Categories
ଜାତୀୟ ଖବର ବିଶେଷ ଖବର

ଯୁବ ମତଦାତାଙ୍କ ପାଇଁ ଅଲିମ୍ପିକ୍ସ ବିଜେତା ନୀରଜ୍‌ ଚୋପ୍ରାଙ୍କ ବାର୍ତ୍ତା

ନୀରଜ ଚୋପ୍ରା

କ୍ରୀଡ଼ାବିତମାନେ ନିଜର ନିଷ୍ଠା, ପ୍ରତିବଦ୍ଧତା ଓ ଦଳଗତ କାର୍ଯ୍ୟ ମାଧ୍ୟମରେ ଦେଶର ସେବା କରିଥାନ୍ତି। ଦେଶ ହେଉ କି ବିଦେଶ, ଜାତୀୟ ରଙ୍ଗ ପିନ୍ଧିବା ଉଭୟ ସୌଭାଗ୍ୟ ଓ ଦାୟିତ୍ୱ। କିନ୍ତୁ ବିଶ୍ୱର ସବୁଠାରୁ ସକ୍ରିୟ ଗଣତନ୍ତ୍ରର ଏକ ଅଂଶବିଶେଷ ହୋଇଥିବା କ୍ରୀଡ଼ାବିତ୍ ଏବଂ ଯୁବ ଭାରତୀୟ ଭାବରେ ଆମେ ଆଉ ଏକ ସୌଭାଗ୍ୟ ପାଇବାକୁ ଚାହିଁଥାଉ – ତାହା ହେଉଛି ମତଦାନ।

ନିର୍ବାଚନ ଗଣତନ୍ତ୍ରର ଆଧାର, ଏହା ନାଗରିକମାନଙ୍କୁ ସେମାନଙ୍କ ପ୍ରତିନିଧି ଚୟନ କରିବାର ଗୁରୁତ୍ୱପୂର୍ଣ୍ଣ ଅଧିକାର ପ୍ରଦାନ କରିଥାଏ। ତେବେ ଏହି ଅଧିକାର ନିଷ୍କ୍ରିୟ ନୁହେଁ; ନିର୍ବାଚନ ପ୍ରକ୍ରିୟାରେ ସକ୍ରିୟ ଭାବେ ସାମିଲ ହେବା ଏକ କର୍ତ୍ତବ୍ୟ, ବିଶେଷ କରି ଯୁବବର୍ଗଙ୍କ କର୍ତ୍ତବ୍ୟ। ଐତିହାସିକ ଦୃଷ୍ଟିରୁ ଯୁବପିଢ଼ି ସାମାଜିକ ପରିବର୍ତ୍ତନର ନେତୃତ୍ୱ ନେଇଛନ୍ତି ଏବଂ ନିର୍ବାଚନରେ ସେମାନଙ୍କ ସମ୍ପୃକ୍ତି ଗୁରୁତ୍ୱପୂର୍ଣ୍ଣ। ଗଣତନ୍ତ୍ରକୁ ସୁଦୃଢ଼ କରିବା ପାଇଁ ଭୋଟର ପଞ୍ଜୀକରଣଠାରୁ ଆରମ୍ଭ କରି ତୃଣମୂଳ ସ୍ତରର ପ୍ରଚାର ପର୍ଯ୍ୟନ୍ତ ସବୁ ସ୍ତରରେ ଯୁବଗୋଷ୍ଠୀଙ୍କ ସକ୍ରିୟ ଅଂଶଗ୍ରହଣ ଆବଶ୍ୟକ।

ପ୍ରଥମ ଥର ମତଦାତାମାନେ ସ୍ୱଚ୍ଛତା ଏବଂ ଅନ୍ତର୍ଭୁକ୍ତୀକରଣ ଭଳି ନୂତନ ଦୃଷ୍ଟିକୋଣ ଏବଂ ସର୍ବଶ୍ରେଷ୍ଠ ଉଦାହରଣ ଉପସ୍ଥାପନ କରିଥାନ୍ତି। ଜଣେ ଯୁବ ଭୋଟରଙ୍କ ଶକ୍ତି ଓ ଜ୍ଞାନକୌଶଳ ସମ୍ପନ୍ନ ପ୍ରକୃତ ନିର୍ବାଚନୀ ଦୃଶ୍ୟପଟରେ ଗତିଶୀଳତା ସୃଷ୍ଟି କରି ନାଗରିକଙ୍କ ଆବଶ୍ୟକତା ପ୍ରତି ଉପଲବ୍ଧତା ଏବଂ ଉତ୍ତରଦାୟିତ୍ୱକୁ ପ୍ରୋତ୍ସାହିତ କରିଥାଏ। ନିର୍ବାଚିତ ଅଧିକାରୀମାନଙ୍କୁ ଉତ୍ତରଦାୟୀ କରିବା, ସ୍ୱର ଉତ୍ତୋଳନ କରିବା ପାଇଁ ସାମାଜିକ ଗଣମାଧ୍ୟମର ବ୍ୟବହାର କରିବା ଏବଂ ଜନସାଧାରଣଙ୍କ ସହ ଅନୁକୂଳ ପ୍ରସଙ୍ଗଗୁଡ଼ିକର ପକ୍ଷ ଉପସ୍ଥାପନ କରିବାରେ ଯୁବଗୋଷ୍ଠୀ ପ୍ରମୁଖ ଭୂମିକା ଗ୍ରହଣ କରନ୍ତି, ଯାହା ଗଣତନ୍ତ୍ରର ଅଖଣ୍ଡତା ଏବଂ ସକ୍ରିୟତାକୁ ସୁରକ୍ଷିତ ରଖିଥାଏ।

ମହାତ୍ମା ଗାନ୍ଧୀଙ୍କ ଉକ୍ତିରେ, ‘‘ଆଜି ଆପଣ ଯାହା କରୁଛନ୍ତି ତାହା ଉପରେ ଭବିଷ୍ୟତ ନିର୍ଭର କରେ। ୨୦୨୪ରେ ଭାରତରେ ହେବାକୁ ଥିବା ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ଗଣତନ୍ତ୍ର ପୁଣି ଥରେ ପାର୍ଶ୍ୱ ପରିବର୍ତ୍ତନ କରୁଛି। ଏହି ସମୟରେ ଦେଶର ଭାଗ୍ୟ ଗଢିବାରେ ଯୁବଗୋଷ୍ଠୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିବା ଜରୁରୀ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ୍ କୀ ବାତ୍’ରେ ନିର୍ବାଚନ ପ୍ରକ୍ରିୟାରେ ଯୁବବର୍ଗଙ୍କ ଅଂଶଗ୍ରହଣ ଉପରେ ଗୁରୁତ୍ୱାରୋପ କରିଛନ୍ତି। ପ୍ରଥମ ଥର ଭୋଟ୍‌ ଦେବାକୁ ଯାଉଥିବା ମତଦାତାଙ୍କ ଉଦ୍ଦେଶ୍ୟରେ ନିର୍ବାଚନ କମିଶନଙ୍କ ‘ମେରା ପେହଲା ଭୋଟ୍ ଦେଶ କେ ଲିଏ’ ଅଭିଯାନ ଉପରେ ଶ୍ରୀ ମୋଦୀ ଆଲୋକପାତ କରିଥିଲେ। ସେ ଭାରତର ଯୁବଗୋଷ୍ଠୀଙ୍କ ଆଗ୍ରହ ଓ ଉତ୍ସାହକୁ ପ୍ରଶଂସା କରିବା ସହ ଦେଶର ଭବିଷ୍ୟତକୁ ସିଧାସଳଖ ପ୍ରଭାବିତ କରୁଥିବାରୁ ସକ୍ରିୟ ଭାବେ ମତଦାନରେ ସାମିଲ ହେବାକୁ ଅନୁରୋଧ କରିଥିଲେ।

ପ୍ରଥମ ଥର ମତଦାତାଙ୍କୁ ରେକର୍ଡ ସଂଖ୍ୟାରେ ମତଦାନ କରିବାକୁ ଅନୁରୋଧ କରି ସେ ଦେଶର ଭାଗ୍ୟ ଗଢିବାରେ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ବିଭିନ୍ନ କ୍ଷେତ୍ରର ପ୍ରଭାବଶାଳୀ ବ୍ୟକ୍ତିମାନଙ୍କୁ ଏହି ଅଭିଯାନରେ ସାମିଲ ହେବା ଏବଂ ଯୁବ ଭୋଟରମାନଙ୍କୁ ଅନୁପ୍ରାଣିତ କରିବାକୁ ଆହ୍ୱାନ ଦେଇଛନ୍ତି। ନିର୍ବାଚନୀ ଉତ୍ସାହ ଭିତରେ କେବଳ ରାଜନୈତିକ କାର୍ଯ୍ୟକଳାପରେ ଭାଗ ନେବା ନୁହେଁ, ସମାଜରେ ଚାଲିଥିବା ଆଲୋଚନା ଓ ବିତର୍କ ସମ୍ପର୍କରେ ସଚେତନ ରହିବାକୁ ସେ ଯୁବବର୍ଗଙ୍କୁ ଅନୁରୋଧ କରିଛନ୍ତି।

ନିର୍ବାଚନରେ ଯୁବବର୍ଗଙ୍କ ସାର୍ବଜନୀନ ଭାଗିଦାରୀକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ନିର୍ବାଚନ ଆୟୋଗ ‘ମେରା ପେହଲା ଭୋଟ୍ ଦେଶ କେ ଲିଏ’ ଅଭିଯାନର ନେତୃତ୍ୱ ନେଉଛନ୍ତି। ଯୁବ ଭୋଟରଙ୍କୁ ସେମାନଙ୍କ ଗଣତାନ୍ତ୍ରିକ ଅଧିକାର ବ୍ୟବହାର ପାଇଁ ଉତ୍ସାହିତ କରିବାକୁ ଦେଶ ପ୍ରତିଶ୍ରୁତିବଦ୍ଧତାର ପ୍ରତୀକ ଭାବେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଏହି ଅଭିଯାନ ସଙ୍ଗୀତର ଉନ୍ମୋଚନ କରିଛନ୍ତି। ମତଦାତା ସଚେତନତା ଅଭିଯାନର ଗୋଟିଏ ଅଂଶବିଶେଷ ପାଲଟିଥିବା ଏହି ସଙ୍ଗୀତ ନିର୍ବାଚନ ପ୍ରକ୍ରିୟାରେ ଅଧିକରୁ ଅଧିକ ଯୁବଗୋଷ୍ଠୀଙ୍କ ଅଂଶଗ୍ରହଣ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆହ୍ୱାନ ଭାବନାର ପ୍ରତିଫଳନ କରୁଛି । ସାରା ଦେଶର ଯୁବକମାନେ ନିଜ ଯୁବ ବନ୍ଧୁମାନଙ୍କୁ ଭୋଟ୍ ଦେବା ପାଇଁ ଉତ୍ସାହିତ କରିବାକୁ ଏହି ସଙ୍ଗୀତକୁ ଏକ ଆହ୍ୱାନ ଭାବରେ ଗ୍ରହଣ କରୁଛନ୍ତି।

ଦେଶବ୍ୟାପୀ ଉଚ୍ଚ ଶିକ୍ଷା ଅନୁଷ୍ଠାନଗୁଡ଼ିକ ବ୍ୟାପକ ଭୋଟର ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବା ସହ ଅଧିକ ପ୍ରତିନିଧିତ୍ୱପୂର୍ଣ୍ଣ ଗଣତନ୍ତ୍ର ପାଇଁ ମତଦାନର ମୂଲ୍ୟ ଉପରେ ଗୁରୁତ୍ୱ ଦେଉଥିବା ଦେଖିବାକୁ ମିଳୁଛି। ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡ଼ିକ ଭୌତିକ କାର୍ଯ୍ୟକ୍ରମ ଆୟୋଜନ କରୁଥିବା ବେଳେ ବିଷୟବସ୍ତୁ ସୃଷ୍ଟିରେ ସୃଜନଶୀଳତାକୁ ପ୍ରୋତ୍ସାହିତ କରିବା ପାଇଁ ମାଇଗଭ ପ୍ଲାଟଫର୍ମରେ ବ୍ଲଗ୍ ରାଇଟିଂ, ପଡକାଷ୍ଟ, ବିତର୍କ ଏବଂ ଅନ୍ୟାନ୍ୟ ସହିତ ଅନଲାଇନ୍ ପ୍ରତିଯୋଗିତା ମଧ୍ୟ ଆୟୋଜନ କରାଯାଉଛି। କର୍ମଶାଳା, ସେମିନାର, ଫ୍ଲାସ୍ ମବ୍ ଓ ଭୋଟର ପ୍ରତିଶ୍ରୁତି ଅଭିଯାନ ଛାତ୍ରଛାତ୍ରୀଙ୍କୁ ନିର୍ବାଚନ ପ୍ରକ୍ରିୟାରେ ଅଧିକ ଆକର୍ଷିତ ଓ ଶିକ୍ଷିତ କରୁଛି। ଏନଏସଏସ ସ୍ୱେଚ୍ଛାସେବୀ ଏବଂ ଅନୁଷ୍ଠାନ କ୍ଲବ ଏହି ଅଭିଯାନରେ ସକ୍ରିୟ ଭାବରେ ଅଂଶଗ୍ରହଣ କରୁଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ନିବେଦନକୁ ଗ୍ରହଣ କରି ଇନଷ୍ଟାଗ୍ରାମ, ୟୁଟ୍ୟୁବ୍ ଏବଂ ମନୋରଞ୍ଜନ ଶିଳ୍ପ ସମେତ ବିଭିନ୍ନ ପ୍ଲାଟଫର୍ମରୁ ପ୍ରଭାବଶାଳୀ ବ୍ୟକ୍ତିବିଶେଷମାନେ ଏହି ଅଭିଯାନକୁ ସକ୍ରିୟ ଭାବେ ସମର୍ଥନ କରୁଛନ୍ତି ଏବଂ ପ୍ରଥମ ଥର ମତଦାତାଙ୍କୁ ଉତ୍ସାହିତ କରୁଛନ୍ତି। ଦେଶର କୋଣ ଅନୁକୋଣରୁ କ୍ରୀଡ଼ା, ମନୋରଞ୍ଜନ, ବ୍ୟବସାୟ ଓ ଶିଳ୍ପ ଭଳି କ୍ଷେତ୍ରରେ ନିଜର ପରିଚୟ ସୃଷ୍ଟି କରିଥିବା ପ୍ରତିଷ୍ଠିତ ବ୍ୟକ୍ତିବିଶେଷମାନେ ଏକାଠି ହୋଇ ଏହି ବାର୍ତ୍ତାକୁ ଦୂରଦୂରାନ୍ତରେ ପହଞ୍ଚାଇଛନ୍ତି।

ଜଶପ୍ରୀତ ବୁମ୍ରା, ରବିଚନ୍ଦ୍ରନ ଅଶ୍ୱିନ, ମହମ୍ମଦ ସିରାଜ, ଅବନୀ ଲେଖରା, ସାଇଖୋମ ମୀରାବାଇ ଚାନୁଙ୍କ ଭଳି ମୋର ସାଥୀ କ୍ରୀଡ଼ାବିତ୍, ଅନିଲ କପୁର, ପ୍ରସେନଜିତ୍ ଚାଟାର୍ଜୀ, ରବିନା ଟଣ୍ଡନ, ରାଣା ଦଗୁବାତୀ, କୈଳାସ ଖେର, ଶ୍ରେୟା ଘୋଷାଲ, ରିତେଶ ଅଗ୍ରୱାଲ, ବିଭିଆର୍ ମୋହନ ରେଡ୍ଡୀଙ୍କ ଭଳି ଶିଳ୍ପନେତା ଏବଂ ଅନେକ ପଦ୍ମ ପୁରସ୍କାର ବିଜେତା ଏହି ଅଭିଯାନରେ ଅଂଶଗ୍ରହଣ କରି ଏହାକୁ ଭୋଟର ସଚେତନତାର ଏକ ‘ଜାତୀୟ ଆନ୍ଦୋଳନ’ରେ ପରିଣତ କରିଛନ୍ତି।

ଏହି ‘ଜନ ଆନ୍ଦୋଳନ’ ଯୁବଗୋଷ୍ଠୀଙ୍କ ସ୍ୱରର ସାମୂହିକ ଶକ୍ତି ଏବଂ ଦେଶର ଗଣତାନ୍ତ୍ରିକ ପରିଦୃଶ୍ୟ ଗଠନରେ ସେମାନଙ୍କ ସକ୍ରିୟ ଅଂଶଗ୍ରହଣର ଗୁରୁତ୍ୱକୁ ସୂଚାଇଥାଏ । ଆସନ୍ତୁ ଏକାଠି ହୋଇ ଏହି ଦାୟିତ୍ୱକୁ ଗ୍ରହଣ କରିବା ଏବଂ ଆମର ସାମୂହିକ ସ୍ୱରର ଶକ୍ତିକୁ ଉପଯୋଗ କରିବା । ଆସନ୍ତୁ ଆହ୍ୱାନର ସାମ୍ନା କରିବାକୁ ଆଗେଇ ଆସିବା, ଆସନ୍ତୁ ସ୍ୱର ଉତ୍ତୋଳନ କରିବା ଏବଂ ଅନ୍ୟମାନଙ୍କୁ ମଧ୍ୟ ଏହା କରିବା ପାଇଁ ସଶକ୍ତ କରିବା ।

ନୀରଜ ଚୋପ୍ରା, ଭାରତୀୟ ଟ୍ରାକ୍ ଆଣ୍ଡ ଫିଲ୍ଡ ଆଥଲେଟ୍ ଏବଂ ପୁରୁଷ ଜାଭେଲିନ୍ ଥ୍ରୋରେ ବର୍ତ୍ତମାନର ଅଲିମ୍ପିକ୍ ଏବଂ ବିଶ୍ୱ ଚାମ୍ପିୟନ।

Categories
ଆଜିର ଖବର ରାଜ୍ୟ ଖବର

ବାଲୁକା କଳା ମାଧ୍ୟମରେ ଯୁବ ମତଦାତାଙ୍କୁ ମତାଧିକାର ସାବ୍ୟସ୍ତ ଲାଗି ବାର୍ତ୍ତା ଦେଲେ ସୁଦର୍ଶନ ପଟ୍ଟନାୟକ

ଭୁବନେଶ୍ବର: ପ୍ରଥମ ଥର ପାଇଁ ମତଦାତା ତାଲିକାରେ ସ୍ଥାନ ପାଇଥିବା ଯୁବ ମତଦାତାଙ୍କୁ ମତଦାନର ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରିବା ଲାଗି ଆଗେଇ ଆସିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହ୍ବାନ କରିଛନ୍ତି। ଏଥି ନିମନ୍ତେ ଦେଶ ବ୍ୟାପୀ “ମେରା ପେହଲା ଭୋଟ୍ ଦେଶ କେ ଲିୟେ” (ମୋର ପ୍ରଥମ ଭୋଟ୍ ଦେଶ ପାଇଁ) ଅଭିଯାନ ଚାଲିଛି।

ଅଭିଯାନରେ ବିଭିନ୍ନ ବର୍ଗର ଜନସାଧାରଣ ସାମିଲ ହୋଇ ଯୁବ ମତଦାତାମାନଙ୍କୁ ଆଗାମୀ ସାଧାରଣ ନିର୍ବାଚନରେ ବହୁ ସଂଖ୍ୟାରେ ମତଦାନ କରିବା ଲାଗି ଆଗେଇ ଆସିବାକୁ ସଚେତନ କରୁଛନ୍ତି। ଏହି କ୍ରମରେ ବିଶିଷ୍ଟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଏକ ବାଲୁକା କଳାକୃତି ଗଢ଼ିଛନ୍ତି। ନିଜର କଳାକୃତି ମାଧ୍ୟମରେ ସେ ଯୁବ ତଥା ପ୍ରଥମ ଥର ପାଇଁ ମତଦାତା ହୋଇଥିବା ନାଗରିକମାନଙ୍କୁ ବହୁସଂଖ୍ୟାରେ ମତଦାନ କରିବା ପାଇଁ ବାର୍ତ୍ତା ଦେଇଛନ୍ତି। ସୂଚନାଯୋଗ୍ୟ ଦେଶର ବିଭିନ୍ନ ଉଚ୍ଚ ଶିକ୍ଷାନୁଷ୍ଠାନରେ ମଧ୍ୟ “ମେରା ପେହଲା ଭୋଟ୍ ଦେଶ କେ ଲିୟେ” ଅଭିଯାନ କାର୍ଯ୍ୟକାରୀ ହେଉଛି।

Categories
ଆଜିର ଖବର ଜାତୀୟ ଖବର

ଦେଶର ଉଚ୍ଚ ଶିକ୍ଷାନୁଷ୍ଠାନ ମାନଙ୍କରେ ‘ମେରା ପେହଲା ଭୋଟ୍ ଦେଶ କେ ଲିଏ’ ଅଭିଯାନ

ନୂଆଦିଲ୍ଲୀ: ନିର୍ବାଚନରେ ଯୁବ ବର୍ଗଙ୍କ ସାର୍ବଜନୀନ ଭାଗିଦାରୀକୁ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଶିକ୍ଷା ମନ୍ତ୍ରଣାଳୟ ଫେବୃଆରୀ ୨୮ ରୁ ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ‘ମେରା ପେହଲା ଭୋଟ୍ ଦେଶ କେ ଲିଏ’ ଅଭିଯାନର ଆୟୋଜନ କରୁଛି।

କେନ୍ଦ୍ର ଶିକ୍ଷା ଏବଂ ଦକ୍ଷତା ବିକାଶ ଓ  ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଶର ଯୁବ ପିଢ଼ିଙ୍କୁ ସେମାନଙ୍କ ସ୍ୱର ଉତ୍ତୋଳନ କରିବାକୁ ଆହ୍ୱାନ ଦେଇଛନ୍ତି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଆମର ଯୁବଗୋଷ୍ଠୀ ଏବଂ ପ୍ରଥମ ଥର ପାଇଁ ମତଦାନ କରୁଥିବା ମତଦାତାଙ୍କୁ ଆହ୍ୱାନ ସମ୍ପର୍କରେ ଉଲ୍ଲେଖ କରି ସେମାନେ ବହୁ ସଂଖ୍ୟାରେ ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବା ପାଇଁ  କହିଛନ୍ତି।

ଫେବୃଆରୀ ୨୮ ରୁ ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ଦେଶର ସମସ୍ତ ଏଚ୍‌ଇଆଇ (ଉଚ୍ଚ ଶିକ୍ଷାନୁଷ୍ଠାନ) ଗୁଡ଼ିକୁ ସେମାନଙ୍କ କ୍ୟାମ୍ପସରେ ବ୍ୟାପକ ଭୋଟର ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବା, ଆମ ଯୁବ ଶକ୍ତିକୁ ଉତ୍ସାହିତ କରିବା, ସେମାନଙ୍କୁ ମତଦାନର ମୂଲ୍ୟ ଉପରେ ଗୁରୁତ୍ୱ ଦେବାକୁ ବୁଝାଇବା, ଭଲ ଭାବରେ ସୂଚିତ ହୋଇ ପ୍ରାର୍ଥୀ ଚୟନ କରିବା ଏବଂ ଅଧିକ ପ୍ରତିନିଧିତ୍ୱପୂର୍ଣ୍ଣ ଗଣତନ୍ତ୍ର ପାଇଁ ନିର୍ବାଚନ ପ୍ରକ୍ରିୟାରେ ଅଂଶଗ୍ରହଣ କରିବାକୁ ସେ ନିର୍ଦ୍ଦେଶ ଦେଇଥିବା ସମ୍ପର୍କରେ ସୂଚନା ଦେଇଥିଲେ।

ଯୁବ ଭୋଟର ମାନଙ୍କୁ ଆଗକୁ ଆଗେଇ ଆସି ଭୋଟ୍ ଦେବା ପାଇଁ ଉତ୍ସାହିତ କରିବା ଏବଂ ଦେଶର ବୃହତ୍ତର ମଙ୍ଗଳ ପାଇଁ ମତଦାନର ଗୁରୁତ୍ୱ ଜଣାଇବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ। ଏହି ପଦକ୍ଷେପ ନିର୍ବାଚନର ମହତ୍ତ୍ୱ ଏବଂ ବିଶ୍ୱର ସର୍ବବୃହତ ଗଣତନ୍ତ୍ରରେ ମତଦାନର ଗୌରବର ପ୍ରତୀକ।

ଏହି ପଦକ୍ଷେପରେ ଦେଶର ଉଚ୍ଚ ଶିକ୍ଷାନୁଷ୍ଠାନ (ଏଚ୍‌ଇଆଇ)ଗୁଡ଼ିକ ଅଂଶଗ୍ରହଣ କରିବେ। ବିଶ୍ୱବିଦ୍ୟାଳୟ/ ମହାବିଦ୍ୟାଳୟ/ ଏଚଇଆଇ ଗୁଡ଼ିକରେ ନିର୍ଦ୍ଦିଷ୍ଟ ସ୍ଥାନମାନ ଚିହ୍ନଟ କରାଯିବ ଯେଉଁଠାରେ ସମ୍ପୃକ୍ତ ଅନୁଷ୍ଠାନଙ୍କ ଦ୍ୱାରା ଭୋଟର ସଚେତନତା ସମ୍ପର୍କିତ କାର୍ଯ୍ୟକ୍ରମ ହାତକୁ ନିଆଯିବ। ଏହି ପଦକ୍ଷେପ ମାଇଁ ଗଭ ପ୍ଲାଟଫର୍ମରେ ଉଭୟ ତୃଣମୂଳ ସ୍ତରରେ ଆୟୋଜିତ କାର୍ଯ୍ୟକ୍ରମ ଏବଂ ଅନଲାଇନ ପ୍ରତିଯୋଗିତାର ସାକ୍ଷୀ ରହିବ।

ବିଷୟବସ୍ତୁ ସୃଷ୍ଟି କରିବାରେ ସେମାନଙ୍କର ସୃଜନଶୀଳତାକୁ ପ୍ରଦର୍ଶନ କରିବା ପାଇଁ ବ୍ଲଗ୍ ଲିଖନ, ପଡକାଷ୍ଟ, ବିତର୍କ, ପ୍ରବନ୍ଧ ଲେଖିବା, କୁଇଜ୍‌, ଏକ୍ସଟେମ୍ପୋର, ବ୍ୟାଟେଲ୍ ଅଫ୍ ବ୍ୟାଣ୍ଡ୍ ଇତ୍ୟାଦି ପ୍ରତିଯୋଗିତା ସମେତ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ।

ଶିକ୍ଷାନୁଷ୍ଠାନ ଗୁଡ଼ିକରେ ମତଦାନର ମୂଲ୍ୟ, ନିର୍ବାଚନ ପ୍ରକ୍ରିୟାକୁ ବୁଝିବା ଇତ୍ୟାଦି ଉପରେ ଗୁରୁତ୍ୱାରୋପ କରି ଆଲୋଚନାଚକ୍ର ଓ ସେମିନାର ଆୟୋଜନ କରାଯିବ। ଏହା ବ୍ୟତୀତ ନିର୍ବାଚନ ପ୍ରକ୍ରିୟା ପ୍ରତି ନିଜର ପ୍ରତିବଦ୍ଧତାକୁ ଆହୁରି ଦୃଢ଼ କରିବା ପାଇଁ  ସରକାରୀ ୱେବସାଇଟ https://ecisveep.nic.in/pledge/ ରେ ଭୋଟରଙ୍କୁ ଶପଥ ନେବାକୁ ଯୁବ ପିଢ଼ିଙ୍କୁ ଏହି ଅଭିଯାନ ପ୍ରୋତ୍ସାହିତ କରିବ। ସେମାନଙ୍କୁ ଭୋଟର ହେଲ୍ପଲାଇନ ଆପ୍ ଡାଉନଲୋଡ୍ କରିବାକୁ ମଧ୍ୟ ପ୍ରୋତ୍ସାହିତ କରାଯିବ।

ଏନ୍‌ଏସ୍‌ଏସ୍ ଏବଂ ଏହାର ସ୍ୱେଚ୍ଛାସେବୀମାନେ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଏହି କାର୍ଯ୍ୟକ୍ରମର ନେତୃତ୍ୱ ନେବେ ଏବଂ ବ୍ୟାପକ ପ୍ରଚାର ପ୍ରସାର ପାଇଁ ‘ମାଇଁ ଗଭ’ ପୋର୍ଟାଲରେ କାର୍ଯ୍ୟକଳାପ ଗୁଡ଼ିକର ନଥିକରଣ କରାଯିବ। ଏହି ଅଭିଯାନରେ ଶିକ୍ଷାନୁଷ୍ଠାନ କ୍ଲବ୍ ଗୁଡ଼ିକ ମଧ୍ୟ ଅଂଶଗ୍ରହଣ କରିବେ।