Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ନବୀନଙ୍କ ପରାମର୍ଶ, ମୋଦିଙ୍କ ପଦକ୍ଷେପ, ଜାତୀୟ ରାଜନୀତିରେ ଚର୍ଚ୍ଚା

ଭୁବନେଶ୍ବର, ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନେଇ ବିଭିନ୍ନ ସମୟରେ ଜାତୀୟ ରାଜନୀତିରେ ବେଶ ଚର୍ଚ୍ଚା ହେବାରେ ଲାଗିଛି। ଏପରିକି ନବୀନଙ୍କ ପଦକ୍ଷେପକୁ ଜାତୀୟ ସ୍ତରରେ ବେଶ୍ ପ୍ରସଂଶା ମଧ୍ୟ କରାଯାଉଛି। ବର୍ତ୍ତମାନର ସଦ୍ୟତମ ଘଟଣା ଅନୁସାରେ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ମାଗଣା ଟିକା ଘୋଷଣା କରିବା ଘଟଣା ମଧ୍ୟ ଚର୍ଚ୍ଚାକୁ ଆସିଛି। ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ମାଗଣା ଟିକା ଦେବା ଘୋଷଣା ପଛରେ ନବୀନଙ୍କ ପରାମର୍ଶ କାମ ଦେଇଛି।

କାରଣ ହେଲା ଯେତେବେଳେ କେନ୍ଦ୍ର ସରକାର ରାଜ୍ୟଗୁଡିକୁ ଟିକା କିଣିବା ପାଇଁ କ୍ଷମତା ଦେଲେ ସେତେବେଳେ ଓଡିଶା ଏହା ସଂଗ୍ରହ କରିବା ପାଇଁ ଗ୍ଲୋବାଲ ଟେଣ୍ଡର କଲା। ହେଲେ ବିଶ୍ବ ସ୍ତରରେ ଟିକାର ସମସ୍ୟା ଏବଂ ବିନା କେନ୍ଦ୍ରର ସହାୟତାରେ ଏହା ସମ୍ଭବ ହେଲା ନାହିଁ। ଦୁଇଥର ଟେଣ୍ଡର ପକ୍ରିୟା କରାଯାଇଥିଲେ ମଧ୍ୟ ତାହା ସଫଳ ହେଲା ନାହିଁ।

ଏହାକୁ ଦୃଷ୍ଟିରେ ରଖି ରାଜ୍ୟ କେନ୍ଦ୍ରକୁ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିଠି ଲେଖିଲେ। ସେଥିରେ ସେ ଉଲ୍ଲେଖ କଲେ ଯେ କେନ୍ଦ୍ରର ବିନା ସାହାଯ୍ୟରେ ଟିକା କିଣିବା ସମ୍ଭବ ନୁହେଁ। ଟିକା ଉତ୍ପାଦନ କଂପାନୀ କେନ୍ଦ୍ରର ବିନା ଅନୁମତିରେ ତାହା ଯୋଗାଣ କରିପାରିବେ ନାହିଁ। ସେଥିପାଇଁ ନବୀନ ଚିଠିରେ ଅନୁରୋଧ କଲେ ଯେ, କେନ୍ଦ୍ର ନିଜେ ଟିକା କିଣି ରାଜ୍ୟକୁ ପ୍ରଦାନ କରୁ।

ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧନ କରିବା ବେଳେ ନବୀନଙ୍କ ସେହି ପରାମର୍ଶକୁ ଗ୍ରହଣ କରି ପଦକ୍ଷେପ ନେଲେ ବୋଲି ସ୍ପଷ୍ଟ ହୋଇଛି। କାରଣ ମୋଦି ନବୀନଙ୍କ ନାମ ନେଇ ନ ଥିଲେ ମଧ୍ୟ କେତେକ ରାଜ୍ୟ ଟିକା କିଣିବାରେ ସମସ୍ୟା ହେଲା ବୋଲି ଉଲ୍ଲେଖ କଲେ। ଏହି ଅଭିଯୋଗ କେବଳ ନବୀନ ହିଁ କରିଥିଲେ। ଫଳରେ ଜାତୀୟ ରାଜନୀତିରେ ନବୀନଙ୍କୁ ନେଇ ଚାଲିଛି ଚର୍ଚ୍ଚା।

ପୂର୍ବରୁ ବାତ୍ୟା ୟଶ ସମୀକ୍ଷା ବୈଠକକୁ ନେଇ ମଧ୍ୟ ଜାତୀୟ ରାଜନୀତିରେ ବେଶ୍ ପ୍ରଶଂସା ସାଉଁଟିଛନ୍ତି ନବୀନ ପଟ୍ଟନାୟକ। ବାତ୍ୟା କ୍ଷୟକ୍ଷତି ପାଇଁ ଟଙ୍କାଟିଏ କେନ୍ଦ୍ରକୁ ନ ମାଗିବା ଏବଂ ମୋଦିଙ୍କ ବୈଠକରେ ପୁରା ସହଯୋଗ କରିବାକୁ ନେଇ ଚର୍ଚ୍ଚା ହୋଇଥିଲା। କେବଳ ସେତିକି ନୁହେଁ ବିଭିନ୍ନ ସମୟରେ ନବୀନଙ୍କ ପଦକ୍ଷେପ ବର୍ତ୍ତମାନ ଜାତୀୟ ସ୍ତରରେ ବେଶ୍ ପ୍ରଭାବ ବିସ୍ତାର କରିବାରେ ଲାଗିଛି।