Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଦେଢ଼ ମାସର ଶିଶୁ କନ୍ୟାକୁ ନୂଆ ଜୀବନ ଦେଲେ ସମ୍ ଡାକ୍ତର

ଭୁବନେଶ୍ୱର: ମା’ କୋଳକୁ ଏକା ସଂଗେ ଆସିଥିଲେ ତିନୋଟି ଶିଶୁ। ତେବେ ଦୁଇ ଶିଶୁଙ୍କର ଜନ୍ମ ହେବାର କିଛି ସମୟ ମଧ୍ୟରେ ମୃତ୍ୟୁ ହୋଇଯାଇଥିବା ବେଳେ ମା’ କୋଳରେ ଏକାକୀ ରହିଯାଇଥିବା ଶିଶୁ କନ୍ୟାଟିର ସ୍ୱାସ୍ଥ୍ୟାବସ୍ଥା ମଧ୍ୟ ଗୁରୁତର ହୋଇଯାଇଥିଲା। ଚିକିତ୍ସା ପାଇଁ କେତେକ ହସ୍ପିଟାଲ୍ ବୁଲିବା ପରେ ମାତ୍ର ୫୨ ଦିନର ଶିଶୁଟିକୁ ଧରି ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଭର୍ତ୍ତି କରାଇଥିଲେ ତା’ର ପିତାମାତା।

ସମ୍‌ରେ ଭର୍ତ୍ତି କରିବା ସମୟରେ ଶିଶୁଟି ବହୁତ ଅସୁସ୍ଥ ଥିଲା ଏବଂ ତା’ର ଓଜନ ମାତ୍ର ୬୬୦ ଗ୍ରାମ୍ ଥିଲା। ଏଭଳି ଅବସ୍ଥାରେ ଥିବା ଶିଶୁଟିକୁ ତୁରନ୍ତ ନବଜାତ ଶିଶୁଙ୍କ ପାଇଁ ଉଦ୍ଦିଷ୍ଟ ଏନ୍‌ଆଇସିୟୁରେ ଭର୍ତ୍ତି କରାଯାଇ ଚିକିତ୍ସା ଆରମ୍ଭ କରିଥିଲେ ସମ ହସ୍ପିଟାଲ୍‌ର ଶିଶୁରୋଗ ବିଭାଗର ଡାକ୍ତରମାନେ। ଅନେକ ଦିନ ପର୍ଯ୍ୟନ୍ତ ଶିଶୁ କନ୍ୟାଟି ଭେଂଟିଲେଟର ସପୋର୍ଟରେ ରହିବା ସହ ପରବର୍ତ୍ତୀ ସମୟରେ ପ୍ରାୟ ଏକ ମାସ ପର୍ଯ୍ୟନ୍ତ ତାକୁ ନନ୍ ଇନ୍‌ଭେସିଭ୍ ଭେଂଟିଲେସନ୍ (ଏନ୍‌ଆଇଭି) ସପୋର୍ଟରେ ରଖାଯାଇ ଶ୍ୱାସକ୍ରିୟା ପରିଚାଳନା କରାଯାଇଥିଲା। ପ୍ରାୟ ୭୬ ଦିନ ପର୍ଯ୍ୟନ୍ତ ଏନ୍‌ଆଇସିୟୁରେ ଶିଶୁ କନ୍ୟାଟି ରହିଥିଲା।

ଏନଆଇସିୟୁର ସମସ୍ତ ଡାକ୍ତର ଏବଂ ନର୍ସ ଶିଶୁର ଚିକିତ୍ସା କରିଥିଲେ। ଶିଶୁଟିର ଉତ୍ତମ ଚିକିତ୍ସା ନିମନ୍ତେ ନବଜାତ ଶିଶୁରୋଗ ବିଭାଗର ମୁଖ୍ୟ ଡାକ୍ତର ଦେବାଶିଷ ନନ୍ଦ, ଡାକ୍ତର ଭାବଗ୍ରାହୀ ମଲ୍ଲିକ, ଡାକ୍ତର ରତନ କୁମାର ଦାସ, ଡାକ୍ତର ବିଜୟ କୁମାର, ଡାକ୍ତର ବିନିତ ପାଣିଗ୍ରାହୀ, ଡାକ୍ତର ଦେବୀପ୍ରସାଦ ସାହୁ, ଡାକ୍ତର ପାୟଲ ପ୍ରଧାନ, ଡାକ୍ତର ସୁରେଶ ତ୍ରିପାଠୀ, ଡାକ୍ତର ଭାଗ୍ୟଶ୍ରୀ ମହାପାତ୍ର, ଡାକ୍ତର କଲ୍‌ପିତା ସାହୁ, ଡାକ୍ତର ମନୀଷା, ଡାକ୍ତର ସୀତିକାନ୍ତ ନାୟକ ଜଡ଼ିତ ଥିଲେ।

ଶିଶୁଟି ସୁସ୍ଥ ହେବା ପରେ ତା’ର ବାପାମା ଅତ୍ୟନ୍ତ ଆନନ୍ଦିତ ହେବା ସହ ସମ୍‌ର ଡାକ୍ତରଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏହି ଶିଶୁର ଚିକିତ୍ସାର ପରିଚାଳନା କ୍ଷେତ୍ରରେ ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍‌ର ଅଧୀକ୍ଷକ ପ୍ରଫେସର ପୁଷ୍ପରାଜ ସମାନ୍ତସିଂହାର ସମସ୍ତ ପ୍ରଚେଷ୍ଟା କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ସୁସ୍ଥ ଶିଶୁକୁ ଜନ୍ମ ଦେଲେ କ୍ବାରେଣ୍ଟାଇନ୍‌ ସେଣ୍ଟରରେ ରହୁଥିବା ନେପାଳୀ ମହିଳା

ରାମପୁର : କରୋନା ଭାଇରସ୍‌ ସହ ଲଢେଇ ପାଇଁ ସାରା ଭାରତବର୍ଷରେ 21 ଦିନିଆ ଲକ୍‌ଡାଉନ୍‌ ଜାରି କରାଯାଇଛି । ଏହି କାରଣରୁ ବହୁ କମ୍ପାନୀ ସହ ହୋଟେଲ୍‌, ରେଷ୍ଟୁରାଣ୍ଟ ଆଦି ବନ୍ଦରହିଛି । ବସ୍, ଟ୍ରେନ୍‌, ରେଳ ଓ ବିମାନ ପର ଯାତାୟତ ସାଧନ ମଧ୍ୟ ବନ୍ଦ ରହିଛି । ଲକ୍‌ ଡାଉନ୍‌ ଯୋଗୁଁ ବହୁ ଖଟିଖିଆ ଶ୍ରମିକମାନେ ନିଜ ପେଟ ପୋଷିବା ପାଇଁ ନିଜ ନିଜ ଭିଟାମାଟି ଅଭିମୁଖେ ପଦଯାତ୍ରା ଆରମ୍ଭ କରିଛନ୍ତି । ଏମାନଙ୍କ ମଧ୍ୟରୁ କିଛି ଲୋକେ ନିଜ ଘରେ ପହଞ୍ଚିଥିବାବେଳେ ଆଉ କିଛି ଲୋକେ ରାସ୍ତାରେ ରହିଛନ୍ତି । ପ୍ରଶାସନ ସେମାନଙ୍କୁ କ୍ବାରେଣ୍ଟାଇନ୍‌ ସେଣ୍ଟରରେ ରଖିଛନ୍ତି ।

ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀର ଏକ ହୋଟେଲରେ କାମ କରୁଥିବା ନେପାଳୀ ଦମ୍ପତି ଏବେ ରାମପୁର ପ୍ରଶାସନ ଦ୍ବାରା ଇଣ୍ଟର କଲେଜରେ ହୋଇଥିବା କ୍ବାରେଣ୍ଟାଇନ୍‌ ସେଣ୍ଟରରେ ରହିଛନ୍ତି । ଏହି କ୍ବାରେଣ୍ଟାଇନ୍‌ ସେଣ୍ଟରରେ ରହିଥିବା ଜଣେ ନେପାଳୀ ମହିଳା ଜଣକ ଏକ ଶିଶୁକୁ ଜନ୍ମ ଦେଇଛନ୍ତି । ଏହି ଶିଶୁଟିର ନାକୁ କୋଭିଡ୍‌ ବୋଲି ରଖିଛନ୍ତି । ମା’ ଓ ଶିଶୁ ଦୁହେଁସୁସ୍ଥ ଅଛନ୍ତି ବୋଲି ସୂଚନା ମିଳିଛି ।

ସୂଚନାଯୋଗ୍ୟ, ନେପାଳର ବଜାଙ୍ଗ ଜିଲ୍ଲାରେ ରହୁଥିବା ଏହି ଦମ୍ପତି ଦିଲ୍ଳୀର ଏକ ହୋଟେଲ୍‌ରେ କାମ କରୁଥିଲେ । କରୋନା ଯୋଗୁଁ ଲକ୍‌ ଡାଉନ୍‌ ହେବା ପରେ ତାଙ୍କୁ ହୋଟେଲ୍‌ ମାଲିକ ଘରକୁ ଫେରିଯିବାକୁ କହିଥିଲେ ।  ଏହି ଦମ୍ପତି କିଛି ବାଟ ଚାଲି ଚାଲି ତ କିଛି ବାଟ ସାଇକେଲ୍‌ ଜରିଆରେ ଆସି ରାମପୁର ପର୍ଯ୍ୟନ୍ତ ପହଞ୍ଚିଥିଲେ ।

ଦୁହେଁ ରାମପୁରର କ୍ବାରେଣ୍ଟାଇନ୍‌ ସେଣ୍ଟରରେ ରହିଥିବାବେଳେ ସ୍ତ୍ରୀଙ୍କ ଦେହ ଖରାପ ହୋଇଥିଲା । ତାଙ୍କୁ ତତ୍‌କ୍ଷଣାତ୍‌ ଜିଲ୍ଲା ମହିଳା ହସ୍ପିଟାଲ ନିଆଯାଇଥିଲା । ଏଠାରେ ସେ ଏକ ନବଜାତକୁ ଜନ୍ମ ଦେଇଥିଲେ । ନବଜାତର ନାମକୁ ସେଠାକାର ହସ୍ପିଟାଲର କର୍ମଚାରୀମାନେ କୋଭିଡ୍‌ ରଖିଥିବାବେଳେ ମାତା ପିତା ଶିଶୁଟିର ନାମକରଣ ନିଜ ଇଚ୍ଛା ହିସାବରେ କରିବେ ବୋଲି ସ୍ବାସ୍ଥ୍ୟ କର୍ମଚାରୀ କହିଛନ୍ତି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ମାତ୍ର ତିନି ଦିନର ଶିଶୁ କରୋନା ପଜିଟିଭି

ମୁମ୍ବାଇ : ମହାରାଷ୍ଟ୍ରରେ ମାତ୍ର ତିନି ଦିନର ଶିଶୁ ଏବେ କରୋନାଗ୍ରସ୍ତ । ଶିଶୁ ସହିତ ଶିଶୁର 26 ବର୍ଷୀୟା ମା’ଙ୍କ ଠାରେ କରେନା ଲକ୍ଷଣ ମିଳିଛି । ଶିଶୁଟିର ଜନ୍ମ ମାର୍ଚ୍ଚ 26 ତାରିଖରେ ମୁମ୍ବାଇର ଚେମ୍ପୁର୍‌ ହସ୍ପିଟାଲ୍‌ରେ ହୋଇଥିଲା । ତେବେ ଏହି ଘଟଣାକୁ ନେଇ ଶିଶୁଙ୍କ ପରିବାର ଲୋକେ ହସ୍ପିଟାଲର ଦାୟିତ୍ବହୀନତା ପ୍ରତି ଅଙ୍ଗୁଳି ଉଠାଇଛନ୍ତି । ରୋଗୀଙ୍କ ସମ୍ପର୍କୀୟମାନେ ଅଭିଯୋଗ କରିଛନ୍ତି ଯେ, ଶିଶୁର ମା’କୁ କରୋନୀ ସଂକ୍ରମିତ ରୋଗୀଙ୍କ ବେଡ୍‌ରେ ରଖିଥିଲେ । ଏହା ପରେ ନବଜାତ ଶିଶୁ ଓ ତାଙ୍କ ମା’ଙ୍କୁ କୁର୍ଲା ଭାଭା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଶିଶୁର ପିତାକୁ ମଧ୍ୟ କ୍ବାରେଣ୍ଟାଇନ୍‌ରେ ରଖାଯାଇଛି ।

ତେବେ ଶିଶୁ ଓ ମା’ଙ୍କଠାରେ କରୋନା ଲକ୍ଷଣ ଦେଖିବାକୁ ମିଳିବା ପରେ ଚେମ୍ପୁର୍‌ ହସ୍ପିଟାଲକୁ ବନ୍ଦ କରାଯାଇ ସାନିଟାଇଜେସନ୍‌ କରାଯାଇଛି । (ଏଜେନ୍ସି)