ନ ପେନ୍‌ସନ୍‌ ଉପରେ।

ସେବା କର୍ମଚାରୀଙ୍କ କ୍ଷେତ୍ରରେ ଶିଳ୍ପ ଶ୍ରମିକଙ୍କ ପାଇଁ ସର୍ବଭାରତୀୟ ଉପଭୋକ୍ତା ମୂଲ୍ୟ ସୂଚକାଙ୍କ ଆଧାରରେ ମହଙ୍ଗା ସହାୟତା।

ଅବସର ପରେ ଗ୍ରାଚୁଇଟି ବ୍ୟତୀତ ଏକକାଳୀନ ରାଶି।

ପ୍ରତ୍ୟେକ ସମ୍ପୂର୍ଣ୍ଣ ୬ ମାସ ସେବା ପାଇଁ ଅବସର ତାରିଖରେ ମିଳୁଥିବା ମାସିକ ପାରିଶ୍ରମିକ (ବେତନ+ଡିଏ)ର ୧/୧୦ ଭାଗ ମିଳିବ। ଏହି ରାଶି କାରଣରୁ ସୁନିଶ୍ଚିତ ପେନ୍‌ସନ୍‌ ର ପରିମାଣ କମ୍‌ ହେବ ନାହିଁ।

Categories
ଆଜିର ଖବର ଜାତୀୟ ଖବର

ସରକାରୀ କର୍ମଚାରୀଙ୍କୁ ମୋଦୀ ସରକାରଙ୍କ ବଡ ଉପହାର, ୟୁନିଫାଇଡ୍ ପେନ୍ସନ୍ ଯୋଜନାକୁ ମଞ୍ଜୁରୀ

ନୂଆଦିଲ୍ଲୀ: କେନ୍ଦ୍ରର ମୋଦୀ ସରକାର ସରକାରୀ କର୍ମଚାରୀଙ୍କୁ ଏକ ବଡ ଉପହାର ଦେଇଛନ୍ତି। ନୂତନ ପେନ୍ସନ୍ ଯୋଜନାରେ ସୁଧାରର ଦାବିକୁ ଦୃଷ୍ଟିରେ ରଖି ସରକାର ୟୁନିଫାଇଡ୍ ପେନ୍ସନ୍ ଯୋଜନାକୁ ଅନୁମୋଦନ କରିଛନ୍ତି। ନୂତନ ପେନ୍ସନ୍ ଯୋଜନାରେ ଉନ୍ନତି ଆଣିବା ପାଇଁ ଡକ୍ଟର ସୋମନାଥ କମିଟି ଗଠନ କରାଯାଇଥିଲା। ବିସ୍ତୃତ ଆଲୋଚନା ପରେ ଏହି କମିଟି ରିପୋର୍ଟ ଉପସ୍ଥାପନ କରିଛି।

ଆଜି କେନ୍ଦ୍ର କ୍ୟାବିନେଟର ସଂକ୍ଷିପ୍ତ ସୂଚନା ଦେଇ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ, କ୍ୟାବିନେଟ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଯେଉଁଥିରେ ୟୁନିଫାଇଡ୍ ପେନ୍ସନ୍ ସ୍କିମ୍ ଘୋଷଣା ମଧ୍ୟ ଅନ୍ତର୍ଭୁକ୍ତ। ଚାକିରୀ ପରେ ପ୍ରାପ୍ତ ପେନ୍‌ସନ୍‌କୁ ଧ୍ୟାନରେ ରଖି ଏହି ଯୋଜନା ପ୍ରଣୟନ କରାଯାଉଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ୟୁକ୍ରେନରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି: ସ୍ୱାଗତ କରିବା ପାଇଁ ଭାରତୀୟ ଛାତ୍ରଛାତ୍ରୀ ପ୍ରସ୍ତୁତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟୁକ୍ରେନରେ ପହଞ୍ଚିଛନ୍ତି। ସେ ପୋଲାଣ୍ଡ ଦେଇ ଟ୍ରେନରେ ୟୁକ୍ରେନରେ ପହଞ୍ଚିଛନ୍ତି। ପିଏମ ମୋଦୀ ୟୁକ୍ରେନ ରାଷ୍ଟ୍ରପତି ଭ୍ଲୋଦିମିର ଜେଲେନସ୍କିଙ୍କ ସହ ସାକ୍ଷାତ କରିବାକୁ ଯାଉଛନ୍ତି।

ପିଏମ ମୋଦୀଙ୍କୁ ସ୍ୱାଗତ କରିବାକୁ ଭାରତୀୟ ଛାତ୍ରମାନେ ଉତ୍ସାହିତ:

ୟୁକ୍ରେନରେ ପିଏମ ମୋଦୀଙ୍କୁ ସ୍ୱାଗତ କରିବାକୁ ଭାରତୀୟ ଛାତ୍ରମାନେ ମଧ୍ୟ ପ୍ରସ୍ତୁତ ଅଛନ୍ତି। ଜଣେ ଛାତ୍ର କହିଛନ୍ତି ଯେ, “ପିଏମ ମୋଦୀଙ୍କ ଏଠାକୁ ଆସିବା ନେଇ ଆମେ ଉତ୍ସାହିତ। ଅପରେସନ୍ ଗଙ୍ଗା ସମୟରୁ ଭାରତ ସରକାର ଏଠାରେ ଭାରତୀୟ ଛାତ୍ରଛାତ୍ରୀମାନଙ୍କୁ ସାହାଯ୍ୟ କରିଆସୁଛନ୍ତି। ପିଏମ ମୋଦୀଙ୍କୁ ଭେଟିବା ପାଇଁ ଆମେ ବହୁତ ଉତ୍ସାହିତ। ଏଠାରେ ତାଙ୍କୁ ଦେଖିବା ପାଇଁ ଏକ ଭଲ ସୁଯୋଗ ଏବଂ ଯଦି ସମ୍ଭବ ତାଙ୍କ ସହ କଥା ହେବୁ।” ଅପରେସନ୍ ଗଙ୍ଗା ମାଧ୍ୟମରେ ୟୁକ୍ରେନ୍ ଯୁଦ୍ଧରେ ଫସି ରହିଥିବା ଛାତ୍ରଛାତ୍ରୀମାନଙ୍କୁ ସ୍ଥାନାନ୍ତର କରାଯାଇଥିଲା।

Categories
ଜାତୀୟ ଖବର ବିଶେଷ ଖବର

ଆରବିଆଇ ଗଭର୍ଣ୍ଣର୍‌ ଙ୍କୁ କ୍ରମାଗତ ଦ୍ୱିତୀୟ ଥର ପାଇଁ ‘‘ଏ+’’ ରେଟିଂ: ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ ଗ୍ଲୋବାଲ ଫାଇନାନ୍ସ ବ୍ୟାଙ୍କର ରିପୋର୍ଟ କାର୍ଡ ୨୦୨୪ରେ କ୍ରମାଗତ ଦ୍ୱିତୀୟ ଥର ପାଇଁ ‘ଏ ପ୍ଲସ୍‌’ ରେଟିଂ ମିଳିବା ନିମନ୍ତେ ଅଭିନନ୍ଦନ ଜଣାଇଛନ୍ତି।

ଭାରତୀୟ ରିଜର୍ଭ ବ୍ୟାଙ୍କର ଏକ୍ସ ପୋଷ୍ଟ ଉପରେ ପ୍ରତିକ୍ରିୟା ରଖି ଶ୍ରୀ ମୋଦୀ ଲେଖିଛନ୍ତି :

‘‘ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର୍‌ ଶ୍ରୀ ଶକ୍ତିକାନ୍ତ ଦାସ (@DasShaktikanta)ଙ୍କୁ ଦ୍ୱିତୀୟ ଥର ଲାଗି ଏହି ସଫଳତା ପାଇଁ ଅଭିନନ୍ଦନ। ଏହା ଭାରତୀୟ ରିଜର୍ଭ ବ୍ୟାଙ୍କରେ ତାଙ୍କର ନେତୃତ୍ୱ ଓ ଆର୍ଥିକ ବିକାଶ ତଥା ସ୍ଥିରତା ସୁନିଶ୍ଚିତ କରିବା ଦିଗରେ ତାଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ପଦକ୍ଷେପକୁ ମାନ୍ୟତା ଦେଉଛି।’’

Categories
ଆଜିର ଖବର ଜାତୀୟ ଖବର

ପୋଲାଣ୍ଡ ଓ ୟୁକ୍ରେନ୍ ଗଣତନ୍ତ୍ରକୁ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବିବୃତି

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୋଲାଣ୍ଡ ଏବଂ ୟୁକ୍ରେନ୍ ଗସ୍ତରେ ଯାଉଛନ୍ତି। ଏହି ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ନିଜର ପ୍ରତିକ୍ରିୟା ରଖିଛନ୍ତି।

ଏହି ଅବସରରେ ସେ କହିଛନ୍ତି ଯେ, ”ମୁଁ ଆଜି ପୋଲାଣ୍ଡ ଏବଂ ୟୁକ୍ରେନ୍ ଗଣତନ୍ତ୍ରକୁ ସରକାରୀ ଗସ୍ତରେ ଯାଉଛି।

ଆମର କୂଟନୈତିକ ସମ୍ପର୍କର ୭୦ ବର୍ଷ ପୂର୍ତ୍ତି ଅବସରରେ ମୋର ପୋଲାଣ୍ଡ ଗସ୍ତ ହେଉଛି। ପୋଲାଣ୍ଡ ମଧ୍ୟ ୟୁରୋପର ଏକ ପ୍ରମୁଖ ଅର୍ଥନୈତିକ ସହଯୋଗୀ। ଗଣତନ୍ତ୍ର ଓ ବହୁଳବାଦ ପ୍ରତି ଆମର ପାରସ୍ପରିକ ପ୍ରତିବଦ୍ଧତା ଆମ ସମ୍ପର୍କକୁ ଆହୁରି ସୁଦୃଢ଼ କରୁଛି। ଆମର ଭାଗୀଦାରୀକୁ ଆହୁରି ଆଗକୁ ବଢ଼ାଇବା ପାଇଁ ମୁଁ ମୋର ବନ୍ଧୁ ପ୍ରଧାନମନ୍ତ୍ରୀ ଡୋନାଲ୍ଡ ଟସ୍କ ଏବଂ ରାଷ୍ଟ୍ରପତି ଆଣ୍ଡରଜେଜ୍‍ ଡୁଡାଙ୍କୁ ଭେଟିବାକୁ ଆଗ୍ରହୀ। ମୁଁ ପୋଲାଣ୍ଡରେ ଥିବା ଭାରତୀୟ ସୁମଦାୟର ସଦସ୍ୟମାନଙ୍କ ସହ ମଧ୍ୟ ସମ୍ପର୍କ ସ୍ଥାପନ କରିବି।

ପୋଲାଣ୍ଡରୁ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ନିମନ୍ତ୍ରଣକ୍ରମେ ମୁଁ ୟୁକ୍ରେନ ଗସ୍ତ କରିବି। ଏହା ହେଉଛି କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ୟୁକ୍ରେନ ଗସ୍ତ। ଦ୍ୱିପାକ୍ଷିକ ସହଯୋଗକୁ ସୁଦୃଢ଼ କରିବା ଏବଂ ଚାଲିଥିବା ୟୁକ୍ରେନ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ଉପରେ ଦୃଷ୍ଟିକୋଣ ସେୟାର କରିବା ପାଇଁ ମୁଁ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ ପୂର୍ବ ଆଲୋଚନାକୁ ବିକଶିତ କରିବାର ସୁଯୋଗ କୁ ଅପେକ୍ଷା କରିଛି। ଜଣେ ବନ୍ଧୁ ଏବଂ ସହଯୋଗୀ ଭାବରେ ଆମେ ଆଶା କରୁଛୁ ଯେ ଶୀଘ୍ର ଏହି ଅଞ୍ଚଳରେ ଶାନ୍ତି ଏବଂ ସ୍ଥିରତା ଫେରିବ।

ମୋର ବିଶ୍ୱାସ ଯେ ଏହି ଗସ୍ତ ଦୁଇ ଦେଶ ସହିତ ବ୍ୟାପକ ଯୋଗାଯୋଗର ଏକ ସ୍ୱାଭାବିକ ନିରନ୍ତରତା ଭାବରେ କାର୍ଯ୍ୟ କରିବ ଏବଂ ଆଗାମୀ ବର୍ଷଗୁଡ଼ିକରେ ମଜଭୁତ ଏବଂ ଅଧିକ ଦୃଢ ସମ୍ପର୍କପାଇଁ ଭିତ୍ତିଭୂମି ସୃଷ୍ଟି କରିବାରେ ସହାୟକ ହେବ।”

Categories
ଜାତୀୟ ଖବର ବିଶେଷ ଖବର

ମାଲେସିଆ ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରେସ୍ ବିବୃତ୍ତି

ନୂଆଦିଲ୍ଲୀ: ମାଲେସିଆ ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମ ଭାରତ ଗସ୍ତରେ ଆସିଛନ୍ତି। ଏହି ଅବସରରେ ସେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି। ଏହା ଉପରେ ଉଭୟ ନେତା ଏକ ପ୍ରେସ ବିବୃତ୍ତି ଜାରି କରିଛନ୍ତି।

ଏହି ପ୍ରେସ୍ ବିବୃତ୍ତିରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ”ପ୍ରଧାନମନ୍ତ୍ରୀ ହେବା ପରେ ଅନୱର ଇବ୍ରାହିମଙ୍କର ଏହା ହେଉଛି ପ୍ରଥମ ଭାରତ ଗସ୍ତ। ମୁଁ ଖୁସି ଯେ ମୋର ତୃତୀୟ କାର୍ଯ୍ୟକାଳ ଆରମ୍ଭରେ ଆପଣଙ୍କୁ ଭାରତରେ ସ୍ୱାଗତ କରିବାର ସୁଯୋଗ ପାଇଛି।

ଭାରତ ଏବଂ ମାଲେସିଆ ମଧ୍ୟରେ ଉନ୍ନତ ରଣନୈତିକ ଭାଗିଦାରୀ ଏକ ଦଶନ୍ଧି ପୂରଣ କରୁଛି। ଗତ ଦୁଇ ବର୍ଷ ମଧ୍ୟରେ, ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମଙ୍କ ସମର୍ଥନରେ, ଆମର ଭାଗିଦାରୀ ଏକ ନୂତନ ଗତି ଏବଂ ଶକ୍ତି ହାସଲ କରିଛି। ଆଜି ଆମେ ପାରସ୍ପରିକ ସହଯୋଗର ସମସ୍ତ କ୍ଷେତ୍ର ଉପରେ ବିସ୍ତୃତ ଭାବେ ଆଲୋଚନା କରିଛୁ । ଆମେ ଲକ୍ଷ୍ୟ କରିଛୁ ଯେ ଆମର ଦ୍ୱିପାକ୍ଷିକ ବାଣିଜ୍ୟ ନିରନ୍ତର ଅଗ୍ରଗତି କରୁଛି । ଭାରତ ଓ ମାଲେସିଆ ମଧ୍ୟରେ ବାଣିଜ୍ୟ ଏବେ ଭାରତୀୟ ଟଙ୍କା (ଆଇଏନଆର) ଏବଂ ମାଲେସିଆ ରିଙ୍ଗିଟ୍ସ (ଏମୱାଇଆର)ରେ ଧାର୍ଯ୍ୟ ହୋଇପାରିବ । ଗତ ବର୍ଷ ମାଲେସିଆରୁ ଭାରତକୁ ୫ ବିଲିୟନ ଡଲାରର ପୁଞ୍ଜିନିବେଶ ଉପରେ କାର୍ଯ୍ୟ ହୋଇଥିଲା ।

ଆଜି ଆମେ ଆମର ଭାଗିଦାରୀକୁ “ବ୍ୟାପକ ରଣନୈତିକ ଭାଗିଦାରୀ”ରେ ପରିଣତ କରିବାକୁ ନିଷ୍ପତ୍ତି ନେଇଛୁ । ଆମେ ବିଶ୍ୱାସ କରୁ ଯେ ଅର୍ଥନୈତିକ ସହଯୋଗରେ ଏବେ ବି ବହୁତ ସମ୍ଭାବନା ରହିଛି । ଦ୍ୱିପାକ୍ଷିକ ବାଣିଜ୍ୟ ଓ ପୁଞ୍ଜିନିବେଶକୁ ସମ୍ପ୍ରସାରଣ କରାଯିବା ଉଚିତ୍ । ସେମିକଣ୍ଡକ୍ଟର, ଫିନଟେକ୍‌, ପ୍ରତିରକ୍ଷା ଶିଳ୍ପ, ଏଆଇ ଏବଂ କ୍ୱାଣ୍ଟମ ଭଳି ନୂତନ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଆମର ପାରସ୍ପରିକ ସହଯୋଗ ବୃଦ୍ଧି କରିବା ଉଚିତ । ଭାରତ ଓ ମାଲେସିଆ ମଧ୍ୟରେ ବ୍ୟାପକ ଅର୍ଥନୈତିକ ସହଯୋଗ ଚୁକ୍ତିର ସମୀକ୍ଷାକୁ ତ୍ୱରାନ୍ୱିତ କରିବା ଉପରେ ଆମେ ଗୁରୁତ୍ୱାରୋପ କରିଛୁ । ଡିଜିଟାଲ ଟେକ୍ନୋଲୋଜି କ୍ଷେତ୍ରରେ ସହଯୋଗ ପାଇଁ ଡିଜିଟାଲ କାଉନସିଲ ଗଠନ ଏବଂ ଷ୍ଟାର୍ଟଅପ୍ ମେଣ୍ଟ ଗଠନ କରିବାକୁ ନିଷ୍ପତ୍ତି ନିଆଯାଇଛି । ଭାରତର ୟୁପିଆଇ ଏବଂ ମାଲେସିଆର ପେନେଟ୍ କୁ ସଂଯୋଗ କରିବା ପାଇଁ ମଧ୍ୟ କାମ କରାଯିବ । ସିଇଓ ଫୋରମର ଆଜିର ବୈଠକ ନୂଆ ସମ୍ଭାବନାକୁ ସାମ୍ନାକୁ ଆଣିଛି । ପ୍ରତିରକ୍ଷା କ୍ଷେତ୍ରରେ ପାରସ୍ପରିକ ସହଯୋଗର ନୂତନ ସମ୍ଭାବନା ଉପରେ ମଧ୍ୟ ଆମେ ଆଲୋଚନା କରିଛୁ । ଆତଙ୍କବାଦ ଓ ଉଗ୍ରବାଦ ବିରୋଧରେ ଲଢ଼େଇ ଉପରେ ମଧ୍ୟ ଆମେ ଏକମତ ।

ଭାରତ ଓ ମାଲେସିଆ ଶହ ଶହ ବର୍ଷ ଧରି ପରସ୍ପର ସହ ଯୋଡ଼ି ହୋଇ ରହିଛନ୍ତି । ମାଲେସିଆରେ ରହୁଥିବା ପ୍ରାୟ ୩ ନିୟୁତ ଭାରତୀୟ ପ୍ରବାସୀ ଦୁଇ ଦେଶ ମଧ୍ୟରେ ଏକ ଜୀବନ୍ତ ସେତୁ ଅଟନ୍ତି । ଭାରତୀୟ ସଙ୍ଗୀତ, ଖାଦ୍ୟ ଓ ପର୍ବପର୍ବାଣୀ ଠାରୁ ଆରମ୍ଭ କରି ମାଲେସିଆର “ତୋରଣ ଦ୍ୱାର” ପର୍ଯ୍ୟନ୍ତ ଆମ ଲୋକମାନେ ଏହି ବନ୍ଧୁତାକୁ ଭଲ ପାଉଛନ୍ତି । ଗତ ବର୍ଷ ମାଲେସିଆରେ ପାଳିତ ‘ପି.ଆଇ.ଓ’ ଦିବସ ଏକ ଅତ୍ୟନ୍ତ ସଫଳ ଓ ଲୋକପ୍ରିୟ କାର୍ଯ୍ୟକ୍ରମ ଥିଲା । ଯେତେବେଳେ ଆମର ନୂତନ ସଂସଦ ଭବନରେ ସେଙ୍ଗୋଲ ସ୍ଥାପନ କରାଯାଇଥିଲା, ସେହି ଐତିହାସିକ ମୁହୂର୍ତ୍ତର ଉତ୍ସାହ ମାଲେସିଆରେ ମଧ୍ୟ ଅନୁଭୂତ ହୋଇଥିଲା ।  ଶ୍ରମିକଙ୍କ ନିଯୁକ୍ତି ନେଇ ଆଜିର ଚୁକ୍ତି ଭାରତରୁ ଶ୍ରମିକ ନିଯୁକ୍ତିକୁ ପ୍ରୋତ୍ସାହିତ କରିବା ସହ ସେମାନଙ୍କ ସ୍ୱାର୍ଥରକ୍ଷା କରିବ ।

ଲୋକଙ୍କ ଗମନାଗମନକୁ ସୁଗମ କରିବା ପାଇଁ ଆମେ ଭିସା ପ୍ରକ୍ରିୟାକୁ ସରଳ କରିଛୁ । ଛାତ୍ରଛାତ୍ରୀଙ୍କ ପାଇଁ ଛାତ୍ରବୃତ୍ତି ଏବଂ ସରକାରୀ ଅଧିକାରୀଙ୍କୁ ତାଲିମ ଦେବା ଉପରେ ଗୁରୁତ୍ୱ ଦିଆଯାଉଛି । ଏବେ ସାଇବର ସିକ୍ୟୁରିଟି ଓ ଏଆଇ ଭଳି ଅତ୍ୟାଧୁନିକ ପାଠ୍ୟକ୍ରମ ପାଇଁ ଆଇଟିଇସି ସ୍କଲାରସିପ୍ ଅଧୀନରେ ମାଲେସିଆ ପାଇଁ ସ୍ୱତନ୍ତ୍ର ଭାବେ ୧୦୦ ଆସନ ଆବଣ୍ଟନ କରାଯିବ ।  ମାଲେସିଆର ୟୁନିଭରସିଟି ଟୁଙ୍କୁ ଅବଦୁଲ ରେହମାନରେ ଏକ ଆୟୁର୍ବେଦ ଚେୟାର ପ୍ରତିଷ୍ଠା କରାଯାଉଛି । ଏହାବ୍ୟତୀତ ୟୁନିଭରସିଟି ମଲାୟାରେ ତିରୁଭଲ୍ଲୁଭର ଚେୟାର ପ୍ରତିଷ୍ଠା ପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇଛି । ଏହି ସବୁ ସ୍ୱତନ୍ତ୍ର ପଦକ୍ଷେପରେ ସହଯୋଗ କରିଥିବାରୁ ମୁଁ ପ୍ରଧାନମନ୍ତ୍ରୀ ଅନୱର ଏବଂ ତାଙ୍କ ଗୋଷ୍ଠୀକୁ ହୃଦୟରୁ ଧନ୍ୟବାଦ ଜଣାଉଛି ।

ମାଲେସିଆ ଏସିଆନ ଏବଂ ଭାରତ – ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର । ଏସିଆନକୁ ଭାରତ ପ୍ରାଥମିକତା ଦେଉଛି । ଭାରତ ଏବଂ ଏସିଆନ ମଧ୍ୟରେ ଏଫ୍‌ଟିଏର ସମୀକ୍ଷା ଠିକ୍ ସମୟରେ ଶେଷ ହେବା ଉଚିତ ବୋଲି ଆମେ ସହମତ । ୨୦୨୫ରେ ମାଲେସିଆର ସଫଳ ଏସିଆନ୍ ଅଧ୍ୟକ୍ଷତାକୁ ଭାରତ ପୂର୍ଣ୍ଣ ସମର୍ଥନ କରିବ । ଆମେ ଅନ୍ତର୍ଜାତୀୟ ଆଇନ ଅନୁଯାୟୀ ନୌବହନ ଏବଂ ବିମାନ ଉଡାଣର ସ୍ୱାଧୀନତା ପାଇଁ ପ୍ରତିଶ୍ରୁତିବଦ୍ଧ । ଏବଂ , ସମସ୍ତ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ପରାମର୍ଶ ଦେଉଛୁ ।

ଆପଣଙ୍କ ବନ୍ଧୁତା ଏବଂ ଭାରତ ସହ ସମ୍ପର୍କ ପ୍ରତି ଆପଣଙ୍କ ପ୍ରତିବଦ୍ଧତା ପାଇଁ ଆମେ କୃତଜ୍ଞ। ଆପଣଙ୍କ ଗସ୍ତ ଆଗାମୀ ଦଶନ୍ଧି ପାଇଁ ଆମ ସମ୍ପର୍କକୁ ଏକ ନୂତନ ଦିଗ ଦେଇଛି। ପୁଣି ଥରେ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ।”

Categories
ଆଜିର ଖବର ଜାତୀୟ ଖବର

ଜନ୍ମ ବାର୍ଷିକୀରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

ଶ୍ରୀ ମୋଦୀ ଏକ୍ସ ରେ ପୋଷ୍ଟ କରିଛନ୍ତି:

“ଆମର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଜୀଙ୍କୁ ତାଙ୍କ ଜନ୍ମବାର୍ଷିକୀରେ ଶ୍ରଦ୍ଧଞ୍ଜଳି।”

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ପିଏମ ମୋଦୀଙ୍କୁ ଫୋନ କଲେ ମହମ୍ମଦ ୟୁନୁସ, ବାଂଲାଦେଶରେ ହିନ୍ଦୁମାନଙ୍କ ସୁରକ୍ଷା ପାଇଁ ଦେଲେ ଭରସା

ନୂଆଦିଲ୍ଲୀ: ବାଂଲାଦେଶର ଅନ୍ତରୀଣ ସରକାରର ନୂତନ ମୁଖ୍ୟ ମହମ୍ମଦ ୟୁନୁସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଡାକି ହିଂସାତ୍ମକ ବିରୋଧ ମଧ୍ୟରେ ବାଂଲାଦେଶୀ ହିନ୍ଦୁ ଏବଂ ଅନ୍ୟାନ୍ୟ ସଂଖ୍ୟାଲଘୁ ସମ୍ପ୍ରଦାୟର ସୁରକ୍ଷାକୁ ନିଶ୍ଚିତ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ନିଜେ ସୋସିଆଲ ମିଡିଆ ପ୍ଲାଟଫର୍ମ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି।

ଗତକାଲି ସ୍ୱାଧୀନତା ଦିବସ ଅବସରରେ ତାଙ୍କ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ, ହିଂସାକାଣ୍ଡ ଘଟାଇଥିବା ବାଂଲାଦେଶରେ ପରିସ୍ଥିତି ସ୍ୱାଭାବିକ ହୋଇଯିବ ବୋଲି ସେ ଆଶାବାଦୀ ଅଛନ୍ତି। ପଡୋଶୀ ଦେଶରେ ହିନ୍ଦୁ ଏବଂ ସଂଖ୍ୟାଲଘୁଙ୍କ ସୁରକ୍ଷାକୁ ନେଇ ୧୪୦ କୋଟି ଭାରତୀୟ ଚିନ୍ତିତ ଅଛନ୍ତି। ଏଥି ସହ ମହମ୍ମଦ ୟୁନୁସ ରାଜଧାନୀ ଢାକାରେ ଥିବା ଢାକେଶ୍ୱରୀ ମନ୍ଦିର ପରିଦର୍ଶନ କରି ବାଂଲାଦେଶର ହିନ୍ଦୁମାନଙ୍କ ସହ ଯୋଗାଯୋଗ କରିଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ବହିଷ୍କାର ପରେ ଘଟିଥିବା ହିଂସା ସମୟରେ ଯେଉଁମାନେ ଅଳ୍ପସଂଖ୍ୟକ ଲୋକଙ୍କୁ ଆକ୍ରମଣ କରିଥିଲେ ସେମାନଙ୍କୁ ଦଣ୍ଡ ଦେବାକୁ ସେ ପ୍ରତିଶ୍ରୁତି ଦେଇଥିଲେ।

ବାଂଲାଦେଶରେ ଅବସ୍ଥା ଖରାପ ହେବା ପରେ ୟୁନୁସ ଅଗଷ୍ଟ ୮ ତାରିଖରେ ଅନ୍ତରୀଣ ସରକାରର ମୁଖ୍ୟ ଭାବରେ ଶପଥ ଗ୍ରହଣ କରିଥିଲେ। ହଠାତ୍ ଶେଖ ହସିନାଙ୍କ ଇସ୍ତଫା ଏବଂ ଭାରତ ଆସିବା ପରେ ସେ ବାଂଲାଦେଶର ଦାୟିତ୍ଵ ଗ୍ରହଣ କରିଛନ୍ତି। ଚାକିରିରେ ବିବାଦୀୟ କୋଟା ବ୍ୟବସ୍ଥାକୁ ନେଇ ସରକାରଙ୍କ ବିରୋଧରେ ଘାତକ ବିରୋଧ ପରେ ଦେଶରେ ଅଶାନ୍ତି ଦେଖାଦେଇଛି।

Categories
ଆଜିର ଖବର ଖେଳ ଜାତୀୟ ଖବର

ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତର ପ୍ରତିନିଧିତ୍ୱ କରିଥିବା ଦଳ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ୟାରିସ ଅଲିମ୍ପିକ୍ସରେ ଆମ ଦେଶର ପ୍ରତିନିଧିତ୍ୱ କରିଥିବା ଭାରତୀୟ ଦଳ ସହ ଆଲୋଚନା କରିଛନ୍ତି। ନୂଆଦିଲ୍ଲୀରେ ସେମାନଙ୍କୁ ଭେଟିବା ସମୟରେ ଶ୍ରୀ ମୋଦୀ ଅଲିମ୍ପିକ୍ସ କ୍ରୀଡ଼ା ବିଷୟରେ ସେମାନଙ୍କ ଅନୁଭୂତି ଶୁଣିବା ସହ କ୍ରୀଡ଼ା କ୍ଷେତ୍ରରେ ସେମାନଙ୍କ ସଫଳତାକୁ ପ୍ରଶଂସା କରିଥିଲେ।

ଶ୍ରୀ ମୋଦୀ କହିଛନ୍ତି ଯେ, ପ୍ୟାରିସ୍ ଯାଇଥିବା ପ୍ରତ୍ୟେକ ଖେଳାଳି ଚାମ୍ପିୟନ। ଭାରତ ସରକାର କ୍ରୀଡ଼ାକୁ ସମର୍ଥନ ଜାରି ରଖିବେ ଏବଂ ଏକ ଉନ୍ନତମାନର କ୍ରୀଡ଼ା ଭିତ୍ତିଭୂମି ନିର୍ମାଣ ସୁନିଶ୍ଚିତ କରିବେ।

ଏକାଧିକ ଏକ୍ସ ପୋଷ୍ଟ ଜରିଆରେ ପ୍ରଧାନମନ୍ତ୍ରୀ କହିଛନ୍ତି;

‘‘ପ୍ୟାରିସ୍ ଅଲିମ୍ପିକ୍ସରେ ଆମ ଦେଶର ପ୍ରତିନିଧିତ୍ୱ କରିଥିବା ଭାରତୀୟ ଦଳ ସହ କଥାବାର୍ତ୍ତା କରିବା ଆନନ୍ଦଦାୟକ ଥିଲା। ଅଲିମ୍ପିକ୍ସ କ୍ରୀଡ଼ା ବିଷୟରେ ସେମାନଙ୍କ ଅନୁଭୂତି ଶୁଣିବା ସହ କ୍ରୀଡ଼ା ପଡ଼ିଆରେ ସେମାନଙ୍କ ସଫଳତାକୁ ପ୍ରଶଂସା କରିଛି।

ପ୍ୟାରିସ ଯାଇଥିବା ପ୍ରତ୍ୟେକ ଖେଳାଳି ଚାମ୍ପିୟନ। ଭାରତ ସରକାର କ୍ରୀଡ଼ାକୁ ସମର୍ଥନ ଜାରି ରଖିବେ ଏବଂ ଏକ ଉନ୍ନତମାନର କ୍ରୀଡ଼ା ଭିତ୍ତିଭୂମି ନିର୍ମାଣ ସୁନିଶ୍ଚିତ କରିବେ।’’

Categories
ଜାତୀୟ ଖବର ବିଶେଷ ଖବର

୭୮ତମ ସ୍ୱାଧୀନତା ଦିବସ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ପ୍ରମୁଖ ବିନ୍ଦୁ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ୭୮ତମ ସ୍ୱାଧୀନତା ଦିବସ ଅଭିଭାଷଣରେ ଭାରତର ଅଭିବୃଦ୍ଧିକୁ ଆକାର ଦେବା, ଉଦ୍ଭାବନକୁ ପ୍ରୋତ୍ସାହିତ କରିବା ଏବଂ ବିଭିନ୍ନ କ୍ଷେତ୍ରରେ ଏକ ବିଶ୍ୱସ୍ତରୀୟ ନେତା ଭାବରେ ଦେଶକୁ ଅବସ୍ଥାପିତ କରିବା ଉଦ୍ଦେଶ୍ୟରେ ଅନେକ ଭବିଷ୍ୟତ ଉନ୍ମୁଖି ଲକ୍ଷ୍ୟ ବିଷୟରେ ଉଲ୍ଲେଖ କରିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ପ୍ରମୁଖ ବିନ୍ଦୁଗୁଡ଼ିକ ହେଲା:

ସହଜ ଜୀବନଧାରଣ ମିଶନ: ମିଶନ ମୋଡରେ ‘ଇଜ୍ ଅଫ୍ ଲିଭିଂ’ (ସହଜ ଜୀବନ ଧାରଣ)କୁ ସାକାର କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କର ସ୍ୱପ୍ନ ବିଷୟରେ କହିଛନ୍ତି। ଶୃଙ୍ଖଳିତ ଆକଳନ ଏବଂ ଭିତ୍ତିଭୂମି ଓ ସେବାରେ ଉନ୍ନତି ମାଧ୍ୟମରେ ସହରାଞ୍ଚଳରେ ଜୀବନଧାରଣର ଗୁଣବତ୍ତାରେ ସୁଧାର କରିବାକୁ ସେ କହିଥିଲେ।

ନାଳନ୍ଦା ଭାବନାର ପୁନରୁଦ୍ଧାର : ପ୍ରଧାନମନ୍ତ୍ରୀ ପ୍ରାଚୀନ ନାଳନ୍ଦା ବିଶ୍ୱବିଦ୍ୟାଳୟ ଭାବନାକୁ ପୁନରୁଦ୍ଧାର କରିବାକୁ ପ୍ରୟାସ କରିବାକୁ କହିଛନ୍ତି। ଉଚ୍ଚ ଶିକ୍ଷା ଓ ଗବେଷଣାକୁ ପ୍ରୋତ୍ସାହିତ କରି ଭାରତକୁ ଏକ ବିଶ୍ୱ ଶିକ୍ଷା କେନ୍ଦ୍ର ଭାବରେ ସ୍ଥାନିତ କରିବାକୁ ସେ ଆହ୍ୱାନ ଦେଇଥିଲେ। ୨୦୨୪ରେ ନାଳନ୍ଦା ବିଶ୍ୱବିଦ୍ୟାଳୟର ଉଦଘାଟନ ଅବସରରେ ଏହା ଆରମ୍ଭ ହୋଇଛି।

ମେଡ୍ ଇନ୍ ଇଣ୍ଡିଆ ଚିପ୍ସେମିକଣ୍ଡକ୍ଟର ଉତ୍ପାଦନ : ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ କରିବା ଏବଂ ବୈଷୟିକ ଆତ୍ମନିର୍ଭରଶୀଳତା ବୃଦ୍ଧି କରିବା ଲକ୍ଷ୍ୟରେ ସେମିକଣ୍ଡକ୍ଟର ଉତ୍ପାଦନ କ୍ଷେତ୍ରରେ ବିଶ୍ୱସ୍ତରରେ ଅଗ୍ରଣୀ ହେବା ପାଇଁ ଭାରତର ପ୍ରତିବଦ୍ଧତା ବିଷୟରେ ପ୍ରଧାନମନ୍ତ୍ରୀ ମୋଦୀ ଦର୍ଶାଇଥିଲେ।

ସ୍କିଲ୍ ଇଣ୍ଡିଆ : ବଜେଟ୍ ୨୦୨୪ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଭାରତର ଯୁବକମାନଙ୍କୁ ପ୍ରଶିକ୍ଷଣ ଦେବା ଏବଂ ଦେଶକୁ ବିଶ୍ୱର ଦକ୍ଷତା ବିକାଶ ରାଜଧାନୀ ଭାବେ ସ୍ଥାପିତ କରିବା ପାଇଁ ସରକାର ଘୋଷଣା କରିଥିବା ଐତିହାସିକ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ।

ଶିଳ୍ପ ଉତ୍ପାଦନ କେନ୍ଦ୍ର: ପ୍ରଧାନମନ୍ତ୍ରୀ ମୋଦୀ ଭାରତର ବିଶାଳ ସମ୍ବଳ ଏବଂ ଦକ୍ଷ ଶ୍ରମଶକ୍ତିର ଉପଯୋଗ କରି ଦେଶକୁ ଏକ ବିଶ୍ୱ ସ୍ତରୀୟ ଉତ୍ପାଦନ କେନ୍ଦ୍ରରେ ପରିଣତ କରିବାକୁ ଲକ୍ଷ୍ୟ ରଖିଥିଲେ।

ଭାରତରେ ଡିଜାଇନ୍, ବିଶ୍ୱ ପାଇଁ ଡିଜାଇନ୍’: ପ୍ରଧାନମନ୍ତ୍ରୀ ସ୍ୱଦେଶୀ ଡିଜାଇନ କ୍ଷମତା ବୃଦ୍ଧି କରିବା ସହ ଉଭୟ ଘରୋଇ ଏବଂ ଅନ୍ତର୍ଜାତୀୟ ବଜାର ଚାହିଦାକୁ ପୂରଣ କରୁଥିବା ଉତ୍ପାଦ ତିଆରି କରିବାକୁ ଅନୁରୋଧ କରିଥିଲେ।

ବିଶ୍ୱ ଗେମିଂ ମାର୍କେଟରେ ଅଗ୍ରଣୀ: ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଭାରତ ଏହାର ସମୃଦ୍ଧ ପ୍ରାଚୀନ ପରମ୍ପରା ଏବଂ ସାହିତ୍ୟର ଉପଯୋଗ କରି ମେଡ୍ ଇନ୍ ଇଣ୍ଡିଆ ଗେମିଂ ଉତ୍ପାଦ ଆଣିବା ଉଚିତ୍ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତୀୟ ପେସାଦାରମାନେ କେବଳ ଖେଳିବା ରେ ନୁହେଁ ବରଂ ଖେଳ ସାମଗ୍ରୀ ଉତ୍ପାଦନରେ ମଧ୍ୟ ବିଶ୍ୱ ଗେମିଂ ବଜାରର ନେତୃତ୍ୱ ନେବା ଉଚିତ ଏବଂ ଭାରତୀୟ ଖେଳଗୁଡିକ ବିଶ୍ୱବ୍ୟାପୀ ନିଜର ପରିଚୟ ସୃଷ୍ଟି କରିବା ଉଚିତ୍।

ସବୁଜ ନିଯୁକ୍ତି ଏବଂ ସବୁଜ ହାଇଡ୍ରୋଜେନ ମିଶନ: ପ୍ରଧାନମନ୍ତ୍ରୀ ମୋଦୀ ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ଭାରତର ପ୍ରୟାସରେ ସବୁଜ ନିଯୁକ୍ତି ର ଗୁରୁତ୍ୱ ଉପରେ ଜୋର୍‌ ଦେଇଛନ୍ତି। ସେ କହିଥିଲେ ଯେ ଦେଶର ଧ୍ୟାନ ଏବେ ସବୁଜ ଅଭିବୃଦ୍ଧି ଏବଂ ସବୁଜ ନିଯୁକ୍ତି ଉପରେ ରହିଛି, ଯାହା ପରିବେଶ ସୁରକ୍ଷାରେ ଯୋଗଦାନ ଦେବା ସହିତ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ।

ସବୁଜ ହାଇଡ୍ରୋଜେନ ଉତ୍ପାଦନ ଏବଂ ପରିବେଶ ସଂରକ୍ଷଣ ଓ ଅକ୍ଷୟ ଶକ୍ତି କ୍ଷେତ୍ରରେ ସ୍ଥାୟୀ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା କ୍ଷେତ୍ରରେ ବିଶ୍ୱସ୍ତରରେ ଅଗ୍ରଣୀ ହେବା ପାଇଁ ଭାରତର ପ୍ରତିବଦ୍ଧତାକୁ ପ୍ରଧାନମନ୍ତ୍ରୀ ଦୋହରାଇଥିଲେ।

ସୁସ୍ଥ ଭାରତ ମିଶନ: ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିକଶିତ ଭାରତ ୨୦୪୭ର ଲକ୍ଷ୍ୟ ହାସଲ କରିବାକୁ ହେଲେ ଭାରତକୁ ରାଷ୍ଟ୍ରୀୟ ପୋଷଣ ଅଭିଯାନର ଶୁଭାରମ୍ଭ ସହିତ ଆରମ୍ଭ ହୋଇଥିବା ‘ସୁସ୍ଥ ଭାରତ’ ପଥରେ ଆଗକୁ ବଢ଼ିବାକୁ ପଡ଼ିବ।

ରାଜ୍ୟସ୍ତରୀୟ ନିବେଶ ପ୍ରତିଯୋଗିତା: ପୁଞ୍ଜିନିବେଶ ଆକୃଷ୍ଟ କରିବା, ସୁଶାସନର ପ୍ରତିଶ୍ରୁତି ଦେବା ଏବଂ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ବିଶ୍ୱାସ ସୁନିଶ୍ଚିତ କରିବା ପାଇଁ ରାଜ୍ୟ ସରକାରମାନେ ସ୍ପଷ୍ଟ ନୀତି ପ୍ରଣୟନ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି।

ଗ୍ଲୋବାଲ ବେଞ୍ଚମାର୍କ ଭାବରେ ଭାରତୀୟ ମାନକ: ଗୁଣବତ୍ତା ପ୍ରତି ପ୍ରତିବଦ୍ଧତା ପାଇଁ ଭାରତର ସ୍ୱୀକୃତି ପାଇବାର ଆକାଂକ୍ଷା ଉପରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ଭାରତୀୟ ମାନକ ଅନ୍ତର୍ଜାତୀୟ ମାନଦଣ୍ଡ ରେ ପରିଣତ ହେବାର ଇଚ୍ଛା ରଖିବା ଉଚିତ୍।

ଜଳବାୟୁ ପରିବର୍ତ୍ତନ ଲକ୍ଷ୍ୟ :୨୦୩୦ ସୁଦ୍ଧା ୫୦୦ ଗିଗାୱାଟ ଅକ୍ଷୟ ଶକ୍ତି କ୍ଷମତା ହାସଲ କରିବା ପାଇଁ ଭାରତର ମହତ୍ୱାକାଂକ୍ଷୀ ଲକ୍ଷ୍ୟକୁ ପ୍ରଧାନମନ୍ତ୍ରୀ ଦୋହରାଇଛନ୍ତି। ସେ ଉଲ୍ଲେଖ କରି କହିଥିଲେ ଯେ ଜି-୨୦ ରାଷ୍ଟ୍ରମାନଙ୍କ ମଧ୍ୟରେ ଭାରତ ହେଉଛି ଏକମାତ୍ର ଦେଶ ଯିଏ ପ୍ୟାରିସ୍ ଚୁକ୍ତି ଲକ୍ଷ୍ୟ ପୂରଣ କରିଛି।

ଡାକ୍ତରୀ ଶିକ୍ଷା ସମ୍ପ୍ରସାରଣ: ପ୍ରଧାନମନ୍ତ୍ରୀ ମୋଦୀ ଆସନ୍ତା ୫ ବର୍ଷ ମଧ୍ୟରେ ୭୫,୦୦୦ ନୂତନ ମେଡିକାଲ ସିଟ୍ ଯୋଡିବାକୁ ଯୋଜନା ଘୋଷଣା କରିଛନ୍ତି, ଯାହା ଦେଶର ଡାକ୍ତରୀ ଶିକ୍ଷା ସିଟ୍‌ କ୍ଷମତା ବୃଦ୍ଧି କରିବା ଏବଂ ସ୍ୱାସ୍ଥ୍ୟକର୍ମୀଙ୍କ ବଢୁଥିବା ଚାହିଦାକୁ ପୂରଣ କରିବାକୁ ଲକ୍ଷ୍ୟ ରଖିଛି।

ରାଜନୀତିରେ ଯୁବପିଢ଼ିଙ୍କୁ ସାମିଲ କରିବା : ପ୍ରଧାନମନ୍ତ୍ରୀ ମୋଦୀ ୧ ଲକ୍ଷ ଯୁବକଙ୍କୁ ରାଜନୈତିକ ବ୍ୟବସ୍ଥାରେ ସାମିଲ କରିବା ପାଇଁ ଆହ୍ୱାନ ଦେଇଛନ୍ତି, ବିଶେଷକରି ଯେଉଁମାନଙ୍କ ପରିବାରରେ ରାଜନୀତିର କୌଣସି ଇତିହାସ ନାହିଁ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପରିବାରବାଦ ଏବଂ ଜାତିବାଦର କୁସଂସ୍କାର ବିରୋଧରେ ଲଢ଼ିବା ଏବଂ ଭାରତର ରାଜନୀତିରେ ନୂଆ ପିଢ଼ିକୁ ସାମିଲ କରିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଇଛି।

Categories
ଜାତୀୟ ଖବର ବିଶେଷ ଖବର

ଅପରାଧୀଙ୍କ ମନରେ ଭୟ ସୃଷ୍ଟି କରିବା ଉଚିତ: ମହିଳାମାନଙ୍କ ପ୍ରତି ଅତ୍ୟାଚାରକୁ ନେଇ ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲ କିଲ୍ଲାର ପ୍ରାଚୀରରୁ ସମ୍ବୋଧନ କରିଛନ୍ତି। ତାଙ୍କ ଅଭିଭାଷଣରେ ଏକ ବିକଶିତ ଭାରତର ସଂକଳ୍ପ, ଅନ୍ୟପକ୍ଷରେ ବିଜେପି ସରକାରଙ୍କ କାର୍ଯ୍ୟ ତଥା ଅନ୍ୟାନ୍ୟ ବିଷୟରେ ସମ୍ବୋଧନ କରି ମହିଳାମାନଙ୍କ ସୁରକ୍ଷା ଏବଂ ଝିଅମାନଙ୍କ ବିଷୟରେ କହିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, “ଆମେ ଗମ୍ଭୀର ଭାବରେ ଚିନ୍ତା କରିବା ଉଚିତ୍। ମହିଳା ଓ ଝିଅଙ୍କ ପ୍ରତି ଅତ୍ୟାଚାର କରାଯାଉଛି। ସମାଜରେ ଏହା ଉପରେ ଆକ୍ରୋଶ ବଢୁଛି। ଆମ ରାଜ୍ୟ ସରକାର ଏହାକୁ ଗମ୍ଭୀରତାର ସହିତ ନେବାକୁ ପଡ଼ିବ। ଯେଉଁମାନେ ରାକ୍ଷସ କାର୍ଯ୍ୟ କରନ୍ତି ସେମାନଙ୍କୁ ଶୀଘ୍ର ଦଣ୍ଡ ଦିଆଯାଉ। ଯାହା ଅପରାଧୀଙ୍କ ମଧ୍ୟରେ ଭୟ ସୃଷ୍ଟି କରିବା ଆବଶ୍ୟକ, ଏହା ଉପରେ ଏକ ବ୍ୟାପକ ଚର୍ଚ୍ଚା ହେବା ଉଚିତ୍।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, କିଛି ଚିନ୍ତାର ବିଷୟ ମଧ୍ୟ ରହିଛି। ମୁଁ ଏଠାରୁ ମୋର ଯନ୍ତ୍ରଣା ପ୍ରକାଶ କରିବାକୁ ଚାହୁଁଛି। ସମାଜରେ ଆମ ମା, ଭଉଣୀ ଏବଂ ଝିଅମାନଙ୍କ ସହିତ ଘଟୁଥିବା ଅତ୍ୟାଚାର ବିଷୟରେ ଚିନ୍ତା କରିବାକୁ ପଡିବ। ତାଙ୍କ ପ୍ରତି ଲୋକଙ୍କ ମଧ୍ୟରେ କ୍ରୋଧ ଅଛି। ରାଜ୍ୟ ସରକାର ଏହାକୁ ଗମ୍ଭୀରତାର ସହ ନେବାକୁ ପଡ଼ିବ। ମହିଳାଙ୍କ ପ୍ରତି ହେଉଥିବା ଅପରାଧର ଯଥାଶୀଘ୍ର ତଦନ୍ତ କରାଯିବା ଉଚିତ ଏବଂ ରାକ୍ଷସ କାର୍ଯ୍ୟ କରୁଥିବା ଲୋକଙ୍କୁ ଯଥାଶୀଘ୍ର କଠୋର ଦଣ୍ଡ ଦିଆଯିବା ଉଚିତ୍। ସମାଜରେ ବିଶ୍ୱାସ ସୃଷ୍ଟି କରିବା ପାଇଁ ଏହା ଆବଶ୍ୟକ। ଯେତେବେଳେ ମହିଳାମାନଙ୍କ ଉପରେ ଅତ୍ୟାଚାରର ଘଟଣା ଘଟେ, ସେତେବେଳେ ବହୁତ ଚର୍ଚ୍ଚା କରାଯାଇଥାଏ। କିନ୍ତୁ ଯେତେବେଳେ ଏହା କରୁଥିବା ରାକ୍ଷସ ବ୍ୟକ୍ତି ଦଣ୍ଡିତ ହୁଏ, ଖବର କୋଣ ଅନୁକୋଣରେ ଦେଖାଯାଏ। ଏହା ଉପରେ ଚର୍ଚ୍ଚା କରାଯାଏ ନାହିଁ। ବର୍ତ୍ତମାନ ସମୟର ଆବଶ୍ୟକତା ହେଉଛି ଯେ ଏପରି ପାପ କରୁଥିବା ଅପରାଧୀଙ୍କ ବିଷୟରେ ଏକ ବ୍ୟାପକ ଆଲୋଚନା ହେବା ଉଚିତ, ଯାହା ଦ୍ଵାରା ଯେଉଁମାନେ ଏପରି ପାପ କରନ୍ତି ସେମାନେ ମଧ୍ୟ ଭୟଭୀତ ହେବେ ଯେ ସେମାନଙ୍କୁ ଫାଶୀ ଦିଆଯିବ। ମୁଁ ଭାବୁଛି ଏହି ଭୟ ସୃଷ୍ଟି କରିବା ଜରୁରୀ ଅଟେ।

ପ୍ରଧାନମନ୍ତ୍ରୀ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଆଇନରେ ହୋଇଥିବା ପରିବର୍ତ୍ତନଗୁଡିକ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଯେ, ଆମେ ଅପରାଧିକ ଆଇନ ଆଣିଛୁ ଯାହା ଶତାବ୍ଦୀ ଧରି ନ୍ୟାୟିକ ସଂକେତ ଆକାରରେ ଆଣିଥିଲୁ। ଏହାର ମୂଳତଃ ଆମେ ‘ଦଣ୍ଡ ନୁହେଁ, ନାଗରିକଙ୍କୁ ନ୍ୟାୟ’ ଭାବନାକୁ ଦୃଢ କରିଛୁ। ମୁଁ ପ୍ରତ୍ୟେକ ସ୍ତରରେ ସରକାରୀ ପ୍ରତିନିଧୀ ଏବଂ ଜନ ପ୍ରତିନିଧୀମାନଙ୍କୁ ଅନୁରୋଧ କରୁଛି ଯେ, ମିଶନ ମୋଡରେ ଜୀବନ ଅତିବାହିତ କରିବା ପାଇଁ ପଦକ୍ଷେପ ନେବା ଉଚିତ୍।