ନୂଆଦିଲ୍ଲୀ: ‘ଉତ୍ତରପ୍ରଦେଶ ନାଜୁଲ ପ୍ରପର୍ଟିଜ୍ ବିଲ୍’ ୨୦୨୪ ବିରୋଧୀଙ୍କ ବିରୋଧ ମଧ୍ୟରେ ଉତ୍ତରପ୍ରଦେଶ ବିଧାନସଭାରେ ଧ୍ବନିମତରେ ପାରିତ ହୋଇଥିଲା। ତେବେ ୟୁପି ବିଧାନ ପରିଷଦରେ ଏହି ବିଲ୍ ପାରିତ ହୋଇପାରି ନାହିଁ। ଶାସକ ଦଳର ପ୍ରସ୍ତାବ ଉପରେ ହିଁ ଗୃହର ଚୟନ କମିଟିକୁ ପଠାଯାଇଥିଲା। ବର୍ତ୍ତମାନ ଯୋଗୀ ସରକାରଙ୍କ ଏହି ବିଲ୍ ଉପରେ କେନ୍ଦ୍ର ମନ୍ତ୍ରୀ ଅନୁପ୍ରିୟା ପଟେଲ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଏବଂ ଏହାକୁ ଅନାବଶ୍ୟକ ବୋଲି କହିଛନ୍ତି।
ଯୋଗ ସରକାରଙ୍କ ଏହି ବିଲ୍ ବିରୋଧରେ ଅପନା ଦଳ (ଏସ) ସଭାପତି ତଥା କେନ୍ଦ୍ର ମନ୍ତ୍ରୀ ଅନୁପ୍ରିୟା ପଟେଲ ବିରୋଧ କରୁଛନ୍ତି। ସେ X ରେ ଲେଖିଛନ୍ତି ଯେ “ନଜୁଲ ଜମି ସହ ଜଡିତ ବିଲ୍ ଆଜି ବିଧାନ ପରିଷଦର ଚୟନ କମିଟିକୁ ଆଲୋଚନା ପାଇଁ ପଠାଯାଇଛି। ନଜୁଲ ଜମି ସମ୍ବନ୍ଧୀୟ ବିଲ୍ ବିଷୟରେ ଯାହା ବିସ୍ତୃତ ଆଲୋଚନା ବିନା ଅଣାଯାଇଥିଲା, ମୁଁ ସ୍ପଷ୍ଟ ଭାବେ ବିଶ୍ଵାସ କରେ ଯେ, ଏହି ବିଲ୍ କେବଳ ଅନାବଶ୍ୟକ ନୁହେଁ ବରଂ ସାଧାରଣ ଲୋକଙ୍କ ଭାବନାର ବିପରୀତ ବିଲ। ଉତ୍ତରପ୍ରଦେଶ ସରକାର ତୁରନ୍ତ ଏହି ବିଲ୍ ପ୍ରତ୍ୟାହାର କରିବା ଉଚିତ ଏବଂ ଏହି ପ୍ରସଙ୍ଗରେ ବିଭ୍ରାନ୍ତ କରିଥିବା ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍।
ଏହାପୂର୍ବରୁ ଯୋଗୀ ସରକାରଙ୍କ ଏହି ବିଲ୍ ଉପରେ ବିଜେପି ବିଧାୟକ ହର୍ଷବର୍ଦ୍ଧନ ବାଜପେୟୀ, ସିଦ୍ଧାର୍ଥ ନାଥ ସିଂଙ୍କ ସମେତ କିଛି ବିଜେପି ବିଧାୟକ ମଧ୍ୟ ଆପତ୍ତି ଜଣାଇଥିଲେ। ଏହି ସମୟରେ ବିଜେପି ନେତା ତଥା ଦଳର ରାଜ୍ୟ ସଭାପତି ଭୁପେନ୍ଦ୍ର ସିଂ ଚୌଧୁରୀ ଏହାକୁ ଚୟନ କମିଟିରେ ହସ୍ତାନ୍ତର କରିବାକୁ ପ୍ରସ୍ତାବ ଦେଇଛନ୍ତି। ବିଜେପି ବିଧାୟକ ହର୍ଷବର୍ଦ୍ଧନ ବାଜପେୟୀ କହିଛନ୍ତି ଯେ, ସ୍ୱାଧୀନତାର ୭୫ ବର୍ଷ ପରଠାରୁ ଲୋକମାନେ ଏଠାରେ ଶହ ଶହ ବର୍ଷ ଧରି ରହିଆସୁଛନ୍ତି। ପିଏମ ମୋଦୀ ସେମାନଙ୍କୁ ଘର ଦେଇ ଲୋକଙ୍କୁ ସମାଧାନ କରୁଛନ୍ତି, ଆପଣ ସେମାନଙ୍କ ଘର ଭାଙ୍ଗିବେ?