ଭୁବନେଶ୍ବର, ଶ୍ରୀମନ୍ଦିର, ଲିଙ୍ଗରାଜ ଏବଂ ସମଲେଶ୍ବରୀ ପରେ ବର୍ତ୍ତମାନ କୋଣାର୍କକୁ ସୌନ୍ଦର୍ଯ୍ୟକରଣ ପାଇଁ ନିଷ୍ପତି କରାଯାଇଛି। ଏହା ମନ୍ଦିର ବିଶ୍ବ ସ୍ତରୀୟ ହୋଇଥିଲେ ମଧ୍ୟ ଏହାର ଭିତ୍ତିଭୂମିକୁ କିପରି ବିଶ୍ବସ୍ତରୀୟ କରାଯିବ ସେ ନେଇ ନିଷ୍ପତି ହୋଇଛି। ଆଜି ଏହାର ବିଭିନ୍ନ ଦିଗ ଉପରେ ରାଜ୍ୟ ପୂର୍ତ୍ତ ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରକଳ୍ପ ରିପୋର୍ଟ ଉପସ୍ଥାପନା କରାଯାଇଥିଲା। ତେବେ ଜନସାଧାରଣ ଏହି ଚିଠା ଯୋଜନା ଉପରେ ସେମାନଙ୍କ ସୁଚିନ୍ତିତ ମତାମତ ୨୧ ଦିନ ଭିତରେ ଦେବା ପାଇଁ ଆହ୍ବାନ କରାଯାଇଛି।

ସରକାର ମନ୍ଦିରର ସୁରକ୍ଷା ସହିତ ଏହାର ସଂରକ୍ଷଣ ତଥା ଅଧିକରୁ ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ୫-ଟି କାର୍ଯ୍ୟକ୍ରମ ଅଧୀନରେ ଏହି ଐତିହ୍ୟ ପ୍ରକଳ୍ପ ଆରମ୍ଭ କରିବାକୁ ଯାଉଛନ୍ତି। ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ ହେଲା, କୋଣାର୍କ ସୂଯ୍ୟ ମନ୍ଦିରର ଗରିମାର ସୁରକ୍ଷା, ପର୍ଯ୍ୟଟକଙ୍କ ପାଇଁ ଅନନ୍ୟ ଅନୁଭୂତି, ସ୍ଥାନୀୟ ବ୍ୟବସାୟୀମାନଙ୍କ ଆର୍ଥିକ ଉନ୍ନତି ତଥା କୋଣାର୍କ ସହିତ ପୁରୀ ଜିଲ୍ଲା ଓ ସମଗ୍ର ରାଜ୍ୟର ପର୍ଯ୍ୟଟନ ଅର୍ଥନୀତିର ବିକାଶ।
କୋଣାର୍କ ମନ୍ଦିରର ପାରିପାର୍ଶିକ ଅଞ୍ଚଳର ଭିତ୍ତିଭୂମି ବିକାଶକୁ ଏହି ପ୍ରାଚୀନ ଐତିହ୍ୟ ସହ ସମନ୍ବିତ କରିବା ଉପରେ ଏଥିରେ ଗୁରୁତ୍ୱ ଦିଆଯାଇଛି। ସାଢ଼େ ତିନି କିଲୋମିଟର ବାହ୍ୟ ରିଂଗ ରୋଡକୁ ଛଅ ଥାକିଆ ନିର୍ମାଣ କରାଯିବା ସହିତ ମନ୍ଦିରକୁ ଯାଇଥିବା ସବୁ ରାସ୍ତାର ବିକାଶ କରାଯିବ। ଯାତ୍ରୀଙ୍କୁ ନେବାଆଣିବା ପାଇଁ ଭୁବନେଶ୍ୱରରୁ କୋଣାର୍କ ପଯ୍ୟନ୍ତ ପଏଣ୍ଟର ବିକାଶ କରାଯିବ। ଫେରିବାଲା ମାନଙ୍କୁ ପୁନଃଥଇଥାନ କରାଯିବ। ମନ୍ଦିର ସମ୍ମୁଖରେ ଥିବା ତିରିଶ ଏକର ଜମି ସମ୍ପୂର୍ଣ୍ଣ ଖୋଲା ରହିବ ଏବଂ landscaping କରାଯିବ।

ପ୍ରବେଶସ୍ଥଳରେ ପଯ୍ୟଟକଙ୍କୁ ସ୍ବାଗତ କରିବା ପାଇଁ ସୁଦ୍ୟୃଶ୍ୟ କୋଣାର୍କ ଏଣ୍ଟ୍ରି ପ୍ଲାଜା ନିର୍ମାଣ କରାଯିବ। ଏଥି ସହିତ ଗାଡିମୋଟର ପାର୍କିଂ ପାଇଁ Multi modal hub ନିର୍ମାଣ କରାଯିବ। କୋଣାର୍କ ମୁକ୍ତାକାଶ ରଂଗମଞ୍ଚର ପୁନ୍ରବିନ୍ୟାସ କରାଯିବ। ଐତିହ୍ୟ ଅଞ୍ଚଳର ସୌନ୍ଦର୍ଯ୍ୟକରଣ ସହିତ ପଥଚାରୀ ମାନଙ୍କ ପାଇଁ ସ୍ବତନ୍ତ୍ର ରାସ୍ତା ମଧ୍ୟ ନିର୍ମାଣ କରାଯିବ।

କୋଣାର୍କ ଯୋଜନାରେ ସ୍ଥାନୀୟ ଲୋକଙ୍କ ଆଶା ଆକାଂକ୍ଷାର ପ୍ରତିଫଳନ ସହିତ ଐତିହ୍ୟ ସଂରକ୍ଷଣ ଓ ବିକାଶରେ ବିଶ୍ବସ୍ତରୀୟ ଦୃଷ୍ଟିଭଙ୍ଗୀର ପ୍ରତିଫଳନ ହୋଇଛି ବୋଲି ବୈଠକରେ ସୂଚନା ଦିଆଯାଇଥିଲା। ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି ) ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସଂଚାଳନା କରିଥିଲେ ଏବଂ ପୂର୍ତ୍ତ ସଚିବ ଉପସ୍ଥାପନା ଦେଇଥିଲେ। ମନ୍ତ୍ରୀ ତୁଷାର କାନ୍ତି ବେହେରା ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।