Categories
ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

କଣ୍ଟାମାଳ ଓ ନୟାଗଡ ନିର୍ବାଚନ ମଣ୍ଡଳୀରେ ପାଣ୍ଡିଆନଙ୍କ ତୋଫାନି ପ୍ରଚାର, ବିରୋଧୀଙ୍କୁ କଲେ ଟାର୍ଗେଟ

ଭୁବନେଶ୍ବର: ନିର୍ବାଚନ ପ୍ରଚାରର ୧୧ ଦିନରେ ଆଜି ସକାଳେ ବୌଦ୍ଧ, ସୋନପୁର ଓ ବୀରମହାରାଜପୁର ପରେ ଅପରାହ୍ନରେ ବିଜୁ ଜନତା ଦଳର ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ କଣ୍ଟାମାଳ ଓ ନୟାଗଡ ନିର୍ବାଚନ ମଣ୍ଡଳୀରେ ତୋଫାନି ପ୍ରଚାର କରିଥିଲେ।

ନୟାଗଡର ଓଡଗାଁଠାରେ ଆୟୋଜିତ ନିର୍ବାଚନୀ ସଭାରେ ବିରୋଧୀ ବିଜେପି ଦଳକୁ ତୀବ୍ର କଟାକ୍ଷ କରି ଶ୍ରୀ ପାଣ୍ଡିଆନ କହିଲେ ଯେ ବିଜେପି ଦଳ ଗତ ୧୦ ବର୍ଷ ଧରି କ୍ଷମତାରେ ରହି ଆସିଛନ୍ତି। ପୂର୍ବରୁ କେବେ ଚାଷୀ ମନେ ପଡୁ ନଥିଲେ। MSP କଥା ମନେ ପଡୁ ନଥିଲା। ଭତ୍ତା ମନେ ପଡୁ ନ ଥିଲା। ନିର୍ବାଚନ ଆସିଲେ ଚାଷୀ ମନେ ପଡନ୍ତି । ବୁଢାବୁଢୀ ମନେ ପଡନ୍ତି । ଚାହିଁ ଥିଲେ ପୂର୍ବରୁ ଭତ୍ତା ୩୦୦ ରୁ ୩୦୦୦ ଟଙ୍କା କରିପାରିଥାନ୍ତେ। MSP ଦୁଇ ଗୁଣ କରିପାରିଥାନ୍ତେ। ନିର୍ବାଚନ ଆସିଗଲା। ଏବେ ମନେ ପଡୁଛି । ସେମାନେ ଓଡିଶା ଲୋକଙ୍କୁ ବୋକା ଭାବନ୍ତୁ ନାହିଁ । ଓଡିଶା ଲୋକ ଉଚିତ୍‌ ଜବାବ ଦେବେ।

ସେ ଆହୁରି ମଧ୍ୟ କହିଥିଲେ ଯେ ନିର୍ବାଚନ ପ୍ରତିଶୃତି ଥିବା ୨ କୋଟି ଚାକିରୀ କୁଆଡେ ଗଲା। ଦରଦାମ ଆଜି ଆକାଶ ଛୁଆଁ। ଏଥିରେ ଲଗାମ ନାହିଁ। କିନ୍ତୁ ଆମ ମୁଖ୍ୟମନ୍ତ୍ରୀ ଯାହା କହନ୍ତି, ତା’ ଠାରୁ ଅଧିକ କରି ଦେଖାନ୍ତି।

ମୁଖ୍ୟମନ୍ତ୍ରୀ ନୟାଗଡର ବିକାଶ ପାଇଁ ୬୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଓଡଗାଁ ରଘୁନାଥ ମନ୍ଦିର ପାଇଁ ସାଢେ ୩ କୋଟି, ବସ୍‌ ଷ୍ଟାଣ୍ଡ ପାଇଁ ୧୧ କୋଟି, ଇନ୍‌ଡୋର ଷ୍ଟାଡିୟମ ପାଇଁ ୬ କୋଟି ଟଙ୍କା ମଞ୍ଜୁର କରିଛନ୍ତି।

ନୟାଗଡ ବିଧାନ ସଭା ପ୍ରାର୍ଥୀ ଅରୁଣ ସାହୁ ଓ ପୁରୀ ସାଂସଦ ପ୍ରାର୍ଥୀ ଅରୁପ ପଟ୍ଟନାୟକଙ୍କୁ ଯୋଡି ଶଙ୍ଖରେ ଆଶୀର୍ବାଦ କରି ନବୀନ ପଟ୍ଟନାୟକଙ୍କ ବିକାଶର ରଥକୁ ଆଗେଇ ନେବା ପାଇଁ ଶ୍ରୀ ପାଣ୍ଡିଆନ ଉପସ୍ଥିତ ଜନସାଧାରଣଙ୍କୁ ନିବେଦନ କରିଥିଲେ।

ସେହିପରି କଣ୍ଟାମାଳରେ ଉପସ୍ଥିତ ବିପୁଳ ଜନସମାବେଶକୁ ଉଦ୍‌ବୋଧନ ଦେଇ ଶ୍ରୀ ପାଣ୍ଡିଆନ କହିଥିଲେ ଯେ ନିର୍ବାଚନ ଆସିଲେ ନୂଆ ନୂଆ ଚେହେରା ଆସିବେ । ମିଠା ମିଠା କଥା କହିବ। ନିର୍ବାଚନ ସରିଗଲେ, ଖୋଜିଲେ ବି ପାଇବେ ନାହିଁ। ଓଡିଶାବାସୀଙ୍କ ପାଇଁ ଦିନରାତି କଠିନ ପରିଶ୍ରମ କରୁଥିବା ଆମ ମୁଖ୍ୟମନ୍ତ୍ରୀ ଅଳ୍ପ କଥା କହନ୍ତି, ଅଧିକା କାମ କରନ୍ତି।

ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ କରିବା ପାଇଁ ୫ ବର୍ଷରେ ଥରେ ଆପଣମାନେ ସୁଯୋଗ ପାଇଛନ୍ତି। ବିଜୁ ଜନତା ଦଳର ସାଂସଦ ପ୍ରାର୍ଥୀ ଡ. ଅଚ୍ୟୁତ ସାମନ୍ତ ଓ ବିଧାୟକ ପ୍ରାର୍ଥୀ ମହିଧର ରଣାଙ୍କୁ ୪୦ ହଜାର ମାର୍ଜିନରେ ଜିତାଇ ମୁଖ୍ୟମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରନ୍ତୁ। ଆଉ ଯିଏ ବି କ୍ଷମତାକୁ ଆସିବେ ଓଡିଶା ବିକାଶର ରଥ ଅଟକି ଯିବ। ଆମେ ବିକାଶର ରଥକୁ ଅଟକିବାକୁ ଦେବା ନାହିଁ । ସମସ୍ତେ ମିଶି ଓଡିଶାକୁ ଆଗେଇ ନେବା।

ସେ ଆହୁରି ମଧ୍ୟ କହିଥିଲେ ଯେ ଗତ ୫ ଜୁଲାଇ ୨୦୨୩ ରେ କଣ୍ଟାମାଳ ଆସିଥିଲି। ସେଦିନର ମିଟିଙ୍ଗ୍ ଥିଲା ମୋ ପାଇଁ ସବୁଠାରୁ ସ୍ମରଣୀୟ । ସେଦିନର ମିଟିଙ୍ଗ୍ ଓ ଆପଣମାନଙ୍କର ଖଡଙ୍ଗ ବ୍ୟାରେଜ ସମ୍ପର୍କିତ ଦାବୀ ବିଷୟରେ ଜାଣି ମୁଖ୍ୟମନ୍ତ୍ରୀ ତତ୍‌କ୍ଷଣାତ ମଞ୍ଜୁର କରିଥିଲେ ୨୦୦ କୋଟି ଟଙ୍କା। କଣ୍ଟାମାଳ, ମନମୁଣ୍ଡା ଓ ବାଉଁଶୁଣିକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଏନ୍‌ଏସି ମାନ୍ୟତା ପ୍ରଦାନ କରିଛନ୍ତି।

ଖଇରମାଳ ନଦୀଗର୍ଭ ଜଳାଶୟ ପାଇଁ ୯୨୫ କୋଟି ଟଙ୍କା, ବିରମୁଣ୍ଡା ମନ୍ଦିର ପାଇଁ ୫୦ ଲକ୍ଷ ଟଙ୍କା, ବିଭିନ୍ନ ମନ୍ଦିର, ମସ୍‌ଜିଦ୍‌, ଚର୍ଚ୍ଚ ଓ ମଠର ବିକାଶ ପାଇଁ ୬ କୋଟି ଟଙ୍କା, ତେଲ୍‌ ନଦୀ କୁଟାଯୋର ଠାରେ ହାଇ ଲେଭଲ ସେତୁ ପାଇଁ ୪୬ କୋଟି ଟଙ୍କା, ଖଣ୍ଡିକମ୍ପା ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ୨.୧୦ କୋଟି ଟଙ୍କା, ଭାଇବୋହୁ ଦେଢଶୁର ପର୍ଯ୍ୟଟନ କ୍ଷେତ୍ର ପାଇଁ ୧.୪୦ କୋଟି ଟଙ୍କା, କଣ୍ଟାମାଳର ୨୪ଟି ଗ୍ରାମ ପଞ୍ଚାୟତ ଓ ବୌଦ୍ଧର ୧୨ଟି ଗ୍ରାମ ପଞ୍ଚାୟତରେ ମେଗା ପାଇପ୍‌ ଜଳ ଯୋଗାଣ ପାଇଁ ୩୩୦ କୋଟି ଟଙ୍କାର କାମ ଏହି ନିର୍ବାଚନ ମଣ୍ଡଳୀରେ ଚାଲିଛି ।

କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ୪୫ ହଜାର ଚାଷୀ କାଳିଆ ଯୋଜନାରେ ଉପକୃତ ହୋଇଥିବା ବେଳେ ପ୍ରାୟ ୬୦ ହଜାର ପରିବାର BSKYରେ ସାମିଲ ହୋଇଛନ୍ତି। କଣ୍ଟାମାଳର ମନୋଜ ପାତ୍ର ଓ ସଦାନନ୍ଦ କର୍ମୀ ଯଥାକ୍ରମେ ଚିକିତ୍ସା ପାଇଁ ୭.୫ ଲକ୍ଷ ଟଙ୍କା ଲେଖାଏଁ BSKY ଯୋଜନାରେ ପାଇ ଆରୋଗ୍ୟ ଲାଭ କରିଛନ୍ତି ବୋଲି ଶ୍ରୀ ପାଣ୍ଡିଆନ କହିଥିଲେ।

ଉଭୟ ସଭାରେ ନୟାଗଡରେ ସାଂସଦ ପ୍ରାର୍ଥୀ ଅରୁପ ପଟ୍ଟନାୟକ ଓ ବିଧାୟକ ପ୍ରାର୍ଥୀ ଅରୁଣ ସାହୁ ଏବଂ କଣ୍ଟାମାଳଠାରେ ସାଂସଦ ପ୍ରାର୍ଥୀ ଡ. ଅଚ୍ୟୁତ ସାମନ୍ତ ଓ ବିଧାୟକ ପ୍ରାର୍ଥୀ ମହିଧର ରଣା ପ୍ରମୁଖ ନିର୍ବାଚନ ପ୍ରଚାର କରି ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ନିବେଦନ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବାଇକ ଓ ଆଇଚର ମୁହାଁ ମୁହିଁ ଧକା, ଜଣେ ଯୁବକ ମୃତ

ରଣପୁର: ଶୁକ୍ରବାର ସନ୍ଧ୍ୟାରେ ରଣପୁର ତଳ ବାଇପାସରେ ଏକ ଆଇଚର ଓ ବାଇକ ମୁହାଁ ମୁହିଁ ଧକା ହୋଇଥିଲା। ଏହି ଦୁର୍ଘଟଣାରେ ବାଇକ ଆରୋହୀ ଗୁରୁତର ହୋଇ ପଡ଼ିଥିଲେ।  ସ୍ଥାନୀୟ ଯୁବକମାନେ ବାଇକ ଚାଳକକୁ ଉଦ୍ଧାର କରି ରଣପୁର ହସ୍ପିଟାଲରେ ଭର୍ତ୍ତି କରିଥିଲେ, କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଖବର ନେବାରେ ଜଣା ପଡିଛି କି ରଣ୍ଡା ଗ୍ରାମରୁ ଝିଅର ବିବାହ ସାମଗ୍ରୀ ନୟାଗଡ଼ ନେଇ ଯାଉଥିବା ଆଇଚର ସହ ବାଇକ ଚାଳକଙ୍କ ମଧ୍ୟରେ ଧକା ହୋଇଥିଲା। ମୃତ ବାଇକ ଚାଳକ ହେଉଛନ୍ତି ରଣପୁର ବ୍ଲକ ବାସୁଦିଆ ଗ୍ରାମର ଗୋପାଳ ପ୍ରଧାନଙ୍କ ସାନ ପୁଅ ମହିମା ପ୍ରଧାନ, ବୟସ ୨୦ ବୋଲି ଜଣା ପଡିଛି।

Categories
ଆଜିର ଖବର

ନୟାଗଡ଼ରୁ ନବୀନଙ୍କ ପ୍ରଚାର ଆରମ୍ଭ : ୨୧ ରୁ ୨୧ ଏମ୍‌ପି ଆସନ ଜିତିବା ନେଇ ଦୃଢୋକ୍ତି

ନିର୍ବାଚନୀ ବିଗୁଲ୍‌ ବାଜିସାରିଛି । ସବୁ ଦଳମାନେ ନିଜର ରଣନୀତି ପ୍ରସ୍ତୁତ କରିସାରିଛନ୍ତି । ଏହି କ୍ରମରେ ଓଡ଼ିଶାର କ୍ରମାଗତ ୪ଥର ସରକାର ଗଠନ କରି ରେକର୍ଡ ସୃଷ୍ଟି କରିଥିବା ବିଜୁ ଜନତା ଦଳ ଆଜି ନୟାଗଡ଼ରୁ ନିଜର ନିର୍ବାଚନୀ ପ୍ରଚାର ଆରମ୍ଭ କରିଛି । ଏହି ପ୍ରଚାରର ମଙ୍ଗ ଧରିଛନ୍ତି ଦଳର ମଙ୍ଗୁଆଳ ନିଜେ ନବୀନ ପଟ୍ଟନାୟକ । ନୟାଗଡ଼ରେ ଆୟୋଜତ ଏକ ସାଧାରଣ ସଭାରେ ସେ ଓଡ଼ିଶାବାସୀଙ୍କୁ ସମ୍ବୋଧିତ କରିବା ସହିତ ୨୧ର ଏମ୍‌ପିରୁ ୨୧ ଏମ୍‌ପି ସିଟ୍‌ ଜିତିବା ନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି । ଏହି ଅବସରରେ ଉଭୟ ବିଜେପି ଓ କଂଗ୍ରେସ ସରକାରକୁ ଟାର୍ଗେଟ୍‌ କରିଛନ୍ତି । ଗତ ଥର କଂଗ୍ରେସ ଅଧ୍ୟକ୍ଷ ରାହୁଲ୍‌ ଗାନ୍ଧି ବରଗଡ଼ ଅବସରରେ ନବୀନ ସରକାରଙ୍କୁ ରିମୋଟ୍‌ କଣ୍ଟ୍ରୋଲ୍‌ କହିଥିବାବେଳେ ଆଜି ନବୀନ ଏହାର କଡ଼ା ଜବାବ୍‌ ଦେଇଛନ୍ତି । ନବୀନ କହିଛନ୍ତି ଯେ, ଆମର ହାଇକମାଣ୍ଡ ହେଉଛନ୍ତି ଓଡ଼ିଶାବାସୀ ।  ଓଡ଼ିଶାବାସୀଙ୍କ ପାଖରେ ରିମୋଟ୍‌ କଣ୍ଟ୍ରୋଲ୍‌ ରହିଛି । କେନ୍ଦ୍ରରେ ସରକାର ଗଠନରେ ଓଡ଼ିଶାବାସୀ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ । ସେହିପରି କାଳିଆ ଯୋଜନାରେ ସରକାର ଚାଷୀଙ୍କ ଉନ୍ନତି ପାଇଁ ସବୁପ୍ରକାର ଚେଷ୍ଟା କରୁଥିବାବେଳେ ୩୫ ଲକ୍ଷ ପରିବାର ଏହାର ସୁବିଧା ପାଇଛନ୍ତି ।  ମିଶନ ଶକ୍ତି ଜରିଆରେ ମା‘ମାନଙ୍କୁ ବିନା ସୁଧରେ ଋଣ ଯୋଗାଇ ଦିଆଯାଉଛି । ସେହିପରି ଚଳିତ ନିର୍ବାଚନରେ ୩୩% ମହିଳାଙ୍କ ପାଇଁ ସଂରକ୍ଷଣ ଆସନ ରଖିଥିବାବେଳେ ଆସ୍କାରୁ ମିଶନ୍‌ଶକ୍ତିର କର୍ମକର୍ତ୍ତା ପ୍ରମିଳା ବିଷୋୟୀଙ୍କୁ ଲୋକସଭା ଟିକେଟ ଦେଇଛି ।  ମହିଳାଙ୍କ ଶକ୍ତି ବୃଦ୍ଧି ହେଲେ ଦେଶ ପ୍ରଗତି କରିବ ବୋଲି କହିଛନ୍ତି ନବୀନ ।  ସେହିପରି କେନ୍ଦ୍ରର ଓଡ଼ିଶା ପ୍ରତି ଅବହେଳାକୁ ନେଇ ବର୍ଷିଛନ୍ତି ନବୀନ । ସ୍ବତନ୍ତ୍ର ରାଜ୍ୟପାହା ପ୍ରସଙ୍ଗକୁ ସେ ଗୁରୁତ୍ବାରୋପ କରିଛନ୍ତି । ଓଡ଼ିଶାରୁ କେନ୍ଦ୍ର କୋଇଲା, ଓ ରେଲ୍‌ଓ୍ବେ ବାବଦରେ ବହୁଳ ଅର୍ଥ ପାଉଥିବାବେଳେ ଓଡ଼ିଶାକୁ ଅଣଦେଖା କରାଯାଉଛି ବୋଲି ନବୀନ କହିଛନ୍ତି ।